ଏବେ ଯେତେବେଳେ ଭାରତୀୟମାନଙ୍କ ଦୈନନ୍ଦିନ ଆହାରରେ ‘େଡଟା’ ଭକ୍ଷଣ ମଧ୍ୟ ଅନ୍ତର୍ଭୁକ୍ତ ହେଲାଣି, ନିଜ ନିଜ ସ୍ମାର୍ଟଫୋନ୍ରେ ମଜ୍ଜି ରହି ଅସଂଖ୍ୟ ଲୋକ ମୁଦ୍ରାସ୍ଫୀତିଜନିତ ନିତ୍ୟ ନୈମତ୍ତିକ କଷଣକୁ ମଧ୍ୟ ପାସୋରି ଯାଉଛନ୍ତି, ସେମାନଙ୍କ ସକାଶେ ‘ଡେଟା’ ଲାଗି ଆହାରରେ ସଂକୋଚନ ଘଟିଲେ ମଧ୍ୟ ବିଶେଷ ପରବାୟ ନ ଥାଏ। ଏହି ବର୍ଗ ଚାହିଲେ ହୁଏତ ପ୍ରତିବାଦର ଉଚ୍ଚାଟ ସୃଷ୍ଟି କରିପାରନ୍ତେ! କିନ୍ତୁ ସେମାନେ ଜଡ଼ ପ୍ରାୟ!
ଗଲା ମଙ୍ଗଳବାର ଦିନ ‘ନେସ୍ନାଲ୍ ଷ୍ଟାଟିଷ୍ଟିକାଲ୍ ଅଫିସ’ ବା ‘ଏନ୍.ଏସ୍.ଓ.’ ଦ୍ବାରା ପ୍ରକାଶିତ ଅକ୍ଟୋବର ମାସର ମୁଦ୍ରାସ୍ଫୀତି ରିପୋର୍ଟ ଅର୍ଥନୀତିଜ୍ଞ ଓ ବଜାର ବିଶେଷଜ୍ଞମାନଙ୍କୁ ତର୍କ-ଉଚ୍ଚାଟିତ କରିଛି, କାରଣ ଗଲା ୧୪ ମାସ ମଧ୍ୟରେ ଏହି ହାର ସର୍ବାଧିକ; ଅର୍ଥାତ୍ ଗଲା ୨୦୨୩ ମସିହା ଅଗଷ୍ଟ ମାସରେ ଏକ ଅତ୍ୟନ୍ତ ଉଚ୍ଚା ୬.୮୫%ରେ ପହଞ୍ଚିଥିବା ମୁଦ୍ରାସ୍ଫୀତି ହାର କ୍ରମେ ହ୍ରାସ ପାଇ ଗଲା ସେପ୍ଟେମ୍ବର ମାସେର ୫.୪୯% ଥିବା ବେଳେ ପରବର୍ତ୍ତୀ ଅକ୍ଟୋବର ମାସରେ ତାହା ଲଂଫ ପ୍ରଦାନ କରି ପହଞ୍ଚିଛି ୬.୨୧%ରେ। ଏହା ସୁବିଦିତ ଯେ ‘ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ’ ଦ୍ବାରା ନିର୍ଦ୍ଧାରିତ ମାନକ ଅନୁସାରେ ୪%ରୁ ୬% ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ହାର ସହନୀୟ ହୋଇଥାଏ। ସୁତରାଂ, ଗଲା ଅକ୍ଟୋବରର ମୁଦ୍ରାସ୍ଫୀତି ଅସହନୀୟ ସ୍ତରରେ ପ୍ରବେଶ କରିଛି। ଏଭଳି ସ୍ଥିତିରେ ପ୍ରଶ୍ନ ଉଠିଥାଏ ଯେ ତୀବ୍ର ଦର ବୃଦ୍ଧିର ଯନ୍ତାରେ ବନ୍ଦୀ ହୋଇ ସନ୍ତାପର ଦୀର୍ଘଶ୍ବାସ ବିସର୍ଜନ କରୁଥିବା ଜନସାଧାରଣ କାହିଁକି ପ୍ରତିବାଦର ତୀବ୍ରତା ସୃଷ୍ଟି କରୁ ନାହାନ୍ତି?
