ବିଦେଶ ଯାତ୍ରା କରୁଥିବା ଭାରତୀୟ ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ବର୍ତ୍ତମାନ ଯେଉଁ ବୃଦ୍ଧି ଘଟିବା ଦେଖାଯାଉଛି, ତାହା ହେଉଛି ପୃଥିବୀର ସମସ୍ତ ଦେଶମାନଙ୍କ ତୁଳନାରେ ଦ୍ରୁତତମ। ତେଣୁ ଭାରତୀୟ ପର୍ଯ୍ୟଟକମାନଙ୍କର ବାହୁଡ଼ା ଯାତ୍ରା ଯେ ଦୀର୍ଘକାଳୀନ ସୂତ୍ରରେ ମାଲ୍ଡିଭ୍ସର ଅର୍ଥନୀତି ପାଇଁ ମଙ୍ଗଳପ୍ରଦ ହେବ, ମୁଇଜୁ ନିଶ୍ଚିତ ରୂପେ ତାହା ଭଲ ରୂପେ ହୃଦୟଙ୍ଗମ କରିଥିବେ। ତେଣୁ ତାଙ୍କର ଏହି ଭାରତ ଆଗମନ।
ଊନବିଂଶ ଶତାବ୍ଦୀର ବିଚକ୍ଷଣ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଲର୍ଡ ପାମର୍ଷ୍ଟନ୍ଙ୍କର ଯେଉଁ ଏକ ପ୍ରସିଦ୍ଧ ଉକ୍ତି ସର୍ବଦା ଆନ୍ତର୍ଜାତିକ କୂଟନୀତିର ମୂଳ ଭିତ୍ତି ରୂପେ କାର୍ଯ୍ୟ କରିଆସିଛି, ତାହା ହେଲା- ‘‘ଆନ୍ତର୍ଜାତିକ ସଂପର୍କରେ ଚିରସ୍ଥାୟୀ ବନ୍ଧୁ ନଥାନ୍ତି କିମ୍ବା ଚିରସ୍ଥାୟୀ ଶତ୍ରୁ ନଥାନ୍ତି; ଥାଏ କେବଳ ଚିରସ୍ଥାୟୀ ସ୍ବାର୍ଥ।’’ ଯେଉଁ ମୂଲ୍ୟବୋଧ ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ସଂପର୍କକୁ ପରିଚାଳିତ କରିଥାଏ, ଏହା ହେଉଛି ତାହାର ସଂପୂର୍ଣ୍ଣ ବିପରୀତ, ଯେଉଁ କାରଣରୁ ବ୍ୟକ୍ତିଗତ ଦୃଷ୍ଟିରୁ ଏହା ଆମକୁ ଅନେକ ସମୟରେ ଅସ୍ବସ୍ତିକର ବୋଧ ହୋଇଥିଲେ ହେଁ ଇତିହାସ ସାରା ଦେଶ-ଦେଶ ମଧ୍ୟରେ ସଂପର୍କ ଏହି ପାମର୍ଷ୍ଟନୀୟ ନିୟମ ଦ୍ବାରା ହିଁ ପରିଚାଳିତ ହୋଇଥିବା ଦେଖାଯାଇଥାଏ। ଏହାର ବୋଧହୁଏ ବଳିଷ୍ଠତମ ଉଦାହରଣ ଦେଖିବାକୁ ମିଳିଛି ଦ୍ବିତୀୟ ବିଶ୍ବଯୁଦ୍ଧ ଓ ଯୁଦ୍ଧୋତ୍ତର ସମୟରେ ଆମେରିକା, ରୁଷିଆ, ଜର୍ମାନୀ, ଜାପାନ ଆଦି ଦେଶମାନଙ୍କ ମଧ୍ୟରେ ପରିଦୃଷ୍ଟ ହୋଇଥିବା ସଂପର୍କର ପରିଚଳନରେ।
ଏହି ଯୁଦ୍ଧରେ ପ୍ରବୃତ୍ତ ଦେଶମାନେ ଯେଉଁ ଦୁଇଟି ମେଣ୍ଟରେ ବିଭକ୍ତ ହୋଇଥିଲେ, ତାହା ହେଲା- ମିତ୍ରଶକ୍ତି ଓ ଅକ୍ଷଶକ୍ତି। ଅକ୍ଷଶକ୍ତିର ସଦସ୍ୟ ଥିଲେ ଜର୍ମାନୀ, ଇଟାଲି ଓ ଜାପାନ; ମିତ୍ରଶକ୍ତିର ସଦସ୍ୟ ଥିଲେ ବ୍ରିଟେନ୍, ଫ୍ରାନ୍ସ, ଆମେରିକା ଓ ରୁଷିଆ। ଇତିହାସରେ ଏ ପର୍ଯ୍ୟନ୍ତ ଜାପାନ ହେଉଛି ଏକମାତ୍ର ଦେଶ ଯିଏ ପରମାଣୁ ବୋମା ମାଡ଼ର ସମ୍ମୁଖୀନ ହୋଇଛି ଓ ଜାପାନ୍ ଉପରେ ଏହି ପ୍ରଳୟଙ୍କରୀ ବୋମା ମାଡ଼ କରିଥିଲା ମିତ୍ରଶକ୍ତି ଦେଶ ଆମେରିକା। ସେଇ ଯୁଦ୍ଧରେ ହିଟ୍ଲର୍ଙ୍କ ଜର୍ମାନୀକୁ ପଦାନତ କରିବାରେ ଯେଉଁ ଦେଶ ମୁଖ୍ୟ ଭୂମିକା ନିର୍ବାହ କରିଥିଲା, ସେ ଦେଶ ହେଉଛି ମିତ୍ରଶକ୍ତି ଦେଶ ରୁଷିଆ। ଆମେରିକା ଓ ରୁଷିଆ ସେତେବେଳେ କାନ୍ଧକୁ କାନ୍ଧ ମିଳାଇ ଶତ୍ରୁ ଦେଶ ଜର୍ମାନୀ ଓ ଜାପାନକୁ ପରାସ୍ତ କରିଥିଲେ। ଯୁଦ୍ଧ ପରବର୍ତ୍ତୀ ସମୟରେ କିନ୍ତୁ ଦେଖାଯାଇଛି ଆମେରିକା ଓ ଜାପାନ ଘନିଷ୍ଠ ମିତ୍ରରେ ପରିଣତ ହୋଇଯାଇଥିବା ବେଳେ ଚୀନ୍ ସହିତ ହାତ ମିଳାଇଥିବା ଅତୀତର ସାଥୀ ଦେଶ ରୁଷିଆ ହୋଇଯାଇଛି ସେମାନଙ୍କର ପରମ ଶତ୍ରୁ। ସେ ସମୟର ଖଳନାୟକ ଜର୍ମାନୀ ବର୍ତ୍ତମାନ ତତ୍କାଳୀନ ଶତ୍ରୁ ଦେଶ ବ୍ରିଟେନ୍, ଫ୍ରାନ୍ସ, ଆମେରିକା ଆଦିଙ୍କର ଏକ ଘନିଷ୍ଠ ମିତ୍ରରେ ପରିଣତ ହୋଇଛି।
ଏହି ପରିପ୍ରେକ୍ଷୀରେ ଦେଖିଲେ ସ୍ବୀକାର କରିବାକୁ ହେବ ଯେ ନିକଟ ଅତୀତରେ ଭାରତର କ୍ଷୁଦ୍ର ପଡ଼ୋଶୀ ଦେଶ ମାଲ୍ଡିଭ୍ସ ଭାରତ ପ୍ରତି ଯେଉଁ ଶତ୍ରୁତାମୂଳକ ଆଚରଣ ପ୍ରଦର୍ଶିତ କରିଥିଲା, ତାହା ହେଉଛି ଉପରବର୍ଣ୍ଣିତ ଉଦାହରଣ ତୁଳନାରେ ଏକ ଅତ୍ୟନ୍ତ ନରମ କିସମର ଶତ୍ରୁତା। ସେ ଉଦାହରଣରେ ଜାତୀୟ ସ୍ବାର୍ଥ ନିଶ୍ଚିତ କରିବା ପାଇଁ ଅତୀତର ଶତ୍ରୁ ଦେଶମାନେ ବର୍ତ୍ତମାନ ମିତ୍ରରେ ପରିଣତ ହୋଇଯାଇଥିବା ଭଳି ଗତ ରବିବାର ଦିନ ଦିଲ୍ଲୀରେ ମିତ୍ରତାର ହାତ ବଢ଼ାଇ ମାଲ୍ଡିଭ୍ସର ଭାରତ-ବିରୋଧୀ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ଉପସ୍ଥିତ ହେବା ଦେଖାଯାଇଥିଲା। ସିଧାସଳଖ କହିଲେ ମୁଇଜୁ ସରକାର ପର୍ଯ୍ୟଟନ-ନିର୍ଭରଶୀଳ ଦେଶ ମାଲ୍ଡିଭ୍ସରେ ଶାସନ କ୍ଷମତାକୁ ଆସିବା ପରେ ପ୍ରଦର୍ଶନ କରିଥିବା ତୀବ୍ର ଭାରତ-ବିେରାଧୀ ଆଭିମୁଖ୍ୟ ଯୋଗୁଁ ଭାରତୀୟ ପର୍ଯ୍ୟଟକମାନେ ସେ ଦେଶ ପ୍ରତି ବିମୁଖ ହୋଇ ସେ ଦେଶକୁ ଆଂଶିକ ବାସନ୍ଦ କରିବା ମାଲ୍ଡିଭ୍ସର ଅର୍ଥନୀତି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଭାରତ ସହିତ ଅନାବଶ୍ୟକ ତିକ୍ତତା ସୃଷ୍ଟି ନ କରି ସଂପର୍କରେ ଉନ୍ନତି ଘଟାଇଲେ ଭାରତୀୟ ପର୍ଯ୍ୟଟକମାନେ ପୁଣି ମାଲ୍ଡିଭ୍ସ ଦିଗରେ ମୁହଁାଇବେ ବୋଲି ଆଶା କରି ମୁଇଜୁ ଏହି ଗସ୍ତରେ ଆସିଥିବା ଭଳି ମନେ ହେଉଛି।
ମାଲ୍ଡିଭ୍ସ ସରକାରଙ୍କର ପର୍ଯ୍ୟଟନ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶିତ ସୂଚନା ଆମର ଏଭଳି ଅନୁମାନକୁ ଦୃଢ଼ୀଭୂତ କରିଥାଏ। ଏହି ସୂଚନା ଅନୁସାରେ ୨୦୨୪ର ପ୍ରଥମାର୍ଦ୍ଧରେ ପୂର୍ବ ବର୍ଷ ତୁଳନାରେ ମାଲ୍ଡିଭ୍ସକୁ ଆସିଥିବା ଭାରତୀୟ ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ଏକ ତୀକ୍ଷ୍ଣ ୪୩ ଶତାଂଶ ହ୍ରାସ ଘଟିବା ଦେଖାଯାଇଛି। ୨୦୨୩ରେ ମାଲ୍ଡିଭ୍ସକୁ ଆସିଥିବା ସମସ୍ତ ପର୍ଯ୍ୟଟକମାନଙ୍କ ମଧ୍ୟରୁ ସର୍ବାଧିକ ସଂଖ୍ୟକ ପର୍ଯ୍ୟଟକ ଆସିଥିଲେ ଭାରତରୁ, ଅର୍ଥାତ୍ ପର୍ଯ୍ୟଟକମାନଙ୍କର ଉତ୍ସ ଅନୁସାରେ ଭାରତର ସ୍ଥାନ ଥିଲା ପ୍ରଥମ। ଭାରତୀୟ ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ଏଭଳି ହ୍ରାସ ଘଟିବା ଫଳରେ ଭାରତର ସେଇ ସ୍ଥାନ ବର୍ତ୍ତମାନ ଷଷ୍ଠକୁ ଖସି ଆସିଛି। ଗତ ବର୍ଷ ମାଲ୍ଡିଭ୍ସ ଅଭିମୁଖେ ଆସିଥିବା ମୋଟ ପର୍ଯ୍ୟଟକମାନଙ୍କ ସଂଖ୍ୟା ୧୭ ଲକ୍ଷ ଥିଲା, ଯେଉଁଥିରେ ଭାରତୀୟ ପର୍ଯ୍ୟଟକମାନଙ୍କର ଅଂଶ ଥିଲା ୧୨ ଶତାଂଶ। ବର୍ତ୍ତମାନ ଭାରତୀୟ ପର୍ଯ୍ୟଟକମାନଙ୍କର ଅଂଶ ୬ ଶତାଂଶକୁ ହ୍ରାସ ପାଇଲାଣି। ଭାରତୀୟ ପର୍ଯ୍ୟଟକମାନେ ବର୍ତ୍ତମାନ ସେମାନଙ୍କ ଯାତ୍ରାର ଦିଗ ପରିବର୍ତ୍ତନ କରି ମାଲ୍ଡିଭ୍ସ ବଦଳରେ ଥାଇଲାଣ୍ଡ, ଇଣ୍ଡୋନେସିଆ, ମାଲେସିଆ, ଭିଏତ୍ନାମ୍, ଜର୍ଜିଆ, ଆଜର୍ ବଇଜାନ୍ ଓ ନିଜ ଦେଶର ଲାକ୍ଷାଦ୍ବୀପ ଆଡ଼େ ମୁହଁାଇବା ଦେଖାଯାଉଛି।
ଅବଶ୍ୟ ଭାରତୀୟ ବାସନ୍ଦ ସତ୍ତ୍ବେ ୨୦୨୪ର ପ୍ରଥମାର୍ଦ୍ଧରେ ମାଲ୍ଡିଭ୍ସକୁ ପର୍ଯ୍ୟଟକ ଆଗମନରେ ୧୦ ଶତାଂଶ ବୃଦ୍ଧି ଘଟିଛି, ଯାହାର କାରଣ ହେଉଛନ୍ତି ମୁଖ୍ୟତଃ ଚୀନା ପର୍ଯ୍ୟଟକମାନେ। ମୁଇଜୁଙ୍କ ଚୀନ୍ ପ୍ରୀତି ଯୋଗୁଁ ଏହା ଘଟିଥାଇପାରେ। କିନ୍ତୁ ଏହା ସତ୍ତ୍ବେ ଭାରତୀୟ ବାସନ୍ଦ ଯୋଗୁଁ ମାଲ୍ଡିଭ୍ସ ୧୫୦ ନିୟୁତ ଡଲାର୍ ଆୟ ହରାଇ ସାରିଲାଣି ବୋଲି ଯେଉଁ ଆକଳନ ପ୍ରକାଶ ପାଇଛି, ତାହା ମୁଇଜୁଙ୍କୁ ବେଶ୍ ଅସୁବିଧାଜନକ ମନେ ହେଉଥିବ। ଏହି ପରିପ୍ରେକ୍ଷୀରେ ସେ ଦେଶର ବିରୋଧୀ ଦଳର ନେତା ଓ ପର୍ଯ୍ୟଟନ ଶିଳ୍ପର ପ୍ରତିନିଧିମାନେ ଭାରତୀୟ ପର୍ଯ୍ୟଟକମାନଙ୍କୁ ପୁଣି ମାଲ୍ଡିଭ୍ସକୁ ଫେରିବା ପାଇଁ କରୁଥିବା ଅନୁରୋଧ ରାଜନୈତିକ ଦୃଷ୍ଟିରୁ ମୁଇଜୁଙ୍କୁ ମଧ୍ୟ ପ୍ରଭାବିତ କରିଥିବାର ଦୃଢ଼ ସମ୍ଭାବନା ରହିଛି।
ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ମାଲ୍ଡିଭ୍ସର ‘ମୋଟ ଜାତୀୟ ଉତ୍ପାଦ’ ବା ‘ଜିଡିପି’ର ପ୍ରାୟ ୮୦ ଶତାଂଶ ପର୍ଯ୍ୟଟନ ସୂତ୍ରରୁ ଉପଲବ୍ଧ ହୋଇଥାଏ ଏବଂ ବୈଦେଶିକ ମୁଦ୍ରା ପାଣ୍ଠିରେ ପର୍ଯ୍ୟଟନର ଅଂଶ ହେଉଛି ୬୦ ଶତାଂଶ। ଏମିତିରେ ମାଲ୍ଡିଭ୍ସର ଅର୍ଥନୀତିର ସ୍ବାସ୍ଥ୍ୟ ଅବସ୍ଥା ମଧ୍ୟ ଭଲ ନାହିଁ। କୋଭିଡ୍ ପାଣ୍ଡେମିକ୍ ପୂର୍ବରୁ ଅର୍ଥନୀତିର ଅଭିବୃଦ୍ଧି ହାର ୭.୪ ଶତାଂଶ ଥିବାବେଳେ ବର୍ତ୍ତମାନ ତାହା ୫ ଶତାଂଶ ତଳେ ରହିଛି। ପର୍ଯ୍ୟଟକମାନଙ୍କର ସଂଖ୍ୟାରେ ବୃଦ୍ଧି ଘଟିଥିଲେ ମଧ୍ୟ େସମାନଙ୍କର ବ୍ୟୟ-କାର୍ପଣ୍ୟ ଓ ରହଣି ସମୟ ସଂକୋଚନ ଯୋଗୁଁ ସେ ସୂତ୍ରରୁ ଆୟ ନିମ୍ନମୁଖୀ ହେବା ଦେଖାଯାଉଛି। ଆମଦାନିରେ ବୃଦ୍ଧି ଘଟିବା ଯୋଗୁଁ ସେ ଦେଶର ବୈଦେଶିକ ଆୟ-ବ୍ୟୟ ଚଳନ୍ତି ହିସାବରେ ନିଅଣ୍ଟ ବୃହତ୍ ଆକାର ଧାରଣ କଲାଣି, ଯାହା ବୈଦେଶିକ ମୁଦ୍ରା ପାଣ୍ଠି ଉପରେ ଚାପ ବୃଦ୍ଧି କରିବାରେ ଲାଗିଛି।
ଭାରତୀୟ ପର୍ଯ୍ୟଟକମାନେ ଯଦି ମାଲ୍ଡିଭ୍ସକୁ ବାହୁଡ଼ନ୍ତି, ତେବେ ସେ ଦେଶର ଅର୍ଥନୀତି ବହନ କରୁଥିବା ଏହି ବୋଝ ଅନେକାଂଶରେ ଉଶ୍ବାସ ହେବ। ବିଦେଶ ଯାତ୍ରା କରୁଥିବା ଭାରତୀୟ ପର୍ଯ୍ୟଟକମାନଙ୍କ ସଂଖ୍ୟାରେ ବର୍ତ୍ତମାନ ଯେଉଁ ବୃଦ୍ଧି ଘଟିବା ଦେଖାଯାଉଛି, ତାହା ହେଉଛି ପୃଥିବୀର ସମସ୍ତ ଦେଶମାନଙ୍କ ତୁଳନାରେ ଦ୍ରୁତତମ। ତେଣୁ ଭାରତୀୟ ପର୍ଯ୍ୟଟକମାନଙ୍କର ବାହୁଡ଼ା ଯାତ୍ରା ଯେ ଦୀର୍ଘକାଳୀନ ସୂତ୍ରରେ ମାଲ୍ଡିଭ୍ସର ଅର୍ଥନୀତି ପାଇଁ ମଙ୍ଗଳପ୍ରଦ ହେବ, ମୁଇଜୁ ନିଶ୍ଚିତ ରୂପେ ତାହା ଭଲ ରୂପେ ହୃଦୟଙ୍ଗମ କରିଥିବେ। ତେଣୁ ତାଙ୍କର ଏହି ଭାରତ ଆଗମନ।