‘ଆପ୍’ ନେତା ଅରବିନ୍ଦ କେଜ୍ରିୱାଲଙ୍କ ମତାନୁସାରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଭଳି ବ୍ୟବସ୍ଥା ଜନପ୍ରତିନିଧିମାନଙ୍କୁ ପାଞ୍ଚ ବର୍ଷ ଲାଗି ନିରଙ୍କୁଶ କରିଦେବା ସହିତ ନାଗରିକମାନଙ୍କୁ ଅସହାୟ କରିଦେଇପାରେ; ବାରମ୍ବାର ନିର୍ବାଚନ ଦ୍ବାରା ହିଁ ଜନପ୍ରତିନିଧିମାନେ େସମାନଙ୍କ ଉତ୍ତରଦାୟିତ୍ବ ଏବଂ ନାଗରିକମାନେ ସେମାନଙ୍କ ମୌଳିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ ରହିବେ! ଏହା ମଧ୍ୟ ସତ ଯେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ସଂଖ୍ୟାଗରିଷ୍ଠତା ଠାରୁ ଦୂରରେ ଥିବା ବିଜେପି ସକାଶେ କଷ୍ଟକର ହୋଇପାରେ! ଏଥି ଲାଗି ସଂବିଧାନର ଅନ୍ତତଃ ପାଞ୍ଚଟି ଧାରାରେ ସଂଶୋଧନ କରାଯିବା ଆବଶ୍ୟକ, ଯାହା ଦୁଇ-ତୃତୀୟାଂଶ ସାଂସଦ ଓ ପଚାଶ ପ୍ରତିଶତ ରାଜ୍ୟଙ୍କ ସ୍ବୀକୃତି ଲୋଡ଼ିବ, ଯାହା ଲାଭ କରିବା ଏହି ସରକାର ଲାଗି କଷ୍ଟକର ହୋଇପାରେ!
ଆଗାମୀ ଦିନଗୁଡ଼ିକରେ ଯେଉଁ ବିଷୟଟି ଏକ ଘମାଘୋଟ ବିତର୍କରେ ପରିଣତ ହେବାକୁ ଯାଉଛି, ତାହା ହେଲା ‘ୱାନ୍ ନେସନ୍, ୱାନ୍ ଇଲେକ୍ସନ୍’ ବା ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଭଳି ଏକ ବ୍ୟବସ୍ଥା, ଯାହାକୁ ବାସ୍ତବାୟିତ କରିବାକୁ ବିଜେପି ନେତୃତ୍ବାଧୀନ ‘ଏନ୍.ଡି.ଏ.’ ସରକାର ଦୃଢ଼ପ୍ରତିଜ୍ଞ ଥିବା ଭଳି ବୋଧ ହୋଇଥାଏ। କହିବା ବାହୁଲ୍ୟ ଯେ ଏହି ସଂଦର୍ଭରେ ରାଜନେତା, ବୁଦ୍ଧିଜୀବୀ ଓ ସମୀକ୍ଷକଙ୍କ ମତାମତ ସ୍ପଷ୍ଟ ରୂପେ ଦ୍ବିଧା ବିଭକ୍ତ ଏବଂ ବିରୋଧୀ ପକ୍ଷ ଏହାକୁ ଏକ ଶ୍ରୁତିମଧୁର ଅଥଚ ଅବାସ୍ତବ ପରିକଳ୍ପନା ଠାରୁ ଆରମ୍ଭ କରି ଅଭିସନ୍ଧିମୂଳକ ପର୍ଯ୍ୟନ୍ତ ବିଭିନ୍ନ ଦୋଷରେ ଆରୋପିତ କରିଥାଆନ୍ତି। ଏଭଳି ସ୍ଥଳେ ଏହି ପ୍ରସଙ୍ଗରେ ଏକ ସମ୍ୟକ୍ ଆଲୋଚନା ଆବଶ୍ୟକ ଭଳି ମନେ ହୋଇଥାଏ।
