ରସିକତା କରି କେତେକ ବିଶେଷଜ୍ଞ କହନ୍ତି ଯେ ଅସହ୍ୟ ଦାନ୍ତ ବିନ୍ଧା ଜର୍ଜର ଭୋଟରଗଣ ଅଗତ୍ୟା ‘କନ୍ଜର୍ଭେଟିଭ୍ ପାର୍ଟି’କୁ ବିତାଡ଼ିତ କରିଦେଲେ। ଏହି ସମୟରେ ଏକ ଧାରଣା ମଧ୍ୟ ସୃଷ୍ଟି ହେଲା ଯେ ୟୁ.କେ.ର ସର୍ବାଧିକ ଧନିକଙ୍କ ମଧ୍ୟରେ ଗଣା ସୁନକଙ୍କୁ ମଧ୍ୟବିତ୍ତଙ୍କ କଷଣ ଦିଶିଲା ନାହିଁ। ସୁତରାଂ, ବିଡ଼ମ୍ବନାଟି ହେଲା, ୨୦୧୯ ମସିହାରୁ ୨୦୨୪ ମସିହା ମଧ୍ୟରେ ନୂତନ ଅଧ୍ୟାୟ ସୃଷ୍ଟିର ଆଶା ବହନ କରି ଆସିଥିବା ଅନ୍ତିିମ ତିନି ପ୍ରଧାନମନ୍ତ୍ରୀ କେବଳ ମାତ୍ର ତିନି ‘ବିରାମ ଚିହ୍ନ’ ଭଳି ହୋଇ ରହିଗଲେ।
ଗଲା ୫ ତାରିଖରେ ପ୍ରକାଶିତ ‘ୟୁନାଇଟେଡ୍ କିଙ୍ଗ୍ଡମ୍’ ବା ‘ୟୁ.େକ.’ର ନିର୍ବାଚନ ଫଳାଫଳକୁ ନିର୍ବିଘ୍ନରେ ଯୁଗାନ୍ତକାରୀ ବୋଲି ଅଭିହିତ କରିହେବ; କାରଣ ଏହା ସହିତ କ୍ରମାନ୍ବୟେ ଚଉଦ ବର୍ଷ ଧରି କ୍ଷମତାସୀନ ଥିବା ରକ୍ଷଣଶୀଳ ‘କନ୍ଜର୍ଭେଟିଭ୍’ (ପାର୍ଟି) ଯୁଗର ଅତ୍ୟନ୍ତ ନିର୍ମମ ଅନ୍ତ ଘଟିଛି; ଏବଂ ଅଳ୍ପ କିଛି ବର୍ଷ ପୂର୍ବେ ମୁମୂର୍ଷୁ ଭଳି ପ୍ରତୀୟମାନ ହେଉଥିବା ‘ଲେବର୍ ପାର୍ଟି’ ଏକ ଅତିକାୟ ଲଂଫ ପ୍ରଦାନ କରି ୬୫୦ ଆସନ ବିଶିଷ୍ଟ ବ୍ରିଟିସ ପାର୍ଲାମେଣ୍ଟରେ ୪୧୧ଟି ଆସନ ସହିତ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଛି, ଯାହା ଦଳର ଇତିହାସରେ ବୃହତ୍ତମ ବିଜୟ ମଧ୍ୟରୁ ଗୋଟିଏ; ଏବଂ ମାତ୍ର ୧୨୦ଟି ଆସନ ଅକ୍ତିଆର କରି ପାରିଥିବା ‘କନ୍ଜର୍ଭେଟିଭ୍’ ପାର୍ଟି ବିଗତ ଶହେ ବର୍ଷର ଇତିହାସରେ ନିକୃଷ୍ଟତମ ପ୍ରଦର୍ଶନ କରିଛି। ଏପରିକି ଥରେ ପ୍ରଧାନମନ୍ତ୍ରୀ (ମାତ୍ର ୪୯ ଦିନ ସକାଶେ) ହୋଇଥିବା ଲିଜ୍ ଟ୍ରସ୍ ସ୍ବୟଂ ପରାଜିତ ହେବା