ଦେଶରେ ଖାଉଟି ବ୍ୟୟ ଓ ନିବେଶରେ ପରିଲକ୍ଷିତ ଧାରା ସଂପର୍କରେ ରିଜର୍ଭ ବ୍ୟାଙ୍କ୍ ସନ୍ତୋଷ ପ୍ରକାଶ କରିଥିଲେ ହେଁ, ଭବିଷ୍ୟତ୍ରେ ଯୁଦ୍ଧର ପ୍ରଭାବ କେଉଁ ମୋଡ଼ ନେବ କହିହେବ ନାହିଁ। ତଥାପି ୨୦୨୪-୨୫ରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ପୂର୍ବରୁ ଅନୁମାନ କରାଯାଇଥିବା ଭଳି ୭.୨ ଶତାଂଶ ହେବ ଓ ମୁଦ୍ରାସ୍ଫୀତି ହାର ୪.୫ ଶତାଂଶ ହେବ ବୋଲି ରିଜର୍ଭ ବ୍ୟାଙ୍କ୍ ଆଶା ପ୍ରକାଶ କରିଛି। ଯଦି ପରିସ୍ଥିତି ଅନୁକୂଳ ରହେ ଓ ମୁଦ୍ରାସ୍ଫୀତି ଘୋଡ଼ା ତା’ର ଶାଳରେ ଶାନ୍ତ ଭାବରେ ବିଶ୍ରାମ ନିଏ, ତେବେ ହୁଏତ ଆଗାମୀ ବିତ୍ତ ବର୍ଷ ଆରମ୍ଭ ବେଳକୁ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ରେ ହ୍ରାସ ଘଟାଇବା ଉଚିତ ମନେ କରିପାରେ।
ଚଳିତ ମାସ ଆରମ୍ଭରେ ‘ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ’ର ମୁଦ୍ରାନୀତି ନିର୍ଦ୍ଧାରଣ କମିଟି ‘ଏମ୍ପିସି’ର ଅର୍ଦ୍ଧେକ ସଦସ୍ୟଙ୍କର କାର୍ଯ୍ୟକାଳ ସମାପ୍ତ ହେବା ପରେ ସେମାନଙ୍କ ସ୍ଥାନରେ ନୂତନ ସଦସ୍ୟମାନେ ଅବସ୍ଥାପିତ ହୋଇଛନ୍ତି। ଛ’ଜଣ ସଦସ୍ୟବିଶିଷ୍ଟ ‘ଏମ୍ପିସି’ର ବିଦାୟ ଗ୍ରହଣ କରିଥିବା ଏହି ତିନି ଜଣ ସଦସ୍ୟ ହେଉଛନ୍ତି କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ବାହ୍ୟ ସଦସ୍ୟ ଜୟନ୍ତ ବର୍ମା, ଅସୀମା ଗୋୟାଲ ଓ ଶଶାଙ୍କ ଭିଡ଼େ। ଯେଉଁ ଏକ ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ନିକଟ ଅତୀତରେ ଏଇ ତିନି ଜଣ ଅର୍ଥନୀତିଜ୍ଞ ଚର୍ଚ୍ଚାରେ ରହିଆସିଛନ୍ତି, ତାହା ହେଲା, ରିଜର୍ଭ ବ୍ୟାଙ୍କ୍ର ଗଭର୍ନର ଶକ୍ତିକାନ୍ତ ଦାସଙ୍କ ନେତୃତ୍ବାଧୀନ ‘ଏମ୍ପିସି’ ନିର୍ଣ୍ଣାୟକ ସୁଧ ହାର ‘ରେପୋ ରେଟ୍’ରେ ହ୍ରାସ ଘଟାଇବାର ସମୟ ଉପସ୍ଥିତ ହୋଇନାହିଁ ବୋଲି ବିଚାର କରି ଏଥିରୁ ନିବୃତ୍ତ ରହି ଆସିଥିବା ବେଳେ, ଉପରୋକ୍ତ ବାହ୍ୟ ସଦସ୍ୟମାନେ ଅର୍ଥନୈତିକ ଅଭିବୃଦ୍ଧିକୁ ସହାୟକ ହେବା ନିମିତ୍ତ ରେପୋ ରେଟ୍ରେ ହ୍ରାସ ଘଟାଇବା ଉଚିତ ହେବ ବୋଲି ମତ ପୋଷଣ କରିଆସିଥିଲେ।
ଉପରୋକ୍ତ ତିନି ଜଣ ସଦସ୍ୟଙ୍କ ସ୍ଥାନରେ ସରକାର ବର୍ତ୍ତମାନ ଯେଉଁ ତିନି ଜଣ ନୂତନ ସଦସ୍ୟଙ୍କୁ ନିଯୁକ୍ତ କରିଛନ୍ତି, ସେମାନେ ହେଲେ ‘ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସ’ର ନିର୍ଦ୍ଦେଶକ ରାମ ସିଂହ, ଅର୍ଥନୀତିଜ୍ଞ ସୌଗତ ଭଟ୍ଟାଚାର୍ଯ୍ୟ ଓ ‘ଇନ୍ଷ୍ଟିଚ୍ୟୁଟ୍ ଫର୍ ଷ୍ଟଡିଜ୍ ଇନ୍ ଇଣ୍ଡଷ୍ଟ୍ରିଆଲ୍ ଡେଭେଲପ୍ମେଣ୍ଟ୍’ର ନିର୍ଦ୍ଦେଶକ ନଗେଶ୍ କୁମାର। ଅକ୍ଟୋବର ୭-୯ରେ ‘ଏମ୍ପିସି’ର ଦ୍ବିମାସିକ ବୈଠକ ପୂର୍ବରୁ ଏହି ନୂତନ ସଦସ୍ୟମାନଙ୍କର ନିଯୁକ୍ତି ବିତ୍ତୀୟ ମହଲରେ ଏକ ଆଶା ସଞ୍ଚାର କରିଥିଲା ଯେ ଏଥର ବୋଧହୁଏ ନୀଚା ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଶେଷରେ ‘ଏମ୍ପିସି’ ରେପୋ ରେଟ୍ରେ ହ୍ରାସ ଘଟାଇବାକୁ ଯାଉଛି। କିନ୍ତୁ ଅକ୍ଟୋବର ୯ରେ ଘୋଷିତ ଏହି ବୈଠକର ନିଷ୍ପତ୍ତି ଦେଖିବା ପରେ ପର୍ଯ୍ୟବେକ୍ଷକମାନଙ୍କ ମନରେ ଯେଉଁ ଏକ ଭାବନା ପ୍ରତିଧ୍ବନିତ ହେଉଛି, ତାହା ହେଲା ଊନବିଂଶ ଶତାବ୍ଦୀର ଫରାସୀ ସମାଲୋଚକ ଆଲ୍ଫୋନ୍ସ କାର୍ଙ୍କର ସୁପରିଚିତ ଉକ୍ତି: ‘‘ଦି ମୋର୍ ଥିଙ୍ଗ୍ସ ଚେଞ୍ଜ୍, ଦି ମୋର୍ ଦେ ଷ୍ଟେ ଦି ସେମ୍।’’ (ପରିସ୍ଥିତିରେ ଯେତେ ଅଧିକ ପରିବର୍ତ୍ତନ ଘଟିଥାଏ, ତାହା ସେତେ ଅଧିକ ଅପରିବର୍ତ୍ତିତ ରହିଥାଏ।) ଏହି ଘୋଷଣା ଅନୁସାରେ ପରିବର୍ତ୍ତିତ ‘ଏମ୍ପିସି’ ରେପୋ ରେଟ୍କୁ ପୂର୍ବଭଳି ସେଇ ୬.୫ ଶତାଂଶ ହାରରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ଗ୍ରହଣ କରିଛି।
ଅନ୍ୟ ଯେଉଁ ଏକ କାରଣ ପର୍ଯ୍ୟବେକ୍ଷକମାନଙ୍କ ମଧ୍ୟରେ ରେପୋ ରେଟ୍ରେ ଏକ ସମ୍ଭାବ୍ୟ ହ୍ରାସ ଘଟିବାର ଆଶା ଜାଗ୍ରତ କରିଥିଲା, ତାହା ହେଲା ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ୍ ‘ଫେଡେରାଲ୍ ରିଜର୍ଭ’ ନିକଟରେ ସୁଧ ହାରରେ ହ୍ରାସ ଘଟାଇବା ନିମିତ୍ତ ଆରମ୍ଭ କରିଥିବା ପ୍ରକ୍ରିୟା। ଏଥିଯୋଗୁଁ ଭାରତୀୟ ମୁଦ୍ରା(ଟଙ୍କା)ର ବିନିମୟ ମୂଲ୍ୟ ଉପରେ ସମ୍ଭାବ୍ୟ ଚାପକୁ ପ୍ରତିହତ କରିବା ପାଇଁ, ଏଠାରେ ମଧ୍ୟ ସୁଧ ହାରରେ ଅନୁରୂପ ହ୍ରାସ ଘଟାଇବାକୁ ରିଜର୍ଭ ବ୍ୟାଙ୍କ୍ ଉଚିତ ବିଚାର କରିପାରେ ବୋଲି ପର୍ଯ୍ୟବେକ୍ଷକମାନେ ଅନୁମାନ କରୁଥିଲେ। ତା’ଛଡ଼ା ଆନ୍ତର୍ଜାତିକ ସାମରିକ-ରାଜନୈତିକ ଅସ୍ଥିରତା ଯୋଗୁଁ ଅର୍ଥନୈତିକ ଅଭିବୃଦ୍ଧି ସମ୍ମୁଖୀନ ହେବାର ଥିବା ପ୍ରତିବନ୍ଧକମାନଙ୍କୁ ଅତିକ୍ରମ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ରେ ହ୍ରାସ ଘଟାଇବ ବୋଲି ସେମାନେ ବିଶ୍ବାସ କରୁଥିଲେ। ‘ଏମ୍ପିସି’ ସେମାନଙ୍କୁ ଏଥିରେ ହତାଶ କରିଥିଲେ ହେଁ, ଭବିଷ୍ୟତ୍ ପାଇଁ ସେମାନଙ୍କର ଏହି ଆଶାକୁ ମଉଳିବାକୁ ନ ଦେଇ ରିଜର୍ଭ ବ୍ୟାଙ୍କ୍ର ନୀତିଗତ ଆଭିମୁଖ୍ୟ (ପଲିସି ଷ୍ଟାନ୍ସ)ରେ ଏକ ସକାରାତ୍ମକ ପରିବର୍ତ୍ତନ ଘଟାଇ ତାହାକୁ ‘‘ନିରପେକ୍ଷ’’ (ନିଉଟ୍ରାଲ୍) ଘୋଷଣା କରିଛି। ଏଥିରୁ ଯେଉଁ ଇସାରା ମିଳିଥାଏ, ତାହା ହେଲା ଯଦି ଆଗାମୀ ସମୟରେ ମୁଦ୍ରାସ୍ଫୀତି ହାର ୪ ଶତାଂଶ ସ୍ତରରେ ସ୍ଥିରତା ହାସଲ କରେ, ତେବେ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ରେ ହ୍ରାସ ଘଟାଇବା ପାଇଁ ଆଗେଇ ଆସିପାରେ।
