କାଳକ୍ରମେ ବିଭିନ୍ନ ବିଦ୍ୟା-ଶାଖା ଉଭୟ ଔପଚାରିକ ଓ ଅନୌପଚାରିକ ଅଧ୍ୟୟନ ଓ ଅଧ୍ୟାପନାର ଉପାଦାନ ପାଲଟି ଆସିଛି। କିନ୍ତୁ ଶିକ୍ଷାର ପ୍ରସାର ଏବଂ ଜ୍ଞାନର ବିସ୍ଫୋରଣ ଯୋଗୁଁ ବିଦ୍ୟା-ଶାଖାଗୁଡ଼ିକର ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଏହି ଯେମିତି ଏକଦା ‘ପଲିଟିକାଲ ଇକନମି’ ବିଷୟଟି ଅଧୁନା ରାଜନୀତି ବିଜ୍ଞାନ, ଲୋକ ପ୍ରଶାସନ, ଆନ୍ତର୍ଜାତିକ ବ୍ୟାପାର ଆଦି ନୂଆ ବିଷୟକୁ ଜନ୍ମ ଦେଇଥିବାବେଳେ ଇତିହାସର ଜରାୟୁରୁ ପ୍ରତ୍ନତତ୍ତ୍ୱ, ସଂଗ୍ରହତତ୍ତ୍ୱ ଏବଂ ଅଭିଲେଖ ଅଧ୍ୟୟନ ଆଦି ବିଷୟର ସୃଷ୍ଟି। ଏ କ୍ଷେତ୍ରରେ ବିଜ୍ଞାନ ଓ ବାଣିଜ୍ୟ ସ୍ରୋତଭୁକ୍ତ ଶାଖାପ୍ରଶାଖା କଥା ନ କହିବା ଭଲ। ପ୍ରାୟ ଦୈନନ୍ଦିନ ସେହି କ୍ଷେତ୍ରରେ ନୂତନ ବିଦ୍ୟା-ଶାଖା ଉନ୍ମୋଚିତ ହେଉଛି। ତେବେ ଏହି ସବୁ ନୂତନ ବା ପୁରାତନ ବିଦ୍ୟା-ଶାଖା ଦେଶକାଳ ନିରପେକ୍ଷ। କିନ୍ତୁ ଏହାର ବ୍ୟତିକ୍ରମ ‘ଭାରତତତ୍ତ୍ୱ’ ବା ‘ଇଣ୍ଡୋଲଜି’, ଯାହା ଭାରତବର୍ଷର ଇତିହାସ, ଐତିହ୍ୟ, ସଂସ୍କୃତି, ସଭ୍ୟତା ତଥା ଜ୍ଞାନ ଓ ବିଜ୍ଞାନ ଉପରେ ପର୍ଯ୍ୟବସିତ ଏକ ସର୍ବଜନାଦୃତ ବିଦ୍ୟା-ଶାଖା।
ଭାରତ ଯେ ପୃଥିବୀର ଏକମାତ୍ର ପ୍ରାଚୀନ ସଭ୍ୟତା ତା’ ନୁହେଁ। ଗ୍ରୀସ୍, ରୋମ୍, ମିଶର, ଚୀନ୍ ଆଦି ଦେଶଗୁଡ଼ିକର ସଂସ୍କୃତି ଓ ସଭ୍ୟତା କେବଳ ସୁପ୍ରାଚୀନ ନୁହେଁ, ସମୃଦ୍ଧ ଓ ଶାଶ୍ୱତ ମଧ୍ୟ। ଏହିସବୁ ଦେଶର ଦର୍ଶନ ଓ ଇତିହାସ ବିଶ୍ୱର ଜ୍ଞାନଭଣ୍ଡାରକୁ ଋଦ୍ଧିମନ୍ତ କରିଛି। କିନ୍ତୁ ଭାରତର ଦୃଷ୍ଟି ଓ ଦର୍ଶନ, ଜ୍ଞାନ ଓ ବିଜ୍ଞାନ ତଥା ତତ୍ତ୍ୱ ଓ ତଥ୍ୟ ଆଧାରରେ ସୃଷ୍ଟ ବିଦ୍ୟା-ଶାଖା ବିଶ୍ୱବ୍ୟାପି ସମାଦୃତ।
