ଜଳବାୟୁ ପରିବର୍ତ୍ତନ କାରଣରୁ ସୃଷ୍ଟ ସଂକଟ ଦ୍ବାରା ପୃଥିବୀ ସନ୍ତପ୍ତ ହେଉଥିଲେ ସୁଦ୍ଧା ଗୋଟିଏ ଦୃଷ୍ଟିରୁ ଏହା କୃତଜ୍ଞତାର ପାତ୍ର। କାରଣ, ଏକମନସ୍କ ହୋଇପାରୁ ନ ଥିବା ରାଷ୍ଟ୍ରଗୁଡ଼ିକ ଏହାର ବିଭୀଷିକା ଦ୍ବାରା ଏକାକାର ହୋଇଯାଉଥିବାରୁ ଏକତ୍ର ହେବାକୁ ବାଧ୍ୟ ହେଉଛନ୍ତି। ଜଳବାୟୁ ପରିବର୍ତ୍ତନ ହେତୁ ସୃଷ୍ଟ ଦୁର୍ବିପାକ ରାଜନୈତିକ ଆନୁଗତ୍ୟ, ଆଦର୍ଶଗତ ପାର୍ଥକ୍ୟ, ଭୌଗୋଳିକ ସୀମା ବିଭାଜନ, ଆର୍ଥିକ ଅସମାନତା ଇତ୍ୟାଦି କୌଣସିଟିକୁ ହେଲେ ଭ୍ରୂକ୍ଷେପ କରି ନ ଥାଏ। ତେଣୁ ସୃଷ୍ଟି, ସର୍ଜନା ଓ ଦୈବୀ ବିଧାନକୁ କେନ୍ଦ୍ର କରି ରହିଥିବା ମୂଳ ଓ ପ୍ରାଚୀନ ବିଶ୍ବାସ, ବିଚାର, କିଂବଦନ୍ତି ଓ କାହାଣୀ ଆଦିକୁ ପରିହାର କରି ଏହି ଚରମ ଇସଲାମୀୟ ମୌଳବାଦୀ ଗୋଷ୍ଠୀ ‘ଜଳବାୟୁ ପରିବର୍ତ୍ତନ’ ଭଳି ପାଶ୍ଚାତ୍ୟ ବିଜ୍ଞାନ ଭିତ୍ତିକ ସିଦ୍ଧାନ୍ତକୁ ସ୍ବୀକାର କରି ‘କପ୍‌ ୨୯’ରେ ଦୃଶ୍ୟମାନ ହୋଇଛି! 

Advertisment

ନଭେମ୍ବର ୧୧ ତାରିଖ ଦିନ ଆଜରବୈଜାନର ରାଜଧାନୀ ସହର ବାକୁ ଠାରେ ପ୍ରାରମ୍ଭ ହୋଇଥିବା ‘ଜଳବାୟୁ ସଂକଟ’ ସମ୍ମିଳନୀ ‘କପ୍‌ ୨୯’ ଯେଉଁ ଗୋଟିଏ କାରଣ ଲାଗି ସ୍ମରଣୀୟ ହୋଇ ରହିବ ଓ ବେଳ ଅବେଳରେ ବାରମ୍ବାର ଚର୍ଚ୍ଚାର ପରିସର ମଧ୍ୟକୁ ପଶି ଆସିବ, ତାହା ହେଲା ସେହି ସମାବେଶରେ ଆଫଗାନିସ୍ତାନର ତାଲିବାନ ପ୍ରତିନିଧି ମଣ୍ଡଳର ଉପସ୍ଥିତି। ପ୍ରକାଶ ଥାଉ କି କଠୋର ଇସଲାମୀୟ ମୌଳବାଦୀ ସଂଗଠନ ତାଲିବାନର ଶାସନକୁ ଜାତିସଂଘ ଅନୁମୋଦନ କରି ନ ଥାଏ ଏବଂ ସେହି କାରଣରୁ ମଧ୍ୟ ଏହା ପୃଥିବୀର ପ୍ରାୟ ସମସ୍ତ ରାଷ୍ଟ୍ରଙ୍କ ଦ୍ବାରା ଅସ୍ବୀକୃତ ଓ ଅସ୍ପୃଶ୍ୟ ମଧ୍ୟ। ଯଥାର୍ଥ କାରଣରୁ ଅନେକ ରାଷ୍ଟ୍ରଙ୍କ ବିଚାରରେ ତାଲିବାନ ମଧ୍ୟ ଏକ ଆତଙ୍କବାଦୀ ଗୋଷ୍ଠୀ। ଏହା ମଧ୍ୟ ଆମମାନଙ୍କ ସ୍ମରଣରେ ଅଛି କିଭଳି ୨୦୦୧ ମସିହାରେ, ଯୁକ୍ତରାଷ୍ଟ୍ର ଆମେରିକା ଓ ‘ନାଟୋ’ ପକ୍ଷରୁ ଆତଙ୍କବାଦୀ ବିରୋଧୀ ପ୍ରଥମ ସମ୍ମିଳିତ ଯୁଦ୍ଧ ବିଧିବଦ୍ଧ ଭ‌େବ ଆଫଗାନିସ୍ତାନର ତାଲିବାନ ଶାସକଙ୍କ ଉପରେ ଆକ୍ରମଣରୁ ପ୍ରାରମ୍ଭ ହୋଇଥିଲା ଏବଂ ତହିଁରେ କ୍ଷମତାଚ୍ୟୁତ ଏହି ସଂଗଠନ ଦୀର୍ଘ ଦୁଇ ଦଶନ୍ଧି କାଳ ଆମେରିକା ଓ ‘ନାଟୋ’ ବିରୋଧୀ ଯୁଦ୍ଧରେ ବ୍ୟାପୃତ ଥିଲା। ସୁତରାଂ, ଏହା ଖୁବ୍‌ ସମ୍ଭବ ଯେ ସମୃଦ୍ଧ ଉଦାରବାଦୀ ପାଶ୍ଚାତ୍ୟ ଗଣତନ୍ତ୍ରଗୁଡ଼ିକର ସନ୍ଦେହପୂର୍ଣ୍ଣ ଓ ବିଦ୍ବେଷଭରା ଦୃଷ୍ଟି ତଳେ ତାଲିବାନ ପ୍ରତିନିଧି ଦଳ ନିଜକୁ ଅତ୍ୟନ୍ତ ଅସ୍ବସ୍ତିକର ସ୍ଥିତିରେ ପାଇଥିବ। ତେଣୁ ପ୍ରଶ୍ନ ଉଠିଥାଏ ଯେ ‘କପ୍‌ ୨୯’‌େର ଏଭଳି ଅଲୋଡ଼ା ଆଗନ୍ତୁକର ଆବିର୍ଭାବ ଘଟିଲା କାହିଁକି? ସୁତରାଂ, ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରା‌ସଙ୍ଗିକ ଭଳି ମଧ୍ୟ ମନେ ହୋଇଥାଏ। 
ପ୍ରଶ୍ନ ଉଠିଥାଏ ଯେ ତାଲିବାନ ଶାସକ ଗୋଷ୍ଠୀ ‘କପ୍‌ ୨୯’ରେ ଅଂଶ ଗ୍ରହଣ କରିବାକୁ ଆଗଭର ହେଲା କାହିଁକି? ଏହାର କାରଣ ଜଳବାୟୁ ପରିବର୍ତ୍ତନ କାରଣରୁ ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ସର୍ବାଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ବହନ କରିଥିବା ଛଅଟି ରାଷ୍ଟ୍ର ମଧ୍ୟରୁ ଆଫଗାନିସ୍ତାନ ଅନ୍ୟତମ, ଯାହା ମଧ୍ୟ ପୃଥିବୀର ଗୋଟିଏ ସର୍ବାଧିକ ଦରିଦ୍ର ରାଷ୍ଟ୍ର ଭାବେ ଗଣାଯାଇଥାଏ। ସଂପ୍ରତି ଆଫଗାନିସ୍ତାନର ୩୪ଟି ପ୍ରଦେଶରୁ ଅନ୍ତତଃ ପକ୍ଷେ ୨୫ଟି ଉତ୍କଟ ଦୁର୍ଭିକ୍ଷ ଦ୍ବାରା ପୀଡ଼ିତ ଏବଂ ମରୁଭୂମିରେ ପରିଣତ ହେବାର ସଂକେତ ଦେଲେଣି। ଏହାର କାରଣ ଜଳବାୟୁ ପରିବର୍ତ୍ତନ କାରଣରୁ ତାପମାତ୍ରାରେ ମାତ୍ରାଧିକ ବୃଦ୍ଧି ଓ ସେହି ହେତୁ ଅଦୃଶ୍ୟ ତୁଷାର ଓ ଅନାବୃଷ୍ଟି; ଯାହା ଏକଦା ଚିରସ୍ରୋତା ନଦୀଗୁଡ଼ିକୁ ମଧ୍ୟ ଶୁଷ୍କ ପ୍ରସ୍ତର ଶଯ୍ୟାରେ ପରିଣତ କରିଛି। କିନ୍ତୁ ଏହା ସହିତ ଅନ୍ଦାଜ ଅଯୋଗ୍ୟ ପାଣିପାଗ ମଧ୍ୟ ସମୟାନ୍ତରେ ଅତିବୃଷ୍ଟି ଘଟାଇ ଆ‌ଫଗାନିସ୍ତାନକୁ ଜଳମଗ୍ନ ମଧ୍ୟ କରି ପକାଇିଥାଏ, ଯେମିତି ଘଟିଥିଲା ଗଲା ମାର୍ଚ୍ଚ ମାସରେ, ଯେତେବେଳେ ପ୍ରଳୟଙ୍କରୀ ବନ୍ୟା ୧୦୦୦ରୁ ଅଧିକ ସଂଖ୍ୟକ ଲୋକଙ୍କ ପ୍ରାଣହାନିର କାରଣ ହୋଇଥିଲା। ସୁତରାଂ, ଆଫଗାନିସ୍ତାନ ଓ ତା’ର ଅଧିବାସୀମାନଙ୍କ ଦୁର୍ଦଶା ପ୍ରତି ପୃଥିବୀର ଦୃଷ୍ଟି ଆକର୍ଷଣ କରିବା ସକାଶେ ବାକୁ ଠାରେ ତାଲିବାନ ପ୍ରତିନିଧି ଦଳର ଉପସ୍ଥିତି। ତାଲିବାନ ଶାସନକୁ ଜାତିସଂଘ ଅନୁମୋଦନ ପ୍ରଦାନ କରି ନ ଥିବାରୁ ଯଦିଓ ସମ୍ମିଳନୀର ବୈଠକରେ ଆଫଗାନିସ୍ତାନ ଚିହ୍ନିତ ଆସନଟି ଶୂନ୍ୟ ରହିଛି, ‘କପ୍‌ ୨୯’ ଦ୍ବାରା ତାଲିବାନ ପ୍ରତିନିଧି ଦଳକୁ ପର୍ଯ୍ୟବେକ୍ଷକର ମାନ୍ୟତା ଦିଆଯାଇ ସେମାନଙ୍କ ଉପସ୍ଥିତିକୁ ସ୍ବୀକୃତି ମଧ୍ୟ ପ୍ରଦାନ କରାଯାଇଛି। ଏଥିରେ ଦ୍ବିରୁକ୍ତି ନାହିଁ ଯେ ଏହା ଫଳରେ କେତେକ ନୂତନ ସମ୍ଭାବନା ସକାଶେ ମଧ୍ୟ ମାର୍ଗ ଉନ୍ମୋଚିତ ହୋଇଛି।
ଏହା କ୍ରମେ ଅନୁଭୂତ ହେଉଛି ଯେ ୧୯୯୬ ମସିହାରେ ଆଫଗାନିସ୍ତାନ ଦଖଲ କରିଥିବା ପ୍ରଥମ ପାଳିର ତାଲିବାନ ବା ‘ତାଲିବାନ ୧.୦’ ତୁଳନାରେ ୨୦୨୧ ମସିହାରେ ପୁନର୍ବାର କ୍ଷମତାରୂଢ଼ ହୋଇଥିବା ଦ୍ବିତୀୟ ପାଳିର ତାଲିବାନ ବା ‘ତାଲିବାନ ୨.୦’ ସାମାନ୍ୟ ଅଧିକ ନମନୀୟ ଏବଂ କିଞ୍ଚିତ ଅଧିକ ଉନ୍ମୁକ୍ତ ମଧ୍ୟ, ଯଦିଓ ଚରମ ମୌଳବାଦୀ କଠୋରତା ଏହା ଠାରେ ବିଦ୍ୟମାନ। ‘ତାଲିବାନ ୧.୦’ ଭଳି ଏହା ନିରନ୍ଧ୍ର ଭାବେ ନିବୁଜ ନୁହେଁ ଏବଂ କେତେକ ପର୍ଯ୍ୟବେକ୍ଷକଙ୍କ ମତରେ ସମସ୍ତ ଜଘନ୍ୟ ବିକୃତି ସତ୍ତ୍ବେ ଏହା ଦେଶର ଜନସାଧାରଣଙ୍କ ଜୀବନଧାରାରେ ଯତ୍‌କିଞ୍ଚିତ ସ୍ଥିରତା ମଧ୍ୟ ଆଣିବାକୁ ଚାହିଥାଏ। ସେହି କାରଣରୁ ‘ତାଲିବାନ ୨.୦’ ଶାସନ କାଳରେ ଅବଶିଷ୍ଟ ପୃଥିବୀ ସହିତ ସଂଯୋଜିତ ହେବାର ଆ‌କାଂକ୍ଷା ମଧ୍ୟ ସମୟ ଅସମୟରେ ପ୍ରକାଶ ପାଇଥାଏ; ଇତିମଧ୍ୟରେ ଚୀନର ମିତ୍ରରେ ପରିଣତ ହୋଇ ସାରିଥିବା ‘ତାଲିବାନ ୨.୦’ ସରକାର ଭାରତ ପ୍ରତି ମଧ୍ୟ ଅନୁକୂଳ ଇଙ୍ଗିତ ପ୍ରଦାନ କରୁଛି, ଯାହା ‘ତାଲିବାନ ୧.୦’ ଶାସନ କାଳରେ ସଂପୂର୍ଣ୍ଣ ଅସମ୍ଭବ ଥିଲା। କିନ୍ତୁ, ଏହା ସତ୍ତ୍ବେ ଚରମ ଇସଲାମୀୟ ମୌଳବାଦ ସେଠାରେ ବଳବତ୍ତର ରହି ଘୋର ଲିଙ୍ଗଗତ ବୈଷମ୍ୟ ଓ ଅତ୍ୟନ୍ତ ବର୍ବର ମଧ୍ୟଯୁଗୀୟ ଦଣ୍ଡ ବ୍ୟବସ୍ଥାକୁ କାଏମ ରଖିଛି ଏବଂ ପାଶ୍ଚାତ୍ୟ ଉଦାରବାଦକୁ ଏକ ପାପ ରୂପେ ବିବେଚନା କରିବାରେ ଲାଗିଛି। ତେଣୁ ସେ ଦେଶ ଅଧିକାଂଶ ରାଷ୍ଟ୍ରଙ୍କ ଦ୍ବାରା ଅନସ୍ବୀକାର୍ଯ୍ୟ ହୋଇ ରହିଛି। ତେବେ, ଏହି ପରିପ୍ରେକ୍ଷୀରେ ତାଲିବାନ ପ୍ରତିନିଧି ମଣ୍ଡଳ ପକ୍ଷରୁ କୁହାଯାଇଥାଏ ଯେ ଜଳବାୟୁ ପରିବର୍ତ୍ତନ ଜନିତ ସଂକଟ ସଂପର୍କିତ ବିଚାର ଓ ଆଲୋଚନା ରାଜନୀତିରୁ ସଂପୂର୍ଣ୍ଣ ଊର୍ଦ୍ଧ୍ବରେ ରହିବା ଆବଶ୍ୟକ। ସେମାନେ କହିଥାଆନ୍ତି ଯେ ସୂର୍ଯ୍ୟାଲୋକ ଓ ପବନରୁ ସେଠାରେ ମଧ୍ୟ ବିପୁଳ ସବୁଜ ଶକ୍ତି ଉତ୍ପାଦନର ସମ୍ଭାବନା ଅଛି, ଯେଉଁ ଦିଗରେ ଅଗ୍ରଗତି ସକାଶେ ଉନ୍ନତ ରାଷ୍ଟ୍ରଗଣ ସହାୟତା ଓ ସହଯୋଗର ହାତ ବଢ଼ାଇବା ଜରୁରି। ଅନେକ ରାଜନୈତିକ ବିଶେଷଜ୍ଞ ଏଥିରେ ସହମତ ହୁଅନ୍ତି; କାରଣ ସେମାନଙ୍କ ମତରେ ତାଲିବାନ ଶାସିତ ଆଫଗାନିସ୍ତାନକୁ ସଂପୂର୍ଣ୍ଣ ବାସନ୍ଦ କରାଯାଇ ଆଫଗାନ୍‌ ନାଗରିକମାନଙ୍କୁ ଅଧିକ ଦାରିଦ୍ର୍ୟ ପ୍ରପୀଡ଼ିତ ଓ ସେମାନଙ୍କ ଜୀବନକୁ ଦାରୁଣ ଭାବେ ଅଧିକ ବିପର୍ଯ୍ୟସ୍ତ କରି ଦିଆଯାଇଛି ଯାହା! ଏବଂ ଆଲୋଚନାର ବାତାୟନଟିଏ ଖୋଲିବା ସକାଶେ ସାମନ୍ୟତମ ସୁଯୋଗକୁ ମଧ୍ୟ ସ୍ଥାନ ଦିଆଯାଇନାହିଁ। ସେମାନେ କହନ୍ତି ଯେ ‘କପ୍‌ ୨୯’ ଭଳି ସମ୍ମିଳିତ ହେବାର ଅଧିକ ସୁଯୋଗ ଏହି ତାଲିବାନ ନେତୃତ୍ବର ନିବୁଜ ହୃଦୟରେ ବିକଳ୍ପ ବା ଭିନ୍ନ ବିଚାରର କ୍ଷୀଣ ଆଲୋକଟିଏ ହୁଏତ ଜଳାଇ ଦେଇପାରେ, ବିଚାର ଓ ଆଭିମୁଖ୍ୟ ବଦଳିପାରେ; ସନ୍ଥ କବୀର କହିଥିବା ଭଳି ‘ସଙ୍ଗତ’ର ଅକାଟ୍ୟ ପ୍ରଭାବ ହୁଏତ ପଡ଼ିପାରେ!