ଯଦିଓ ଏନ୍.ଏସ୍.ଓ. ପକ୍ଷରୁ ସାମଗ୍ରିକ ମୁଦ୍ରାସ୍ଫୀତି (୬.୨୧%) ବିଷୟ ପ୍ରକାଶିତ ହୋଇଛି, ଏଠାରେ ଖାଦ୍ୟ ମୁଦ୍ରାସ୍ଫୀତି ଉପରେ ଆଲୋଚନା ସୀମିତ ରହୁ। କାରଣ ‘ଏନ୍.ଏସ୍.ଓ.’ ରିପୋର୍ଟ ଅନୁସାରେ ଖାଦ୍ୟ ପଦାର୍ଥର ମୁଦାସ୍ଫୀତି ସର୍ବାଧିକ, ଅର୍ଥାତ୍ ୧୦.୮୭%; ଯହିଁରୁ ପନିପରିବା ଦରେର ବୃଦ୍ଧି ସବୁଠାରୁ ଅଧିକ ତୀବ୍ର ଅର୍ଥାତ୍ ୪୨.୧%। ସେହିଭଳି ଫଳ ଓ ଖାଇବା ତେଲରେ ମୁଦ୍ରାସ୍ଫୀତିର ହାର ଯଥାକ୍ରମେ ୬.୪୩% ଓ ୯.୫୧ ପ୍ରତିଶତ। କେବଳ ସେତିକି ନୁହେଁ, ଦୈନନ୍ଦିନ ଜୀବନରେ ଖାଦ୍ୟ ଦରରେ ବୃଦ୍ଧି ହିଁ ଖାଉଟିକୁ ସବୁଠାରୁ ଅଧିକ ବାଧିଥାଏ। ଅବଶ୍ୟ, ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପଛରେ ଅନ୍ତର୍ଜାତୀୟ ଠାରୁ ସ୍ଥାନୀୟ କାରଣ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ ଥାଏ, ଜଳବାୟୁ ପରିବର୍ତ୍ତନଜନିତ ବିଭୀଷିକା ଓ ଯୁଦ୍ଧ ଭଳି ବୃହତ୍ କାରଣରୁ ଆରମ୍ଭ କରି ଗୋଟିଏ ଅଞ୍ଚଳରୁ ଆଉ ଏକ ଅଞ୍ଚଳକୁ ଖାଦ୍ୟଦ୍ରବ୍ୟ ପରିବହନ କରିବାର ବ୍ୟବସ୍ଥାରେ ବିଭ୍ରାଟ ଭଳି ସାମାନ୍ୟ କାରଣ ମଧ୍ୟ ବିଦ୍ୟମାନ ଥାଏ। ଉଦାହରଣ ସ୍ବରୂପ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ହେତୁ ଆମଦାନିରେ ବ୍ୟାଘାତ ହୋଇ କେତେକ ଖାଦ୍ୟ ଦ୍ରବ୍ୟ ସହିତ ସୂର୍ଯ୍ୟମୁଖୀ େତଲ ଦରରେ ତୀବ୍ର ବୃଦ୍ଧି ଘଟିଥିଲା। ସେମିତି ପଶ୍ଚିମବଙ୍ଗରୁ ପହଞ୍ଚି ନ ପାରିବା ହେତୁ ଆମ ରାଜ୍ୟରେ ଆଳୁ କିଭଳି ଉଚ୍ଚ ଦରଯୁକ୍ତ ଓ ଦୁର୍ଲଭ ହୋଇଥିଲା, ତାହା କୌଣସି ପାଠକ-ପାଠିକା ପାସୋରି ନ ଥିବେ! ସଂପ୍ରତି ପିଆଜ ଦର କିଲୋଗ୍ରାମ ପିଛା ଶହେ ଟଙ୍କାରେ ପହଞ୍ଚି ଖାଉଟିମାନଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଛି। ସୁତରାଂ, ସ୍ବାଭାବିକ ଭାବେ ମଧ୍ୟବିତ୍ତ, ନିମ୍ନବିତ୍ତ ଓ ଦରିଦ୍ର ପରିବାରର ରୋଷେଇ ଘରୁ କ୍ଷୀଣ ଆର୍ତ୍ତନାଦ ଶୁଣିବାକୁ ମିଳୁଛି। ଏବଂ ସମସ୍ୟା ହେଲା ତାହା ଯେଉଁଭଳି କୋଳାହଳ ସୃଷ୍ଟି କରିବା କଥା, ତାହା କରୁନାହିଁ।