ଭାରତତତ୍ତ୍ୱ ଏକ ପୁରାତନ ବିଦ୍ୟା-ବିଭବ। ସ୍ମରଣାତୀତ କାଳରୁ ମୌଳିକତା ଓ ସୃଜନଶୀଳତା ପାଇଁ ଭାରତୀୟ ସଂସ୍କୃତି ବିଶ୍ୱ-ମନୀଷାରେ ଏକ ମହନୀୟ ସ୍ଥାନ ଅଧିକାର କରିଆସିଛି। କିନ୍ତୁ ଏକାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଏହାର ସୁବ୍ୟବସ୍ଥିତ ଅଧ୍ୟୟନ ଓ ଅନୁସନ୍ଧାନ ଆରମ୍ଭ ହୋଇଛି ବୋଲି ବିଦ୍ୱାନମାନଙ୍କ ମତ। ବିଦ୍ୱାନମାନେ ଆହୁରି କହନ୍ତି ଯେ ବହୁଶାସ୍ତ୍ରଦର୍ଶୀ ଆରବ୍ୟ ପଣ୍ଡିତ ଆବୁ ରେହାନ୍ ମହମ୍ମଦ ବିନ୍ ଅହମ୍ମଦ ଆଲ୍ ବିରୁଣୀ ପ୍ରଥମେ ଅତି ଗୁରୁତ୍ୱର ସହିତ ଭାରତ-ବିଦ୍ୟା ଅଧ୍ୟୟନ କରିଥିଲେ। ସେଥିପାଇଁ କେହି ତାଙ୍କୁ ‘ଭାରତତତ୍ତ୍ୱ’ର ପ୍ରଥମ ପ୍ରଚାରକ ବୋଲି କହନ୍ତି ତ ଆଉ କେହି କହନ୍ତି ଯେ ସେ ତୁଳନାତ୍ମକ ଧର୍ମ ଅଧ୍ୟୟନର ପ୍ରତିଷ୍ଠାତା। ୧୦୧୭ ମସିହାରେ ସେ ଭାରତ ଆସିଥିଲେ ଏବଂ ପ୍ରାୟ ଦଶନ୍ଧିଟିଏ ବିତାଇଥିଲେ ଭାରତ ଭୂମିରେ। ତାଙ୍କ ପୁସ୍ତକ ‘ତାରିଖ୍-ଅଲ୍-ହିନ୍ଦ୍’ ବା ଭାରତ ଇତିହାସ ଜ୍ଞାନ, ବିଜ୍ଞାନ, ଦର୍ଶନ, ଧର୍ମ, ଅଧ୍ୟାତ୍ମ୍ୟ ଓ ଭାରତୀୟ ଜୀବନଶୈଳୀ ସମ୍ବନ୍ଧରେ ରଚିତ ଏକ ପ୍ରାମାଣିକ ଗ୍ରନ୍ଥ।
ଆଲ୍ ବିରୁଣୀଙ୍କ ପୂର୍ବରୁ ମଧ୍ୟ ଅନେକ ପରିବ୍ରାଜକ ଭାରତ ଆସିଥିଲେ ଏବଂ ଭାରତ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରେ ମେଘାସ୍ଥିନିସ୍, ଫା-ହିୟାନ୍, ହୁଏନ୍ ସାଙ୍ଗ୍, ଇବନ୍ ବତୁତା, ଟଲେମି, ମାର୍କୋ ପୋଲୋ, ଅଲ୍ ମାସୁଦି ଓ ଅବ୍ ଦୁଲ୍ ରାଜାକ୍ ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ। ସେମାନଙ୍କର ରଚନା ଭାରତ ସମ୍ବନ୍ଧୀୟ ଅନେକ ଜଣାଅଜଣା ତଥ୍ୟର ଗନ୍ତାଘର। କିନ୍ତୁ ବ୍ୟବସ୍ଥିତ ଢଙ୍ଗରେ, ବୈଜ୍ଞାନିକ ପଦ୍ଧତିରେ ତଥା ନିରପେକ୍ଷ ଦୃଷ୍ଟିରେ ଭାରତର ଇତିହାସକୁ ପ୍ରଥମେ ଆଲ୍ ବିରୁଣୀ ଅଧ୍ୟୟନ କରିଥିଲେ ବୋଲି କହାଯାଏ। ତାଙ୍କ ମାଧ୍ୟମରେ ଭାରତତତ୍ତ୍ୱର ଅନେକ ଗୂଢ଼ କଥା ବିଦେଶକୁ ଯାଇଥିଲା ଏବଂ ବିଦେଶୀ ବିଦ୍ୱାନମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।
