ପ୍ରାୟ ଗୋଟିଏ ବର୍ଷ ଅନ୍ତରାଳ ପରେ ପୁନର୍ବାର ପୃଥିବୀ କରୋନା ନେଇ ଚିନ୍ତିତ ହେବା ଆରମ୍ଭ କରିଛି; ଯହିଁରେ କୋଭିଡ୍‌-୧୯ର ଚତୁର୍ଥ ଭ୍ରାତାଟି ପୃଥିବୀର ଅନେକ ସ୍ଥାନରେ ଆବିର୍ଭୂତ ହୋଇ ପ୍ରବଳ ସଂକ୍ରମଣର ଭୟ ଦେଖାଇଲାଣି। ଏ କଥା ସତ ଯେ କେହି ହେଲେ ପାସୋରି ଯାଇ ନ ଥିବେ କିଭଳି କୋଭିଡ୍‌-୧୯ ଓ ତା’ର କନିଷ୍ଠ ଭ୍ରାତା ‘ଡେଲ୍‌ଟା’ ନାହିଁ ନ ଥିବା ଜୀବନ ହାନି ଘଟାଇବା ପରେ ତୃତୀୟ ଭ୍ରାତା ‘ଓମିକ୍ରନ୍‌’ ତା’ ଅଗ୍ରଜଙ୍କ ମାରକ କ୍ଷମତା ପରିହାର କରି ଅପେକ୍ଷାକୃତ ନିରୀହ ଦିଶିଥିଲା, ଯଦିଓ ତାହା ତୁଳନାତ୍ମକ ଭାବେ ଅଧିକ ସଂକ୍ରମଣକ୍ଷମ ଥିଲା। ସେହି କ୍ରମରେ କୋଭିଡ୍‌-୧୯ର ସର୍ବକନିଷ୍ଠ ଚତୁର୍ଥ ଭ୍ରାତାଟି ଏବେ ‘ଜେଏନ୍‌.୧’ ନାମ ବହନ କରି ପୃଥିବୀ ବିଚରଣ କରିବା ଆରମ୍ଭ କରିଛି। ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ବା ‘ହୁ’ ପକ୍ଷରୁ ଏ ସଂପର୍କରେ ସଚେତନ କରାଇ ଦିଆଯାଇ ସାରିଲାଣି; ତଥା ଏ ନେଇ ଅଯଥା ଭୟାତୁର ବା ଉଦ୍‌ବିଗ୍ନ ନ ହୋଇ କେବଳ ସତର୍କ ରହିବା ଉଚିତ ବୋଲି ‘ଭାଇରୋଲୋଜିଷ୍ଟ’ ବା ‘ଭୂତାଣୁ ବି‌‌େଶଷଜ୍ଞ’ମାନେ ପରାମର୍ଶ ଦେବା‌ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ଏଭଳି ଏକ ଦୃଶ୍ୟପଟ ପୁନର୍ବାର ଏକ ‘ପାନ୍‌ଡେମିକ୍‌’ର ଆଶଙ୍କା ସୃଷ୍ଟି କରିଥାଏ କି? ସୁତରାଂ, ଏ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ତେବେ ପ୍ରଥମେ ଏ ସଂକ୍ରାନ୍ତରେ ଆଶ୍ବସ୍ତିର କାରଣ ଉପରେ ଦୃଷ୍ଟି ପକାଇବା। କଥା ହେଲା, ‘ଜେଏନ୍‌.