କିଛି ଦିନ ତଳର କଥା। ଆମ ଘରର ଜଣେ ସହଯୋଗୀ କର୍ମଚାରୀଙ୍କୁ ଫୋନ୍ କଲ୍ଟେ ଆସିଲା। ତାଙ୍କ ଦଶ ବର୍ଷର ପୁଅକୁ ସ୍କୁଲ୍ ନେବାଆଣିବା କରୁଥିବା ଅଟୋଚାଳକ ଫୋନ୍ କରିଥିଲେ। ଟିକିଏ ବ୍ୟସ୍ତ ହୋଇ ସେ କହିଲେ, ‘‘ଅଧଘଣ୍ଟାରୁ ଅଧିକ ହେଲାଣି ସ୍କୁଲ୍ ବାହାରେ ଅପେକ୍ଷା କରିଛି। ହେଲେ ପୁଅର ଦେଖାଦର୍ଶନ ନାହିଁ।’’ ଏକଥା ଶୁଣି ତାଙ୍କ ମନ ଭିତରେ ଏକ ଅଜଣା ଆତଙ୍କ ଖେଳିଗଲା। ପୁଅ ସକାଳେ ସ୍କୁଲ୍ ଯାଇଥିଲା। କ’ଣ ହୋଇ ଥାଇପାରେ? କିଛି ଅସୁବିଧା ହୋଇନି ତ? ସେ ତତ୍କ୍ଷଣାତ୍ ତାଙ୍କ ସ୍ତ୍ରୀଙ୍କୁ ଫୋନ୍ କଲେ। ହୁଏତ ପୁଅ କେମିତି କ’ଣ କରି କାହା ସାଙ୍ଗରେ ଘରକୁ ପଳେଇଥିବ ଆଉ ଅଟୋବାଲାକୁ ଜଣେଇ ନଥିବ! କିନ୍ତୁ ସ୍ତ୍ରୀ କହିଲେ ପୁଅ ଘରେ ନାହିଁ! ସେ ଧଡ଼ପଡ଼ ହୋଇ ସ୍କୁଲ୍ ଆଡ଼େ ମାଡ଼ିଗଲେ। ଅଧା ବାଟରେ ଦେଖିଲେ ପୁଅ ଚାଲି ଚାଲି ତାଙ୍କ ଘର ଆଡ଼କୁ ଯାଉଛି। ପାଖକୁ ଯାଇ ଦେଖନ୍ତି, ସେ ଖୁବ୍ ଜୋର୍ରେ କାନ୍ଦୁଛି। ତାକୁ ଘରକୁ ନେଲେ। ଟିକିଏ ଶାନ୍ତ ହେଲା ପରେ କ’ଣ ହେଲା ବୋଲି ପଚାରିଲେ। ସେ କହିଲା, ‘‘ସ୍କୁଲ ସରିବା ପରେ ଗେଟ୍ ବାହାରକୁ ଆସି ଅଟୋ ଆଡ଼କୁ ଯାଉଥିଲି। ସେତିକିବେଳେ ଜଣେ ଲୋକ ମୋ ପାଖକୁ ଆସି ବାପା ଘରକୁ ନେବାକୁ ପଠେଇଛନ୍ତି ବୋଲି କହିଲେ। ପୁଣି କହିଲେ, ବାପା କହିଛନ୍ତି ସଙ୍ଗେ ସଙ୍ଗେ ଯିବାକୁ ପଡ଼ିବ। ସେ ତୁମକୁ ଅପେକ୍ଷା କରିଛନ୍ତି। ସେ ଲୋକ ଜଣକ ମୁଣ୍ଡରେ ହେଲ୍ମେଟ୍ ପିନ୍ଧିଥିଲେ। ମୁଁ ତାଙ୍କ କଥାକୁ ସତ ଭାବି ତାଙ୍କ ସହିତ ଗଲି। ବାଇକ୍ରେ ତାଙ୍କ ପଛରେ ବସିଲି। ସ୍କୁଲ୍ରୁ ଆମ ଘର ତ ବେଶୀ ଦୂର ନୁହେଁ। କିଛି ସମୟ ପରେ ମୋତେ ଟିକେ ଡର ଡର ଲାଗିଲା। ମୁଁ ସବୁଦିନ ଯୋଉ ରାସ୍ତାରେ ଘରକୁ ଫେରେ, ସେ ସେଇ ରାସ୍ତାରେ ନନେଇ ଆଉ ଗୋଟେ ରାସ୍ତାରେ ଗଲେ। ମତେ ଲାଗିଲା, କିଛି ଗଡ଼ବଡ଼ ଅଛି। ମୁଁ ଏତେ ଡରିଯାଇଥିଲି ଯେ କାହିଁକି ସେ ଆଉ ଗୋଟେ ରାସ୍ତାରେ ନେଉଛନ୍ତି ସେକଥା ପଚାରିଲିନି। କିଛି ସମୟ ପରେ ତାଙ୍କର ଗୋଟେ ଫୋନ୍ କଲ୍ ଆସିଲା। ସେ ବାଇକ୍ ଅଟକେଇଲେ। ମତେ ଅପେକ୍ଷା କରିବାକୁ କହି ଟିକେ ଦୂରକୁ ଯାଇ ଆଉ କାହା ସହ କଥା ହେଲେ। ମତେ ଲାଗିଲା ମୁଁ ଏଇ ମଉକାରେ ଖସିଯିବା ଉଚିତ। ମୁଁ ଦୌଡ଼ିବାକୁ ଆରମ୍ଭ କଲି। ରାସ୍ତା ଜାଣିଥିଲି, ତେଣୁ ଘର ଆଡ଼େ ଜୋର୍ରେ ଦୌଡ଼ିଲି। ରାସ୍ତାରେ ତମେ ଦେଖା ହୋଇଗଲ।’’ ଏକଥା କହିଲା ବେଳକୁ ତାଙ୍କ ପୁଅ ଭୟରେ ଥରୁଥିଲା।