ସହିତ ଏହି ରାଷ୍ଟ୍ରର ଦୀର୍ଘ ଗଣତାନ୍ତ୍ରିକ ଇତିହାସରେ କୌଣସି ପ୍ରଧାନମନ୍ତ୍ରୀ ପରାଭବ ଲଭିବାର ପ୍ରଥମ ଦୃଷ୍ଟାନ୍ତ ମଧ୍ୟ ସ୍ଥାପିତ ହୋଇଯାଇଛି। ଅନେକ ଭାରତୀୟଙ୍କ ସକାଶେ ଯାହା ଅଧିକ ହତାଶାର କାରଣ ହୋଇଛି, ତାହା ହେଲା ଭାରତୀୟ ମୂଳୋଦ୍ଭବ ସନାତନୀ ହିନ୍ଦୁ ଋଷି ସୁନକ ପ୍ରଧାନମନ୍ତ୍ରୀ ଭାବେ ଗାଦିନସୀନ ଥିବା ବେଳେ ହିଁ ତାଙ୍କ ଦଳ ସଂପୂର୍ଣ୍ଣ ଭୂଲୁଣ୍ଠିତ ହୋଇଯାଇଛି। ଏଭଳି ସ୍ଥଳେ ଏକ ଭୂଚଳନ ସୁଲଭ ରାଜନୈତିକ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଅନେକ ପର୍ଯ୍ୟବେକ୍ଷକଙ୍କ ମତରେ ସାଧାରଣ ନାଗରିକଙ୍କ ମତିଗତିକୁ ଠିକଣା ଭାବେ ଠଉରାଇ ପାରି ନ ଥିବା ଋଷି ସୁନକ ସହସା ଆଗୁଆ ନିର୍ବାଚନ କରାଇ ସରକାର ଏବଂ ଦଳର ପତନକୁ ଅଗତ୍ୟା ସହଳ କରି ଦେଲେ ଯାହା! ଏହି ନିର୍ବାଚନରେ ‘ଲେବର୍ ପାର୍ଟି’ର ଭୋଟ ହାରରେ ମାତ୍ର ୨ ଶତାଂଶ ବୃଦ୍ଧି ଘଟିଥିବା ବେଳେ ‘କନ୍ଜର୍ଭେଟିଭ୍ ପାର୍ଟି’ର ଜନାଧାରରେ ୨୦ ଶତାଂଶ ହ୍ରାସ ଘଟିଛି, ଯାହାର ଅର୍ଥ ‘କନ୍ଜର୍ଭେଟିଭ୍ ପାର୍ଟି’ ବିରୋଧରେ ତୀବ୍ର ଅସନ୍ତୋଷ ଏପରିକି ଆକ୍ରୋଶ ଅବଲୀଳା କ୍ରମେ ‘ଲେବର୍ ପାର୍ଟି’ର ଏଭଳି ବିପୁଳ ବିଜୟ ଘଟାଇଲା। ରାଜନୈତିକ ପର୍ଯ୍ୟବେକ୍ଷକମାନେ ଏଭଳି ସ୍ଥିତି ଲାଗି କେତେକ ନିର୍ଦ୍ଦିଷ୍ଟ କାରଣ ଆଡ଼କୁ ଇଙ୍ଗିତ କରନ୍ତି, ଯାହା ଗୋଟିକ ପରେ ଗୋଟିଏ ଘଟି ଚାଲି ‘ଡୋମିନୋ ଇଫେକ୍ଟ’ ବା ‘ଡୋମିନୋ ପ୍ରଭାବ’ରେ ପରିଦୃଷ୍ଟ ହେଉଥିବା ଭଳି ‘କନ୍ଜର୍ଭେଟିଭ୍ ପାର୍ଟି’କୁ ବସ୍ତୁତଃ ଏକ ଧ୍ବଂସ ସ୍ତୂପରେ ପରିଣତ କରିଛି। ସେହି ଘଟଣାଗୁଡ଼ିକ ହେଲେ ଯଥାକ୍ରମେ ‘ବ୍ରେକ୍ଜିଟ୍’(ୟୁରୋପୀୟ ସଂଘରୁ ବିଚ୍ଛିନ୍ନ ହେବାର ପ୍ରକରଣ) ଦ୍ବାରା ଉତ୍ପନ୍ନ ଦୁଃସ୍ଥିତିର ମୁକାବିଲାରେ ସରକାରଙ୍କ ବିଫଳତା, ବ୍ରେକ୍ଜିଟ୍’ ଜନିତ ମୁଦ୍ରାସ୍ଫୀତି, ନିମ୍ନ ଓ ମଧ୍ୟ ବିତ୍ତ ଶ୍ରେଣୀରେ ରୋଜଗାର ସଂକୋଚନ ଏବଂ ବ୍ରିଟିସ ମୁଦ୍ରା ପାଉଣ୍ଡ୍ର ଭଗ୍ନ ସ୍ବାସ୍ଥ୍ୟ କାରଣରୁ ଜାତ ଜନରୋଷ, କୋଭିଡ୍ ମହାମାରୀର ଗର୍ହିତ କୁପରିଚାଳନା ତଥା କୋଭିଡ୍ କାଳୀନ ଲକ୍ଡାଉନ୍ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବୋରିସ ୍ଜନ୍ସନ୍ଙ୍କୁ କେନ୍ଦ୍ର କରି ସୃଷ୍ଟ ଏକାଧିକ ସ୍କାଣ୍ଡାଲ୍, ପ୍ରାୟ ଭୁଶୁଡ଼ି ପଡ଼ିଥିବା ସରକାରୀ ସ୍ବାସ୍ଥ୍ୟ ସେବା ଏବଂ ଦଳରେ ବିଶୃଙ୍ଖଳା ଓ କନ୍ଦଳ ଇତ୍ୟାଦି, ଯାହା ସାମଗ୍ରିକ ଭାବେ ସାଧାରଣ ନାଗରିକ ଓ ନିର୍ଦ୍ଦିଷ୍ଟ ଭାବେ ଦଳର ପାରଂପରିକ ସମର୍ଥକମାନଙ୍କୁ ରୁଷ୍ଟ କରିଥିଲା। ପ୍ରକାଶ ଥାଉ କି ୨୦୧୬ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡେଭିଡ୍ କାମେରୋନ୍ଙ୍କ ଦ୍ବାରା ଆୟୋଜିତ ‘ବ୍ରେକ୍ଜିଟ୍’ ଭାଗ୍ୟ ନିର୍ଦ୍ଧାରଣକାରୀ ‘ରେଫରେଣ୍ଡମ୍’ ବା ଗଣ ଭୋଟରେ ଅତି ସୂକ୍ଷ୍ମ ବ୍ୟବଧାନରେ ‘ବ୍ରେକ୍ଜିଟ୍’କୁ ସ୍ବୀକୃତି ଏବଂ ତା’ ସହିତ ‘ବ୍ରେକ୍ଜିଟ୍’କୁ ବିରୋଧ କରୁଥିବା ପ୍ରଧାନମନ୍ତ୍ରୀ କାମେରୋନ୍ଙ୍କ ଇସ୍ତଫା ପ୍ରଦାନ ସହିତ ଦଳରେ ଯେଉଁ କ୍ରମ ସ୍ଖଳନର ନାଟକ ମଞ୍ଚସ୍ଥ ହୋଇଥିଲା, ତହିଁରେ ଗୋଟିଏ ନିର୍ବାଚନ (୨୦୧୯ ମସିହା), ଗୋଟିଏ ମେଣ୍ଟ ସରକାର ଏବଂ ଚାରି ଜଣ ପ୍ରଧାନମନ୍ତ୍ରୀ (ଟେରେସା େମ, ବୋରିସ୍ ଜନ୍ସନ୍, ଲିଜ୍ ଟ୍ରସ୍ ଓ ଋଷି ସୁନକ) ବିଭିନ୍ନ ସମୟରେ ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ଯବନିକା