ବିଶ୍ବବିଦ୍ୟାଳୟ ଅଧୢାଦେଶ- ଲକ୍ଷ୍ୟ କ’ଣ?

ଅମିୟ ଭୂଷଣ ତ୍ରିପାଠୀ

ସମ୍ବାଦପତ୍ରମାନଙ୍କରେ ପ୍ରକାଶିତ ଖବର ଅନୁସାରେ ସରକାର ଓଡ଼ିଶାର ସବୁ ସରକାରୀ ବିଶ୍ବବିଦ୍ୟାଳୟମାନଙ୍କ ପ୍ରଶାସନିକ ସମୀକରଣ କରିବା ପାଇଁ ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନ ୧୯୮୯କୁ ସ˚ଶୋଧନ କରି ଏକ ଅଧୢାଦେଶ ଆଣିବେ, ଯାହା ୬ ମାସ ପାଇଁ ବଳବତ୍ତର ରହିବ ଓ ଆସେମ୍ବ୍ଲିରେ ପାରିତ ହେଲା ପରେ ସ˚ଶୋଧିତ ୧୯୮୯ ଅଧିନିୟମର ରୂପ ନେବ। ଏଥିରେ ଥିବା ବିଭିନ୍ନ ପ୍ରସ୍ତାବମାନଙ୍କ ଉପରେ କିଛି ଆଲୋଚନା କରିବା ଏ ଆଲେଖ୍ୟର ଉଦ୍ଦେଶ୍ୟ। ମୁଖ୍ୟ ସ˚ଶୋଧନ ମାନ ହେଲା, (୧) ରାଜ୍ୟର ସବୁ ସରକାରୀ ବିଶ୍ବବିଦ୍ୟାଳୟ ଏକ ଅଧିନିୟମ ଦ୍ବାରା ପରିଚାଳିତ ହେବ। ଏଥିପାଇଁ ରେଭେନ୍‌ସା ଏକକ ବିଶ୍ବବିଦ୍ୟାଳୟ ଅଧିନୟମ ଉଚ୍ଛେଦ ହେବ କାରଣ ଆଉ ଦୁଇଟି ଏକକ ବିଶ୍ବବିଦ୍ୟାଳୟ ଗଙ୍ଗାଧର ମେହେର ସମ୍ବଲପୁର ଓ ଖଲ୍ଲିକୋଟ କଲେଜ ବ୍ରହ୍ମପୁର ୧୯୮୯ ଆଇନର ଅନ୍ତର୍ଭୁକ୍ତ। (୨) କୁଳପତିମାନଙ୍କ କାର୍ଯ୍ୟକାଳ ୪ ବର୍ଷ ହେବ, ଏହା କୁଳପତିମାନଙ୍କୁ ଦୀର୍ଘମିଆଦୀ ପରିବର୍ତ୍ତନ ଆଣିବାକୁ ସକ୍ଷମ କରିବ। କୁଳପତି ଚୟନରେ ସରକାରଙ୍କ ହାତ ରହିବ। ପ୍ରଚଳିତ ସିଣ୍ତିକେଟର ପ୍ରତିନିଧି ବଦଳରେ ସରକାରଙ୍କ ଜଣେ ପ୍ରତିନିଧି ରହିବେ। (୩) ବର୍ତ୍ତମାନ ପ୍ରଚଳିତ ସିନେଟ ବ୍ୟବସ୍ଥା ବନ୍ଦ ହେବ। କାରଣ ଏହା କେବଳ ଆଳଙ୍କାରିକ ଭୂମିକା ଗ୍ରହଣ କରିଛି। ବିଶ୍ବବିଦ୍ୟାଳୟ ପ୍ରଶାସନରେ ଏହାର କିଛି ଅବଦାନ ନାହିଁ। (୪) ବିଶ୍ବବିଦ୍ୟାଳୟ ଶିକ୍ଷକମାନଙ୍କ ନିଯୁକ୍ତି ଓଡ଼ିଶା ଲୋକସଭା କମିସନ, ଓ.ପି.ଏସ.