ଅପେକ୍ଷା କରି କରି ବିରକ୍ତ ହେଇଗଲେଣି ସୁଲତା। ଗୋଟେ ପକେଟ ବଟର୍, ବିଡାଏ ପୋଦିନା ପତ୍ର ଆଣିବାକୁ ଗୋଟେ ଲୋକକୁ ଦେଢ଼ ଘଣ୍ଟା ଲାଗିଲାଣି! ଆଉ ଅଧ ଘଣ୍ଟା ଭିତରେ ସମସ୍ତେ ହ୍ବାଟ୍ସଆପ୍ ବନ୍ଦ କରି ଯେଝା ବାଟରେ ଯିଏ ଚାଲିଯିବେ ଲଞ୍ଚ୍ ତିଆରି କରିବାକୁ। ସମସ୍ତେ ଲଞ୍ଚ୍ ଫଟୋ ଛାଡ଼ିବା ବେଳକୁ ସେ କ’ଣ ବ୍ରେକ୍ଫାଷ୍ଟ୍ ଫଟୋ ଛାଡ଼ିବେ? ସୁଲତା କେତେବେଳୁ କାଟି ରଖିଥିବା କାକୁଡ଼ି, ବିଲାତି ଓ ପିଆଜ ସବୁକୁ ପୁଣି ଥରେ ସରୁସରୁ କରି କାଟୁ କାଟୁ ରାଗି ନିଆଁବାଣ ହେଇଯାଉଥିଲେ ତାଙ୍କ ସ୍ବାମୀ ପରିଡ଼ା ବାବୁଙ୍କ ଉପରେ। ସାରା ଜୀବନ କାଳ ଭିତରେ ବେଗ ଆଉ ଗତିର ତତ୍ତ୍ବଟା ବୁଝି ପାରିଲେନି ଏ ଲୋକ, ଯୋଉଥିପାଇଁ ଅବସର ନେବା ବେଳକୁ ଅନ୍ୟମାନେ ଯୋଉଠି ପହଞ୍ଚି ପାରିଲେ ନା ଏ’ ସେଠି ପହଞ୍ଚିପାରିଲେ, ନା ପରିବାରରୁ ଯେତିକି ସମ୍ପତ୍ତି ଭାଗ ପାଇବା କଥା ପାଇ ପାରିଲେ? ବଟର୍ ଆଉ ପୋଦିନା ଧରି ଫେରିବାକୁ ପରିଡ଼ା ବାବୁ ଯେତେ ଡେରି କରୁଥା’ନ୍ତି, ରାଗ ଓ ବିରକ୍ତିରେ ସୁଲତାଙ୍କ ଶ୍ବାସ ପ୍ରଶ୍ବାସ ସେତେ ତୀବ୍ର ହେବାରେ ଲାଗିଥାଏ।
କଥା କ’ଣ କି, ଲକ୍ଡାଉନ୍ ଲାଗୁ ହେବା ଦିନଠାରୁ ଅନ୍ୟ ହ୍ବାଟ୍ସଆପ୍ ଗ୍ରୁପ୍ ପରି ସୁଲତାଙ୍କ ଗ୍ରାଜୁଏସନ ବ୍ୟାଚ୍ର ପ୍ରାୟ ଶହେ ଜଣ ପୁଅ ଆଉ ଝିଅ ସାଙ୍ଗମାନଙ୍କୁ ନେଇ ଚାରି ବର୍ଷ ତଳୁ ଆରମ୍ଭ ହେଇଥିବା ଗ୍ରୁପ୍ଟି ଏବେ ବେଶ୍ ଚଳ ଚଞ୍ଚଳ। ସକାଳ ଆଠରୁ ଏଗାର ଯାଏ କିଏ କ’ଣ ବ୍ରେକ୍ଫାଷ୍ଟ୍ କଲା ତା’ର ଫଟୋ, ପୁଣି ଦିନ ଗୋଟାଏରୁ ତିନିଟା ଯାଏ କାହାର କ’ଣ ଲଞ୍ଚ୍ ତା’ର ଫଟୋ ପୋଷ୍ଟିଂ, ସେମିତି ସନ୍ଧ୍ୟା ଜଳଖିଆ ଆଉ ରାତ୍ରିଭୋଜନର ମଧ୍ୟ। ଆଜି ଯାଏ ସୁଲତା ପୋଷ୍ଟ୍ କରୁଥିବା ସବୁ ଡିସ୍ ଅନ୍ୟମାନଙ୍କୁ ମାତ୍ ଦେଇ ଚାଲିଛି। କିଛି ଅସହିଷ୍ଣୁ ବନ୍ଧୁ ଓ ବାନ୍ଧବୀ ତାଙ୍କ ପୋଷ୍ଟକୁ ନେଇ ଥଟ୍ଟା ପରିହାସ କରୁଥିଲେ ବି ସେମାନେ ଯେ ତାଙ୍କ ବିଚକ୍ଷଣତାକୁ ଈର୍ଷା କରୁଛନ୍ତି, ଏ କଥା ସୁଲତା ବେଶ୍ ବୁଝିପାରୁଥିଲେ ଆଉ ଅନ୍ୟମାନଙ୍କ ଈର୍ଷା ହିଁ ସୁଲତାଙ୍କ ପାଇଁ ସବୁଠୁ ବଡ଼ ଖୁସି ଓ ପ୍ରସନ୍ନତାର କାରଣ ହେଇ ଆସିଛି ଆଜିଯାଏ। ଆଉ କିଏ କ’ଣ ମତାମତ ଦେଉଛି ସେଇଟା ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ଗ୍ରୁପ୍ର ନଗେନ ମହାପାତ୍ର ଯଦି ଲେଖି ଦେଲେ “ବେଷ୍ଟ୍ ୱାନ୍ ଅଫ୍ ଦି’ ଡେ”, ସୁଲତାଙ୍କ ମନ ତଳେ ଖୁସିର ଗୋଟାଏ ରକେଟ୍ ବାଣ ସୁର୍ ସୁର୍ ହେଇ ଉପରକୁ ଉଠିଯାଏ। ପଚାଶ ବର୍ଷ ବୟସରେ ବି ମୁହଁରେ ତାଙ୍କର ଉକୁଟିଉଠେ ଅପ୍ରତ୍ୟାଶିତ ଲାଜ।
ଏତିକିବେଳେ ବାଜିଲା କଲିଙ୍ଗବେଲ୍। ଦରଜାଟାକୁ ଏଡ଼େ ଜୋରରେ ସୁଲତା ଖୋଲିଦେଲେ ଯେ ହାତରେ ତାଙ୍କର ପରିବାକଟା ଛୁରୀ ଆଉ ଆଖିର ଭୟଙ୍କର ଚାହାଣି ଦେଖି ପରିଡ଼ା ବାବୁ ପୁଲିସକୁ ଦେଇ ଆସିଥିବା ପାଞ୍ଚ ଶହ ଟଙ୍କା ଫାଇନ୍ କଥା ସଂପୂର୍ଣ୍ଣ ଭୁଲିଯାଇ ବ୍ୟାଗ୍ଟା ସୁଲତାଙ୍କ ହାତକୁ ବଢ଼େଇ ଦେଇ କହିଲେ, ‘ପାଖାପାଖି କୋଉଠି ମିଳିଲାନି, ନାଲ୍କୋ ଛକ ଯାଏ ଯିବାକୁ ପଡ଼ିଲା।’ ପରିଡ଼ା ବାବୁଙ୍କ କଥାକୁ ସାମାନ୍ୟ ଧ୍ୟାନ ନ ଦେଇ କିଚେନ୍ ଭିତରକୁ ପଶିଗଲେ ସୁଲତା, ଆଉ ଲାଗି ପଡ଼ିଲେ ସ୍ପେସାଲ ଡିସ୍ ଗୋଟେ ବନେଇ ଶୀଘ୍ର ଫଟୋ ଉଠେଇ ଗ୍ରୁପ୍ରେ ପୋଷ୍ଟ୍ କରିବା ଉଦ୍ଦେଶ୍ୟରେ। ପରିଡ଼ା ବାବୁ ସାନିଟାଇଜରରେ ହାତ ଧୋଇ ମାସ୍କ୍ ଖୋଲି ଲୁଗାପଟା ବଦଳି ସୋଫା ଉପରକୁ ବସିବାକୁ ଯାଉଯାଉ ଦେଖିଲେ ସୁଲତାଙ୍କ ଫୋନ୍ ରିଂ ହେଉଛି। ସେ ଡାକ ଛାଡିଲେ ‘ଆରେ ଫୋନ୍ଟା ନିଅ, ତମ ସାଙ୍ଗ ନଗେନ କଲ୍ କରିଛି।’ “ଥାଉ, ତମେ ଉଠାଅନି, ମୁଁ ପରେ କଥା ହେବି’– ବଡ଼ ପାଟିରେ କହିଲେ କିଚେନ୍ରୁ ସୁଲତା।
ସେ ଜାଣନ୍ତି ନଗେନ ଫୋନ୍ କରି ପଚାରିବ ଯେ ତମ ବ୍ରେକ୍ଫାଷ୍ଟ୍ ଫଟୋ ଆଜି କୁଆଡ଼େ ଗଲା? କିଚେନରୁ ଭାସି ଆସୁଥିବା ଲହୁଣି ବାସ୍ନାରେ ସକାଳୁ ଟିକେ ଛତୁଆ ଖାଇ ରହିଥିବା ପରିଡ଼ା ବାବୁଙ୍କ ଭୋକ ବଢ଼ିଗଲା। ବସିବା ଜାଗାରୁ ଡାକ ଛାଡିଲେ ‘ଆରେ କେତେବେଳେ ସରିବ ତମ ଜଳଖିଆ ତିଆରି?’ କିଚେନରୁ ସୁଲତା କହିଲେ, ‘ଡେରି ହେବ, ମୁଁ ବନେଇ ସାରିଲେ ଆଗେ ଫଟୋ ଉଠେଇ ଗ୍ରୁପ୍ରେ ପୋଷ୍ଟ୍ କଲା ପରେ ତମକୁ ଖାଇବାକୁ ଦେବି। ତମେ ନିଜେ ହାତରେ ବିସ୍କୁଟ ଦି’ଟା ନେଇ ଖାଇଦିଅ।’
ପରିଡ଼ା ବାବୁ କେବେ ପତ୍ନୀଙ୍କ କଥାକୁ ଟାଳି ପାରନ୍ତିନି। ସେଇଥିପାଇଁ ତ ସକାଳୁ ବଟର୍ ଓ ପୋଦିନା ପାଇଁ ବାହାରକୁ ଯାଇ ପୁଲିସକୁ ପାଞ୍ଚ ଶହ ଟଙ୍କା ଫାଇନ୍ ଦେଇ କିଛି ଅଶ୍ରାବ୍ୟ ଗାଳିକୁ ହଜମ କରି ଫେରିଛନ୍ତି! ଏବେ ତରବରରେ ବାହାରକୁ ବାହାରି ଆସିଲେ ସୁଲତା। ଅତ୍ୟନ୍ତ ଲୋଭନୀୟ ଓ ସୁନ୍ଦର ଦିଶୁଥିବା ଡିସ୍ଟିର ଗୋଟେ ଫଟୋ ଉଠେଇ, ତା’ ତଳକୁ ‘ମୋର ଆଜିର ବ୍ରେକ୍ଫାଷ୍ଟ୍ ଇଟାଲିୟାନ୍ ଗ୍ରିନ୍ ସାଣ୍ଡୱିଚ୍’ ଲେଖି ଗ୍ରୁପ୍ରେ ପୋଷ୍ଟ୍ କରିଦେଲେ ସେ। ମୁହଁରେ ପରିତୃପ୍ତି ଆଉ ମନତଳେ ଅଦୃଶ୍ୟ ଅହଂକାର- ‘ଏବେ ସବୁ ମୋ ଡିସ୍ ଦେଖି ଟେରା ହେଇଯିବେ!’ ତଉଲିଆରେ ମଥାର ଝାଳ ପୋଛୁ ପୋଛୁ ସୁଲତା କିଚେନ୍ ଭିତରକୁ ଆଉ ଥରେ ପଶିବା ବେଳକୁ ପରିଡ଼ା ବାବୁ ପଛରୁ ଡାକିଲେ ‘ମତେ ଏବେ ଦେବ?’
ଚିହିଙ୍କି ଉଠିଲେ ସୁଲତା, ‘ଆରେ ବାବା, ଡିସ୍ଟା ସରିନି ଏଯାଏ, ଏଇଟା ଯୋଉଟା ମୁଁ ପୋଷ୍ଟ୍ କଲି ଏଇଟା ଫଟୋ ପାଇଁ ଠିକ ଅଛି, ଖାଇ ହବନି। ସବୁ କଞ୍ଚା କଞ୍ଚା।’
ସୁଲତା ଚାଲିଗଲେ କିଚେନ ଭିତରକୁ। ପରିଡ଼ା ବାବୁ ମୁଣ୍ଡ ଉପରେ ବୁଲୁଥିବା ପଙ୍ଖାକୁ ଚାହିଁ ଭାବୁଥିଲେ– କାହିଁକି ଏ ମିଛ ଅହମିକାର ଖେଳ? ସ୍ବାମୀକୁ ସକାଳୁ ଛତୁଆ ବିସ୍କୁଟ୍ ଦେଇ ସମାଜକୁ ଇଟାଲିୟାନ୍ ଗ୍ରିନ୍ ସାଣ୍ଡୱିଚ୍ ଫଟୋ ଦେଖାଇ ଏହା ଆଜି ଆମ ବ୍ରେକ୍ଫାଷ୍ଟ୍ର ଫଟୋ ବୋଲି ଦେଖେଇବା ଏକ ଛଳନା ନୁହେଁ କି?
କରୋନାର ବିଭୀଷିକାରେ ସବୁଠି ମୃତ୍ୟୁର ଆତଙ୍କ ଓ ଆଶଙ୍କା। ଏତିକି ବେଳେ ମିଛ, ପ୍ରତାରଣା, ଆତ୍ମପ୍ରବଞ୍ଚନାର ଏ ଅର୍ଥହୀନ ଆନନ୍ଦର ମାନେ କ’ଣ ?
ପରିଡ଼ା ବାବୁ ସିନା ବୁଡ଼ି ଯାଉଥିଲେ ଭାବନାର ଭଉଁରିରେ, ହେଲେ କିଚେନ୍ ଭିତରେ ନଗେନ ମହାପାତ୍ରଙ୍କ ମେସେଜ୍ ପଢ଼ି ଆତ୍ମବିସ୍ମୃତ ହେଉଥିଲେ ସୁଲତା। ଏତିକିବେଳେ ପରିଡ଼ା ବାବୁଙ୍କ ସାଙ୍ଗ ଶେଖର ମିଶ୍ର ଫୋନ୍ କଲେ। ସେ କହିଲେ, ‘ଆରେ ଟିକେ ଆମ ଗ୍ରୁପ୍କୁ ଆ’, ମୋ’ ମିସେସ୍ ଆଜି ଗୋଟେ ମାଛର ସ୍ପେସାଲ ଡିସ୍ ବନେଇଛି, ମୁଁ ସେଇଟା ପୋଷ୍ଟ୍ କରିଛି, ଗୋଟେ ଝକାସ କମେଣ୍ଟ୍ ଦେ’, ପ୍ଲିଜ୍।”
ପରିଡ଼ା ବାବୁଙ୍କ ପାଟିରୁ ଅଜାଣତରେ ବାହାରିଗଲା ‘ସିଝିଛି ନା’ କଞ୍ଚା?’
ସ୍ବାହା, କେନାଲ ରୋଡ୍, ଛତ୍ର ବଜାର, କଟକ
ମୋ- ୯୪୩୭୨୭୪୮୫୭