‘ଦିଲ୍ଲୀ ଏନସିଆର’ର କର୍ତ୍ତୃତ୍ବ ଏଭଳି ଜଟିଳ ଭାବେ ବହୁପ୍ରସ୍ଥୀୟ ଯେ ସ୍ଥାନ-କାଳ-ପାତ୍ର ପରିପ୍ରେକ୍ଷୀରେ ଶାସନ ପରିଚାଳନା ଏକ ଅତ୍ୟନ୍ତ କଷ୍ଟକର ବ୍ୟାପାର ହୋଇପାରେ। ଏହା କିଭଳି ଜଟିଳ, ତା’ର ଧାରଣା କେବଳ ଏତିକିରୁ ମିଳିବ ‌େଯ ସେଠାରେ ପ୍ରାଥମିକ ଶିକ୍ଷାର ଦାୟିତ୍ବ ‘ମ୍ୟୁନିସିପାଲ କର୍ପୋରେସନ’ର ତ ମାଧ୍ୟମିକ ଶିକ୍ଷା ଦିଲ୍ଲୀ ରାଜ୍ୟ ସରକାରଙ୍କ ଦାୟିତ୍ବାଧୀନ, ପରିମଳ ପରିଚାଳନା ‘ଏମ.ସି.ଡି.’ କ୍ଷମତାଭୁକ୍ତ ହୋଇଥିବା ବେଳେ ନର୍ଦ୍ଦମା ସଫା କାର୍ଯ୍ୟ ‘ପିଡବ୍ଲ୍ୟୁଡି’ ଅଧୀନସ୍ଥ; ଏବଂ ବିଭାଜିତ କ୍ଷମତାର ଏହି ତାଲିକା ଅତ୍ୟନ୍ତ ଦୀର୍ଘ ମଧ୍ୟ।

Advertisment

ଦିଲ୍ଲୀ ଏନ.ସି.ଆର. (ନେସନାଲ କ୍ୟାପିଟାଲ ରିଜିଅନ) ବା ‘ଜାତୀୟ ରାଜଧାନୀ ଅଞ୍ଚଳ’ର ସ୍ଥାନୀୟ ରାଜନୀତି ଆଡ଼କୁ ସମଗ୍ର ଦେଶର ଉତ୍କଣ୍ଠିତ ନୟନ ଆକର୍ଷିତ ହୋଇ ରହିବାର କାରଣ ହେଲା ଗଲା ଅଢ଼େଇ ଦଶନ୍ଧି ମଧ୍ୟରେ ସେଠାରେ ହୋଇଥିବା ରାଜନୈତିକ ହଟଚମଟ ଅନ୍ୟ କୁତ୍ରାପି ପରିଦୃଷ୍ଟ ହୋଇନାହିଁ। ସେହି ପରିପ୍ରେକ୍ଷୀରେ ଗଲା ଗୁରୁବାର ଦିନ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ତତ୍କାଳ ସଘନ ଆଲୋଚନାକୁ ଜନ୍ମ ଦେଇଛି; କାରଣ ବିଜେପିର ଦୁର୍ଗ ରୂପେ ପରିଚିତ ହେଉଥିଲେ ହେଁ ଦିଲ୍ଲୀର ଶାସନ କ୍ଷମତା ଦୀର୍ଘ ସ‌େତଇଶ ବର୍ଷ ପରେ ଦଳ ନିକଟକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ସମସ୍ତଙ୍କୁ ଚକିତ କରି ଦଳର ଜଣେ କନିଷ୍ଠା ଓ ପୃଷ୍ଠଦେଶୀୟ ନେତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି, ଯାହାଙ୍କ ନାମ ରେଖା ଗୁପ୍ତା।
ବିଜେପିର ଶୀର୍ଷ ନେତୃତ୍ବଙ୍କ ଏଭଳି ନିଷ୍ପତ୍ତିକୁ କେନ୍ଦ୍ର କରି ନାନା ପ୍ରକାର ମତ ଶ୍ରୁତିଗୋଚର ହେଉଥିବା ବେଳେ ଅନେକ ପର୍ଯ୍ୟବେକ୍ଷକ ଏହା ପଛରେ ନିହିତ ଗୂଢ଼ ଉଦ୍ଦେଶ୍ୟ, ତର୍କ, ଚାତୁର୍ଯ୍ୟ ଓ ପୁରୋଦୃଷ୍ଟି ଆଡ଼କୁ ମଧ୍ୟ ଇଙ୍ଗିତ କରିଥାଆନ୍ତି, ଯାହା ଏକ କ୍ଷୁଦ୍ର ଆଲୋଚନା ସକାଶେ ଅବକାଶ ସୃଷ୍ଟି କରିଥାଏ। 
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ଲାଭ କରିଥିବା ବିଜେପି ପକ୍ଷରୁ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣାରେ ଦୁଇ ସପ୍ତାହରୁ ଅଧିକ ଅତିକ୍ରାନ୍ତ ହୋଇ ଯାଇଥିବା ଦୃଷ୍ଟିରୁ ଅନେକତ୍ର ମୃଦୁ ସନ୍ଦେହ ସୃଷ୍ଟି ହୋଇଥିଲା ଯେ ସମ୍ଭବତଃ ଦଳରେ ଏହାକୁ ନେଇ ମତା‌ନୈକ୍ୟ ସୃଷ୍ଟି ହୋଇଛି। ତେବେ ଅନେକ ବିଜ୍ଞ ଅନୁମାନକାରୀଙ୍କ ଦୃଷ୍ଟିରେ ମୁଖ୍ୟମନ୍ତ୍ରୀ ପଦ ସକାଶେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିିଂହ ବର୍ମାଙ୍କ ପୁତ୍ର ପରବେଶ ବର୍ମା ତାଲିକାର ସର୍ବାଗ୍ରେ ରହିବା ଥିଲା ସ୍ବାଭାବିକ; କାରଣ ତରୁଣ ପରବେଶ ହେଉଛନ୍ତି ଜଣେ ଉଦୀୟମାନ ଜାଠ ନେତା ଏବଂ ଧୁରନ୍ଧର ସଂଗଠକ, ଯିଏ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ପରାସ୍ତ କରିଛନ୍ତି। ସେମାନଙ୍କ ମତରେ ପରବେଶ ଏହି କାରଣରୁ ମଧ୍ୟ ସୁଯୋଗ୍ୟ ଯେ ଦିଲ୍ଲୀ ଏ ଯାବତ୍‌ ଜଣେ ହେଲେ ଜାଠ ମୁଖ୍ୟମନ୍ତ୍ରୀ ଲାଭ କରିନାହିଁ। ଉଲ୍ଲେଖଯୋଗ୍ୟ ଯେ ବିଜୟ ଲାଭ କରିବା ପରେ ପରବେଶ ବର୍ମା ମଧ୍ୟ ଏକ ରାଲି ମାଧ୍ୟମରେ ତାଙ୍କ ବିଶାଳ ଜନାଧାରର ପ୍ରମାଣ ଦେଇଥିଲେ। ଅପର ପକ୍ଷରେ ରେଖା ଗୁପ୍ତା ପ୍ରଥମ ଥର ସକାଶେ ବିଧାନସଭା ନିର୍ବାଚନ ଲଢ଼ିଥିବା ନେତ୍ରୀ, ଯିଏ ଏହା ପୂର୍ବରୁ ଦିଲ୍ଲୀ ପୌର ନିଗମର କାଉନସେଲର ଥିଲେ। ସୁତରାଂ, ଶୂନ୍ୟ ପ୍ରାୟ ସମ୍ଭାବନା ସତ୍ତ୍ବେ ସେ ମୁଖ୍ୟମନ୍ତ୍ରୀ ରୂପେ ମ‌େନାନୀତ ହେବା ଭଳି ଘଟଣାରୁ ବି‌େଜପି ଦ୍ବାରା ପ୍ରଦତ୍ତ ସନ୍ଦେଶକୁ ସ୍ପଷ୍ଟ ଭାବେ ପଢ଼ି ‌ହୋଇଥାଏ। ପ୍ରଥମତଃ, ପରବେଶ ବର୍ମାଙ୍କୁ ମୁଖ୍ୟମନ୍ତ୍ରୀ ନ କରି ବିଜେପି ପରିବାରବାଦ ରାଜନୀତିକୁ ପ୍ରଶ୍ରୟ ଦିଏ ନାହିଁ ବୋଲି ସୂଚାଇଥାଏ। ଅବଶ୍ୟ ଏହା ଏକ ବାସ୍ତବତା ଯେ ବିଜେପି ଦଳରେ ମଧ୍ୟ ଗୋଟିଏ ପରିବାରର ଏକାଧିକ ସଦସ୍ୟ ରାଜନୈତିକ ଭାବେ ସକ୍ରିୟ ଓ ସଫଳ, କିନ୍ତୁ ବିଜେପି ଦ୍ବାରା ପରିଭାଷିତ ପରିବାରବାଦ ରାଜନୀତି ବୋଇଲେ ଜଣେ ଶୀର୍ଷ ସ୍ଥାନୀୟ ନେତାଙ୍କ ସନ୍ତାନ ବିନା କୌଣସି ରାଜନୈତିକ ଅଭିଜ୍ଞତା ସତ୍ତ୍ବେ ତାଙ୍କ ଅନ୍ତେ ଆକାଶ ଛତାରେ ଖସିଲା ଭଳି ତାଙ୍କ ସ୍ଥାନରେ ଆରୂଢ଼ ହୁଏ, ଯହିଁରେ ଦଳର ପାଦଦେଶରେ ସଂଘର୍ଷ କରୁଥିବା କର୍ମୀମାନଙ୍କ ସକାଶେ ଶୀର୍ଷାରୋହଣର ସମ୍ଭାବନା ସଂକୁଚିତ ହୋଇଯାଏ। ପ୍ରକାଶ ଥାଉ କି ୨୦୧୩ ମସିହାରେ ‘ନୀତି ଓ ଆଦର୍ଶ’ର ରାଜନୀତିର ସୂତ୍ରଧର ଅରବିନ୍ଦ କେଜ୍ରିୱାଲଙ୍କ ଦ୍ବାରା କଂଗ୍ରେସର ପରିବାରବାଦ ରାଜନୀତି ତୀବ୍ର ସମାଲୋଚନାର ଶରବ୍ୟ ହୋଇଥିଲା, ଅଥଚ ମଦ ଦୁର୍ନୀତି ମାମଲାରେ ତାଙ୍କ ଗିରଫଦାରି ପରେ ତାଙ୍କ ପତ୍ନୀ ସୁନୀତା ଅଗ୍ରୱାଲ ତତ୍‌କ୍ଷଣାତ୍‌ ଗୃହ ପରିବେଷ୍ଟନୀ ମଧ୍ୟରୁ ବାହାରି ଆସି ଆମ ଆଦମୀ ପାର୍ଟିର ‌ନେତୃତ୍ବ ନେବା ଲାଗି ଆବିର୍ଭୂତ ହୋଇଥିଲେ, ଯାହା ଅସଂଖ୍ୟ ଦିଲ୍ଲୀବାସୀଙ୍କୁ କ୍ଷୁଣ୍ଣ କରିବା ସହିତ ବିଜେପି ସକାଶେ ସମାଲୋଚନା କରିବାର ସୁଯୋଗ ସୃଷ୍ଟି କରିଥିଲା। ପର୍ଯ୍ୟବେକ୍ଷକମାନଙ୍କ ମତରେ ବିଜେପି ଏହା ଦ୍ବାରା ସଂକେତ ପ୍ରଦାନ କରିଥାଏ ଯେ ଏହା କଂଗ୍ରେସ ବା ଆରଜେଡି ବା ସମାଜବାଦୀ ପାର୍ଟି ଇତ୍ୟାଦିଙ୍କ ଭଳି ପାରିବାରିକ ମାଲିକାନାରେ ଥିବା ଏକ ଦଳ ନୁହେଁ। ଏହାର ଆଧାର ବିଶାଳ, ଯହିଁରୁ ନୂତନ ନେତା ନିରନ୍ତର ଉତ୍ପନ୍ନ ହୋଇ ଚାଲନ୍ତି। 
