ମନେକର ଦୈବୀ ଶକ୍ତି ଅଧିକାରୀ କେହି ଜଣେ ଯାତ୍ରୀ ସଶରୀରେ ସୂର୍ଯ୍ୟଙ୍କର କେନ୍ଦ୍ର ସ୍ଥଳୀରେ ପ୍ରବେଶ କଲା। ସେଠାରେ ସେ ତା’ର ଚତୁର୍ଦ୍ଦିଗର ପରିବେଶର ତାପମାତ୍ରା ଯଦି ମାପି ବସେ ତା’ହେଲେ ଆବିଷ୍କାର କରିବ ଯେ ତାହାର ତୀବ୍ରତା ହୃଦୟଙ୍ଗମ କରିବା କ୍ଷମତାର ସେ ଅଧିକାରୀ ନୁହେଁ- ପ୍ରାୟ ୧୬ ନିୟୁତ ଡିଗ୍ରୀ ସେଲ୍ସିଅସ୍। ସେ ମଧୢ ତା’ର ଚତୁର୍ଦ୍ଦିଗରେ ଭରି ହୋଇ ରହିଥିବା ଦେଖିବାକୁ ପାଇବ ଉଦ୍ଯାନ ଅଣୁମାନଙ୍କର ଲଙ୍ଗଳା କେନ୍ଦ୍ର ବା ନିଉକ୍ଲିଅସ୍ମାନଙ୍କୁ। ଏହି ନିଉକ୍ଲିଅସ୍ମାନଙ୍କୁ ଘେରି ରହିଥିବା ଇଲେକ୍ଟ୍ରନ୍ମାନ ସର୍ବବ୍ୟାପୀ ପ୍ରଚଣ୍ତ ଶକ୍ତିର ଚାପରେ ନିଉକ୍ଲିଅସ୍ ଠାରୁ ଅଲଗା ହୋଇ ଏଣେତେଣେ ବୁଲୁଛନ୍ତି।
ସ˚ସାରର କ୍ଷୁଦ୍ରତମ ଅଣୁ ଉଦ୍ଜାନ ଅଣୁର ଏହି ଲଙ୍ଗଳା ନିଉକ୍ଲିଅସ୍ମାନେ କିନ୍ତୁ ସୂର୍ଯ୍ୟଙ୍କ ଗର୍ଭ ଦେଶରେ ଅଧିକ ସମୟ ଏକଲା ରହିବାର ସ୍ବାଧୀନତା ଉପଭୋଗ କରିପାରିନଥାନ୍ତି। ସୂର୍ଯ୍ୟଙ୍କ କେନ୍ଦ୍ରାଞ୍ଚଳରେ ତାଙ୍କ ନିଜ ଶରୀରର ପ୍ରଚଣ୍ତ ମାଧୢାକର୍ଷଣ ଚାପର ପ୍ରଭାବରେ ଏକାଧିକ କ୍ଷୁଦ୍ର ଲଙ୍ଗଳା ନିଉକ୍ଲିଅସ୍ ଯୋଡ଼ି ହୋଇଯାଇ ବଡ଼ ବଡ଼ ଆଣବିକ ନିଉକ୍ଲିଅସ୍ରେ ପରିଣତ ହୋଇଯାଆନ୍ତି, ଯାହାକୁ କୁହାଯାଇଥାଏ ‘ଥର୍ମୋନିଉକ୍ଲିଆର୍ ଫିଉଜନ୍ ରିଆକ୍ସନ୍’। ଏଭଳି ଆଣବିକ ରିଆକ୍ସନ ଘଟିବା ପାଇଁ ଯେଉଁଭଳି ଅତିକାୟ ମାଧୢାକର୍ଷଣ ଚାପ ଆବଶ୍ୟକ ହୋଇଥାଏ, ତାହା ପୃଥିବୀ କିମ୍ବା ଅନ୍ୟ କୌଣସି ଗ୍ରହରେ ସୃଷ୍ଟି ହୋଇପାରିନଥାଏ; କେବଳ ସୂର୍ଯ୍ୟ ବା ଅନ୍ୟ ତାରାମାନଙ୍କ ପରି ବିଶାଳକାୟ ମହାଶୂନ୍ୟବାସୀ ପିଣ୍ତମାନଙ୍କରେ ସେପରି ଚାପ ଅନୁଭୂତ ହୋଇଥାଏ। ଏହାହିଁ ହେଉଛି ବସ୍ତୁତଃ ତାରା ଓ ଗ୍ରହମାନଙ୍କ ମଧୢରେ ମୌଳିକ ପାର୍ଥକ୍ୟ। ପ୍ରତ୍ୟେକ ତାରା ହେଉଛି ଏକ ବିଶାଳ ଥର୍ମୋନିଉକ୍ଲିଆର୍ ଶକ୍ତି କେନ୍ଦ୍ର।
‘ଥର୍ମୋନିଉକ୍ଲିଆର୍ ଫିଉଜନ୍ ରିଆକ୍ସନ୍’ର ଏକ ଆଶ୍ଚର୍ଯ୍ୟଜନକ ଦିଗ ହେଉଛି ଏହା ଯେ ଏହା ଘଟିବା ପାଇଁ ଯେତିକି ପରିମାଣର ଶକ୍ତି ଆବଶ୍ୟକ କରିଥାଏ (ସମଗ୍ର ତାରାର ମାଧୢାକର୍ଷଣ ଚାପ ଶକ୍ତି), ତା’ପରେ ଏଥିରୁ ତା’ଠାରୁ ଅଧିକ ପରିମାଣର ଶକ୍ତି ନିର୍ଗତ ହୋଇଥାଏ। ଏହାର କାରଣ ହେଲା, ଯେତେବେଳେ ଦୁଇଟି ଛୋଟିଆ ଆଣବିକ ନିଉକ୍ଲିଅସ୍ ଯୋଡ଼ି ହୋଇ ଗୋଟିଏ ନିଉକ୍ଲିଅସ୍ରେ ପରିଣତ ହୋଇଯାଆନ୍ତି, ସେତେବେଳେ ନୂତନ ବୃହତ୍ତର ନିଉକ୍ଲିଅସ୍ର ‘ମାସ୍’ ବା ଆକାର ପୂର୍ବର ଦୁଇ ନିଉକ୍ଲିସର ମିଳିତ ‘ମାସ୍’ ଠାରୁ କମ୍ ହୋଇଥାଏ (ସତେ ଯେମିତି ୨+୨=୩)। ଫିଉଜନ୍ ରିଆକ୍ସନ୍ ଯୋଗୁଁ ଉଭାନ୍ ହୋଇ ଯାଉଥିବା ଏହି ‘ମାସ୍’ ଯାଏ କୁଆଡ଼େ? ଏହା ଶକ୍ତିରେ ରୂପାନ୍ତରିତ ହୋଇଯାଇଥାଏ। ଆଉ ଏହି ରୂପାନ୍ତର ଯେଉଁ ନିୟମକୁ ଅନୁସରଣ କରିଥାଏ, ତାହା ହେଉଛି ଆଇନ୍ଷ୍ଟାଇନ୍ଙ୍କର ସୁପରିଚିତ ‘ସ୍ପେସାଲ୍ ରିଲେଟିଭିଟି ସମୀକରଣ’ (E=mc2)। ଏହା ଅନୁସାରେ ହଜିଯାଇଥିବା ମାସ୍କୁ ଆଲୋକର ବେଗର ବର୍ଗଫଳ ସହିତ ଗୁଣିଲେ ଯେଉଁ ମୂଲ୍ୟ ମିଳେ, ତାହା ହିଁ ହେଉଛି ‘ମାସ୍’ ରୂପାନ୍ତରିତ ହୋଇ ପରିଣତ ହୋଇଥିବା ଶକ୍ତିର ମୂଲ୍ୟ। ଆଲୋକର ବେଗ ହେଉଛି ପ୍ରତି ସେକେଣ୍ତରେ ୩,୦୦,୦୦୦ କିମି। ଏଥିରୁ ସହଜରେ ଅନୁମେୟ ଏକ ‘ଥର୍ମୋନିଉକ୍ଲିଆର୍ ଫିଉଜନ୍ ରିଆକ୍ସନ୍’ରୁ କେଉଁଭଳି ଅସୀମ ଶକ୍ତି ନିର୍ଗତ ହୋଇପାରେ।