୧’ର ଆବିର୍ଭାବ ବେଳକୁ ମାନବ ଜାତି କରୋନା ‘ପାନ୍‌ଡେମିକ୍‌’କୁ ସମ୍ଭାଳିବା କ୍ଷେତ୍ରରେ ବେଶ୍ ଅନୁଭୂତିସଂପନ୍ନ ଏବଂ ଅଭିଜ୍ଞ ହୋଇସାଥିବାରୁ ସଂକ୍ରମଣ ରୋକିବାର ତ୍ରିବିଧ ସୂତ୍ର ମଧ୍ୟରୁ ଅଗତ୍ୟା ଦୁଇ ସର୍ବାଧିକ ବେଦନାଦାୟକ ମାର୍ଗ ‘ତାଲାବନ୍ଦ’ ଏବଂ ‘ସଙ୍ଗରୋଧ’କୁ ପରିହାର କରିବ, ଯାହା ଦୈନନ୍ଦିନ ଜୀବନର ଗତିଶୀଳତାରେ ବାଧା ସୃଷ୍ଟି କରିବ ନାହିଁ। ‘ତାଲାବନ୍ଦ’ ଏବଂ ‘ସଙ୍ଗରୋଧ’ ଭଳି ନିଷ୍ଠୁର ପଦକ୍ଷେପ କିଭଳି ଆର୍ଥିକ ଏବଂ ସାମାଜିକ ସଂକଟ ସୃଷ୍ଟି କରିପାରେ ତାହା ସମଗ୍ର ପୃଥିବୀ ଅଙ୍ଗେ ନିଭାଇ ସାରିଛି ଏବଂ ଏ ଦିଗରେ ମାତ୍ରାତିରିକ୍ତ ଆଗ୍ରହ କିଭଳି ଆତ୍ମଘାତୀ ହୋଇପାରେ, ତାହାର ଉଦାହରଣ ଚୀନ ଦ୍ବାରା ସ୍ଥାପିତ। ସୁତରାଂ, କେବଳ ‘ମାସ୍କ ପରିଧାନ’ ହିଁ ଗୁରୁତ୍ବ ଲାଭ କରିବ। କେବଳ ସେତିକି ନୁହେଁ, କରୋନା ପ୍ରତିଷେଧକ ଟିକା ପ୍ରାୟ ସର୍ବତ୍ର ସୁଲଭ ମୂଲ୍ୟରେ ଉପଲବ୍‌ଧ ଏବଂ ଏହି ସଂକ୍ରମଣର ସମର୍ଥ ଚିକିତ୍ସାର ମାର୍ଗ ମଧ୍ୟ ଆୟତ୍ତରେ। ‘ଜେଏନ୍‌.୧’ର ସଂକ୍ରମଣକୁ ନେଇ ବର୍ତ୍ତମାନ ସୁଦ୍ଧା ଠୁଳ କରାଯାଇଥିବା ‘ଡେଟା’ ଆଧାରରେ ବିଶେଷଜ୍ଞମାନେ କହିଥାଆନ୍ତି ଯେ ଏହି ଭୂତାଣୁ ‘ଓମିକ୍ରନ’ ତୁଳନାରେ ଅଧିକ ସଂକ୍ରମଣକ୍ଷମ ସତ, କିନ୍ତୁ ମାରକ କ୍ଷମତାରେ ‘ଓମିକ୍ରନ’ ଭଳି ଦୁର୍ବଳ। ତଥାପି ମନେ ରଖିବା ଉଚିତ ଯେ ‘କୋମର୍ବିଡିଟି’ ବା ମାରାତ୍ମକ ବ୍ୟାଧିରେ ପୀଡ଼ିତ ବା ପୂର୍ବରୁ ‘ଡେଲ୍‌ଟା ଭେରିଏଣ୍ଟ୍‌’ ଦ୍ବାରା ଆକ୍ରାନ୍ତ ବ୍ୟକ୍ତିବିଶେଷ ଅଥବା ବୟସ୍କ ନାଗରିକଙ୍କ କ୍ଷେତ୍ରରେ ଏହାର ପ୍ରାଦୁର୍ଭାବ ସ୍ଥଳ ବିଶେଷରେ ଘାତକ ନିମୋନିଆ ଏବଂ ମୃତ୍ୟୁର କାରଣ ମଧ୍ୟ ହୋଇପାରେ। ଗଲା ବୁଧବାର ସୁଦ୍ଧା କରୋନା ଆକ୍ରାନ୍ତ ଭାରତୀୟଙ୍କ ମଧ୍ୟରୁ ୨୨ ଜଣ ‘ଜେଏନ୍‌.