ପତନ ଘଟାଇଥିଲେ। ପ୍ରକାଶ ଥାଉ କି କୋଭିଡ୍ ପାନ୍ଡେମିକ୍ କାଳରେ ‘ଗୋଷ୍ଠୀ ପ୍ରତିରୋଧକ’ ବା ‘ହର୍ଡ ଇମ୍ୟୁନିଟି’ ସୃଷ୍ଟି କରିବା ପ୍ରକୃଷ୍ଟତମ ପନ୍ଥା ବୋଲି ବିେବଚନା କରୁଥିବା ବୋରିସ୍ ଜନ୍ସନ୍ଙ୍କ ଦ୍ବାରା ବହୁ ବିଳମ୍ବରେ ‘ଲକ୍ଡାଉନ୍’ ଘୋଷଣା ଅଜସ୍ର ମୃତ୍ୟୁର କାରଣ ହୋଇଥିଲା। ପୁଣି ‘ଲକ୍ଡାଉନ୍’ ଅଧୀନସ୍ଥ ନାଗରିକଗଣ ଯେତେବେଳେ ସର୍ବନିମ୍ନ ଦୈନିକ ଆବଶ୍ୟକତା ପୂରଣ କରି ନ ପାରି ତ୍ରାହି ତ୍ରାହି ଚିତ୍କାର କରୁଥିଲେ, ସେତିକି ବେଳେ କ୍ଷମତା ପ୍ରମତ୍ତ ବୋରିସ୍ ଜନ୍ସନ୍ ଉଦ୍ଭ୍ରାନ୍ତଙ୍କ ଭଳି ‘ସୁରା ଓ ସାକୀ’ ସହିତ ଗୋପନ ଗମାତ ଓ ଭୋଜିଭାତରେ ମଗ୍ନ ରହିଥିଲେ। କହିବା ବାହୁଲ୍ୟ, ଏଭଳି ସ୍କାଣ୍ଡାଲ୍ ଉପରୁ ଗୋପନୀୟତା ଅନାବୃତ ହେବା ପରେ ଜନ୍ସନ୍ଙ୍କ ଇସ୍ତଫା ସ୍ବାଭାବିକ ଥିଲା, ଯାହାଙ୍କ ପରେ ଲିଜ୍ ଟ୍ରସ୍ ପ୍ରଧାନମନ୍ତ୍ରୀ ରୂପେ ଆବିର୍ଭୂତ ହୋଇ ତାଙ୍କର ମାତ୍ର ଅଣଚାଶ ଦିନର ଶାସନରେ ଏକ ଅପରିଣାମଦର୍ଶୀ ଅର୍ଥନୈତିକ ପଦକ୍ଷେପ ଦ୍ବାରା ଅନଟନ ପ୍ରପୀଡ଼ିତ ବ୍ରିଟିସ ନାଗରିକଙ୍କ ଜୀବନକୁ ଦୁର୍ବିଷହ କରି ପକାଇଥିଲେ। ଏଭଳି ସ୍ଥଳେ ଋଷି ସୁନକ ୨୦୨୨ ମସିହାରେ ଜଣେ ତ୍ରାଣକର୍ତ୍ତା ରୂପେ ଆସି ଯଦିଓ କେତେକ ଉତ୍ତମ ପଦକ୍ଷେପ ନେଇଥିଲେ, ତାଙ୍କ ହାତରେ କିନ୍ତୁ କିମିଆ ସୃଷ୍ଟି କରିବା ଲାଗି ସମୟ ନ ଥିଲା। ସୁତରାଂ, ଯାହା ଘଟିଯାଇଛି, ତାହା ହିଁ ଅବଶ୍ୟମ୍ଭାବୀ ଥିଲା।
