ବୃକ୍ଷମାନେ ସେମାନଙ୍କ ମଧ୍ୟରେ ବାର୍ତ୍ତାଳାପରେ ଯେଉଁ ଏକ ସମସ୍ୟା ନେଇ ବିଶେଷ ଚିନ୍ତା ପ୍ରକଟ କରୁଥିବେ, ତାହା ହେଲା ‘ଜଙ୍ଗଲ ଅବକ୍ଷୟ’ (‘ଫରେଷ୍ଟ ଡିଗ୍ରେଡେସନ୍’), ଯାହା ଯୋଗୁଁ ୨୦୧୧ରୁ ୨୦୨୧ ମଧ୍ୟରେ ୯୩,୦୦୦ ବର୍ଗ କିମି ସାନ୍ଦ୍ର ଜଙ୍ଗଲ ଅନ୍ତର୍ଦ୍ଧାନ ହୋଇସାରିଲାଣି। ଭିତ୍ତିଭୂମି ନିର୍ମାଣ ଓ ଅର୍ଥନୈତିକ ଶୋଷଣ ହେଉଛି ଏହାର ମୁଖ୍ୟ କାରଣ। ଆଲୋଚନାରତ ବୃକ୍ଷମାନେ ସାମାନ୍ୟ ଆଶ୍ବସ୍ତି ଅନୁଭବ କରୁଥିବେ ଯେ ସେମାନଙ୍କର ଚରମ ଶତ୍ରୁ ଦାବାଗ୍ନି ଦାନବ ଉପରେ ମଧ୍ୟ ଏହି ରିପୋର୍ଟ ଧ୍ୟାନ କେନ୍ଦ୍ରୀଭୂତ କରିଛି।

Advertisment

ବିଶ୍ବବିିଖ୍ୟାତ ଶିଶୁ କଥାକାର ସ୍ବର୍ଗତ ରୋଲ୍‌ଡ ଡାଲ୍‌ଙ୍କର ଅନ୍ୟତମ ପ୍ରସିଦ୍ଧ ଗଳ୍ପ ‘ଦି ସାଉଣ୍ଡ୍ ମେସିନ୍’ରେ ଜଣେ ବ୍ୟକ୍ତି ଏପରି ଏକ ଯନ୍ତ୍ର ଉଦ୍ଭାବନ କରିଛନ୍ତି ଯାହା ମାଧ୍ୟମରେ ଏକ ରେଡିଓ କୌଣସି ନିର୍ଦ୍ଦିଷ୍ଟ ଫ୍ରିକ୍ବେନ୍‌ସିର ପ୍ରସାରିତ ଶବ୍ଦ ତରଙ୍ଗ ସହିତ ଯୋଗାଯୋଗ ସ୍ଥାପନ କରିବା ପରି ତାଙ୍କର ଚତୁଃପାର୍ଶ୍ବରେ ଥିବା ବୃକ୍ଷଲତାମାନେ ପରସ୍ପର ସହିତ କଥୋପକଥନ ନିମିତ୍ତ ବ୍ୟବହାର କରୁଥିବା ଫ୍ରିକ୍ବେନ୍‌ସି ସହିତ ଯୋଗାଯୋଗ ସ୍ଥାପନ କରିହେବ। ଏହି ଉଦ୍ଭାବକ ଜଣକ ଯେତେବେଳେ ପ୍ରଥମ ଥର ପାଇଁ ତାଙ୍କ ଯନ୍ତ୍ରଟିକୁ ଚଳାଇ ଦିଅନ୍ତି, ଯେଉଁ ଶବ୍ଦ ପ୍ରଥମେ ତାଙ୍କ କାନରେ ପଡ଼େ, ତାହା ହେଲା ତାଙ୍କର ପଡ଼ୋଶୀ ତାଙ୍କର ଗୋଲାପବୁଦାର ବିନ୍ୟସ୍ତୀକରଣ ଉଦ୍ଦେଶ୍ୟରେ ତାହାର ଡାଳଗୁଡ଼ିକରେ କତୁରୀ ଚଳାଇବା ବେଳେ ଗୋଲାପ କରୁଥିବା ଯନ୍ତ୍ରଣାଜର୍ଜରିତ ଚିତ୍କାର। ତା’ ପରେ ତାଙ୍କ କାନରେ‌ ଯେଉଁ ଶବ୍ଦ ପ୍ରବେଶ କରିଥାଏ, ତାହା ହେଲା ଏକ ଗଛକୁ କାଟିବା ପାଇଁ କୁରାଢ଼ିର ଚୋଟ ପରେ ଚୋଟ ପଡ଼ିଚାଲିଥିବା ବେଳେ ଗଛରୁ ନିର୍ଗତ ହେଉଥିବା ଅବିରାମ ବେଦନାର ଦୁର୍ବଳ ଆର୍ତ୍ତନାଦ। ମୂକ ହଠାତ୍ ବାଚାଳ ହୋଇଉଠିବା ଭଳି ଏ ପର୍ଯ୍ୟନ୍ତ ନିରବରେ ଯନ୍ତ୍ରଣା ସହି ଚାଲିଥିବା ତାଙ୍କ ଚତୁଃପାର୍ଶ୍ବର ବୃକ୍ଷଲତାଙ୍କର ସମବେତ ଯନ୍ତ୍ରଣାର ସ୍ବର ଉଦ୍ଭାବକଙ୍କୁ ଏପରି ବିଚଳିତ କରିଦିଏ ଯେ ସେ ତାହାକୁ ଆଉ ସମ୍ଭାଳି ନ ପାରି ନିଜର ଉଦ୍ଭାବିତ ଯନ୍ତ୍ରଟିକୁ ଭାଙ୍ଗି ଦିଅନ୍ତି।
ଡାଲ୍‌ଙ୍କର ଏହି ଗଳ୍ପଟି ଯେତେ କପୋଳକଳ୍ପିତ ମନେ ହୋଇଥାଏ, ତାହା ସେତେ ଅବାସ୍ତବ ନୁହେଁ। ସାଂପ୍ରତିକ ଗବେଷଣା ଆବିଷ୍କାର କରିଥିବା ବୃକ୍ଷମାନଙ୍କର ଏକ ସାମାଜିକ ଚରିତ୍ର ଡାଲ୍‌ଙ୍କ ଗଳ୍ପକୁ ଏହି ବିଶ୍ବାସଯୋଗ୍ୟତା ପ୍ରଦାନ କରିଥାଏ। ବୃକ୍ଷମାନେ ସେମାନଙ୍କର ଚେରର ଲୋମଶ ଅଗ୍ରଭାଗ ମାଧ୍ୟମରେ ସେମାନଙ୍କ ଅଞ୍ଚଳରେ ଘଟୁଥିବା ଘଟଣାମାନଙ୍କ ସମ୍ବନ୍ଧରେ ଅବଗତ ହୋଇଥାନ୍ତି ଏବଂ ପରସ୍ପର ମଧ୍ୟରେ ସୂଚନାର ଆଦାନପ୍ରଦାନ ଚଳାଇଥାନ୍ତି ବୋଲି ଗବେଷକମାନେ ସାବ୍ୟସ୍ତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଯଦି ‌ରୋଲ୍‌ଡ ଡାଲ୍‌ଙ୍କର ଉପରୋକ୍ତ ଯନ୍ତ୍ରଟି ପ୍ରକୃତରେ ଉପଲବ୍‌ଧ ଥା’ନ୍ତା, ତେବେ ନିକଟରେ ‘ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ’ ଦ୍ବାରା ପ୍ରକାଶିତ ‘‘ଦି ଇଣ୍ଡିଆ ଷ୍ଟେଟ୍ ଅଫ୍ ଫରେଷ୍ଟ ରିପୋର୍ଟ (‘ଆଇଏସ୍ଏଫ୍ଆର୍’) ୨୦୨୩’’ ବହନ କରୁଥିବା ସୂଚନା ସମ୍ବନ୍ଧରେ ଭାରତର ବନସ୍ତ ଓ ବୃକ୍ଷଲତାମାନଙ୍କର ପ୍ରତିକ୍ରିୟା କ’ଣ, ତାହା ସେଇ ଯନ୍ତ୍ର ମାଧ୍ୟମରେ ଜାଣି ହୁଅନ୍ତା।