ପ୍ରଶ୍ନ ଉଠେ ଯେ ଦୈନନ୍ଦିନ ବ୍ୟବହାର୍ଯ୍ୟ ଖାଦ୍ୟ ଦ୍ରବ୍ୟର ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା କ’ଣ ସମ୍ଭବ ନୁହେଁ? ଏବେ ପିଆଜ ଦରବୃଦ୍ଧି ବିଷୟ ବିଚାରକୁ ନିଆଯାଉ। ଏହା ପଛରେ ଯେଉଁ କାରଣଟି ନିହିତ ଅଛି ବୋଲି କୁହାଯାଇଥାଏ, ତାହା ହେଲା ଗୋଦାମମାନଙ୍କରେ ମହଜୁଦ ଥିବା ପୁରୁଣା ପିଆଜ ସମାପ୍ତ ହୋଇ ଆସିଲା ବେଳକୁ ନୂଆ ପିଆଜ ଏବେ ସୁଦ୍ଧା ବଜାର ପ୍ରବେଶ କରି ନାହିଁ। ସୁତରାଂ, ଚାହିଦା ଅନୁସାରେ ନିଅଣ୍ଟିଆ ଯୋଗାଣ ଓ ଉପଲବ୍ଧତା ହିଁ ଦରବୃଦ୍ଧିର କାରଣ। କିନ୍ତୁ ଆଉ ଏକ ବାସ୍ତବତା ହେଲା ଚୀନ ପରେ ଭାରତ ହେଉଛି ଦ୍ବିତୀୟ ବୃହତ୍ତମ ପିଆଜ ଉତ୍ପାଦକ ରାଷ୍ଟ୍ର; ପୃଥିବୀର ସମୁଦାୟ ଉତ୍ପାଦନର ୧୫ ପ୍ରତିଶତ। ସେମିତି ପିଆଜ ରପ୍ତାନିରେ ଭାରତ ଅଗ୍ରଗଣ୍ୟ; ଗଲା ବର୍ଷ ଅର୍ଥାତ୍ ୨୦୨୩ ମସିହାରେ ଭାରତର ପିଆଜ ରପ୍ତାନିର ପରିମାଣ ଥିଲା ୨.୫ ନିୟୁତ ମେଟ୍ରିକ ଟନ୍। କେବଳ ସେତିକି ନୁହେଁ, ଭାରତରେ ବର୍ଷକୁ ତିନି ଥର ଅର୍ଥାତ୍ ଗ୍ରୀଷ୍ମ, ବର୍ଷା ଓ ଶୀତ ଋତୁରେ ପିଆଜ ଅମଳ ହୋଇଥାଏ। ତେବେ ପୁଣି ନିଅଣ୍ଟ କାହିଁକି? ଏହାର ଏକ ମୁଖ୍ୟ କାରଣ ହେଲା ପିଆଜ ରପ୍ତାନିକୁ ପ୍ରାପ୍ତ ହେଉଥିବା ସରକାରୀ ସବ୍ସିଡି ଓ ପ୍ରୋତ୍ସାହନ ତଥା ତହିଁରୁ ମିଳୁଥିବା ପ୍ରଚୁର ଲାଭ ସକାଶେ ଘରୋଇ ଚାହିଦାକୁ ଉପେକ୍ଷା କରି ଉତ୍ପାଦକମାନେ ରପ୍ତାନି ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରନ୍ତି। ଅବଶ୍ୟ, ପିଆଜ ଦର ବୃଦ୍ଧି ଅସହନୀୟ ହେଲାଣି ବୋଲି ସରକାରଙ୍କ ଚୈତନ୍ୟ ଉଦୟ ହେଲେ ବେଳେବେଳେ ଅତ୍ୟନ୍ତ ସୀମିତ ସମୟ ଲାଗି ରପ୍ତାନି ଉପରେ କଟକଣା ଲଗାଯାଏ, କିନ୍ତୁ ଘରୋଇ ଚାହିଦା ଓ ଉତ୍ପାଦନକୁ ହିସାବକୁ ନେଇ ଦର ଓ ରପ୍ତାନି ଲାଗି ଉଦ୍ଦିଷ୍ଟ ପିଆଜର ପରିମାଣ ଆଦି ସ୍ଥିର କରିବା