ଆମରି କଥା: ଇତିହାସର ପୁନରାବୃତ୍ତି ନ ହେଉ

ନାରାୟଣ ମିଶ୍ର

ଆସନ୍ତୁ, ସ୍ବାଧୀନତା ପରବର୍ତ୍ତୀ ଭାରତର ଇତିହାସରୁ ଆଜି କିଛି ପୃଷ୍ଠା ଓଲଟେଇବା। ଆମ ସମ୍ବିଧାନର ପ୍ରଣେତା ଡକ୍ଟର ବି.ଆର.ଆମ୍ବେଦକର ଥରେ କହିଥିଲେ- ‘ଧର୍ମରେ ଭକ୍ତି, ଆତ୍ମାକୁ ମୋକ୍ଷ ଆଡ଼କୁ ନିଏ; କିନ୍ତୁ ରାଜନୀତିରେ ଭକ୍ତି ବା ବ୍ୟକ୍ତି ପୂଜା ଏକଛତ୍ରବାଦୀ ଶାସନର ବାଟ ପରିଷ୍କାର କରିଦିଏ।’ ୧୯୬୯ ମସିହାରେ ୧୪ଟି ବ୍ୟାଙ୍କ୍‌ର ଜାତୀୟକରଣ ଓ ତା’ ପର ବର୍ଷ ରାଜା ମହାରାଜାଙ୍କ ହାତ ପାଣ୍ଠି ଉଚ୍ଛେଦ କରି ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସାରା ବିଶ୍ବରେ ଦକ୍ଷ ଓ ସାହସୀ ମହିଳା ପ୍ରଧାନମନ୍ତ୍ରୀ ଭାବେ ବିଖ୍ୟାତ ହୋଇଗଲେ। ୧୯୭୧ ସାଧାରଣ ନିର୍ବାଚନରେ ୫୧୮ ଲୋକସଭା ଆସନରୁ ୩୫୨ଟିରେ ଜିତିବା ସହ ସେଇ ବର୍ଷ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତକୁ ଜିତାଇ ତା’ ସହ ପୂର୍ବ ପାକିସ୍ତାନକୁ ପାକିସ୍ତାନରୁ ଅଲଗା କରି ‘ବାଲା˚ଦେଶ’ ସୃଷ୍ଟି କରି ଇନ୍ଦିରା ଗାନ୍ଧୀ ଆହୁରି ଅଧିକ ବିଖ୍ୟାତ ହୋଇଗଲେ। କିନ୍ତୁ ୧୯୭୧ ନିର୍ବାଚନରେ ଇନ୍ଦିରା ଗାନ୍ଧୀ ସରକାରୀ କଳର ଅପବ୍ୟବହାର କରି ଜିତିଛନ୍ତି ବୋଲି ଅଭିଯୋଗ କରି ହାରିଥିବା ପ୍ରାର୍ଥୀ ସମାଜବାଦୀ ନେତା ରାଜନାରାୟଣ ପ୍ରସିଦ୍ଧ ଓକିଲ ଶାନ୍ତିଭୂଷଣଙ୍କ ମାଧୢମରେ ଆଲ୍ଲାହାବାଦ ହାଇକୋର୍ଟରେ ଏକ ମୋକଦ୍ଦମା ଦାୟର କଲେ। ହାରିଯିବା ଭୟରେ ଇନ୍ଦିରା ଗାନ୍ଧୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସିଦ୍ଧାର୍ଥଶଙ୍କର ରାୟଙ୍କ ଭାଇ ନ୍ୟାୟମୂର୍ତ୍ତି ଏ.