ରେଖା ଗୁପ୍ତାଙ୍କ ଭଳି ତରୁଣ ପିଢ଼ିର ଜଣେ ନେତ୍ରୀଙ୍କୁ ଚୟନ କରି ବିଜେପି ସମ୍ଭବତଃ ମହିଳା ଭୋଟର ବର୍ଗଙ୍କୁ ସନ୍ତୁଷ୍ଟ କରିବାର ଚେଷ୍ଟା କରିଛି, ଯେଉଁମାନେ ବିଜେପିର ଏହି ବିଜୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଏହା ସହିତ ଏହି ବାର୍ତ୍ତା ଦିଆଯିବାର ମଧ୍ୟ ଉଦ୍ୟମ କରାଯାଇଛି ଯେ ଦଳରେ ନେତୃତ୍ବ ପ୍ରଦାନର ସାମର୍ଥ୍ୟ ବେଶ୍‌ ଗଭୀର। ବିଜେପିର ଏଭଳି ଉଦ୍ୟମ ସଂପ୍ରତି ଅଧିକ ପ୍ରାଂଜଳ ଭାବେ ପରିଲକ୍ଷିତ ହେବାରେ ଲାଗିଛି, ଯହିଁରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଓଡ଼ିଶାରେ ସଂପୂର୍ଣ୍ଣ ଅନପେକ୍ଷିତ ନୂତନ ଚେହେରାମାନେ ମୁଖ୍ୟମନ୍ତ୍ରୀ ପଦାସୀନ ହୋଇଛନ୍ତି। ଏହି ସଂଦର୍ଭରେ ଗୋଟିଏ ପକ୍ଷ କହନ୍ତି ଯେ ବିଜେପି ଅଧିକ ପ୍ରଭା‌ବ ସୃଷ୍ଟିକାରୀ ନେତାମାନଙ୍କୁ ବରଦାସ୍ତ କରି ନ ଥାଏ, ସୁତରାଂ, ସେମାନଙ୍କ ପକ୍ଷ ଛେଦନର ଏହା ଏକ ଉପାୟ। ହେଲେ ଆଉ ଗୋଟିଏ ପକ୍ଷଙ୍କ ମତରେ ଦଳକୁ ଚଳଚଞ୍ଚଳ କରି ରଖିବା ସହିତ କର୍ମୀମାନଙ୍କ ମଧ୍ୟରେ ସ୍ବପ୍ନ ଦେଖିବାର ସ୍ପୃହା ଓ ସମ୍ଭାବନା ସୃଷ୍ଟି କରିବାର ଉର୍ଜାକୁ ବଞ୍ଚାଇ ରଖିବା ସକାଶେ ଏହା ହେଉଛି ଦଳର ଏକ ସୁଚିନ୍ତିତ ରଣନୀତିି। ତେବେ, ଏହା ମଧ୍ୟ ଗୁରୁତ୍ବପୂର୍ଣ୍ଣ ଯେ ଏଭଳି ଗୋଟି ଚାଳନା ସୁଲଭ ପଦକ୍ଷେପ ସତ୍ତ୍ବେ ଦଳରେ ପ୍ରାୟତଃ କୌଣସି ଅସନ୍ତୋଷ ପ୍ରକାଶ୍ୟ ହୋଇ ନ ଥାଏ, ଯାହାକୁ ବିଜେପି ଦଳୀୟ ଶୃଙ୍ଖଳା ଭାବେ ପ୍ରଦର୍ଶିତ କରିଥାଏ।