କ୍ଷେତ୍ରରେ କୌଣସି ଠୋସ ସରକାରୀ ନୀତି ପ୍ରବର୍ତ୍ତନ କରାଯାଇପାରି ନ ଥାଏ। ପନିପରିବା ଦରବୃଦ୍ଧି ପଛରେ ଥିବା ଏକ ବଡ଼ କାରଣ ହେଲା ସେ ସବୁର ଭଣ୍ଡାରଣ ଓ ବିତରଣ ନେଇ ସମସ୍ୟା। ନିର୍ଦ୍ଦିଷ୍ଟ ଅଞ୍ଚଳରେ ନିର୍ଦ୍ଦିଷ୍ଟ ପ୍ରକାରର ପନିପରିବାମାନ ଉତ୍ପନ୍ନ ହେଉଥିବାରୁ ସେଗୁଡ଼ିକୁ ବିଭିନ୍ନ ପ୍ରାନ୍ତକୁ ପରିବହନ କରିବା ଓ ସେ ସବୁ ପଚନଶୀଳ ହୋଇଥିବାରୁ ସେ ସବୁର ସଂରକ୍ଷଣ ଓ ଭଣ୍ଡାରଣର ବ୍ୟବସ୍ଥା କରିବା ଆହ୍ବାନଭରା ହୋଇଥାଏ। କିନ୍ତୁ ଗୋଟିଏ ଦୃଢ଼ ପ୍ରତିଜ୍ଞ ଓ ନିମ୍ନବିତ୍ତ ବର୍ଗର ଖାଉଟିଙ୍କ ସକାଶେ ସଂବେଦନଶୀଳ ସରକାର ପକ୍ଷରେ ସମନ୍ବୟୀ ଓ ସାର୍ଥକ ବ୍ୟବସ୍ଥାଟିଏ ସୃଷ୍ଟି କରିବା ଆଦୌ ଅସମ୍ଭବ ନୁହେଁ।
କିନ୍ତୁ ଅବସୋସ, ସେଭଳି କିଛି ଦୃଶ୍ୟମାନ ନ ହୋଇ ଯାହା ଘଟିଛି ତାହା ହେଲା ଖାଦ୍ୟ ଦ୍ରବ୍ୟ ଦରର ହ୍ରାସ-ବୃଦ୍ଧିର ଛାଇ-ଆଲୁଅ ଖେଳରେ ସଂଶୟାଚ୍ଛନ୍ନ ଖାଉଟି ଏହାକୁ ନିୟତି ବୋଲି ସ୍ବୀକାର କରି ନେଲେଣି; ସୁତରାଂ, କୌଣସି ବାତ୍ୟାର ପୂର୍ବାନୁମାନ ସହିତ ତତ୍କ୍ଷଣାତ୍ ବଜାରରେ ଘଟୁଥିବା ଅଗ୍ନି ଉଦ୍ଗିରଣ ଅଥବା କାର୍ତ୍ତିକ ମାସରେ ଓଡ଼ିଆ ନିରାମିଶାଷୀଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ହେତୁ ଘଟୁଥିବା ପରିବା ଦରରେ ତୀବ୍ର ବୃଦ୍ଧିକୁ ସ୍ବାଭାବିକ ବୋଲି ଧରି ନିଆଯାଉଛି। ତେଣୁ ଲୋକକ୍ଷେତ୍ରରେ ନିଃସଂଗ ସ୍ବର ଅଥବା ମୃଦୁ ବିରକ୍ତିମାନ ଶୁଭୁଛି ସିନା, ଉଚ୍ଚାଟ ଆଲୋଚନାର କଳରବ ବା ମୁଖର ପ୍ରତିବାଦ ଶୁଣିବାକୁ ମିଳୁନାହିଁ। ସଂପ୍ରତି ଯୁକ୍ତରାଷ୍ଟ୍ର ଆମେରିକାରେ ମୁଦ୍ରାସ୍ଫୀତି କାରଣରୁ ଶାସନ କ୍ଷମତାରେ ପରିବର୍ତ୍ତନ ଘଟିଲା ବୋଲି କୁହାଯାଉଛି; କିନ୍ତୁ ଭାରତରେ ସେଭଳି ଘଟିବ କି? ନା ମାଗଣା ବଣ୍ଟନର ପ୍ରତିଶ୍ରୁତି ବା ସାଂପ୍ରଦାୟିକ ବିଦ୍ବେଷର ତିକ୍ତତା ନାଗରିକମାନଙ୍କୁ ନିବିଡ଼ ଆଶ୍ଳେଷରେ ନେଇ ଦରଦାମ ବୃଦ୍ଧ ଭଳି ପ୍ରସଙ୍ଗକୁ ଗୌଣ କରି ପକାଇବ!