ଏନ୍‌. ରାୟଙ୍କୁ ତିନିଜଣ ବରିଷ୍ଠ ବିଚାରପତିଙ୍କୁ ଅଣଦେଖା କରି ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଦେଲେ। ୧୯୭୨ରୁ ୧୯୭୪ ମଧୢରେ ଇନ୍ଦିରା ଗାନ୍ଧୀ ଓ ତାଙ୍କ ପୁଅ ସଞ୍ଜୟ ଗାନ୍ଧୀ ଅନେକ ଜନ ବିରୋଧୀ କାର୍ଯ୍ୟ କରି ଆଇନ ଓ ନ୍ୟାୟାଳୟକୁ ବେଖାତିର କରି ଚାଲିଲେ। ଏହାର ପ୍ରତିବାଦ କରୁଥିବା ସର୍ବସାଧାରଣଙ୍କ ନେତା ଜୟପ୍ରକାଶ ନାରାୟଣ ଓ ଜର୍ଜ ଫର୍ଣ୍ଣାଡିସ୍‌ଙ୍କ ସହ ସାରା ଦେଶରେ ପ୍ରାୟ କୋଡ଼ିଏ ହଜାର ଲୋକଙ୍କୁ ଗିରଫ କରାଗଲା। ୧୯୭୫ ମସିହା ଜୁନ୍‌ ୧୨ ତାରିଖ ଦିନ ଆଲ୍ଲାହାବାଦ ହାଇକୋର୍ଟ ଇନ୍ଦିରା ଗାନ୍ଧୀଙ୍କ ରାଏବରେଲୀ ଆସନରୁ ଜିତିବାକୁ ଅସିଦ୍ଧ ଘୋଷଣା କଲେ। ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ସୁପ୍ରିମ୍‌ କୋର୍ଟ ଯିବାକୁ କୋଡ଼ିଏ ଦିନ ସମୟ ଦିଆଯାଇଥିଲା। ଗ୍ରୀଷ୍ମକାଳୀନ ଛୁଟି ଥିବାରୁ ଶ୍ରୀମତୀ ଗାନ୍ଧୀ ଏହି ରାୟ ବିରୋଧରେ ସୁପ୍ରିମ୍‌ କୋର୍ଟ ନ୍ୟାୟମୂର୍ତ୍ତି ଭି.ଆର. କୃଷ୍ଣାଆୟାରଙ୍କ ଇଜଲାସ୍‌ରେ ଆବେଦନ କଲେ। କିନ୍ତୁ ଜଷ୍ଟିସ୍‌ ଆୟାର ଏକ ସର୍ତ୍ତମୂଳକ ଆଶ୍ବାସନା ଦେଲେ ଯେ ସେ ପ୍ରଧାନମନ୍ତ୍ରୀ ପଦରେ ରହି ପାରିବେ। କିନ୍ତୁ ସୁପ୍ରିମ୍‌ କୋର୍ଟର ପୂର୍ଣ୍ଣ ବେଞ୍ଚ ଶୁଣାଣି ନ ସରିବା ପର୍ଯ୍ୟନ୍ତ ସେ (ଇନ୍ଦିରା ଗାନ୍ଧୀ) ଲୋକସଭାରେ ଭୋଟ୍‌ ଦେଇପାରିବେ ନାହିଁ। ଏ ସବୁ ଦେଖି ନିଜର ଚୌକି, ପ୍ରତିଷ୍ଠା ଓ ଭାବମୂର୍ତ୍ତିର ସୁରକ୍ଷା ପାଇଁ ଆଜକୁ ୪୬ ବର୍ଷ ତଳେ ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ୍‌ ୨୫ ତାରିଖ ଦିନ ରାତି ଅଧରେ ରାଷ୍ଟ୍ରପତି ଫକୀରୁଦ୍ଦିନ୍‌ ଅଲ୍ଲୀ ଅହମ୍ମଦଙ୍କୁ ଏମରଜେନ୍‌ସି ଘୋଷଣା ପାଇଁ କହିଲେ। କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ନ ହୋଇଥିଲେ ବି ରାଷ୍ଟ୍ରପତି ଆଭ୍ୟନ୍ତରୀଣ ସୁରକ୍ଷା ଆଳରେ ଏମରଜେନ୍‌ସି ବା ଆପଦକାଳୀନ ସ୍ଥିତି ଘୋଷଣାକୁ ଅନୁମୋଦନ କରି ଦେଲେ।

