ହିମାଳୟତୁଲ୍ୟ ଭୁଲ୍

ରାମଚନ୍ଦ୍ର ଗୁହା

ହିମାଳୟ ପର୍ବତ ଶ୍ରେଣୀ ଆମ ଦେଶର ସବୁଠାରୁ ମହତ୍ତ୍ବପୂର୍ଣ୍ଣ ଜାତୀୟ ସ˚ପଦ। ଏଗୁଡ଼ିକ ବିନା ଭାରତ ତିଷ୍ଠି ପାରିବ ନାହିଁ। ଏହି ସୁବିଶାଳ ପର୍ବତ ଶ୍ରେଣୀ ଆକ୍ରମଣକାରୀଙ୍କ ପାଇଁ ପ୍ରାକୃତିକ ପ୍ରତିବନ୍ଧ; ଆମର ମୁଖ୍ୟ ଚିରସ୍ରୋତା ନଦ-ନଦୀଗୁଡ଼ିକର ଉତ୍ସ; ମୂଲ୍ୟବାନ ଜୈବ ବିବିଧତାରେ ପରିପୂର୍ଣ୍ଣ; ଏବ˚ ଆମର ପବିତ୍ରତମ ଧର୍ମପୀଠଗୁଡ଼ିକର ଗୃହ। ପରିବେଶୀୟ, ଅର୍ଥନୈତିକ, ସା˚ସ୍କୃତିକ ତଥା ସାମରିକ ରଣନୀତି ଦୃଷ୍ଟିରୁ ହିମାଳୟ ଭାରତର ରାଷ୍ଟ୍ରୀୟ ଭବିଷ୍ୟତ୍‌। ଯେଉଁ ରାଜନେତାମାନେ ଏବେ ଶାସନ ଗାଦିରେ ଅଛନ୍ତି, ସେମାନେ ହିମାଳୟକୁ ସମ୍ମାନ ଦେଉଥିବା ଦାବି କରନ୍ତି। ତେବେ, ସେମାନଙ୍କ ମଜଭୁତ ଉପସ୍ଥିତି ସତ୍ତ୍ବେ ହିମାଳୟ ଏବେ ବିପର୍ଯ୍ୟୟ ଓ ପତନମୁଖୀ। ଏହି ପର୍ବତ ଶ୍ରେଣୀ ଉପରେ ଅହରହ ବର୍ବର-ଅସଭ୍ୟ ଆକ୍ରମଣ ଚାଲିଛି। ଏହି ଆକ୍ରମଣ ମଣିଷକୃତ। ଏହାର ନାମ- ‘ଚାରି ଧାମ ପରିଯୋଜନା’। ଏହା ଏକ ଅପରିଣାମଦର୍ଶୀ ପ୍ରକଳ୍ପ। ଏହି ପରିଯୋଜନାରେ ବ୍ୟୟ ହେବ ବାର ହଜାର କୋଟି ଟଙ୍କା। ଏହାର ମୁଖ୍ୟ ଲକ୍ଷ୍ୟ- ପ୍ରାୟ ନଅ ଶହ କିଲୋମିଟର‌୍‌ ରାସ୍ତାର ପ୍ରଶସ୍ତୀକରଣ। ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ, ଚାରି ପବିତ୍ର ଧାମ- ଯମୁନୋତ୍ରୀ, ଗଙ୍ଗୋତ୍ରୀ, ବଦ୍ରୀନାଥ ଓ କେଦାରନାଥରେ ଭକ୍ତ-ଶ୍ରଦ୍ଧାଳୁ ଶୀଘ୍ର ଏବ˚ ସୁବିଧାରେ ପହଞ୍ଚି ପାରିବେ। ଏହି ପ୍ରକଳ୍ପକୁ ଶୀଘ୍ର ସାରିବା ପାଇଁ ପ୍ରଶାସନ ବ୍ୟଗ୍ର। ମଣିଷର ନିରାପତ୍ତା ଓ ପରିବେଶ ପ୍ରତି ଆଦୌ ଦୃଷ୍ଟି ଦିଆ ନ ଯାଇ, ଏହି ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ସାର୍ବଜନୀନ ସ୍ତରରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇବାରୁ ସୁପ୍ରିମ୍‌ କୋର୍ଟ‌୍‌ ବାଧ୍ୟ ହୋଇ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ। କମିଟି ପକ୍ଷରୁ ନିକଟରେ ପ୍ରାୟ ଆଠ ଶହ ପୃଷ୍ଠାର ଏକ ରିପୋର୍ଟ‌୍‌ ଅଦାଲତରେ ଦାଖଲ କରାଯାଇଛି। ବିପୁଳ କ୍ଷୟ-କ୍ଷତି ହୋଇସାରିଲାଣି ବୋଲି ସେଥିରେ ଉଲ୍ଲେଖ କରାଯାଇଛି।

ଶିହରଣ ସୃଷ୍ଟିକାରୀ ରିପୋର୍ଟ‌୍‌ଟି ମୁଁ ଏବେ ପଢ଼ିଲି। ପ୍ରଥମେ ହିମାଳୟ ସ˚ପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ସହ ପରିଚିତ ହେବା। ଦୁର୍ବାର ଭାବେ ଦଣ୍ତାୟମାନ ହିମାଳୟ ପର୍ବତ ଶ୍ରେଣୀ ପରିବେଶ ଦୃଷ୍ଟିରୁ ଅତ୍ୟନ୍ତ ଭଙ୍ଗୁର। ଏହା ପ୍ରତି ସର୍ବଦା ଭୂମିକ˚ପ ଓ ବନ୍ୟାର ବିପଦ ରହିଛି। ଏହା ଭଲ ଭାବେ ଜଣାଥିବା ସତ୍ତ୍ବେ ସରକାର ଏଥି ପ୍ରତି ଉଦାସୀନ। ହିମାଳୟ ତଥା ଏହାର ବାସିନ୍ଦାଙ୍କ ଉପରେ କ୍ରମାଗତ ଆକ୍ରମଣ ଚାଲିଛି। ବ୍ୟବସାୟିକ ବନୀକରଣ, ଖୋଲା ଖଣି ଖନନ, ବୃହତ୍‌ ଜଳ-ବିଦ୍ୟୁତ୍‌ ପ୍ରକଳ୍ପ, ଅନିୟନ୍ତ୍ରିତ ପର୍ଯ୍ୟଟନ ଆଦି ଏହାର ଦୃଷ୍ଟାନ୍ତ। ଏସବୁ ମିଳିତ ଭାବେ ବିଷାକ୍ତ ଆବର୍ଜନା ସୃଷ୍ଟି କରୁଛନ୍ତି। ଜଳ ଓ ବାୟୁ ପ୍ରଦୂଷଣ ବଢ଼ୁଛି। ଜଙ୍ଗଲ ଓ ଜୈବ ବିବିଧତା ଧ୍ବ˚ସ ହେଉଛି। ପାହାଡ଼ ଧସୁଛି। ବନ୍ୟା ଆସୁଛି। ପରିବେଶ ଓ ପରିସ୍ଥିତି ବିଗିଡ଼ି ସାରିଥିବା ବେଳେ ଏବର ପ୍ରକଳ୍ପ ଯେ ହିମାଳୟ ପର୍ବତ ଶ୍ରେଣୀକୁ ଆଉ ଏକ ବଡ଼ ବିପର୍ଯ୍ୟୟ ମଧ୍ୟକୁ ଠେଲି ଦେବ, ଏଥିରେ କୌଣସି ସନ୍ଦେହ ନାହିଁ। ରାସ୍ତାର ପ୍ରଶସ୍ତୀକରଣ ହିମାଳୟ ଉପରେ ଆଉ ଏକ ନିର୍ଘାତ ପ୍ରହାର। ସାଧାରଣତଃ, ‘ଚାରି