ସୂର୍ଯ୍ୟଙ୍କ ଅଭ୍ୟନ୍ତରରେ ପ୍ରତି ସେକେଣ୍ତରେ ଅସ˚ଖ୍ୟ ଅଣୁ ଯୋଡ଼ି ହେବାରେ ଲାଗିଥିବାରୁ ଯେଉଁ ପ୍ରଚଣ୍ତ ଶକ୍ତି ସୃଷ୍ଟି ହୁଏ, ତାହା ଠେଲି ହୋଇ ମହାକାଶକୁ ବାହାରି ଯିବାକୁ ଚେଷ୍ଟା କଲା ବେଳକୁ ସୂର୍ଯ୍ୟଙ୍କ ବିଶାଳ ମାଧୢାକର୍ଷଣ ତାକୁ ଭିଡ଼ି ଧରି ଥାଏ, ଯାହା ଫଳରେ ସୂର୍ଯ୍ୟଙ୍କ ଆକାର ସ୍ଥିର ହୋଇ ରହିଥାଏ। ‘ନିଉକ୍ଲିଆର୍ ଫିଉଜନ୍’ରୁ ନିର୍ଗତ ହେଉଥିବା ପ୍ରଚଣ୍ତ ଆଲୋକ, ଉତ୍ତାପ ଓ କଣିକାମାନ ସମୀପବର୍ତ୍ତୀ ଅଞ୍ଚଳକୁ ଏକ ଚକ୍ଚକ୍ କରୁଥିବା ନିଉକ୍ଲିଅସ୍ ଓ ଇଲେକ୍ଟ୍ରନ୍ମାନଙ୍କର ଉତ୍ତପ୍ତ ଘାଣ୍ଟରେ ପରିଣତ କରି ଦିଅନ୍ତି ଯାହାର ନାମ ହେଉଛି ‘ପ୍ଲାଜ୍ମା’। ସୂର୍ଯ୍ୟ ହେଉଛନ୍ତି ଆକାଶର ଅନ୍ୟ ସମସ୍ତ ତାରାମାନଙ୍କ ଭଳି ଏହି ଜାଜ୍ବଲ୍ୟମାନ ପ୍ଲାଜ୍ମାର ଏକ ବିଶାଳ ପେଣ୍ତୁ। ତାରାମାନଙ୍କରେ ଘଟି ଚାଲିଥିବା ପ୍ରାକୃତିକ ‘ଥର୍ମୋନିଉକ୍ଲିଆର୍ ଫିଉଜନ୍ ରିଆକ୍ସନ୍’ ଭଳି ଗ୍ରହମାନଙ୍କରେ ଘଟି ପାରୁନଥିଲେ ମଧୢ ପୃଥିବୀ ନାମକ ଗ୍ରହରେ ବୈଜ୍ଞାନିକମାନେ ପ୍ରଥମେ ଅଣୁର ବିଭାଜନ କରି ବିପୁଳ ଶକ୍ତି ଓ ଆଣବିକ ବୋମା ଉତ୍ପାଦନ କରିବାରେ ସଫଳ ହେବା ପରେ ସୂର୍ଯ୍ୟଙ୍କୁ ଅନୁକରଣ କରି ଗବେଷଣାଗାରରେ ଆଣବିକ ସ˚ଯୋଜନ ଘଟାଇ ଅମିତ ଶକ୍ତି ଉତ୍ପାଦନ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଫ୍ୟୁଜନ ଶକ୍ତି କେବଳ ଅସୀମ ନୁହେଁ, ଏହା ମଧୢ ଅପେକ୍ଷାକୃତ ଶସ୍ତା ଓ ସମ୍ପୂର୍ଣ୍ଣ ରୂପେ ପ୍ରଦୂଷଣହୀନ ହୋଇଥିବାରୁ ଶକ୍ତି ଉତ୍ପାଦନ ଶିଳ୍ପ ଏ କ୍ଷେତ୍ରରେ ସଫଳତାକୁ ଉତ୍ସୁକତାର ସହିତ ଅପେକ୍ଷା କରି ରହିଛି। ଏହି ସମୟରେ ଚୀନ୍ରୁ ଏକ ଖବର ପ୍ରକାଶ ପାଇ ସମସ୍ତଙ୍କୁ ଚମତ୍କୃତ କରି ଦେଇଛି ଯେ ସେମାନେ କେବଳ ଫ୍ୟୁଜନ୍ ଶକ୍ତି ଉତ୍ପାଦନ କରିବା ଦିଗରେ ଏକ ସଫଳ ପଦକ୍ଷେପ ନେଇଛନ୍ତି, ତାହା ନୁହେଁ, ସେମାନେ ଏହି ଉଦ୍ୟମର ଅ˚ଶ ସ୍ବରୂପ-ଅବାକ୍ ହୁଅନ୍ତୁ ନାହିଁ- ଏକ କୃତ୍ରିମ ସୂର୍ଯ୍ୟ ସୃଷ୍ଟି କରିପାରିଛନ୍ତି।
ଅବଶ୍ୟ ଚୀନ୍ର ଏପରି କୃତ୍ରିମତା ନିଶା ଦେଖି ଆଶ୍ଚର୍ଯ୍ୟ ହେବାର କିଛି ନାହିଁ: ଇଏ ହେଉଛି ସେଇ ଦେଶ ଯିଏ ୨୦୨୨ ସୁଦ୍ଧା ଆକାଶରେ କୃତ୍ରିମ ଉପଗ୍ରହରେ ବିଶାଳ ଦର୍ପଣମାନ ଖଞ୍ଜି ସୂର୍ଯ୍ୟାଲୋକ ପ୍ରତିଫଳିତ କରି ରାତିରେ ସେଠାକାର ଚେଙ୍ଗଡୁ ସହରକୁ ଆଲୋକିତ କରିବାକୁ ଉଦ୍ୟମ ଚଳାଇଛି ଏବ˚ ଅନ୍ତରୀକ୍ଷରେ ସ୍ଥାପିତ ଏହି ଦର୍ପଣମାନଙ୍କୁ ‘କୃତ୍ରିମ ଚନ୍ଦ୍ର’ ରୂପେ ନାମିତ କରିଛି। ଏଇ ଦେଶ ମଧୢ ଦକ୍ଷିଣ ଚୀନ୍ ସାଙ୍ଗରେ ଚଳାଇଥିବା ଜବର ଦଖଲ ଉଦ୍ୟମକୁ ବିଧିବଦ୍ଧ କରିବା ପାଇଁ ସେଠାରେ ବିଭିନ୍ନ ଅଞ୍ଚଳରେ ସମୁଦ୍ର ପୋତି କୃତ୍ରିମ ଦ୍ବୀପମାନ ସୃଷ୍ଟି କରି ଚାଲିଛି। ଦାମିକା ମଟର ଗାଡ଼ିରୁ ଆରମ୍ଭ କରି ଦାମିକା ହ୍ୟାଣ୍ତବ୍ୟାଗ ପର୍ଯ୍ୟନ୍ତ ବିଳାସ ଦ୍ରବ୍ୟମାନଙ୍କୁ ନକଲ କରିବାରେ ଏହି ଦେଶ ମଧୢ ପୃଥିବୀର ନକଲ ବଜାରରେ ଅଗ୍ରଣୀ ସ୍ଥାନ ଦଖଲ କରିଛି। ତେଣୁ ସେମାନଙ୍କର ଏହି ନକଲ କରିବାର ଅତୁଳନୀୟ ଦକ୍ଷତାକୁ ସେମାନେ ସୂର୍ଯ୍ୟଙ୍କୁ ନକଲ କରିବାରେ ନିୟୋଜିତ କରିବାରେ ଅସ୍ବାଭାବିକତା କିଛି ନାହିଁ।