ସି ମାଧୢମରେ ହେବ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ସର୍ଭିସ ସିଲେକସନ କମିସନ କରିବେ। (୫) ବିଶ୍ବବିଦ୍ୟାଳୟମାନଙ୍କରେ ପଞ୍ଜିକୃତ ଶିକ୍ଷକ ବ୍ୟବସ୍ଥାର କୌଣସି ପ୍ରାସଙ୍ଗିକତା ନ ଥିବାରୁ ତାହା ବନ୍ଦ ହେବ। (୬) ଯେହେତୁ ବିଶ୍ବବିଦ୍ୟାଳୟମାନଙ୍କ ସ˚ଖ୍ୟା ବୃଦ୍ଧି ପାଉଛି ସେମାନଙ୍କ ବାର୍ଷିକ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କଷ୍ଟସାଧୢ ହୋଇପଡୁଛି। ତେଣୁ ବିଶ୍ବବିଦ୍ୟାଳୟମାନେ ସେମାନଙ୍କ ବାର୍ଷିକ ସମୀକ୍ଷା ରିପୋର୍ଟ ନିଜ େଵବସାଇଟ୍‌ରେ ଅନ୍ୟୂନ ତିନି ବର୍ଷ ପାଇଁ ରଖିବେ।

ପ୍ରଥମ ପ୍ରସ୍ତାବ ହେଲା ସବୁ ସରକାରୀ ବିଶ୍ବବିଦ୍ୟାଳୟମାନେ ସ˚ଶୋଧିତ ୧୯୮୯ ଅଧିନିୟମରେ ଆସିବେ, ଯାହା ଫଳରେ ରେଭେନ୍‌ସା ଏକକ ବିଶ୍ବବିଦ୍ୟାଳୟ ଆଇନ ୨୦୦୫ ଉଚ୍ଛେଦ ହେବ। ଏ ଆଇନ ଉଚ୍ଛେଦ ହେବାରେ କୌଣସି ଅଭିଯୋଗ ବା ଆପତ୍ତି ନାହିଁ। କିନ୍ତୁ ଏହା ବିଚାର୍ଯ୍ୟ ଯେ ସରକାରଙ୍କ ପ୍ରଶାସନିକ ଅଧିକାରୀ ଓ ଶିକ୍ଷାବିତ୍‌ ପରାମର୍ଶଦାତାଗଣ ଏ ଆଇନର ଉଦ୍ଦେଶ୍ୟ ଉପରେ କିଛି ତର୍ଜମା କରିଛନ୍ତି ନା ଗୋଟିଏ ଫର୍ମୁଲାରେ ସବୁ ବିଶ୍ବବିଦ୍ୟାଳୟମାନଙ୍କୁ ପକାଇ ଦେଇଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରେଭେନ୍‌ସାକୁ ଦେଶରେ ଏକ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ରୂପେ ବା ସେଣ୍ଟର ଅଫ ଏକ୍‌ସେଲେନ୍‌ସ ରୂପେ ଗଢ଼ିବା; ବି˚ଶ ଶତାବ୍ଦୀର ପଞ୍ଚମ ବା ଷଷ୍ଠ ଦଶକରେ ଏ ଅନୁଷ୍ଠାନର ସ୍ଥିତି ଯେମିତି ଥିଲା, ସେମିତି। ଏହାର ପୃଷ୍ଠଭୂମିରେ ଥିଲା ୧୨ ବର୍ଷରେ ଅଧୢବସାୟ ଓ ପ୍ରଚେଷ୍ଟା ଓ ବର୍ତ୍ତମାନର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଙ୍ଗେ ଏକାଧିକ ଆଲୋଚନା ଯେଉଁଠାରେ ସେ ଖୋଲା ମନ ଓ ବିନା ଦ୍ବିଧାରେ ଘୋଷଣା କରିଥିଲେ ରେଭେନ୍‌ସା ପାଇଁ ସ୍ବତନ୍ତ୍ର ଅଧିନୟମ। ଏ ବିଲ୍‌ ପାରିତ ହେଲା ପରେ ଓଡ଼ିଶାରେ ନୂତନ ବିଶ୍ବବିଦ୍ୟାଳୟ ଖୋଲିବା ଦ୍ବାର ଉନ୍ମୁକ୍ତ ହୋଇଗଲା। ଏହା ମଧୢ ଦେଖାଯିବ ଯେ ଏ ବିଲ୍‌ ପାରିତ ହେବା ଆଗରୁ ଦେଶରେ ପ୍ରଚଳିତ ଆଇନ ମାନଙ୍କ ତର୍ଜମା କରାଯାଇଥିଲା। ଦେଶର ଶ୍ରେଷ୍ଠ ଏକକ ବିଶ୍ବବିଦ୍ୟାଳୟ ଜେ.