ତେବେ, ସେ ଯାହା ହେଉ, ଜଳବାୟୁ ପରିବର୍ତ୍ତନ କାରଣରୁ ସୃଷ୍ଟ ସଂକଟ ଦ୍ବାରା ପୃଥିବୀ ସନ୍ତପ୍ତ ହେଉଥିଲେ ସୁଦ୍ଧା ଗୋଟିଏ ଦୃଷ୍ଟିରୁ ଏହା କୃତଜ୍ଞତାର ପାତ୍ର। କାରଣ, ଏକମନସ୍କ ହୋଇପାରୁ ନ ଥିବା ରାଷ୍ଟ୍ରଗୁଡ଼ିକ ଏହାର ବିଭୀଷିକା ଦ୍ବାରା ଏକାକାର ହୋଇଯାଉଥିବାରୁ ଏକତ୍ର ହେବାକୁ ବାଧ୍ୟ ହେଉଛନ୍ତି। ଜଳବାୟୁ ପରିବର୍ତ୍ତନ ହେତୁ ସୃଷ୍ଟ ଦୁର୍ବିପାକ ରାଜନୈତିକ ଆନୁଗତ୍ୟ, ଆଦର୍ଶଗତ ପାର୍ଥକ୍ୟ, ଭୌଗୋଳିକ ସୀମା ବିଭାଜନ, ଆର୍ଥିକ ଅସମାନତା ଇତ୍ୟାଦି କୌଣସିଟିକୁ ହେଲେ ଭ୍ରୂକ୍ଷେପ କରି ନ ଥାଏ। ତେଣୁ ସୃଷ୍ଟି, ସର୍ଜନା ଓ ଦୈବୀ ବିଧାନକୁ କେନ୍ଦ୍ର କରି ରହିଥିବା ମୂଳ ଓ ପ୍ରାଚୀନ ବିଶ୍ବାସ, ବିଚାର, କିଂବଦନ୍ତି ଓ କାହାଣୀ ଆଦିକୁ ପରିହାର କରି ଏହି ଚରମ ଇସଲାମୀୟ ମୌଳବାଦୀ ଗୋଷ୍ଠୀ ‘ଜଳବାୟୁ ପରିବର୍ତ୍ତନ’ ଭଳି ପାଶ୍ଚାତ୍ୟ ବିଜ୍ଞାନ ଭିତ୍ତିକ ସିଦ୍ଧାନ୍ତକୁ ସ୍ବୀକାର କରି ‘କପ୍‌ ୨୯’ରେ ଦୃଶ୍ୟମାନ ହୋଇଛି! ସେହି ଦୃଷ୍ଟିରୁ ଜାତିସଂଘ ଦ୍ବାରା ଆହୂତ ଏହି ‘କପ୍‌ ୨୯’କୁ ଏକ ପୂର୍ଣ୍ଣ ‘କପ୍‌’ ବୋଲି କୁହାଯାଇପାରେ, କାରଣ ପରିତ୍ୟାଜ୍ୟ ମଧ୍ୟ ଏଠାରେ ସ୍ଥାନ ପାଇଛି, ଯଦିଓ ଏହି ସମ୍ମିଳନୀର ଫଳପ୍ରଦତା ବା ସଫଳତା ଭବିଷ୍ୟତ୍‌ ନିର୍ଣ୍ଣୟ କରିବ।