ଫ୍ରିଡ୍ମ୍ୟାନ୍ଙ୍କ ଚିନ୍ତାଧାରା ଅନୁସାରେ ଶିଳ୍ପାନୁଷ୍ଠାନମାନ ପ୍ରତିଷ୍ଠିତ ହେବା ପାଇଁ ସର୍ବନିମ୍ନ ସମ୍ଭବ ନିୟନ୍ତ୍ରଣର ସମ୍ମୁଖୀନ ହେବା ଉଚିତ। ବଜାରରେ ସେମାନେ ସମ୍ମୁଖୀନ ହେଉଥିବା ପ୍ରତିଯୋଗିତା ହିଁ ସେମାନଙ୍କର ଅସଲ ନିୟନ୍ତ୍ରକ ରୂପେ କାର୍ଯ୍ୟ କରିବ ଏବଂ ସେମାନଙ୍କୁ ସେମାନଙ୍କର ସର୍ବାଧିକ ସମ୍ଭବ ଦକ୍ଷତା ହାସଲ କରିବାକୁ ବାଧ୍ୟ କରିବ।
ପ୍ରକାଶିତ ସୂଚନା ଅନୁସାରେ କେନ୍ଦ୍ର ସରକାର ଅନତିବିଳମ୍ବେ ଏକ ‘ନେସନାଲ୍ ଡିରେଗୁଲେସନ୍ କମିସନ୍’ ସ୍ଥାପନ କରିବାକୁ ଯାଉଛନ୍ତି, ଯାହାର କାର୍ଯ୍ୟ ହେବ ଭାରତୀୟ ଅର୍ଥନୀତିର ଗୋଡ଼କୁ ଛନ୍ଦି ତା’ର ଅଭିବୃଦ୍ଧିର ଗତିରୋଧ କରୁଥିବା ବିଭିନ୍ନ ନିୟନ୍ତ୍ରଣମାନଙ୍କୁ ହଟାଇବା କିମ୍ବା ହୁଗୁଳା କରିବା। ଏଠାରେ ସୂଚନାଯୋଗ୍ୟ ଯେ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରୁ ଭାରତୀୟ ଅର୍ଥନୀତି ଯେଉଁ ବିଭିନ୍ନ ନିୟନ୍ତ୍ରଣ ବନ୍ଧନରେ ପ୍ରବେଶ କରିଥିଲା, ୧୯୯୦ ଦଶକର ଆରମ୍ଭ ପର୍ଯ୍ୟନ୍ତ ତାହା ଅତୁଟ ରହିଆସିବା ସହିତ ଅଧିକ ଦୃଢ଼ ହୋଇ ଚାଲିଥିଲା। ୧୯୩୯ରେ ଦ୍ବିତୀୟ ବିଶ୍ବଯୁଦ୍ଧ ଅାରମ୍ଭ ହେବା ପରେ ପରେ ଔପନିବେଶିକ ସରକାର ଏଠାରେ ବଳବତ୍ତର କରିଥିବା ‘ଡିଫେନ୍ସ ଅଫ୍ ଇଣ୍ଡିଆ ରୁଲ୍ସ’ (‘ଡିଆଇଆର୍’) ଭାରତରେ ନିୟନ୍ତ୍ରଣ ଯୁଗର ଆରମ୍ଭ କରିଥିଲା କହିଲେ ଭୁଲ୍ ହେବ ନାହିଁ।
ଏହି ନିୟମାବଳୀ ଦେଶରେ ସମସ୍ତ ପ୍ରକାର ଦ୍ରବ୍ୟମାନଙ୍କର ଉତ୍ପାଦନ, ପ୍ରକ୍ରିୟାକରଣ, ମହଜୁଦକରଣ, ପରିବହନ, ବଣ୍ଟନ, ବ୍ୟବହାର ଆଦିକୁ ନିୟନ୍ତ୍ରଣ ଓ ଏପରିକି ସଂପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ସରକାରଙ୍କୁ ଅସୀମ କ୍ଷମତା ପ୍ରଦାନ କରିଥିଲା। ଆମଦାନି, ରପ୍ତାନି ଠାରୁ ନିବେଶ ପାଇଁ ବଜାରରୁ ପୁଞ୍ଜି ସଂଗ୍ରହ ପର୍ଯ୍ୟନ୍ତରେ ଶିଳ୍ପବାଣିଜ୍ୟ ଉଦ୍ୟୋଗମାନ କଠୋର