ହୁଏତ ନୂତନ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ସତେଇଶ ବର୍ଷ ପୂର୍ବର ଅତୀତ ସାମାନ୍ୟ ବିଚଳିତ କରୁଥିବ, କାରଣ ୧୯୯୩ ମସିହାରେ ପ୍ରଥମ ଦିଲ୍ଲୀ ବିଧାନସଭା ନିର୍ବାଚନ ଜିଣିବା ପରେ ପାଞ୍ଚ ବର୍ଷର ଶାସନ କାଳ ମଧ୍ୟରେ ତିନି ଜଣ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିଥିଲା; ହାୱାଲା ସ୍କାମ ସହିତ ସଂପୃକ୍ତି ଆରୋପରେ ମଦନଲାଲ ଖୁରାନାଙ୍କ ବିଦାୟ ପରେ ମୁଖ୍ୟମନ୍ତ୍ରୀ ହୋଇଥିବା ସାହେବ ସିଂହ ବର୍ମା ଅପାରଗତା କାରଣରୁ ଅପ୍ରିୟ ହୋଇ ପଦ ଛାଡ଼ିଥିଲେ। ଅହେତୁକ ପିଆଜ ଦର ବୃଦ୍ଧିକୁ ନେଇ ତୀବ୍ର ଜନ ଅସନ୍ତୋଷ ତାଙ୍କ କ୍ଷମତାର ପରମାୟୁକୁ ସଂକୁଚିତ କରିଥିଲା, ଯାହା ପରେ ସୁଷମା ସ୍ବରାଜ ମାତ୍ର ୫୨ ଦିନ ସକାଶେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତା’ ପର ଠାରୁ ଦଳ କ୍ରମାଗତ ପରାଜୟ ସହିବାକୁ ଲାଗିଥିଲା, ଯେତେବେଳେ କି ଦିଲ୍ଲୀକୁ ବିଜେପିର ଏକ ଦୁର୍ଗ ବୋଲି ସର୍ବଦା ଅଭିହିତ କରାଯାଇଥାଏ। ଏଠାରେ ସ୍ମରଣଯୋଗ୍ୟ ଯେ ୧୯୫୨ ମସିହାରେ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନ (ଯେଉଁ ରାଜ୍ୟ ମାନ୍ୟତା ଶୀଘ୍ର ହଟିଯାଇଥିଲା)ରେ ବିଜେପିର ପିତୃବ୍ୟ ଓ ପ୍ରାୟ ଅପରିଚିତ ଜନସଂଘ ପାଞ୍ଚଟି ଆସନ ଲାଭ କରିଥିଲା, ଯେଉଁ ସମୟରେ କି କଂଗ୍ରେସର ଲୋକପ୍ରିୟତା ଓ ପ୍ରଭୁତ୍ବ ଥିଲା ପ୍ରଶ୍ନାତୀତ। ୧୯୬୭ ମସିହାର ଦିଲ୍ଲୀ ମେଟ୍ରୋପଲିଟାନ କାଉନସିଲ ନିର୍ବାଚନ ଜିଣି ଜନସଂଘ କ୍ଷମତା ଦଖଲ କରିଥିଲା। ସେହି ଦୃଷ୍ଟିରୁ ରେଖା ଗୁପ୍ତା ଯଦିଓ ପୁନର୍ବାର ଦଳର ଦୁର୍ଗ ଦଖଲ କରିଛନ୍ତି, ତାକୁ ଅଧୀନସ୍ଥ କରି ରଖିବା ତାଙ୍କ ସକାଶେ ଏକ ଆହ୍ବାନ ଭଳି ହେବ।
