ପରାଗ ଆଚାର୍ଯ୍ୟ

Advertisment

କିଛି ଦିନ ତଳେ ‘ଜିଓ ସିନେମା’ରେ ‘ଦି ଲାଷ୍ଟ ଏନ୍‌ଭେଲୋପ୍’ ବା ‘ଶେଷ ଲଫାପା’ ନାମକ ଏକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ‘ଲଳିତ କୁମାର ଝା’ଙ୍କ ନିର୍ଦ୍ଦେଶିତ ତେର ମିନିଟ୍ ଅବଧିବିଶିଷ୍ଟ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ବୟସ ଅପରାହ୍‌ଣରେ ନିଜ ଏକମାତ୍ର ସନ୍ତାନଠାରୁ ଦୂରରେ ରହୁଥିବା ପିତାମାତାଙ୍କର ଏକାକିତ୍ବଜନିତ ଦୁଃଖର କରୁଣ ଚିତ୍ର। ବିଶିଷ୍ଟ ଚରିତ୍ର ଅଭିନେତା ଅନୁ କପୁର ଓ ଅଭିନେତ୍ରୀ ଶିବା ଚଢ଼ା ବୟସ୍କ ଦମ୍ପତି ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କର ଏକମାତ୍ର ପୁଅ ରୋନକ, ଯିଏକି ବହୁ ବର୍ଷ ଧରି ଆମେରିକାରେ ରହି ଆସୁଛି। ଆଗରୁ ନିଜ ଜନ୍ମ ଦିନରେ ବର୍ଷକୁ ଥରେ ମାତ୍ର ବାପା-ମା’ଙ୍କ ନିକଟକୁ ଆସୁଥିବା ପୁଅ କିଛି ବର୍ଷ ହେବ ଆଉ ବାପାମା’ଙ୍କ ପାଖକୁ ଆସୁନି। ସେହି ଦୁଃଖରେ ମ୍ରିୟମାଣ ପିତା-ମାତା ଭଡ଼ା ସୂତ୍ରରେ ନିଜର ପୁଅ ବୟସର ଏକ ଯୁବକକୁ ପୁଅର ଜନ୍ମ ଦିନରେ ନିଜ ଘରକୁ ନିମନ୍ତ୍ରଣ କରନ୍ତି। ସେହି ଯୁବକକୁ ମନ ପସନ୍ଦର ଖାଇବା ପରଷି ଦେଉଛନ୍ତି ଦଂପତି। ପୁଅକୁ ନେଇ ପିଲା ଦିନର ସ୍ମୃତି ସବୁ ଉଜ୍ଜୀବିତ ହେଉଛି। ତା’ ସହ ନାଚୁଛନ୍ତି, ଗାଉଛନ୍ତି। ସେମାନେ ହସ-ଖୁସିରେ ମଜ୍ଜି ରହିଥିବା ବେଳେ କାନ୍ଥ ଘଣ୍ଟାରେ ୬ଟା ବାଜୁଛି। ଚୁକ୍ତିର ସମୟ ମୁତାବକ ଯୁବକ ଜଣକ ପୁଅ ଭୂମିକାରୁ ଓହରି ଯାଇ ଏବେ ନିଜର ପ୍ରକୃତ ପରିଚୟକୁ ଫେରିଯାଉଛି ଏବଂ ଫେରିଯିବାକୁ ଉଦ୍ୟତ ହେଉଛି। ଏବେ ସେହି ଯୁବକକୁ ଦଂପତି ଏକ ଲଫାପା ଭିତରେ କିଛି ଅର୍ଥ ଦେଉଛନ୍ତି। ତିନି ଜଣଙ୍କ ଆଖିରେ ଲୁହ ଢଳ ଢଳ। କିନ୍ତୁ, ଯୁବକ ଜଣଙ୍କ ଲଫାପାଟିକୁ ସନ୍ତର୍ପଣରେ ତଳେ ପକେଇ ଦେଇ ଚାଲିଯାଉଛି। ବାସ୍। କାହାଣୀଟି ସେତିକି!