ଅବଶ୍ୟ, ଏହା ସତ ଯେ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ବିଜେପି ଦେଶର ଶାସନ କ୍ଷମତା ଦଖଲ କରିବା ପରଠାରୁ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ସକାଶେ ଉଚ୍ଚାଟ ଅଧିକ ହୋଇଛି, ଯହିଁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶେଷ ଆଗ୍ରହ ଦୃଷ୍ଟିଗୋଚର ହୋଇଥାଏ। କିନ୍ତୁ, ପ୍ରକୃତରେ ୧୯୮୨ ମସିହା ଠାରୁ ବିଭିନ୍ନ ସରକାରଙ୍କ ଅମଳରେ ଏ ନେଇ ପ୍ରସ୍ତାବମାନ ଶିରୋତ୍ତୋଳନ କରିଛି ଏବଂ କିଛି ଚଞ୍ଚଳତା ସୃଷ୍ଟି କରି ଅବଲୀଳା କ୍ରମେ ସୁପ୍ତ ହୋଇଯାଇଛି। ସୁତରାଂ, ହୃଦ୍ବୋଧ କରି ହୋଇଥାଏ ଯେ ଏଭଳି ଏକ ବ୍ୟବସ୍ଥା ହୁଏତ କାମ୍ୟ, କିନ୍ତୁ କେତେକ ଅସମାହିତ ଜଟିଳତା ହେତୁ ଏହା ଦିବାଲୋକ ଦେଖିବାରୁ ବଂଚିତ ହେଉଛି।
ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସକାଶେ ଯେଉଁ ଯଥାର୍ଥ ତର୍କମାନ ପ୍ରଦାନ କରାଯାଇଥାଏ, ସେଗୁଡ଼ିକ ହେଲା ଯେ ବର୍ଷ ତମାମ ରାଷ୍ଟ୍ରର କୌଣସି ନା କୌଣସି ଅଞ୍ଚଳ କୌଣସି ନା କୌଣସି ନିର୍ବାଚନ (ବିଧାନସଭାରୁ ଆରମ୍ଭ କରି ପଞ୍ଚାୟତ ଏବଂ ପୌରପାଳିକା ପର୍ଯ୍ୟନ୍ତ)ରେ ନିମଜ୍ଜିତ ରହୁଥିବାରୁ ନିତ୍ୟ ନୈମିତ୍ତିକ ସରକାରୀ କାର୍ଯ୍ୟ ନିର୍ବାହରେ ବାଧା ସୃଷ୍ଟି ହେଉଛି; ଆଦର୍ଶ ଆଚରଣ ସଂହିତା କାରଣରୁ କୌଣସି ଉନ୍ନୟନମୂଳକ କାର୍ଯ୍ୟ ସମ୍ବନ୍ଧରେ ନିଷ୍ପତ୍ତି ଗ୍ରହଣରେ ବିଳମ୍ବ ବା ନିର୍ବାଚନ ସୁପରିଚାଳନା ସକାଶେ ଅତିକାୟ ଆୟୋଜନେର ଶାସନ କଳ ନିମଗ୍ନ ରହିବାର ବାଧ୍ୟବାଧକତା ସରକାରୀ କାର୍ଯ୍ୟକୁ ମନ୍ଥର ଓ କେତେକାଂଶରେ ସ୍ଥାଣୁ କରି ପକାଉଛି। କେବଳ ସେତିକି ନୁହେଁ, ଏହି କାରଣରୁ ହେଉଥିବା ବିଶାଳ ବ୍ୟୟ ଭାର ଦେଶର ରାଜକୋଷକୁ ଅତ୍ୟନ୍ତ ଭାରାକ୍ରାନ୍ତ ମଧ୍ୟ କରିଥାଏ। ପ୍ରକାଶ ଥାଉ କି ଇତିମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଦ୍ବାରା ସଂକଳିତ ବିଭିନ୍ନ ପ୍ରସ୍ତାବ ସଂବଳିତ ରିପୋର୍ଟଟିଏର ମଧ୍ୟ ଆବିର୍ଭାବ ଘଟିଛି; ଯଦିଓ, ଏ ଯାବତ୍ ଏହାର ଟିକିନିଖି ଆଲୋଚନା ହୋଇନାହିଁ। ତେବେ ଯେଉଁ କେତେକ ବିଷୟକୁ ନେଇ ଆଲୋଚନାମାନ ଆରମ୍ଭ ହୋଇଛି, ସେଥିରେ ଅନେକ ପ୍ରଶ୍ନ ଅନୁତ୍ତରିତ ହୋଇ ମଧ୍ୟ ରହିଯାଇଥାଏ; ଯେମିତି କି ଯଦି ଶାସନ ଅବଧି ମଧ୍ୟରେ କୌଣସି ରାଜ୍ୟର ସରକାର ଭାଙ୍ଗିଯାଏ, ତେବେ ତାହା ଅବଶିଷ୍ଟ କାଳ ପର୍ଯ୍ୟନ୍ତ ରାଷ୍ଟ୍ରପତି ଶାସନ ଅଧୀନରେ ରହିବ ନା ସେହି ଅବଶିଷ୍ଟ ସମୟ ଲାଗି ଏକ ନିର୍ବାଚନ କରାଯାଇ ସାନି ସରକାର ଗଠନର ଉଦ୍ୟମ ହେବ? ଉଭୟଟି ସମସ୍ୟା ବିଜଡ଼ିତ; କାରଣ ରାଷ୍ଟ୍ରପତି ଶାସନ ଦ୍ବାରା ସମସ୍ୟାର ସମାଧାନ ପନ୍ଥାକୁ ନେଇ ପ୍ରଶ୍ନ ଉଠିପାରେ ଯେ ଯଦି କୌଣସି କାରଣରୁ ଅତି ଶୀଘ୍ର (ଧରି ନିଆଯାଉ ବର୍ଷକ ଭିତରେ!) କୌଣସି ସରକାରର ପତନ ଘଟେ, ତେବେ ସେହି ରାଜ୍ୟ କ’ଣ ପରବର୍ତ୍ତୀ ସାଧାରଣ ନିର୍ବାଚନକୁ ଅପେକ୍ଷା କରି ଏକ ଦୀର୍ଘକାଳୀନ ଜନ ପ୍ରତିନିଧିତ୍ବ-ଶୂନ୍ୟ ସ୍ଥିତିରେ ରହିବ? ସେହିଭଳି ଶାସନ ଅବଧିର ଅନ୍ତ ବେଳକୁ ସରକାର ଭୂଲୁଣ୍ଠିତ ହେଲେ ହୁଏତ ଅବଶିଷ୍ଟ ସ୍ବଳ୍ପ କାଳ ଲାଗି ଅଗତ୍ୟା ନିର୍ବାଚନ ଆୟୋଜନ କରିବାକୁ ପଡ଼ିପାରେ! ଏବଂ ଏହା ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ହେଲା, ଯଦି କେନ୍ଦ୍ରରେ ସରକାର କ୍ଷମତାଚ୍ୟୁତ ହୁଅନ୍ତି, ତେବେ କ’ଣ ସବୁ ରାଜ୍ୟର ବିଧାନସଭାଗୁଡ଼ିକୁ ଭଙ୍ଗ କରି ଏକକାଳୀନ ସାଧାରଣ ନିର୍ବାଚନର ଆୟୋଜନ କରାଯିବ? ଏହି କାରଣରୁ ଅନେକ ବିରୋଧୀ ଏହାକୁ କେବଳ ଏକ ଅବାସ୍ତବ ପରିକଳ୍ପନା ରୂପେ ଅଭିହିତ କରନ୍ତି।
ପ୍ରକାଶ ଥାଉ କି କୋବିନ୍ଦ କମିଟିର ପ୍ରସ୍ତାବାନୁସାରେ ସଂସଦ ଓ ବିଧାନସଭାଗୁଡ଼ିକର ନିର୍ବାଚନ ସମାପ୍ତ ହେବାର ଶହେ ଦିନ ପରେ ପଞ୍ଚାୟତ ଓ ପୌରପାଳିକା ନିର୍ବାଚନର ଆୟୋଜନ କରାଯିବ। ତେବେ, ଏହି ପରିପ୍ରେକ୍ଷୀରେ ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଏସ୍.ଏମ୍. କ୍ୟୁରେସି ଆପଣା ଅନୁଭୂତିରୁ କହିଥାଆନ୍ତି ଯେ ଏଭଳି କଳ୍ପନାତୀତ ଭାବେ ବିଶାଳ ଆୟୋଜନ କରିବା ନିର୍ବାଚନ କମିସନଙ୍କ ସକାଶେ ହୁଏତ ଏକ ଅନତିକ୍ରମ୍ୟ ଆହ୍ବାନ ସୃଷ୍ଟି କରିପାରେ। ଇତିମଧ୍ୟରେ କ୍ୟୁରେସି ମହାଶୟଙ୍କ ସନ୍ଦେହକୁ ସାବ୍ୟସ୍ତ କଲା ଭଳି ଘଟଣା ଘଟି ସାରିଛି, ଯହିଁରେ ଜାମ୍ମୁ କାଶ୍ମୀର, ହରିୟାଣା, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଏକକାଳୀନ ନିର୍ବାଚନ ଆୟୋଜନ କରିବାରେ ଅସାମର୍ଥ୍ୟ କାରଣରୁ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନକୁ ବିଳମ୍ବିତ କରାଯାଇଛି। ଅନେକ ବିରୋଧୀ ଏଭଳି ପ୍ରଶ୍ନ ମଧ୍ୟ କରିଥାଆନ୍ତି ଯେ ‘ଏକ ରାଷ୍ଟ୍ର, ଏକ ପରୀକ୍ଷା’ ଭଳି ଏକ ସାମାନ୍ୟ ଆୟୋଜନରେ ବ୍ୟର୍ଥ ସରକାର କିଭଳି ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ର ତ୍ରୁଟିଶୂନ୍ୟ ସଂପାଦନ ବାବଦରେ ସାହସ ପ୍ରଦର୍ଶନ କରି ପାରୁଛନ୍ତି? ଅବଶ୍ୟ, ଏଥିରେ ଦ୍ବିରୁକ୍ତି ନାହିଁ ଯେ ଗଣତନ୍ତ୍ରକୁ ରାଷ୍ଟ୍ରର ଅନ୍ତିମ ବିନ୍ଦୁରେ ଅବସ୍ଥାନ କରୁଥିବା ଶେଷ ଭୋଟର ନିକଟରେ ପହଞ୍ଚାଇବା ସକାଶେ ନିର୍ବାଚନ କମିସନ ମାନବ ସାମର୍ଥ୍ୟ ଅତିକ୍ରମୀ ଉଦ୍ୟମମାନ କରିଥାଆନ୍ତି, ଯେମିତି କି ଅରୁଣାଚଳ ପ୍ରଦେଶର ପର୍ବତ କୋଳରେ ଥିବା ମାଲଗାଓଁ ଠାରେ ଜଣେ ମାତ୍ର ମହିଳା ଭୋଟରଙ୍କ ସକାଶେ ସ୍ବତନ୍ତ୍ର ବୁଥ୍ ସ୍ଥାପନର ଉଦାହରଣ। କିନ୍ତୁ, କହିବା ଅନାବଶ୍ୟକ ଯେ ସବୁ ସାମର୍ଥ୍ୟର ମଧ୍ୟ ଏକ ସୀମା ରହିଥାଏ!
