ଆନ୍ତର୍ଜାତିକ ସ୍ତରରେ ଚହଳ ସୃଷ୍ଟି କରିଥିବା ଚଉତିରିଶ ବର୍ଷ ବୟସ୍କା ଅଦ୍ବିତୀୟ ଯାଦୁକର ତଥା ‘ମେଣ୍ଟାଲିଷ୍ଟ୍’ ସୁହାନୀ ଶାହଙ୍କ ଆନୁଷ୍ଠାନିକ ଶିକ୍ଷାଗତ ଯୋଗ୍ୟତା ମାତ୍ର ପ୍ରଥମ ଶ୍ରେଣୀ! ସୁତରାଂ, ନିଯୁକ୍ତିର ନୂଆ ଦିଗନ୍ତ ଆଡ଼କୁ ଚାହିଁଲା ବେଳେ ଆନୁଷ୍ଠାନିକ ଶିକ୍ଷାର ଏକାନ୍ତ ଅପରିହାର୍ଯ୍ୟତା ବା ବୃତ୍ତିର ମର୍ଯ୍ୟାଦା ଇତ୍ୟାଦିକୁ କେନ୍ଦ୍ର କରି ରହିଥିବା ପୁରୁଣା ଧାରଣାର ଚକ୍ଷୁ ବନ୍ଧନ ଖୋଲିଯିବା ଆବଶ୍ୟକ, ଯାହା ହେଲେ ବେକାରି ସମସ୍ୟାରୁ ମୁକୁଳିବାର କିଛି ବାଟ ଫିଟିପାରେ!
ଗଲା ୧୬ ତାରିଖରେ ୨,୨୧୬ଟି ‘ଲୋଡର୍’ (ବିମାନ ଭିତରକୁ ଜିନିଷ ଉଠାଇବା) ପଦ ପୂରଣ ସକାଶେ ଏୟାର ଇଣ୍ଡିଆ ପକ୍ଷରୁ ଆହ୍ବାନ କରାଯାଇଥିବା ଆବେଦନ ପରିପ୍ରେକ୍ଷୀରେ ପ୍ରାୟ ୨୮,୦୦୦ ଯୁବକ ରୁଣ୍ଡ ହୋଇଯିବା ଭଳି ଘଟଣା ଆମ ଦେଶର ଅତ୍ୟନ୍ତ ଉତ୍କଟ ବେକାରି ସମସ୍ୟା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ। ତେବେ, ଏଭଳି ଦୃଶ୍ୟର ବାରମ୍ବାର ପୁନରାବୃତ୍ତି ଘଟୁଥିବାରୁ ଏହାକୁ ଅପ୍ରତ୍ୟାଶିତ ବୋଲି ମଧ୍ୟ କୁହାଯାଇନପାରେ। ନିକଟରେ ଉତ୍ତରପ୍ରଦେଶ ପୁଲିସ ବିଭାଗରେ ୬୨ଟି ପିଅନ ପଦ ଲାଗି ରୁଣ୍ଡ ହୋଇଥିଲେ ପ୍ରାୟ ୯୩ ହଜାର ଆଶାୟୀ; ମାତ୍ର ପଞ୍ଚମ ଶ୍ରେଣୀ ଯାଏ ପାଠ ଏହାର ଶିକ୍ଷାଗତ ଯୋଗ୍ୟତା ହୋଇଥିବା ବେଳେ ତହିଁରେ ଥିଲେ ୩,୭୦୦ ପିଏଚ୍.ଡି.