୧’ ଦ୍ବାରା ସଂକ୍ରମିତ ବୋଲି ଚିହ୍ନଟ ହୋଇଥିଲେ ଏବଂ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରଦତ୍ତ ସଦ୍ୟତମ ସୂଚନା ମୁତାବକ ଗଲା ଅଢ଼େଇ ସପ୍ତାହ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୩ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ବିଶେଷଜ୍ଞମାନେ ଏହା ମଧ୍ୟ କହିଥାଆନ୍ତି ଯେ ଉତ୍କଟ ବାୟୁ ପ୍ରଦୂଷଣ ଦ୍ବାରା ଜର୍ଜର ଭାରତୀୟମାନଙ୍କ ଠାରେ ସୁସ୍ଥ-ସବଳ ଫୁସ୍‌ଫୁସ୍‌ କ୍ରମେ ବିରଳ ହୋଇ ଉଠୁଥିବାରୁ ‘ଜେଏନ୍‌.୧’ର ସଂକ୍ରମଣ ଓ ଦୁଷ୍ପ୍ରଭାବ କେଉଁଠି କେଉଁଠି ତୀବ୍ର ମଧ୍ୟ ହୋଇପାରେ!
ବିଶେଷଜ୍ଞମାନେ କହିଥାଆନ୍ତି ଯେ ‘ମାସ୍କ୍‌’ ପରିଧାନ ତଥା ପ୍ରତିଷେଧକ ‘ବୁଷ୍ଟର’ର ଉପଯୁକ୍ତ ପ୍ରୟୋଗ ଦ୍ବାରା ଏହି ସଂକ୍ରମଣକୁ କବଳିତ କରାଯାଇପାରିବ। ତେବେ ଉଦ୍‌ବେଗର ବିଷୟ ହେଲା ‘ବୁଷ୍ଟର’ ନେବାର ବିଧି ସଂକ୍ରାନ୍ତରେ ଗଣ-ସଚେତନତା ଏ ଯାବତ୍‌ ସୃଷ୍ଟି କରାଯାଇ ପାରିନାହିଁ। ପ୍ରକାଶ ଥାଉ କି ଅନ୍ତିମ ‘ବୁଷ୍ଟର’ ଇଂଜେକ୍‌ସନ ଫୋଡ଼ାଇଥିବା ଭାରତୀୟ ଇତିମଧ୍ୟରେ ପ୍ରାୟ ଗୋଟିଏ ବର୍ଷ ଅତିକ୍ରାନ୍ତ କରି ସାରିବେଣି, ଅଥଚ ଏଭଳି ‘ବୁଷ୍ଟର’ ମାତ୍ର ତିନିରୁ ଚାରି ମାସ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହିଥାଏ। ସୁତରାଂ, ଭାରତୀୟମାନଙ୍କ ଠାରେ ଏବେ ‘ବୁଷ୍ଟର’ର ଢାଲ ଅନୁପସ୍ଥିତ, ଯେଉଁ କାରଣରୁ ‘ବୁଷ୍ଟର’ ଦେବା ଓ ନେବା ଦିଗରେ ଯଥାକ୍ରମେ ସରକାର ଏବଂ ବ୍ୟକ୍ତିଗତ ସ୍ତରରେ ତତ୍ପରତା ବୃଦ୍ଧି ପାଇବା ଜରୁରୀ। ଅକ୍‌ସଫୋର୍ଡ ବିଶ୍ବବିଦ୍ୟାଳୟର ଟେଂପଲଟନ କଲେଜରେ କାର୍ଯ୍ୟରତ ପ୍ରଖ୍ୟାତ ଭୂତାଣୁ ବିଶେଷଜ୍ଞ ସାହିଦ ଜମିର ଏକ ସାକ୍ଷାତକାରରେ କହିଛନ୍ତି ଯେ ଭାରତରେ ବହୁଳ ଉପଲବ୍‌ଧ ‘କୋଭିସିଲ୍‌ଡ’ ଟିକା ତିନିରୁ ଅଧିକ ଥର ନେବା ସଂପୂର୍ଣ୍ଣ ଅନୁଚିତ ଏବଂ ତିନିଟି ‘କୋଭିସିଲ୍‌ଡ’ ଟିକା ନେଇ ସାରିଥିବା ବ୍ୟକ୍ତିମାନେ ‘ପ୍ରୋଟିନ୍‌’ ଭାକ୍‌ସିନ ଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତିରେ ବୃଦ୍ଧି ଘଟାଇପାରିବେ, ଯାହା ଏବେ ପ୍ରାୟ ସର୍ବତ୍ର ଉପଲବ୍‌ଧ। ସୁତରାଂ, ‘ବୁଷ୍ଟର’ ନେଇ ଏହିଭଳି ଯଥାର୍ଥ ଜ୍ଞାନ ଓ ସଚେତନତାର ପ୍ରସାର ଯେ ଅତ୍ୟନ୍ତ ଆବଶ୍ୟକ, ତହିଁରେ ସନ୍ଦେହ ନାହିଁ।
