ଆମେରିକା ଭଳି ଭାରତର ରାଷ୍ଟ୍ରପତି ମଧ୍ୟ ରାଜକ୍ଷମା ପ୍ରଦାନ ଅଧିକାର ଉପଭୋଗ କରିଥାନ୍ତି ତଥା ନିୟମିତ ଭାବରେ କାର୍ଯ୍ୟକାରୀ କରିଥାନ୍ତି। କିନ୍ତୁ ବିଗତ ୭୫ ବର୍ଷର ସାଧାରଣତନ୍ତ୍ର ଇତିହାସରେ ଭାରତର କୌଣସି ରାଷ୍ଟ୍ରପତି ଥରଟିଏ ହେଲେ ମଧ୍ୟ ନିଜର କୌଣସି ଆତ୍ମୀୟସ୍ବଜନଙ୍କୁ ଏହାଦ୍ବାରା ଉପକୃତ କରାଇ ନାହାନ୍ତି। ଆମେରିକାରୁ ଆରମ୍ଭ କରି ବ୍ରାଜିଲ୍, ଦକ୍ଷିଣକୋରିଆ ପର୍ଯ୍ୟନ୍ତ ରାଜକ୍ଷମାର ଏଇଭଳି ଦୁରୁପଯୋଗ ହୋଇଚାଲିଥିବା ବେଳେ, ଭାରତୀୟ ରାଷ୍ଟ୍ରପତିମାନେ ପ୍ରଦର୍ଶନ କରିଆସିଥିବା ଦୃଷ୍ଟାନ୍ତମୂଳକ ସଂଯମ ଗଣତନ୍ତ୍ରର ମର୍ଯ୍ୟାଦା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ନିଶ୍ଚିତ ରୂପେ ଏ କ୍ଷେତ୍ରରେ ଭାରତକୁ ‘ବିଶ୍ବଗୁରୁ’ ଆସନରେ ବସାଇଥାଏ।

Advertisment

୨୦ ଜାନୁଆରି ୨୦୨୧ରେ ଜୋ ବାଇଡେନ୍ ଯେତେବେଳେ ଆମେରିକାର ୪୬ତମ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କଲେ, ସେ ଏଥିପାଇଁ ୧୮୯୩ ଠାରୁ ତାଙ୍କ ପରିବାରରେ ବ୍ୟବହୃତ ହୋଇ ଆସିଥିବା ଓ ସଯତ୍ନରେ ସାଇତା ହୋଇ ରହିଥିବା ଏକ ବାଇବ୍‌ଲ ବ୍ୟବହାର କରିଥିଲେ। ୧୯୭୩ରେ ସେ ପ୍ରଥମେ ଏହି ବାଇବ୍‌ଲ ଉପରେ ହାତ ଥୋଇ ଜଣେ ସେନେଟର୍ ରୂପେ ଶପଥ ଗ୍ରହଣ କରି ନିଜର ଦୀର୍ଘ ରାଜନୈତିକ କ୍ୟାରିଅର୍ ଆରମ୍ଭ କରିବା ପରଠାରୁ ୨୦୨୧ରେ ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରିବା ପର୍ଯ୍ୟନ୍ତ ପ୍ରତ୍ୟେକ ଥର କୌଣସି ନିର୍ବାଚିତ ପଦ ପାଇଁ ଦାୟିତ୍ବ ଗ୍ରହଣ କଲାବେଳେ ବାଇଡେନ୍ ତାଙ୍କର ଏହି ପ୍ରିୟ ପାରମ୍ପରିକ ବାଇବ୍‌ଲ ହିଁ ତାଙ୍କର ଶପଥର ମୂକସାକ୍ଷୀ ହୋଇଆସିଛି। ଜୋ ବାଇଡେନ୍‌ଙ୍କର ଅଗଣିତ ସମର୍ଥକମାନେ ଏହାକୁ ବାଇଡେନ୍‌ଙ୍କର ଦୃଢ଼ ଖ୍ରୀଷ୍ଟିଆନ୍ ମୂଲ୍ୟବୋଧର ପରିଚାୟକ ରୂପେ ପ୍ରଦର୍ଶିତ କରିଥାନ୍ତି ଏବଂ ତାଙ୍କର ଅଗଣିତ ନିନ୍ଦୁକମାନେ ମଧ୍ୟ ଏଥିସହିତ ଦ୍ବିମତ ହୋଇପାରି ନଥାନ୍ତି। ଏବେ ତାଙ୍କର କାର୍ଯ୍ୟକାଳ ସମାପ୍ତ ହେବାର ଅବ୍ୟବହିତ ପୂର୍ବରୁ ଜୋ ବାଇଡେନ୍‌ଙ୍କର ଏକ କାର୍ଯ୍ୟାନୁଷ୍ଠାନ ସୃଷ୍ଟି କରିଥିବା ବ୍ୟାପକ ବିସ୍ମୟର ଏହା ହେଉଛି ଅନ୍ୟତମ କାରଣ।
