ବିଜେଡି ପକ୍ଷରୁ ବିଜୟର କରୁଣ ପ୍ରୟାସରେ ଦଳର ଏକ ମାତ୍ର ନକ୍ଷତ୍ରଙ୍କୁ କୌଣସିମତେ କ୍ଷେତ୍ରରେ ଉପସ୍ଥିତ କରି ଦିଆଗଲା, କିନ୍ତୁ ତାହା ନିଷ୍ଫଳ ହେଲା। କାରଣ ସେ ନକ୍ଷତ୍ର ଏବେ ଅସ୍ତାଚଳରେ, ଅଥଚ ବିଡ଼ମ୍ବନାଟି ହେଲା ତାଙ୍କ ଆଲୋକ ଅମଳିନ ରଖିବା ଲାଗି ଦଳର ଅନ୍ୟ ଜ୍ୟୋତିଷ୍କମାନଙ୍କ ଠାରୁ ବିଧିବଦ୍ଧ ଭାବେ ପ୍ରଭା ଅପହରଣ କରି ନିଆଯାଇଥିଲା।

Advertisment

ଆମ ସମକ୍ଷରେ ଏବେ ଦୁଇଟି ନିର୍ବାଚନର ଫଳାଫଳ ବିଦ୍ୟମାନ; ଗୋଟିଏ ବିହାର ବିଧାନସଭା ନିର୍ଭାବଚନ ଏବଂ ଅନ୍ୟଟି ନୂଆପଡ଼ା ବିଧାୟକ ଆସନ ସକାଶେ ଉପ ନିର୍ବାଚନ। ଏବଂ ଏହି ଦୁଇଟି ଯାକ ଫଳାଫଳରୁ ପ୍ରାପ୍ତ ହେଉଥିବା ଗୂଢ଼ ସଂକେତଗୁଡ଼ିକ ଅନେକ ଦୃଷ୍ଟିରୁ ମୋଡ଼ ପରିବର୍ତ୍ତନକାରୀ ଏବଂ ପାରଂପରିକ ରାଜନୈତିକ ଚିନ୍ତନ, ବ୍ୟାଖ୍ୟାନ ଓ ବିଶ୍ଳେଷଣକୁ ନୂତନ ଦୃଷ୍ଟିରେ ଦେଖିବାକୁ ବାଧ୍ୟ କରେ। ବିହାରରେ ଏକ ସତ୍ତା ବିରୋଧୀ (ଏଣ୍ଟି ଇନକୁଂବେଣ୍ଟ) ବାତାବରଣ ଦୃଢ଼ ବୋଲି ବିରୋଧୀ ପକ୍ଷଗୁଡ଼ିକ ନିଶ୍ଚିତ ଥିବା ବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବରେ ଏନ୍‌.ଡି. ମେଣ୍ଟ ଅଭୂତପୂର୍ବ ଭୋଟର ସମର୍ଥନର ସୁନାମିରେ ପ୍ଳାବିତ ହୋଇଯିବା ସେମାନଙ୍କୁ ହତଚକିତ କରି ଦେଇଛି; ଯେଉଁ କାରଣରୁ ସେମାନେ ଭୋଟ ଚୋରି, ଇଭିଏମ ଜାଲିଆତି ଓ ପକ୍ଷପାତୀ ନିର୍ବାଚନ କମିସନଙ୍କ ଆଡ଼କୁ ଦୋଷଦର୍ଶୀ ଆଙ୍ଗୁଠି ଦେଖାଇବାରେ ପ୍ରବୃତ୍ତ। ଏଭଳି ସ୍ଥଳେ ଏ ସଂଦର୍ଭରେ ଏକ ସମ୍ୟକ୍‌ ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ବିହାର ନିର୍ବାଚନକୁ ଘେନି ମୂଳରୁ ବ୍ୟାଖ୍ୟାନଟିଏ ସୃଷ୍ଟି ହୋଇଥିଲା ଯେ ବୁଥ୍‌ରେ ମହିଳାଙ୍କ ଭିଡ଼ର ଅର୍ଥ ନୀତିଶ କୁମାରଙ୍କୁ ସମର୍ଥନ ଏବଂ ତରୁଣମାନଙ୍କ ଗହଳିର ଅର୍ଥ ତେଜସ୍ବୀ ଯାଦବଙ୍କୁ ସ୍ବୀକୃତି। ସେହି ଦୃଷ୍ଟିରୁ ବୁଥରେ ମହିଳାମାନଙ୍କ ସଂଖ୍ୟାଧିକ୍ୟ ଯଦିଓ ନୀତୀଶ କୁମାରଙ୍କ ବିଜୟର ସମ୍ଭାବନା ନେଇ ଆଭାସ ଦେଇଥିଲା, ତଥାପି ଅନେକ ରାଜନୈତିକ ବିଶ୍ଳେଷକ ଏପରିକି ବିହାର ସାରା ଘୂରି ବୁଲୁଥିବା ସାମ୍ବାଦିକମାନେ ଧରି ନେଇଥିଲେ ଯେ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହେବ; କାରଣ, ବିହାରର ଦାରିଦ୍ର୍ୟ, ବେକାରି, ଜୀବିକା ସକାଶେ ଗଣ ପଳାୟନ ଇତ୍ୟାଦିର କଷଣ ସର୍ବାଧିକ ଭୋଗୁଥିବା ମହିଳାମାନେ ସେମାନଙ୍କ ରୋଷ ବ୍ୟକ୍ତ କରିବା ଲାଗି ବୁଥରେ ରୁଣ୍ଡ ହୋଇ ଥାଇପାରନ୍ତି। ତେଣୁ, ବିରୋଧୀ ପକ୍ଷ ଧୂଳିସାତ୍‌ ହୋଇଯିବ ବୋଲି ଅନ୍ତତଃ କୌଣସି ପକ୍ଷ ଭାବି ନ ଥିଲେ। ବର୍ତ୍ତମାନ ଜଣା ପଡୁଛି ଯେ ଏନ.ଡି.ଏ. ସମର୍ଥନରେ ପୁରୁଷଙ୍କ ଭୋଟରେ ମାତ୍ର ୨% ବୃଦ୍ଧି ଘଟିଥିବା ବେଳେ ମହିଳାଙ୍କ ଭୋଟରେ ଏକ ଅଚିନ୍ତନୀୟ ୧୮% ବୃଦ୍ଧି ଘଟିଛି। ବିରୋଧୀ ପକ୍ଷରୁ କୁହାଯାଉଛି ଯେ ନିର୍ବାଚନର ଠିକ୍‌ ପୂର୍ବରୁ, ଏପରିକି ପ୍ରଚାର ଚାଲିଥିବା ସମୟରେ ୧.୪ କୋଟି ମହିଳାଙ୍କ ଜମାଖାତାକୁ ସରକାରଙ୍କ ପକ୍ଷରୁ ଦଶ ହଜାର ଟଙ୍କା ଲେଖାଏଁ ପ୍ରେରଣ କରାଯିବା ହେଉଛି ଏହାର କାରଣ, ଯାହା ସିଧାସଳଖ ଲାଞ୍ଚ ଓ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଅବମାନନା। କିନ୍ତୁ ବିଶିଷ୍ଟ ନିର୍ବାଚନ ବିଶେଷଜ୍ଞ ଯଶୋବନ୍ତ ଦେଶମୁଖଙ୍କ ମତରେ ବିହାରର ବାର୍ଷିକ ମୁଣ୍ଡ ପିଛା ଆୟ ମାତ୍ର ୪୯ ହଜାର ଟଙ୍କା ଅନୁପାତରେ ୧୦ ହଜାର ଟଙ୍କାର ଅନୁଦାନ ଯଦିଓ ଏକ ମହତ୍ତ୍ବପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିଥିବ, ଅସଲ ମଞ୍ଜିଟି କିନ୍ତୁ ରହିଛି ନୀତୀଶ କୁମାରଙ୍କ ଚରିତ୍ରଗତ ମହିଳା ସପକ୍ଷବାଦୀ ଆଭିମୁଖ୍ୟରେ। ଯଶୋବନ୍ତଙ୍କ ଅନୁସାରେ ୨୦୦୬ ମସିହାରେ ନୀତୀଶ ସରକାରଙ୍କ ଠାରୁ ସାଇକେଲଟିଏ ପାଇ ସ୍ବାବଲମ୍ବୀ ହୋଇଥିବା କୌଣସି ମହିଳାର କନ୍ୟା ସନ୍ତାନ ଏବେ ହୁଏତ ଜଣେ ନୂଆ ଭୋଟର ହୋଇଥିବ, ଯିଏ ନୀତୀଶଙ୍କୁ ହିଁ ଭୋଟ ଦେବ; ସେମିତି ରାଜ୍ୟର ଆର୍ଥିକ ଦୁରବସ୍ଥା ସତ୍ତ୍ବେ ଆପଣା ରାଜନୈତିକ ଭବିଷ୍ୟତ୍‌ ପ୍ରତି ବିପଦ ମୁଣ୍ଡାଇ ନୀତୀଶ କୁମାରଙ୍କ ମଦ ନିଷେଧ ଆଇନ ପଛରେ ଯେ ମଦ୍ୟପ ପୁରୁଷ ପ୍ରପୀଡ଼ିତ ମହିଳାଙ୍କ ଦୁଃଖ ହିଁ କାରଣ, ତାହା କହିବା ବାହୁଲ୍ୟ ମାତ୍ର। ସୁତରାଂ, ମହିଳାମାନେ କଦାଚିତ୍‌ ନୀତୀଶଙ୍କୁ ହରାଇବାକୁ ଚାହାନ୍ତେ ନାହିଁ। ଏବଂ ଦଶ ହଜାର ଟଙ୍କାର ଅନୁଦାନ ସେମାନଙ୍କୁ ଏଭଳି ଆବେଗାପ୍ଳୁତ କରିଥିବ ଯେ ତୀବ୍ର ଜାତିବାଦୀ ବିହାର ରାଜନୀତିରେ ମହିଳାମାନେ(ବିଶେଷ କରି ଯାଦବ ଓ ମୁସଲମାନ) ସେମାନଙ୍କ ପରିବାର ଏପରିକି ସଂପ୍ରଦାୟର ସମର୍ଥନକୁ ଭ୍ରୂକ୍ଷେପ ନକରି ଏନ.ଡି.ଏ.କୁ ଭୋଟ ଦେଇଛନ୍ତି। ଏହାର ଅର୍ଥ ଗ୍ରାମବହୁଳ ଓ ଉତ୍କଟ ଭାବେ ପୁରୁଷପ୍ରଧାନ ବିହାରୀ ସମାଜରେ ସର୍ବଦା ପଶ୍ଚାତ୍‌ ଭାଗରେ ରହୁଥିବା ମହିଳାମାନେ ଅପୂର୍ବ ସାହସର ପରିଚୟ ଦେଇ ରାଜନୀତିରେ ମହିଳା ‘ଫାକ୍‌ଟର’ ବା ‘ଭୂମିକା’ ତଳେ ଚିରନ୍ତନ ସ୍ବାକ୍ଷର ଦେଇଛନ୍ତି। ଏହା କେବଳ ସଶକ୍ତୀକରଣର ପ୍ରମାଣ ନୁହେଁ, ନେତୃତ୍ବର ପଟ ପ୍ରସ୍ତୁତି।
ନୀତୀଶ ବନାମ ତେଜସ୍ବୀ ଭଳି ତୁଳନାରେ ନୀତୀଶ ଜଣେ ସଚ୍ଚୋଟ ଭଦ୍ର ବ୍ୟକ୍ତି ରୂପେ ବିବେଚିତ ହେଉଥିବା ବେଳେ ଆକ୍ରମଣାତ୍ମକ ତେଜସ୍ବୀଙ୍କ ଦ୍ବାରା ତାଙ୍କ ପିତାଙ୍କ ସମୟର ‘ଜଙ୍ଗଲ ରାଜ’ର ସ୍ମୃତି ଅନେକଙ୍କ(ବିଶେଷ କରି ମହିଳା)ଙ୍କ ପାଇଁ ବିବ୍ରତକର ହୋଇଥିଲା। ଏହା ମଧ୍ୟ ଏକ ବାସ୍ତବତା ଯେ ବିହାରରେ ଦୀର୍ଘକାଳୀନ କ୍ଷମତାଧାରୀ ନୀତୀଶ ସରକାରକୁ ନେଇ ହୁଏତ କ୍ଳାନ୍ତି ଥିଲା, କିନ୍ତୁ ଆକ୍ରୋଶ ନ ଥିଲା। ଅଧିକାଂଶ ସାମ୍ବାଦିକ ଓ ନିର୍ବାଚନ ବିଶ୍ଳେଷକ କ୍ଷେତ୍ରକୁ ଯାଇ ମୁଖ୍ୟତଃ ପୁରୁଷଙ୍କ ମତାମତ ଲୋଡ଼ିଥିଲେ। ଏଭଳି ସ୍ଥଳେ ଏନ.ଡି.ଏ. ସପକ୍ଷରେ ପୁରୁଷଙ୍କ ସମର୍ଥନରେ ବୃଦ୍ଧି ସାମାନ୍ୟ (ମାତ୍ର ୨%) ହୋଇଥିବାରୁ ପ୍ରତିଦ୍ବନ୍ଦ୍ବିତା ସଂଘର୍ଷପୂର୍ଣ୍ଣ ହେବ ବୋଲି ଉପସଂହାର ମିଳିଥିଲା। ଏଣେ ମହିଳାମାନଙ୍କ ବିପ୍ଳବ ନିରବତା ମଧ୍ୟରେ ରୂପ ପାଉ ଥିବାରୁ ତାହାକୁ ଠିକଣା ଭାବେ ପଢ଼ା ଯାଇ ପାରି ନ ଥିଲା। ତେଣୁ, ଏଭଳି ଭୂଚଳନ ସୁଲଭ ପରିବର୍ତ୍ତନର ଲକ୍ଷଣ ଆଖିରେ ପଡ଼ିଲା ନାହିଁ; ସୁଖ୍ୟାତ ଇଂରେଜୀ ଲେଖକ ଏନିଶ ନିନ କହିଥିବା ଭଳି ଯାହା ପ୍ରକୃତରେ ଯେମିତି, ତାହା ସେମିତି ଦିଶିଲା ନାହିଁ; ଯିଏ ଯେମିତି ଭାବିଲା ତାକୁ ତାହା ସେମିତି ଦିଶିଲା!
