ଗ୍ରାମାଞ୍ଚଳ ଖାଉଟି ଚାହିଦାରେ ବୃଦ୍ଧି, ଏକ ଲକ୍ଷ କୋଟି ଟଙ୍କାର ଆୟକର ରିହାତି, ମୁଦ୍ରାସ୍ଫୀତିରେ ହ୍ରାସ, ସୁଧ ହାରରେ ହ୍ରାସ ଆଦି ମିଶି ଭାରତୀୟ ‘ଜିଡିପି’ରେ ଅଭିବୃଦ୍ଧି ହାରକୁ ସମସ୍ତ ବାଧା-ବିଘ୍ନ ସତ୍ତ୍ବେ ପୃଥିବୀର ଦ୍ରୁତତମ ସ୍ତରରେ ସ୍ଥାପିତ କରିଚାଲିବେ ବୋଲି ଆଶା କରାଯାଏ। ‘ଜିଡିପି’ର ପ୍ରାଥମିକ ଆକଳନ ମୋଦୀ ସରକାରଙ୍କ ପାଇଁ କାଲାହାନ୍ ସରକାରସୁଲଭ ସଂକଟ ସୃଷ୍ଟି କରି ନ ଥିଲେ ମଧ୍ୟ ଯେଉଁ ସୀମିତ ଅସ୍ବସ୍ତି ସୃଷ୍ଟି କରିଥିଲା, ବର୍ତ୍ତମାନର ସଂଶୋଧିତ ପରିସଂଖ୍ୟାନ ତାହା ଅନେକାଂଶରେ ଦୂର କରିବାରେ ସହାୟକ ହେବ।
ଏକ ଦେଶର ‘ମୋଟ ଜାତୀୟ ଉତ୍ପାଦ’ (‘ଜିଡିପି’) ପରିସଂଖ୍ୟାନ କିପରି ସେ ଦେଶର ରାଜନୀତିକୁ ଓଲଟପାଲଟ କରିଦେଇପାରେ, ତାହାର ଏକ ରୋଚକ ଉଦାହରଣ ଅତୀତରେ ବ୍ରିଟେନ୍ରେ ଦେଖିବାକୁ ମିଳିଥିଲା, ଯାହା ଏବେ ବି ଉଭୟ ଅର୍ଥ ଶାସ୍ତ୍ର ଓ ପରିସଂଖ୍ୟାନ ଶାସ୍ତ୍ର ପରିସରରେ ଆଲୋଚିତ ହେବା ଦେଖାଯାଇଥାଏ। ୧୯୭୦ ଦଶକରେ ‘ଲେବର ପାର୍ଟି’ର ନେତା ଜେମ୍ସ କାଲାହାନ୍ଙ୍କ ପ୍ରଧାନମନ୍ତ୍ରିତ୍ବ ସମୟରେ ପ୍ରକାଶିତ ପରିସଂଖ୍ୟାନ ଅନୁସାରେ ସେ ଦେଶର ‘ଜିଡିପି’ର ଏକ ଅନୁପାତ ହିସାବରେ ବାଣିଜ୍ୟ ନିଅଣ୍ଟ ଏତେ ଉଚ୍ଚା ଥିଲା ଯେ ଏକ ତୀବ୍ର ଆଶଙ୍କା ପ୍ରକାଶ ପାଇଲା ଯେ ନିକଟ ଭବିଷ୍ୟତରେ ଦେଶର ଆମଦାନି ଆବଶ୍ୟକତା ପୂରଣ କରିବା ପାଇଁ ବ୍ରିଟେନ୍ ପାଖରେ ଯଥେଷ୍ଟ ବୈଦେଶିକ ମୁଦ୍ରା ଉପଲବ୍ଧ ହେବ ନାହିଁ। କାଲାହାନ୍ ସରକାର ଛାନିଆ ହୋଇ ଏହି ସମ୍ଭାବ୍ୟ ବିପଦର ମୁକାବିଲା କରିବା ନିମିତ୍ତ ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ (‘ଆଇଏମ୍ଏଫ୍’) ଠାରୁ ୩.୯ ବିଲିଅନ୍ ଡଲାର୍ର ଏକ ବିଶାଳ ଋଣ (ତତ୍କାଳୀନ ମୂଲ୍ୟ ଅନୁସାରେ) ଗ୍ରହଣ କରିଥିଲେ, ଯାହାର କଠୋର ସର୍ତ୍ତର ଅଂଶସ୍ବରୂପ ସରକାରଙ୍କୁ ତୀକ୍ଷ୍ଣ ଖର୍ଚ୍ଚ କାଟ କରି ରାଜକୋଷୀୟ ନିଅଣ୍ଟକୁ ସଂକୁଚିତ କରିବାକୁ ପଡ଼ିଥିଲା।