ଭାରତରେ ‘ଜେଏନ୍‌.୧’ର ସଂକ୍ରମଣର ସ୍ତର ଏବଂ ବ୍ୟାପକତା ନେଇ ଏ ଯାବତ୍‌ ଏକ ଭରସାଯୋଗ୍ୟ ତଥ୍ୟ ମିଳି ପାରିନାହିଁ। ସଂକ୍ରମଣ ଉପରେ ନଜର ରଖିଥିବା ‘ଇନ୍‌ଷ୍ଟାକମ୍‌ ପୋର୍ଟାଲ’ ସୌଜନ୍ୟରୁ ପ୍ରାପ୍ତ ‘ଡେଟା’ କହିଥାଏ ଯେ ଗଲା ନଭେମ୍ବର ମାସରେ ‘ଜେଏନ୍‌.୧’ ସଂକ୍ରମିତଙ୍କ ହାର ୩୩% ଥିବା ବେଳେ ଡିସେମ୍ବରରେ ତାହା ୮୯%କୁ ବୃଦ୍ଧି ପାଇଛି। କିନ୍ତୁ ଅସଂଗତିଟି ହେଲା ଅତ୍ୟନ୍ତ କମ୍‌ ସଂଖ୍ୟକ ନମୁନାରୁ ଏହି ନିଷ୍କର୍ଷ ମିଳିଛି; ଯାହା ହେଲା ନଭେମ୍ବରରେ ମାତ୍ର ୧୪ଟି ନମୁନାରୁ ‘ଜେଏନ୍‌.୧’ ସଂକ୍ରମିତଙ୍କ ସଂଖ୍ୟା ଥିଲା ୪ ଏବଂ ଡିସେମ୍ବରରେ ୧୮ଟି ନମୁନାରୁ ସଂକ୍ରମିତଙ୍କ ସଂଖ୍ୟା ଥିଲା ୧୪। ବିଶେଷଜ୍ଞଙ୍କ ମତରେ ଯଦିଓ ଏହା ନିଃସନ୍ଦେହ ଯେ ସଂକ୍ରମଣ ହାରରେ ବୃଦ୍ଧି ଘଟିଛି, ତେବେ, ୧୦୦ ବା ଅଧିକ ନମୁନାରୁ ଉପଲବ୍‌ଧ ସିଦ୍ଧାନ୍ତ ଭଳି ଏହି ସ୍ବଳ୍ପ ସଂଖ୍ୟା ଆଧାରିତ ନିଷ୍କର୍ଷ ନିର୍ଭରଯୋଗ୍ୟ ହୋଇ ନ ଥାଏ। ସେହିପରି ନମୁନାମାନ କେତେ ବ୍ୟାପକ ପରିସରରୁ ସଂଗୃହୀତ, ତାହା ମଧ୍ୟ ବସ୍ତୁସ୍ଥିତିର ଆକଳନକୁ ସଠିକତା ପ୍ରଦାନ କରିଥାଏ। ଅବଶ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଧିକ ନମୁନା ଟେଷ୍ଟିଂ ସକାଶେ ପରାମର୍ଶ ଦିଆଗଲାଣି, ଯାହା ଫଳରେ ‘ଜେଏନ୍‌.୧’ ସଂକ୍ରମଣର ହାର ଏବଂ ବ୍ୟାପକତା ନେଇ ଏକ ନିର୍ଦ୍ଦିଷ୍ଟ ଧାରଣା ମିଳି ପାରିବ।
