‘ଶୁଦ୍ଧ-ଜାତ ଇଂରେଜ୍’

ବିଶ୍ବ ପ୍ରସିଦ୍ଧ ବୋଇତ ବୁଡ଼ିଜନିତ ନିର୍ଜନ ବାସ କାହାଣୀ ‘ରବିନ୍‌ସନ୍‌ କ୍ରୁସୋ’ର ରଚୟିତା ଅଷ୍ଟାଦଶ ଶତାବ୍ଦୀର ପ୍ରଖ୍ୟାତ ଇଂରେଜ୍ ଔପନ୍ୟାସିକ ଡାନିଏଲ୍ ଡିଫୋ ତାଙ୍କର ରଚନାମାନଙ୍କରେ ନିହିତ ଥିବା ଶାଣିତ ବ୍ୟଙ୍ଗ ପାଇଁ ପ୍ରସିଦ୍ଧ ଥିଲେ। ଏକ ଜାତି ହିସାବରେ ଇଂରେଜ୍‌ମାନେ ଜାତୀୟ ସ୍ବାର୍ଥ ହାସଲ କରିବା ପାଇଁ କିପରି ସମ୍ପୂର୍ଣ୍ଣ ଅଭାବିତ ପଦକ୍ଷେପ ନେବାକୁ ପଛାନ୍ତି ନାହିଁ, ଡିଫୋ ତାହାର ଏକ ରୋଚକ ବର୍ଣ୍ଣନା ଏହିପରି ପ୍ରଦାନ କରିଥିଲେ ୧୭୦୧ରେ ପ୍ରକାଶିତ ତାଙ୍କର ବ୍ୟଙ୍ଗାତ୍ମକ ଗୀତିକଥା, ‘ଦି ଟ୍ରୁ-ବର୍ନ ଇଂଲିଶ୍‌ମ୍ୟାନ୍’ (‘ଶୁଦ୍ଧ-ଜାତ ଇଂରେଜ୍’)ରେ: ‘‘ଅନ୍ତିମ ମାତ୍ରା ପର୍ଯ୍ୟନ୍ତ ଆଧୁନିକ ଇଂଲାଣ୍ଡ୍ ନିଜର ସମ୍ଭ୍ରାନ୍ତ ବଂଶଜମାନଙ୍କୁ [ମଧ୍ୟ] ଉଧାର ଆଣିଥାଏ।’’ ଇଂଲାଣ୍ଡରେ ରାଜୁତି କରୁଥିବା ଓଲନ୍ଦାଜ ମୂଳର ସମ୍ରାଟ୍‌ଙ୍କ ପରେ ଜଣେ ଜର୍ମାନ୍ ମୂଳର ସମ୍ରାଟ୍‌ଙ୍କୁ ତାଙ୍କ ସ୍ଥାନରେ ଅଧିଷ୍ଠିତ କରାଯିବା ପାଇଁ ହେଉଥିବା ବନ୍ଦୋବସ୍ତକୁ ଲକ୍ଷ୍ୟ କରି ଡିଫୋ ଏଭଳି ଚଟୁଳ ମନ୍ତବ୍ୟ ପ୍ରଦାନ କରିଥିଲେ।

ଜାତୀୟ ସ୍ବାର୍ଥ ରକ୍ଷା ପାଇଁ ଅଣ-ଇଂରେଜ ରାଜତ୍ବ ସ୍ବୀକାର କରିବା ଭଳି ଗତାନୁଗତିକତା-ଭଙ୍ଗକାରୀ ପଦକ୍ଷେପ ନେବାକୁ କୁଣ୍ଠିତ ନ ଥିବା ‘ଶୁଦ୍ଧ-ଜାତ ଇଂରେଜ୍‌’ମାନେ ଅର୍ଥନୈତିକ ସ୍ବାର୍ଥ ରକ୍ଷା ପାଇଁ ଅନୁରୂପ ଆଭିମୁଖ୍ୟ ପ୍ରଦର୍ଶନ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏବେ ବି ପୃଥିବୀ ସାରା ବିଶ୍ବବିଦ୍ୟାଳୟମାନଙ୍କରେ ଅର୍ଥଶାସ୍ତ୍ରର ଛାତ୍ରଛାତ୍ରୀମାନଙ୍କର ଦୃଷ୍ଟି ଆକର୍ଷଣ କରୁଥିବା ୧୮୯୦ରେ ପ୍ରଥମେ ପ୍ରକାଶିତ ମହାନ୍ ଅର୍ଥନୀତିଜ୍ଞ ଆଲ୍‌ଫ୍ରେଡ୍ ମାର୍ଶାଲ୍‌ଙ୍କର ପ୍ରସିଦ୍ଧ ପୁସ୍ତକ, ‘ପ୍ରିନ୍‌ସିପଲ୍‌ସ୍‌ ଅଫ୍ ଇକନୋମିକ୍‌ସ୍‌’ରେ ମାର୍ଶାଲ୍ ମନୁଷ୍ୟର ଯେଉଁ ଆଚରଣକୁ ‘ଅର୍ଥନୀତି’ ରୂପେ ଅଭିହିତ କରିଥିଲେ, ତାହା ଯେ ପ୍ରକୃତରେ ତାଙ୍କର ନିଜର ଦେଶବାସୀ ଇଂରେଜ୍‌ମାନଙ୍କ ପ୍ରତି ପ୍ରଯୁଜ୍ୟ ଥିଲା, ଏଥିରେ କୌଣସି ସନ୍ଦେହ ନାହିଁ। ଏଥି ପୂର୍ବରୁ ‘ଅର୍ଥନୀତି’ ଯେଉଁ ନାମରେ ପରିଚିତ ଥିଲା, ତାହା ହେଲା ‘ରାଜନୈତିକ ଅର୍ଥନୀତି’ (‘ପଲିଟିକାଲ୍ ଇକନୋମି’)। ମାର୍ଶାଲ୍ ଏହାକୁ ବଦଳାଇ ଦେଇ ଏହି ଶାସ୍ତ୍ରର ନାମ କେବଳ ‘ଅର୍ଥନୀତି’ ବା ‘ଅର୍ଥଶାସ୍ତ୍ର’ (‘ଇକନୋମିକ୍‌ସ’) ରଖିବା ପାଇଁ ନିଷ୍ପତ୍ତି ନେବାର କାରଣ ଏହା ଥିଲା ବୋଲି ତାଙ୍କର ସେଇ କିମ୍ବଦନ୍ତି ପାଲଟିଥିବା ପୁସ୍ତକରେ ଏହିପରି ଉଲ୍ଲେଖ କରିଛନ୍ତି: ‘‘ଏହା ଅନେକ ରାଜନୈତିକ ପ୍ରସଙ୍ଗକୁ ବର୍ଜନ କରିଥାଏ, ଯାହାକୁ ବାସ୍ତବରେ ମନୁଷ୍ୟ ଉପେକ୍ଷା କରିବା ସମ୍ଭବ ହୋଇ ନ ଥାଏ…।’’ ଅର୍ଥାତ୍, ଏହାକୁ ସମ୍ପ୍ରସାରିତ କରି କୁହାଯାଇପାରେ ଯେ ଦେଶର ଅର୍ଥନୈତିକ ସ୍ବାର୍ଥ ସାଧନ ପଥରେ ରାଜନୀତି ପ୍ରତିବନ୍ଧ ହେବା ଉଚିତ ନୁହେଁ।
ବ୍ରିଟେନ୍‌ର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍‌ସନ୍‌ଙ୍କର ସଦ୍ୟସମାପ୍ତ ଦୁଇଦିନିଆ ଭାରତ ଗସ୍ତ ଉପରେ ଏକ ପଶ୍ଚାତ୍ ଦୃଷ୍ଟି ନିକ୍ଷେପ କଲେ ଯେଉଁ ଧାରଣା ଆମ ମନରେ ଦୃଢ଼ୀଭୂତ ହୋଇଥାଏ, ତାହା ହେଲା, ଇଂରେଜ୍‌ମାନଙ୍କ ସମ୍ବନ୍ଧରେ ଯେଉଁ ଧାରଣା ଡିଫୋ ଓ ମାର୍ଶାଲ୍‌ଙ୍କ ରଚନାରୁ ସୃଷ୍ଟି ହୋଇଥାଏ, ତାହା ଏବେ ମଧ୍ୟ ସେହିପରି ବଳବତ୍ତର ହୋଇ ରହିଛି। ଡିଫୋଙ୍କ ସମୟର ଇଂରେଜ୍‌ମାନେ ରାଷ୍ଟ୍ରୀୟ ସ୍ବାର୍ଥ ପାଇଁ ଯେଉଁଭଳି ହଲାଣ୍ଡ୍ ବା ଜର୍ମାନୀ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ଆଗେଇ ଆସିଥିଲେ, ବୋରିସ୍ ଜନ୍‌ସନ୍ ସେହିପରି ନିଜର ପରିବାର ଭଳି ହୋଇଥିବା ‘ୟୁରୋପିଆନ୍ ୟୁନିଅନ୍‌’କୁ ତ୍ୟାଗ କରି ସୁଦୂର ଭାରତ ସହିତ ବନ୍ଧୁତା କରିବାକୁ ଆଗେଇ ଆସିଛନ୍ତି। ବ୍ରିଟେନ୍‌ର ଅର୍ଥନୈତିକ ସ୍ବାର୍ଥ ସାଧନ ହେଉଛି ତାଙ୍କର ଏହି ପଦକ୍ଷେପ ଗ୍ରହଣର କାରଣ; ଆଉ ଏଥିପାଇଁ ସେ ଯେଉଁ ଏକ ଗୁରୁତ୍ବପୂର୍ଣ୍ଣ ସାମ୍ପ୍ରତିକ ରାଜନୈତିକ ପ୍ରସଙ୍ଗକୁ ମାର୍ଶାଲୀୟ ଶୈଳୀରେ ଉପେକ୍ଷା କରି ଅନେକ ପର୍ଯ୍ୟବେକ୍ଷକଙ୍କୁ ଆଶ୍ଚର୍ଯ୍ୟ ତଥା ହତାଶ କରି ଦେଇଛନ୍ତି, ତାହା ହେଲା ରୁଷିଆର ୟୁକ୍ରେନ୍ ଆକ୍ରମଣ। ନିର୍ଦ୍ଦି‌ଷ୍ଟ ଭାବରେ କହିଲେ, ଭାରତ ଆକ୍ରମଣ ପାଇଁ ରୁଷିଆକୁ ପାଶ୍ଚାତ୍ୟ ଶକ୍ତିମାନେ ଆଶା କରୁଥିବା ଭଳି ନିନ୍ଦା କରୁ ନ ଥିଲେ ମଧ୍ୟ ତାହା ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀଙ୍କୁ ଭାରତ ପ୍ରତି ଏହି ସମୟରେ ବିଶେଷ ବନ୍ଧୁତ୍ବ ପ୍ରଦର୍ଶନରୁ ନିବୃତ୍ତ କରିନାହିଁ। ବରଂ ବୋରିସ୍ ଜନ୍‌ସନ୍ ଜଣେ ‘ଶୁଦ୍ଧ-ଜାତ ଇଂରେଜ୍’ ଭଳି ଚତୁର ଭାବରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ମୁହାଁମୁହିଁ ଆଲୋଚନା ସମୟରେ ସେ ପ୍ରସଙ୍ଗ ମୂଳରୁ ଉତ୍‌ଥାପନ ହିଁ କଲେ ନାହିଁ।

ଅପରପକ୍ଷେ ମଇ ୨୦୨୧ରେ ତାଙ୍କର ନରେନ୍ଦ୍ର ମୋଦୀଙ୍କ ସହିତ ଯେଉଁ ଭର୍ଚୁଆଲ୍ ଶୀର୍ଷ ସମ୍ମିିଳନୀ ଅନୁଷ୍ଠିତ ହୋଇଥିଲା, ଉଭୟଙ୍କ ମଧ୍ୟରେ ବର୍ତ୍ତମାନର କଥାବାର୍ତ୍ତା ସେ ସମୟରେ ସ୍ଥିର କରା ହୋଇଥିବା ମାର୍ଗ ଅନୁସରଣ କରିଥିଲା। ସେ ସମୟରେ ଉଭୟ ନେତା ବାଣିଜ୍ୟ, ନିବେଶ, ପ୍ରତିରକ୍ଷା ଓ ନିରାପତ୍ତା, ସ୍ବାସ୍ଥ୍ୟ, ଜଳବାୟୁ ପରିବର୍ତ୍ତନ, ଏବଂ ଲୋକ-ଲୋକ ମଧ୍ୟରେ ପାରସ୍ପରିକ ସମ୍ପର୍କ କ୍ଷେତ୍ରରେ ସାମଗ୍ରିକ ଉନ୍ନତି ନିମିତ୍ତ ଏକ ଦିଗଦର୍ଶକ ନକ୍‌ସା ପ୍ରସ୍ତୁତ କରିଥିଲେ ଯେଉଁଥିରେ ୨୦୩୦କୁ ଲକ୍ଷ୍ୟ ପୂରଣ ବର୍ଷ ରୂପେ ଗ୍ରହଣ କରାଯାଇଥିଲା। ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ଦ୍ବିଗୁଣିତ କରିବା ପାଇଁ ସେମାନଙ୍କ ମଧ୍ୟରେ ଏକ ଅବାଧ ବାଣିଜ୍ୟ ଚୁକ୍ତି ସମ୍ପନ୍ନ କରିବା ନିମିତ୍ତ ସେମାନେ ସେତେବେଳେ ଏକମତ ହୋଇଥିଲେ। ବର୍ତ୍ତମାନର ସଶରୀରୀ ବୈଠକରେ ମୋଦୀ ଓ ଜନ୍‌ସନ୍ ସେଇ ଅଶରୀରୀ ବୈଠକରେ ସ୍ଥିରୀକୃତ ହୋଇଥିବା ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଗତି ସନ୍ତୋଷଜନକ ହୋଇଛି ବୋଲି ଏକମତ ହୋଇଥିଲେ।

ଅବାଧ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ) ସମ୍ବନ୍ଧିତ କଥାବାର୍ତ୍ତା ଆସନ୍ତା ଜାନୁଆରିରେ ଆରମ୍ଭ ହୋଇ ଅକ୍ଟୋବର ମଧ୍ୟରେ ଚୂଡ଼ାନ୍ତ ହେବ ବୋଲି ଧାର୍ଯ୍ୟ କରାଯାଇଥିବା ଖସଡ଼ା ସମ୍ବନ୍ଧରେ ଉଭୟ ସନ୍ତୋଷ ପ୍ରକାଶ କରିଥିଲେ। ପ୍ରତିରକ୍ଷା କ୍ଷେତ୍ରରେ ରପ୍ତାନି ଲାଇସେନ୍‌ସ ବ୍ୟବସ୍ଥାକୁ ସରଳୀକୃତ କରି ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି କରି ଆଧୁନିକ ଲଢ଼ୁଆ ବିମାନ ନିର୍ମାଣ ଏବଂ ଉନ୍ନତ ଜେଟ୍ ଇଞ୍ଜିନ୍ ନିର୍ମାଣକୁ ତ୍ବରାନ୍ବିତ କରାଯିବ ବୋଲି ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଦୃଢ଼ ସୂଚନା ପ୍ରଦାନ କରିଥିଲେ। ଜଳବାୟୁ ସମ୍ପର୍କିତ ପ୍ରକଳ୍ପମାନଙ୍କରେ ବ୍ରିଟେନ୍ ଭାରତରେ ୧ ବିଲିଅନ୍ ଡଲାର୍ ନିବେଶ କରିବାକୁ ଯାଉଛି ବୋଲି ମଧ୍ୟ ଜନ୍‌ସନ୍ ସୂଚନା ଦେଇଥିଲେ। ଭାରତରେ ଜଳବାୟୁ ସମ୍ପର୍କିତ ଯେଉଁ ଦକ୍ଷ ପ୍ରବିଧି ଉଦ୍ଭାବିତ ହେବ, ତାହାକୁ ତୃତୀୟ ଦେଶକୁ ମଧ୍ୟ ହସ୍ତାନ୍ତରିତ କରିବାରେ ସହାୟକ ହେବା ପାଇଁ ଉଭୟ ଭାରତ ଓ ବ୍ରିଟେନ୍ ମିଳିତ ଭାବରେ ପ୍ରାୟ ୧୦୦ ନିୟୁତ ଡଲାର୍ ନିବେଶ କରିବେ ବୋଲି ଜନ୍‌ସନ୍ ଓ ମୋଦୀ ଘୋଷଣା କରିଛନ୍ତି- ଅର୍ଥାତ୍ ଉଭୟ ଦେଶ ମଧ୍ୟରେ ବନ୍ଧୁତା ସାରା ବିଶ୍ବର ମଙ୍ଗଳ ସାଧନ କରିବାକୁ ମଧ୍ୟ ଉଦ୍ଦିଷ୍ଟ ବୋଲି ସେମାନେ ଦର୍ଶାଇବାକୁ ଚେଷ୍ଟା କରିଥିଲେ।