ସହରର ବଜାରରେ ଏଭଳି ମଧ୍ୟ ହୋଇଥାଏ େଯ ଆନୁପାତିକ ଭାବେ ସ୍ବଳ୍ପ ହେଲେ ବି ଖୁବ୍ ଅଧିକ ଆୟକାରୀ ସ୍ବଚ୍ଛଳ କ୍ରେତା ବର୍ଗ କୌଣସି ମୂଲଚାଲ ନ କରି ଏବଂ ବିକ୍ରେତାଙ୍କ ମୁଖ ନିସୃତ ଦାବି ଅନୁସାରେ ଅକାତରେ ମୂଲ୍ୟ ପଇଠ କରି ପନିପରିବା ବା ଫଳମୂଳ ବା ଫୁଲ ବଜାରରେ ଉଚ୍ଚ ଦରର ପ୍ରାଣ ପ୍ରତିଷ୍ଠା କରି ଦିଅନ୍ତି, ଯାହାକୁ ଅବଶିଷ୍ଟ କ୍ରେତା ସମାଜ ଅନୁସରଣ କରିବା ବ୍ୟତୀତ ଗତ୍ୟନ୍ତର ନ ଥାଏ। ସୁତରାଂ, ପକେଟରୁ ଅର୍ଥ ନିଃଶେଷ ହୋଇ ଚାଲିଥିଲେ ବି ଖାଦ୍ୟ ଥାଳି ପୂରି ନ ଥାଏ; ଭୋଜନରୁ ପୌଷ୍ଟିକ ତତ୍ତ୍ବ ବାଦ ପଡ଼େ। ସେହି ଦୃଷ୍ଟିରୁ କେତେକ ଅର୍ଥଶାସ୍ତ୍ରୀ କହିେଲଣି ଯେ ଏକ ବୀତସ୍ଫୃହ ସରକାର, ପୋଥି-ବାଇଗଣ ଚଷୁଥିବା ଅର୍ଥ ପରାମର୍ଶଦାତା ଓ ବଜାରର ନିଜସ୍ବ ଜାନ୍ତବ ଶକ୍ତି ଇତ୍ୟାଦି କାରଣରୁ ମୁଦ୍ରାସ୍ଫୀତିରେ ଆଖିଦୃଶିଆ ହ୍ରାସ ଘଟିବାର ସମ୍ଭାବନା କ୍ଷୀଣପ୍ରାୟ; ଯଦିଓ ଫସଲ ଅମଳ ପରେ କିଛି ଦିନ ଲାଗି ଉଚ୍ଚା ଦର ଅଧୋଗାମୀ ହେବ; ପୁନର୍ବାର ତାହା ଉପରକୁ ଉଠି ସ୍ଥିତି ସ୍ଥାପକତା ବଜାୟ ରଖିବ। ତେଣୁ ସେମାନେ କହନ୍ତି ଯେ ପ୍ରଚୀନ ଅାପ୍ତବାକ୍ୟ ପରିହାର କରି ହାତ ଗୋଡ଼ ଲମ୍ବାଇବା ଲାଗି ଚାଦରକୁ ବଡ଼ କରିବାର ପ୍ରଚେଷ୍ଟା କରାଯିବା ଉଚିତ; ଅନ୍ୟ ଅର୍ଥରେ ଆୟ ବୃଦ୍ଧି ଦ୍ବାରା ମୁଦ୍ରାସ୍ଫୀତିକୁ ନିଷ୍ପ୍ରଭ କରିବାର ଉଦ୍ୟମ। କିନ୍ତୁ ପ୍ରଶ୍ନ ହେଲା ଆମ ଦେଶରେ ଆୟ ବୃଦ୍ଧି କରିବାର ସୁଯୋଗ ପର୍ଯ୍ୟାପ୍ତ କି? ତାହା ହେଲେ? ଏବେ ଯେତେବେଳେ ଭାରତୀୟମାନଙ୍କ ଦୈନନ୍ଦିନ ଆହାରରେ ‘େଡଟା’ ଭକ୍ଷଣ ମଧ୍ୟ ଅନ୍ତର୍ଭୁକ୍ତ ହେଲାଣି, ନିଜ ନିଜ ସ୍ମାର୍ଟଫୋନ୍ରେ ମଜ୍ଜି ରହି ଅସଂଖ୍ୟ ଲୋକ ମୁଦ୍ରାସ୍ଫୀତିଜନିତ ନିତ୍ୟ ନୈମତ୍ତିକ କଷଣକୁ ମଧ୍ୟ ପାସୋରି ଯାଉଛନ୍ତି, ସେମାନଙ୍କ ସକାଶେ ‘ଡେଟା’ ଲାଗି ଆହାରରେ ସଂକୋଚନ ଘଟିଲେ ମଧ୍ୟ ବିଶେଷ ପରବାୟ ନ ଥାଏ। ଏହି ବର୍ଗ ଚାହିଲେ ହୁଏତ ପ୍ରତିବାଦର ଉଚ୍ଚାଟ ସୃଷ୍ଟି କରିପାରନ୍ତେ! କିନ୍ତୁ ସେମାନେ ଜଡ଼ ପ୍ରାୟ!