ଏଥିରେ ସନ୍ଦେହ ନାହିଁ ଯେ ନିଃସ୍ବ ନାଗରିକମାନେ ପୁନର୍ବାର ସେମାନଙ୍କ ଜୀବନକୁ ଗଢ଼ିବାରେ ପ୍ରବୃତ୍ତ ହେବେ। ମନ୍ଥର ଗତିରେ ସହରମାନ ପୁଣି ଛିଡ଼ା ହେବେ। ଏବଂ ବିପର୍ଯ୍ୟୟ କିଭଳି ଭୟାବହ ହୋଇପାରେ, ତାହାର ଏକ ଧାରଣା ମିଳି ସାରିଥିବାରୁ ବିପତ୍ତିର ପୁନରାବୃତ୍ତି ଯେମିତି ନ ଘଟେ ତାହାର ଉପାୟ କରାଯିବ ଏବଂ ମୁକାବିଲା ଅଧିକ ସୁଦକ୍ଷ ହେବ।
ଆଉ ମାତ୍ର ଦୁଇ ଦିନ ପରେ ଡୋନାଲ୍ଡ ଟ୍ରମ୍ପ ନୂତନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ଏକ ଦୈବୀ ଦୁର୍ବିପାକ ଦ୍ବାରା ମ୍ରିୟମାଣ ଆମେରିକା ତାଙ୍କୁ ବିଷାଦ ଚିତ୍ତରେ ଅଭିନନ୍ଦନ ଜଣାଇବ; କାରଣ ଆମେରିକାର ରାଜ୍ୟମାନଙ୍କ ମଧ୍ୟରେ ମୁକୁଟ ତୁଲ୍ୟ କାଲିଫର୍ନିଆର ମଣି ସଦୃଶ ଲସ୍ ଏଞ୍ଜେଲସ୍ ମହାନଗର (ହଲିଉଡ୍ ସମେତ) ପ୍ରାୟ ଏକ ସପ୍ତାହ ଧରି ଅତୃପ୍ତ ଆଗ୍ନେୟ ଜଠରରେ ଜୀର୍ଣ୍ଣ ହେବାରେ ଲାଗିଛି। କୁହାଯାଉଛି ଯେ ଏହି ଅଭୂତପୂର୍ବ ଭୀଷଣ ବନାଗ୍ନି ଦ୍ବାରା ଏ ଯାବତ୍ ହୋଇଥିବା ୩୦ ବିଲିଅନ ଡଲାରର କ୍ଷତି ହେଉଛି ଆମେରିକାର ଇତିହାସରେ ରେକର୍ଡ ସୃଷ୍ଟିକାରୀ ଏବଂ ବିପର୍ଯ୍ୟୟଟି ତା’ର ସମସ୍ତ ଭୟାବହତା ସହିତ ବଳବତ୍ତର ରହିଛି ଏବଂ ଏହାର ପରିସମାପ୍ତିି ନେଇ କୌଣସି ଅନୁମାନ ମଧ୍ୟ ସମ୍ଭବ ନୁହେଁ। ଏ ଯାବତ୍ ଏହି ବିପର୍ଯ୍ୟୟରେ ୨୭ ଜଣ ଲୋକଙ୍କ ମୃତ୍ୟୁ ଘଟିଛି, ୩୦ରୁ ଅଧିକ ଲୋକ ଲାପତ୍ତା ଅଛନ୍ତି, ୧୨,୦୦୦ରୁ ଅଧିକ ଗୃହ ଓ ଅନ୍ୟାନ୍ୟ ନିର୍ମାଣ ଭସ୍ମୀଭୂତ ହୋଇ ସାରିଛି, ୭୫ ହଜାରରୁ ଅଧିକ ବ୍ୟକ୍ତି ବାସହରା ହୋଇ ପଡ଼ିଛନ୍ତି; ଲକ୍ଷାଧିକ ନାଗରିକ ପଳାୟନ କରିଛନ୍ତି ବା ସ୍ଥାନାନ୍ତରିତ ହୋଇଛନ୍ତି, ୬୨ ବର୍ଗ ମାଇଲ ପରିମିତ ଅଞ୍ଚଳ ଶ୍ମଶାନତୁଲ୍ୟ ହୋଇ ସାରିଲାଣି ଏବଂ କେଇ ଲକ୍ଷ ନାଗରିକ ସେମାନଙ୍କ ସର୍ବସ୍ବ ଦଗ୍ଧୀଭୂତ ହୋଇଯିବା ଭୟରେ ଉଦ୍ବେଗ ବିଜଡ଼ିତ ପ୍ରାର୍ଥନାରେ ଲୀନ ଅଛନ୍ତି! ଏଭଳି ଦୁର୍ଘଟଣା ଗୋଟିଏ ପକ୍ଷରେ ପ୍ରାକୃତିକ ତାଣ୍ଡବ ଆଗରେ ମନୁଷ୍ୟର ଦୟନୀୟ ଅସହାୟତାକୁ ପ୍ରାଂଜଳ କରୁଥିବା ବେଳେ ଅନ୍ୟ ପକ୍ଷରେ ମନୁଷ୍ୟର ସଂକୀର୍ଣ୍ଣତା ଓ ଲୋଭକୁ ମଧ୍ୟ ଦର୍ଶାଇବାରେ ଲାଗିଛି, ଯାହାକୁ ନେଇ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଯଦିଓ ଆମେରିକାର ପଶ୍ଚିମାଞ୍ଚଳ (କାଲିଫର୍ନିଆ) ଅଧିକ ଉତ୍ତପ୍ତ ଏବଂ ସେଠାରେ ବନାଗ୍ନି ଘଟିବା କୌଣସି ନୂଆ ବ୍ୟାପାର ନୁହେଁ ଏବଂ ପୃଥିବୀ ଉତ୍ତପ୍ତୀକରଣ ଓ ଜଳବାୟୁ ପରିବର୍ତ୍ତନଜନିତ ପରିବେଶରେ ଏହା ଅଧିକ ତୀବ୍ର ଓ ସଂଖ୍ୟାଧିକ ହୋଇଛି, ଶଂସିତ ଘଟଣାରେ କିନ୍ତୁ ଯାହା ହୃତ୍କଂପ ସୃଷ୍ଟି କରିଛି, ତାହା ହେଲା ବିପର୍ଯ୍ୟୟର ଭୟାବହତା ଏବଂ କ୍ଷୟକ୍ଷତିର ଆକାର। ପ୍ରକାଶ ଥାଉ କି ଗଲା ଜାନୁଆରି ୭ ତାରିଖରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ୩୧ଟି ସ୍ଥାନରେ ବନାଗ୍ନି ଘଟିଛି, ଯହିଁରେ ରିଭରସାଇଡ ବା ସନସେଟ୍ ଭଳି ସ୍ଥାନରେ ଗୋଟିଏ ବା ଦୁଇ ଏକର ଆୟତନ ପରିମିତ ଅଞ୍ଚଳ ଦହନର ଶିକାର ହୋଇଥିବା ବେଳେ ପେଲିସେଡ୍ସ ବା ଇଟନ ଭଳି ଅଞ୍ଚଳେର ଯଥାକ୍ରମେ ୨୪ ହଜାର ଓ ୧୪ ହଜାର ଏକର ଆୟତନ ପରିମିତ ଅଞ୍ଚଳ ଅଗ୍ନିସାତ୍ ହୋଇ ସାରିଛି; କେତେକ କ୍ଷୁଦ୍ର ଅଗ୍ନି ବିତ୍ପାତକୁ ନିୟନ୍ତ୍ରଣକୁ ଅଣାଯାଇଥିଲେ ସୁଦ୍ଧା ପେଲିସେଡ୍ସ ବା ଇଟନ ନିଆଁର ଏକ-ଚତୁର୍ଥାଂଶକୁ ମଧ୍ୟ ଆୟତ୍ତ କରାଯାଇ ପାରିନାହିଁ। ଏମିତିରେ ତ କାଲିଫର୍ନିଆ ଏକ ହାୱାଯୁକ୍ତ ଅଞ୍ଚଳ, ତେଣୁ ନିଆଁରେ ବାଇ ହେଉଥିବା ପବନର ବେଗ ହରିକେନ ସଦୃଶ ଅନେକ ସମୟରେ ଘଣ୍ଟାକୁ ୧୦୦ ମାଇଲ୍ ଅତିକ୍ରମ କରି ନିଆଁକୁ ଅଣାୟତ୍ତ କରିବା ସହିତ ଝୁଲ ଉଡ଼ାଇ ଅଧିକରୁ ଅଧିକ ଅଞ୍ଚଳକୁ ଗ୍ରାସ କରିବାରେ ଲାଗିଛି। ପ୍ରତ୍ୟେକ ଉଡ଼ାଣରେ ୩୦୦୦ ଗ୍ୟାଲନ ଜଳ ଢାଳି ପାରୁଥିବା ଅତ୍ୟାଧୁନିକ ହେଲିକପ୍ଟରର ଗୋଟିଏ ଦଳ ଅବିଶ୍ରନ୍ତ ଭାବେ ଦିବାରାତ୍ର କାର୍ଯ୍ୟ କରି ଚାଲିଥିଲେ ହେଁ ବଡ଼ ନିଆଁଗୁଡ଼ିକ ପ୍ରାୟତଃ ଅଣାୟତ୍ତ ହୋଇ ରହିଛି। ଏଭଳି ସ୍ଥଳେ ଆସନ୍ତା ପାଞ୍ଚ ଛଅ ଦିନ ଯାଏ ପବନ ପ୍ରାୟ ସ୍ଥିର ରହିବା ନେଇ ଆମେରିକୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଯଦିଓ ଅଗ୍ନି ନିର୍ବାପନ କର୍ମଚାରୀଙ୍କୁ ସାମାନ୍ୟ ସାନ୍ତ୍ବନା ପ୍ରଦାନ କରିଥାଏ, ତେବେ ଅଗ୍ନି ବିତ୍ପାତର ଆକାର ଦୃଷ୍ଟିରୁ ଆଶ୍ବସ୍ତିର ଏହି କାଳଖଣ୍ଡଟି କ୍ଷୁଦ୍ର ଭଳି ମନେ ହୋଇଥାଏ, କାରଣ ଏହା ପରେ ପୁନର୍ବାର ପବନର ବେଗ ମାତ୍ରାଧିକ ହେବ ବୋଲି ପୂର୍ବାନୁମାନ ରହିଛି।
ତେବେ ଏହି ବନାଗ୍ନି ଏଭଳି ଅକଳ୍ପନୀୟ ଭାବେ ଭୀଷଣ ରୂପ ଧାରଣ କଲା କାହିଁକି? କଥା ହେଲା, ଦକ୍ଷିଣ କାଲିଫର୍ନିଆ ପ୍ରାୟ ଦୁଇ ଦଶନ୍ଧିର ଅନାବୃଷ୍ଟି ପରେ କ୍ରମାଗତ ଦୁଇ ବର୍ଷର ବୃଷ୍ଟିପାତ ହେତୁ ଗୁଳ୍ମଲତା ଓ ଉଚ୍ଚ ଘାସର ବିସ୍ଫୋରକ ବୃଦ୍ଧି ଦେଖିଥିଲା, ଯାହା ପୁନର୍ବାର କିଛି କାଳର ଶୁଷ୍କ ବାତାବରଣରେ ଶୁଖି ଯାଇ ବସ୍ତୁତଃ ଏକ ବିଶାଳ ଦହନୀୟ କ୍ଷେତ୍ରରେ ପରିଣତ ହୋଇଥିଲା, ଯେଉଁଠି ସାମାନ୍ୟ ଅଗ୍ନି ସ୍ଫୁଲିଙ୍ଗ ବାରୁଦରେ ନିଆଁ ଲଗାଇବା ତୁଲ୍ୟ ହୋଇଥାଏ। ସୁତରାଂ, କୌଣସି ବେପରୁଆ ବ୍ୟକ୍ତି ଦ୍ବାରା ଫିଙ୍ଗି ଦିଆଯାଇଥିବା ଅଧା ଜଳନ୍ତା ସିଗାରେଟ ମଧ୍ୟ ଏଭଳି ପ୍ରଳୟ ଘଟାଇପାରେ। କିନ୍ତୁ, ରାଜନୈତିକ ସଂକୀର୍ଣ୍ଣତା କାରଣରୁ ନିଆଁର ଉତ୍ପତ୍ତି ନେଇ ଷଡ୍ଯନ୍ତ୍ରର ସନ୍ଦେହ ଏବଂ ବିପର୍ଯ୍ୟୟ ପରିଚାଳନାରେ ଅପାରଗତା ଆଦିକୁ ନେଇ ଆଲୋଚନାର ଉଚ୍ଚାଟ ମଧ୍ୟ ସୃଷ୍ଟି ହୋଇଛି; େଯମିତି କୁହାଗଲା ଯେ ନୂତନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅପ୍ରତିଭ କରିବା ଲାଗି ଏହା ହୁଏତ କୌଣସି ପ୍ରବାସୀଙ୍କ କାର୍ଯ୍ୟ ହୋଇପାରେ; ଯେହେତୁ କାଲିଫର୍ନିଆ ଡେମୋକ୍ରାଟ ଶାସିତ ରାଜ୍ୟ। ସେମିତି କାଲିଫର୍ନିଆର ଗଭର୍ନର ଗାଭିନ ନ୍ୟୁସମଙ୍କୁ ଦୋଷଯୁକ୍ତ କରି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଅଗ୍ନି ପ୍ରଶମନ ସକାଶେ ପର୍ଯ୍ୟାପ୍ତ ଜଳ ଯୋଗାଣର ବ୍ୟବସ୍ଥା କରାଯାଇ ପାରିନାହିଁ। ସୁତରାଂ, ଏଭଳି ଦାରୁଣ ବିପର୍ଯ୍ୟୟ କାଳରେ ରାଜନୈତିକ ସଂକୀର୍ଣ୍ଣତା ଦୃଷ୍ଟିଗୋଚର ହୋଇଛି, ଯାହା ଏକ ବିଡ଼ମ୍ବନା ବ୍ୟତୀତ ଆଉ କିଛି ନୁହେଁ।
ଏହା ସହିତ ଆଉ ଯାହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି, ତାହା ହେଲା ଲାଭ ଆହରଣ ଓ ଲୋଭର ପ୍ରାଦୁର୍ଭାବ। ଶଂସିତ ବିପର୍ଯ୍ୟୟରେ ହଜାର ହଜାର ଗୃହହରା ଲୋକ ଗୃହ ବୀମା ପାଇବାରୁ ବଞ୍ଚିତ ହେବେ, କାରଣ ଏହି ଦୁର୍ବିପାକ ପୂର୍ବରୁ ଆମେରିକାର ବୃହତ୍ତମ ଗୃହ ବୀମାକାରୀ କଂପାନି ‘ଷ୍ଟେଟଫାର୍ମ’ ପକ୍ଷରୁ ୩୦,୦୦୦ଟି ବୀମା ବାତିଲ କରି ଦିଆଯାଇଥିଲା। ଏହାର କାରଣ ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ‘କୃତ୍ରିମ ବୁଦ୍ଧିମତ୍ତା’ ବା ଏ.ଆଇ. ଦ୍ବାରା କରାଯାଇଥିବା ଏକ ଆକଳନରୁ ଆଭାସ ମିଳିଥିଲା ଯେ ଭବିଷ୍ୟତ୍ରେ ବନାଗ୍ନିର ସଂଖ୍ୟା ବୃଦ୍ଧି ପାଇବ, ଯାହା ଫଳରେ କଂପାନି ପକ୍ଷରୁ ବାର୍ଷିକ ପ୍ରିମିଅମ୍ର ପରିମାଣକୁ ୪୫୦୦ ଡଲାରରୁ ବୃଦ୍ଧି କରି ୧୮,୦୦୦ ଡଲାର (ଚାରି ଗୁଣ) କରି ଦିଆଯାଇଥିଲା, ଯେଉଁ ବିଶାଳ ରାଶିକୁ ଦେଇ ନ ପାରି ଅନେକ ଲୋକ ବୀମାର ସୁରକ୍ଷା ହରାଇଛନ୍ତି। କୁହାଯାଉଛି ଯେ ସଂପୂର୍ଣ୍ଣ ଅଙ୍ଗାରରେ ପରିଣତ ହୋଇଥିବା ପେଲିସେଡ୍ସ ଅଞ୍ଚଳର ୧୬,୦୦୦ଟି ଗୃହ ବୀମା ବହିର୍ଭୂତ, ସୁତରାଂ, ଅସହାୟ ନାଗରିକମାନେ ଉଭୟ ଗୃହ ଓ ବୀମାର ଛାତ ହରାଇଛନ୍ତି। ପ୍ରକାଶ ଥାଉ କି ପ୍ରଶାନ୍ତ ସାଗରୀୟ ତଟବର୍ତ୍ତୀ ମନୋରମ ପେଲିସେଡ୍ସ ଅଞ୍ଚଳ ଅନେକ ଅତ୍ୟନ୍ତ ବିତ୍ତଶାଳୀ ଆମେରିକୀୟ, ହଲିଉଡ୍ ତାରକା ଓ ପୃଥିବୀ ପ୍ରସିଦ୍ଧ ଗାୟକଗାୟିକାମାନଙ୍କ ଆବାସ ସ୍ଥଳୀ ଥିଲା, ଯେଉଁଠି ନିୟୁତ ନିୟୁତ ଡଲାର ମୂଲ୍ୟର ବିଳାସପୂର୍ଣ୍ଣ ଗୃହମାନ ଗଢ଼ି ଉଠିଥିଲା। ସେହି ଭଳି ଏହି ଦାରୁଣ ଦୁର୍ବିପାକରୁ ସୁଯୋଗ ଉଠାଇବାର ଲୋଭ ହେତୁ ପରିତ୍ୟକ୍ତ ଗୃହମାନଙ୍କରୁ ବ୍ୟାପକ ଲୁଟତରାଜ ଆରମ୍ଭ ହୋଇଯାଇଛି, ଯାହାର ମୁକାବିଲା ସକାଶେ ପୁଲିସ ପକ୍ଷରୁ ଗିରଫଦାରି ମଧ୍ୟ କରାଯାଉଛି। ଏଭଳି ସ୍ଥିତିରେ ଘଟୁଥିବା ମାନସ ମନ୍ଥନରୁ ଚୈତନ୍ୟ ମଧ୍ୟ ଉଦୟ ହେଉଛି। ଗୃହଗୁଡ଼ିକୁ କାଠ ବଦଳରେ କଂକ୍ରିଟ୍ ବା ଅଗ୍ନି-ସହ୍ୟକାରୀ ଦ୍ରବ୍ୟରେ ନିର୍ମାଣ କରାଯିବା ବିଷୟ ଗୁରୁତ୍ବ ଲାଗ କରିଛି। ଏଥିରେ ସନ୍ଦେହ ନାହିଁ ଯେ ନିଃସ୍ବ ନାଗରିକମାନେ ପୁନର୍ବାର ସେମାନଙ୍କ ଜୀବନକୁ ଗଢ଼ିବାରେ ପ୍ରବୃତ୍ତ ହେବେ। ମନ୍ଥର ଗତିରେ ସହରମାନ ପୁଣି ଛିଡ଼ା ହେବେ। ଏବଂ ବିପର୍ଯ୍ୟୟ କିଭଳି ଭୟାବହ ହୋଇପାରେ, ତାହାର ଏକ ଧାରଣା ମିଳି ସାରିଥିବାରୁ ବିପତ୍ତିର ପୁନରାବୃତ୍ତି ଯେମିତି ନ ଘଟେ ତାହାର ଉପାୟ କରାଯିବ ଏବଂ ମୁକାବିଲା ଅଧିକ ସୁଦକ୍ଷ ହେବ।
ପ୍ରକାଶ ଥାଉ କି ଲୁଟେରାମାନଙ୍କ ଠାରୁ ଜବତ କରାଯାଇଥିବା ଦ୍ରବ୍ୟ ମଧ୍ୟରେ ଅଛି ‘ଓସ୍କାର’ ଓ ‘ଏମି’ ଟ୍ରଫି, ଯାହା ହଲିଉଡ୍ର କୌଣସି ଉଚ୍ଚକୋଟୀର ତାରକାଙ୍କର ହୋଇଥିବ ଏବଂ ଯାହାଙ୍କୁ ଚିହ୍ନଟ କରିବା ସମ୍ଭବ ନୁହେଁ। ହୁଏତ ସେ ହୋଇପାରନ୍ତି ‘ଦ ସାଇଲେନ୍ସ ଅଫ ଦ ଲ୍ୟାଂବ୍ସ’ରେ ଐନ୍ଦ୍ରଜାଲିକ ଅଭିନୟ ଲାଗି ଓସ୍କାର ଜିଣିଥିବା ଆନ୍ଥୋନୀ ହପକିନସ, ଯିଏ ଏହି ନିଆଁରେ ନିଜ ଗୃହଟି ହରାଇଛନ୍ତି! ଅଗ୍ନି ଗର୍ଭରେ ସବୁ କିଛି ଅଙ୍ଗାର ପାଲଟି ଯାଏ; ଯେମିତି ପାଲଟି ଯାଇଛନ୍ତି ଅସଂଖ୍ୟ ଲସ୍ ଏଞ୍ଜେଲସ୍ବାସୀଙ୍କ କେଇ ପିଢ଼ିର ସ୍ମୃତି ଓ ସ୍ମୃତିର ସନ୍ତକମାନ। ଏବଂ ସ୍ମୃତିର ଶ୍ମଶାନଗୁଡ଼ିକ ଏଭଳି ବିବର୍ଣ୍ଣ ହୋଇଯାଆନ୍ତି ଯେ ତହିଁରେ କିଛି ଠଉରାଇବା ବା ଖୋଜିବା ନିରର୍ଥକ ହୋଇପଡ଼େ, ପାଇବାର ପ୍ରଶ୍ନ ହିଁ ନ ଥାଏ!