ବ୍ରିଟେନ୍ ଭାରତ ଛାଡ଼ି ଚାଲିଯିବା ପରେ ଏକ ଶତାବ୍ଦୀର ତିନି-ଚତୁର୍ଥାଂଶ ଅତିକ୍ରାନ୍ତ ହୋଇ ସାରିଲାଣି। ଉଭୟ ଦେଶ ମଧ୍ୟରେ ଥିବା ସୁଦୀର୍ଘ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ, ବ୍ରିଟେନ୍‌ର ରାଜନୀତିରୁ ଆରମ୍ଭ କରି ବ୍ୟବସାୟ ବାଣିଜ୍ୟ ପର୍ଯ୍ୟନ୍ତ ଭାରତୀୟମାନଙ୍କର ସୁଦୃଢ଼ ଓ ବ୍ୟାପକ ଉପସ୍ଥିତି ସତ୍ତ୍ବେ (ଏପରିକି ଏବେ ବ୍ରିଟେନ୍‌ର ଅର୍ଥମନ୍ତ୍ରୀ ଥିବା ଭାରତୀୟ ମୂଳର ଋଷି ସୁନାକ୍ ଜନ୍‌ସନ୍‌ଙ୍କ ସ୍ଥାନରେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ହେବା ଆସନ୍ନ ବୋଲି ବ୍ରିଟିସ୍ ଗଣମାଧ୍ୟମରେ ନିକଟରେ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା) ଏବଂ ବ୍ରିଟେନ୍‌ରେ ପ୍ରାୟ ୧.୬୦ ନିୟୁତ ପ୍ରବାସୀ ଭାରତୀୟ ବସବାସ କରୁଥିଲେ ହେଁ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ କାରବାରରେ ଏ ପର୍ଯ୍ୟନ୍ତ ଦେଖାଯାଇଥିବା ସ୍ଥାଣୁତ୍ବ ଏହାର ଆଦୌ ଏକ ପ୍ରତିଫଳନ ନ ଥିଲା। ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟର ପରିମାଣ ହାରାହାରି ପ୍ରାୟ ୧୪-୧୫ ବିଲିଅନ୍ ଡଲାର୍‌ରେ ଅଟକି ରହିଛି, ଯେଉଁଥିରେ ଅବଶ୍ୟ ଭାରତର ରପ୍ତାନି ପରିମାଣ ଆମଦାନି ଠାରୁ ପ୍ରାୟ ହାରାହାରି ୩ ବିଲିଅନ୍ ଡଲାର୍ ଅଧିକ ହୋଇ ଭାରତ ପାଇଁ ଅନୁକୂଳ ହୋଇଛି। ଯଦି ୨୦୩୦ ମଧ୍ୟରେ ଏହି ବାଣିଜ୍ୟ ଦ୍ବିଗୁଣିତ ହୁଏ, ତେବେ ଏକ ଐତିହାସିକ ବିକୃତିରେ ସଂଶୋଧନ ଘଟିବା ସହିତ ଉଭୟ ଦେଶର ସମୃଦ୍ଧିରେ ସହାୟକ ହେବ। ଜଣେ ‘ଶୁଦ୍ଧ-ଜାତ ଇଂରେଜ୍‌’ଙ୍କର ଭାରତ ଅଭିଯାନ ସଫଳ ହେବ।

ସମ୍ବନ୍ଧିତ ଖବର