ଏବେ କିଛିଦିନ େହଲା ଭାରତ ଓ ମାଳଦ୍ବୀପ ସମ୍ପର୍କ ନେଇ ସାମାଜିକ ଗଣମାଧ୍ୟମ ବେଶ୍ ସକ୍ରିୟ ହୋଇପଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପର୍କରେ ଦାୟିତ୍ବହୀନ ମନ୍ତବ୍ୟ ଦେଇ ମାଳଦ୍ବୀପର ତିନିଜଣ ମନ୍ତ୍ରୀ ନିଲମ୍ବିତ ହେଲେଣି। ସବୁ ସମୟରେ ଏହି ଦେଶ ପାଖରେ ଠିଆ ହୋଇଥିବା ଭାରତୀୟମାନେ ଏ ବିଷୟରେ ଅସନ୍ତୋଷ ଓ ହତାଶା ବ୍ୟକ୍ତ କଲେଣି। ‘ଇଣ୍ଡିଆ ଆଉଟ୍’ ବା ‘ଭାରତ ବାହାରି ଯା’ ନାରା ଦେଇ ମହମ୍ମଦ ମୁଇଜୁ ନିର୍ବାଚନ ଜିତି ହେଇଛନ୍ତି ମାଳଦ୍ବୀପର ନୂଆ ରାଷ୍ଟ୍ରପତି। ଭାରତ ଛାଡ଼ି ସେ ଏବେ ଚାଇନା କୋଳରେ ବସିଲେଣି। ପ୍ରତିକ୍ରିୟାରେ ପ୍ରସିଦ୍ଧ ଚିତ୍ର ତାରକା ସମେତ ହଜାର ହଜାର ଭାରତୀୟ ପର୍ଯ୍ୟଟକ ମାଳଦ୍ବୀପ ଯାତ୍ରା ବାତିଲ୍ କରିଛନ୍ତି। ହୋଟେଲ ସବୁ ଖାଲି ପଡ଼ିଛି। ପର୍ଯ୍ୟଟନ ଶିଳ୍ପ ମାଳଦ୍ବୀପ ଆୟର ମୁଖ୍ୟ ସ୍ରୋତ। ଭାରତ ମହାସାଗରରେ ଅବସ୍ଥିତ ଏସିଆର ସବୁଠାରୁ କ୍ଷୁଦ୍ରତମ ଦେଶ ମାଳଦ୍ବୀପ। ଲୋକସଂଖ୍ୟା ପାଞ୍ଚ ଲକ୍ଷ ୨୦ ହଜାର। କିନ୍ତୁ ଭୌଗୋଳିକ ସୀମା ଦକ୍ଷିଣ ପଶ୍ଚିମ ଶ୍ରୀଲଙ୍କା ଓ ଭାରତ ମହାସାଗର ମଧ୍ୟରେ ବ୍ୟାପୀ ରହିଚି ପ୍ରାୟ ୯୦ ହଜାର କିଲୋମିଟର। ତା’ ମଧ୍ୟରେ ଅଛନ୍ତି ୧୧୯୨ ଛୋଟ ବଡ଼ ଦ୍ବୀପ ଓ ଉପଦ୍ବୀପ। ତା’ମଧ୍ୟରୁ ୧୮୭ ଦ୍ବୀପ ବସବାସ ଯୋଗ୍ୟ। ଗର୍ଭିଣୀ ସ୍ତ୍ରୀମାନେ ପିଲାଜନ୍ମ ପାଇଁ ପାଖ ଦ୍ବୀପରେ ଥିବା ଡାକ୍ତରଖାନାକୁ ଡଙ୍ଗାରେ ବସି ଯା’ନ୍ତି। ସେମିତି ଉଡ଼ାଜାହାଜ ଲ୍ୟାଣ୍ଡିଙ୍ଗ୍ ଓ ଟେକ୍ଅଫ୍ ପାଇଁ ଆବଶ୍ୟକ ବଡ଼ ଭୂମି ନ ଥାଏ। ବିମାନଯାତ୍ରୀମାନେ ବୋଟ୍ରେ ବସି ଯିବା ଆସିବା କରନ୍ତି। ବିଂଶ ଶତାବ୍ଦୀର ବିମାନଯାତ୍ରା ପରେ ଦଶ ହଜାର ବର୍ଷ ପୁରୁଣା ନୌକା ଯାତ୍ରା କରି ରାଜଧାନୀ ‘ମାଲେ’ରେ ପହଞ୍ଚିଥା’ନ୍ତି। ଜାଗା ଅଭାବରୁ ମାଳଦ୍ବୀପର ରାସ୍ତାଘାଟ ସବୁ ସଂକୀର୍ଣ୍ଣ ଓ ଅଣଓସାରିଆ। ଗାଡ଼ି ମଟର ବ୍ୟବହାର କମ୍।
ମାଳଦ୍ବୀପ ସାମନାରେ ଆଉ ଦୁଇଟି ବଡ଼ ଆହ୍ବାନ ହେଲା ରାଜନୈତିକ ଅସ୍ଥିରତା ଓ ଜଳବାୟୁ ପରିବର୍ତ୍ତନରୁ ଜନ୍ମିତ ପର୍ଯ୍ୟାବରଣ ସମସ୍ୟା। ଏହାର ଜଳ ପତ୍ତନଠାରୁ ଭୂମିର ଉଚ୍ଚତା ମାତ୍ର ପାଞ୍ଚ ଫୁଟ। ବିଶ୍ବ ପରିବେଶବିତ୍ମାନେ ଭବିଷ୍ୟବାଣୀ କରିଛନ୍ତି ଯେ ଏକବିଂଶ ଶତାବ୍ଦୀ ଶେଷ ହେବା ପୂର୍ବରୁ ସମଗ୍ର ମାଳଦ୍ବୀପ ସମୁଦ୍ର ପାଣିରେ ବୁଡ଼ିଯିବ। ଏଥିରୁ ରକ୍ଷା ପାଇଁ ସେଠା ସରକାର ଏବେ ସମୁଦ୍ର କୂଳେ କୂେଳ ସିଲିଣ୍ଡର ଓ କଂକ୍ରିଟ୍ ବାଲିବସ୍ତାର ବନ୍ଧ ତିଆରି କରୁଛନ୍ତି। ଜଳଭାଗ ଓ ସ୍ଥଳଭାଗ ମଧ୍ୟରେ ଉଚ୍ଚତା କମି ଯାଉଥିବାରୁ ମିଳିତ ଜାତିସଂଘର ଏକ ଅଧ୍ୟୟନ ଅନୁସାରେ ପାଞ୍ଚଟି ଦେଶ ସମୁଦ୍ର ଗର୍ଭରେ ବିଲୀନ ହେଇଯିବେ। ସେଠାରେ ଦଶ ଲକ୍ଷ ଲୋକ ହେଇଯିବେ ପରିବେଶ ଶରଣାର୍ଥୀ। ସେ ଦେଶଗୁଡ଼ିକ ହେଲେ ମାଳଦ୍ବୀପ, ଟୁଭାଲୁ, ମାର୍ଶାଲ୍ ଦ୍ବୀପ ସମୂହ, ନାଉରୁ ଓ କିରିବାଟି। ସେମିତି ଜଳଭାଗର ଉଚ୍ଚତା ସାଢ଼େ ତିନି ଫୁଟ ବଢ଼ିଗଲେ ଆବୁଧାବି, ଦୁବାଇ ଜଳ ପ୍ରଳୟର ଶିକାର ହେବେ। ତେଣୁ ମାଳଦ୍ବୀପ ଭାରତ ସହ ଝଗଡ଼ାରେ ସମୟ ନଷ୍ଟ ନ କରି ନିଜ ସୁରକ୍ଷା, ଆତ୍ମରକ୍ଷା ପାଇଁ ଅଧିକ ଉଦ୍ୟମ କରିବା ଓ ସତର୍କ ରହିବା ଆବଶ୍ୟକ। ସମୟ ଆସୁଚି ଯେତେବେଳେ ଜଳମଗ୍ନ ମାଳଦ୍ବୀପ ଶରଣାର୍ଥୀମାନଙ୍କୁ ସୁଦୂର ଚୀନ ନୁହେଁ ପଡ଼ୋଶୀ ଭାରତରେ ଆଶ୍ରୟ ନେବାକୁ ପଡ଼ିବ।