ଏହା ସେ ସମୟରେ ଯେଉଁ ବ୍ୟାପକ ଜନଅସନ୍ତୋଷ ସୃଷ୍ଟି କଲା, ତାହାର ପ୍ରଭାବରେ ପରବର୍ତ୍ତୀ ନିର୍ବାଚନରେ ‘ଲେବର ପାର୍ଟି’ ସରକାରର ପତନ ଘଟିଲା ଓ ବିପୁଳ ଜନସମର୍ଥନ ଲାଭ କରି ‘କନ୍ସର୍ଭେଟିଭ୍ ପାର୍ଟି’ର ମାର୍ଗାରେଟ୍ ଥାଚର୍ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କଲେ। ସେ ୧୧ ବର୍ଷ ଧରି ପ୍ରଧାନମନ୍ତ୍ରୀ ରହିବା ସହିତ ତାଙ୍କ ଦଳ ଲଗାତାର ୧୮ ବର୍ଷ କାଳ ବ୍ରିଟେନ୍ର ଶାସନ କ୍ଷମତା ଦଖଲ କରି ରହିଲା। ଲେବର ପାର୍ଟି ପାଇଁ ଏହା କିନ୍ତୁ ଯେଉଁ କ୍ରୂର ବିଡ଼ମ୍ବନା ବହନ କରିଥାଏ, ତାହା ହେଲା, ପରବର୍ତ୍ତୀ ସମୟରେ ପ୍ରକାଶିତ ସଂଶୋଧିତ ପରିସଂଖ୍ୟାନରୁ ଜଣାପଡ଼ିଲା ଯେ ସେଇ ସମୟରେ ‘ଜିଡିପି’ର ଅଭିବୃଦ୍ଧି ହାର ଉଚ୍ଚତର ଓ ଆକାର ବୃହତ୍ତର ଥିଲା; ତେଣୁ ପରିସ୍ଥିତି ସଂକଟଜନକ ନ ଥିଲା; ଏଣୁ ‘ଆଇଏମ୍ଏଫ୍’ ଠାରୁ ଋଣ କରିବା ଦରକାର ନ ଥିଲା କି ସରକାରୀ ମିତବ୍ୟୟିତା ଅନୁସରଣ କରି ଜନସାଧାରଣଙ୍କ ବିରାଗ ଭାଜନ ହେବା ଆବଶ୍ୟକ ନ ଥିଲା। ସଂକ୍ଷେପରେ କହିଲେ ଏକ ଭୁଲ୍ ‘ଜିଡିପି’ ପରିସଂଖ୍ୟାନ ଯୋଗୁଁ ବ୍ରିଟେନ୍ରେ ‘ଲେବର ପାର୍ଟି’ର ଦୀର୍ଘ ବନବାସ ଘଟିଲା ଓ ଥାଚର୍ ଯୁଗର ଆରମ୍ଭ ହେଲା।
ଏହି ଦୃଷ୍ଟିରୁ ଦେଖିଲେ ଫେବ୍ରୁଆରି ୨୮ରେ ପ୍ରକାଶିତ ଭାରତର ‘ଜିଡିପି’ ସଂକ୍ରାନ୍ତୀୟ ସଂଶୋଧିତ ପରିସଂଖ୍ୟାନମାନ ଆମ ପାଇଁ ବେଶ୍ ତାତ୍ପର୍ଯ୍ୟ ବହନ କରିଥାଏ। ଏଥିପୂର୍ବରୁ ପ୍ରକାଶିତ ପ୍ରାଥମିକ ଆକଳନ ଅନୁସାରେ ୨୦୨୨-୨୩ ବିତ୍ତ ବର୍ଷରେ ‘ଜିଡିପି’ରେ ଅଭିବୃଦ୍ଧି ହାର ୭ ଶତାଂଶ ଓ ୨୦୨୩-୨୪ରେ ୮.