ପ୍ରକାଶ ଥାଉ କି ସଂପ୍ରତି କେରଳରେ ସର୍ବାଧିକ ସଂଖ୍ୟକ ନୂଆ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି; ଏହା ଲେଖା ହେବା ବେଳକୁ ଯେଉଁ ସଂଖ୍ୟା‌ ଥିଲା ୨୬୫ ଏବଂ ଯହିଁରେ ଅନେକ ‘ଜେଏନ୍‌.୧’ ସଂକ୍ରମିତ ଅନ୍ତର୍ଭୁକ୍ତ। କିନ୍ତୁ ଏହା ସତ୍ତ୍ବେ ଏଭଳି ଧାରଣା ଅମୂଳକ ଯେ ମହା-ସଂକ୍ରମଣ ପରିପ୍ରେକ୍ଷୀରେ କେରଳ ସର୍ବଦା ଏକ ଦୟନୀୟ ଚିତ୍ର ପ୍ରଦାନ କରି ଚାଲିଛି, ଯେମିତି କରୋନାର ତିିନିଟି ଯାକ ତରଙ୍ଗ କାଳରେ ବା ‘ନିପା’ ସଂକ୍ରମଣ କ୍ଷେତ୍ରରେ ଦେଖିବାକୁ ମିଳିଥିଲା। ବାସ୍ତବତାଟି ହେଲା, କେରଳର ଅତ୍ୟନ୍ତ ଦୃଢ଼ ସ୍ବାସ୍ଥ୍ୟ ଭିତ୍ତିଭୂମି କାରଣରୁ ସେଠାରେ ଅଧିକ ‘ଟେଷ୍ଟିଂ’ କରାଯାଇଥାଏ, ଯଦ୍ଦ୍ବାରା ସ୍ବାଭାବିକ ଭାବେ ଅଧିକ ସଂଖ୍ୟକ ସଂକ୍ରମିତ ଦୃଷ୍ଟିକୁ ଆସନ୍ତି। ‘ଟେଷ୍ଟିଂ’ ସଂଖ୍ୟା ବୃଦ୍ଧି ପାଇଲେ ଯେ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଦୃଶ୍ୟପଟ ସଂପୂର୍ଣ୍ଣ ବଦଳିଯିବ, ଏଥିରେ ସନ୍ଦେହ ନାହିଁ। କହିବା ବାହୁଲ୍ୟ ଯେ ‘ଜେଏନ୍‌.୧’ର ଆବିର୍ଭାବ ସହିତ ଭୂତାଣୁ ବିଶେଷଜ୍ଞମାନଙ୍କ ଭବିଷ୍ୟବାଣୀ ସତ୍ୟ ସାବ୍ୟସ୍ତ ହୋଇଛି ଯେ କରୋନା ଚିର କାଳ ଲାଗି ମାନବ ଜାତି ସହିତ ବିଦ୍ୟମାନ ରହିବ, ଯେମିତି ରହିଛି ‘ଫ୍ଲୁ’। ଅବଶ୍ୟ, ଏହି କ୍ରମରେ ଭୂତାଣୁ ସହିତ ସଂଘର୍ଷରେ ମାତିଥିବା ମାନବ ଜାତି ଏହାର ମୁକାବିଲା କ୍ଷେତ୍ରରେ ଅଧିକରୁ ଅଧିକ ସମର୍ଥ ହୋଇ ଉଠିବ, ତଥାପି ଏହି ଯୁଦ୍ଧରେ ଲିପ୍ତ ଦୁଇ ପକ୍ଷଙ୍କ ମଧ୍ୟରେ ଗୋଟିଏ ମୂଳ ପ୍ରଭେଦ ମଧ୍ୟ ରହିବ; ଯାହା ହେଲା କିଛି କାଳ ସଂକ୍ରମଣର ଅନୁପସ୍ଥିତିରେ ମନୁଷ୍ୟ ଯେତେବେଳେ ରୋଗର ଭୟାବହତାକୁ ବିସ୍ମରି ଯାଇ ଅସତର୍କ ହୋଇ ଉଠୁଥିବ, ସେତିକି ବେଳେ ଭୂତାଣୁ ନିଜର ରୂପାନ୍ତରଣ ଘଟାଇ ଅତର୍କିତ ଭାବେ ଗରିଲା ଆକ୍ରମଣ ଲାଗି ନିଜକୁ ପ୍ରସ୍ତୁତ କରୁଥିବ। ଏଭଳି ନିରନ୍ତର ପ୍ରସ୍ତୁତି ଭୂତାଣକୁ ଅମର କରି ରଖେ।