ଭାରତର ଅର୍ଥନୀତି ଅନ୍ୟ ଦେଶମାନଙ୍କ ତୁଳନାରେ କୋଭିଡ୍ ପରବର୍ତ୍ତୀ ସମୟରେ ଏକ ଅଧିକ ଉତ୍ତମ ସ୍ଥିତି ହାସଲ କରି ପାରିଥିଲେ ହେଁ, ଦେଶବାସୀଙ୍କୁ ଓ ସରକାରଙ୍କୁ ବିଶ୍ରାମ ନ ନେଇ ଅର୍ଥନୀତିକୁ ଆଗେଇ ନେଇ ଚାଲିବାକୁ ହେବ, ଵଣ୍ଡର୍ଲ୍ୟାଣ୍ଡ୍ରେ ଗୋଟିଏ ସ୍ଥାନରେ ରହିବାକୁ ହେଲେ ଆଲିସ୍କୁ ଯେପରି ଅନବରତ ଧାଇଁବାକୁ ପଡ଼ିଥାଏ ଏବଂ ଅନ୍ୟ ଏକ ଲକ୍ଷ୍ୟସ୍ଥଳୀରେ ପହଞ୍ଚିବାକୁ ହେଲେ ତାହାର ଦୁଇଗୁଣ ବେଗରେ ଧାଇଁବାକୁ ହୋଇଥାଏ।
ଗତ ଗୁରୁବାର ଦିନ କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ସୂଚନା ଅନୁସାରେ ଚଳିତ ବିତ୍ତ ବର୍ଷର ଦ୍ବିତୀୟ ଚଉଠ, ଅର୍ଥାତ୍ ଜୁଲାଇ-ସେପ୍ଟେମ୍ବର ଚଉଠରେ ଭାରତର ‘ମୋଟ ଜାତୀୟ ଉତ୍ପାଦ’ ବା ‘ଜିଡିପି’ରେ ଏକ ବେଶ୍ ଉଚ୍ଚା ୭.୬ ଶତାଂଶ ହାରରେ ବୃଦ୍ଧି ଘଟିଛି, ଯାହା ଏ ସଂପର୍କରେ କରାଯାଇଥିବା ସମସ୍ତ ବିଶେଷଜ୍ଞ ପୂର୍ବାନୁମାନ ଠାରୁ ମଧ୍ୟ ଅଧିକ ଏବଂ ଯାହା ଭାରତୀୟ ଅର୍ଥନୀତି ହାସଲ କରିଥିବା ପୃଥିବୀର ଦ୍ରୁତତମ ବର୍ଦ୍ଧିଷ୍ଣୁ ଅର୍ଥନୀତିର ମର୍ଯ୍ୟାଦାକୁ ବଜାୟ ରଖିଛି। ଏହି ବିତ୍ତ ବର୍ଷର ପ୍ରଥମ ଚଉଠରେ ‘ଜିଡିପି’ରେ ବୃଦ୍ଧି ହାର ୭.୮ ଶତାଂଶ ହୋଇଥିବାରୁ ବିତ୍ତ ବର୍ଷର ପ୍ରଥମାର୍ଦ୍ଧରେ ‘ଜିଡିପି’ରେ ବୃଦ୍ଧି ହାର ଏଣୁ ୭.୭ ଶତାଂଶ ହୋଇଥିବା ଜଣାପଡ଼ିଛି। ଦ୍ବିତୀୟ ଚଉଠରେ ଏହି ଅଭିବୃଦ୍ଧି ହାର ହାସଲକୁ ବର୍ତ୍ତମାନର କଷ୍ଟକର ସମୟରେ ଭାରତୀୟ ଅର୍ଥନୀତିର ଅନ୍ତର୍ନିହିତ ଶକ୍ତିର ପ୍ରମାଣ ରୂପେ ପ୍ରଦର୍ଶିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଇଭଳି ଦ୍ରୁତ ଅଭିବୃଦ୍ଧି ହାସଲ ଦ୍ବାରା ଦ୍ରୁତ ଦାରିଦ୍ର୍ୟ ଦୂରୀକରଣ ମାଧ୍ୟମରେ ଦେଶବାସୀଙ୍କ ଜୀବନଯାପନକୁ ସହଜ କରିବାକୁ ତାଙ୍କ ସରକାର ଦୃଢ଼ ପରିକର ବୋଲି ‘ଏକ୍ସ’ରେ ପୋଷ୍ଟ କରିଛନ୍ତି। ମୁଖ୍ୟତଃ ସରକାରୀ ବ୍ୟୟ, ମାନୁଫାକ୍ଚରିଙ୍ଗ୍, ଖଣି ଓ ନିର୍ମାଣ କ୍ଷେତ୍ରରେ ଘଟିଥିବା ବୃଦ୍ଧି ଯୋଗୁଁ ଦ୍ବିତୀୟ ଚଉଠରେ ଏଭଳି ଦ୍ରୁତ ଅଭିବୃଦ୍ଧି ହାସଲ ହୋଇ ପାରିଥିବା ପ୍ରକାଶିତ ପରିସଂଖ୍ୟାନରୁ ଜଣାପଡ଼ିଛି।
ଅର୍ଥନୀତିର ସ୍ବାସ୍ଥ୍ୟ ଯଦି ରାଜନୀତିକୁ ପ୍ରଭାବିତ କରିଥାଏ ବୋଲି ବିଶ୍ବାସ କରାଯାଏ, ତେବେ ସଦ୍ୟସମାପ୍ତ ରାଜ୍ୟ ବିଧାନସଭା ନିର୍ବାଚନମାନଙ୍କରେ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟିର ଚମକପ୍ରଦ ପ୍ରଦର୍ଶନ ହେଉଛି ଏହାର ଏକ ପ୍ରମାଣ ବୋଲି କୁହାଯାଇପାରେ। କୋଭିଡ୍ ପାଣ୍ଡେମିକ୍ ପରବର୍ତ୍ତୀ ସମୟରେ ପୃଥିବୀବ୍ୟାପୀ ଲାଗି ରହିଥିବା ଅର୍ଥନୈତିକ ଅସ୍ଥିରତା ପରିପ୍ରେକ୍ଷୀରେ ଭାରତୀୟ ଅର୍ଥନୀତିର ଏହି ଉପଲବ୍ଧି ଯେ ଅତ୍ୟନ୍ତ ପ୍ରଶଂସନୀୟ ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଯଦି ଟିକେ ତଳେଇ କରି ଦେଖାଯାଏ, ତେବେ ଏହା ମଧ୍ୟ ସ୍ବୀକାର କରିବାକୁ ହେବ ଯେ, ଆମର ଅର୍ଥନୈତିକ ଉପଲବ୍ଧିକୁ ସଂପୂର୍ଣ୍ଣ ସନ୍ତୋଷଜନକ କରିବା ପାଇଁ ଆହୁରି ବହୁତ ପଥ ବାକି ଅଛି।
ଉଦାହରଣ ସ୍ବରୂପ ଯଦି ୨୦୧୯-୨୦ରୁ ୨୦୨୨-୨୩ ମଧ୍ୟରେ ହାରାହାରି ଅଭିବୃଦ୍ଧି ହାର ଉପରେ ଦୃଷ୍ଟି ନିକ୍ଷେପ କରାଯାଏ, ତାହା ମାତ୍ର ୩.୨୭ ଶତାଂଶ ହୋଇଥିବା ଜଣାଯାଏ। କୋଭିଡ୍ କବଳରୁ ମୁକୁଳିବା ଅର୍ଥନୀତି ପାଇଁ ଏକ ମନ୍ଥର ପ୍ରକ୍ରିୟା ହୋଇଛି ବୋଲି ଏହା ଦର୍ଶାଇଥାଏ। ପ୍ରକାଶିତ ସୂଚନା ଅନୁସାରେ ଦ୍ବିତୀୟ ଚଉଠରେ ମାନୁଫାକ୍ଚରିଙ୍ଗ୍ କ୍ଷେତ୍ରରେ ଏକ ସୁଉଚ୍ଚ ୧୩.