୨ ଶତାଂଶ ହୋଇଥିବାବେଳେ, ବର୍ତ୍ତମାନ ପ୍ରକାଶିତ ସଂଶୋଧିତ ପରିସଂଖ୍ୟାନ ଅନୁସାରେ ତାହା ଯଥାକ୍ରମେ ୭.୬ ଶତାଂଶ ଓ ୯.୨ ଶତାଂଶ ହୋଇଥିବା ଜଣାପଡ଼ିଛି। ଅର୍ଥାତ୍ ୨୦୨୩ ଓ ୨୦୨୪ ବିତ୍ତ ବର୍ଷମାନଙ୍କରେ ଭାରତୀୟ ଅର୍ଥନୀତି ଯେଉଁଭଳି ଅଭିବୃଦ୍ଧି ହାସଲ କରିଥିବା ବିଶ୍ବାସ କରାଯାଉଥିଲା, ବାସ୍ତବରେ ତାହା ତା’ଠାରୁ ବେଶ୍ ଅଧିକ ସନ୍ତୋଷଜନକ ହୋଇଥିଲା ବୋଲି ବର୍ତ୍ତମାନ ସାବ୍ୟସ୍ତ ହୋଇଛି। ସେହିପରି ଚଳିତ ୨୦୨୪-୨୫ ବିତ୍ତ ବର୍ଷ ପାଇଁ ପ୍ରକାଶିତ ‘ଦ୍ବିତୀୟ ଆଗୁଆ ଆକଳନ’ (‘ସେକେଣ୍ଡ୍ ଆଡ୍ଭାନ୍ସ ଏଷ୍ଟିମେଟ୍’) ଅନୁସାରେ ‘ଜିଡିପି’ରେ ଅଭିବୃଦ୍ଧି ହାର ପୂର୍ବ ପ୍ରକାଶିତ ୬.୪ ଶତାଂଶ ସ୍ଥାନରେ ୬.୫ ଶତାଂଶ ହେବ ବୋଲି ଆଶା କରାଯାଉଛି। ୨୦୨୪-୨୫ ବିତ୍ତ ବର୍ଷର ତୃତୀୟ ଚଉଠରେ ଅଭିବୃଦ୍ଧି ହାର ୬.୨ ଶତାଂଶ ହେବା ମଧ୍ୟ ସନ୍ତୋଷଜନକ ମନେ ହୋଇଥାଏ, କାରଣ ଏହା ପୂର୍ବର ଉଚ୍ଚ ୯.୫ ଶତାଂଶ ଭିତ୍ତି ଉପରେ ପ୍ରତିଷ୍ଠିତ।
କିନ୍ତୁ ଏଥିସତ୍ତ୍ବେ ଏହି ଆଶଙ୍କା ଅମୂଳକ ନୁହେଁ ଯେ ଯେଉଁ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ବର୍ତ୍ତମାନ ବିଭିନ୍ନ ପ୍ରତିବନ୍ଧକର ସମ୍ମୁଖୀନ ଏବଂ ସେଥିମଧ୍ୟରେ ପ୍ରଧାନ ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆରମ୍ଭ କରିଥିବା ବିଶ୍ବବ୍ୟାପି ବାଣିଜ୍ୟ ଯୁଦ୍ଧ। ୨୦୨୪-୨୫ ବିତ୍ତ ବର୍ଷରେ ୬.୫ ଶତାଂଶ ହାରରେ ଅଭିବୃଦ୍ଧି ହାସଲ କରିବାକୁ ହେଲେ ଭାରତୀୟ ଅର୍ଥନୀତିକୁ ଏ ବର୍ଷର ଶେଷ ଚଉଠରେ ୭.