ଇତି ମଧ୍ୟରେ ଦେଶରେ ଖାଉଟି ମୁଦ୍ରାସ୍ଫୀତିରେ ଶିଥିଳତା ଦେଖାଯାଇଛି ସତ, କିନ୍ତୁ ଏହା ତଥାପି ରିଜର୍ଭ ବ୍ୟାଙ୍କ୍ର ୪ ଶତାଂଶ ଲକ୍ଷ୍ୟ ଠାରୁ ଉପରେ ରହିଥିବାରୁ ଏହା ଉପରେ ଲଗାମ ହୁଗୁଳା କରିବାର ସମୟ ତଥାପି ଉପସ୍ଥିତ ହୋଇନାହିଁ ବୋଲି ‘ଏମ୍ପିସି’ ଅନୁଭବ କରିଛି। ଗଭର୍ନର ଶକ୍ତିକାନ୍ତ ଦାସଙ୍କ ଭାଷାରେ ‘‘ବହୁ କଷ୍ଟ ସ୍ବୀକାର କରି ମୁଦ୍ରାସ୍ଫୀତି ଘୋଡ଼ାକୁ ଘୋଡ଼ାଶାଳରେ ଭର୍ତ୍ତି କରାଯାଇଛି। ଆମକୁ ଫାଟକ ଖୋଲିବା ବାବଦରେ ବହୁତ ହୁସିଆର ହେବାକୁ ପଡ଼ିବ, କାରଣ ଘୋଡ଼ା ପୁଣି ଅବିଳମ୍ବେ ଡିଅଁା ମାରି ପଳାଇ ଯାଇପାରେ।’’
ଅବଶ୍ୟ ଜୁଲାଇ ଓ ଅଗଷ୍ଟରେ ମୁଦ୍ରାସ୍ଫୀତି ହାର ୪ ଶତାଂଶ ତଳକୁ ଖସିବା ଦେଖାଯାଇଥିଲା, କିନ୍ତୁ ତା’ର ଅସଲ କାରଣ ହେଉଛି ପରିସଂଖ୍ୟାନର ଖେଳ। ଏହି ମୁଦ୍ରାସ୍ଫୀତି ହାର ହେଉଛି ବାର୍ଷିକ ହାର ଏବଂ ଗତବର୍ଷ ଏଇ ସମୟରେ ଦରଦାମ ସୂଚକାଙ୍କ ଅପେକ୍ଷାକୃତ ଉଚ୍ଚା ଥିବା କାରଣରୁ ତା’ ତୁଳନାରେ ଚଳିତବର୍ଷର ଦରଦାମ ବୃଦ୍ଧି ହାର ଅପେକ୍ଷାକୃତ ନୀଚା ମନେ ହୋଇଛି, ଯାହାକୁ ଅର୍ଥଶାସ୍ତ୍ରରେ ‘ମୂଳ ପ୍ରଭାବ’ ବା ‘ବେସ୍ ଇଫେକ୍ଟ’ ରୂପେ ଅଭିହିତ କରାଯାଇଥାଏ। ଏହି ‘ବେସ୍ ଇଫେକ୍ଟ’ ଓଲଟିଗଲେ ମୁଦ୍ରାସ୍ଫୀତି ହାର ପୁଣି ନିରାପଦ ସୀମା ଅତିକ୍ରମ କରିଯିବ। ସମୟକ୍ରମେ ଯେତେବେଳେ ଏହି ଅସ୍ଥିରତାରେ ଅନ୍ତ ଘଟି ମୁଦ୍ରାସ୍ଫୀତି ତା’ର ପ୍ରକୃତ ରୂପ ପ୍ରକଟ କରିବ, ସେତେବେଳେ ଆମକୁ ସେ ସଂପର୍କରେ ଏକ ସ୍ପଷ୍ଟ ଚିତ୍ର ଉପଲବ୍ଧ ହେବ।
ତେବେ ଆଗକୁ ସୁଦିନ ଆସୁଛି ବୋଲି ଶକ୍ତିକାନ୍ତ ବିଶ୍ବାସ କରୁଛନ୍ତି। ଚଳିତ ଋତୁରେ ହୋଇଥିବା ଯଥେଷ୍ଟ ବୃଷ୍ଟିପାତ ଯୋଗୁଁ ଖାଦ୍ୟ ଉତ୍ପାଦନରେ ପ୍ରାଚୁର୍ଯ୍ୟ ଖାଦ୍ୟ ଦରକୁ ଅତିରିକ୍ତ ବୃଦ୍ଧି ପାଇବାକୁ ଦେବନାହିଁ ବୋଲି ଆଶା କରାଯାଉଛି। ଉତ୍ତମ ବୃଷ୍ଟିପାତ ଯୋଗୁଁ ଖରିଫ୍ ଅମଳ ସନ୍ତୋଷଜନକ ହେବାକୁ ଯାଉଥିବା ବେଳେ ଜଳଭଣ୍ଡାରମାନଙ୍କରେ ଜଳସ୍ତର ଉଚ୍ଚ ରହି ନିଶ୍ଚିତ ଜଳସେଚନ ଉପଲବ୍ଧ ହେବା ଯୋଗୁଁ ରବି ଶସ୍ୟ ଅମଳ ମଧ୍ୟ ପ୍ରଚୁର ହେବାର ଦୃଢ଼ ସମ୍ଭାବନା ଦେଖାଯାଉଛି। କିନ୍ତୁ ଦେଶ ବାହାରେ ଲାଗିରହିଥିବା ଅସ୍ଥିରତା ଏଠାରେ ଦରଦାମକୁ ପ୍ରଭାବିତ କରିବାର ସମସ୍ତ ସମ୍ଭାବନା ରହିଛି। ଇରାନ୍ ଦ୍ବାରା ଇସ୍ରାଏଲ୍ ଉପରେ କ୍ଷେପଣାସ୍ତ୍ର ମାଡ଼ ପରେ ପରେ ବ୍ରେଣ୍ଟ୍ ଅଶୋଧିତ ତୈଳ ବ୍ୟାରେଲ୍ ପିଛା ଦର ୭୦ ଡଲାର୍ରୁ ୭୮ ଡଲାର୍କୁ ବୃଦ୍ଧି ପାଇବା ଦେଖାଯାଇଥିଲା। ତୈଳ ଦର ୮୦-୮୫ ଡଲାର୍ ସୀମା ମଧ୍ୟରେ ରହିଥିବା ପର୍ଯ୍ୟନ୍ତ ଭାରତୀୟ ଅର୍ଥନୀତି ତାହାକୁ ସମ୍ଭାଳି ଯାଇପାରେ। କିନ୍ତୁ ମଧ୍ୟପ୍ରାଚ୍ୟ ପରିସ୍ଥିତି ଆହୁରି ଖରାପ ହୋଇ ତୈଳ ଦର ଯଦି ଏହି ସୀମା ଅତିକ୍ରମ କରିଯାଏ, ଭାରତରେ ଖାଉଟି ଦରଦାମ ସେଥିଯୋଗୁଁ ପ୍ରଭାବିତ ହେବା ନିଶ୍ଚିତ। ଚୀନ୍ ନିକଟରେ ସେ ଦେଶର ଅର୍ଥନୀତିକୁ ସହାୟକ ହେବା ପାଇଁ ଘୋଷଣା କରିଥିବା ପ୍ରୋତ୍ସାହନ ପ୍ୟାକେଜ୍ର ପ୍ରଭାବରେ ଆନ୍ତର୍ଜାତିକ ବଜାରରେ ଧାତୁ ଦରରେ ବୃଦ୍ଧି ଘଟିସାରିଲାଣି, ଯାହା ଅନ୍ୟ ଦେଶମାନଙ୍କରେ ମୁଦ୍ରାସ୍ଫୀତିକୁ ପ୍ରଭାବିତ କରିବ।
ଦେଶରେ ଖାଉଟି ବ୍ୟୟ ଓ ନିବେଶରେ ପରିଲକ୍ଷିତ ଧାରା ସଂପର୍କରେ ରିଜର୍ଭ ବ୍ୟାଙ୍କ୍ ସନ୍ତୋଷ ପ୍ରକାଶ କରିଥିଲେ ହେଁ, ଭବିଷ୍ୟତ୍ରେ ଯୁଦ୍ଧର ପ୍ରଭାବ କେଉଁ ମୋଡ଼ ନେବ କହିହେବ ନାହିଁ। ତଥାପି ୨୦୨୪-୨୫ରେ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ପୂର୍ବରୁ ଅନୁମାନ କରାଯାଇଥିବା ଭଳି ୭.୨ ଶତାଂଶ ହେବ ଓ ମୁଦ୍ରାସ୍ଫୀତି ହାର ୪.୫ ଶତାଂଶ ହେବ ବୋଲି ରିଜର୍ଭ ବ୍ୟାଙ୍କ୍ ଆଶା ପ୍ରକାଶ କରିଛି। ଯଦି ପରିସ୍ଥିତି ଅନୁକୂଳ ରହେ ଓ ମୁଦ୍ରାସ୍ଫୀତି ଘୋଡ଼ା ତା’ର ଶାଳରେ ଶାନ୍ତ ଭାବରେ ବିଶ୍ରାମ ନିଏ, ତେବେ ହୁଏତ ଆଗାମୀ ବିତ୍ତ ବର୍ଷ ଆରମ୍ଭ ବେଳକୁ ରିଜର୍ଭ ବ୍ୟାଙ୍କ୍ ରେପୋ ରେଟ୍ରେ ହ୍ରାସ ଘଟାଇବା ଉଚିତ ମନେ କରିପାରେ।