୯ ଶତାଂଶ ହାରରେ ଅଭିବୃଦ୍ଧି ଘଟିଛି। ଅର୍ଥାତ୍ ଲୁଗାପଟା, ଗାଡ଼ିମଟରରୁ ଆରମ୍ଭ କରି ପେଟ୍ରୋଲିଅମ୍ ପଦାର୍ଥମାନଙ୍କର ଉତ୍ପାଦନରେ ଏହି ଉଚ୍ଚ ହାରରେ ବୃଦ୍ଧି ଘଟିଛି। କିନ୍ତୁ ମନେ ରଖିବାକୁ ହେବ ଯେ ଗତ ବର୍ଷ ଦ୍ବିତୀୟ ଚଉଠରେ ମାନୁଫାକ୍ଚରିଙ୍ଗ୍ କ୍ଷେତ୍ରରେ କୌଣସି ବୃଦ୍ଧି ଘଟିବା ପରିବର୍ତ୍ତେ ୩.୮ ଶତାଂଶ ହାରରେ ସଂକୋଚନ ଘଟିଥିଲା; ଏଣୁ ଏକ ନୀଚା ଭିତ୍ତି ଉପରେ ହିଁ ବର୍ତ୍ତମାନର ଉଚ୍ଚା ଅଭିବୃଦ୍ଧି ହାର ହାସଲ ହୋଇଛି- ଏକ ମସୃଣ ଖମ୍ବରେ ମାଙ୍କଡ଼ର ଆରୋହଣ ଭଳି।
ପୃଥିବୀର ବିକଶିତ ଦେଶମାନଙ୍କର ଅର୍ଥନୈତିକ ଇତିହାସରୁ ଜଣାଯାଏ ଯେ ଅର୍ଥନୀତିର ବିକାଶ ଘଟିବା ସହିତ ସେଥିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅବଦାନରେ ସଂକୋଚନ ଘଟି ଚାଲିଥାଏ। ବିଗତ ଦଶନ୍ଧିରେ ଭାରତ କ୍ଷେତ୍ରରେ ମଧ୍ୟ ତାହା ଘଟିଥିବା ଦେଖାଯାଇଛି। ୨୦୧୧-୧୨ରେ ଜାତୀୟ ଉତ୍ପାଦରେ କୃଷି କ୍ଷେତ୍ରର ଅବଦାନର ଅଂଶ ୧୮.୫ ଶତାଂଶ ହୋଇଥିବା ବେଳେ ୨୦୨୨-୨୩ରେ ତାହା ୧୫.୧ ଶତାଂଶକୁ ହ୍ରାସ ପାଇଛି। ସାଧାରଣତଃ ଆଶା କରିବା କଥା ଯେ କୃଷିର ଅବଦାନରେ ଘଟୁଥିବା ସଂକୋଚନ ଶିଳ୍ପ କ୍ଷେତ୍ରର ଅବଦାନରେ ସଂପ୍ରସାରଣ ଦ୍ବାରା ପୂରଣ ହୋଇଥାଏ। ଶିଳ୍ପ କ୍ଷେତ୍ରର ଅବାଦନର ଅଂଶ କିନ୍ତୁ ୨୨ ଶତାଂଶରେ ସ୍ଥିର ରହିଛି। ଅପରପକ୍ଷେ କୃଷି କ୍ଷେତ୍ରର ଅଂଶରେ ଘଟିଥିବା ହ୍ରାସ ଯେଉଁ କ୍ଷେତ୍ରର ଅଂଶରେ ବୃଦ୍ଧି ଦ୍ବାରା ଭରଣା ହୋଇଛି, ତାହା ହେଉଛି ଫାଇନାନ୍ସ ଓ ରିଅଲ୍ ଇଷ୍ଟେଟ୍ େକ୍ଷତ୍ରମାନ ଯାହାର ଅଂଶ ୨୦୧୧-୧୨ରେ ୧୮.୯ ଶତାଂଶ ଥିବା ବେଳେ ପାଣ୍ଡେମିକ୍ର ଅବ୍ୟବହିତ ପୂର୍ବରୁ ୨୦୧୯-୨୦ରେ ୨୧.୯ ଶତାଂଶ ଓ ୨୦୨୨-୨୩ରେ ୨୨.