କ୍ବାଣ୍ଟମ୍ କମ୍ପ୍ୟୁଟର୍ରେ ବ୍ୟବହାର ଲାଗି ସ୍ଥିର ‘କ୍ୟୁବିଟ୍ସ’ ସମ୍ଭବ ହେବା ପାଇଁ ଦୀର୍ଘ ୨୦ ବର୍ଷର ଅନୁସନ୍ଧାନ ଓ ଗବେଷଣା ପରେ ସେମାନେ ‘ମାୟୋରାନା ୧’ ନାମକ ଯେଉଁ ଚିପ୍ ଉଦ୍ଭାବନ କରିଛନ୍ତି, ତାହା ‘‘ବର୍ତ୍ତମାନ ସାରା ପୃଥିବୀରେ ଥିବା ସମସ୍ତ କମ୍ପ୍ୟୁଟର୍ମାନେ ମିଳିତ ଭାବରେ କାର୍ଯ୍ୟ କରିବା ନିମିତ୍ତ ଆବଶ୍ୟକ କରୁଥିବା ଶକ୍ତିଠାରୁ ଅଧିକ ଶକ୍ତି ଯୋଗାଇପାରିବ’’ ବୋଲି ମାଇକ୍ରୋସଫ୍ଟ ଘୋଷଣା କରିଛି। ଏଥିପାଇଁ ସେମାନେ ମଧ୍ୟ ପଦାର୍ଥର ଏକ ନୂତନ ଅବସ୍ଥା ଆବିଷ୍କାର କରିଛନ୍ତି, ଯାହା ତିନି ପାରମ୍ପରିକ ଅବସ୍ଥା - କଠିନ, ତରଳ ଓ ବାଷ୍ପୀୟ - ମଧ୍ୟରୁ କେଉଁଟି ହେଲେ ନୁହେଁ।
ଅଦ୍ବୈତ ବେଦାନ୍ତ ଦର୍ଶନର ମାୟାବାଦ ଉପରେ ପ୍ରତିଷ୍ଠିତ ପଦାର୍ଥ ବିଜ୍ଞାନର ‘କ୍ବାଣ୍ଟମ୍ ମେକାନିକ୍ସ’ ତତ୍ତ୍ବ ସର୍ବଦା ପଦାର୍ଥ ବିଜ୍ଞାନୀରୁ ସାଧାରଣ ଅନୁସନ୍ଧିତ୍ସୁ ପର୍ଯ୍ୟନ୍ତଙ୍କୁ ଏକ ଇନ୍ଦ୍ରଜାଲ ପରି ମନେ ହୋଇ ଆସିଛି। ଉଦାହରଣ ସ୍ବରୂପ ‘କ୍ବାଣ୍ଟମ୍ ମେକାନିକ୍ସ’ ଅନ୍ତର୍ଗତ ‘କଣିକା’ (ପାର୍ଟିକ୍ଲସ୍’)ମାନଙ୍କ ‘ସୁପର୍ପୋଜିସନ୍’ (‘ଅତି-ଅବସ୍ଥିତି’ ରୂପେ ଅନୁବାଦ କରାଯାଇପାରେ) ଉପରେ ଦୃଷ୍ଟି ନିକ୍ଷେପ କରାଯାଉ। ବେଦାନ୍ତ ଅନୁସାରେ ଅନ୍ତିମ ସତ୍ୟ ‘ବ୍ରହ୍ମନ୍’ ହେଉଛି ଏକ ଓ ଅଭିନ୍ନ, କିନ୍ତୁ ଆମେ ଦୃଶ୍ୟମାନ ଜଗତରେ ଯେଉଁ ଭିନ୍ନ ଭିନ୍ନ ପଦାର୍ଥମାନ ଦେଖିଥାଉ, ତାହା ହେଉଛି କେବଳ ଆମକୁ ବିଭ୍ରାନ୍ତ କରୁଥିବା ମାୟା ମାତ୍ର। ସେଇଭଳି କଣିକାମାନ ଏକ ସମୟରେ ବିଭିନ୍ନ ଅବସ୍ଥାରେ ଅବସ୍ଥିତ ହୋଇପାରନ୍ତି, ଯାହା ସ୍ଥୂଳ ଦୃଷ୍ଟିରେ ଆମକୁ ଅସମ୍ଭବ ମନେ ହୋଇଥାଏ; କିନ୍ତୁ ଏହି ପରସ୍ପର-ନାକଚକାରୀ ବିଭିନ୍ନତା ମଧ୍ୟରେ ବ୍ରହ୍ମନ୍ ପରି ଏକମାତ୍ର ସତ୍ୟଟିଏ ବିରାଜମାନ କରୁଥାଏ।