ଭାରତତତ୍ତ୍ୱର ଅନ୍ୟ ଜଣେ ନିଷ୍ଠାପର ପ୍ରଚାରକ ସାର୍ ୱିଲିଅମ୍ ଜୋନ୍ସ। ସେ ୧୭୮୪ ମସିହାରେ ଏସିଆଟିକ୍ ସୋସାଇଟି ଗଠନ କରିଥିଲେ। ସେହି ସଂସ୍ଥା ମାଧ୍ୟମରେ ପ୍ରାଚ୍ୟ ବିଦ୍ୟା ବିଶେଷତଃ ଭାରତତତ୍ତ୍ୱର ପ୍ରଚାରପ୍ରସାର ଜୋରଦାର କରାଯାଇଥିଲା। ସଂସ୍କୃତ ଭାଷା ଏବଂ ସଂସ୍କୃତ କାବ୍ୟକବିତାକୁ ସାରା ପୃଥିବୀରେ ବ୍ୟାପ୍ତ କରିବାରେ ଏସିଆଟିକ୍ ସୋସାଇଟିର ଥିଲା ପ୍ରମୁଖ ଭୂମିକା। ଅବଶ୍ୟ ତହିଁ ପୂର୍ବରୁ ୧୫୮୦ ମସିହାରେ ବାଦୟୁନ୍ ନାମକ ଜଣେ ମୌଲବୀ ରାମାୟଣର ପାର୍ସୀ ଅନୁବାଦ କରିଥିଲେ। ଆଉରଙ୍ଗଜେବ୍ ଯେତେବେଳେ ମୋଗଲ ସମ୍ରାଟ ଆସନରେ ଅଳଙ୍କୃତ ହେବା ପାଇଁ ଷଡ଼୍ଯନ୍ତ୍ରରତ ଥିଲେ, ସେତେବେଳେ ତାଙ୍କ ବଡ଼ ଭାଇ ଦାରା ଉପନିଷଦ୍ର ପାର୍ସୀ ଅନୁବାଦ କରୁଥିଲେ। କିନ୍ତୁ ଏସିଆଟିକ୍ ସୋସାଇଟି ମାଧ୍ୟମରେ ସଂସ୍କୃତରୁ ଅନୁବାଦ କାର୍ଯ୍ୟ ବ୍ୟବସ୍ଥିତ ଢଙ୍ଗରେ କରାଯାଇଥିଲା। ଭାରତ ‘ସଂସ୍କୃତ’ ଓ ‘ସଂସ୍କୃତି’ ପାଇଁ ପୃଥିବୀ ପ୍ରସିଦ୍ଧ। ଯଥାର୍ଥରେ କହାଯାଇଛି, “ଭାରତସ୍ୟ ପ୍ରତିଷ୍ଠେ ଦ୍ୱେ ସଂସ୍କୃତଂ ସଂସ୍କୃତିସ୍ତଥା”। ଜୋନ୍ସଙ୍କ ପରେ ଜର୍ମାନୀରେ ଜନ୍ମିତ ବ୍ରିଟିସ୍ ନାଗରିକ ପ୍ରାଚ୍ୟ ବିଶାରଦ ଫ୍ରେଡ୍ରିକ୍ ମାକ୍ସ ମୁଲାର୍ ଭାରତବିଦ୍ୟା ପ୍ରସାର ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ। ୧୮୮୩ ମସିହାରେ ତାଙ୍କ ରଚିତ ‘ଇଣ୍ଡିଆ: ହ୍ୱାଟ୍ କେନ୍ ଇଟ୍ ଟିଚ୍’ ପୁସ୍ତକକୁ ବିଶ୍ୱ ଗବାକ୍ଷ ବୋଲି କହିଲେ ଅତିଶୟୋକ୍ତି ହେବ ନାହିଁ। ତାଙ୍କ ଦୃଷ୍ଟିରେ ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ଓ ସୌନ୍ଦର୍ଯ୍ୟ ବିମଣ୍ଡିତ ଭାରତ ମର୍ତ୍ତ୍ୟର ଭୂସ୍ୱର୍ଗ। ଭାରତ ସମ୍ପର୍କିତ ତାଙ୍କ ତର୍ଜମା ସମାଲୋଚନାର ଶରବ୍ୟ ହୋଇଥିଲେ ମଧ୍ୟ ଭାରତତତ୍ତ୍ୱର ସଂପ୍ରସାରଣ ଦିଗରେ ତାଙ୍କ ଅବଦାନ ଅତୁଳନୀୟ। ଏ. ଏଲ୍. ବାସମ୍ ୧୯୫୪ ମସିହାରେ ‘ୱଣ୍ଡର୍ ଦାଟ୍ ୱାଜ୍ ଇଣ୍ଡିଆ’ ଲେଖି ବିଶ୍ୱକୁ ଚମତ୍କୃତ କରିଛନ୍ତି। ଏହି ବିଦେଶୀ ବିଦ୍ୱାନମାନଙ୍କ ବ୍ୟତୀତ ସ୍ୱାମୀ ବିବେକାନନ୍ଦ, ଯୋଗୀ ଅରବିନ୍ଦ, ମହାତ୍ମା ଗାନ୍ଧୀ, ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଓ ଅନ୍ୟ ଅନେକଙ୍କ ମୌଳିକ ଚିନ୍ତାଚେତନା ଭାରତତତ୍ତ୍ୱକୁ ପୁଷ୍କଳ କରିଛି। ତେବେ ବୌଦ୍ଧ ଧର୍ମର ପ୍ରଚାରକମାନଙ୍କ ମାଧ୍ୟମରେ ପ୍ରଥମେ ଭାରତତତ୍ତ୍ୱ ପୃଥିବୀର ବିଭିନ୍ନ ଦେଶକୁ ପ୍ରସାରିତ ହୋଇଥିଲା। ପ୍ରସାରିତ ହୋଇଥିଲା ପୁଣି ପୂର୍ବ ଓ ଦକ୍ଷିଣ ଭାରତର ସାଗର-ବିଳାସୀ ବଣିକମାନଙ୍କ ଦ୍ୱାରା।
ଶୂନ୍ୟର ସ୍ଥାନ ନିରୂପଣ ଠାରୁ ମାଧ୍ୟାକର୍ଷଣ ଶକ୍ତିର ପ୍ରାରମ୍ଭିକ ସୂଚନା ପର୍ଯ୍ୟନ୍ତ; ମହାକାଶ ବିଜ୍ଞାନ, ଅସ୍ତ୍ରୋପଚାର, ଗଣତନ୍ତ୍ର, ଗଣରାଜ୍ୟ ଠାରୁ ନିର୍ମାଣ କୌଶଳ, ନୌବାଣିଜ୍ୟ, ସମର ଓ ପ୍ରସ୍ତର କଳା ପର୍ଯ୍ୟନ୍ତ; ପୁଣି ଜୀବପରମାଦି ଭାବବାଦ ଠାରୁ ଚାର୍ବାକୀୟ ବସ୍ତୁବାଦ ତଥା କାବ୍ୟ, କାହାଣୀ ଠାରୁ କ୍ରୀଡ଼ାକୌତୁକ ପର୍ଯ୍ୟନ୍ତ ଭାରତତତ୍ତ୍ୱର ବିବିଧତା ଓ ବିପୁଳତାର ପଟାନ୍ତର ନାହିଁ। ପୁନଶ୍ଚ ଭାରତତତ୍ତ୍ୱର ସାରାଂଶ ଓ ସନ୍ଦେଶ ସ୍ପଷ୍ଟ: ଧର୍ମ, ଉପାସନାର ପନ୍ଥା ନୁହେଁ ଆଧ୍ୟାତ୍ମିକ ଉତ୍ତରଣର ଅବଲମ୍ବନ; ବିଜ୍ଞାନ, ଭୌତିକ ସୁଖର ସାଧନ ନୁହେଁ, ଅଭେଦ୍ୟକୁ ଭେଦ କରିବାର ସୂକ୍ଷ୍ମଦୃଷ୍ଟି ଏବଂ ପୃଥିବୀ, ଜାତି-ଜାତୀୟତାରେ ବହୁଧାବିଭକ୍ତ ଏକ ଭୂଗୋଳ ନୁହେଁ, ପ୍ରେମରେ ନିବିଡ଼ ଏକ ନୀଡ଼। ସେଥିପାଇଁ ସିନା ଭାରତତତ୍ତ୍ୱ ବ୍ୟତୀତ ଅନ୍ୟ କୌଣସି ଦେଶ ଭିତ୍ତିରେ କାଁ ଭାଁ ବିକଶିତ ବିଦ୍ୟା-ଶାଖାଟିଏ ଏଯାବତ୍ ବିଶ୍ୱଜନୀନ ହୋଇପାରିନାହିଁ!
ମୋ: ୯୪୩୭୧୪୩୮୯୬
ବହୁବଚନ: ଭାରତତତ୍ତ୍ୱର ତାତ୍ପର୍ଯ୍ୟ
ବିଜୟ ନାୟକ
/sambad/media/post_attachments/wp-content/uploads/2023/11/sffsfhfshfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)