୬ ଶତାଂଶ ହାରରେ ଅଭିବୃଦ୍ଧି ହାସଲ କରିବାକୁ ହେବ। ଏହି କାଳଖଣ୍ଡରେ ଆୟୋଜିତ ମହାକୁମ୍ଭ ଅଭିବୃଦ୍ଧି ପ୍ରତି ସହାୟକ ହୋଇଥିଲେ ହେଁ, ଏହି ଲକ୍ଷ୍ୟ ହାସଲ କରିବା ସହଜ ନୁହେଁ। ଯଦି ବି ଚଳିତ ବିତ୍ତ ବର୍ଷର ୬.୫ ଶତାଂଶ ହାରରେ ଅଭିବୃଦ୍ଧି ହାସଲ ହୁଏ, ତେବେ ମଧ୍ୟ ତାହା ହେବ ଚାରି ବର୍ଷ ମଧ୍ୟରେ ହାସଲ ହୋଇଥିବା ସର୍ବନିମ୍ନ ଅଭିବୃଦ୍ଧି ହାର।
ଯଦି ତୃତୀୟ ଚଉଠର ପରିସଂଖ୍ୟାନକୁ ନିରିଖେଇ ଦେଖାଯାଏ, ତେବେ ଦେଖାଯାଇଥାଏ ଯେ ଅର୍ଥନୀତିର କେତେକ ମୁଖ୍ୟ ଅଂଶର ଅବଦାନ ବିଶେଷ ସନ୍ତୋଷଜନକ ହୋଇନାହିଁ। ଉଭୟ ଖାଉଟି ବ୍ୟୟ ଓ ନିବେଶ ଚମକହୀନ ହୋଇଛି। ଉଦାହରଣ ସ୍ବରୂପ ପାର୍ବଣ ସମୟରେ ଅନ୍ତିମ ଖାଉଟି ବ୍ୟୟରେ ୬.୯ ଶତାଂଶ ହାରରେ ବୃଦ୍ଧି ଘଟିଥିଲେ ହେଁ, ତାହା ଏକ ନୀଚା ଭିତ୍ତି ଉପରେ ଘଟିଥିଲା। ବିଗତ କେତେମାସ ହେଲା ଖାଉଟି ଦ୍ରବ୍ୟ ଉତ୍ପାଦନକାରୀମାନେ ଦୁର୍ବଳ ଚାହିଦା ନେଇ ଚିନ୍ତା ପ୍ରକାଟ କରିଚାଲିଛନ୍ତି। ଉଦାହରଣ ସ୍ବରୂପ ଉଚ୍ଚ ମୂଲ୍ୟର କାର୍ ବିକ୍ରି ସନ୍ତୋଷଜନକ ହୋଇଥିବାବେଳେ, ଅଳ୍ପ ମୂଲ୍ୟର ଗାଡ଼ି ପ୍ରତି ଚାହିଦା ଦୁର୍ବଳ ହେବା ଦେଖାଯାଇଛି। ମୁଦ୍ରାସ୍ଫୀତି ସହିତ ଆୟ ବୃଦ୍ଧିରେ ମନ୍ଥରତା ମିଶି ଏଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି। ଚିନ୍ତାଜନକ ଭାବରେ ନିବେଶରେ ମଧ୍ୟ ମନ୍ଥରତା ପରିଲକ୍ଷିତ ହୋଇଛି। ତୃତୀୟ ଚଉଠରେ ମୋଟ ସ୍ଥାୟୀ ପୁଞ୍ଜି ସଂରଚନା ‘ଜିଡିପି’ର ଅଂଶ ଆକାରରେ ପ୍ରଦର୍ଶନ କରିଥିବା ୫.୭ ଶତାଂଶ ହାରରେ ବୃଦ୍ଧି ହେଉଛି ୧୨ ଚଉଠ ମଧ୍ୟରେ ସର୍ବନିମ୍ନ। ଏହା ଯେଉଁ ଅସ୍ବସ୍ତିକର ସୂଚନା ବହନ କରିଥାଏ, ତାହା ହେଲା ଘରୋଇ କ୍ଷେତ୍ରରେ ନୂତନ ଉତ୍ପାଦନ କ୍ଷମତା ସୃଷ୍ଟିରେ ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହର ଅଭାବ। ବାସ୍ତବରେ ସରକାରୀ ବ୍ୟୟରେ ୮.୩ ଶତାଂଶ ହାରରେ ଘଟିଥିବା ବୃଦ୍ଧି ଅର୍ଥନୀତିର ଅଭିବୃଦ୍ଧିକୁ ଇନ୍ଧନ ଯୋଗାଇଛି, ଯାହା ହେଉଛି ପାଞ୍ଚ ଚଉଠ ମଧ୍ୟରେ ସର୍ବୋଚ୍ଚ।