ତେବେ ଅଣୁ ଠାରୁ କ୍ଷୁଦ୍ରତର ଇଲେକ୍ଟ୍ରନ୍ ଭଳି କଣିକାମାନଙ୍କ ଜଗତରେ ଏଭଳି ବେଦାନ୍ତୀୟ ଘଟଣା ଘଟି ଚାଲିଥିଲେ ହେଁ ଆମର ପରିଚିତ ବାସ୍ତବ ଜଗତର ବୃହତ୍ତର ପଦାର୍ଥମାନଙ୍କ କ୍ଷେତ୍ରରେ ଏଭଳି ଏକ ଚିତ୍ର ସଂପୂର୍ଣ୍ଣ ଉଦ୍ଭଟ ମନେ ହୋଇଥାଏ: ଆପଣ ଏକ ସମୟରେ ଘର ଭିତରେ ଓ ବଗିଚାରେ ବସି ଏହି ସ୍ତମ୍ଭଟି ପାଠ କରିବା ସମ୍ଭବ କି? ସେ ‘କ୍ବାଣ୍ଟମ୍ ମେକାନିକ୍ସ’କୁ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ଲାଭ କରିବାର ଦୁଇ ବର୍ଷ ପରେ ୧୯୩୫ରେ ବେଦାନ୍ତ ଦର୍ଶନ ଦ୍ବାରା ଗଭୀର ଭାବରେ ପ୍ରଭାବିତ ଅଷ୍ଟ୍ରୀୟ ପଦାର୍ଥ ବିଜ୍ଞାନୀ ଏର୍ୱିନ୍ ସ୍ରୋଡିଙ୍ଗର୍ ବୃହତ୍ତର ଜଗତରେ ‘କ୍ବାଣ୍ଟମ୍ ପ୍ରଭାବ’ ସମ୍ବନ୍ଧରେ ଧାରଣା କରିବାରେ ସହାୟକ ହେବା ପାଇଁ ଏକ ପ୍ରସିଦ୍ଧ ଚିନ୍ତନ ପରୀକ୍ଷାର ପରିକଳ୍ପନା କରିଥିଲେ।
ଏହି ପରୀକ୍ଷାର ଅଂଶସ୍ବରୂପ ସ୍ରୋଡିଙ୍ଗର୍ ଏକ କାଳ୍ପନିକ ବିଲେଇକୁ ଏକ କାଳ୍ପନିକ ବାକ୍ସରେ ବନ୍ଦ କରିଦେଲେ। ତା’ ପରଠାରୁ ଏ ପର୍ଯ୍ୟନ୍ତ କେହି ନିଶ୍ଚିତ ହୋଇପାରି ନାହାନ୍ତି ସେ ବିଲେଇଟି ଜୀବିତ ନା ମୃତ। ସଂକ୍ଷେପରେ ସେ ପରୀକ୍ଷାଟି ହେଉଛି ନିମ୍ନ ବର୍ଣ୍ଣିତ ଭଳି। ସେ ନିବୁଜ ବାକ୍ସରେ ସେ ବିଲେଇଟି (ଯିଏ ହେଉଛି କୌଣସି ଅଦୃଶ୍ୟ କଣିକା ତୁଳନାରେ ଦୃଶ୍ୟମାନ ଜଗତର ଅଂଶ ଏକ ବୃହତ୍ ପଦାର୍ଥ) ବ୍ୟତୀତ ଆଉ ଯାହା ଯାହା ଥୁଆହୋଇଥାନ୍ତି, ତାହା ହେଲା ଏକ ବିକିରଣଶୀଳ (‘ରେଡିଓଆକ୍ଟିଭ୍’) ପଦାର୍ଥ ଯାହାର ବିକିରଣ ଘଟାଇବାର ସମ୍ଭାବନା (‘ପ୍ରୋବାବିଲଟି’) ହେଉଛି ୫୦ ପ୍ରତିଶତ; ଏକ ବିକିରଣ ଚିହ୍ନଟକାରୀ ଯନ୍ତ୍ର (‘ରେଡିଏସନ୍ ଡିଟେକ୍ଟର୍’); ଏକ ହାତୁଡ଼ି ଓ ଏକ ମାରାତ୍ମକ ବିଷଭର୍ତ୍ତି ଶିଶି। ଏହି ଅନ୍ୟ ପଦାର୍ଥଗୁଡ଼ିକ ପରସ୍ପର ସହିତ ଏପରି ସଂଯୁକ୍ତ ହୋଇଥାନ୍ତି ଯେ ଯଦି ‘ରେଡିଏସନ୍ ଡିଟେକ୍ଟର୍’ ସେ ବାକ୍ସ ଭିତରେ କୌଣସି ବିକିରଣ ଘଟିବା ଚିହ୍ନଟ କରେ, ତେବେ ତା’ର ପ୍ରତିକ୍ରିୟା ସ୍ବରୂପ ତାହା ସେ ହାତୁଡ଼ିଟିକୁ ସକ୍ରିୟ କରିଦେବ, ଯିଏ ସେ ଶିଶିଟିକୁ ପ୍ରହାର କରି ଭାଙ୍ଗିଦେବ ଓ ସେଥିରୁ ନିର୍ଗତ ବିଷ ବିଲେଇଟିର ମୃତ୍ୟୁ ଘଟାଇବ।
କିନ୍ତୁ ରେଡିଓଆକ୍ଟିଭ୍ ପଦାର୍ଥରୁ ବିକିରଣ ଘଟିବାର ଯେତିକି ସମ୍ଭାବନା ଥାଏ, ବିକିରଣ ନ ଘଟିବାର ମଧ୍ୟ ଠିକ୍ ସେତିକି ସମ୍ଭାବନା ଥିବାରୁ ବନ୍ଦ ବାକ୍ସ ଭିତରେ କ’ଣ ଘଟିଲା, ତାହା ବାହାରେ ଥାଇ କେହିହେଲେ ନିଶ୍ଚିତ ଭାବରେ କହିପାରିବ ନାହିଁ। କ୍ବାଣ୍ଟମ୍ ନିୟମ ଅନୁସାରେ ବାକ୍ସ ଭିତରେ ଯାହା ଘଟିପାରିବାର ସମ୍ଭାବନା ଥାଏ, ତାହା ଘଟିଥାଏ- ଅର୍ଥାତ୍ ବିକିରଣ ଘଟିଥାଏ ଓ ଘଟି ନ ଥାଏ; ଶିଶିଟି ଭାଙ୍ଗିଥାଏ ଓ ଭାଙ୍ଗି ନ ଥାଏ; ଶିଶିରୁ ବିଷ ବାହାରିଥାଏ ଓ ବାହାରି ନ ଥାଏ; ବିଲେଇଟିର ମୃତ୍ୟୁ ଘଟିଥାଏ ଓ ଘଟି ନ ଥାଏ। ବିଲେଇଟି ଏକ ସମୟରେ ଜୀବିତ ଓ ମୃତ; ଆପଣ ଏକ ସମୟରେ ଘର ଭିତରେ ଓ ବଗିଚାରେ ବସି ଏହାକୁ ପଢୁଛନ୍ତି: ଏହା ହେଉଛି ବୃହତ୍ତର ସ୍ତରରେ କ୍ବାଣ୍ଟମ୍ ସମ୍ଭାବନାମାନଙ୍କର ‘ସୁପର୍ପୋଜିସନ୍’। ଆପଣ ଯେତେବେଳେ ବାକ୍ସଟିକୁ ଖୋଲି ଦିଅନ୍ତି ଓ ଜୀବନ୍ତ ବିଲେଇଟି ତା’ ଭିତରୁ ବାହାରି ଡିଅଁାମାରି ପଳାଇଯାଏ (ଆମେ ଜୀବେଦୟାରେ ବିଶ୍ବାସ କରିଥାଉ), ସେତେବେଳେ ଆପଣ ଅର୍ଥାତ୍ ପର୍ଯ୍ୟବେକ୍ଷକଙ୍କ ହସ୍ତକ୍ଷେପ ଯୋଗୁଁ ଅନ୍ୟ ସମସ୍ତ କ୍ବାଣ୍ଟମ୍ ସମ୍ଭାବନାମାନ ଭୁଶୁଡ଼ି ପଡ଼ିଥାନ୍ତି। ବିଶ୍ବାସ କରାଯାଇଥାଏ ପର୍ଯ୍ୟବେକ୍ଷକ/ପରୀକ୍ଷକଙ୍କ ଚିନ୍ତା ବା ଚେତନା ହିଁ ବିଭିନ୍ନ କ୍ବାଣ୍ଟମ୍ ସମ୍ଭାବନାମାନଙ୍କ ମଧ୍ୟରୁ ଗୋଟିଏକୁ ବାସ୍ତବତାର ରୂପ ପ୍ରଦାନ କରିଥାଏ, ଯଦିବା ତାହା ଅନ୍ତିମ ସତ୍ୟ ନୁହେଁ- ଜଗତ୍ ଓ ବ୍ରହ୍ମନ୍ ମଧ୍ୟରେ ପ୍ରଭେଦ ପରି (‘‘ଜଗତ୍ ମିଥ୍ୟା, ବ୍ରହ୍ମ ସତ୍ୟ।’’)।
କଣିକା ସ୍ତରରେ କ୍ବାଣ୍ଟମ୍ ଧାରଣାମାନଙ୍କର ସନ୍ତୋଷଜନକ ପରୀକ୍ଷାନିରୀକ୍ଷାକୁ ଦୃଢ଼ୀଭୂତ କରିଥିଲେ ୨୦୧୨ରେ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର ଲାଭ କରିଥିବା ଫରାସୀ ପଦାର୍ଥ ବିଜ୍ଞାନୀ ସର୍ଜ ହାରୋସ୍ ଓ ଆମେରିକୀୟ ପଦାର୍ଥ ବିଜ୍ଞାନୀ ଡେଭିଡ୍ ୱାଇନ୍ଲାଣ୍ଡ୍। ସେମାନେ ବିଲେଇ ନୁହେଁ, ଅଣୁ ଓ ଆଲୋକକୁ ବ୍ୟବହାର କରି ସେଇ ‘କ୍ବାଣ୍ଟମ୍ ସୁପର୍ପୋଜିସନ୍’ମାନଙ୍କୁ ଠାବ କରିବାକୁ ସଫଳ ହୋଇଥିଲେ, ଯାହାସବୁ ପରବର୍ତ୍ତୀ ସମୟରେ ଉପରେ କୁହାଯାଇଥିବା ଭଳି ଭୁଶୁଡ଼ି ପଡ଼ିଥାଏ ବୋଲି ବିଶ୍ବାସ କରାଯାଇଥାଏ। ସେମାନେ ପ୍ରକୃତରେ ଠାବ କରି ପ୍ରମାଣିତ କଲେ ଯେ, ଯେ କୌଣସି କ୍ବାଣ୍ଟମ୍ କଣିକାଟିଏ ଏକ ସମୟରେ ବିଭିନ୍ନ ପରସ୍ପର-ନାକଚକାରୀ ଅବସ୍ଥାରେ ଅବସ୍ଥିତ ହୋଇଥାଏ (ବିଲେଇଟି ଏକ ସମୟରେ ଉଭୟ ଜୀବିତ ଓ ମୃତ ହୋଇଥିବା ପରି)। ଆଜି ଏଇ ଆବିଷ୍କାରକୁ ହିଁ ଆଧାର କରି କମ୍ପ୍ୟୁଟର୍ ଇଞ୍ଜିନିଅର୍ମାନେ କ୍ବାଣ୍ଟମ୍ କମ୍ପ୍ୟୁଟର୍ ନିର୍ମାଣ କରିବାକୁ ଜୋରସୋର ଚେଷ୍ଟା ଚଳାଇଛନ୍ତି।
ବର୍ତ୍ତମାନ ବ୍ୟବହୃତ ହେଉଥିବା ପାରମ୍ପରିକ ବା କ୍ଲାସିକାଲ୍ କମ୍ପ୍ୟୁଟର୍ ଯେଉଁ ଦ୍ବୈତ ବା ‘ବାଇନାରି’ ବ୍ୟବସ୍ଥା ବ୍ୟବହାର କରିଥାଏ, ତାହା ଅନୁସାରେ ସମସ୍ତ ତଥ୍ୟ ବହନ କରୁଥିବା ‘ବିଟ୍ସ’ମାନଙ୍କର ମୂଲ୍ୟ ହୋଇଥାଏ ‘୦’ କିମ୍ବା ‘୧’, ଯେଉଁଥିରେ ‘୦’ ସୂଚାଇଥାଏ ମିଥ୍ୟା ଓ ‘୧’ ସୂଚାଇଥାଏ ସତ୍ୟ। କିନ୍ତୁ ‘ସୁପର୍ପୋଜିସନ୍’ ଗ୍ରହଣ କରିପାରୁଥିବା ‘କ୍ବାଣ୍ଟମ୍ ବିଟ୍ସ’ ବା ‘କ୍ୟୁବିଟ୍ସ’ ‘୦’ ଓ ‘୧’ର ମଧ୍ୟବର୍ତ୍ତୀ ଅଞ୍ଚଳରେ ରହିଥିବା ଏକାଧିକ ମୂଲ୍ୟ ବା ଅବସ୍ଥା ପରିଗ୍ରହଣ କରିବା କ୍ଷମତା ବହନ କରିଥାନ୍ତି, ଯାହା ବଳରେ ସେମାନେ ଏକ ସମୟରେ ବିଭିନ୍ନ ପ୍ରକାର ଅସଂଖ୍ୟ ସୂଚନା ସଞ୍ଚୟ କରିପାରିବେ। ଏହାଦ୍ବାରା ଏକ କମ୍ପ୍ୟୁଟର୍ର କାର୍ଯ୍ୟକ୍ଷମତା ଓ କାର୍ଯ୍ୟ ବେଗରେ ଯେଉଁ ଅସୀମ ବୃଦ୍ଧି ଘଟିବ, ତାହାକୁ ଯେଉଁସବୁ ଲକ୍ଷ୍ୟ ସାଧନରେ ପ୍ରୟୋଗ କରାଯାଇପାରିବ, ତାହା ପାରମ୍ପରିକ କମ୍ପ୍ୟୁଟର୍ ଦ୍ବାରା ସମ୍ଭବପର ହୋଇ ନ ଥାଏ। ଏଥିରେ ଅନ୍ତର୍ଭୁକ୍ତ କୃତ୍ରିମ ମେଧା (‘ଏଆଇ’) ମଡେଲ୍ରୁ ଆରମ୍ଭ କରି, ନିର୍ଭରଯୋଗ୍ୟ ବିତ୍ତୀୟ ମଡେଲ୍ ନିର୍ମାଣ, ନୂତନ ଔଷଧ ଆବିଷ୍କାର, ନିର୍ଭୁଲ୍ ପାଣିପାଗ ପୂର୍ବାନୁମାନ, ଜଳବାୟୁ ପରିବର୍ତ୍ତନ ଦିଗ ନିରୂପଣ ଏବଂ ନୂତନ ପଦାର୍ଥ ଉଦ୍ଭାବନ ପର୍ଯ୍ୟନ୍ତ।