କାହାଣୀଟି ଜାପାନର ‘ରେଣ୍ଟାଲ୍ ଫ୍ୟାମିଲି ସର୍ଭିସ’ ବା ‘ଭଡ଼ାଟିଆ ପରିବାର ସେବା’କୁ ଆଧାର କରି ଗଢ଼ି ଉଠିଛି। ୧୯୯୦ ମସିହାରେ ପ୍ରଥମ କରି ଜାପାନରେ ଆରମ୍ଭ ହୋଇଥିବା ଏହି ସେବାରେ ପେସାଦାର ଅଭିନେତାମାନଙ୍କୁ ଭଡ଼ା ସୂତ୍ରରେ ଯୋଗାଇ ଦିଆଯାଏ, ଯେଉଁମାନେ ବିବାହ ବା ସେହି ଭଳି କିଛି ସାମାଜିକ ଉତ୍ସବାନୁଷ୍ଠାନ ପାଇଁ ମିତ୍ର, ପରିଜନ କିମ୍ବା ସହକର୍ମୀଙ୍କ ଭୂମିକା ନିର୍ବାହ କରନ୍ତି। ଜାପାନ ‘ଏଫିସିଏନ୍‌ସି କର୍ପୋରେସନ୍’ର ପ୍ରତିଷ୍ଠାତା ହେଉଛନ୍ତି ଓଇଆ ସାତସୁକି, ଯିଏ ଏହି ସେବାକୁ ଆରମ୍ଭ କରିଥିଲେ। ତାଙ୍କ ମତରେ ମାନବ ପ୍ରେମ ହେଉଛି ଯେ କୌଣସି ସମାଜର ମୂଳ ଭିତ୍ତି। ପିତା-ମାତା, ଭାଇ-ଭଗିନୀ, ସଖା-ସହୋଦର, ସନ୍ତାନ-ସନ୍ତତିଙ୍କର ସ୍ନେହ, ପ୍ରେମ, ଭଲ ପାଇବାକୁ ନେଇ ଜୀବନ ପରିପୁଷ୍ଟ ‌ହୋଇଥାଏ। ମଣିଷ ଚିର ଦିନ ସ୍ନେହ କାଙ୍ଗାଳ। ଜାପାନର ଲୋକମାନେ ପ୍ରେମକୁ ଉପହାର ମାଧ୍ୟମରେ ପରିପ୍ରକାଶ କରନ୍ତି। କିନ୍ତୁ, କିଛି ବର୍ଷ ହେବ ସେମାନେ ଅନୁଭବ କରୁଛନ୍ତି ଯେ ସଂପତ୍ତି ବା ଅର୍ଥ ସେମାନଙ୍କୁ ସୁଖ ଦେଉଛି ସତ, କିନ୍ତୁ ଶାନ୍ତି ଦେଇପାରୁନି। କିନ୍ତୁ, ଅର୍ଥ ବା ସଂପଦ ଆହରଣ କରିବାର ପ୍ରକ୍ରିୟାରେ ସେମାନେ ଜୀବନର ଯେଉଁ ସବୁ ସୂକ୍ଷ୍ମ ଓ ମନୋଜ୍ଞ ବିଭାବମାନ ପାସୋରି ଯାଇଛନ୍ତି ବା ନଜର ଅନ୍ଦାଜ କରିଛନ୍ତି ବା ସେଗୁଡ଼ିକ ଉପରେ ଗୁରୁତ୍ବ ଦେଇ ନାହାନ୍ତି, ସେ ସବୁକୁ ପୁଣି ଥରେ ପାଇବା ପାଇଁ ଇଚ୍ଛୁକ; ଯେଉଁଥି ଲାଗି ‘ରେଣ୍ଟାଲ୍ ଫ୍ୟାମିଲି ସର୍ଭିସ୍’ ଏକ ମାଧ୍ୟମ ମାତ୍ର।