ରାଷ୍ଟ୍ରପତି ପ୍ରଧାନ ୧୯୬୫ ମସିହା ପର୍ଯ୍ୟନ୍ତ ମାଳଦ୍ବୀପ ଥିଲା ଏକ ବ୍ରିଟିସ୍ ଉପନିବେଶ। ୧୯୬୮ରେ ଏହା ହେଲା ଏକ ନୂଆ ଗଣରାଜ୍ୟ। ଆଠବର୍ଷ ପରେ ୧୯୭୬ରେ ସର୍ବଶେଷ ଇଂରେଜ ସୈନିକ ମାଳଦ୍ବୀପରୁ ବିଦା ହେଲେ। ତା’ପରେ ମାଳଦ୍ବୀପ ସାର୍କ, ରାଜ୍ୟଗୋଷ୍ଠୀ ଓ ମିଳିତ ଜାତିସଂଘର ସଭ୍ୟ ହେଲା। ଏହାର ନିକଟତମ ପଡ଼ୋଶୀ ଦେଶ ହେଲେ ଭାରତ ଓ ଶ୍ରୀଲଙ୍କା। ପାରମ୍ପରିକ ରୂପେ ଏହା ରାଜକୀୟ ରାଜବଂଶ ଶାସନାଧୀନ ଥିଲା। ମୂଳ ଅଧିବାସୀ ଥିଲେ ଦ୍ରାବିଡ଼। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରୁ ଏମାନେ କେରଳରୁ ଆସିଥିଲେ ଏବଂ ମତ୍ସ୍ୟଜୀବୀ ଥିଲେ। ତା’ସହ କିଛି ଗୁଜରାଟୀ ବି ଆସିଥିଲେ। କଳିଙ୍ଗ ମହାଯୁଦ୍ଧ ପରେ କଳିଙ୍ଗାମାନେ ଏ ଅଞ୍ଚଳକୁ ଆସି ବସବାସ କରିଥିଲେ। ମହାବଂଶର ଏକ ବିବରଣୀ ଅନୁସାରେ ପ୍ରାୟ ଅଢ଼େଇ ହଜାର ବର୍ଷ ପୂର୍ବରୁ କଳିଙ୍ଗ ରାଜକୁମାର ବିଜୟଙ୍କ ଶ୍ରୀଲଙ୍କା ଯାତ୍ରା ବେଳେ ତାଙ୍କ ଜାହାଜ ଦିଗହରା ହୋଇ ‘ମହିଳା ଦ୍ବୀପିକା’ ନାମକ ଦ୍ବୀପରେ ପହଞ୍ଚିଥିଲା (ଖ୍ରୀଷ୍ଟପୂର୍ବ ୫୦୦)। ସେଇ ମହିଳା ଦ୍ବୀପିକା, ପେର ମାଳଦ୍ବୀପ ଭାବରେ ପରିଚିତ ହେଲା। ଦ୍ବାଦଶ ଶତାବ୍ଦୀ ପର୍ଯ୍ୟନ୍ତ ମାଳଦ୍ବୀପ ହିନ୍ଦୁ ରାଜାଙ୍କ ଦ୍ବାରା ଶାସିତ ହେଉଥିଲା। ଏହା ପରେ ମାଳଦ୍ବୀପରେ ବୌଦ୍ଧ ଧର୍ମ ପ୍ରବେଶ କଲା। ବଙ୍ଗୋପସାଗର ଓ ଆରବ ସାଗର ଉପକୂଳବର୍ତ୍ତୀ ସୌଦାଗର ବା ସାଧବମାନେ ପ୍ରଥମେ ମାଳଦ୍ବୀପ ସହ ନୌବାଣିଜ୍ୟ ସମ୍ପର୍କ ଆରମ୍ଭ କରିଥିଲେ ବୋଲି କୁହାଯାଏ। ଆଉ ଏକ ଲୋକକଥା ଅନୁସାରେ ମାଳଦ୍ବୀପର ସ୍ବଦେଶୀ ଲୋକମାନେ ନିଜ ଦେଶକୁ ବାରମ୍ବାର ବିଦେଶୀ ଆକ୍ରମଣରୁ ରକ୍ଷା କରିବା ପାଇଁ କୋଇମାଲା ନାମକ ଜଣେ ସୂର୍ଯ୍ୟବଂଶୀ ରାଜକୁମାରଙ୍କୁ ଡାକି ଆଣିଥିଲେ। ସୂର୍ଯ୍ୟବଂଶୀକୁ ସେମାନେ କହନ୍ତି ଆଦିତ୍ତା। ଶୁଦ୍ଧ ଭାଷାରେ ‘ଆଦିତ୍ୟ’। ରାଜଗାଦିକୁ କୁହାଯାଏ ସିଂଗାସନା। କାଳକ୍ରମେ ଶତ ପ୍ରତିଶତ ହିନ୍ଦୁ ଓ ବୌଦ୍ଧ ଧର୍ମ ପାଳନ କରୁଥିବା ସେଠାକାର ଅଧିବାସୀ ଘଟଣାଚକ୍ରରେ ମୁସଲିମ ହୋଇଗଲେ। ମୁସଲିମ ବ୍ୟାପାରୀମାନେ ଏଠାକୁ ଆଣିଥିେଲ ସୁନ୍ନୀ ଇସଲାମ। ମଧ୍ୟ ଦ୍ବାଦଶ ଶତାବ୍ଦୀ ପର୍ଯ୍ୟନ୍ତ ସମଗ୍ର ମାଳଦ୍ବୀପ ଧର୍ମାନ୍ତରିତ ହୋଇଯାଇଥିଲା। ମାଳଦ୍ବୀପରେ ଉଦାରପନ୍ଥୀ ହିନ୍ଦୁ ଓ ବୌଦ୍ଧଙ୍କ ପ୍ରଭାବରୁ ଏଠାରେ ସୁଫି ଇସ୍ଲାମ ବେଶ ଲୋକପ୍ରିୟ। ମୃତ ମୁସ୍ଲିମ ସାଧୁ ସନ୍ଥଙ୍କ ଠାରୁ ଆଶୀର୍ବାଦ ନେବାପାଇଁ ଲୋକେ ଏକାଠି ହୁଅନ୍ତି। ପ୍ରାର୍ଥନା କରନ୍ତି।
ମାଳଦ୍ବୀପର ଭାଷା, ସଂସ୍କୃତି, ଧାର୍ମିକ ପରମ୍ପରା ଆରବ ସଂସ୍କୃତି ଦ୍ବାରା ବିଶେଷ ରୂପେ ପ୍ରଭାବିତ। ମାଳଦ୍ବୀପର ନାଗରିକତା ପାଇବା ପାଇଁ ସୁନ୍ନୀ ଇସ୍ଲାମ ଧର୍ମ ଗ୍ରହଣ ଓ ପାଳନ କରିବା ଆବଶ୍ୟକ। ଏହି କାରଣରୁ ଆଜି ମାଳଦ୍ବୀପ ଶତପ୍ରତିଶତ ମୁସଲିମ ଦେଶ। ଏହି ପ୍ରକ୍ରିୟା ଦ୍ବାଦଶ ଶତାବ୍ଦୀରେ ଆରମ୍ଭ ହୋଇଥିଲା ଯେତେବେଳେ ଆରବ ବ୍ୟାପାରୀମାନେ ସମୁଦ୍ର ବାଣିଜ୍ୟ ପାଇଁ ମାଳଦ୍ବୀପରେ ବିଶ୍ରାମ ପାଇଁ ଅଟକୁଥିଲେ। ସେମାନେ ପ୍ରଥମେ ହିନ୍ଦୁ ରାଜା ଓ ପାରିଷଦମାନଙ୍କୁ ଧର୍ମାନ୍ତରିତ କରୁଥିଲେ। ପରେ ରାଜା ଜମିଦାରମାନେ ପ୍ରଜାଙ୍କୁ ଧର୍ମାନ୍ତର କରାଉଥିଲେ। ମାଳଦ୍ବୀପ କେମିତି ଶତପ୍ରତିଶତ ମୁସଲିମ ଦେଶ ହେଲା ସେ ସମ୍ପର୍କରେ ବହୁ ଆକର୍ଷକ କାହାଣୀ, କି˚ବଦନ୍ତି ଲୋକକଥା ଅଛି। ସେଥିରୁ ଗୋଟିଏ ଏଠାରେ ଉପସ୍ଥାପନା କରିବା ପ୍ରାସଙ୍ଗିକ ହେବ।