ଏନ.ୟୁ ପାଇଁ ଅଛି ସ୍ବତନ୍ତ୍ର ଆଇନ। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ, ଆଲ୍ଲାହାବାଦ, ଯାଦବପୁର ଓ ରେଭେନ୍‌ସା ପରେ କଲିକତା ପ୍ରେସିଡେନ୍‌ସି କଲେଜ, ଯାହା ଦେଶର ସବୁ ଠାରୁ ପୁରୁଣା କଲେଜ। ସ୍ବତନ୍ତ୍ର ଆଇନ ଦ୍ବାରା ପରିଚାଳିତ ହେବାର ଲକ୍ଷ୍ୟ ଶ୍ରେଷ୍ଠତା ହାସଲ; ଏହା ତ ଭାରତ ସରକାରଙ୍କ ମଧୢ ଏକ ନୀତିଗତ ନିଷ୍ପତ୍ତି, ଅନ୍ତତଃ ୧୦୦ ସେଣ୍ଟର ଅଫ୍‌ ଏକ୍‌ସେଲେନ୍‌ସ। ପ୍ରଶାସନ ଯଦି ଚିନ୍ତା କରି ନ ପାରିଲେ ଶିକ୍ଷାବିତ୍‌ ତ ଚିନ୍ତା କରିଥାନ୍ତେ ଓ ଏପରି ଚିନ୍ତା ଏ ନବୀକରଣରେ ଏକ ଗଠନମୂଳକ ସିଦ୍ଧାନ୍ତ ଆଣିପାରିଥାନ୍ତା। ଏ ଚିନ୍ତାର ମୂଳଦୁଆ ହେଲା ଶ୍ରେଷ୍ଠତା ହାସଲ ଗୋଟିଏ ସାଧାରଣ ଫର୍ମୁଲାରେ ହୋଇପାରିବ ନାହିଁ। ଆବଶ୍ୟକ ହେଲେ ଏକାଧିକ ଆଇନ ଅଣା ଯାଇପାରିବ। ଯେହେତୁ ସରକାର ଗଙ୍ଗାଧର ମେହେର ଓ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଉଦାହରଣ ଦେଉଛନ୍ତି; ଏ ଦୁଇଟି ଅନୁଷ୍ଠାନ ମଧୢ ପ୍ରାଚୀନ ଓ ସେମାନେ ଉତ୍କଳ ବିଶ୍ବବିଦ୍ୟାଳୟର ପରବର୍ତ୍ତୀ ଦୁଇଟି ବିଶ୍ବବିଦ୍ୟାଳୟ ସମ୍ବଲପୁର ଓ ବ୍ରହ୍ମପୁରର ଜନ୍ମଦାତ୍ରୀ। ତେଣୁ ସେମାନଙ୍କୁ ମଧୢ ସେଣ୍ଟର ଅଫ୍‌ ଏକ୍‌ସେଲେନ୍‌ସ ରୂପେ ଗଢ଼ିବା ଲକ୍ଷ୍ୟ ହେବା ଉଚିତ। ତା’ଫଳରେ ରେଭେନ୍‌ସା ଆଇନକୁ ବଦଳାଇ ଏକକ ବିଶ୍ବବିଦ୍ୟାଳୟ ଆଇନ ପ୍ରଣୀତ ହୋଇପାରନ୍ତା। ଦୁଇ ପ୍ରକାର ବିଶ୍ବବିଦ୍ୟାଳୟ, ଗୋଟିଏ ସ˚ଘବଦ୍ଧ ବିଶ୍ବବିଦ୍ୟାଳୟ ଅର୍ଥାତ୍‌ ସେ ଅଞ୍ଚଳର କଲେଜମାନେ ଅନୁବନ୍ଧିତ ବା ଏଫିଲିଏଟେଡ୍‌ ଓ ଅନ୍ୟଟି ଏକକ ବିଶ୍ବବିଦ୍ୟାଳୟ। ଦୁଇଟି ଆଇନ ରହିଲେ ତ କିଛି କ୍ଷତି ନାହିଁ। ପ୍ରଶାସନର ସମୀକରଣ ପାଇଁ ବର୍ତ୍ତମାନ ନେଇଥିବା ପଦକ୍ଷେପ ଅତି ତ୍ରୁଟିପୂର୍ଣ୍ଣ। ଏଥିରେ ଦୂରଦର୍ଶିତା ନାହିଁ। ଉଚ୍ଚଶିକ୍ଷା କ୍ଷେତ୍ରରେ ଏପରି ସିଦ୍ଧାନ୍ତମାନ ଆଗରୁ ନେଇ ଅନୁଷ୍ଠାନମାନଙ୍କ ମାନଦଣ୍ତ ନଷ୍ଟ କରାଯାଇଛି। କଲେଜମାନଙ୍କରେ ଯୁକ୍ତ ୨ ଓ ଅଷ୍ଟମ ଦଶକରେ ଲିଡ କଲେଜ ବ୍ୟବସ୍ଥା ଯେପରି ତ୍ରୁଟିପୂର୍ଣ୍ଣ ଥିଲା, ବର୍ତ୍ତମାନ ସରକାରଙ୍କ ପଦକ୍ଷେପ ସେପରି ଏକ ଐତିହାସିକ ଭୁଲ ହେବ।

ଦ୍ବିତୀୟ ହେଲା କୁଳପତିମାନଙ୍କ କାର୍ଯ୍ୟକାଳ ୩ ବର୍ଷରୁ ୪ ବର୍ଷକୁ ବୃଦ୍ଧି। କାରଣ ଦର୍ଶାଯାଉଛି ଅଧିକ ଏକ ବର୍ଷ ପାଇଲେ ଦୀର୍ଘମିଆଦୀ ପରିବର୍ତ୍ତନ ମାନ ଅଣାଯାଇପାରିବ। ଏ କାରଣ ଅତି ଦୁର୍ବଳ। ସେପରି କିଛି ଦୀର୍ଘମିଆଦୀ କାର୍ଯ୍ୟକ୍ରମ ନାହିଁ, ଯାହା ପରବର୍ତ୍ତୀ କୁଳପତି କରିପାରିବେ ନାହିଁ। ଲାଭ କେବଳ କୁଳପତିମାନଙ୍କ, ବର୍ଷେ ଅଧିକା ପାଇବା। ଏହା ସହିତ ଜଡ଼ିତ କୁଳପତି ଚୟନ ପଦ୍ଧତି। ସିଣ୍ତିକେଟ ପ୍ରତିନିଧିଙ୍କ ସ୍ଥାନରେ ସରକାରଙ୍କ ପ୍ରତିନିଧି ରହିବାରେ କିଛି ଆପତ୍ତି ନ ହେବା କଥା। କିନ୍ତୁ କୁଳାଧିପତିଙ୍କ ପ୍ରତିନିଧି ଚୟନରେ ତାଙ୍କ ହାତ ବାନ୍ଧି ଦିଆଯାଉଛି। ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ବା ଭାରତ ସରକାରଙ୍କ ସଚିବ ସ୍ତର ପ୍ରତିନିଧି ରହିବେ। ଏହା କେବଳ କୁଳାଧିପତିଙ୍କ ପାଇଁ ନୁହେଁ ଅନ୍ୟ ଗୋଷ୍ଠୀର ଶିକ୍ଷାବିତ୍‌, ବିଶେଷଜ୍ଞ ଓ ପ୍ରଶାସକଙ୍କ ପାଇଁ ଅପମାନ। ଏହାର ଉପଯୁକ୍ତ ସ˚ଶୋଧନ ଆବଶ୍ୟକ। ଏହା ମଧୢ ଜଣାପଡୁଛି, ଯେପରି କୁଳାଧିପତିଙ୍କ କ୍ଷମତା ସ˚କୁଚିତ ହୋଇଛି। ଏହା ଉପରେ ଗଠନମୂଳକ ତର୍ଜମା ଆବଶ୍ୟକ। ତୃତୀୟ ହେଲା ବର୍ତ୍ତମାନ ପ୍ରଚଳିତ ସିନେଟ ବ୍ୟବସ୍ଥାର ଉଚ୍ଛେଦ। ଏହା ସତ ଯେ ସିନେଟ ଏକ ଆଳଙ୍କାରିକ ସ˚ସ୍ଥାରେ ପରିଣତ ହୋଇଛି ଓ ବିଶ୍ବବିଦ୍ୟାଳୟକୁ ଏହାର ଅବଦାନ କିଛି ନାହିଁ କହିଲେ ଚଳେ। କିନ୍ତୁ ଏଠାରେ ଗୋଟିଏ ପ୍ରସଙ୍ଗ ବିିଚାରଯୋଗ୍ୟ। ସିନେଟ ଏକ ବୃହତ ସ˚ସ୍ଥା ଯାହା ବିଭିନ୍ନ ଅନୁଷ୍ଠାନ, ଗୋଷ୍ଠୀ, ଅଞ୍ଚଳ ଓ ବୃତ୍ତିମାନଙ୍କ ପ୍ରତିନିଧିତ୍ବ କରେ। ବିଶ୍ବବିଦ୍ୟାଳୟରେ ଅନୁବନ୍ଧିତ କଲେଜମାନଙ୍କ ପାଇଁ ଏହା ଗୁରୁତ୍ବ ବହନ କରି ପାରୁଥାଏ। କିନ୍ତୁ ଏକକ ବିଶ୍ବବିଦ୍ୟାଳୟରେ ଏହାର ଆବଶ୍ୟକତା ନାହିଁ।

ଚତୁର୍ଥ ଓ ଅତି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା ଶିକ୍ଷକମାନଙ୍କ ନିଯୁକ୍ତି ଯାହା ରାଜ୍ୟ ଲୋକସେବା କମିସନ ବା ଓ.ପି.ଏସ.ସି କରିବ। ଏପରି ସିଦ୍ଧାନ୍ତର ଦୁଇଟି କାରଣ ଥାଇପାରେ। ପ୍ରଥମଟି ହେଲା ଶିକ୍ଷକମାନଙ୍କ ନିଯୁକ୍ତିରେ କୁଳପତିମାନଙ୍କ ଅବାଧ କ୍ଷମତା। ନିୟମରେ କୁଳାଧିପତିଙ୍କ ପ୍ରତିନିଧି ଓ ବିଶେଷଜ୍ଞମାନଙ୍କ ଦ୍ବାରା ଗଠିତ କମିଟି ମାଧୢମରେ ଏପରି ନିଯୁକ୍ତି ହେବାର ବ୍ୟବସ୍ଥା ଥିଲେ ହେଁ କୁଳପତିଙ୍କ ହାତରେ ଚାବି କାଠି ଥାଏ। ବିଶ୍ବବିଦ୍ୟାଳୟ ଶିକ୍ଷକମାନେ ଦରମା ଭତ୍ତା ଆଦି ଦିଗରୁ ଭାରତୀୟ ସିଭିଲ ସର୍ଭିସ ଅଫିସରମାନଙ୍କ ସଙ୍ଗେ ପ୍ରାୟ ସମାନ। କିନ୍ତୁ ଜଣକ ହାତରେ କ୍ଷମତା ଠୁଳ ହେଲେ ତା’ର ଅପବ୍ୟବହାର ହେବାର ସମ୍ଭାବନା, ଅନିୟମିତତା, ଦୁର୍ନୀତିର ଅଭିଯୋଗ ଆଜିକାଲି ବଢ଼ିବାରେ ଲାଗିଛି। ସେ ଦୃଷ୍ଟିରୁ ଏ ପ୍ରସ୍ତାବ ସ୍ବାଗତଯୋଗ୍ୟ। କିନ୍ତୁ ଏଠାରେ ଗୋଟିଏ ପ୍ରଶ୍ନ ଉଠେ, ଓ.ପି.ଏସ.ସି ପାଇଁ ଏହା ଏକ ଗୁରୁ ଦାୟିତ୍ବ ଏବ˚ ଏହା ସୁଚାରୁରୂପେ ତୁଲାଇବାକୁ ତାଙ୍କ ସାମର୍ଥ୍ୟ ଅଛି ତ? ଓ.ପି.ଏସ.ସିରେ ନିଯୁକ୍ତି ବର୍ଷ ବର୍ଷ ବିଳମ୍ବ ହେବାର ଉଦାହରଣ ଅଛି। ସୁତରା˚ ଓ.ପି.ଏସ.