ସତର୍କ ସନ୍ଧି

ଚୀନା କରୋନାଜନିତ କୋଭିଡ୍-୧୯ ଏବେ ହେଉଛି ଏକ ‘ପାଣ୍ଡେମିକ୍’ ନା ‘ଏଣ୍ଡେମିକ୍’? କେହି କେହି ସ୍ବାସ୍ଥ୍ୟ ବିଶେଷଜ୍ଞ ଏବେ ଏକମତ ପ୍ରକାଶ କରିବା ଦେଖାଗଲାଣି ଯେ କୋଭିଡ୍-୧୯ ଆଉ ଏକ ପାଣ୍ଡେମିକ୍ ହୋଇ ନ ରହି ଏଣ୍ଡେମିକ୍‌କୁ ରୂପାନ୍ତରିତ ହେବା ସମୟ ଆସନ୍ନ ହେଲାଣି।

ସୂଚନାଯୋଗ୍ୟ, କୋଭିଡ୍-୧୯ ମାନବ ସମାଜକୁ ଆକ୍ରାନ୍ତ କରୁଥିବା ଏକମାତ୍ର ଭୂତାଣୁଜନିତ ବ୍ୟାଧି ନୁହେଁ। ସାଧାରଣ ସର୍ଦ୍ଦି, ଫ୍ଲୁ କିମ୍ବା ଶରୀରର ବିଭିନ୍ନ ସ୍ଥାନରେ ଆବିର୍ଭୂତ ହେଉଥିବା ଭାତୁଡ଼ି ଠାରୁ ଆରମ୍ଭ କରି ଏଡ୍‌ସ, ଇବୋଲା କିମ୍ବା ନିପା ଭାଇରସ୍‌ଜନିତ ମସ୍ତିଷ୍କ ପ୍ରଦାହ ଆଦି ପର୍ଯ୍ୟନ୍ତ ଅନେକ ଗୁରୁତର ବ୍ୟାଧିମାନ କୌଣସି ନା କୌଣସି ଭାଇରସ୍ ବା ଭୂତାଣୁ ଦ୍ବାରା ହିଁ ସୃଷ୍ଟି ହୋଇଥାଏ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (‘ହୁ’) ଅନୁସାରେ ମନୁଷ୍ୟ ଠାରେ ରୋଗ ସୃଷ୍ଟି କରୁଥିବା ଏହି ସମସ୍ତ ଭୂତାଣୁମାନଙ୍କ ମଧ୍ୟରୁ ମନୁଷ୍ୟ ଏ ପର୍ଯ୍ୟନ୍ତ କେବଳ ଗୋଟିଏ ମାତ୍ର ଭୂତାଣୁର ବିଲୋପ ସାଧନ କରିବାରେ ସଫଳ ହୋଇ ପାରିଛି: ବସନ୍ତ ରୋଗ ସୃଷ୍ଟି କରୁଥିବା ଭୂତାଣୁ। ଏକଦା ପାଣ୍ଡେମିକ୍ ସୃଷ୍ଟି କରିଥିବା ଅନ୍ୟ ଭୂତାଣୁମାନେ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ନ ହୋଇ କ୍ରମେ ‘ଏଣ୍ଡେମିକ୍’ ହୋଇଯିବା ଦେଖା ଯାଇଥାଏ- ଅର୍ଥାତ୍ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଜୀବନର ଅଂଶ ପାଲଟିଯାଏ। ‌ଏଣ୍ଡେମିକ୍ ହୋଇଯାଇଥିବା ଭୂତାଣୁମାନଙ୍କର ନିୟମିତ ଭାବରେ ପ୍ରସାର ଘଟିଥାଏ ଏବଂ ସେଥିଯୋଗୁଁ ରୋଗ ସୃଷ୍ଟି ହୋଇଥାଏ ଏବଂ କେବେ କେବେ କେତେକ ଆକ୍ରାନ୍ତମାନେ ମଧ୍ୟ ମୃତ୍ୟୁମୁଖରେ ପଡ଼ିଥା’ନ୍ତି ସତ, ସେମାନେ କିନ୍ତୁ କେବେ ହେଲେ ସମାଜର ଜୀବନ ଯାତ୍ରାକୁ ଏପରି ସମ୍ପୂର୍ଣ୍ଣ ଅଚଳ କରିଦିଅନ୍ତି ନାହିଁ, ଯେପରି ସାରା ପୃଥିବୀରେ କୋଭିଡ୍-୧୯ର ଭୂତାଣୁ ‘ସାର୍‌ସ-କୋଭ୍-2’ କରିବା ଦେଖାଯାଇଛି।