ତା’ ପରେ ପରେ ଇନ୍ଦିରା ଗାନ୍ଧୀ, ତାଙ୍କ ପୁଅ ସଞ୍ଜୟ ଗାନ୍ଧୀ, ଆର‌୍‌.କେ. ଧାଵନ, ବ˚ଶୀଲାଲ, ଓମ୍‌ ମେହେଟ୍ଟା ଇତ୍ୟାଦି ସାରା ଦେଶରେ ଏକଛତ୍ରବାଦୀ ଶାସନ ଚଳାଇଲେ। ସମ୍ବିଧାନର ଧାରା ୧୯କୁ ବାତିଲ କରି ଦିଆଗଲା। ବାକ୍‌ ସ୍ବାଧୀନତା, ଲେଖିବାର ସ୍ବାଧୀନତା, ଛପାଇବାର ସ୍ବାଧୀନତା, ଏକାଠି ବସି ଆଲୋଚନା କରିବାର ସ୍ବାଧୀନତା ସହ ସଭାସମିତି କରିବା ଏପରିକି ସରକାରଙ୍କ ଅନୁମୋଦନ ବିନା ଜମିବାଡ଼ି କିଣାବିକା ଉପରେ ବି ପ୍ରତିବନ୍ଧ ଲାଗିଗଲା। ନିଜର ଅଧିକାର ସାବ୍ୟସ୍ତ କରିବାକୁ କେହି କୋର୍ଟର ଆଶ୍ରୟ ନେବାକୁ ଦରଖାସ୍ତ କଲେ ସେ ସବୁ କୋର୍ଟରେ ଗ୍ରହଣୀୟ ହେବ ନାହିଁ ବୋଲି ନିୟମ କରାଗଲା। ପ୍ରାୟ ୨୫୦ ଜଣ ପ୍ରଖ୍ୟାତ ସାମ୍ବାଦିକ ଓ ପତ୍ରପତ୍ରିକା ସ˚ପାଦକଙ୍କୁ ଜେଲ୍‌ରେ ଭର୍ତ୍ତି କରି ଦିଆଗଲା। ଅନେକ ବିଦେଶୀ ସାମ୍ବାଦିକଙ୍କ ଠାରୁ ସ୍ବୀକୃତି ପ୍ରତ୍ୟାହାର କରି ନିଆଗଲା। ସମସ୍ତ ଖବରକାଗଜ ଅଫିସ୍‌ରେ ସରକାର ତାଙ୍କ ଲୋକ ଜଗାଇ ସରକାରଙ୍କ ବିରୋଧରେ ପଦୁଟିଏ ବି ପ୍ରକାଶ କରେଇ ଦେଲେ ନାହିଁ। ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଅନ୍ୟାୟ ବିରୋଧରେ ଏକ ଖୋଲା ଚିଠି ଲେଖି ପ୍ରଖ୍ୟାତ ସାମ୍ବାଦିକ କୁଳଦୀପ ନାୟାର ଜେଲ୍‌ ଗଲେ। ଜୟପ୍ରକାଶ ନାରାୟଣଙ୍କ ସହ ରାଜନାରାୟଣ, ଜର୍ଜ ଫର୍ଣ୍ଣାଡିସ୍‌, ନାନାଜୀ ଦେଶମୁଖ, ଶାନ୍ତିଭୂଷଣ, ମୋରାର‌୍‌ଜୀ ଦେଶାଇ, ଅଟଳ ବିହାରୀ ବାଜପେୟୀ, ଏଲ୍‌.କେ.