ଅନେକଙ୍କ ମତରେ ଏହି ବ୍ୟବସ୍ଥା ଦ୍ବାରା ସରକାରୀ ବ୍ୟୟ ହ୍ରାସ ହେବାର ଦାବି ମଧ୍ୟ ପ୍ରଶ୍ନସଂକୁଳ, କାରଣ କୋବିନ୍ଦ କମିଟିରେ ଏ ନେଇ ହିସାବକିତାବ କରିବାର ପ୍ରସ୍ତାବ ଦିଆଯାଇଛି। ଯଦିଓ ‘ନିତି’ ଆୟୋଗର ଏକ ହିସାବ ଅନୁସାରେ ସଂପ୍ରତି ନିର୍ବାଚନ ପରିପ୍ରେକ୍ଷୀରେ ମୁଣ୍ଡପିଛା ଦଶ ଟଙ୍କା ବ୍ୟୟ ହେଉଥିବା ବେଳେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବ୍ୟବସ୍ଥାରେ ତାହା ପାଞ୍ଚ ଟଙ୍କାକୁ ହ୍ରାସ ପାଇବ। କିନ୍ତୁ ଏହାକୁ ବିଶ୍ବାସଯୋଗ୍ୟ କରିବା ଲାଗି କୌଣସି ତଥ୍ୟଗତ ଆଧାରକୁ ସ୍ପଷ୍ଟ କରାଯାଇନାହିଁ।
ପ୍ରକାଶ ଥାଉ କି ୧୯୫୨ ମସିହାରେ ଏକକାଳୀନ ସମସ୍ତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଯେଉଁ ଧାରା ୧୯୬୮ ମସିହା ପର୍ଯ୍ୟନ୍ତ ଅକ୍ଷୁଣ୍ଣ ଥିଲା। ପରବର୍ତ୍ତୀ କାଳରେ ରାଜନୈତିକ ଆବଶ୍ୟକତା, ଚକ୍ରାନ୍ତ ଓ ଅଭିସନ୍ଧି ଆଦି କାରଣରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକର ବାରମ୍ବାର ପତନ ଘଟି ନିର୍ବାଚନଗୁଡ଼ିକୁ ଆଜି ଭଳି ବେତାଳିଆ କରି ପକାଇଛି। ‘ଆପ୍’ ନେତା ଅରବିନ୍ଦ କେଜ୍ରିୱାଲଙ୍କ ମତାନୁସାରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ଭଳି ବ୍ୟବସ୍ଥା ଜନପ୍ରତିନିଧିମାନଙ୍କୁ ପାଞ୍ଚ ବର୍ଷ ଲାଗି ନିରଙ୍କୁଶ କରିଦେବା ସହିତ ନାଗରିକମାନଙ୍କୁ ଅସହାୟ କରିଦେଇପାରେ; ବାରମ୍ବାର ନିର୍ବାଚନ ଦ୍ବାରା ହିଁ ଜନପ୍ରତିନିଧିମାନେ େସମାନଙ୍କ ଉତ୍ତରଦାୟିତ୍ବ ଏବଂ ନାଗରିକମାନେ ସେମାନଙ୍କ ମୌଳିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ ରହିବେ! ଏହା ମଧ୍ୟ ସତ ଯେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ସଂଖ୍ୟାଗରିଷ୍ଠତା ଠାରୁ ଦୂରରେ ଥିବା ବିଜେପି ସକାଶେ କଷ୍ଟକର ହୋଇପାରେ! ଏଥି ଲାଗି ସଂବିଧାନର ଅନ୍ତତଃ ପାଞ୍ଚଟି ଧାରାରେ ସଂଶୋଧନ କରାଯିବା ଆବଶ୍ୟକ, ଯାହା ଦୁଇ-ତୃତୀୟାଂଶ ସାଂସଦ ଓ ପଚାଶ ପ୍ରତିଶତ ରାଜ୍ୟଙ୍କ ସ୍ବୀକୃତି ଲୋଡ଼ିବ, ଯାହା ଲାଭ କରିବା ଏହି ସରକାର ଲାଗି କଷ୍ଟକର ହୋଇପାରେ! କେବଳ ସେତିକି ନୁହେଁ, ଏହାକୁ ନେଇ ଅଦାଲତୀ ମାମଲାମାନ ମଧ୍ୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ସୁତରାଂ, ଅନୁମାନ କରାଯାଇଥାଏ ଯେ ଏହା କେବଳ ତୁମୂଳ ବିତର୍କ ସୃଷ୍ଟି କରିବ ଏବଂ ବିଷୟଟି ହୁଏତ ଏକ କାମ୍ୟ ଅଥଚ ଅବାସ୍ତବ ପରିକଳ୍ପନା ହୋଇ ରହିଯିବ!