ସିକୁ ଆବଶ୍ୟକ ସମ୍ବଳ ଦେଇ ଅଧିକ କାର୍ଯ୍ୟକ୍ଷମ ନ କଲେ ଏ ସାଧୁ ଉଦ୍ଦେଶ୍ୟ ସାଧିତ ହୋଇପାରିବ ନାହିଁ। ଏହାର ଏକ ବିକଳ୍ପ ହେଲା ବିଶ୍ବବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ପାଇଁ ଏକ ସ୍ବତନ୍ତ୍ର କମିସନ ଗଠନ। ସେ ଯାହାହେଉ ଏ ଦିଗରେ ସରକାର ଗତାନୁଗତିକ ଆଭିମୁଖ୍ୟ ବଦଳରେ ତତ୍ପରତା ଦେଖାଇବା ଆବଶ୍ୟକ। ବିଶ୍ବବିଦ୍ୟାଳୟ ଶିକ୍ଷକ ନିଯୁକ୍ତି କମିସନ ପରି ବିକଳ୍ପ ପନ୍ଥା ପ୍ରଣିଧାନ ଯୋଗ୍ୟ। ଜଣେ ଅତିରିକ୍ତ ଶାସନ ସଚିବ ପାହ୍ୟାର ଅଫିସର ଦାୟିତ୍ବ ଦେଇ ଏ ଦିଗରେ ଯେପରି ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ କରାଯାଇପାରିବ ତାହା ଦେଖିବା ଆବଶ୍ୟକ।

ପଞ୍ଚମ ପ୍ରସ୍ତାବ ଉପରେ ଲେଖକର କିଛି ମତ ନାହିଁ। ଷଷ୍ଠ ପ୍ରସ୍ତାବ ଯାହା ବିଶ୍ବବିଦ୍ୟାଳୟର ବାର୍ଷିକ ସମୀକ୍ଷା ଉପରେ ଆଧାରିତ, ତାହା ଗ୍ରହଣୀୟ। ଏହାଛଡ଼ା ଏ ଅଧୢାଦେଶରେ ଆଉ କିଛି ନୂତନତ୍ବ ଅଣାଯାଇ ପାରିଥାନ୍ତା। ଏକ ଉଦାହରଣ ସ୍ବରୂପ ବିଶ୍ବବିଦ୍ୟାଳୟମାନଙ୍କରେ ଅଭିଯୋଗ ଶୁଣାଣି ଓ ସମାଧାନର ପନ୍ଥା ବା ‘ଡିସ୍‌ପୁଟ୍‌ସ ରିଜଲ୍ୟୁସନ ପ୍ରୋସିଡ୍ୟୁର’। ଏହା ଅନ୍ୟ ବିଶ୍ବବିଦ୍ୟାଳୟମାନଙ୍କରେ ଅଛି। ଏପରି ଅନ୍ୟ କ୍ଷେତ୍ର ମଧୢ ଅଛି। ଏହା ମନେ ରଖିବା ଉଚିତ ଯେ ଏ ପର୍ଯ୍ୟନ୍ତ ଖୁବ୍‌ କମ୍‌ ସ˚ଖ୍ୟକ ଓଡ଼ିଆ ଆନ୍ତର୍ଜାତିକ କ୍ଷେତ୍ରରେ ପ୍ରସିଦ୍ଧ ହୋଇଛନ୍ତି। ଏହାର ଏକ ମାତ୍ର କାରଣ ଗବେଷଣାର ସ୍ତର ଅତି ନ୍ୟୂନ। ୧୯୯୪ରୁ ରେଭେନ୍‌ସା କଲେଜ ଓ ୨୦୦୬ରୁ ବିଶ୍ବବିଦ୍ୟାଳୟ ସଙ୍ଗେ ସମ୍ପୃକ୍ତି କାରଣରୁ ଏହା ମୋର ଅନୁଭୂତି। ଏ ଅଧୢାଦେଶର ୬ ମାସ ସମୟ ସୀମା ଭିତରେ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଖୋଲା ମନରେ ଉପରୋକ୍ତ ବିଷୟମାନ ଆଲୋଚନା କରି ତର୍ଜମା କରନ୍ତୁ ଯାହା ଫଳରେ ବିଧାନସଭାରେ ଆଲୋଚନା ବେଳେ ସହମତି ପ୍ରକାଶ ପାଇବ। ଲକ୍ଷ୍ୟ କେବଳ ପ୍ରଶାସନିକ ସମୀକରଣ ନ ହୋଇ ଉତ୍କର୍ଷ ଓ ଶ୍ରେଷ୍ଠତା ହେଉ।
ପୂର୍ବତନ ଅଧୢକ୍ଷ, ରେଭେନ୍‌ସା ବିକାଶ ଟ୍ରଷ୍ଟ
୯୮-A, ସୂର୍ଯ୍ୟନଗର
[email protected]

ସମ୍ବନ୍ଧିତ ଖବର