ଧାରୀ, ୫,୦୦୦ ସ୍ନାତକ ଓ ୨୮,୦୦୦ ସ୍ନାତକୋତ୍ତର। ଏଭଳି ସ୍ଥିତିରେ ଯେଉଁମାନେ ଏକ ସାଧାରଣ ଧାରଣା ପୋଷଣ କରିଥାଆନ୍ତି ଯେ ଜୀବିକାର ସ୍ଥାୟିତ୍ବ, ଅନ୍ୟାନ୍ୟ ସୁବିଧା, ପ୍ରଚୁର ଛୁଟି ଏପରିକି ଆଳସ୍ୟ ଲାଗି ସୁଯୋଗ ହେତୁ ଯେ କୌଣସି ସରକାରୀ ଚାକିରି ଦୁର୍ବାର ଆକର୍ଷଣର ପାତ୍ର ହୋଇଥାଏ, ସେମାନେ ଜାଣନ୍ତୁ ଯେ ନିକଟରେ ଗୁଜରାଟରେ ଏକ ଘରୋଇ କଂପାନିରେ ୧୦ଟି ପଦ ସକାଶେ ଦେଢ଼ ହଜାରରୁ ଅଧିକ ସଂଖ୍ୟକ ଯୁବକଯୁବତୀ ଠୁଳ ହୋଇ ଏକ ଦଳଚକଟା ପରିସ୍ଥିତି ମଧ୍ୟ ସୃଷ୍ଟି କରିଥିଲେ। ତେଣୁ ଏହା ସ୍ପଷ୍ଟ ଯେ ଆମ ଦେଶରେ ବେକାରି ସମସ୍ୟା ଅତ୍ୟନ୍ତ ତୀବ୍ର ଏବଂ ଏହାର କାରଣ ଜାଣିବା ଲାଗି ଏହି ସମସ୍ୟାର ବ୍ୟବଚ୍ଛେଦ ନିତାନ୍ତ ଆବଶ୍ୟକ।
ନିକଟରେ ‘ଇଣ୍ଟର୍ନେସ୍ନାଲ୍ ଲେବର୍ ଅର୍ଗାନାଇଜେସନ୍’ ବା ‘ଆଇ.ଏଲ୍.ଓ.’ ପକ୍ଷରୁ ପ୍ରକାଶିତ ପରିସଂଖ୍ୟାନ କହିଥାଏ ଯେ ଭାରତରେ ୧୫ରୁ ୨୯ ବର୍ଷ ବୟସ ବର୍ଗରେ ବେକାରି ହାର ହେଉଛି ୫ ପ୍ରତିଶତ, ଯାହା ସଂଖ୍ୟା ଦୃଷ୍ଟିରୁ ଅତ୍ୟନ୍ତ ବିଶାଳ। ଏହାର କାରଣ ବହୁବିଧ; ଯେମିତି କି ଚାକିରିର ସର୍ବନିମ୍ନ ବୟସ ସୀମା ଅତିକ୍ରମ କରୁଥିବା ତରୁଣତରୁଣୀଙ୍କ ସଂଖ୍ୟାରେ ବିପୁଳ ବୃଦ୍ଧି, କୋଭିଡ୍ ସମୟରେ ନିଷ୍ପ୍ରାଣ ହୋଇ ଏ ଯାବତ୍ ପ୍ରାଣ ସ୍ପନ୍ଦନ ଫେରି ପାଇ ନ ଥିବା କ୍ଷୁଦ୍ର ଓ ମଧ୍ୟମ ସ୍ତରୀୟ ଉଦ୍ୟୋଗ (ଏମ୍.ଏସ୍.ଏମ୍.ଇ.), ଯାହା ଆମ ଦେଶରେ ସର୍ବାଧିକ ସଂଖ୍ୟକ ନିଯୁକ୍ତିର ଆଧାର ହୋଇଥାଏ, ଅଣ ବୈଷୟିକ ଶିକ୍ଷା କ୍ଷେତ୍ରରେ ନିଯୁକ୍ତି ସାମର୍ଥ୍ୟ ପ୍ରଦାନକାରୀ ଯୁଗୋପଯୋଗୀ ପାଠ୍ୟକ୍ରମର ଅନୁପସ୍ଥିତି, ଅଳ୍ପ େକେତକ ନିର୍ଦ୍ଦିଷ୍ଟ ବୃତ୍ତି ପ୍ରତି ଅହେତୁକ ମୋହ, ବୃତ୍ତିର ପ୍ରକାରଭେଦକୁ ନେଇ ଭାରତୀୟ ସମାଜରେ ପ୍ରଚଳିତ ଧାରଣା, ଯେଉଁ କାରଣରୁ ଅସଂଖ୍ୟ ଶିକ୍ଷିତ ଯୁବକଯୁବତୀ ଅତି ଆବଶ୍ୟକ ନ ହେଲେ ହେୟମନ୍ୟ ବୃତ୍ତିକୁ ଗ୍ରହଣ ନ କରି ବେକାର ରହନ୍ତି। ଆମ ଦେଶରେ ଦୃଶ୍ୟମାନ ‘ଏଂପ୍ଲୟମେଣ୍ଟ ପାରାଡକ୍ସ’ ବା ‘ନିଯୁକ୍ତି ବିରୋଧାଭାସ’କୁ ଇଙ୍ଗିତ କରି କୁହାଯାଇଥାଏ ଯେ ନିଯୁକ୍ତି ଲାଗି ଶିକ୍ଷା ଅନିବାର୍ଯ୍ୟ ହୋଇଥିବା ବେଳେ ଆମ ଦେଶର ବିଚିତ୍ର ସ୍ଥିତି ହେଲା, ଏଠାରେ ଅଶିକ୍ଷିତ ବା ସ୍ବଳ୍ପ ଶିକ୍ଷିତ ବର୍ଗଙ୍କ ମଧ୍ୟରୁ ୯୦ ପ୍ରତିଶତ କର୍ମ ନିଯୁକ୍ତ ହୋଇ ପାରୁଥିବା ବେଳେ ଶିକ୍ଷାର ସ୍ତର ଉଚ୍ଚରୁ ଉଚ୍ଚକୁ ଉଠିବା ସହିତ ନିଯୁକ୍ତିର ସମ୍ଭାବନା ସଂକୁଚିତ ହୋଇ ଚାଲିଥାଏ; ପରିସଂଖ୍ୟାନ କହିଥାଏ ଯେ ସ୍ନାତକ ଓ ସ୍ନାତକୋତ୍ତରମାନଙ୍କ ମଧ୍ୟରେ ବେକାରି ହାର ପ୍ରାୟ ୭୦ ପ୍ରତିଶତ। ତେଣୁ ନିଯୁକ୍ତିହୀନତା କେବଳ ଶିକ୍ଷିତ ଯୁବବର୍ଗରେ ହିଁ ବିଦ୍ୟମାନ। କିନ୍ତୁ ସତ କହିଲେ ଏହା କ’ଣ ଏକ ବିରୋଧାଭାସ କି? କୌଣସି ପିରାମିଡ୍ର ପାଦଦେଶରେ ବିସ୍ତୃତ ସ୍ଥାନ ଥିବା ବେଳେ ପ୍ରତିଟି ସୋପାନର ଆରୋହଣ ସହିତ ତାହା ସଂକୁଚିତ ହୋଇ ନ ଥାଏ କି? ଶୃଙ୍ଗର ଶୀର୍ଷରେ କେବଳ ମୁଷ୍ଟିମେୟଙ୍କ ସକାଶେ ସ୍ଥାନ ଉପଲବ୍ଧ ହୋଇପାରେ। ତେଣୁ ଉଚ୍ଚ ଶିକ୍ଷିତଙ୍କ ଲାଗି ନିଯୁକ୍ତିର ସୁଯୋଗ ସୀମିତ ହୋଇଯିବା ସ୍ବାଭାବିକ, ଯାହାର ପରିଣାମ ଏଭଳି ନିଯୁକ୍ତିଶୂନ୍ୟତା।
ଏହା ଏକ ବାସ୍ତବତା ଯେ ସରକାରୀ ଚାକିରି ବଳରେ ଭାରତର ବେକାରି ସମସ୍ୟା ଦୂରୀଭୂତ ହୋଇ ପାରିବ ନାହିଁ। କହିବା ବାହୁଲ୍ୟ ଯେ ପ୍ରତ୍ୟେକ ରାଷ୍ଟ୍ରରେ ସରକାରୀ ଚାକିରି ସଂଖ୍ୟା ସୀମିତ ରହିଥାଏ। ତେବେ ସରକାର ଭିତ୍ତିଭୂମିର