‘ଜାମା ନେଟ୍‌ଵର୍କ’ ନାମକ ଜର୍ଣ୍ଣାଲ୍‌ରେ ପ୍ରକାଶିତ ଏକ ଅନ୍ତର୍ଜାତୀୟ ଅଧ୍ୟୟନରୁ ଜଣାପଡ଼ିଛି ଯେ ପୁରୁଷ ଶଲ୍ୟ ଚିକିତ୍ସକଙ୍କ ତୁଳନାରେ ମହିଳା ଶଲ୍ୟ ଚିକିତ୍ସକମାନେ ରୋଗୀଙ୍କ ଚିକିତ୍ସାରେ ଅଧିକ ଭଲ ଫଳ ପ୍ରଦର୍ଶନ କରିଥାନ୍ତି। ଯୁକ୍ତରାଷ୍ଟ୍ର ଆମେରିକା, କାନାଡା ଓ ସ୍ବିଡେନ୍‌ର ଦଶ ଲକ୍ଷରୁ ଅଧିକ ରୋଗୀଙ୍କ ତଥ୍ୟ ବିଶ୍ଳେଷଣ ପରେ ଏହି ନିଷ୍କର୍ଷ ମିଳିଛି। ୨୦୦୭ରୁ ୨୦୧୭ ମଧ୍ୟରେ ଏ ସମସ୍ତ ରୋଗୀଙ୍କ ଉପରେ ବିଭିନ୍ନ ପ୍ରକାର ଶଲ୍ୟ ଚିକିତ୍ସା କରାଯାଇଥିଲା। ସେଥିରୁ ସ୍ପଷ୍ଟ ହୋଇଛି ଯେ ମହିଳା ଶଲ୍ୟ ଚିକିତ୍ସକଙ୍କ ଦ୍ବାରା ଅସ୍ତ୍ରୋପଚାର କରାଇଥିବା ରୋଗୀମାନେ ଅଧିକ ସଂଖ୍ୟାରେ ସୁସ୍ଥ ହୋଇଥିଲେ, ହସ୍‌ପିଟାଲ୍‌ରେ ପୁନର୍ବାର ଭର୍ତ୍ତି ହେବା ସଂଖ୍ୟା ମଧ୍ୟ ତୁଳନାତ୍ମକ ଭାବେ କମ୍ ହୋଇଥିଲା ବା କମ୍‌ ସଂଖ୍ୟାରେ ମୃତ୍ୟୁ ବରଣ କରିଥିଲେ।
ସ୍ବିଡେନ୍‌ରେ ୧୩ ବର୍ଷର ‘ଗଲ୍‌ ବ୍ଲାଡର୍‌’ ବା ‘ପିତ୍ତ କୋଷ’ ଅସ୍ତ୍ରୋପଚାରର ପରିଣାମ ଉପରେ ଅଧ୍ୟୟନ କରାଯାଇଥିଲା। ସେଥିରୁ ଜଣାପଡ଼ିଥିଲା ଯେ ମହିଳା ଶଲ୍ୟ ଚିକିତ୍ସକମାନେ ଅସ୍ତ୍ରୋପଚାର ପାଇଁ ଅଧିକ ସମୟ ନେଇ ଭଲ ଭାବେ ଅପରେସନ କରିଥିବା ବେଳେ ପୁରୁଷ ଶଲ୍ୟ ଚିକିତ୍ସକମାନେ ସେମାନଙ୍କ କାମରେ ତ୍ରୁଟି ଦେଖାଇଥିଲେ ଯଦ୍ଦ୍ବାରା ଜଟିଳତା ସୃଷ୍ଟି ହୋଇଥିଲା।
ତେବେ, ଭାରତୀୟ ରୋଗୀମାନେ ଏଭଳି ସ୍ଥିତିର ଲାଭ ପାଇବାର ସମ୍ଭାବନା କମ୍। ଏହାର କାରଣ ହେଲା ‘ଆସୋସିଏସନ୍ ଅଫ୍ ସର୍ଜନ୍‌ସ ଅଫ ଇଣ୍ଡିଆ’ ସଂସ୍ଥାରେ ପାଖାପାଖି ୩୩ ହଜାର ସର୍ଜରି ବିଶେଷଜ୍ଞ ଡାକ୍ତର ସଦସ୍ୟ ଥିବା ବେଳେ ସେଥିରୁ ମାତ୍ର ୩ ହଜାର (୧୦%ରୁ କମ୍) ହେଉଛନ୍ତି ମହିଳା। ଭାରତରେ ଏଭଳି ଅଧ୍ୟୟନ ପାଇଁ ପର୍ଯ୍ୟାପ୍ତ ତଥ୍ୟ ମଧ୍ୟ ନାହିଁ। ଆମେରିକା ଭଳି ଉନ୍ନତ ଦେଶରେ ସ୍ଥିତି ସାମନ୍ୟ ଭଲ। ୨୦୧୭ ମସିହାରେ ‘ଆମେରିକାନ୍ ଆସୋସିଏସନ୍ ଅଫ୍‌ ମେଡିକାଲ୍ କଲେଜେସ୍‌’ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ସେଠାକାର ଶଲ୍ୟ ଚିକିତ୍ସକଙ୍କ ମଧ୍ୟରୁ ଏକ-ଚତୁର୍ଥାଂଶ ହେଉଛନ୍ତି ମହିଳା। ପୃଥିବୀର ପ୍ରାୟ ସବୁ ଦେଶରେ ଶଲ୍ୟ ଚିକିତ୍ସା କ୍ଷେତ୍ରଟି ପୁରୁଷ ପ୍ରଧାନ। ଜଣା ପଡ଼ିଛି ଯେ କେବଳ ଶିଶୁ ଓ ସ୍ତ୍ରୀ-ରୋଗ ବିଭାଗରେ ମହିଳାମାନଙ୍କ ସଂଖ୍ୟା ପୁରୁଷଙ୍କ ଠାରୁ ଅଧିକ। ଆୟରଲାଣ୍ଡ୍‌ ସ୍ଥିତ ରୟାଲ୍‌ କଲେଜ୍‌ ଅଫ୍‌ ସର୍ଜନ୍‌ସର ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ମହିଳା ଡାକ୍ତରୀ ଛାତ୍ରମାନେ ଶିକ୍ଷା ଓ ତାଲିମ ପାଇବା ବେଳେ ଅସ୍ତ୍ରୋପଚାର କରିବା ନେଇ ଟିକିଏ ଅଧିକ ଭୟଭୀତ ହୋଇ ପଡ଼ନ୍ତି। କିନ୍ତୁ ଯେଉଁମାନେ ଏହାକୁ ପେସା ଭାବେ ଗ୍ରହଣ କରନ୍ତି ସେମାନେ ଭଲ ଶଲ୍ୟ ଚିକିତ୍ସକ ହେବାର ସମ୍ଭାବନା ଅଧିକ ଥାଏ।