କେତେକ ବିଶେଷଜ୍ଞ ଏବେ ବିଶ୍ବାସ କରିବାକୁ ଆରମ୍ଭ କଲେଣି ଯେ ଏହି ଭୟଙ୍କର ଭୂତାଣୁ ଏଥର ଅତୀତର ଅନ୍ୟ ଭୂତାଣୁମାନଙ୍କର ପଦାଙ୍କ ଅନୁସରଣ କରି ଏଣ୍ଡେମିକ୍‌ରେ ପରିଣତ ହେବାର ସମୟ ଆସନ୍ନ। ଏଭଳି ଚିନ୍ତାଧାରାର ଅସଲ ତାତ୍ପର୍ଯ୍ୟ ହେଲା ଏହା ଯେ ପୃଥିବୀ ଭବିଷ୍ୟତ୍‌ରେ କେବେ ହେଲେ ସେଇଭଳି ସମ୍ପୂର୍ଣ୍ଣ କୋଭିଡ୍-୧୯-ଶୂନ୍ୟ ହେବାର ସମ୍ଭାବନା ନାହିଁ, ଯେଉଁଭଳି ବସନ୍ତ-ଶୂନ୍ୟ ହୋଇ ଯାଇଛି। ଏମାନଙ୍କ ମତରେ ଆମେ ବରଂ ସେତିକି ବେଳେ କୋଭିଡ୍-୧୯ର ଅନ୍ତ ଘଟିଲା ବୋଲି ବିଚାର କରିବା ଠିକ୍ ହେବ ଯେତେବେଳେ କୋଭିଡ୍-୧୯ ଦ୍ବାରା ଆକ୍ରାନ୍ତଙ୍କ ଅବସ୍ଥା ସେଇଭଳି ହେବ, ଯେଉଁଭଳି ଭୀଷଣ ସର୍ଦ୍ଦି ଦ୍ବାରା ଆକ୍ରାନ୍ତଙ୍କ ଅବସ୍ଥା ହୋଇଥାଏ- ତା’ଠାରୁ ଅଧିକ ଖରାପ ନୁହେଁ। ଏଇଭଳି ଅବସ୍ଥା ସମ୍ଭବ ହେବ ଯେତେବେଳେ ଏକ ଜନସଂଖ୍ୟାରେ ବ୍ୟାପକ ରୂପେ ରୋଗ ପ୍ରତିରୋଧିନୀ ଶକ୍ତି ଉପସ୍ଥିତ ହେବା ଦେଖାଯିବ।