୫ ଶତାଂଶ ହୋଇଥିଲା। ଅର୍ଥନୀତିଜ୍ଞମାନେ କିନ୍ତୁ ଏହି କ୍ଷେତ୍ରକୁ ଏକ ଅନୁତ୍ପାଦନଶୀଳ କ୍ଷେତ୍ର ରୂପେ ବିଚାର କରିଥାନ୍ତି, ଯେଉଁଠି କୌଣସି ବାସ୍ତବ ଉତ୍ପାଦନ ସଂଘଟିତ ହୋଇ ନ ଥାଏ। ଚଳିତ ବିତ୍ତ ବର୍ଷର ପ୍ରଥମାର୍ଦ୍ଧରେ ଏହି କ୍ଷେତ୍ରରେ ଅଭିବୃଦ୍ଧି ହାର ହେଉଛି ୮.୮ ଶତାଂଶ, ଯାହା ସାମଗ୍ରିକ ଅଭିବୃଦ୍ଧି ହାରକୁ ଉଚ୍ଚ କରିବାରେ ସହାୟକ ହୋଇଛି। ଏହା ତେଣୁ ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଚିନ୍ତାର କାରଣ ହେବ ଉଚିତ।
ଅର୍ଥନୈତିକ ଅଭିବୃଦ୍ଧିରେ ନିବେଶର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। ବିଗତ ଦଶନ୍ଧିରେ ‘ଜିଡିପି’ରେ ନିବେଶର ଅଂଶରେ ହ୍ରାସ ଘଟି ଚାଲିବା ଦେଖାଯିବା ପରେ ୨୦୨୩-୨୪ ବିତ୍ତ ବର୍ଷର ଏଇ ଦ୍ବିତୀୟ ଚଉଠରେ ସେଥିରେ ଏକ ସଦ୍ୟ ବୃଦ୍ଧି ଧାରା ଅବ୍ୟାହତ ରହି ତାହା ୩୫.୩ ଶତାଂଶ ହୋଇଛି, ଯାହା ୨୦୧୧-୧୨ର ୩୪.୩ ଶତାଂଶ ଠାରୁ ସାମାନ୍ୟ ଅଧିକ। ମୁଖ୍ୟତଃ ସରକାରୀ ନିବେଶ ବା ପୁଞ୍ଜି ବ୍ୟୟ ଯୋଗୁଁ ଏହା ସମ୍ଭବ ହୋଇଛି। କିନ୍ତୁ ଯେଉଁ ସମୟରେ ସରକାରଙ୍କର ନିବେଶ ବ୍ୟୟରେ ଏଭଳି ବୃଦ୍ଧି ଘଟିଛି, ସେଇ ସମୟରେ ରାଷ୍ଟ୍ରାୟତ୍ତ କର୍ପୋରେସନ୍ମାନଙ୍କ ଦ୍ବାରା କରାଯାଉଥିବା ନିବେଶରେ ହ୍ରାସ ଘଟିବା ଦେଖାଯାଇଛି, ଯେଉଁ କାରଣରୁ ସାମଗ୍ରିକ ସରକାରୀ ନିବେଶରେ ଏକ ପ୍ରକାର ସ୍ଥାଣୁତା ଦେଖାଦେଇଛି ବୋଲି କୁହାଯାଇପାରେ।
‘ଜିଡିପି’ର ପ୍ରାୟ ୬୦ ଶତାଂଶ ହୋଇଥିବା ‘କନ୍ସମ୍ପ୍ସନ୍’ ବା ଖାଉଟି ବ୍ୟୟ ହେଉଛି ଅଭିବୃଦ୍ଧିର ଏକ ଗୁରୁତ୍ବପୂର୍ଣ୍ଣ ଉପାଦାନ। ପ୍ରକାଶିତ ସୂଚନା ଅନୁସାରେ ଅନ୍ତିମ ଘରୋଇ ଖାଉଟି ବ୍ୟୟରେ ବର୍ଷକ ମଧ୍ୟରେ ୩.