ଭାରତ ସରକାର ଓ ରାଜ୍ୟ ଗୋଷ୍ଠୀରେ କାମ କରୁଥିବା ବେଳେ ଅନେକବାର ମାଳଦ୍ବୀପ ଯାତ୍ରାର ସୁଯୋଗ ମିଳିଥିଲା। ୧୯୯୨ ମସିହା ଘଟଣା। ମାଳଦ୍ବୀପ ରାଜଧାନୀ ‘ମାଲେ’ରେ ଅନୁଷ୍ଠିତ ହେଉଥାଏ ରାଜ୍ୟଗୋଷ୍ଠୀ ଯୁବ ବିଭାଗ ମନ୍ତ୍ରୀଙ୍କ ସମ୍ମିଳନୀ। ସେତେବେଳେ ମାମୁନ୍ ଅବ୍ଦୁଲ ଗାୟୁମ୍ ଥାନ୍ତି ସେ ଦେଶର ରାଷ୍ଟ୍ରପତି। ସେ ଉଦ୍ଘାଟନ କଲେ ସମ୍ମିଳନୀ। ତିନି ଦିନ ଧରି ଆଲୋଚନା ହେଲା ଏବଂ ଶେଷ ଇସ୍ତାହାର ପ୍ରକାଶ ପାଇଲା। ପ୍ରତ୍ୟେକ ଦେଶ ଯୁବ କଲ୍ୟାଣ ପାଇଁ କ’ଣ କରିପାରିବେ ସେ ସମ୍ପର୍କେର ଏକ ଖସଡ଼ା ପାରିତ ହେଲା। ଏହି ଅବସରରେ କିଛି ସମୟ ବିତାଇଥିଲି ଦେଶର ମ୍ୟୁଜିଅମ ଓ ଜାତୀୟ ପୁସ୍ତକାଗାରରେ। ବୁର୍ଖାରେ ଆବୃତ ଜଣେ ମହିଳା କର୍ମଚାରୀ ରସିଦାଙ୍କ ସହ ଭେଟ ହେଲା। କଥା ହେଉ ହେଉ ପଚାରିଲି ଶତ ପ୍ରତିଶତ ହିନ୍ଦୁଙ୍କ ଦେଶ ମାଳଦ୍ବୀପ କେମିତି ଶତ ପ୍ରତିଶତ ମୁସଲିମ ଦେଶ ହେଇଗଲା? ଉତ୍ତରରେ ସେ ଯାହା କହିଲେ ତାହା ଏହିପରି। ଥରେ ଏକ ଆରବୀ ବେପାରୀ ଦଳ ନିଜ ଦେଶକୁ ଫେରିଲା ବେଳେ ‘ମାଲେ’ରେ ଲଙ୍ଗର ପକାଇ ଆଶ୍ରୟ ନେଇଥିଲେ ବିଶ୍ରାମ ପାଇଁ। ସେମାନେ ଦକ୍ଷିଣ ପୂର୍ବ ଏସିଆରୁ େଫରୁଥିଲେ। ତାଙ୍କ ଦଳପତି ଇବ୍ରାହିମ୍ ଶେଖ୍ ରାତି ଅଧରେ ମାଲେ ସହର ବୁଲୁ ବୁଲୁ ଏକ ଅଦ୍ଭୁତ କ୍ରନ୍ଦନ ରୋଳ ଶୁଣିବାକୁ ପାଇଲେ। ପାଖରେ ଠିଆ ହୋଇଥିବା ଲୋକଙ୍କୁ ପଚାରିବାରୁ ସେମାନେ କହିଲେ ଏହି ଘରର ବଡ଼ଝିଅ ଆଜି ରାତି ପାହାନ୍ତାରେ ଆମ ଠାକୁରାଣୀଙ୍କ ଆଗରେ ବଳି ପଡ଼ିବେ। ଏଥିପାଇଁ ତାକୁ ଆମେ ଠାକୁରାଣୀଙ୍କ ଆଗରେ ଛାଡ଼ି ଦେଇ ଆସିବୁ। ଏପରି ନ କଲେ କ’ଣ ହେବ? ପଚାରିଲେ ଶେଖ୍। ବଳି ନ ଦେଲେ ଆମକୁ ରାକ୍ଷସ ଖାଇଯିବ। କୋଉଠି ଅଛି ରାକ୍ଷସ? ତାକୁ ଆମେ େଦଖିନୁ। ସେ ମନ୍ଦିର ପାଖରେ ଥାଏ। ତାକୁ ବି ଆମେ ଭୟରେ ପୂଜା କରୁ। ବଳି କେତେଥର ଦିଆଯାଏ? ଦିନକୁ ଥରେ। ପ୍ରତିଦିନ। ଝିଅ ଥିବା ପରିବାରରୁ ଜଣେ ଲେଖାଁଏ ୩୬୫ ଦିନ। ବଦଳରେ ଠାକୁରାଣୀ ଆମକୁ ବର୍ଷ ସାରା ରାକ୍ଷସ କବଳରୁ ସୁରକ୍ଷା ଦେଇଥା’ନ୍ତି।
ଏକଥା ଶୁଣିବା ପରେ ଶେଖ୍ ବାଟ ଖୋଜି େଖାଜି ମନ୍ଦିର ପାଖରେ ପହଞ୍ଚିଲେ। ଆଖପାଖ ବୁଲି ରାକ୍ଷସକୁ ଖୋଜି ପାଇଲେ ନାହିଁ। ସାରାରାତି ଜଗି ରହିଲେ ଏବଂ ବଳିଦାନ ପ୍ରକ୍ରିୟା ବି ଦେଖିଲେ। ପୂଜା ସରିଲା ପରେ ଝିଅକୁ ଠାକୁରାଣୀଙ୍କ ସାମ୍ନାରେ ଶୁଆଇ ଦେଇ ଲୋକେ କାନ୍ଦି କାନ୍ଦି ଫେରିଗଲେ। ଏହା ପରେ ପରେ ଠାକୁରାଣୀଙ୍କ ମୂର୍ତ୍ତି ଓ ମନ୍ଦିର ପଛପଟେ ଲୁଚି ରହିଥିବା ଗୋଟେ ଲୋକ ବାହାରି ଆସି ଝିଅକୁ ଯୌନଶୋଷଣ କଲା ଓ ମାରି ସମୁଦ୍ରରେ ଫିଙ୍ଗି ଦେଲା। ତା’ ଆରଦିନ ଶେଖ୍ ବଳି ପାଳି ପଡୁଥିବା ଆଉ ଗୋଟେ ଝିଅ ଘରେ ପହଞ୍ଚିଲେ। କାନ୍ଦୁଥିବା ପରିବାର ଲୋକଙ୍କୁ ଭେଟି କଥା ହେଲେ। କହିଲେ ସମସ୍ତଙ୍କୁ ଡାକ। ଲୋକେ ଆସିଲା ପରେ ଶେଖ୍ ସେମାନଙ୍କୁ କହିଲେ- ଆଜିଠାରୁ କନ୍ୟା ବଳିଦାନ ବନ୍ଦ କର। େକହି ରାକ୍ଷସ ନାହାନ୍ତି, ସେ ତମରି ପରି ଜଣେ ମଣିଷ। ଯାହାକୁ ତମେ ଠାକୁରାଣୀ କହି ପୂଜା କରୁଚ ଓ ବଳି େଦଉଚ, ସେଇଟା ପ୍ରକୃତରେ ଖଣ୍ଡେ ପଥର। ତା’ପରେ ଭୟଭୀତ ଲୋକେ କହିଲେ- ଆଜ୍ଞା, ଆମେ ଆପଣଙ୍କ କଥାକୁ କେମିତି