ଲଗାତାର ଦ୍ବିତୀୟ ଚଉଠ ସାରା ମାନୁଫାକ୍ଚରିଙ୍ଗ୍ କ୍ଷେତ୍ରର ପ୍ରଦର୍ଶନ ନୈରାଶ୍ୟଜନକ ହୋଇଥିବାବେଳେ କୃଷିକ୍ଷେତ୍ର ୫.୬ ହାରରେ ଅଭିବୃଦ୍ଧି ହାସଲ କରି ଅର୍ଥନୀତିର ମେରୁଦଣ୍ଡ ଭଳି କାର୍ଯ୍ୟ କରିଛି। ଗ୍ରାମାଞ୍ଚଳରେ ଖାଉଟି ଚାହିଦାକୁ ଶକ୍ତି ଯୋଗାଇବାରେ ଏହା ସହାୟକ ହେବ। ପାର୍ବଣ ଋତୁରେ ବାଣିଜ୍ୟ ଓ ପରିବହନ କ୍ଷେତ୍ରର ପ୍ରଦର୍ଶନ ସ୍ବାଭାବିକ ଭାବରେ ସନ୍ତୋଷଜନକ ହୋଇଛି। ଚଳିତ ବିତ୍ତ ବର୍ଷରେ ମୁଖ୍ୟତଃ ସେବା ଉପରେ ନିର୍ଭରଶୀଳ ରପ୍ତାନିରେ ୭.୧ ଶତାଂଶ ହାରରେ ବୃଦ୍ଧି ଘଟିବ ବୋଲି କରାଯାଇଥିବା ଅନୁମାନ ‘ଜିଡିପି’ରେ ଅଭିବୃଦ୍ଧିକୁ ଶକ୍ତି ଯୋଗାଇବ ବୋଲି ଆଶା କରାଯାଏ। ପ୍ରତିକୂଳ ପରିବେଶ ସତ୍ତ୍ବେ ୨୦୨୫-୨୬ ବିତ୍ତ ବର୍ଷରେ ଅର୍ଥନୀତି ୬.୫-୬.୬ ଶତାଂଶ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଆଶା କରାଯାଉଛି।
ଗ୍ରାମାଞ୍ଚଳ ଖାଉଟି ଚାହିଦାରେ ବୃଦ୍ଧି, ଏକ ଲକ୍ଷ କୋଟି ଟଙ୍କାର ଆୟକର ରିହାତି, ମୁଦ୍ରାସ୍ଫୀତିରେ ହ୍ରାସ, ସୁଧ ହାରରେ ହ୍ରାସ ଆଦି ମିଶି ଭାରତୀୟ ‘ଜିଡିପି’ରେ ଅଭିବୃଦ୍ଧି ହାରକୁ ସମସ୍ତ ବାଧା-ବିଘ୍ନ ସତ୍ତ୍ବେ ପୃଥିବୀର ଦ୍ରୁତତମ ସ୍ତରରେ ସ୍ଥାପିତ କରିଚାଲିବେ ବୋଲି ଆଶା କରାଯାଏ। ‘ଜିଡିପି’ର ପ୍ରାଥମିକ ଆକଳନ ମୋଦୀ ସରକାରଙ୍କ ପାଇଁ କାଲାହାନ୍ ସରକାରସୁଲଭ ସଂକଟ ସୃଷ୍ଟି କରି ନ ଥିଲେ ମଧ୍ୟ ଯେଉଁ ସୀମିତ ଅସ୍ବସ୍ତି ସୃଷ୍ଟି କରିଥିଲା, ବର୍ତ୍ତମାନର ସଂଶୋଧିତ ପରିସଂଖ୍ୟାନ ତାହା ଅନେକାଂଶରେ ଦୂର କରିବାରେ ସହାୟକ ହେବ।