ବିକାଶ ଓ ଘରୋଇ ଉଦ୍ୟୋଗ ସକାଶେ ଅନୁକୂଳ ପରିବେଶ ସୃଷ୍ଟି କରି ଅଧିକ ନିଯୁକ୍ତିର ସମ୍ଭାବନା ସୃଷ୍ଟି କରିପାରିବେ। ଏଭଳି ନିଯୁକ୍ତିର ଲାଭ ନେବାରେ ଅଣ-ବୈଷୟିକ ଉଚ୍ଚଶିକ୍ଷାକୁ ସମୟୋପଯୋଗୀ ଓ ନିଯୁକ୍ତି ଅନୁକୂଳ କରି ଗଢ଼ି ତୋଳିବାକୁ ହେବ। ସଂପ୍ରତି ବୈଷୟିକ କ୍ଷେତ୍ରରେ ବେକାରଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସତ୍ତ୍ବେ ସେଠାରେ ନିଯୁକ୍ତିର ସମ୍ଭାବନା ତଥାପି ଅଧିକ ରହିଛି। ସେହିପରି ବୃହତ୍ ଘରୋଇ ଉଦ୍ୟୋଗର ବିକାଶ ଏବଂ କ୍ଷୁଦ୍ର ଓ ମଧ୍ୟମ ଶ୍ରେଣୀର ଉଦ୍ୟୋଗରେ ନୂତନ ପ୍ରାଣ ସଂଚାର କରିବା ମଧ୍ୟ ହେଉଛି ବର୍ତ୍ତମାନ ସମୟର ଏକ ଆବଶ୍ୟକତା। ଭାରତର ଅଭିବୃଦ୍ଧି ହାର ୭ ପ୍ରତିଶତରେ ରହି ଅତ୍ୟନ୍ତ ଆକର୍ଷଣୀୟ ଦିଶୁଥିଲେ ହେଁ ନିଯୁକ୍ତି ସଂଖ୍ୟାରେ ସମାନୁପାତିକ ବୃଦ୍ଧି ନ ଘଟିବା ଏକ ଉଦ୍ବେଗର ବିଷୟ ହୋଇଥିଲେ ହେଁ ଏହି ଅଭିବୃଦ୍ଧିରେ ବିଶେଷ ଭୂମିକା ଗ୍ରହଣ କରିଥିବା ଅନ୍ଲାଇନ୍ ବ୍ୟବସାୟ ତଥା ‘ଇ-କମର୍ସ’ କାରବାର ହେତୁ ‘ଗିଗ୍ ଇକୋନୋମି’ ନାମକ ଯେଉଁ ଅର୍ଥ-ବ୍ୟବସ୍ଥା ସୃଷ୍ଟି ହୋଇଛି, ତହିଁରେ ଅସଂଖ୍ୟ ଯୁବକଯୁବତୀ ଇଚ୍ଛାଧୀନ ରୋଜଗାର (ଜମାଟୋ ଡେଲିଭରି ବୟ ବା ଓଲା ଭଡ଼ା ଗାଡ଼ି ଚାଳକ ଇତ୍ୟାଦି) ସକ୍ଷମ ହୋଇପାରିଛନ୍ତି। ଆମ ରାଜଧାନୀ ଭୁବେନଶ୍ବରରେ ‘ଓଲା’ ଗାଡ଼ି ଚଳାଉଥିବା ଅନେକ ଯୁବକ (ଅଧିକାଂଶ ଶିକ୍ଷିତ ମଧ୍ୟ) ସବୁ ଖର୍ଚ୍ଚବାର୍ଚ୍ଚ ବାଦେ ହାରାହାରି ଦୈନିକ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରୁଥିବା କଥା କହିଥାଆନ୍ତି। ଏହା ସତ୍ତ୍ବେ ‘ଗିଗ୍ ଅର୍ଥନୀତି’ରେ ସଂପୃକ୍ତ ଅଧିକାଂଶ ବ୍ୟକ୍ତି ନିଜକୁ ବେକାର ବୋଲି ହିଁ ବିବେଚନା କରିଥାଆନ୍ତି। ଏହାର କାରଣ ଅନେକ ଭାରତୀୟଙ୍କ ଚକ୍ଷୁରେ ଏକ ସ୍ଥିର ବୃତ୍ତିର ଭରସା, ସେଥିରେ ଆୟ କମ୍ ହେବାର ସମ୍ଭାବନା ଥିଲେ ସୁଦ୍ଧା, ସେହି କାର୍ଯ୍ୟକୁ ଅଧିକ ମର୍ଯ୍ୟାଦାବନ୍ତ କରିଥାଏ। ସୁତରାଂ, ସରକାରଙ୍କ ଉଦ୍ୟମରେ ‘ଗିଗ୍’ ଅର୍ଥନୀତିରେ ସଂପୃକ୍ତ ବ୍ୟକ୍ତିମାନଙ୍କ ଲାଗି ମଧ୍ୟ ଅଧିକ ଆୟ ଓ ଭବିଷ୍ୟତ୍ ସୁରକ୍ଷାର ବ୍ୟବସ୍ଥା କରାଯିବା ଉଚିତ, ଯାହା ଫଳରେ େସମାନେ ତହିଁରୁ ମଧ୍ୟ ଏକ ସ୍ଥିର ବୃତ୍ତିର ଆଶ୍ବାସନା ଲାଭ କରି ପାରିବେ।
ଆଉ ଏକ ବିଡ଼ମ୍ବନା ହେଲା ଭାରତୀୟ ସମାଜରେ ବୃତ୍ତି ଆଧାରରେ ସମ୍ମାନ ନିର୍ଣ୍ଣୟ, ଯାହା ପାଶ୍ଚାତ୍ୟ ସମାଜରେ ଅନୁପସ୍ଥିତ। ପୁଣି, ସମ୍ମାନଜନକ ବୋଲି ଆଖ୍ୟା ଦେଇ ଅଳ୍ପ କିଛି ବୃତ୍ତିକୁ ଆମ ପରିବାରର ଭବିଷ୍ୟତ୍ ବଂଶଧରମାନଙ୍କ ସମ୍ମୁଖରେ ଏକମାତ୍ର ଧ୍ୟେୟ ଭାବେ ଛିଡ଼ା କରାଇ ଦିଆଯାଇଥାଏ। ସୁତରାଂ, ଭାରତୀୟ ଶିଶୁମାନେ କେବଳ ଇଂଜିନିଅର ବା ଡାକ୍ତର ବା ଆଇ.ଏ.ଏସ୍. ହେବାର ଲକ୍ଷ୍ୟ ନେଇ ବଡ଼ ହୁଅନ୍ତି। ତେଣୁ ସ୍ବାଭାବିକ ଭାବେ କିଛି ନିଦ୍ଦିଷ୍ଟ ବୃତ୍ତି ମାର୍ଗରେ ଶ୍ବାସରୁଦ୍ଧ କରିଦେଲା ଭଳି ଭିଡ଼ ସୃଷ୍ଟି ହୁଏ, ଯହିଁରେ ସୀମତ ନିଯୁକ୍ତିର ସୁଯୋଗ କାରଣରୁ ଅଧିକାଂଶ ପରିଶେଷରେ ନିରାଶ ହୁଅନ୍ତି। କିନ୍ତୁ, ସଂବିତ୍ ଫେରି ପାଇବା ବେଳକୁ ସେମାନଙ୍କ ଉତ୍ପାଦନଶୀଳ ବୟସରୁ ଏକ ବଡ଼ ଅଂଶର ଅପଚୟ ଘଟିସାରିଥାଏ। ସେମାନେ ହୁଏତ ବେକାର ରହନ୍ତି ବା ଅଗତ୍ୟା କୌଣସି