କହିବା ବାହୁଲ୍ୟ ଯେ ଏସ.ଆଇ.ଆର. ଗଡ଼ବଡ଼ ବା ଭୋଟ ଚୋରି କିମ୍ବା ଇିଭିଏମ ଜାଲିଆତି ଅଥବା ନିର୍ବାଚନ କମିସନଙ୍କ ପକ୍ଷପାତିତା ଭଳି ବିଚ୍ୟୁତି ଗଣତନ୍ତ୍ର ସକାଶେ ସାଂଘାତିକ ଭାବେ ବିପଜ୍ଜନକ! ଏ ସବୁ ପ୍ରସଙ୍ଗ ନେଇ ଜନ ଜାଗରଣ ସୃଷ୍ଟି ସମୀଚୀନ, ଯାହା ଅବଲୀଳା କ୍ରମେ ନିର୍ବାଚନ ବ୍ୟବସ୍ଥାରେ ସଂସ୍କାର, ବିଶୋଧନ ଓ ଅଧିକ ପାରଦର୍ଶିତା ଲାଗି ପଥ ପ୍ରସ୍ତୁତ କରିପାରେ, କିନ୍ତୁ ନିର୍ବାଚନ ପୂର୍ବରୁ ଏହା କୌଣସି ବ୍ୟକ୍ତିର ଭୋଟ-ପସନ୍ଦକୁ ବିଶେଷ ପ୍ରଭାବିତ କରିବ ନାହିଁ। ତେଣୁ, ଜନସାଧାରଣଙ୍କ ମୌଳିକ ଆବଶ୍ୟକତା, କେତେକ ଚାହିଦା ଓ ଅଳ୍ପ ସ୍ବପ୍ନର ଠିକ୍‌ ଆକଳନ କରି ପ୍ରସଙ୍ଗ ନିର୍ମାଣ କରାଯିବା ଜରୁରି, ଯାହା ଭୂମି ସଂଲଗ୍ନତା, ସାଧାରଣ ଜ୍ଞାନ ଓ ଅନ୍ତର୍ବୋଧ ଲୋଡ଼ିଥାଏ। ଏହା ନିର୍ଭର କରେ ଜନସାଧାରଣଙ୍କ ନାଡ଼ି ଚିପି ପରଖିବାର ଦକ୍ଷତା ଉପରେ! ସମ୍ଭବତଃ ରାହୁଳ ଗାନ୍ଧୀଙ୍କ ନେତୃତ୍ବାଧୀନ କଂଗ୍ରେସ ଏଭଳି ଦକ୍ଷତା ହରାଇ ବସିଛି। ନିର୍ବାଚନରେ ବିଫଳତା ପରେ କଂଗ୍ରେସ ପକ୍ଷରୁ ଏସ.ଆଇ.ଆର., ଭୋଟ ଚୋରି ଏବଂ ନିର୍ବାଚନ କମିସନଙ୍କ ପକ୍ଷପାତିତାକୁ ଦୋଷଦୁଷ୍ଟ କରାଯାଉଛି। ଏହା କେବଳ ଆପଣା ଦୁର୍ବଳତାକୁ ସ୍ବୀକାର କରିବାର ଅନିଚ୍ଛା ମାତ୍ର ନୁହେଁ, ଏହା ଭୋଟରମାନଙ୍କ ପସନ୍ଦାପସନ୍ଦ ଓ ବିବେଚନାବୋଧର ଅବମାନନା ମଧ୍ୟ। କିନ୍ତୁ ଆତ୍ମ ସମୀକ୍ଷା ଲାଗି ଅନ୍ତର୍ଦୃଷ୍ଟି ଅନେକ ସମୟରେ ଖୋଲୋ ନାହିଁ। 
ଏବେ ନୂଆପଡ଼ା ଉପନିର୍ବାଚନ ପ୍ରସଙ୍ଗ। ଏଥିରେ ବିଜେଡି ସବା ଶେଷ ଅର୍ଥାତ୍‌ ତୃତୀୟ ସ୍ଥାନରେ ରହିଛି ଓ ବିଜୟୀ ପ୍ରାର୍ଥୀଙ୍କ ଠାରୁ ଭୋଟର ବ୍ୟବଧାନ ହୋଇଛି ପାଖାପାଖି ଏକ ଲକ୍ଷ। ତେବେ ଦଳ ପକ୍ଷରୁ କୁହାଯାଉଛି ଯେ ଦିବଂଗତ ବିଜେଡି ବିଧାୟକଙ୍କ ପୁତ୍ରଙ୍କ ସକାଶେ ଅନୁକଂପାର ତରଙ୍ଗ ତ ସ୍ବାଭାବିକ ଭାବେ ଥିଲା, ସେ ଏଣେ ନିଜ ପିତାଙ୍କ ଦଳ ତ୍ୟାଗ କରି ବିଜେପିରେ ଯୋଗ ଦେବାରୁ ସରକାରୀ ସହଯୋଗ ମଧ୍ୟ ଲାଭ କଲେ। ହୁଏତ ଏହା ଅନେକଟା ସତ୍ୟ! କିନ୍ତୁ ମୂଳ ପ୍ରଶ୍ନ ହେଲା ଦୀର୍ଘ ଚବିଶ ବର୍ଷ ଧରି ଶାସନରେ ରହିଥିବା ଏବଂ ମାତ୍ର ଦେଢ଼ ବର୍ଷ ପୂର୍ବରୁ ଅପରାଜେୟ ଭଳି ମନେ ହେଉଥିବା ଏହି ବିଶାଳ ରାଜନୈତିକ ଦଳ ଏଭଳି ଦଶା ଭୋଗିଲା କାହିଁକି? ଅବଶ୍ୟ, ବିଜେଡି ପକ୍ଷରୁ ବିଜୟର କରୁଣ ପ୍ରୟାସରେ ଦଳର ଏକ ମାତ୍ର ନକ୍ଷତ୍ରଙ୍କୁ କୌଣସିମତେ କ୍ଷେତ୍ରରେ ଉପସ୍ଥିତ କରି ଦିଆଗଲା, କିନ୍ତୁ ତାହା ନିଷ୍ଫଳ ହେଲା। କାରଣ ସେ ନକ୍ଷତ୍ର ଏବେ ଅସ୍ତାଚଳରେ, ଅଥଚ ବିଡ଼ମ୍ବନାଟି ହେଲା ତାଙ୍କ ଆଲୋକ ଅମଳିନ ରଖିବା ଲାଗି ଦଳର ଅନ୍ୟ ଜ୍ୟୋତିଷ୍କମାନଙ୍କ ଠାରୁ ବିଧିବଦ୍ଧ ଭାବେ ପ୍ରଭା ଅପହରଣ କରି ନିଆଯାଇଥିଲା। ଦ୍ବିତୀୟ ଧାଡ଼ିର ତାରକା ହେବା ପରିବର୍ତ୍ତେ ଦଳର ଅନେକ ଦକ୍ଷ ଜନ ପ୍ରତିନିଧି ସେମାନଙ୍କ ଅଙ୍ଗୀକାର, ସ୍ବର, ସାମର୍ଥ୍ୟ ଓ ସଂଗଠନ ହରାଇ କେବଳ ଉଚ୍ଚାଟ ସୃଷ୍ଟିକାରୀ ଦଳୀୟ ମୁଖପାତ୍ରରେ ପରିଣତ ହେଲେ। ସବୁ ବଂଶବାଦୀ ଦଳର ଏହା ହିଁ ଚରିତ୍ର, ଯେଉଁଠି ସେଇ ଗୋଟିଏ ନକ୍ଷତ୍ରକୁ ଭାସ୍ବର କରି ରଖିବାକୁ ଅନ୍ୟ ତାରକାମାନଙ୍କୁ ଲିଭାଇ ଦିଆଯାଏ। ତେଣୁ ଯେଉଁ ନକ୍ଷତ୍ରକୁ କେନ୍ଦ୍ର କରି ଦଳ ପ୍ରଦକ୍ଷିଣ କରୁଥାଏ, ସେ ଅସ୍ତମିତ ହେବାକୁ ବସିଲେ ଅନ୍ଧକାର ଘୋଟି ଆସେ!