ନିୟନ୍ତ୍ରଣର ସମ୍ମୁଖୀନ ହେଉଥିଲେ। ସ୍ବାଧୀନତା ଲାଭ ପରେ ତତ୍କାଳୀନ ସୋଭିଏତ ସଂଘର ସମାଜବାଦୀ ଢାଞ୍ଚା ଦ୍ବାରା ଅନୁପ୍ରାଣିତ ହୋଇ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଭାରତରେ ମଧ୍ୟ ଏକ ନିୟନ୍ତ୍ରଣଭିତ୍ତିକ ପଞ୍ଚବାର୍ଷିକ ଯୋଜନା ଢାଞ୍ଚା କାର୍ଯ୍ୟକାରୀ କରିଦେଇଥିଲେ।
ସମୟ ବଦଳିବା ସହିତ କ୍ରମେ କିନ୍ତୁ ପୃଥିବୀରେ ଅର୍ଥଶାସ୍ତ୍ରୀୟ ପରିସରରେ ଏକ ନିୟନ୍ତ୍ରଣ-ବିରୋଧୀ ଚିନ୍ତାଧାରା ପ୍ରାଧାନ୍ୟ ଲାଭ କରିବାକୁ ଆରମ୍ଭ କଲା। ୧୯୭୯ରେ ବ୍ରିଟେନ୍ରେ ପ୍ରଧାନମନ୍ତ୍ରୀ ରୂପେ ମାର୍ଗାରେଟ୍ ଥାଚର୍ ଓ ୧୯୮୦ରେ ଆମେରିକାରେ ରାଷ୍ଟ୍ରପତି ରୂପେ ରୋନାଲ୍ଡ ରେଗାନ୍ଙ୍କର ଆବିର୍ଭାବ ରାଜନୈତିକ ପରିସରରେ ଏହି ନିୟନ୍ତ୍ରଣ-ବିରୋଧୀ ଚିନ୍ତାଧାରାର ଅନୁପ୍ରବେଶକୁ ସୁଗମ କରିଲା। ଏହି ଉଭୟ ଉଦାରବାଦୀ ରାଜନେତାଙ୍କୁ ଏ ବାବଦରେ ସ୍ପଷ୍ଟ ଦିଗ୍ଦର୍ଶନ ଦେଇଥିଲେ ସିକାଗୋ ବିଶ୍ବବିଦ୍ୟାଳୟର ଅର୍ଥନୀତିଜ୍ଞ ମିଲ୍ଟନ୍ ଫ୍ରିଡ୍ମ୍ୟାନ୍। ଉଭୟ ମିଲ୍ଟନ୍ ଫ୍ରିଡ୍ମ୍ୟାନ୍ ଓ ତାଙ୍କ ପତ୍ନୀ ରୋଜ୍ ଫ୍ରିଡ୍ମ୍ୟାନ୍ ସରକାରୀ ନିୟନ୍ତ୍ରଣ କବଳରୁ ପୁଞ୍ଜିବାଦୀ ଅର୍ଥନୀତିକୁ ମୁକ୍ତ କରିବା ନିମିତ୍ତ ଯେଉଁ ବୌଦ୍ଧିକ ଅଭିଯାନ ଚଳାଇଥିଲେ, ତାହା ସେ ସମୟରେ ସେମାନଙ୍କୁ ପୃଥିବୀର ପ୍ରସିଦ୍ଧତମ ଅର୍ଥନୀତିଜ୍ଞରେ ପରିଣତ କରିଦେଇଥିଲା। ସେଇ ପ୍ରସିଦ୍ଧ ଅର୍ଥନୀତିଜ୍ଞ ଦଂପତିଙ୍କର ଏହି ଉଦ୍ୟମର ଏକ ନମୁନା ସ୍ବରୂପ ସେମାନେ ରଚନା କରିଥିବା ଦୁଇଟି ଲୋକପ୍ରିୟ ପୁସ୍ତକର ଶୀର୍ଷକ ଥିଲା, ‘କ୍ୟାପିଟାଲିଜ୍ମ ଆଣ୍ଡ୍ ଫ୍ରିଡମ୍’ (‘ପୁଞ୍ଜିବାଦ ଓ ସ୍ବାଧୀନତା’) ଓ ‘ଫ୍ରି ଟୁ ଚୁଜ୍’ (‘ଅବାଧ ପସନ୍ଦ’)। ଏହି ମୁକ୍ତ ଅର୍ଥନୈତିକ ଚିନ୍ତାସ୍ରୋତ ପରିଶେଷରେ ଭାରତକୁ ସ୍ପର୍ଶ କଲା ୧୯୯୧ରେ (ସେଇ ବର୍ଷ ସୋଭିଏତ ସଂଘର ମଧ୍ୟ ବିଲୟ ଘଟିଲା)।
ଏକ ଗୁରୁତର ଅର୍ଥନୈତିକ ସଂକଟରୁ ମୁକୁଳିବା ପାଇଁ ଅନନ୍ୟୋପାୟ ହୋଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି ଭି ନରସିଂହ ରାଓ ଓ ତାଙ୍କର ବିତ୍ତ ମନ୍ତ୍ରୀ ଅର୍ଥନୀତିଜ୍ଞ ମନମୋହନ ସିଂହ ଭାରତରେ ଏକ ବ୍ୟାପକ ଅର୍ଥନୈତିକ ଉଦାରୀକରଣ କାର୍ଯ୍ୟକ୍ରମ ଆରମ୍ଭ କରିଦେଲେ, ଯାହାର ଅନ୍ୟତମ ମୁଖ୍ୟ ଅଂଶ ଥିଲା ନିୟନ୍ତ୍ରଣ କୋହଳ ତଥା ଉଚ୍ଛେଦ। କୁହାଯାଇଥାଏ ଯେ ଏହାଦ୍ବାରା ଦେଶରେ ଲାଇସେନ୍ସ-ପର୍ମିଟ୍ ରାଜ୍ର ଅନ୍ତ ଘଟିଲା। କିନ୍ତୁ ମିଲ୍ଟନ୍ ଫ୍ରିଡ୍ମ୍ୟାନ୍ଙ୍କ ଦେଶ ଆମେରିକାରେ ତଥାପି ପରିଦୃଷ୍ଟ ହେଉଥିବା ଭଳି (ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କର ସହଯୋଗୀ ଏଲନ୍ ମସ୍କ ମିଶି ସେ ଦେଶକୁ ନିୟନ୍ତ୍ରଣ ମୁକ୍ତ କରିବାକୁ ଏବେ ପୁଣି ଏକ ଅଭିଯାନ ଆରମ୍ଭ କରିଛନ୍ତି) ଭାରତୀୟ ଅର୍ଥନୀତିରେ ମଧ୍ୟ ଏବେ ବି ବିଭିନ୍ନ ରୂପରେ ନିୟନ୍ତ୍ରଣର ପ୍ରେତ ବିଚରଣ କରିବା ଦେଖାଯାଇଥାଏ।
ଅସୁମାରି ଅନୁମୋଦନର ଆବଶ୍ୟକତା, ପୁରୁଣାକାଳିଆ ଆଇନମାନଙ୍କର ଛୋଟ ଅକ୍ଷର, କ୍ଷମତାଲୋଭୀ ଅଧିକାରୀମାନଙ୍କର ନିୟନ୍ତ୍ରଣକାରୀ ଉତ୍ସାହ ରୂପରେ ଏବେ ମଧ୍ୟ ସେଇ ଲାଇସେନ୍ସ-ପର୍ମିଟ୍ ରାଜ୍ର ପ୍ରେତ ଭାରତୀୟ ଉଦ୍ୟୋଗୀମାନଙ୍କୁ ଅନବରତ ହଇରାଣ ହରକତ କରିବାରେ ଲାଗିଛି। ଏଥିରୁ ସୃଷ୍ଟି ହେଉଥିବା ଦୁର୍ନୀତିର ସୁଯୋଗ ଏହି ନିୟନ୍ତ୍ରଣ ବ୍ୟବସ୍ଥାକୁ ପରିପୁଷ୍ଟ କରିଥାଏ। ବର୍ତ୍ତମାନ ସମୟ ସହିତ ତାଳଦେଇ ସରକାର ଆଉ ଏକ ନିୟନ୍ତ୍ରଣ ଉଚ୍ଛେଦ ଅଭିଯାନ ଆରମ୍ଭ କରିବା ଉଦ୍ଦେଶ୍ୟରେ ଉପରୋକ୍ତ ‘ନେସନାଲ୍ ଡିରେଗୁଲେସନ୍ କମିସନ୍’ ଗଠନ କରିବାକୁ ଯାଉଛନ୍ତି। ଫ୍ରିଡ୍ମ୍ୟାନ୍ଙ୍କ ଚିନ୍ତାଧାରା ଅନୁସାରେ ଶିଳ୍ପାନୁଷ୍ଠାନମାନ ପ୍ରତିଷ୍ଠିତ ହେବା ପାଇଁ ସର୍ବନିମ୍ନ ସମ୍ଭବ ନିୟନ୍ତ୍ରଣର ସମ୍ମୁଖୀନ ହେବା ଉଚିତ। ବଜାରରେ ସେମାନେ ସମ୍ମୁଖୀନ ହେଉଥିବା ପ୍ରତିଯୋଗିତା ହିଁ ସେମାନଙ୍କର ଅସଲ ନିୟନ୍ତ୍ରକ ରୂପେ କାର୍ଯ୍ୟ କରିବ ଏବଂ ସେମାନଙ୍କୁ ସେମାନଙ୍କର ସର୍ବାଧିକ ସମ୍ଭବ ଦକ୍ଷତା ହାସଲ କରିବାକୁ ବାଧ୍ୟ କରିବ।