ରିପୋର୍ଟଟିରେ ଦର୍ଶାଯାଇଛି ଯେ ୨୦୨୧ରୁ ୨୦୨୩ ଦୁଇ ବର୍ଷ ମଧ୍ୟରେ ଦେଶରେ ବନସ୍ତ - ଓ ବୃକ୍ଷ - ଆଚ୍ଛାଦିତ ଇଲାକାରେ ଘଟିଥିବା ବୃଦ୍ଧିର ପରିମାଣ ହେଉଛି ପ୍ରାୟ ୧,୫୦୦ ବର୍ଗ କିମି। ଏହାକୁ ସଂପୃକ୍ତ ମହଲରେ ଏକ ସନ୍ତୋଷଜନକ ଉପଲବ୍‌ଧି ରୂପେ ପ୍ରଦର୍ଶିତ କରାଯାଉଛି। ଡାଲ୍‌ଙ୍କ ଯନ୍ତ୍ର ମାଧ୍ୟମରେ କିନ୍ତୁ ଯେଉଁ କଥୋପକଥନ ଶୁଣିବାକୁ ମିଳନ୍ତା, ତାହା ହେଲା, ବନ-ଆଚ୍ଛାଦିତ ଇଲାକାର ଆୟତନରେ ଘଟିଥିବା ବୃଦ୍ଧି ୧୫୬ ବର୍ଗ କିମି ମାତ୍ର ହୋଇଥିବା ବେଳେ ବୃକ୍ଷ-ଆଚ୍ଛାଦିତ ଇଲାକାର ଆୟତନରେ ବୃଦ୍ଧି ଘଟିଛି ପ୍ରାୟ ୧୨୯୦ ବର୍ଗ କିମି। ବନ-ଆଚ୍ଛାଦିତ ଅଞ୍ଚଳ ମଧ୍ୟ ଦୁଇ ଭାଗ‌େର ବିଭକ୍ତ: ପଞ୍ଜୀକୃତ ବନ ଇଲାକା ବା ‘ରେକଡେଡ୍ ଫରେଷ୍ଟ ଏରିଆଜ୍’ (‘ଆର୍ଏଫ୍ଏ’) ଏବଂ ଏହାର ବହିର୍ଭୁକ୍ତ ଇଲାକା। ଉଲ୍ଲିଖିତ ଦୁଇ ବର୍ଷ ମଧ୍ୟରେ ‘ଆର୍ଏଫ୍ଏ’ ଅର୍ଥାତ୍ ବିଧିବଦ୍ଧ ବନାଞ୍ଚଳ କ୍ଷେତ୍ରଫଳରେ ଘଟିଥିବା ବୃଦ୍ଧିର ପରିମାଣ ହେଉଛି ମାତ୍ର ପ୍ରାୟ ୭ ବର୍ଗ କିମି; ଏହା ବାହାରେ ଘଟିଥିବା ବୃଦ୍ଧିର ପରିମାଣ ହେଉଛି ପ୍ରାୟ ୧୪୯ ବର୍ଗ କିମି। ଚିନ୍ତାଜନକ ଭାବରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ତାମିଲନାଡୁ ଭଳି ବୃହତ୍ ରାଜ୍ୟମାନଙ୍କରେ ‘ଆର୍ଏଫ୍ଏ’ ଅନ୍ତର୍ଗତ ଅଞ୍ଚଳରେ ବନାଚ୍ଛାଦିତ ଇଲାକାରେ ସଂକୋଚନ ଘଟିବା