ସଂଜୟଙ୍କ ଦୃଷ୍ଟି ଥିଲା ‘କ୍ୟା‌େମରା ଲେନ୍‌ସ’ତୁଲ୍ୟ ସଂପୂର୍ଣ୍ଣ ନିରାସକ୍ତ ଏବଂ ନିଷ୍ପକ୍ଷ, ଯାହାକୁ କୁହାଯାଇଥାଏ ‘ପରମ ସାକ୍ଷୀ ଭାବ’ ଅର୍ଥାତ୍‌ କେବଳ ମାତ୍ର ‘ସାକ୍ଷୀ’ ଭଳି ଦେଖିବାର ସାମର୍ଥ୍ୟ। ପାସୋରିଗଲେ ହେବ ନାହିଁ ଯେ ତାଙ୍କର ଶ୍ରୋତା ଥିଲେ ଧୃତରାଷ୍ଟ୍ର, ଯାହାଙ୍କ ସମୁଦାୟ ବଂଶ ଭ୍ରାତୃ-ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲା ଏବଂ ତାଙ୍କ ପ୍ରାଣପ୍ରିୟ ପୁତ୍ରଗଣ ଥିଲେ ଯୁଦ୍ଧର ଗୋଟିଏ ମୁଖ୍ୟ ପକ୍ଷ। ସଂଜୟ ଚାହିଁଥଲେ ତାଙ୍କ ବର୍ଣ୍ଣନାରେ ହୁଏତ ସାମାନ୍ୟ ଭାବୋଚ୍ଛ୍ବାସର ମିଶ୍ରଣ ଘଟାଇ ପାରିଥାଆନ୍ତେ! କିନ୍ତୁ, ତାହା ବାର୍ତ୍ତା ସଂଚାରର ମୂଳ ଆଦର୍ଶ ‘ନିଷ୍ପକ୍ଷତା’କୁ ପ୍ରତିହତ କରିଥାନ୍ତା; ବାର୍ତ୍ତାବହକୁ ପକ୍ଷଭୁକ୍ତ କରି ପକାଇଥାନ୍ତା।

Advertisment

ସଂପ୍ରତି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ଯୁଦ୍ଧପ୍ରାୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଗଣମାଧ୍ୟମ, ବିଶେଷତଃ ଇଲେକ୍ଟ୍ରେ୍ାନିକ୍‌ସ ଏବଂ ଡିଜିଟାଲ ଗଣମାଧ୍ୟମ ସକାଶେ ଏକ କଟକଣାମୂଳକ ମାର୍ଗଦର୍ଶିକା ଜାରି କରାଯାଇଥିବା ବିଷୟ ପ୍ରଣିଧାନଯୋଗ୍ୟ, ଯାହାର ସାରାଂଶ ମାତ୍ର ଧାଡ଼ିଏ ଯେ ‘ସଂଯମ ଓ ଦାୟିତ୍ବଶୀଳତା ଅବଲମ୍ବନ କର।’ କହିବାରେ ଦ୍ବିଧା ନାହିଁ ଯେ ପୃଥିବୀର ଏହି ବୃହତ୍ତମ ଗଣତନ୍ତ୍ରରେ ଅଧିକାଂଶ ଇଲେକ୍ଟ୍ରୋନିକ ଗଣମାଧ୍ୟମ (ସାମାଜିକ ଗଣମାଧ୍ୟମ ମଧ୍ୟ) ପରିପକ୍ବତା ପ୍ରଦର୍ଶନ କରିବା ପରିବର୍ତ୍ତେ ସେହି ଉଦ୍ଦଣ୍ଡ ବାଳକତୁଲ୍ୟ ଆଚରଣ କରିଥାଆନ୍ତି, ଯିଏ ଦୃଷ୍ଟି ଆକର୍ଷଣ କରିବା ସକାଶେ କାରଣେ ଅକାରଣେ କେଳାହଳ ସୃଷ୍ଟିରେ ପ୍ରବୃତ୍ତ ଥାଏ। ଏଭଳି ସ୍ଥଳେ ଏହି ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ। 