ଧାମ ପରିଯୋଜନା’ ଭଳି ବିରାଟ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପୂର୍ବରୁ ଏହାର ପରିବେଶ ସ˚ପର୍କିତ ପରିଣାମ ବାବଦରେ ସବିଶେଷ ଆକଳନ ବାଧ୍ୟତାମୂଳକ ଅଟେ। ତେବେ, ଏ କ୍ଷେତ୍ରରେ ତାହା କରାଯାଇନାହିଁ। ସାଧାରଣ ଭାବେ ଶହେ କିଲୋମିଟର‌୍‌ର ଅଧିକ ଲମ୍ବର ରାସ୍ତା ନିର୍ମାଣ ପୂର୍ବରୁ ପରିବେଶୀୟ ପ୍ରଭାବର ଆକଳନ ଲୋଡ଼ା। ତେଣୁ, ଏ କ୍ଷେତ୍ରରେ ୮୮୦ କିଲୋମିଟର‌୍‌ର ରାସ୍ତାକୁ ସରକାରୀ ନଥି-ପତ୍ରରେ ଛୋଟ ଛୋଟ ଖଣ୍ତରେ ଭାଙ୍ଗିଦିଆଯାଇଛି, ଯେପରି ପରିବେଶୀୟ ପ୍ରଭାବର ଆକଳନ ଦରକାର ପଡ଼ିବନାହିଁ। କ୍ଷୟ-କ୍ଷତି ବାବଦରେ ସମସ୍ତେ ଜାଣିଥିବା ସତ୍ତ୍ବେ ଏ ପରି କରାଯାଇଛି।

୨୦୧୬ ଡିସେମ୍ବର‌୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଅର୍ଥାତ୍‌, ଆଉ କିଛି ମାସ ପରେ ଏହି ପ୍ରକଳ୍ପ ଆରମ୍ଭ ହେବାର ଚାରି ବର୍ଷ ପୂରିବ। ଇତି ମଧ୍ୟରେ ଯେଉଁ ବିପୁଳ କ୍ଷୟ-କ୍ଷତି ହୋଇସାରିଲାଣି, ତାହାର ସବିଶେଷ ବିବରଣୀମୂଳକ ରିପୋର୍ଟ‌୍‌ ସୁପ୍ରିମ୍‌ କୋର୍ଟ‌୍‌ରେ ଦାଖଲ କରାଯାଇଛି। ଉକ୍ତ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ଡ. ରବି ଚୋପ୍ରା କହନ୍ତି: ‘ଆମେ ଅନେକ ସ୍ଥାନରେ ଭୂସ୍ଖଳନ ଦେଖିବାକୁ ପାଇଥିଲୁ। ଆମର ଗାଡ଼ି ଅନେକ ସ୍ଥାନରେ ଭିଡ଼ରେ ଫସିରହିଥିଲା। ଅଳିଆ-ଆବର୍ଜନା ସିଧାସଳଖ ତଳକୁ ଖସି ଜଙ୍ଗଲ, ନଦ-ନଦୀ, ନଦୀ-ଶଯ୍ୟାରେ ପଡ଼ୁଥିବା ଦେଖିଥିଲୁ। ସେହି ଦୃଶ୍ୟ ଭଲ ଭାବେ ରେକର୍ଡି˚ କରାଯାଇଥିଲା। ହଜାର ହଜାର ବୃକ୍ଷ ଧରାଶାୟୀ ହୋଇସାରିଲାଣି। ଢାଲୁ ଅଞ୍ଚଳ ଧସିବା ଯୋଗୁଁ ଆଗକୁ ଆହୁରି ହଜାର ହଜାର ବୃକ୍ଷ ଧରାଶାୟୀ ହେବ। ସୁରକ୍ଷା ପ୍ରାଚୀରଗୁଡ଼ିକ ଦୁର୍ବଳ। ତେଣୁ, କେତେ ବେଳେ କ’ଣ ଘଟିବ ପୂର୍ବାନୁମାନ କରିବା କଷ୍ଟକର। ରାତ୍ରି ରହଣି କାଳରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲୁ। ରାସ୍ତା ନିର୍ମାଣ ଦ୍ବାରା ସେମାନେ ପ୍ରଭାବିତ। ସେମାନେ ବିଭିନ୍ନ ଅଭିଯୋଗ କରିଥିଲେ ଏବ˚ ପ୍ରସ୍ତାବ ମଧ୍ୟ ଦେଇଥିଲେ।’ ବିପର୍ଯ୍ୟୟର ମୁଖ୍ୟ କାରଣ ପୂର୍ବରୁ ଥିବା ଅପ୍ରଶସ୍ତ ରାସ୍ତାର ପ୍ରଶସ୍ତୀକରଣ। ଉଚ୍ଚ ପାହାଡ଼ିଆ ଅଞ୍ଚଳ ପାଇଁ ଅପ୍ରଶସ୍ତ ରାସ୍ତା ଉପଯୁକ୍ତ। ତାହାକୁ ସମତଳ ଅଞ୍ଚଳର ରାସ୍ତା ପରି ପ୍ରଶସ୍ତ କରିବା ବିପଜ୍ଜନକ। ଏବେ ପାହାଡ଼ିଆ ରାସ୍ତାଗୁଡ଼ିକୁ ଜାତୀୟ ରାଜପଥ ପରି ଓସାରରେ ବାର ମିଟରକୁ ପ୍ରସାରିତ କରାଯାଉଛି। ବିଶେଷଜ୍ଞଙ୍କ ମତରେ ଏହି ଅଞ୍ଚଳ ପାଇଁ ସାଢ଼େ ପାଞ୍ଚ ମିଟର‌ ଓସାରର ରାସ୍ତା ଉପଯୁକ୍ତ। ଏହି ପ୍ରକଳ୍ପରେ ବିଶେଷଜ୍ଞଙ୍କ କଥାକୁ ଗ୍ରହଣ କରାଯାଉନାହିଁ। ରାସ୍ତା ଅପ୍ରଶସ୍ତ ରହିଲେ, ଟ୍ରାଫିକ୍‌ ନିୟନ୍ତ୍ରିତ ହେବ; ଏବ˚ ପରିବେଶ ଓ ସାମାଜିକ ଅବକ୍ଷୟ ନିମ୍ନତମ ହେବ। ଏବେ ଯେଉଁ ଭଳି ଭାବେ ପାହାଡ଼ କଟା ଯାଉଛି, ତାହା ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପକାଇବ। ଯେତେ ଗଭୀରକୁ କଟାଯିବ, ସେତେ ଅଧିକ ବିପଦ ଆସିବ। ଗଡ଼ାଣି ଅଞ୍ଚଳରେ ବ୍ୟାପକ ଜଙ୍ଗଲ କ୍ଷୟ ହୋଇସାରିଲାଣି; ଆଗକୁ ଆହୁରି ଅଧିକ ହେବ।

‘ଚାର ଧାମ ପରିଯୋଜନା’ର ଏକ ଅଞ୍ଚଳରେ ସଦ୍ୟ କଟାଯାଇଥିବା ୧୭୪ଟି ଗଡ଼ାଣି (slope)ରୁ ୧୦୨ଟିରେ ଭୂସ୍ଖଳନ ଘଟିବାର ଆଶଙ୍କା ଅଧିକ ବୋଲି ବିଶେଷଜ୍ଞ କମିଟି ଜାଣିବାକୁ ପାଇଥିଲା। ପ୍ରାୟ ସର୍ବତ୍ର ଗଡ଼ାଣିରେ ବିପଦ ଦୃଶ୍ୟ ହୋଇଥିଲା। ରିପୋର୍ଟ‌୍‌ର ଏକ ଅଧ୍ୟାୟ ସ˚ପୂର୍ଣ୍ଣ ଭାବେ ଆବର୍ଜନା ପରିଚାଳନା ସମ୍ବନ୍ଧୀୟ। ପ୍ରକଳ୍ପ କାର୍ଯ୍ୟରୁ ବାହାରୁଥିବା ବିପୁଳ ପରିମାଣର ଆବର୍ଜନାକୁ ଯେଉଁ ଭଳି ବିପଜ୍ଜନକ ଭାବେ ଫୋପଡ଼ା ଯାଇଛି, ତାହା ଦେଖି ବିଶେଷଜ୍ଞ ଦଳ ବିସ୍ମିତ ହୋଇଥିଲେ। ଆଉ ଏକ ଅଧ୍ୟାୟରେ ଜଳ ଓ ବାୟୁ ପ୍ରଦୂଷଣ ବିଶଦ ଭାବେ ବର୍ଣ୍ଣିତ। ଜଙ୍ଗଲ କ୍ଷୟ ଏବ˚ ବନ୍ୟଜନ୍ତୁଙ୍କ ଅବସ୍ଥା ଆଉ ଦୁଇଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଏହି ପ୍ରକଳ୍ପରେ ସ୍ବଚ୍ଛତାର ଅଭାବ ସ୍ପଷ୍ଟ ଦୃଷ୍ଟ। ସ୍ଥାନୀୟ ବାସିନ୍ଦା ଭବିଷ୍ୟତ୍‌ରେ ଭୋଗିବାକୁ ଥିବା ସମସ୍ୟା ଜାଣିଶୁଣି ଚପାଇ ରଖାଯାଇଛି। ସେହି ବାବଦରେ କୌଣସି ସୂଚନା ଦିଆଯାଉନାହିଁ। ଏପରିକି ପ୍ରକଳ୍ପ ସହ ସ˚ପୃକ୍ତ ଅଧିକାରୀମାନେ, ସୁପ୍ରିମ୍‌ କୋର୍ଟ‌୍‌ଙ୍କ ଦ୍ବାରା ନିୟୋଜିତ ବିଶେଷଜ୍ଞ ଦଳକୁ ମଧ୍ୟ କୌଣସି ସୂଚନା ଦେଇ ନ ଥିଲେ। ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ନ ଥିଲେ।

ଉଲ୍ଲେଖଯୋଗ୍ୟ ଯେ, ବର୍ଷରେ ଅଳ୍ପ କିଛି ମାସ ଚାରି ଧାମ ଯାତ୍ରାରେ ଭିଡ଼ ହୁଏ; ମେ ମାସରୁ ସେପ୍‌ଟେମ୍ବର‌୍‌। ତାହା ଛଡ଼ା ଯେଉଁମାନେ ଯାତ୍ରା କରନ୍ତି, ସେମାନେ ବ୍ୟବସାୟିକ ଯାତ୍ରୀ ନୁହନ୍ତି ବା ସେମାନଙ୍କ ପାଇଁ ପ୍ରତି ମିନିଟ୍‌ ସମୟ ମୂଲ୍ୟବାନ ନୁହେଁ। ଜଣେ ଆଧ୍ୟାତ୍ମିକ ବ୍ୟକ୍ତିଙ୍କ ପକ୍ଷରେ କୌଣସି ପବିତ୍ର ତୀର୍ଥରେ ପହଞ୍ଚିବାରେ କିଛି ଘଣ୍ଟା ବା କିଛି ଦିନ ବିଳମ୍ବ ହୋଇଗଲେ, ସମସ୍ୟା କ’ଣ? ଆଗ କାଳରେ ତୀର୍ଥ-ଯାତ୍ରୀ ଚାଲିଚାଲି ଯାଉଥିଲେ। ମୁଖ୍ୟତଃ ପରିବେଶକୁ ଦୃଷ୍ଟିରେ ରଖି ହିମାଳୟରେ ରାସ୍ତା ନିର୍ମାଣ କରାଯିବା ଉଚିତ। ବିଚାର-ବୁଦ୍ଧିଶୂନ୍ୟ ହୋଇ ପାହାଡ଼ରେ ସମତଳ ଅଞ୍ଚଳ ପରି ରାସ୍ତା ତିଆରି କରିବା ସ˚ପୂର୍ଣ୍ଣ ବର୍ଜନୀୟ ଏବ˚ ଭବିଷ୍ୟତ୍‌ରେ ଏହାର ବହୁ ମୂଲ୍ୟ ଦେବାକୁ ପଡ଼ିବ। ବିଶେଷଜ୍ଞ ଦଳରେ ଥିବା ଚାରି ଜଣ ବିଜ୍ଞାନୀ ‘ଏ ହିମାଲୟାନ୍‌ ବ୍ଲଣ୍ତର‌୍‌’ ନାମରେ ସ୍ବତନ୍ତ୍ର ନୋଟ୍‌ଟିଏ ଲେଖିଛନ୍ତି। ଏଥିରେ ସେମାନେ ‘ଚାରି ଧାମ ପ୍ରକଳ୍ପ’କୁ ଏକ ଦାୟିତ୍ବହୀନ କାର୍ଯ୍ୟ ଭାବେ ବର୍ଣ୍ଣନା କରିଛନ୍ତି। ଏହି ପ୍ରକଳ୍ପ ହିମାଳୟ ପ୍ରତି ଅବମାନନା। ଆମ ଦେଶର ସାମାଜିକ, ଅର୍ଥନୈତିକ ଓ ପରିବେଶୀୟ ଭବିଷ୍ୟତ୍‌ ଏହି ପର୍ବତ ଶ୍ରେଣୀର ସ୍ବାସ୍ଥ୍ୟ ଉପରେ ନିର୍ଭରଶୀଳ ଏବ˚ ଏହାର ସ୍ବାସ୍ଥ୍ୟ ଏବେ ବିପଦରେ। ରିପୋର୍ଟ‌୍‌ରେ ଶତାଧିକ ଫଟୋ ସ୍ଥାନ ପାଇଛି। ଅଯତ୍ନ ଭାବେ ରାସ୍ତାର ପ୍ରଶସ୍ତୀକରଣ ଯୋଗୁଁ ପାହାଡ଼ ଧସୁଥିବା, ସ˚ପୂର୍ଣ୍ଣ ଭାବେ ନଦୀ ଗର୍ଭରେ ଗଳି ପଡ଼ୁଥିବା ଏହି ଫଟୋଗୁଡ଼ିକରୁ ପ୍ରମାଣିତ। ‘ଚାରି ଧାମ ପ୍ରକଳ୍ପ’ ଯୋଗୁଁ ବ୍ୟାପକ କ୍ଷୟ-କ୍ଷତି ହୋଇସାରିଲାଣି। ବିଶେଷଜ୍ଞମାନେ ଲେଖିଛନ୍ତି: ‘ପାହାଡ଼ ଧସି ଚାଲିଛି, ଜଳ ଉତ୍ସ ପୋତି ହୋଇଯାଉଛି। ଉର୍ବର ଉପର ମୃତ୍ତିକା, ଯାହା ସୃଷ୍ଟି ହେବାକୁ ଶହ ଶହ ବର୍ଷ ଲାଗିଥାଏ ଏବ˚ ଯାହା ଉପରେ ଜଙ୍ଗଲ ସୃଷ୍ଟି ହୁଏ, ତାହା ଏବେ ଆବର୍ଜନାମୟ। ଜୀବନ୍ତ ପ୍ରାଚୀନ ବୃକ୍ଷମାନ ଗୋଟିକ ପରେ ଗୋଟିଏ ଟଳି ପଡ଼ୁଛନ୍ତି। ଅପେକ୍ଷାକୃତ ନୂତନ ବୃକ୍ଷଗୁଡ଼ିକ ମଧ୍ୟ ସମାନ ଅବସ୍ଥା ଭୋଗୁଛନ୍ତି। ଯେଉଁସବୁ ଅଞ୍ଚଳରେ ଭୂସ୍ଖଳନ ବହୁ କାଳରୁ ବନ୍ଦ ହୋଇସାରିଥିଲା, ସେଠାରେ ପୁନର୍ବାର ହେଉଛି। ପୁଣି, ନୂଆ ନୂଆ ସ୍ଥାନରେ ଭୂସ୍ଖଳନ ଦେଖାଦେଉଛି। ଶହ ଶହ ଟନ୍‌ ଓଜନର ନିର୍ମାଣ-ଆବର୍ଜନା