ଦେଖାଯାଇଛି। ଡାଲ୍‌ଙ୍କ ଯନ୍ତ୍ରରେ ସେ ଅଞ୍ଚଳର ବୃକ୍ଷମାନେ ଏ ନେଇ ଗଭୀର ଚିନ୍ତା ପ୍ରକଟ କରିବା ଶୁଣିବାକୁ ମିଳନ୍ତା। କେବଳ ମଣିପୁର, ଓଡ଼ିଶା, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଓ ରାଜସ୍ଥାନ ପରି ଅଳ୍ପ କେତେକ ରାଜ୍ୟରେ ସେମାନଙ୍କର କଥୋପକଥନରେ ସନ୍ତୋଷର ସ୍ବର ଶୁଭନ୍ତା, କାରଣ ଏଠାରେ ବନାଚ୍ଛାଦନରେ ବୃଦ୍ଧି ଘଟିଥିବା ପ୍ରକାଶ ପାଇଛି। ଜୈବ ବିବିଧତା ପରିପୂର୍ଣ୍ଣ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟମାନଙ୍କ ମଧ୍ୟରୁ କେବଳ ମିଜୋରାମକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ରାଜ୍ୟରେ ଚିନ୍ତାଜନକ ଭାବରେ ବନାଚ୍ଛାଦିତ ଇଲାକାରେ ସଂକୋଚନ ଘଟିଚାଲିବା ଦେଖାଯାଇଛି। ସେଇଭଳି ଉତ୍ତରାଖଣ୍ଡ ସମେତ ଆଠଟି ପାର୍ବତ୍ୟ ରାଜ୍ୟରେ ବନାଚ୍ଛାଦନରେ ହ୍ରାସ ଘଟିବା ପରିଲକ୍ଷିତ ହୋଇଛି।
ପରିବେଶ ସୁରକ୍ଷାରେ ଜଙ୍ଗଲର ଭୂମିକା ସମ୍ବନ୍ଧରେ କିଛି ଉଲ୍ଲେଖ କରିବା ଏକ ଅନାବଶ୍ୟକ କସରତ ହୋଇଥିଲେ ହେଁ ଏଠାରେ ଏତିକି କୁହାଯାଇପାରେ ଯେ ଭୂ-ସ୍ଖଳନ ଓ ମୃତ୍ତିକା କ୍ଷୟକୁ ପ୍ରତିରୋଧ କରିବା ପାଇଁ ଜଙ୍ଗଲ ଏକ ପ୍ରାକୃତିକ ପ୍ରତିବନ୍ଧକ ରୂପେ କାର୍ଯ୍ୟ କରିଥାଏ। ନିକଟ ଅତୀତରେ ଜଳବାୟୁ ପରିବର୍ତ୍ତନ ଓ ଦ୍ରୁତ ସହରୀକରଣ କାରଣରୁ ପଶ୍ଚିିମଘାଟ ଓ ହିମାଳୟ ଅଞ୍ଚଳରେ ଯେଉଁସବୁ ଭୟାନକ ଭୂ-ସ୍ଖଳନମାନ ଘଟିବା ଦେଖାଯାଇଛି, ସେ ପରିପ୍ରେକ୍ଷୀ‌େର ବନାଚ୍ଛାଦନରେ ଦେଖାଯାଇଥିବା ଏହି ସଂକୋଚନକୁ ଅଟକାଇ ଏକ ସଂପ୍ରସାରଣ ପ୍ରକ୍ରିୟା ଯେ ତୁରନ୍ତ ଆରମ୍ଭ କରାଯିବା ଆବଶ୍ୟକ, ପାଦପମାନଙ୍କର ଭୂ-ତଳ ବାର୍ତ୍ତାଳାପର ଏହା ନିଶ୍ଚିତ ରୂପେ ଏକ ମୁଖ୍ୟ ବିଷୟବସ୍ତୁ ହୋଇଥିବ। ପ୍ରଥମ ଥର ପାଇଁ ଉପରୋକ୍ତ ରିପୋର୍ଟରେ ପଶ୍ଚିମଘାଟରେ ବନାଚ୍ଛାଦନର ଏକ ଆକଳନ କରାଯାଇଛି। ଏଥିରୁ ଜଣାଯାଏ ଯେ ୨୦୧୩ରୁ ଇତିମଧ୍ୟରେ ଏହି ପର୍ବତମାଳା ପ୍ରାୟ ୬୦ ବର୍ଗ କିମି ପରିମିତ ଅଞ୍ଚଳ ହରାଇ ସାରିଲାଣି।
କେତେକ ସମାଲୋଚକମାନଙ୍କୁ ଅନୁସରଣ କରି ବୃକ୍ଷମାନେ ମଧ୍ୟ ସରକାର ବ୍ୟବହାର କରୁଥିବା ‘‘ବନାଚ୍ଛାଦନ’’ର ହୁଗୁଳା ସଂଜ୍ଞା ସମ୍ବନ୍ଧରେ ଟୁପ୍‌ଟାପ୍ କରୁଥିବେ। ଏହା ଅନୁସାରେ ମାଲିକାନା ଓ ଆଇନଗତ ମର୍ଯ୍ୟାଦା ନିର୍ବିଶେଷରେ ୧୦ ଶତାଂଶ କିମ୍ବା ତଦୂର୍ଦ୍ଧ୍ବ ଅଂଶ ବୃକ୍ଷ ଶାଖା ଦ୍ବାରା ଆଚ୍ଛାଦିତ ହୋଇଥିବା ଏକ ହେକ୍ଟର କିମ୍ବା ତଦୂର୍ଦ୍ଧ୍ବ ପରିମିତ ସମସ୍ତ ପ୍ରକାର ଭୂମିକୁ ‘‘ବନାଚ୍ଛାଦିତ’’ ବୋଲି ବିଚାର କରାଯାଇଥାଏ ଯେଉଁଥିରେ ଫଳ ବଗିଚା, ବାଉଁଶ ଓ ନଡ଼ିଆ ବଗିଚାମାନ ମଧ୍ୟ ଅନ୍ତର୍ଭୁକ୍ତ। ଏହାର ସ୍ବାଭାବିକ ପରିଣତି ସ୍ବରୂପ ସରକାରୀ ତଥ୍ୟ ସହିତ ଅନ୍ୟ ସର୍ବେକ୍ଷଣ ସଂସ୍ଥାମାନଙ୍କ ଦ୍ବାରା ସଂଗୃହୀତ ତଥ୍ୟ ମେଳ ଖାଇ ନ ଥାଏ। ସାଟେଲାଇଟ୍ ସୂଚନା ଆଧାରରେ ‘ଗ୍ଲୋବାଲ୍ ଫରେଷ୍ଟ ୱାଚ୍’ ନାମକ ସଂସ୍ଥା କରିଥିବା ସର୍ବେକ୍ଷଣ ଅନୁସାରେ ୨୦୦୦ ସାଲ ପରଠାରୁ ଭାରତ ୨.୩୩ ନିୟୁତ ହେକ୍ଟର ପରିମିତ ବନାଚ୍ଛାଦନ ହରାଇ ସାରିଲାଣି, ଯାହା ୬ ଶତାଂଶ ସଂକୋଚନ ସହିତ ସମାନ।