କାର୍ଯ୍ୟରେ ନିୟୋଜିତ ହେଲେ ସୁଦ୍ଧା ନିଯୁକ୍ତିହୀନତାର ଗ୍ଳାନିବୋଧରୁ ମୁକ୍ତ ହୋଇପାରନ୍ତି ନାହିଁ। କେବଳ ସେତିକି ନୁହେଁ, ଉତ୍କୃଷ୍ଟ ଶିକ୍ଷା କେନ୍ଦ୍ର ସହିତ ବୃତ୍ତିର ସମ୍ମାନ ଯୋଡ଼ି ହୋଇଥିବାରୁ ‘ଆଇ.ଆଇ.ଟି.’ରୁ ଉତ୍ତୀର୍ଣ୍ଣ ଅତି ବିଚକ୍ଷଣମାନଙ୍କ ସକାଶେ ମଧ୍ୟମ ସ୍ତରୀୟ ବେତନ ପ୍ରଦାନ କରୁଥିବା ଚାକିରି ଗ୍ରହଣୀୟ ହୋଇ ନ ଥାଏ, ଯେଉଁ କାରଣରୁ ଅନେକ ଆଇ.ଆଇ.ଟି. ସ୍ନାତକ ନିଯୁକ୍ତିହୀନତାର ମଧ୍ୟ ଶିକାର ହେଲେଣି। କିନ୍ତୁ ଏଭଳି ବୃତ୍ତି ରହିତ ବିଚକ୍ଷଣମାନେ ଆୟ ଓ ଯଶ ପ୍ରାପ୍ତିର ନୂତନ ଦିଗନ୍ତ ମଧ୍ୟ ପ୍ରସାରିତ କଲେଣି। ଷ୍ଟାର୍ଟଅପ୍ ପରିକଳ୍ପନା କରିବା, ୟୁଟ୍ୟୁବର୍ ହେବା, ପର୍ବତାରୋହୀଙ୍କ ଗାଇଡ୍ ହେବା, ସ୍ବାସ୍ଥ୍ୟ ପରାମର୍ଶଦାତା ହେବା ଭଳି ଅନେକ କ୍ଷେତ୍ରରେ ସେମାନେ ଉଭୟ ଆୟ ଓ ଯଶ ଲାଭ କରିବା ସହିତ ପ୍ରମାଣ କଲେଣି ଯେ ଆନୁଷ୍ଠାନିକ ଶିକ୍ଷା ସହିତ ଜୀବିକାର କୌଣସି ସମ୍ବନ୍ଧ ନ ହେଲେ ବି ଚଳିବ। ଆନ୍ତର୍ଜାତିକ ସ୍ତରରେ ଚହଳ ସୃଷ୍ଟି କରିଥିବା ଚଉତିରିଶ ବର୍ଷ ବୟସ୍କା ଅଦ୍ବିତୀୟ ଯାଦୁକର ତଥା ‘ମେଣ୍ଟାଲିଷ୍ଟ୍’ ସୁହାନୀ ଶାହଙ୍କ ଆନୁଷ୍ଠାନିକ ଶିକ୍ଷାଗତ ଯୋଗ୍ୟତା ମାତ୍ର ପ୍ରଥମ ଶ୍ରେଣୀ! ସୁତରାଂ, ନିଯୁକ୍ତିର ନୂଆ ଦିଗନ୍ତ ଆଡ଼କୁ ଚାହିଁଲା ବେଳେ ଆନୁଷ୍ଠାନିକ ଶିକ୍ଷାର ଏକାନ୍ତ ଅପରିହାର୍ଯ୍ୟତା ବା ବୃତ୍ତିର ମର୍ଯ୍ୟାଦା ଇତ୍ୟାଦିକୁ କେନ୍ଦ୍ର କରି ରହିଥିବା ପୁରୁଣା ଧାରଣାର ଚକ୍ଷୁ ବନ୍ଧନ ଖୋଲିଯିବା ଆବଶ୍ୟକ, ଯାହା ହେଲେ ବେକାରି ସମସ୍ୟାରୁ ମୁକୁଳିବାର କିଛି ବାଟ ଫିଟିପାରେ!