ବାଇବ୍‌ଲରେ ବର୍ଣ୍ଣିତ ଏକ ସୁପରିଚିତ କାହାଣୀ ଅନୁସାରେ ଆବ୍ରାହାମ୍‌ଙ୍କ ବିଶ୍ବାସ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଈଶ୍ବର ଥରେ ତାଙ୍କୁ ନିଜର ଏକମାତ୍ର ପୁତ୍ର ବାଳକ ଆଇଜାକ୍‌ଙ୍କୁ ନେଇ ମାଉଣ୍ଟ୍ ମୋରିଆ ଉପରେ ବଳି ଚଢ଼ାଇବା ପାଇଁ ନ‌ିର୍ଦ୍ଦେଶ ଦେଲେ। ପରଦିନ ଆବ୍ରାହାମ୍ ପୁତ୍ର ଆଇଜାକ୍‌ଙ୍କୁ ସାଙ୍ଗରେ ନେଇ ମାଉଣ୍ଟ୍ ମୋରିଆ ଉପରେ ବଳି ଦେବାକୁ ଉଦ୍ୟତ ହୁଅନ୍ତେ ଶେଷ ମୁହୂର୍ତ୍ତରେ ଈଶ୍ବରଙ୍କ ଦ୍ବାରା ପ୍ରେରିତ ଦେବଦୂତ ସେଠାରେ ଆବିର୍ଭୂତ ହୋଇ ତାଙ୍କୁ ସେଥିରୁ ନିବୃତ୍ତ କରନ୍ତି। ଜୋ ବାଇଡେନ୍ କିନ୍ତୁ ବର୍ତ୍ତମାନର ଏହି ଘଟଣାରେ ତାଙ୍କର ୫୪ ବର୍ଷୀୟ ପୁତ୍ର ହଣ୍ଟର୍ ବାଇଡେନ୍‌ଙ୍କୁ ନେଇ ଆବ୍ରାହାମ୍‌ସୁଲଭ ବିଶ୍ବାସ ପ୍ରକଟ କରିପାରି ନାହାନ୍ତି। ସଂକ୍ଷେପରେ କହିଲେ ଅବୈଧ ଭାବରେ ବନ୍ଧୁକ ରଖିବା ଓ ଟିକସ ଫାଙ୍କି ଅପରାଧମାନ ପାଇଁ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିବା ହଣ୍ଟର୍‌ଙ୍କୁ ସେଥିପାଇଁ ଦଣ୍ଡର ସମ୍ମୁଖୀନ ହେବାକୁ ଛାଡ଼ିଦେବା ପରିବର୍ତ୍ତେ ଜୋ ବାଇଡେନ୍ ଅଣ-ଆବ୍ରାହାମ୍‌ସୁଲଭ ଆଚରଣ ପ୍ରଦର୍ଶନ କରି ରାଷ୍ଟ୍ରପତି ରୂପେ ନିଜର ବିଶେଷ କ୍ଷମତା ପ୍ରୟୋଗ କରି ପୁତ୍ର ହଣ୍ଟର୍‌ଙ୍କୁ ରାଜକ୍ଷମା ପ୍ରଦାନ କରିଦେଇଛନ୍ତି। ରାଷ୍ଟ୍ରପତି ପିତାଙ୍କ ଠାରୁ ଏହି କ୍ଷମା ନ ପାଇଥିଲେ ହଣ୍ଟର୍‌ଙ୍କୁ ବନ୍ଧୁକ ଅପରାଧ ପାଇଁ ୨୫ ବର୍ଷ ସହିତ ଟିକସ ଫାଙ୍କି ଅପରାଧ ପାଇଁ ୧୭ ବର୍ଷ କାରାବାସ ଭୋଗ କରିବାକୁ ପଡ଼ିଥାନ୍ତା। ଜୋ ବାଇଡେନ୍ ଆବ୍ରାହାମ୍‌ଙ୍କୁ ଅନୁସରଣ କରିପାରି ନାହାନ୍ତି; ନିଜ ପୁତ୍ରକୁ ବଳି ଚଢ଼ାଇବାରୁ ପଛଘୁଞ୍ଚା ଦେଇଛନ୍ତି।