ପୃଥିବୀରେ ବର୍ତ୍ତମାନ ପାଞ୍ଚ ପିଢ଼ିର ଲୋକେ ବାସ କରୁଛନ୍ତି। ୧୯୪୩-୧୯୬୦ ମଧ୍ୟରେ ଜନ୍ମଲାଭ କରିଥିବା ‘ବେବି ବୁମର୍ସ’ମାନଙ୍କ ଠାରୁ ଆରମ୍ଭ କରି, ୧୯୬୧-୧୯୭୯ ମଧ୍ୟରେ ଜନ୍ମିଥିବା ଜେନେରେସନ୍- ‘ଏକ୍‌ସ’, ୧୯୮୦-୧୯୯୪ ମଧ୍ୟରେ ଭୂମିଷ୍ଠ ହୋଇଥିବା ଜେନେରେସନ୍- ‘ୱାଇ’ (ମେଲିନିଆଲସ୍), ୧୯୯୫-୨୦୦୯ ମଧ୍ୟରେ ଧରାପୃଷ୍ଠକୁ ଆସିଥିବା ଜେନେରେସନ୍- ‘ଜେଡ୍’ ଓ ୨୦୧୦ ପରେ ଜନ୍ମ ଲାଭ କରୁଥିବା ଜେନେରେସନ୍- ‘ଅାଲ୍‌ଫା’। ଏମାନଙ୍କ ମଧ୍ୟରେ କାର୍ଯ୍ୟ କରିବା ପ୍ରଣାଳୀ, କଥାବାର୍ତ୍ତାର ଶୈଳୀ ତଥା ଜୀବନ ଜିଇବାର ଢଙ୍ଗଢାଙ୍ଗର ଆକାଶ-ପାତାଳ ପ୍ରଭେଦ।
ବର୍ତ୍ତମାନ ପିଢ଼ିର ପିଲାମାନେ ନିଜର ଉଚ୍ଚାଭିଳାଷକୁ ଚରିତାର୍ଥ କରିବା ପାଇଁ ସ୍ବଦେଶ ଛାଡ଼ି ବିଦେଶମୁହଁା। ସ୍ବାଭାବିକ ଭାବେ, ଉନ୍ନତ ଜୀବନ ଧାରଣର ମାନ ଯୋଗେଇ ଦେଉଥିବା ଦେଶମାନଙ୍କରେ ସେମାନେ ରହିଯିବା ପାଇଁ ଆଗ୍ରହୀ। ଫଳ ସ୍ବରୂପ, ଏକାକୀ ହେଇ ଯାଉଛନ୍ତି ବୃଦ୍ଧ ପିତା-ମାତା। ସମାଜବିଜ୍ଞାନୀମାନଙ୍କ ମତରେ ସେମାନେ ‘ଏମ୍‌ଟି ନେଷ୍ଟର୍ସ’ ବା ନୀଡ଼ ପରିତ୍ୟକ୍ତ କରୁଥିବା ପକ୍ଷୀ। ‘ଏମ୍‌ଟି ନେଷ୍ଟର୍ସ’ମାନଙ୍କ ଉପରେ ହୋଇଥିବା ଅନୁସନ୍ଧାନର ତଥ୍ୟ କହୁଛି ଯେ ଏ ପରିସ୍ଥିତିରେ ବୟସ୍କ ପିତା-ମାତା ଅନ୍ତର୍ଜ୍ବାଳା, ବିକାର, ଅବସାଦ ଓ ଏକାକୀତ୍ବ ଭଳି ସମସ୍ୟା ଦେଇ ଗତି କରନ୍ତି। ‘ନେସ୍‌ନାଲ୍‌ ଏକାଡେମିଜ୍‌ ଅଫ୍‌ ସାଇନ୍‌ସ, ଇଞ୍ଜିନିଅରିଂ ଓ ମେଡିସିନ୍‌’ର ଏକ ତଥ୍ୟ ଅନୁଯାୟୀ ୬୫ ବର୍ଷ ବୟସରୁ ଅଧିକ ବୟସ୍କଙ୍କ ମଧ୍ୟରୁ ଏକ-ଚତୁର୍ଥାଂଶ ଗଭୀର ଏକାକୀତ୍ବର ଶିକାର ହୋଇଥାନ୍ତି। ଏହି କାରଣ ଯୋଗୁଁ ସେମାନଙ୍କ ମଧ୍ୟରେ ହୃଦ୍‌ଘାତ ହେବାର ଆଶଙ୍କା ପ୍ରାୟ ୩୨% ବଢ଼ିଯାଇଥାଏ ଓ ତଜ୍ଜନିତ ମୃତ୍ୟୁ ହାର ପ୍ରାୟ ୪ ଗୁଣ ଅଧିକ ହେବାର ସମ୍ଭାବନା ଥାଏ। ‘ସୋସିଆଲ୍ ଜିନୋମିକ୍‌ସ କୋର୍‌ ଲାବୋରେଟାରି’ର ନିର୍ଦ୍ଦେଶକ ଡ. ଷ୍ଟିଭ୍‌ କୋଲ୍‌ଙ୍କ ମତରେ ଧମନୀରେ ଚର୍ବି ପରିମାଣ ବୃଦ୍ଧି ହେଉ ବା କର୍କଟ ରୋଗର କୋଷ ବୃଦ୍ଧି ହେଉ ଅଥବା ଅଲ୍‌ଝାଇମର୍ସ ପରି ରୋଗ; ଏସବୁ ପାଇଁ ଏକାକୀତ୍ବଜନିତ ଅବସାଦ ଉତ୍‌ପ୍ରେରକ ଭାବେ କାମ କରିଥାଏ।
‘କରୋନା’ ପ‌ରି ମହାମାରୀ ସମୟରେ ଯେତେବେଳେ ରୋଗୀମାନେ ପରିବାର ଓ ପ୍ରିୟଜନମାନଙ୍କ ଠାରୁ ସଂପୂର୍ଣ୍ଣ ଅନ୍ତର ହୋଇ ‘ହସ୍‌ପିଟାଲ୍‌ ୱାର୍ଡ’ରେ ଜୀବନ ସଙ୍ଗେ ସଂଗ୍ରାମ କରୁଥିଲେ, ‌େ‌ସତେବେଳେ ଏକ ନକଲି ହାତ, ବା ‘ଲଭ୍‌ ଗ୍ଲୋଭ୍’ ‌େରାଗୀର ହାତ ସହ ଆଲିଙ୍ଗନ ମୁଦ୍ରାରେ ରଖାଯାଉଥିଲା। ଉଦ୍ଦେଶ୍ୟ ଥିଲା- ରୋଗୀଟି ଅନୁଭବ କରୁ ଯେ କେହି ଜଣେ ଆପଣାର ଲୋକ ତା’ ପାଖରେ ଉପସ୍ଥିତ। ସେ ଅନୁଭବ ନ କରୁ ଯେ ସେ ଏକାକୀ। ଆଉ ଏକ ହାତର ଉଷୁମ ସ୍ପର୍ଶ ତାକୁ ବିଶ୍ବାସ ଦେଉ ଯେ ତାକୁ ସାନ୍ତ୍ବନା ଦେବା ପାଇଁ, ତା’ର ଯତ୍ନ ନେବା ପାଇଁ, ସହାନୁଭୂତିଶୀଳ ହେବା ପାଇଁ ଆଉ ଜଣେ କିଏ ଅଛି! ୨୦୨୪ ମସିହାରେ ‘ଲଭ୍‌ ଗ୍ଲୋଭ୍’ର ଉତ୍ସାହଜନକ ଫଳ ସମ୍ବନ୍ଧରେ ଏକ ଗବେଷଣାତ୍ମକ ନିିବନ୍ଧ, ‘ନର୍ସିଙ୍ଗ୍ ଓପନ୍’ ନାମକ ପ୍ରସିଦ୍ଧ ବିଜ୍ଞାନ ପତ୍ରିକାରେ ପ୍ରକାଶିତ ହୋଇଛି।
ତେଣୁ ବର୍ତ୍ତମାନର ମିଲେନିଆଲ୍‌ସ ହୁଅନ୍ତୁ ବା ଜେନ୍-ଜେଡ୍ ବା ଜେନ୍-ଆଲ୍‌ଫା; ଆମକୁ ନିଷ୍ପତ୍ତି ନେବାକୁ ହେବ, ଆମେମାନେ ‘ଫାମିଲି ରେଣ୍ଟାଲ୍ ସର୍ଭିସ୍’ ଆଡ଼କୁ ମୁହଁାଇବା ନା ‘ଲଭ୍‌ ଗ୍ଲୋଭ୍’କୁ ଆପଣାଇବା? ନା ଆପଣାର ମଣିଷଟିଏର ଉଷୁମ ହାତ ପାପୁଲି ସ୍ପର୍ଶରେ ଶେଷ ନିଃଶ୍ବାସ ତ୍ୟାଗ କରିବାକୁ ଚାହିବା?
ମୋ: ୮୨୯୫୬୧୮୦୯୭