ଅବିଚାରରେ ଫୋପଡ଼ା ଯାଉଥିବାରୁ ଏ ପରି ଘଟୁଛି। ନଦ-ନଦୀ ଏବ˚ ଅନ୍ୟ ଜଳ ଉତ୍ସ ଅବରୁଦ୍ଧ ହେଉଛି। ନିରବ ଉପତ୍ୟକା ଧୂଳି-ଧୂମପୂର୍ଣ୍ଣ; ଚାରିଆଡ଼େ କର୍କଶ ଧ୍ବନିର ଆତଙ୍କ। ବଡ଼ ବଡ଼ ପଥର ଖଣ୍ତ ପାହାଡ଼ରୁ ଖସି, ତଳେ ଉପତ୍ୟକାରେ ପଡ଼ୁଛି। ଏହା ସହ ସଡ଼କ କାମ ଯୋଗୁଁ ରାସ୍ତା ଅବରୁଦ୍ଧ ହେଉଛି। ଭୂସ୍ଖଳନ ନିତିଦିନିଆ ହୋଇଗଲାଣି। ଯାତ୍ରୀ ତଥା ଶ୍ରମିକଙ୍କ ପ୍ରାଣ ଯାଉଛି। ଦେଶ କେବଳ ରାସ୍ତା କଡ଼ରେ ଛିଡ଼ା ହୋଇ ହିମାଳୟର ଦୁର୍ଦଶା ଦେଖୁଛି।’ ହିମାଳୟରେ ହୋଇଥିବା କ୍ଷୟ-କ୍ଷତି ଉପରେ ‘ଏନ୍‌ଡିଟିଭି ଇଣ୍ତିଆ’ ପକ୍ଷରୁ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି। ତାହା ଏଠାରେ ଦେଖିପାରନ୍ତି: (https://www.ndtv.com/video/shows/prime-time/prime-time-how-long-did-the-destruction-take-in-the-name-of-development)।

ତେବେ, ସବୁ କିଛି ଶେଷ ହୋଇଯାଇନାହିଁ। ଏବେ ବି ସମୟ ଅଛି। ଆମେ ଚାହିଁଲେ, ଅବସ୍ଥା ବଦଳିପାରିବ। ଏଥି ପାଇଁ ବାର ମିଟରର ରାସ୍ତାକୁ ସାଢ଼େ ପାଞ୍ଚ ମିଟରକୁ ଫେରାଇଆଣିବା ସହ ବିଶେଷଜ୍ଞ କମିଟିର ସୁପାରିସଗୁଡ଼ିକୁ ପାଳନ କରିବାକୁ ହେବ। କମିଟି ଅନେକଗୁଡ଼ିଏ ଗ୍ରହଣୀୟ ପ୍ରସ୍ତାବ ଦେଇଛି। ଏଗୁଡ଼ିକୁ ଗ୍ରହଣ କରାଗଲେ କ୍ଷୟକ୍ଷତି କମିବା ସହ ନୂତନ ଜଙ୍ଗଲ ସୃଷ୍ଟି ହେବ। ଯେଉଁଠି ଜଙ୍ଗଲ ଉଜୁଡ଼ି ଯାଇଛି, ସେଠାରେ ବିଭିନ୍ନ ଭାରତୀୟ ପ୍ରଜାତିର ବୃକ୍ଷଲତା ମାଧ୍ୟମରେ ବନୀକରଣ ଦରକାର। ଯେଉଁ ଉଚ୍ଚ ଅଞ୍ଚଳରେ ଅଧିକ ତୁଷାରପାତ ହୁଏ, ସେଠାରେ ରାସ୍ତାର ଉନ୍ନତି ଓ ସ୍ଥିତାବସ୍ଥା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ହେବ। ପରିବେଶବିଜ୍ଞାନୀ, ଭୂତତ୍ତ୍ବବିଜ୍ଞାନୀ ଓ ଯନ୍ତ୍ରବିଜ୍ଞାନୀଙ୍କ ପରାମର୍ଶ ଭିତ୍ତିରେ ଏହି ସୁପାରିସଗୁଡ଼ିକ ପ୍ରସ୍ତୁତ କରାଯାଇଛି। ହିମାଳୟ ପର୍ବତ ଶ୍ରେଣୀରେ ଯେଉଁ ବିଜ୍ଞାନୀମାନେ ଅଧିକ କାଳ କାମ କରିଛନ୍ତି, ରହିଛନ୍ତି ଏବ˚ ଯେଉଁମାନଙ୍କର ଅଭିଜ୍ଞତା ଅଧିକ ସେମାନଙ୍କ ମତାମତକୁ ମଧ୍ୟ ଏଥିରେ ପ୍ରାଧାନ୍ୟ ଦିଆଯାଇଛି। ସେମାନଙ୍କ ସୁପାରିସ ଓ ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ ହେବା ନିତାନ୍ତ ଜରୁରୀ।

ଏହି ସ୍ତମ୍ଭକାର ଉତ୍ତରାଖଣ୍ତରେ ଜନ୍ମ ହୋଇଛି ଏବ˚ ବଢ଼ିଛି। ମୋର ପ୍ରଥମ ପୁସ୍ତକ ହିମାଳୟର ଜଙ୍ଗଲର ସାମାଜିକ ଇତିହାସ ଉପରେ ଆଧାରିତ। ତେଣୁ, ଜଣେ ନାଗରିକ ଓ ଜଣେ ଗବେଷକ ଭାବେ ମୁଁ ପାଠକ ତଥା ଅଦାଲତଙ୍କୁ କହିବି ଯେ ହିମାଳୟକୁ ରକ୍ଷା କରିବା ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରନ୍ତୁ। ହିମାଳୟ ଯଥେଷ୍ଟ ଭୋଗିସାରିଲାଣି। ଯଦି ଏହି ରାସ୍ତା ନିର୍ମାଣ ପ୍ରକଳ୍ପ ବନ୍ଦ କରା ନ ଯାଏ, ଏହା ଏ ଭଳି ଅବସ୍ଥାରେ ପହଞ୍ଚିଯିବ, ଯେଉଁଥିରୁ ଆଉ ଉଦ୍ଧାର ମିଳିବ ନାହିଁ। ହିମାଳୟର ବିପର୍ଯ୍ୟୟର ପରିଣାମ ଭାରତ ଉପରେ ମଧ୍ୟ ପଡ଼ିବ। ତେଣୁ, ସୁପ୍ରିମ୍‌ କୋର୍ଟ‌୍‌ରେ ଦାଖଲ କରାଯାଇଥିବା ଏହି ରିପୋର୍ଟ‌୍‌ର ଉପସ˚ହାରରେ କୁହାଯାଇଛି: ‘ପରିବେଶ ପ୍ରତି ଦୃଷ୍ଟି ନ ଦେଇ ବିଶ୍ବର କୌଣସି ସ୍ଥାନରେ କୌଣସି ପ୍ରକାରର ବିକାଶ ଚିରସ୍ଥାୟୀ ହୋଇପାରିବନାହିଁ। ଆମେ ନୀତିନିଷ୍ଠ ଓ ସଚ୍ଚୋଟ ନ ହେଲେ ବିକାଶ ଅଳ୍ପ ଦିନରେ ଅଦୃଶ୍ୟ ହୋଇଯିବ ଏବ˚ ଆମେ ସବୁ ଦିନ ପାଇଁ ବିପର୍ଯ୍ୟୟ ମୁହଁକୁ ଚାଲିଯିବା।’

ସମ୍ବନ୍ଧିତ ଖବର