କିନ୍ତୁ ଯଦି ଆବ୍ରାହାମ୍ ନୁହେଁ, ଜଣେ ସାଧାରଣ ମନୁଷ୍ୟର ଦୃଷ୍ଟିକୋଣରୁ ଦେଖାଯାଏ, ତେବେ ଜୋ ବାଇଡେନ୍‌ଙ୍କ ଚରମତମ ଶତ୍ରୁମାନେ ମଧ୍ୟ ବୋଧହୁଏ ତାଙ୍କର ଏହି କ୍ଷମା ଦାନକୁ ତାଙ୍କର ଏକ ଅକ୍ଷମଣୀୟ ନିଷ୍ପତ୍ତି ରୂପେ ବିବେଚନା କରିବେ ନାହିଁ। ଜୋ ବାଇଡେନ୍ ତାଙ୍କର ଗୋଟିଏ କନ୍ୟା ସହିତ ପ୍ରଥମ ପତ୍ନୀଙ୍କୁ ଏକ କାର୍ ଦୁର୍ଘଟଣ‌ାରେ ହରାଇଥିବା ବେଳେ ତାଙ୍କର ପ୍ରଥମ ପୁତ୍ର ତଥା ପ୍ରଥମ ସନ୍ତାନ ବ୍ରେନ୍ କ୍ୟାନ୍‌ସର୍‌ରୁ ଆରୋଗ୍ୟ ଲାଭ କରି ନ ପାରି ପ୍ରାଣ ହରାଇଛି। ସତେ ‌େଯମିତି ତାଙ୍କ ପାଇଁ ଏତିକି ଦୁର୍ଭାଗ୍ୟ ଯଥେଷ୍ଟ ନ ଥିଲା, ବର୍ତ୍ତମାନର ବିବାଦର କେନ୍ଦ୍ରରେ ଥିବା ପୁତ୍ର ହଣ୍ଟର୍ ମଧ୍ୟ ହେଉଛନ୍ତି ଜଣେ ବିପଥଗାମୀ ଡ୍ରଗ୍ ସେବନ ସମସ୍ୟା ସହିତ ଜଡ଼ିତ ବ୍ୟକ୍ତି। କେଉଁ ୮୨ ବର୍ଷୀୟ ବୃଦ୍ଧ ପିତା ଏଭଳି ପରିସ୍ଥିତିରେ ଜୀବନର ଶେଷ ସମୟରେ ନିଜର ସନ୍ତାନ ଯେତେ ଦୋଷ କରିଥିଲେ ମଧ୍ୟ ତାକୁ କ୍ଷମା ନ କରି ରହିପାରିବ?
କିନ୍ତୁ ସମସ୍ୟା ହେଲା, ଜୋ ବାଇଡେନ୍ ଜଣେ ଯେ କୌଣସି ପିତା ନୁହନ୍ତି, ସେ ହେଉଛନ୍ତି ନିଜକୁ ପୃଥିବୀର ଶ୍ରେଷ୍ଠତମ ଗଣତନ୍ତ୍ର ରୂ‌େପ ଦାବି କରୁଥିବା ପୃଥିବୀର ସର୍ବାଧିକ ଧନଶାଳୀ ଓ ଶକ୍ତିଶାଳୀ ଦେଶ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି। ଏବଂ ରାଜଧର୍ମ ପାଳନରେ ବ୍ୟକ୍ତିଗତ ଆବେଗର ସ୍ଥାନ ନ ଥାଏ। ଏହା ସତ ଯେ ଆମେରିକାର ସଂବିଧାନରେ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ପ୍ରଦାନ କରିବାର ଅଧିକାର ପ୍ରଦାନ କରାଯାଇଛି ଏବଂ ସେ ଦେଶର ସୁପ୍ରିମ୍ କୋର୍ଟ ଏହାକୁ ଏକ ‘‘ଦୟାଶୀଳ କାର୍ଯ୍ୟ’’ (‘‘ଆକ୍ଟ ଅଫ୍‌ ଗ୍ରେସ୍’’) ରୂପେ ମଧ୍ୟ ଅଭିହିତ କରିଛି। କିନ୍ତୁ ସେଇ ସୁପ୍ରିମ୍ କୋର୍ଟ ମଧ୍ୟ କହିଛି ଯେ ରାଜକ୍ଷମା ଦ୍ବାରା ‘‘ଜନ ମଙ୍ଗଳ’’ ସାଧିତ ହୋଇଥାଏ। ହଣ୍ଟର୍ ବାଇଡେନ୍‌ଙ୍କୁ କ୍ଷମା ପ୍ରଦାନ ଦ୍ବାରା ଜନ ଅମଙ୍ଗଳ ଘଟିଥାଏ।