ଏଭଳି ଘଟଣା ପ୍ରତ୍ୟେକ ବାପା, ମା’ଙ୍କ ପାଇଁ ଏକ ଦୁଃସ୍ବପ୍ନ। ଆମେ ଛୋଟ ଥିଲାବେଳେ ଆମକୁ ସବୁବେଳେ ଏହି ଛୁଆଚୋରଙ୍କ କଥା କହି ସତର୍କ କରି ଦିଆଯାଉଥିଲା। ଆଜି ଏତେ ବର୍ଷ ପରେ ବି ଏପରି ଘଟଣା ଘଟୁଛି, ବରଂ ଏହାର ସଂଖ୍ୟା ବଢୁଛି। ଯଦିଓ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଓ ଗ୍ରାମାଞ୍ଚଳରେ ଶିଶୁ ଚୋରି ଅଧିକ ମାତ୍ରାରେ ହୋଇଥାଏ, ତେବେ ଭୁବନେଶ୍ୱର, କଟକ ପରି ଭାରତର ଅନ୍ୟ ସହରଗୁଡ଼ିକରେ ଏହାର ମାତ୍ରା କିଛି କମ୍ ନୁହେଁ। ଶିଶୁ ଅପହରଣରେ ସୁସଙ୍ଗଠିତ ଅପରାଧୀ ରାକେଟ୍ ଜଡ଼ିତ। ସେମାନେ ପିଲାଙ୍କୁ ଅପହରଣ କରି ଅନ୍ୟ ସହରକୁ ଚାଲାଣ କରିଦିଅନ୍ତି। ଘରୋଇ ସହାୟକ, ଭିକ୍ଷାବୃତ୍ତି, ବେଶ୍ୟାବୃତ୍ତି, ପୋଷ୍ୟସନ୍ତାନ ଓ ଶିଶୁ ଶ୍ରମିକ ପରି ବେଆଇନ ବା ଅାପରାଧିକ କାର୍ଯ୍ୟରେ ସେମାନଙ୍କୁ ବଳପୂର୍ବକ ନିୟୋଜିତ କରନ୍ତି।
ଶିଶୁ ଅପହରଣକୁ ନେଇ ପୁଲିସ୍ରେ ରିପୋର୍ଟ ନହେବା ବା ଅଭିଯୋଗ ସଂଖ୍ୟା କମିବା ଚିନ୍ତାର ବିଷୟ। ଆମର ସେଇ ସହଯୋଗୀ କର୍ମଚାରୀଙ୍କଠାରୁ ସବୁ ଶୁଣିସାରିବା ପରେ ପ୍ରଥମେ ତାଙ୍କୁ ପଚାରିଲି, ‘‘ତମେ ପୁଲିସକୁ ଜଣାଇଲ ନା ନାହିଁ?’’ ସେ କହିଲେ,‘‘ନା। ଆମ ପୁଅ ତ ମିଳିଗଲା। ଆଉ ପୁଲିସକୁ କାହିଁକି ୟା’ ଭିତରେ ଭର୍ତ୍ତି କରିବା! ସ୍କୁଲ୍ବାଲା ଜବାବ ଦେଇଛନ୍ତି, ସିକ୍ୟୁରିଟି ଟାଇଟ୍ କରିବେ, ପିଲାଙ୍କ ଆଡ଼େ ଭଲରେ ନିଘା ରଖିବେ ଆଉ ଭବିଷ୍ୟତରେ ଯେମିତି ଏପରି ନଘଟେ, ସେଥିପ୍ରତି ଧ୍ୟାନ ଦେବେ। ପୁଲିସକୁ ଜଣେଇଲେ ଅଯଥା ଟେନ୍ସନ୍। ତା’ଛଡ଼ା ସ୍କୁଲ୍ ବି ବଦନାମ ହେବ।’’
ଏଡ୍ସ, କ୍ୟାନ୍ସର୍, ପୋଲିଓ ନିରାକରଣ ପାଇଁ ଯେଭଳି ସଚେତନତା ଅଭିଯାନ ଚାଲିଛି ଏବଂ ଚିକିତ୍ସା କ୍ଷେତ୍ରରେ ଆମେ ଯେପରି ତତ୍ପରତା ଦେଖାଉଛେ, ଠିକ୍ ସେହିପରି ଭାରତ କିପରି ଶିଶୁ ଅପହରଣ ଭଳି ଜଘନ୍ୟ ଅପରାଧରୁ ମୁକ୍ତ ହେବ, ସେ ଦିଗରେ ଗଭୀର ଭାବେ ଚିନ୍ତା କରିବାର ଆବଶ୍ୟକତା ରହିଛି। ଏଭଳି ଭୟଙ୍କର ତଥା ଗମ୍ଭୀର ସମସ୍ୟାର ମୁକାବିଲା ପାଇଁ କଠୋର ଆଭିମୁଖ୍ୟ ମଧ୍ୟ ଜରୁରି। ସରକାର, ଆଇନ କାର୍ଯ୍ୟକାରୀ କରୁଥିବା ବିଭାଗ ବା ସଂସ୍ଥା, ବିଦ୍ୟାଳୟ, ବିଭିନ୍ନ ସମ୍ପ୍ରଦାୟ, ସାମାଜିକ ଅନୁଷ୍ଠାନ, ନାଗରିକ ସମାଜ ଓ ପରିବାର; ସମସ୍ତେ ଏହି କାର୍ଯ୍ୟରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଉଚିତ।
ତନୟା ପଟ୍ଟନାୟକ
ସଂପାଦକ