ଏହି ମାର୍ଗଦର୍ଶିକାରେ ତିନିଟି ପ୍ରମୁଖ ବିନ୍ଦୁ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି, ଯାହା ‘ଜାତୀୟ ନିରାପତ୍ତା’ ଦୃଷ୍ଟିରୁ ଅତ୍ୟନ୍ତ ଅପରିହ‌ାର୍ଯ୍ୟ। ତହିଁରୁ ପ୍ରଥମଟି ହେଲା, ଆତଙ୍କବାଦୀ ବିରୋଧୀ କୌଣସି କାର୍ଯ୍ୟାନୁଷ୍ଠାନ ବା ଅପରେସନ ବା ଯୁଦ୍ଧ ଅଥବା ପ୍ରତିରକ୍ଷା ସମ୍ବନ୍ଧୀୟ ସମ୍ବାଦ ପରିବେଷଣ ବେଳେ ଘୋର ସତର୍କତା ଅବଲମ୍ବନ, ଦ୍ବିତୀୟଟି ହେଲା ଏଭଳି କୌଣସି କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧରେ ଆଗୁଆ ଖବର (କୌଣସି ସୂତ୍ରରୁ ଉପଲବ୍‌ଧ)ପ୍ରଦାନ ଅଥବା ସେଭଳି କୌଣସି ଘଟଣାର ସିଧା ପ୍ରସାରଣରୁ ସଂପୂର୍ଣ୍ଣ କ୍ଷାନ୍ତ ରହିବା ଏବଂ ତୃତୀୟଟି ହେଲା‌ କେବଳ ବିଭାଗୀୟ ୱେବସାଇଟ୍‌ରେ ସ୍ଥାନିତ ତଥ୍ୟ ଏବଂ ନିର୍ଦ୍ଦିଷ୍ଟ ରୂପେ ଅଧିକାରପ୍ରାପ୍ତ ଅଧିକାରୀଙ୍କ ପ୍ରଦତ୍ତ ପ୍ରେସ ବିବୃତ୍ତିକୁ ହିଁ ସମ୍ବାଦର ଉପଜୀବ୍ୟ ଭାବେ ଗ୍ରହଣ କରିବା। ସେହି ମାର୍ଗଦର୍ଶିକାରେ ୧୯୯୯ ମସିହାର କାରଗିଲ ଯୁଦ୍ଧ, ସେହିବର୍ଷ ଡିସେମ୍ବର ମାସରେ କାନ୍ଦାହାର ବିମାନ ଅପହରଣ ଘଟଣା ଏବଂ ୨୦୦୮ ମସିହା ୨୬/୧୧ ମୁମ୍ବା‌ଇ ଆତଙ୍କବାଦୀ ଆକ୍ରମଣ ଭଳି ଘଟଣାର ଦୃଷ୍ଟାନ୍ତ ଦେଇ କୁହାଯାଇଛି, କିଭଳି ଏହି ସବୁ ଘଟଣାରେ ଚବିଶ ଘଣ୍ଟିଆ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକ ଦ୍ବାରା ପ୍ରତ୍ୟକ୍ଷଦର୍ଶୀ ସମ୍ବାଦ ପ୍ରସାରଣ କରିବାର ଆଗ୍ରହାତିଶଯ୍ୟ ପ୍ରକାରାନ୍ତରେ ଶତ୍ରୁପକ୍ଷ ସକାଶେ ଅମ୍ଳଜାନ ସଦୃଶ ହୋଇଥିଲା। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟ‌େର ଏଭଳି ସିଧା ପ୍ରସାରଣ ହେତୁ ଟେଲିଭିଜନ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକ ଚୁମ୍ବକୀୟ କ୍ଷେତ୍ରରେ ପରିଣତ ହୋଇଥିଲେ ସିନା‌, ବିଡ଼ମ୍ବନାଟି ଥିଲା ତାଜ ହୋଟେଲରେ ଆତ୍ମଗୋପନ କରି ରହିଥିବା ଆତଙ୍କବାଦୀମାନଙ୍କ ଦୃଷ୍ଟି ଆଡୁଆଳରେ ପ୍ରସ୍ତୁତ କରାଯାଉଥିବା କମାଣ୍ଡୋ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧୀୟ ଖବରମାନ ହୋଟେଲରେ ଥିବା ଟେଲିଭିଜନ ମାଧ୍ୟମରେ ସେହି ଆତଙ୍କବାଦୀଙ୍କ ନିକଟରେ ମଧ୍ୟ ପହଞ୍ଚିଥିଲା। ଠିକ୍‌ ସେହିଭଳି ଘଟିଥିଲା କାରଗିଲ ଯୁଦ୍ଧ ସମୟରେ। ସେ ସଂଦର୍ଭରେ ୧୭ ଜାଟ ରେଜିମେଣ୍ଟର ନେତୃତ୍ବ ନେଉଥିବା ବ୍ରିଗେଡିଅର ଉମେର ସିଂହ ବାୱାଙ୍କ ମନ୍ତବ୍ୟ କହିଥିଲା ଯେ ନିଭୃତରେ ଭାରତୀୟ ସୈନିକମାନେ ଛକି ବସିଥିବା ଗୁମ୍ଫାକୁ କେତେକ ସାଟେଲାଇଟ୍‌ ଫୋନ୍‌ଧାରୀ ସାମ୍ବାଦିକ ସେମାନଙ୍କ ପ୍ରସାରଣରେ ଦେଖାଇ ଦେଇଥିଲେ, ଯଦ୍ଦ୍ବାରା ସେମାନେ ପାକିସ୍ତାନୀ ବୋମା ବର୍ଷଣର ଶିକାର ହୋଇଥିଲେ। କାନ୍ଦାହାର ବିମାନ ଅପହରଣ ଘଟଣା ସଂପର୍କରେ ସ୍ମୃତି ଚାରଣ କରି ତତ୍କାଳୀନ ବିଦେଶ ସଚିବ ଶ୍ୟାମ ଶରଣ କହିଥିଲେ ଯେ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଦ୍ବାରା ଦେଶରେ ଏଭଳି ଆବେଗ ସୃଷ୍ଟି କରି ଦିଆଯାଇଥିଲା ଯେ ସରକାର ଆତଙ୍କବାଦୀଙ୍କ ସମକ୍ଷରେ ନତମସ୍ତକ ହେବାକୁ ବାଧ୍ୟ ହୋଇଥିଲେ। ବର୍ତ୍ତମାନ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତୀୟ ଟେଲିଭିଜନ ନ୍ୟୁଜ୍‌ ରୁମ୍‌ଗୁଡ଼ିକ ବସ୍ତୁତଃ କୋଳାହଳମୟ ଯୁଦ୍ଧ କ୍ଷେତ୍ରରେ ପରିଣତ ହୋଇ ଯାଇଥିବା ବେଳେ ସରକାରଙ୍କ ପକ୍ଷରୁ ଏଭଳି ମାର୍ଗଦର୍ଶିକା ପ୍ରଚଳନ କରିବାରେ ବିସ୍ମୟର ବିଶେଷ ଅବକାଶ ନ ଥାଏ। 
ଏହା ପ୍ରାୟ ସମସ୍ତଙ୍କୁ ଗୋଚର ଯେ ଭାରତୀୟ ଟେଲିଭିଜନ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକ ଅଧିକରୁ ଅଧିକ ‘ଟି.ଆର୍‌.ପି.’(ଟେଲିଭିଜନ ରେଟିଂ ପଏଣ୍ଟ) ଲାଭ କରିବା ସକାଶେ ଅହେତୁକ ଚାଞ୍ଚଲ୍ୟ ସୃଷ୍ଟିରେ ପ୍ରବୃତ୍ତ। ‘ଟି.ଆର୍‌.ପି.’ ତାଲିକାରେ ସ୍ଥାନର କ୍ରମିକତା ଆଧାରରେ କୌଣସି ଚ୍ୟାନେଲର ଲୋକପ୍ରିୟତା ଆନୁଷ୍ଠାନିକ ସ୍ବୀକୃତି ଲାଭ କରେ ଓ ତଦନୁସାରେ ବିଜ୍ଞାପନର ମୂଲ୍ୟ ଏବଂ ସ୍ରୋତ ନିର୍ଣ୍ଣିତ ହୋଇଥାଏ, ଯଦିଓ ‘ଟି.ଆର୍‌.ପି.’ ନିର୍ଦ୍ଧାରଣ ପଦ୍ଧତିର ପାରଦର୍ଶିତାକୁ ନେଇ ପ୍ରଶ୍ନ ଉଠିଥାଏ। ୨୦୨୧ ମସିହାରେ ଏହାକୁ ନେଇ ଏକ ଗୁରୁତର ଦୁର୍ନୀତିର ଅଭିଯୋଗ ମଧ୍ୟ ହୋଇଥିଲା, ଯହିଁରେ ଦେଶର ଗୋଟିଏ ମୁଖ୍ୟ ଟେଲିଭିଜନ ଚ୍ୟାନେଲ ଏବଂ ତା’ର ସୁପ୍ରସିଦ୍ଧ ‘ଆଙ୍କର’ ବା ସୂତ୍ରଧର ଗିରଫଦାରିର ସମ୍ମୁଖୀନ ହୋଇଥିଲେ। ତେବେ, ସେ ଯାହା ହେଉ, ଅଧିକରୁ ଅଧିକ ‘ଟି.ଆର୍‌.ପି.’ ଲାଭ କରିବାର ପ୍ରତିଦ୍ବନ୍ଦ୍ବିତାରେ ଯେଉଁ ଧାରାଟି ସୃଷ୍ଟି ହୋଇଛି, ତହିଁରେ ନ୍ୟୁଜ୍‌ ‘ଆଙ୍କର’ମାନଙ୍କ ସ୍ବର, ଅଙ୍ଗଭଙ୍ଗୀ, ମନୋଭାବ, ମତ ଓ ମନ୍ତବ୍ୟ ଇତ୍ୟାଦି କୌଣସି ଏକ ମାମୁଲି ଘଟଣାକୁ ମଧ୍ୟ ଭୂଚଳନ ସୃଷ୍ଟିକାରୀ ଭଳି ପ୍ରତ୍ୟୟ ସୃଷ୍ଟି କରିବାର ପ୍ରୟାସ କରୁଛି ତ କେତେବେଳେ ଭାବଗମ୍ଭୀର ବିଷୟମାନ ମଧ୍ୟ ଉଦ୍ଭଟତାର ଅରମାରେ ପଥ ହରାଉଛନ୍ତି; ଯେମିତି ଘଟିଥିଲା ସୁଶାନ୍ତ ସିଂହ ରାଜପୁତଙ୍କ ବିମର୍ଷକର ଆତ୍ମହତ୍ୟା ସଂଦର୍ଭରେ, ଯାହାକୁ ନେଇ ସମ୍ବାଦ ପରିବେଷଣ ଅଚିରେ ଏକ ହାସ୍ୟାସ୍ପଦ ତାମସାରେ ପରିଣତ ହୋଇଥିଲା। ପ୍ରକାଶ ଥାଉ କି, ଉଦାହରଣୀୟ ଟେଲିଭିଜନ ଗଣମାଧ୍ୟମର ପରଂପରା ବହନ କରିଥିବା ଗ୍ରେଟ୍‌ ବ୍ରିଟେନ୍‌ରେ ଚବିଶ ଘଣ୍ଟିଅା ନ୍ୟୁଜ୍‌ ଚ୍ୟାେନଲର ସଂଖ୍ୟା ମାତ୍ର ଦୁଇଟି: ବି.