ବନ୍ୟାରେ ଭାସି ଯାଉଥିବା ଏକ କମ୍ବଳକୁ ଦେଖି କୂଳରେ ଥିବା ଜଣେ ବ୍ୟକ୍ତି ପାଣିକୁ ଲଂଫ ମାରି କମ୍ବଳକୁ କୂଳକୁ ଭିଡ଼ି ଆଣିବା ସକାଶେ ଉଦ୍ୟମ କରି କମ୍ବଳ ସହିତ ଦୂରକୁ ଭାସି ଯାଆନ୍ତେ, କୂଳରୁ ଲୋକେ ଚିତ୍କାର କରିଥିଲେ: କମ୍ବଳକୁ ଛାଡ଼ିଦେ ରେ ହତଭାଗା! ଏଥିରେ ଭାସି ଯାଉଥିବା ବ୍ୟକ୍ତିର କରୁଣ ଉତ୍ତର ଥିଲା: ମୁଁ ତ ଛାଡ଼ି ସାରିଲିଣି! ହେଲେ, କମ୍ବଳ ମୋତେ ଛାଡୁନାହିଁ!’ ସେ ଦିନ ସେହି କମ୍ବଳଟି ପ୍ରକୃତରେ ଥିଲା ଗୋଟିଏ ଭାଲୁ। ମଧ୍ୟବର୍ତ୍ତୀ ସରକାରର ପ୍ରଧାନ ଉପଦେଷ୍ଟା ମହମ୍ମଦ ୟୁନୁସଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି। କମ୍ବଳ ବଦଳରେ ସେ ଯାହାକୁ ଧରିଛନ୍ତି ତାହା ହେଉଛି ଜମାତ-ଇ-ଇସଲାମୀ ନାମକ ଏକ ଭାଲୁ, ଯାହା କବଳରୁ ନିସ୍ତାର ନାହିଁ!
ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ପ୍ରଧାନ ଉପଦେଷ୍ଟା ମହମ୍ମଦ ୟୁନୁସ ନିକଟରେ ପ୍ରଦାନ କରିଥିବା ଏକ ସାକ୍ଷାତକାର ଅନେକତ୍ର ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି, ଯହିଁରୁ କେତେକ ପର୍ଯ୍ୟବେକ୍ଷକ ଅନୁମାନ କରିଥାଆନ୍ତି ଯେ ହାତୀ ସୁବର୍ଣ୍ଣ କଳସୀରୁ ପାଣି ଢାଳିଲା ଭଳି ୟୁନୁସ ମହାଶୟଙ୍କ ଉପରେ ଯଦିଓ ‘ରାଷ୍ଟ୍ର-ମୁଖ୍ୟ’ (ଅସ୍ଥାୟୀ ଓ କାମଚଳା ହୋଇଥିଲେ ହେଁ) ଦାୟିତ୍ବଟି ଅଜାଡ଼ି ହୋଇ ପଡ଼ିଛି, ସେ କିନ୍ତୁ ଏକ ଦ୍ବନ୍ଦ୍ବ ମଧ୍ୟ ଦେଇ ଗତି କରୁଛନ୍ତି! କାରଣ ସେମାନଙ୍କ ମତରେ ସେହି ସାକ୍ଷାତକାରରେ ତାଙ୍କ ମନ୍ତବ୍ୟର ‘ସାର’ ଓ ‘ଧାର’ ମଧ୍ୟରୁ କୌଣସିଟି ହେଲେ ତାଙ୍କ ଚରିତ୍ର ପର୍ଯ୍ୟାୟବାଚୀ ହୋଇ ନ ଥାଏ!
ପ୍ରକାଶ ଥାଉ କି ଏହି ସାକ୍ଷାତକାରରେ ମହମ୍ମଦ ୟୁନୁସଙ୍କ ଚାରିଟି ମନ୍ତବ୍ୟ ବିଶେଷ ଭାବେ ଦୃଷ୍ଟି ଆକର୍ଷଣକାରୀ ଓ ଆଲୋଚନା ଯୋଗ୍ୟ। ସେଗୁଡ଼ିକ ହେଲେ: ଭାରତରେ ଆଶ୍ରିତ ଥିବା ହସିନା ପାଟି ଚୁପ୍ କରନ୍ତୁ; କାରଣ ତାହା ବାଂଲାଦେଶୀମାନଙ୍କୁ ଅତ୍ୟନ୍ତ ଉତ୍କ୍ଷିପ୍ତ କରୁଛି, ଦ୍ବିତୀୟରେ ହସିନାଙ୍କୁ ବାଂଲାଦେଶରେ ଦଣ୍ଡିତ କରା ନ ଗଲେ ବାଂଲାଦେଶୀମାନେ ଶାନ୍ତିରେ ରହିପାରିବେ ନାହିଁ, ତୃତୀୟରେ ହସନାଙ୍କ ଦ୍ବାରା ସୃଷ୍ଟ ବ୍ୟାଖ୍ୟାନଟି ନିରର୍ଥକ ଯାହା କହିଥାଏ ଯେ ଆୱାମୀ ଲିଗ୍କୁ ଛାଡ଼ିଦେଲେ ସେଠାକାର ଅନ୍ୟ ସମସ୍ତ ରାଜନୈତିକ ଦଳ ସାଂପ୍ରଦାୟିକ ଚରିତ୍ର ବହନ କରନ୍ତି ଏବଂ ଚତୁର୍ଥରେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ସଂଘଟିତ ଆକ୍ରମଣ ସାଂପ୍ରଦାୟିକ ନ ଥିଲା, ବରଂ ଥିଲା ରାଜନୈତିକ। କାରଣ ବାଂଲାଦେଶୀ ହିନ୍ଦୁ ସଂପ୍ରଦାୟ ପ୍ରମୁଖ ଭାବେ ଆୱାମୀ ଲିଗ୍ର ଦୃଢ଼ ସମର୍ଥକ ଭାବେ ପରିଚିତ। ୟୁନୁସଙ୍କ ମୁଖ ନିସୃତ ଏହି ମନ୍ତବ୍ୟଗୁଡ଼ିକର ଅନୁଶୀଳନ କରି କେତେକ ପର୍ଯ୍ୟବେକ୍ଷକ ପ୍ରଶ୍ନ କରନ୍ତି ଯେ ଯେଉଁ ସ୍ବୈରତନ୍ତ୍ର ବା ଏକଛତ୍ରବାଦୀ ମନୋଭାବ ହସିନାଙ୍କ ପତନର କାରଣ ହୋଇଛି ଏବଂ ଯାହା ବିରୋଧରେ ଜନ ଆନ୍ଦୋଳନ ହୋଇଥିଲା, ସମତୁଲ ମନୋଭାବର ପ୍ରତିଫଳନ ୟୁନୁସଙ୍କ ଠାରେ ଦେଖିବାକୁ ମିଳୁ ନାହିଁ କି? ଗୋଟିଏ ବୃହତ୍ ରାଜନୈତିକ ଦଳର ନେତ୍ରୀଙ୍କ କଣ୍ଠରୋଧ କରିବାର ଉଦ୍ୟମ ତାହା ନୁହେଁ ତ ଆଉ କ’ଣ? ବାଂଲାଦେଶରୁ ପ୍ରାପ୍ତ ଖବରମାନ ଅନୁସାରେ ସେଠାରେ ଆୱାମୀ ଲିଗ୍କୁ ନିଶ୍ଚିହ୍ନ କରିଦେବାର ସଘନ ଉଦ୍ୟମ ଦୃଷ୍ଟିଗୋଚର ହେଉଛି; ଯହିଁରେ ଚରମ ମୌଳବାଦୀ ସଂଗଠନ ଜମାତ୍-ଇ-ଇସଲାମୀ ହେଉଛି ପ୍ରମୁଖ କାର୍ପଟଦାର। ସୁତରାଂ, ହସିନାଙ୍କ ବହିଷ୍କରଣ ସହିତ ନାଟକରେ ଅଭିନେତା ବଦଳିଛନ୍ତି ସିନା, ଏକଛତ୍ରବାଦର ସେହି ସମାନ ନାଟକ ଅଭିନୀତ ହୋଇ ଚାଲିବାର ସଂକେତ ସ୍ପଷ୍ଟ। ବାଂଲାଦେଶୀ ହିନ୍ଦୁମାନେ କାହିଁକି ଆୱାମୀ ଲିଗ୍ର ସମର୍ଥକ ହୋଇଥାନ୍ତି, ତା’ର