ବିଶ୍ବାସ କରିବୁ? ଏହା କରି ଅଧିକ ବିପଦରେ ପଡ଼ିବୁ ନାହିଁ ତ? ଶେଖ୍ କହିଲେ ସମସ୍ତେ ମୋ ସଙ୍ଗେ ମନ୍ଦିର ପାଖକୁ ଆସ। ଲୋକେ ତାଙ୍କ ପଛରେ ଆସିଲେ। ଶେଖ୍ ସମସ୍ତଙ୍କ ସାମ୍ନାରେ ମନ୍ଦିର ପଛରେ ଲୁଚି ବସିଥିବା ଲୋକଟିକୁ ଓଟାରିଆଣି ବାଡ଼େଇ ମାରିଦେଲେ। ତା’ପରେ ଠାକୁରାଣୀଙ୍କ ପଥର ମୂର୍ତ୍ତିକୁ ଟେକିନେଇ ସମୁଦ୍ରକୁ ଫିଙ୍ଗିଦେଲେ। ଆଶ୍ଚର୍ଯ୍ୟ ଚକିତ େଲାକେ ପଚାରିଲେ- ଆପଣଙ୍କୁ ଏତେ ଶକ୍ତି କିଏ ଦେଲା? ଶେଖ୍ କହିଲେ- ସେ ହେଉଛନ୍ତି ଆଲ୍ଲା। ସେ ସର୍ବଶକ୍ତିମାନ୍। ତୁମେମାନେ ତାଙ୍କ ଶରଣ ନିଅ, ପ୍ରାର୍ଥନା କର। ତୁମକୁ ଆଲ୍ଲାଙ୍କ କରୁଣା ପ୍ରାପ୍ତ ହେଲେ ଜୀବନ ସଫଳ ହେବ। ଡରି ମରି ରହିବାକୁ ପଡ଼ିବ ନାହିଁ। ନିଜ ପିଲାଙ୍କୁ ବଳି ଦେବାକୁ ପଡ଼ିବ ନାହିଁ।
ଏହି ଘଟଣା ଓ ଖବର ବିଦ୍ୟୁତ୍ ବେଗରେ ସାରା ମାଳଦ୍ବୀପରେ ବ୍ୟାପିଗଲା ଓ ଧୀରେ ଧୀରେ ଲୋକେ ଆଲ୍ଲା ଓ ଇସ୍ଲାମ ଧର୍ମ ଗ୍ରହଣ କରି ନେଲେ। କିନ୍ତୁ ଦୁଃଖ ଓ ଦୁର୍ଭାଗ୍ୟର କଥା ଯେ ବିଶ୍ବାସ ପରିବର୍ତ୍ତନ ହେଲା, କିନ୍ତୁ ବିଚାର ବା ଆଚରଣ ପରିବର୍ତ୍ତନ ହେଲା ନାହିଁ। ସେହି ମାଳଦ୍ବୀପ ଏବେ ଏକ କଠୋରପନ୍ଥୀ, ରକ୍ଷଣଶୀଳ ଇସଲାମିକ୍ ଦେଶ ହେଇଗଲାଣି। ଏକବିଂଶ ଶତାବ୍ଦୀର ହିନ୍ଦୁ ଓ ମୁସ୍ଲିମ୍ ସମାଜ, ଆଜି ବି ଅନ୍ଧବିଶ୍ବାସ ଓ କୁସଂସ୍କାର କବଳରୁ ମୁକ୍ତ ହୋଇପାରି ନାହିଁ।
ମୋ: ୯୯୩୭୦୨୭୦୧୭
ବିକଳ୍ପ ବିଶ୍ବ: ମାଳ ମାଳ ଦ୍ବୀପର ଦେଶ
ଭଗବାନପ୍ରକାଶ
/sambad/media/post_attachments/wp-content/uploads/2024/01/fshhffhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)