ବର୍ତ୍ତମାନ କେୟର୍ ଷ୍ଟାର୍ମର୍ ନୂତନ ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ବ ଗ୍ରହଣ କରିବାକୁ ପ୍ରସ୍ତୁତ, ଯିଏ ଜଣେ ମାନବ ଅଧିକାରବାଦୀ ବାରିଷ୍ଟର ରୂପେ ଖ୍ୟାତ। ପର୍ଯ୍ୟବେକ୍ଷକମାନଙ୍କ ମତରେ ଷ୍ଟାର୍ମର୍ଙ୍କ ନେତୃତ୍ବରେ ‘ଲେବର୍ ପାର୍ଟି’ ମାତ୍ରାଧିକ ବାମପନ୍ଥୀ ଉଦାରବାଦକୁ ପରିହାର କରି ଅନେକାଂଶରେ ମଧ୍ୟମପନ୍ଥୀ ହୋଇଛି, ଯାହା ପୃଥିବୀର ରାଜନୈତିକ ଓ ରଣନୈତିକ ବସ୍ତୁସ୍ଥିତି ଦୃଷ୍ଟିରୁ ଅଧିକ ପ୍ରଯୁଜ୍ୟ। ନିର୍ବାଚନ ପ୍ରଚାର କାଳରେ ଷ୍ଟାର୍ମର୍ଙ୍କ ଦ୍ବାରା ହିନ୍ଦୁ ମନ୍ଦିର ଦର୍ଶନ ଏହା ପ୍ରମାଣିତ କରିଥାଏ ଯେ ୟୁ.କେ.ରେ ବସବାସ କରୁଥିବା ଏକ ବିଶାଳ ସଂଖ୍ୟକ ଓ ପ୍ରଭାବଶାଳୀ ଭାରତୀୟ ବର୍ଗଙ୍କୁ ସେ ଆକୃଷ୍ଟ କରିବାକୁ ଚାହିଁଥାଆନ୍ତି; ଯେଉଁ ମନୋଭାବର ଅନୁକୂଳ ଘୋଷଣା ତାଙ୍କ ଠାରୁ ଶୁଣିବାକୁ ମିଳିଥିଲା ଯେ ନିର୍ବାଚନରେ ବିଜୟୀ ହେଲେ ସେ ଭାରତକୁ ମହତ୍ତ୍ବପୂର୍ଣ୍ଣ ରଣନୈତିକ ସହଯୋଗୀର ମାନ୍ୟତା ପ୍ରଦାନ କରିବେ। ପ୍ରକାଶ ଥାଉ କି ଜାମ୍ମୁକାଶ୍ମୀର ସମ୍ବନ୍ଧୀୟ ମତ ଓ ମନ୍ତବ୍ୟ ପ୍ରଦାନ କରି ଭାରତ ସକାଶେ ଅତ୍ୟନ୍ତ ଅପ୍ରିୟ ହୋଇ ପଡ଼ିଥିବା ଷ୍ଟାର୍ମର୍ଙ୍କ ପୂର୍ବବର୍ତ୍ତୀ ‘ଲେବର୍ ପାର୍ଟି’ ନେତା ଜେରେମି କୋର୍ବିନ୍ ସଂପ୍ରତି ଦଳରୁ ବହିଷ୍କୃତ ଏବଂ ଷ୍ଟାର୍ମର୍ଙ୍କ ସହିତ ମଧ୍ୟ ତାଙ୍କର ତୀବ୍ର ମତାନୈକ୍ୟ ରହିଛି। ଯଦିଓ ଏକ ଧାରଣା ଜାତ ହୋଇଥିଲା ଯେ ଭାରତୀୟ ମୂଳୋଦ୍ଭବ ହିନ୍ଦୁ ପ୍ରଧାନମନ୍ତ୍ରୀ ଋଷି ସୁନକ (ପୁଣି ଜଣେ ଭାରତୀୟଙ୍କ ଜାମାତା)ଙ୍କ ଅମଳରେ ୟୁ.କେ. ସହିତ ଭାରତର ସଂପର୍କ ଅଧିକ ସ୍ବଚ୍ଛନ୍ଦ ହୁଅନ୍ତା, ବିଶେଷଜ୍ଞମାନେ କହିଥାଆନ୍ତି ଯେ ଏଭଳି ଧାରଣା ଅମୂଳକ, କାରଣ ୟୁ.କେ.ର ଆବଶ୍ୟକତା ଓ ପରିସ୍ଥିତି ଦୃଷ୍ଟିରୁ ଷ୍ଟାର୍ମର୍ ଭାରତ ସହିତ ଘନିଷ୍ଠ ହେବାର ପ୍ରୟାସ କରିବେ।