ବୃକ୍ଷମାନେ ସେମାନଙ୍କ ମଧ୍ୟରେ ବାର୍ତ୍ତାଳାପରେ ଯେଉଁ ଏକ ସମସ୍ୟା ନେଇ ବିଶେଷ ଚିନ୍ତା ପ୍ରକଟ କରୁଥିବେ, ତାହା ହେଲା ‘ଜଙ୍ଗଲ ଅବକ୍ଷୟ’ (‘ଫରେଷ୍ଟ ଡିଗ୍ରେଡେସନ୍’), ଯାହା ଯୋଗୁଁ ୨୦୧୧ରୁ ୨୦୨୧ ମଧ୍ୟରେ ୯୩,୦୦୦ ବର୍ଗ କିମି ସାନ୍ଦ୍ର ଜଙ୍ଗଲ ଅନ୍ତର୍ଦ୍ଧାନ ହୋଇସାରିଲାଣି। ଭିତ୍ତିଭୂମି ନିର୍ମାଣ ଓ ଅର୍ଥନୈତିକ ଶୋଷଣ ହେଉଛି ଏହାର ମୁଖ୍ୟ କାରଣ। ଆଲୋଚନାରତ ବୃକ୍ଷମାନେ ସାମାନ୍ୟ ଆଶ୍ବସ୍ତି ଅନୁଭବ କରୁଥିବେ ଯେ ସେମାନଙ୍କର ଚରମ ଶତ୍ରୁ ଦାବାଗ୍ନି ଦାନବ ଉପରେ ମଧ୍ୟ ଏହି ରିପୋର୍ଟ ଧ୍ୟାନ କେନ୍ଦ୍ରୀଭୂତ କରିଛି। ‘ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ’ ଓ ରାଜ୍ୟମାନଙ୍କରେ ମିଳିଥିବା ଜଙ୍ଗଲ ନିଅଁା ସତର୍କ ସୂଚନାମାନଙ୍କୁ ଭିତ୍ତି କରି ଗତ ଅଗ୍ନିକାଣ୍ଡ ଋତୁରେ ଯେଉଁ ରାଜ୍ୟମାନଙ୍କରେ ସର୍ବାଧିକ ଏଭଳି ଅଗ୍ନିକାଣ୍ଡମାନ ଘଟିଥିଲା ବୋଲି ରିପୋର୍ଟରେ ପ୍ରକାଶ ପାଇଛି, ସେମାନେ ହେଲେ ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ଓଡ଼ିଶା ଓ ଛତିଶଗଡ଼। ଦାବାଗ୍ନି ବିଧ୍ବସ୍ତ ବନ ଆଉ ପରିବେଶ ରକ୍ଷାକାରୀ ‘ଅଙ୍ଗାର ଖାତ’ (‘କାର୍ବନ ସିଙ୍କ’) ରୂପେ କାର୍ଯ୍ୟ କରିପାରୁ ନ ଥିବାରୁ, ଅନ୍ତତଃ ପ୍ୟାରିସ୍ ଜଳବାୟୁ ଚୁକ୍ତିରେ ‘କାର୍ବନ ସିଙ୍କ’ ସୃଷ୍ଟି ପାଇଁ ଭାରତ ପ୍ରଦାନ କରିଥିବା ନିଜର ପ୍ରତିଶ୍ରୁତି ପୂରଣ ପାଇଁ ସରକାର ଜଙ୍ଗଲରେ ଅଗ୍ନିକାଣ୍ଡ ନିବାରଣ ନିମିତ୍ତ ଅଧିକ ଫଳପ୍ରଦ ପଦକ୍ଷେପମାନ ଗ୍ରହଣ କରିବେ ବୋଲି ବୃକ୍ଷମାନେ ଆଶା ପ୍ରକାଶ କରି ପରସ୍ପରକୁ ସାନ୍ତ୍ବନା ଦେଉଥିବା ଡାଲ୍‌ଙ୍କ ଯନ୍ତ୍ର ମାଧ୍ୟମରେ ଶୁଣାଯାଇପାରେ।