ଏହି ପୃଷ୍ଠଭୂମିରେ ଆସନ୍ତା କେତେ ବର୍ଷ (କେତେ ଦଶନ୍ଧି ନୁହେଁ) ମଧ୍ୟରେ ଏକ ବାସ୍ତବ ବ୍ୟବହାରଯୋଗ୍ୟ କ୍ବାଣ୍ଟମ୍ କମ୍ପ୍ୟୁଟର୍ ନିର୍ମାଣ ଦିଗରେ ତାଙ୍କ କଂପାନି ହାସଲ କରିଥିବା ଏକ ଚମକପ୍ରଦ ଅଗ୍ରଗତି ସଂପର୍କରେ ‘ମାଇକ୍ରୋସଫ୍ଟ’ର ମୁଖ୍ୟ ସତ୍ୟ ନାଡ଼େଲା ଯେଉଁ ସଦ୍ୟ ଘୋଷଣା କରିଛନ୍ତି, ତାହା ‘କ୍ବାଣ୍ଟମ୍ ମେକାନିକ୍ସ’ର ମୂଳଭିତ୍ତି ବ୍ରହ୍ମଜ୍ଞାନ ଭଳି ମହତ୍ତ୍ବପୂର୍ଣ୍ଣ ମନେ ହୋଇଥାଏ। ସଂକ୍ଷେପରେ କହିଲେ କ୍ବାଣ୍ଟମ୍ କମ୍ପ୍ୟୁଟର୍ରେ ବ୍ୟବହାର ଲାଗି ସ୍ଥିର ‘କ୍ୟୁବିଟ୍ସ’ ସମ୍ଭବ ହେବା ପାଇଁ ଦୀର୍ଘ ୨୦ ବର୍ଷର ଅନୁସନ୍ଧାନ ଓ ଗବେଷଣା ପରେ ସେମାନେ ‘ମାୟୋରାନା ୧’ ନାମକ ଯେଉଁ ଚିପ୍ ଉଦ୍ଭାବନ କରିଛନ୍ତି, ତାହା ‘‘ବର୍ତ୍ତମାନ ସାରା ପୃଥିବୀରେ ଥିବା ସମସ୍ତ କମ୍ପ୍ୟୁଟର୍ମାନେ ମିଳିତ ଭାବରେ କାର୍ଯ୍ୟ କରିବା ନିମିତ୍ତ ଆବଶ୍ୟକ କରୁଥିବା ଶକ୍ତିଠାରୁ ଅଧିକ ଶକ୍ତି ଯୋଗାଇପାରିବ’’ ବୋଲି ମାଇକ୍ରୋସଫ୍ଟ ଘୋଷଣା କରିଛି। ଏଥିପାଇଁ ସେମାନେ ମଧ୍ୟ ପଦାର୍ଥର ଏକ ନୂତନ ଅବସ୍ଥା ଆବିଷ୍କାର କରିଛନ୍ତି, ଯାହା ତିନି ପାରମ୍ପରିକ ଅବସ୍ଥା - କଠିନ, ତରଳ ଓ ବାଷ୍ପୀୟ - ମଧ୍ୟରୁ କେଉଁଟି ହେଲେ ନୁହେଁ। ଆଶା କରାଯାଏ ଅପ୍ରମିତ କ୍ଷମତା ବହନ କରୁଥିବା ଏହି ‘ବ୍ରହ୍ମ ଯନ୍ତ୍ର’ ଆଉ ବର୍ଷ କେଇଟାରେ ମନୁଷ୍ୟ ହାତରେ ପଡ଼ିବା ପୂର୍ବରୁ ଏହା ନିଶ୍ଚିତ କରିବା ପାଇଁ ପଦକ୍ଷେପ ନିଆଯିବ, ଏହାର ଯେପରି ସାମରିକ ପ୍ରୟୋଗ ନ ଘଟେ ଓ ଏହା ମାନବ ସମାଜର ଧ୍ବଂସର ଆଉ ଏକ ସାଧନରେ ପରିଣତ ନ ହୁଏ।