‘ଦିଲ୍ଲୀ ଏନସିଆର’ର କର୍ତ୍ତୃତ୍ବ ଏଭଳି ଜଟିଳ ଭାବେ ବହୁପ୍ରସ୍ଥୀୟ ଯେ ସ୍ଥାନ-କାଳ-ପାତ୍ର ପରିପ୍ରେକ୍ଷୀରେ ଶାସନ ପରିଚାଳନା ଏକ ଅତ୍ୟନ୍ତ କଷ୍ଟକର ବ୍ୟାପାର ହୋଇପାରେ। ଏହା କିଭଳି ଜଟିଳ, ତା’ର ଧାରଣା କେବଳ ଏତିକିରୁ ମିଳିବ ‌େଯ ସେଠାରେ ପ୍ରାଥମିକ ଶିକ୍ଷାର ଦାୟିତ୍ବ ‘ମ୍ୟୁନିସିପାଲ କର୍ପୋରେସନ’ର ତ ମାଧ୍ୟମିକ ଶିକ୍ଷା ଦିଲ୍ଲୀ ରାଜ୍ୟ ସରକାରଙ୍କ ଦାୟିତ୍ବାଧୀନ, ପରିମଳ ପରିଚାଳନା ‘ଏମ.ସି.ଡି.’ କ୍ଷମତାଭୁକ୍ତ ହୋଇଥିବା ବେଳେ ନର୍ଦ୍ଦମା ସଫା କାର୍ଯ୍ୟ ‘ପିଡବ୍ଲ୍ୟୁଡି’ ଅଧୀନସ୍ଥ; ଏବଂ ବିଭାଜିତ କ୍ଷମତାର ଏହି ତାଲିକା ଅତ୍ୟନ୍ତ ଦୀର୍ଘ ମଧ୍ୟ। କେଜ୍ରିୱାଲ ସରକାରଙ୍କ ସହିତ କେନ୍ଦ୍ରର ବିଜେପି ସରକାରଙ୍କ ଦ୍ବାରା ନିଯୁକ୍ତ ଲେଫ୍‌ଟନାଣ୍ଟ ଜେନେରାଲ ବା ‘ଏଲ୍‌ଜି’ଙ୍କ ସଂପର୍କ କିଭଳି ବୈରୀଭାବାପନ୍ନ ହୋଇଥିଲା, ‌ତାହା ସୁବିଦିତ। ଏହି କାରଣରୁ କୌଣସି ପ୍ରଗତିମୂଳକ କାର୍ଯ୍ୟ ହୋଇ ପାରିଲା ନାହିଁ ବୋଲି କେଜ୍ରିୱାଲ ବାରମ୍ବାର କହି ଆସିଛନ୍ତି। କିନ୍ତୁ କେତେକ ରାଜନୈତିକ ପର୍ଯ୍ୟବେକ୍ଷକ କହନ୍ତି ଯେ କ୍ଷମତା ଲଢ଼େଇରେ ସିଧାସଳଖ ଅବତୀର୍ଣ୍ଣ ନ ହୋଇ ଯଦି କେଜ୍ରିୱାଲ ସୂକ୍ଷ୍ମ ରାଜନୈତିକ ଚାତୁର୍ଯ୍ୟ ପ୍ରଦର୍ଶନ କରି ଥାଆନ୍ତେ, ତେବେ ହୁଏତ ଅ‌େନକ ଅପ୍ରୀତିକର ସ୍ଥିତିକୁ ଏଡ଼ାଇ ଯାଇ କେତେକ ମହତ୍ତ୍ବପୂର୍ଣ୍ଣ ସଫଳତା ଲାଭ କରି ପାରିଥାଆନ୍ତେ। ସେମାନଙ୍କ ଧାରଣା ଯେ ଏଭଳି ମୀମାଂସାହୀନ କନ୍ଦଳରେ ଅତିଷ୍ଠ ଦିଲ୍ଲୀବାସୀ ବିରକ୍ତ ହୋଇ କେଜ୍ରିୱାଲଙ୍କୁ ପଦଚ୍ୟୁତ କଲେ, କାରଣ ତାହା ନ ହେଲେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ସମନ୍ବୟ ଆସି ପାରିବ ନାହିଁ। ସୁତରାଂ, ଦିଲ୍ଲୀବାସୀଙ୍କ ଏଭଳି ଆଶା ପରିପ୍ରେକ୍ଷୀରେ ରେଖା ଗୁପ୍ତାଙ୍କ ଦାୟିତ୍ବ ଆହୁରି ବୃଦ୍ଧି ପାଇଥାଏ।