ଏହି ଯୁକ୍ତିରେ ସତ୍ୟତା ଥିଲେ ମଧ୍ୟ ଏହା ମଧ୍ୟ ସତ ଯେ ସଂପୂର୍ଣ୍ଣ ଅନିୟନ୍ତ୍ରିତ ଶିଳ୍ପବ୍ୟବସାୟ ସଂପୂର୍ଣ୍ଣ ରୂପେ ନିରାପଦ ନୁହନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବଜାରରୁ ଋଣ ମାଧ୍ୟମରେ ଏବଂ ଅଂଶପତ୍ର ବିକ୍ରୟ ମାଧ୍ୟମରେ ସମ୍ବଳ ସଂଗ୍ରହ କରି ନିବେଶ କରିଥାନ୍ତି। ଯଦି ସେମାନଙ୍କର ଉଦ୍ୟୋଗ ଅନିୟନ୍ତ୍ରିତ ଭାବରେ କାର୍ଯ୍ୟ କରି ବିଫଳ ହୁଏ, ତେବେ ସେମାନଙ୍କର କର୍ମଚାରୀ ଓ ଅଂଶପତ୍ରଧାରୀମାନେ କ୍ଷତିଗ୍ରସ୍ତ ହେବା ସହିତ ବୃହତ୍ତର ଅର୍ଥନୀତି ମଧ୍ୟ କ୍ଷତିଗ୍ରସ୍ତ ହୋଇଥାଏ। ଅତୀତରେ ଆମ ଦେଶରେ ଅନେକ ଏଭଳି ଘଟଣା ଘଟିଛି। ଉଦାହରଣ ସ୍ବରୂପ ବିମାନ ଚଳାଚଳ କ୍ଷେତ୍ର ଉପରେ ଦୃଷ୍ଟି ନିକ୍ଷେପ କଲେ ‘କିଙ୍ଗଫିସର୍ ଏଆର୍ ଲାଇନ୍ସ’ର ଦଶା ଆମକୁ ବେଲଗାମ ବ୍ୟବସାୟର ବିପଦ ସମ୍ବନ୍ଧରେ ସଚେତନ କରିଦେଇଥାଏ। ଏହି ଏଆର୍ ଲାଇନ୍ସ ପ୍ରାୟ ୯,୦୦୦ କୋଟି ଟଙ୍କାର ବ୍ୟାଙ୍କ୍ ଋଣ ପରିଶୋଧ ନ କରିବାର କୁପରିଣାମ କିପରି ସୁଦୂରପ୍ରସାରୀ, ତାହାର ବିଶଦ ବ୍ୟାଖ୍ୟା ଅନାବଶ୍ୟକ। ସେଇଭଳି ‘ଜେଟ୍ ଏଆର୍ ୱେଜ୍’ ୮,୫୦୦ କୋଟି ଟଙ୍କାର ଋଣ ପରିଶୋଧ କରି ନ ପାରି ଭୁଶୁଡ଼ି ପଡ଼ିଲା।
ବିମାନ ଚଳାଚଳ କ୍ଷେତ୍ରକୁ ନିୟନ୍ତ୍ରଣମୁକ୍ତ କରି ସେଥିରେ ପ୍ରତିଯୋଗିତାକୁ ଉତ୍ସାହିତ କରିବାର ଫଳସ୍ବରୂପ ଏହି ଘରୋଇ ଏଆର୍ ଲାଇନ୍ସମାନଙ୍କର ଆବିର୍ଭାବ ଘଟିଥିଲା। ନିୟନ୍ତ୍ରଣ ହଟାଇବାକୁ ଏବେ ସୃଷ୍ଟି ହୋଇଥିବା ନୂତନ ଉତ୍ସାହ ସ୍ବାଗତଯୋଗ୍ୟ, କିନ୍ତୁ ଏହା ଯେପରି ଅତି-ଉତ୍ସାହରେ ପରିଣତ ହୋଇ ପୁଣି ଏଭଳି ବିପର୍ଯ୍ୟୟମାନ ସୃଷ୍ଟି ନ ହୁଏ, ସରକାର ସେଥିପ୍ରତି ସତର୍କ ରହିବା ଜରୁରି।