ଏହା ସୁବିଦିତ ଯେ ଏକ ବ୍ୟାଧି ରୂପେ ଅତ୍ୟନ୍ତ ମାମୁଲି ହୋଇଥିଲେ ହେଁ ଦାନ୍ତ ବିନ୍ଧା ଏଭଳି ପ୍ରାଣାନ୍ତକ ପୀଡ଼ା ପ୍ରଦାନ କରିଥାଏ ଯେ ରୋଗୀର ଶରୀର ଓ ମନ ତଦ୍ଦ୍ବାରା ପଣବନ୍ଦୀ ରୂପେ ରହିବାକୁ ବାଧ୍ୟ ହୁଏ। ପ୍ରକାଶ ଥାଉ କି ୟୁ.କେ. ହେଉଛି ପୃଥିବୀର ସର୍ବାଧିକ ସଂଖ୍ୟକ ଦନ୍ତ ରୋଗୀ ଧାରଣ କରିଥିବା ରାଷ୍ଟ୍ର, ଯେଉଁଠି ‘ବ୍ରିଟିସ୍ ଡେଣ୍ଟାଲ୍ ଆସୋସିଏସନ୍’ ଦ୍ବାରା ପ୍ରଦତ୍ତ ଏକ ପରିସଂଖ୍ୟାନ (ଫେବ୍ରୁଆରି, ୨୦୨୪)ଅନୁଯାୟୀ, ୧ କୋଟି ୨୦ ଲକ୍ଷ ଦନ୍ତ ରୋଗୀ ସେମାନଙ୍କୁ ଯନ୍ତ୍ରଣାକାତର କରୁଥିବା ଦନ୍ତଗୁଡ଼ିକୁ ଉତ୍ପାଟନ କରିବାରେ ସମର୍ଥ ହେଉନାହାନ୍ତି; କାରଣ ପ୍ରବଳ ଭିଡ଼ ହେତୁ ସୁଯୋଗର ଅଭାବ ଓ ଅର୍ଥ ବ୍ୟୟ କରି ଚିକିତ୍ସା ଲାଭ କରିବାର ଅକ୍ଷମତା। ୟୁ.କେ.ର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାର ଏହା ଏକ ନମୁନା ମାତ୍ର, ଯାହାକୁ ସଜାଡ଼ିବା ଲାଗି ମାତ୍ର କିଛି ମାସ ତଳେ ସେଠାକାର ସରକାର ଭାରତରୁ ୨୦୦୦ ଡାକ୍ତର ମଗାଇ ପଠାଇଥିଲେ। ରସିକତା କରି କେତେକ ବିଶେଷଜ୍ଞ କହନ୍ତି ଯେ ଅସହ୍ୟ ଦାନ୍ତ ବିନ୍ଧା ଜର୍ଜର ଭୋଟରଗଣ ଅଗତ୍ୟା ‘କନ୍ଜର୍ଭେଟିଭ୍ ପାର୍ଟି’କୁ ବିତାଡ଼ିତ କରିଦେଲେ। ଏହି ସମୟରେ ଏକ ଧାରଣା ମଧ୍ୟ ସୃଷ୍ଟି ହେଲା ଯେ ୟୁ.କେ.ର ସର୍ବାଧିକ ଧନିକଙ୍କ ମଧ୍ୟରେ ଗଣା ସୁନକଙ୍କୁ ମଧ୍ୟବିତ୍ତଙ୍କ କଷଣ ଦିଶିଲା ନାହିଁ। ସୁତରାଂ, ବିଡ଼ମ୍ବନାଟି ହେଲା, ୨୦୧୯ ମସିହାରୁ ୨୦୨୪ ମସିହା ମଧ୍ୟରେ ନୂତନ ଅଧ୍ୟାୟ ସୃଷ୍ଟିର ଆଶା ବହନ କରି ଆସିଥିବା ଅନ୍ତିିମ ତିନି ପ୍ରଧାନମନ୍ତ୍ରୀ କେବଳ ମାତ୍ର ତିନି ‘ବିରାମ ଚିହ୍ନ’ ଭଳି ହୋଇ ରହିଗଲେ।