ଅନ୍ୟ କେତେକ ବିଶେଷଜ୍ଞମାନଙ୍କ ବିଚାରରେ କିନ୍ତୁ ବର୍ତ୍ତମାନ ବେଳରେ ଏପରି ଚିନ୍ତାଧାରାର ପ୍ରସାର ଘଟାଇବା ଅପରିପକ୍ବ ତଥା ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। କୋଭିଡ୍-୧୯ ଏଣ୍ଡେମିକ୍ ହେବାକୁ ଯାଉଛି ବୋଲି ଘୋଷଣା କରିବା ଦ୍ବାରା ଯେଉଁ ଧାରଣା ସୃଷ୍ଟି ହେବ, ତାହା ହେଲା- ଏହି ଭୂତାଣୁ ଏଥି ପୂର୍ବରୁ ବିଶ୍ବାସ କରାଯାଉଥିବା ଭଳି ଏକ ଅସ୍ଥାୟୀ ଅତିଥି ନୁହେଁ, ଏହା ବର୍ତ୍ତମାନ ମାନବ ପରିବାରର ଏକ ସ୍ଥାୟୀ ସଦସ୍ୟରେ ପରିଣତ ହେବାକୁ ଯାଉଛି। ଏଣୁ ‘ସାର୍‌ସ-କୋଭ୍-2’ ସହିତ ଆଉ ଯୁଦ୍ଧ ନ କରି ତା’ ସହିତ ସନ୍ଧି କରି ତା’ ସାଙ୍ଗରେ ଏକତ୍ର ବାସ କରିବା ବରଂ ଶ୍ରେୟସ୍କର। ଯେଉଁଭଳି ଆମେ ସାଧାରଣ ଫ୍ଲୁ ସହିତ ଏକତ୍ର ବାସ କରୁଛୁ, ସେଇ ଭଳି। ଯଦି ତରବର ହୋଇ ଚୀନା କରୋନା ସହିତ ଏଭଳି ସନ୍ଧି ଚୁକ୍ତି ସ୍ବାକ୍ଷର କରି ଦେଇ ଜନସାଧାରଣ ପୁଣି ପୂର୍ବର ସ୍ବାଭାବିକ ଜୀବନ ଯାତ୍ରା ଆରମ୍ଭ କରି ଦିଅନ୍ତି, ତା’ହେଲେ ପରିଣତି କେବଳ ଯେ ବିଷମୟ ହୋଇପାରେ ତାହା ନୁହେଁ, ଘୋର ଅନ୍ୟାୟ ମଧ୍ୟ ଆଚରିତ ହେବ। ଜନସଂଖ୍ୟାରେ ପ୍ରତିରୋଧିନୀ ଶକ୍ତିର ବ୍ୟାପକ ଉପସ୍ଥିତି ଯଦି କୋଭିଡ୍-୧୯ ସହିତ ସନ୍ଧି ସ୍ବାକ୍ଷରରେ ପୂର୍ବ-ଆବଶ୍ୟକତା ହୁଏ, ତେବେ ବର୍ତ୍ତମାନ ଯେ ସେଇ ଆଦର୍ଶ ପରିସ୍ଥିତି ଉପଲବ୍‌ଧ ହୋଇନାହିଁ, ତାହା ସ୍ବୀକାର କରିବାକୁ ହେବ। ପ୍ରତିରୋଧିନୀ ଶକ୍ତି ସୃଷ୍ଟି ହେବାର ବାଟ ହେଉଛି ମାତ୍ର ଦୁଇଟି: କୋଭିଡ୍ ଦ୍ବାରା ଆକ୍ରାନ୍ତ ହୋଇ ଜୀବିତ ରହିବା, କିମ୍ବା ଟିକା ଗ୍ରହଣ କରିବା। ସୂଚନାଯୋଗ୍ୟ ଅଳ୍ପ କେତୋଟି ଉନ୍ନତ ଦେଶ ସେମାନଙ୍କର ଜନସଂଖ୍ୟାର ପ୍ରାୟ ଅର୍ଧେକଙ୍କୁ ଟିକାଦାନ କରି ସାରିଥିବା ବେଳେ ଆଫ୍ରିକାର ଅଧିକାଂଶ ଦେଶରେ ଜନସଂଖ୍ୟାର ପାଞ୍ଚ ଶତାଂଶ ମଧ୍ୟ ଟିକା ପାଇ ପାରି ନାହାନ୍ତି। ଯେମିତି ଚୀନ୍‌ରୁ ଭୂତାଣୁ ବାହାରି ସାରା ପୃଥିବୀକୁ ଗ୍ରାସ କରି ପକାଇଛି, ସେଇ ଭଳି ପୃଥିବୀର ଯେ କୌଣସି ଅଞ୍ଚଳରେ ସତର୍କତା ଶିଥିଳ ହେବା ଯୋଗୁଁ ଯଦି କୋଭିଡ୍ ପୁଣି ମୁଣ୍ଡ ଟେକେ, ଟିକାଦାନରୁ ବଞ୍ଚିତ ଅଞ୍ଚଳମାନଙ୍କରେ ମାଡ଼ି ଯାଇ ତାହା ଘୋର ବିପର୍ଯ୍ୟୟ ସୃଷ୍ଟି କରିବ। ଅନ୍ୟ ଏକ ଚିନ୍ତାର ବିଷୟ ହେଲା, ୧୨ରୁ କମ୍‌ ବୟସର ପିଲାମାନଙ୍କ ପାଇଁ କୌଣସି ଟିକା ଏ ପର୍ଯ୍ୟନ୍ତ ଅନୁମୋଦନ ଲାଭ କରିନାହିଁ, ଟିକାକରଣ ଦୂରେ ଥାଉ। ଏଇ ସମୟରେ ଯଦି କୋଭିଡ୍‌ ସହିତ ଶାନ୍ତି ଚୁକ୍ତି ସ୍ବାକ୍ଷର କରିଦିଆଯାଏ, ତେବେ ଏହି ପିଲାମାନଙ୍କୁ ବିପଦ ମୁହଁକୁ ଠେଲି ଦିଆଯିବ।