ଏମିତି ନୁହେଁ ଯେ ଜୋ ବାଇଡେନ୍‌ଙ୍କ ପୂର୍ବରୁ ଅନ୍ୟ କେହି ରାଷ୍ଟ୍ରପତି ନିଜର ସଂପର୍କୀୟଙ୍କୁ ରାଜକ୍ଷମା ପ୍ରଦାନ କରି ନ ଥିଲେ। ଜିମି କାର୍ଟର୍ ନିଜର ଭାଇଙ୍କୁ, ବିଲ୍ କ୍ଲିଣ୍ଟନ୍ ନିଜର ସାବତ-ଭାଇଙ୍କୁ, ଡୋନାଲ୍‌ଡ ଟ୍ରମ୍ପ ତାଙ୍କର ପୂର୍ବ ପାଳି ଶାସନ ସମୟରେ ନିଜର ସମୁଦିଙ୍କୁ ରାଜକ୍ଷମା ପ୍ରଦାନ କରିବା ଦେଖାଯାଇଛି। ଜୋ ବାଇଡେନ୍‌ଙ୍କ ଦୋଷ ହେଲା ସେ କିନ୍ତୁ ନିଜର କଥା ରଖିବାରେ ବିଫଳ ହୋଇଛନ୍ତି। ମାତ୍ର ଛ’ମାସ ତଳେ ସେ ଦୃଢ଼ ଭାବରେ ଘୋଷଣା କରିଥିଲେ ଯେ ‌େସ ଜୁରୀମାନଙ୍କର ନିଷ୍ପତ୍ତି ମାନିନେବେ ଏବଂ କେବେହେଲେ ହଣ୍ଟର୍‌ଙ୍କୁ କ୍ଷମା ପ୍ରଦାନ କରିବେ ନାହିଁ। ଏହାଠାରୁ ଯାହା ଅଧିକ କ୍ଷତିକାରକ, ତାହା ହେଲା ଏହାଦ୍ବାରା ନିଜକୁ ଡୋନାଲ୍‌ଡ ଟ୍ରମ୍ପଙ୍କର ରିପବ୍ଲିକାନ୍‌ମାନଙ୍କ ଠାରୁ ପୃଥକ୍‌ ବୋଲି ବାଇଡେନ୍‌ଙ୍କ ପକ୍ଷର ଡେମୋକ୍ରାଟ୍‌ମାନେ କରୁଥିବା ଦାବି ବର୍ତ୍ତମାନ ଏକ ପବନ ବାହାରି ଯାଇଥିବା ବେଲୁନ୍ ପରି ଝାଉଁଳି ଯାଇଛି।
ଜାନୁଆରି ୨୦ରେ କ୍ଷମତା ଗ୍ରହଣ କରିବା ପରେ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଯେତେବେଳେ ନିଶ୍ଚିତ ଭାବରେ ୨୦୨୧ ଜାନୁଆରି ୬ରେ ନିର୍ବାଚନ ଫଳାଫଳକୁ ଅସ୍ବୀକାର କରି ତାଙ୍କର ଯେଉଁ ସମର୍ଥକମାନେ ‘କ୍ୟାପିଟାଲ୍’ ଉପରେ ଆକ୍ରମଣ କରିବା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି, ସେମାନଙ୍କୁ କ୍ଷମା ପ୍ରଦାନ କରିବେ, ସେତେବେଳେ ଡେମୋକ୍ରାଟ୍‌ମାନେ କେଉଁ ନୈତିକତା ବଳରେ ତାହାର ବିରୋଧ କରିବେ? ଡୋନାଲ୍‌ଡ ଟ୍ରମ୍ପ ତାଙ୍କର ଆଗାମୀ ସରକାରରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦ ପାଇଁ ଯେଉଁମାନଙ୍କୁ ମନୋନୀତ କରିସାରିଲେଣି, ସେମାନେ ସମସ୍ତେ ବିଧି ଓ ପରମ୍ପରାକୁ ବେଖାତିର କରି ଟ୍ରମ୍ପଙ୍କ ପ୍ରତିପକ୍ଷ ବିରୋଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ଖୋଲାଖୋଲି ଘୋଷଣା କରିସାରିଲେଣି। ବାଇଡେନ୍‌ଙ୍କର ଏହି କ୍ଷମା ଦାନ ପରେ ଟ୍ରମ୍ପ ପ୍ରଶାସନକୁ ଏ ନେଇ ବିରୋଧ କରିବା ଡେମୋକ୍ରାଟ୍‌ମାନଙ୍କ ପକ୍ଷରେ ଆ‌ଉ ସହଜ ହେବ ନାହିଁ।
ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଯେତେବେଳେ ଜୋର୍ ଧରିଥିଲା ଡେମୋକ୍ରାଟିକ୍ ପାର୍ଟିର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ସେତେବେଳେ ‘ଡେମୋକ୍ରାଟିକ୍ ନେସ୍‌ନାଲ୍ କନ୍‌ଭେନ୍‌ସନ୍’ରେ ଉଦ୍‌ବୋଧନ ଦେବା ଅବସରରେ ଦେଶବାସୀଙ୍କୁ ସାବଧାନ କରିଦେଇଥିଲେ ଯେ ପ୍ରତିପକ୍ଷ ରିପବ୍ଲିକାନ୍ ପାର୍ଟି ସର୍ବଦା ଏକ ଧାରଣା ପ୍ରସାର କରିଥାଏ ଯେ ସରକାର ହେଉଛି ଅନୈତିକ ଏବଂ ତେଣୁ ନିଜ ସ୍ବାର୍ଥରକ୍ଷା କରିବା ପାଇଁ ଯେ କୌଣସି ପଦକ୍ଷେପ ନେବା ଅପରାଧ ନୁହେଁ। ଏକ ନିଷ୍ଠୁର ବିଡ଼ମ୍ବନା ଭଳି ରିପବ୍ଲିକାନ୍ ପାର୍ଟିର କୌଣସି ନେତା ନୁହେଁ, ଓବାମାଙ୍କର ନିଜ ଦଳ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କର ଏହି ସ୍ବାର୍ଥପ୍ରଣୋଦିତ କାର୍ଯ୍ୟ ଓବାମାଙ୍କର ସେଇ ମନ୍ତବ୍ୟର ସତ୍ୟତା ସାବ୍ୟସ୍ତ କରି ସେ ଦେଶର ସାଂବିଧାନିକ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କର ବିଶ୍ବାସ ଉପରେ କୁଠାରାଘାତ କରିଥାଏ, ଯାହା ହେଉଛି ଏକ ଗୁରୁତର ଜନଅମଙ୍ଗଳ।
ଏଠାରେ ଉଲ୍ଲେଖ ନ କରି ରହିହୁଏ ନାହିଁ ଯେ ଆମେରିକା ଭଳି ଭାରତର ରାଷ୍ଟ୍ରପତି ମଧ୍ୟ ରାଜକ୍ଷମା ପ୍ରଦାନ ଅଧିକାର ଉପଭୋଗ କରିଥାନ୍ତି ତଥା ନିୟମିତ ଭାବରେ କାର୍ଯ୍ୟକାରୀ କରିଥାନ୍ତି। କିନ୍ତୁ ବିଗତ ୭୫ ବର୍ଷର ସାଧାରଣତନ୍ତ୍ର ଇତିହାସରେ ଭାରତର କୌଣସି ରାଷ୍ଟ୍ରପତି ଥରଟିଏ ହେଲେ ମଧ୍ୟ ନିଜର କୌଣସି ଆତ୍ମୀୟସ୍ବଜନଙ୍କୁ ଏହାଦ୍ବାରା ଉପକୃତ କରାଇ ନାହାନ୍ତି। ଆମେରିକାରୁ ଆରମ୍ଭ କରି ବ୍ରାଜିଲ୍, ଦକ୍ଷିଣକୋରିଆ ପର୍ଯ୍ୟନ୍ତ ରାଜକ୍ଷମାର ଏଇଭଳି ଦୁରୁପଯୋଗ ହୋଇଚାଲିଥିବା ବେଳେ, ଭାରତୀୟ ରାଷ୍ଟ୍ରପତିମାନେ ପ୍ରଦର୍ଶନ କରିଆସିଥିବା ଦୃଷ୍ଟାନ୍ତମୂଳକ ସଂଯମ ଗଣତନ୍ତ୍ରର ମର୍ଯ୍ୟାଦା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ନିଶ୍ଚିତ ରୂପେ ଏ କ୍ଷେତ୍ରରେ ଭାରତକୁ ‘ବିଶ୍ବଗୁରୁ’ ଆସନରେ ବସାଇଥାଏ।