ଆଡ୍‌ଭାନୀ ଇତ୍ୟାଦି ଜେଲ୍‌ ଗଲେ। କିନ୍ତୁ ପ୍ରତିରୋଧ ଓ ପ୍ରତିବାଦ କମିଲା ନାହିଁ। ଇନ୍ଦିରା ଗାନ୍ଧୀଙ୍କ ବି˚ଶସୂତ୍ରୀ ଓ ସଞ୍ଜୟ ଗାନ୍ଧୀଙ୍କ ପାଞ୍ଚସୂତ୍ରୀ କାର୍ଯ୍ୟକ୍ରମ ଆଳରେ ଅନେକ ଯୁବକ ଓ ପ୍ରୌଢ଼ଙ୍କର ଜବରଦସ୍ତି ଅସ୍ତ୍ରୋପଚାର କରି ପରିବାର ନିୟନ୍ତ୍ରଣର ଜୟଗାନ ଚାଲିଲା। ପ୍ରସିଦ୍ଧ ଗାୟକ କିଶୋର କୁମାର ଇନ୍ଦିରା ଗାନ୍ଧୀଙ୍କ ବି˚ଶସୂତ୍ରୀ କାର୍ଯ୍ୟକ୍ରମକୁ ପ୍ରଶ˚ସା କରି ଗୀତ ବୋଲିବାକୁ ମନା କରି ଦେବାରୁ ତତ୍‌କାଳୀନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭି.ସି.ଶୁକ୍ଳା ରେଡିଓ ଓ ଟି.ଭିରେ କିଶୋର କୁମାରଙ୍କ ଗୀତ ପ୍ରଚାର ହୋଇପାରିବ ନାହିଁ ବୋଲି ଲିଖିତ ସରକାରୀ ନିର୍ଦ୍ଦେଶ ଦେଇ ଦେଲେ। ସରକାରଙ୍କ ବିରୋଧରେ ମୁହଁ ଖୋଲିଲେ ରାତିଅଧିଆ ଗିରଫ କରି ଅକଥନୀୟ ଅତ୍ୟାଚାରର କ୍ଷମତା ପୁଲିସ୍‌ ପାଇଗଲା। ଏ ସମସ୍ତ ଅନ୍ୟାୟ କାର୍ଯ୍ୟର ଏକମାତ୍ର କାରଣ ଦର୍ଶାଇ ଦିଆଯାଉଥିଲା ଯେ ସରକାର ଆଭ୍ୟନ୍ତରୀଣ ସୁରକ୍ଷା ଆଇନ (Maintenance of Internal Security Act- ‘MISA’)ର ଉପଯୋଗ ହିଁ କରୁଛନ୍ତି। ଅବସ୍ଥା ଏପରି ସ୍ତରକୁ ଆସିଗଲା ଯେ କୁଳଦୀପ ନାୟାରଙ୍କୁ ଗିରଫ କରିବା ଅନ୍ୟାୟ ବୋଲି ଦର୍ଶାଇଥିବା ନ୍ୟାୟମୂର୍ତ୍ତି ରଙ୍ଗରାଜନ୍‌ଙ୍କୁ ସିକିମ ହାଇକୋର୍ଟକୁ ସ୍ଥାନାନ୍ତର କରି ଦିଆଗଲା ଓ ଅନ୍ୟ ଜଣେ ନ୍ୟାୟମୂର୍ତ୍ତି ଆର‌୍‌.ଏନ୍‌.ଅଗ୍ରଵାଲଙ୍କୁ ତଳକୁ ଖସାଇ ଅଧସ୍ତନ କୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଗଲା।

୧୯୭୭ ମାର୍ଚ୍ଚ ୨୧ରେ ଏମରଜେନ୍‌ସି ଉଠାଇ ଦେବା ପରେ ୧୯୭୭ ନିର୍ବାଚନରେ କ˚ଗ୍ରେସ ୫୪୨ ଆସନରୁ ମାତ୍ର ୧୫୪ଟି ଆସନ ପାଇଲା ଓ ବିରୋଧୀ ଦଳରେ ପରିଣତ ହେଲା। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ସମୟରେ ଏମର‌୍‌ଜେନ୍‌ସି ଅତ୍ୟାଚାରର ତଦନ୍ତ କରିବାକୁ ବସାଯାଇଥିବା ଶାହ କମିସନ ୪୮,୫୦୦ କେସ୍‌ ବିଚାର କରି ଶହେ ଥର ବସି ୫୯୦ ଜଣ ସାକ୍ଷୀଙ୍କୁ ଜେରା କଲେ; କିନ୍ତୁ ତାଙ୍କ ତଦନ୍ତ କମିସନ ରିପୋର୍ଟକୁ ପରବର୍ତ୍ତୀ କାଳରେ ଇନ୍ଦିରା ଗାନ୍ଧୀ ଡଷ୍ଟବିନ୍‌କୁ ଫୋପାଡ଼ି ଦେଲେ।
ଏବେ ଆସନ୍ତୁ ଏ ଇତିହାସ ଆଲୋଚନାର କାରଣକୁ ଯିବା। ଏବକା ବିଜେପି ଦଳ ୨୦୧୪ ଓ ୨୦୧୯ରେ ପୂର୍ଣ୍ଣ ସ˚ଖ୍ୟାଗରିଷ୍ଠତା ହାସଲ କରି କେନ୍ଦ୍ରରେ ସରକାର ଗଠନ କରିଛନ୍ତି। କିଛି ଭଲ, ଗଠନମୂଳକ କାର୍ଯ୍ୟ ଯେ କରୁନାହାନ୍ତି, ତା’ ନୁହେଁ; କିନ୍ତୁ ଯେଉଁ ନିଷ୍ପତ୍ତି କେବଳ କୋଟିପତିମାନଙ୍କୁ ସୁହାଉଛି, ସେଭଳି ନିଷ୍ପତ୍ତି ବାରମ୍ବାର ନେବା ଆରମ୍ଭ ହୋଇଗଲାଣି। କେବଳ ସେତିକି ନୁହେଁ, ସରକାରୀ ସ˚ସ୍ଥାଗୁଡ଼ିକୁ ପ୍ରାଇଭେଟ୍‌ ସ˚ସ୍ଥା ହାତରେ ଟେକିଦେବା ବା ବିକ୍ରି କରିଦେବା ନିଷ୍ପତ୍ତି ନେଉଛନ୍ତି, ଯାହା କୌଣସି ପ୍ରକାରେ ଜନସାଧାରଣଙ୍କ ସ୍ବାର୍ଥରେ ନୁହେଁ। ପ୍ରଧାନମନ୍ତ୍ରୀ ବା ସରକାରଙ୍କ ବିରୋଧରେ କିଛି ମନ୍ତବ୍ୟ ଦେଲେ ‘ଦେଶଦ୍ରୋହୀ’ର ଆଖ୍ୟା ଦେଇ ବ୍ୟକ୍ତିବିଶେଷଙ୍କୁ ଗିରଫ କରିବା ସମ୍ବିଧାନ ସମ୍ମତ ନୁହେଁ ବୋଲି ସୁପ୍ରିମ୍‌ କୋର୍ଟ ଏ ସରକାରଙ୍କୁ ତାଗିଦ୍‌ ବି କରିସାରିଲେଣି। ତା’ଛଡ଼ା ନିଜ ଦଳର ପ୍ରାଦେଶିକ ସରକାର ଓ ଅନ୍ୟ ଦଳର ପ୍ରାଦେଶିକ ସରକାରଙ୍କୁ ସମାନ ଚକ୍ଷୁରେ ଦେଖାଯାଉନାହିଁ, ଯାହା ଏକ ଶୁଭ ଲକ୍ଷଣ ନୁହେଁ। ଏବେ ଆହୁରି ତିନିବର୍ଷ ବାକି ଅଛି; ଈଶ୍ବରଙ୍କୁ ଏତିକି ପ୍ରାର୍ଥନା, ସମ୍ବିଧାନକୁ ସ˚ଶୋଧନ କରିବା ଓ ପୁଣି ଥରେ ଆପଦକାଳୀନ ସ୍ଥିତି ଜାରି କରିବା ଭଳି ସ୍ଥିତି ନ ଆସୁ। ୧୯୭୫ ମସିହାର କଳଙ୍କମୟ ଇତିହାସର ପୁନରାବୃତ୍ତି ନ ହେଉ!
[email protected]

ସମ୍ବନ୍ଧିତ ଖବର