ସନ୍ଧି ଅର୍ଥ ସ୍ବାଭାବିକ ଜୀବନ ଯାତ୍ରା, ଯାହା ସମସ୍ତ କୋଭିଡ୍ କଟକଣା ମୁକ୍ତ। ଏହା କାହାକୁ ଅଛପା ନାହିଁ ଯେ ମୂଳ କୋଭିଡ୍ ଭୂତାଣୁ ବର୍ତ୍ତମାନ ରୂପ ପରିବର୍ତ୍ତନ କରିବାରେ ଲାଗିଛି ଏବଂ ମନୁଷ୍ୟ ଶରୀରରେ ସେ ଯେତେ ଅଧିକ ସମୟ ଆଶ୍ରୟ ପାଇବ, ରୂପ ପରିବର୍ତ୍ତନ କରିବା ତା’ ପାଇଁ ସେତେ ଅଧିକ ସହଜ ହେବ। କହିବା ବାହୁଲ୍ୟ, ଏକ କଟକଣାମୁକ୍ତ ସମାଜରେ ତେଣୁ ରୂପାନ୍ତର ପାଇଁ ଭୂତାଣୁକୁ ଅଧିକ ସୁଯୋଗ ମିଳିଥାଏ। ବିପଦର କଥା, ପ୍ରଚଳିତ ଟିକା ରୂପାନ୍ତରିତ ଭୂତାଣୁ ଠାରେ କାଟୁ କରି ନ ଥାଏ। ଏଥିରୁ ଯାହା ମନେହୁଏ, ଜନସଂଖ୍ୟାର ପାଖାପାଖି ସମ୍ପୂର୍ଣ୍ଣ ଟିକାକରଣ ସମ୍ପନ୍ନ ନ ହେବା ପର୍ଯ୍ୟନ୍ତ ‘ପାଣ୍ଡେମିକ୍’ ‘ଏଣ୍ଡେମିକ୍’ରେ ପରିଣତ ହେଲାଣି ବୋଲି ବିଶ୍ବାସ କରି କୋଭିଡ୍-୧୯ ସହିତ ଶାନ୍ତି ଚୁକ୍ତି ସ୍ଥାପନ ନିମିତ୍ତ ହାତରେ ଧଳାପତାକା ଧରି ବାହାରି ପଡ଼ିବା ଉଚିତ ନୁହେଁ।

ଭାରତ ଭଳି ବିଶାଳ ଜନସଂଖ୍ୟା‌ ବିଶିଷ୍ଟ ଦେଶରେ ଏହି ପରିପ୍ରେକ୍ଷୀରେ ଗତ ଜାନୁଆରିରେ ଟିକାକରଣ ଅଭିଯାନ ଆରମ୍ଭ ହେବା ପର ଠାରୁ ବର୍ତ୍ତମାନ ମଧ୍ୟରେ ଟିକା ନେବା ପାଇଁ ଯୋଗ୍ୟ ବିବେଚିତ ଦେଶର ପ୍ରାପ୍ତବୟସ୍କମାନଙ୍କ ମଧ୍ୟରୁ ଅର୍ଧାଧିକ ଅତି କମ୍‌ରେ ଗୋଟିଏ ପାନ ଟିକା ନେଇ ସାରିଲେଣି। କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ପ୍ରାୟ ୧୭% ଆବଶ୍ୟକ ହେଉଥିବା ଦୁଇ ପାନ ଟିକା ସମ୍ପୂର୍ଣ୍ଣ ପାଇ ପାରିଛନ୍ତି। ଭାରତ ସରକାର ୨୦୨୧ ଶେଷ ସୁଦ୍ଧା ଦେଶର ଜନସଂଖ୍ୟାରେ ଟିକା ନେବା ପାଇଁ ଉପଯୁକ୍ତ ସମସ୍ତଙ୍କର ଟିକାକରଣ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହାର ଅଂଶ ସ୍ବରୂପ କେବଳ ଅଗଷ୍ଟ ମାସରେ ୧୮ କୋଟିରୁ ଅଧିକ ପାନ ଟିକାଦାନ ସମ୍ପୂର୍ଣ୍ଣ କରି ଭାରତ ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲା। ଅର୍ଥନୀତିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଏବେ କୋଭିଡ୍ କଟକଣାକୁ ଅନେକ କୋହଳ କରିଦେଇଛନ୍ତି। ଦେଶବାସୀ କିନ୍ତୁ ବର୍ଷ ଶେଷରେ ଟିକାଦାନ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ତରବର ହୋଇ କୋଭିଡ୍ ସହିତ ସନ୍ଧି ସ୍ଥାପନ ନ କରି ଆପଣାଛାଏଁ ସେମାନେ ଅଭ୍ୟସ୍ତ ଥିବା ବିଭିନ୍ନ କଟକଣାମାନ ପାଳନ କରି ଆତ୍ମସଂଯମ ପ୍ରଦର୍ଶନ କରିବା ବୁଦ୍ଧିମାନର କାର୍ଯ୍ୟ ହେବ।

ସମ୍ବନ୍ଧିତ ଖବର