ବି.ସି. ଏବଂ ‘ସ୍କାଏ ନ୍ୟୁଜ୍‌’। ସେଠାରେ ଟେଲିଭିଜନ ‘ଆଙ୍କର’ମାନେ କିଭଳି ଦୃଢ଼, ଅବିଚଳିତ, ନିଷ୍କମ୍ପ ଏବଂ ଅନୁଚ୍ଚାଟିତ ସ୍ବରରେ ଖବର ପରିବେଷଣ କରନ୍ତି ବା ‘ପ୍ୟାନେଲ ଆଲୋଚନା’ ସଂପାଦନ କରନ୍ତି, ତାହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଥିଲା ମହାକାଶଚାରିଣୀ ସୁନୀତା ୱିଲିଅମସଙ୍କ ଧରାବତରଣ କାଳରେ। ଦୀର୍ଘ ୨୮୯ ଦିନ ମହାକାଶରେ ଅଗତ୍ୟା ଅଟକି ରହିଯାଇଥିବା ସୁନୀତାଙ୍କୁ ଧରି ଆସିଥିବା ‘ସ୍ପେସ ଏକସ’ ମହାକାଶ ଯାନଟି ଧରଣୀ ଛୁଇଁବା ଦୃଶ୍ୟର ସିଧା ପ୍ରସାରଣ ସର୍ବତ୍ର ଚାଲିଥିବା ବେଳେ ଏକ ମହାକାଶୀୟ ଘଟଣା ରୂପେ ଏହାର ‘ସାଧାରଣତା’କୁ ରେଖାଙ୍କିତ କରି ବି.ବି.ସି.ର ‘ଆଙ୍କର’ ସଂପୂର୍ଣ୍ଣ ଚାଞ୍ଚଲ୍ୟହୀନ ସ୍ବରରେ ସମସ୍ତ ତଥ୍ୟ ଓ ସୂଚନା ଅତି ପ୍ରାଂଜଳ ଏବଂ ସାବଲୀଳ ଭାବେ ପ୍ରଦାନ କରୁଥିବା ବେଳେ ଏହି ଉପମହାଦେଶରେ ‘ଆଙ୍କର’ମାନଙ୍କ ସ୍ବର ‘ତାର ସପ୍ତକ’ ସ୍ପର୍ଶ କରିଥିଲା, ସତେ ‌େଯମିତି ଏହା ଏକ ଅଭୂତପୂର୍ବ ଓ ଅଶ୍ରୁତପୂର୍ବ ମହାଜାଗତିକ ଘଟଣା! କହିବା ବାହୁଲ୍ୟ ଯେ ଏହାର କାରଣ ଅଧିକ ‘ଟି.ଆର୍‌.ପି.’ ଲାଭ କରିବାର ଦୁର୍ବାର କାମନା। ଏହି କାରଣରୁ ଭାରତୀୟ ଟେଲିଭିଜନ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକ ଅନେକ ସମୟରେ ସଂବେଦନାଶୂନ୍ୟ ଏବଂ ଦାୟିତ୍ବହୀନ‌ ମଧ୍ୟ ହୁଅନ୍ତି, ଯେଉଁ ପ୍ରକରଣରେ ନ୍ୟୁଜ୍‌ ରୁମ୍‌ଗୁଡ଼ିକ କଙ୍ଗାରୁ ଅଦାଲତ, ମାଛ ହାଟ, ମୁଷ୍ଟି ଯୁଦ୍ଧର ଆଖଡ଼ାରେ ମଧ୍ୟ ପରିଣତ ହୁଅନ୍ତି ଏବଂ ଏହାକୁ ମୁକ୍ତ ଅଭିବ୍ୟକ୍ତିର ଅଧିକାର ରୂପେ ଦର୍ଶାଯାଏ। ଏଭଳି ସ୍ଥ‌େଳ ଏହି ମାର୍ଗଦର୍ଶିକା ସେହି ଆକାଂକ୍ଷିତ ସଂଯମ ଲାଗି ଚ୍ୟାନେଲଗୁଡ଼ିକୁ ପ୍ରସ୍ତୁତ କରିବେ, ଯଦ୍ଦ୍ବାରାଏକ ପ୍ରକାର ପରିପକ୍ବତା ମଧ୍ୟ ପରିଦୃଷ୍ଟ ହୋଇପାରେ।
ଟେଲିଭିଜନ ସମ୍ବାଦ ପରିବେଷଣ ସଂଦର୍ଭରେ ଅନେକ ସମୟରେ ମହାଭାରତରେ ବର୍ଣ୍ଣିତ ସଂଜୟଙ୍କ ଉଦାହରଣ ଦିଆଯାଇଥାଏ, ଯିଏ ଦୃଷ୍ଟିହୀନ ଧୃତରାଷ୍ଟ୍ରଙ୍କୁ ମହାଭାରତ ଯୁଦ୍ଧର ଏକ ପ୍ରତ୍ୟକ୍ଷଦର୍ଶୀ ଅଥଚ ଭାବହୀନ ଧାରା ବିବରଣୀ ପ୍ରଦାନ କରିଥିଲେ। କହିବ‌ା ବାହୁଲ୍ୟ ଯେ ସଂଜୟଙ୍କ ଦୃଷ୍ଟି ଥିଲା ‘କ୍ୟା‌େମରା ଲେନ୍‌ସ’ତୁଲ୍ୟ ସଂପୂର୍ଣ୍ଣ ନିରାସକ୍ତ ଏବଂ ନିଷ୍ପକ୍ଷ, ଯାହାକୁ କୁହାଯାଇଥାଏ ‘ପରମ ସାକ୍ଷୀ ଭାବ’ ଅର୍ଥାତ୍‌ କେବଳ ମାତ୍ର ‘ସାକ୍ଷୀ’ ଭଳି ଦେଖିବାର ସାମର୍ଥ୍ୟ। ପାସୋରିଗଲେ ହେବ ନାହିଁ ଯେ ତାଙ୍କର ଶ୍ରୋତା ଥିଲେ ଧୃତରାଷ୍ଟ୍ର, ଯାହାଙ୍କ ସମୁଦାୟ ବଂଶ ଭ୍ରାତୃ-ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲା ଏବଂ ତାଙ୍କ ପ୍ରାଣପ୍ରିୟ ପୁତ୍ରଗଣ ଥିଲେ ଯୁଦ୍ଧର ଗୋଟିଏ ମୁଖ୍ୟ ପକ୍ଷ। ସଂଜୟ ଚାହିଁଥଲେ ତାଙ୍କ ବର୍ଣ୍ଣନାରେ ହୁଏତ ସାମାନ୍ୟ ଭାବୋଚ୍ଛ୍ବାସର ମିଶ୍ରଣ ଘଟାଇ ପାରିଥାଆନ୍ତେ! କିନ୍ତୁ, ତାହା ବାର୍ତ୍ତା ସଂଚାରର ମୂଳ ଆଦର୍ଶ ‘ନିଷ୍ପକ୍ଷତା’କୁ ପ୍ରତିହତ କରିଥାନ୍ତା; ବାର୍ତ୍ତାବହକୁ ପକ୍ଷଭୁକ୍ତ କରି ପକାଇଥାନ୍ତା। ଏବେ ମଧ୍ୟ ସାରା ପୃଥିବୀର ସାମ୍ବାଦକତା ତାଲିମ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀମାନେ ନିଷ୍ପକ୍ଷ ସମ୍ବାଦ ପରିବେଷଣକୁ ଆଧାର ଶିଳା ବୋଲି ମାନି ପ୍ରଶିକ୍ଷିତ ହେବାରେ ଲାଗିଛନ୍ତି। କିନ୍ତୁ ଭାରତୀୟ ଟେଲିଭିଜନ ଗଣମାଧ୍ୟମର କ୍ରୂର ବାସ୍ତବତାଟି ହେଲା ‘ଟି.ଆର୍‌.ପି’ର ତାଲିକା ଉପରେ ନିବଦ୍ଧ ଦୃଷ୍ଟି ସଂଜୟଙ୍କ ଦୃଷ୍ଟି ଏବଂ ସଂଯମକୁ ସମ୍ଭବ କରିପାରୁନାହିଁ!