୫ ଶତାଂଶ ହାରରେ ବୃଦ୍ଧି ଘଟିଛି। ଏଥିରେ କିନ୍ତୁ ଦୁଇଟି ଅଡୁଆ ରହିଛି। ଗୋଟିଏ ହେଲା, ଲୋକମାନେ ବିନା ବନ୍ଧକରେ ଅଣ-ବ୍ୟାଙ୍କ ବିତ୍ତୀୟ ଅନୁଷ୍ଠାନମାନଙ୍କ ଠାରୁ ଋଣ ଆଣି ଏହି ଖର୍ଚ୍ଚ କରୁଛନ୍ତି। ଏହାର ଅନ୍ତର୍ନିହିତ ବିପଦକୁ ହୃଦୟଙ୍ଗମ କରି ରିଜର୍ଭ ବ୍ୟାଙ୍କ ଏବେ ଏହି ଋଣ କାରବାରକୁ ନିରୁତ୍ସାହିତ କରିବା ପାଇଁ କଠୋର ପଦକ୍ଷେପ ନେବା ଆରମ୍ଭ କରିଛି। ଏଥିଯୋଗୁଁ ଋଣର ସ୍ରୋତ ଶୁଖିଗଲେ ଖାଉଟି ବ୍ୟୟ ମଧ୍ୟ ସଂକୁଚିତ ହୋଇଯିବ। ଅନ୍ୟଟି ହେଲା, କୃଷି କ୍ଷେତ୍ରରେ ଅଭିବୃଦ୍ଧି ଅତ୍ୟନ୍ତ ମନ୍ଥର (୧.୨ ଶତାଂଶ) ହୋଇଥିବାରୁ, ଗ୍ରାମ୍ୟ ଆୟରେ ବିଶେଷ ବୃଦ୍ଧି ଘଟୁ ନାହିଁ, ଯେଉଁ କାରଣରୁ ଖାଉଟି ବ୍ୟୟରେ ବିଶେଷ ବୃଦ୍ଧି ଘଟି ନ ପାରେ। ସେପରି ଘଟିଲେ ସରକାରଙ୍କୁ ବିପୁଳ ଅର୍ଥ ବ୍ୟୟ କରି ବଜାରରେ ଚାହିଦାକୁ ପରିପୁଷ୍ଟ କରିବାକୁ ହେବ। ଏଥିପାଇଁ ସରକାରଙ୍କୁ ଯଦି ଋଣ ସଂଗ୍ରହ କରିବାକୁ ପଡ଼େ, ତାହା ଋଣ ବଜାରରେ ଏକ ନିଅଣ୍ଟିଆ ଅବସ୍ଥା ସୃଷ୍ଟି କରିପାରେ ଓ ଶିଳ୍ପ ବାଣିଜ୍ୟରେ ନିବେଶ ପାଇଁ ଆବଶ୍ୟକ ଋଣକୁ ମହଙ୍ଗା କରି ଦେଇପାରେ।
ଏହି ଚିତ୍ରରୁ ତେଣୁ ଯାହା ଜଣାପଡ଼ିଥାଏ, ତାହା ହେଲା ଭାରତର ଅର୍ଥନୀତି ଅନ୍ୟ ଦେଶମାନଙ୍କ ତୁଳନାରେ କୋଭିଡ୍ ପରବର୍ତ୍ତୀ ସମୟରେ ଏକ ଅଧିକ ଉତ୍ତମ ସ୍ଥିତି ହାସଲ କରି ପାରିଥିଲେ ହେଁ, ଦେଶବାସୀଙ୍କୁ ଓ ସରକାରଙ୍କୁ ବିଶ୍ରାମ ନ ନେଇ ଅର୍ଥନୀତିକୁ ଆଗେଇ ନେଇ ଚାଲିବାକୁ ହେବ, ଵଣ୍ଡର୍ଲ୍ୟାଣ୍ଡ୍ରେ ଗୋଟିଏ ସ୍ଥାନରେ ରହିବାକୁ ହେଲେ ଆଲିସ୍କୁ ଯେପରି ଅନବରତ ଧାଇଁବାକୁ ପଡ଼ିଥାଏ ଏବଂ ଅନ୍ୟ ଏକ ଲକ୍ଷ୍ୟସ୍ଥଳୀରେ ପହଞ୍ଚିବାକୁ ହେଲେ ତାହାର ଦୁଇଗୁଣ ବେଗରେ ଧାଇଁବାକୁ ହୋଇଥାଏ।