କାରଣ ନେଇ ୟୁନୁସ ମହାଶୟ ନିଶ୍ଚିତ ଭାବେ ଅବଗତ ଥିବେ। ସେ ଜାଣିଥିବେ ଯେ ଏହା ଏକ ବାଧ୍ୟବାଧକତା, କାରଣ ଦୀର୍ଘ ସାତ ଦଶନ୍ଧି ଧରି (ପ୍ରାକ୍ ସ୍ବାଧୀନତା କାଳରୁ ନୂଆଖାଲି ସାଂପ୍ରଦାୟିକ ଦଙ୍ଗାରୁ ଆରମ୍ଭ କରି ସାଂପ୍ରତିକ ଆକ୍ରମଣ ପର୍ଯ୍ୟନ୍ତ) ଭୟାବହ ସାଂପ୍ରଦାୟିକ ହିଂସାର ଶରବ୍ୟ ହୋଇ ଆସିଥିବା ବାଂଲାଦେଶୀ ହିନ୍ଦୁମାନଙ୍କ ସକାଶେ ସେଠାରେ ଦ୍ବିତୀୟ ଧର୍ମନିରପେକ୍ଷ ଦଳର ବିକଳ୍ପ ହିଁ ନାହିଁ। ସେହି ଦୃଷ୍ଟିରୁ ଆୱାମୀ ଲିଗ୍ ବାଂଲାଦେଶର ଏକମାତ୍ର ଧର୍ମନିରପେକ୍ଷ ଦଳ ନୁହେଁ ବୋଲି ଧାରଣା ସୃଷ୍ଟି କରିବାକୁ ଯାଇ ମହମ୍ମଦ ୟୁନୁସ ତାଙ୍କ ସାକ୍ଷାତକାରରେ ସତ୍ୟର ଅପଳାପ କରିଛନ୍ତି ମାତ୍ର! ସଂପ୍ରତି ବାଂଲାଦେଶରୁ ଉପଲବ୍ଧ ସମ୍ବାଦ ଅନୁସାରେ ସେଠାକାର ସରକାରୀ ଦପ୍ତରଗୁଡ଼ିକରେ ବିଧିବଦ୍ଧ ଭାବେ ‘ହିନ୍ଦୁ’ ଚିହ୍ନଟ ପ୍ରକ୍ରିୟାର ପ୍ରାରମ୍ଭ ହୋଇସାରିଛି। ଏହା ମହମ୍ମଦ ୟୁନୁସଙ୍କୁ ଜ୍ଞାତ ଥିବ ନିଶ୍ଚୟ! କିନ୍ତୁ, ଏଠାରେ ଯେଉଁ ପ୍ରଶ୍ନଟି ବିଚଳିତ କରିଥାଏ, ତାହା ହେଲା ଶାନ୍ତି ପାଇଁ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ଜଣେ ଉଦାରବାଦୀ ଓ ଗଣତାନ୍ତ୍ରିକ ଚେତନାଧାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ ହେଁ ତାଙ୍କ ଠାରୁ ଏଭଳି ପ୍ରତିଶୋଧପରାୟଣ, ପକ୍ଷପାତୀ ଓ ଦମନମୂଳକ ସ୍ବର ନିସୃତ ହେଉଛି କାହିଁକି? ସୁତରାଂ, ଏହାର ଉତ୍ତର ଖୋଜିବାର ଏକ ପ୍ରୟାସ କରାଯାଇପାରେ।
ସ୍ବାଧୀନ ବାଂଲାଦେଶ ଗଠନର ତିନି ବର୍ଷ ପରେ ଏକ ଆମେରିକୀୟ ବିଶ୍ବବିଦ୍ୟାଳୟରେ ଆକର୍ଷଣୀୟ ଅଧ୍ୟାପନା ବୃତ୍ତି ଛାଡ଼ି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିବା ଅର୍ଥନୀତିଜ୍ଞ ମହମ୍ମଦ ୟୁନୁସ ହେଉଛନ୍ତି ଅଭିନବ ‘ମାଇକ୍ରୋ ଫାଇନାନ୍ସ’ ବ୍ୟବସ୍ଥାର ସୂତ୍ରଧର, ଯଦ୍ଦ୍ବାରା ଦରିଦ୍ର ବାଂଲାଦେଶୀ ମହିଳାମାନଙ୍କ ଅଭୂତପୂର୍ବ ଆର୍ଥିକ ସଶକ୍ତୀକରଣ ସମ୍ଭବ ହୋଇଥିଲା। ସୁତରାଂ, ଏଥିରେ ଦ୍ବିରୁକ୍ତି ନାହିଁ ଯେ ପୃଥିବୀର ଶହେ ସରିକି ଦରିଦ୍ର ଓ ବିକାଶଶୀଳ ରାଷ୍ଟ୍ରରେ ବିଦ୍ୟମାନ ‘ସ୍ବୟଂ ସହାୟିକା ଗୋଷ୍ଠୀ’ର ମୂଳଦୁଆ ସେ ହିଁ ପକାଇଥିଲେ। ପ୍ରକାଶ ଥାଉ କି ତାଙ୍କ ଦ୍ବାରା ପରିଚାଳିତ ‘ବାଂଲାଦେଶ ଗ୍ରାମୀଣ ବ୍ୟାଙ୍କ’ ମାଧ୍ୟମରେ ୩୭ ବିଲିଅନ ଡଲାରର ବନ୍ଧକହୀନ ଋଣ ଦିଆଯାଇ ୧୦ ନିୟୁତ ମହିଳାଙ୍କୁ ଉପାର୍ଜନକ୍ଷମ ଓ ସ୍ବାବଲମ୍ବୀ କରାଯାଇପାରିଛି। ଏଥି ଲାଗି ୨୦୦୬ ମସିହାରେ ସେ ନୋବେଲ ଶାନ୍ତି ପୁରସ୍କାର ଲାଭ କରିଥିଲେ। କିନ୍ତୁ ବିଡ଼ମ୍ବନା ହେଲା, ଶେଖ ହସିନାଙ୍କ ତିନି ପାଳିର ପ୍ରଧାନମନ୍ତ୍ରିତ୍ବରେ ସେ ସନ୍ଦେହ ଓ ଅପବାଦର ପାତ୍ର ହୋଇ ପଡ଼ିଥିଲେ, ଯହିଁରେ ହସିନା ତାଙ୍କୁ ଦରିଦ୍ର ମହିଳାଙ୍କ ରକ୍ତ ଶୋଷଣକାରୀ ଭାବେ ଅଭିହିତ କରିଥିଲେ। ହସିନାଙ୍କ କାର୍ଯ୍ୟକାଳରେ ତାଙ୍କୁ ଅନେକ ଅଦାଲତୀ ମାମଲାରେ ଛନ୍ଦି ଦିଆଯାଇଥିଲା; ଏପରିକି ଏକ ନିମ୍ନ ଅଦାଲତ ତାଙ୍କୁ ଛଅ ମାସର ଅଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲା। ଏହି ସଂଦର୍ଭରେ ପ୍ରସିଦ୍ଧ ‘ଟାଇମ୍’ ପତ୍ରିକାରେ ପ୍ରକାଶିତ ଆଲେଖ୍ୟ ‘ଫ୍ରମ୍ ବ୍ୟାଙ୍କର୍ ଟୁ ଦ ପୁଅର୍ ଟୁ ଏ ବ୍ଲଡ୍ ସକର୍’ (ଦରିଦ୍ରଙ୍କ ଲାଗି ବ୍ୟାଙ୍କର୍ରୁ ରକ୍ତ ଶୋଷଣକାରୀ) ବିଶେଷ ପ୍ରଣିଧାନଯୋଗ୍ୟ, ଯହିଁରେ ଲେଖକ ଚାର୍ଲି କ୍ୟାଂପବେଲ ବର୍ଣ୍ଣନା କରିଛନ୍ତି କିଭଳି ୟୁନୁସଙ୍କୁ ସରକାରୀ ଆକ୍ରୋଶରୁ ମୁକ୍ତ କରିବା ସକାଶେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଜାତିସଂଘର ପୂର୍ବତନ ସେକ୍ରେଟାରି ଜେନେରାଲ ବାନ-କି ମୁନଙ୍କ ସମେତ ଶହେ ଜଣ ନୋବେଲ ପୁରସ୍କାର ବିଜେତା ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଏକ ପତ୍ର ମାଧ୍ୟମରେ ଆବେଦନ କରିଥିଲେ। ତାହା ହେଲେ କ’ଣ ଏବର ପରିବର୍ତ୍ତିତ ପରିସ୍ଥିତିରେ ଏହା ହେଉଛି ୟୁନୁସଙ୍କ ଦ୍ବାରା ନିଆଯାଉଥିବା ଏକ ପ୍ରତିଶୋଧ? ହୋଇପାରେ; ହୋଇ ନ ପାରେ ମଧ୍ୟ! କାରଣ ୟୁନୁସଙ୍କ ସହ ଘନିଷ୍ଠ ବ୍ୟକ୍ତିମାନଙ୍କ ମତରେ ଏଭଳି ପ୍ରତିଶୋଧପରାୟଣତା ତାଙ୍କ ସ୍ବଭାବ ବିରୁଦ୍ଧ! ସେମାନେ ଅନୁମାନ କରନ୍ତି ଯେ ମଧ୍ୟବର୍ତ୍ତୀକାଳୀନ ସରକାରର ପ୍ରଧାନ ଉପଦେଷ୍ଟା ରୂପେ ଦାୟିତ୍ବ ସଂପାଦନ କରୁଥିବା ଚଉରାଅଶୀ ବର୍ଷ ବୟସ୍କ ବୟୋବୃଦ୍ଧ ୟୁନୁସ ସମ୍ଭବତଃ ଜମାତ-ଇ-ଇସଲାମୀ ଓ ତା’ର ସମର୍ଥକମାନଙ୍କ ଚାପ ତଳେ ଅସହାୟ ହୋଇ ଯାଇଛନ୍ତି, ଯଦ୍ଦ୍ବାରା ତାଙ୍କ ଠାରୁ ଏଭଳି କଠୋର ସ୍ବର ନିର୍ଗତ ହେଉଛି! ଏହା ସୁବିଦିତ ଯେ ଜମାତ-ଇ-ଇସଲାମୀ ହେଉଛି ଏକ ଚରମ ମୌଳବାଦୀ ସଂଗଠନ ଯାହା ବାଂଲାଦେଶରେ ଶାରିଆତ ଶାସନ ପ୍ରଚଳନ କରିବାକୁ ବଦ୍ଧପରିକର ଏବଂ ଏହି ସଂଗଠନର ସଦସ୍ୟମାନେ ଅତ୍ୟନ୍ତ ସୁସଂଗଠିତ ଓ ଲକ୍ଷ୍ୟ ସାଧନ ଲାଗି ଅତ୍ୟନ୍ତ ଦୃଢ଼ପରିକର। ଏଥିରେ ଦ୍ବିରୁକ୍ତି ନାହିଁ ଯେ ଛାତ୍ର ବିରୋଧରୁ ଆାରମ୍ଭ ହୋଇଥିବା ବାଂଲାଦେଶ ଆନ୍ଦୋଳନ ଅବଲୀଳା କ୍ରମେ ଜମାତ୍-ଇ-ଇସଲାମୀ ଓ ତା’ର ଛାତ୍ର ସାମ୍ମୁଖ୍ୟ ବାଂଲାଦେଶ ଇସଲାମୀ ଛାତ୍ର ଶିବିରର ଅକ୍ତିଆରକୁ ଚାଲି ଆସିଥିଲା। ସଂପ୍ରତି ସେଠାକାର ରାଜନୀତି ଓ ଜନ ସମୁଦାୟଙ୍କ ମନୋଭାବ ଜମାତ-ଇ-ଇସଲାମୀର ମତାଦର୍ଶ ଦ୍ବାରା ଗଭୀର ଭାବେ ପ୍ରଭାବିତ।
ଏହି ମର୍ମରେ ଏକ ଚଟୁଳ ଲୋକକଥା ସ୍ମରଣକୁ ଆସେ। ବନ୍ୟାରେ ଭାସି ଯାଉଥିବା ଏକ କମ୍ବଳକୁ ଦେଖି କୂଳରେ ଥିବା ଜଣେ ବ୍ୟକ୍ତି ପାଣିକୁ ଲଂଫ ମାରି କମ୍ବଳକୁ କୂଳକୁ ଭିଡ଼ି ଆଣିବା ସକାଶେ ଉଦ୍ୟମ କରି କମ୍ବଳ ସହିତ ଦୂରକୁ ଭାସି ଯାଆନ୍ତେ, କୂଳରୁ ଲୋକେ ଚିତ୍କାର କରିଥିଲେ: କମ୍ବଳକୁ ଛାଡ଼ିଦେ ରେ ହତଭାଗା! ଏଥିରେ ଭାସି ଯାଉଥିବା ବ୍ୟକ୍ତିର କରୁଣ ଉତ୍ତର ଥିଲା: ମୁଁ ତ ଛାଡ଼ି ସାରିଲିଣି! ହେଲେ, କମ୍ବଳ ମୋତେ ଛାଡୁନାହିଁ!’ ସେ ଦିନ ସେହି କମ୍ବଳଟି ପ୍ରକୃତରେ ଥିଲା ଗୋଟିଏ ଭାଲୁ। ମଧ୍ୟବର୍ତ୍ତୀ ସରକାରର ପ୍ରଧାନ ଉପଦେଷ୍ଟା ମହମ୍ମଦ ୟୁନୁସଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି। କମ୍ବଳ ବଦଳରେ ସେ ଯାହାକୁ ଧରିଛନ୍ତି ତାହା ହେଉଛି ଜମାତ-ଇ-ଇସଲାମୀ ନାମକ ଏକ ଭାଲୁ, ଯାହା କବଳରୁ ନିସ୍ତାର ନାହିଁ!