ଏଠାରେ କେବଳ ଯେଉଁ ଗୋଟିଏ ସମ୍ଭାବ୍ୟ ବ୍ୟତିକ୍ରମ ଦେଖାଯାଇପାରେ, ତାହା ହେଲା ଅନ୍ୟ ସମସ୍ତ ନକଲର କ୍ଷତିକାରକ ପ୍ରଭାବ ରହିଥିବା ବେଳେ (ଏପରିକି କୃତ୍ରିମ ଚନ୍ଦ୍ରାଲୋକ ପରିବେଶ ସନ୍ତୁଳନରେ ବିଭ୍ରାଟ ସୃଷ୍ଟି କରିବ ବୋଲି ପରିବେଶ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି), ସୂର୍ଯ୍ୟଙ୍କ ନକଲ ବୋଧହୁଏ କୌଣସି ଅବାଞ୍ଛିତ ପାର୍ଶ୍ବପ୍ରଭାବ ସୃଷ୍ଟି କରିବାର ସମ୍ଭାବନା ଦେଖାଯାଉନାହିଁ। ଗତ ଶୁକ୍ରବାର ଦିନ ଚୀନର ସରକାରୀ ଗଣମାଧୢମରେ ପ୍ରକାଶ ପାଇଛି ଯେ ସେମାନେ ‘କୃତ୍ରିମ ସୂର୍ଯ୍ୟ’ ରୂପେ ନାମିତ କରୁଥିବା ସେଠାକାର ଆଣବିକ ଫିଉଜନ୍ ରିଆକ୍ଟରରେ ସଫଳତାର ସହିତ ଶକ୍ତି ସଞ୍ଚାଳନ କରିଛନ୍ତି। ‘ଏଚ୍ଏଲ୍-୨ଏମ୍ ଟୋକାମାକ୍’ ରିଆକ୍ଟର୍ ନାମରେ ପରିଚିତ ଏହି ପରୀକ୍ଷାମୂଳକ ଆଣବିକ ଫିଉଜନ୍ ଯନ୍ତ୍ର ହେଉଛି ଚୀନ୍ର ସବୁଠାରୁ ଅତ୍ୟାଧୁନିକ ଓ ସବୁଠାରୁ ବିଶାଳ ଆକାରର ଏହି ଧରଣର ରିଆକ୍ଟର। ଏକ ଅତ୍ୟଧିକ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ବ୍ୟବହାର କରି ସେମାନେ ଉତ୍ତପ୍ତ ପ୍ଲାଜମାର ସେଇଭଳି ସ˚ଯୋଜନ ଘଟାଇ ପାରିଛନ୍ତି, ଯେଉଁଭଳି ସୂର୍ଯ୍ୟଙ୍କ ଅଭ୍ୟନ୍ତରରେ ଘଟିଥାଏ। କେବଳ ସେତିକି ନୁହେଁ, ସେମାନେ ଏହି ଆଣବିକ ସ˚ଯୋଜନ ଦ୍ବାରା ଯେଉଁ ଭଳି ଉତ୍ତାପ ସୃଷ୍ଟି କରିପାରିଛନ୍ତି ବୋଲି ଦାବି କରିଛନ୍ତି, ତାହା ସୂର୍ଯ୍ୟଙ୍କୁ ମଧୢ ଫିକା ପକାଇ ଦେବ: ସେମାନେ ରିଆକ୍ଟର୍ ଭିତରେ ୧୫୦ ନିୟୁତ ଡିଗ୍ରୀ ସେଲ୍ସିଅସ୍ର ଉତ୍ତାପ ସୃଷ୍ଟି କରିଛନ୍ତି, ଯାହା ପୂର୍ବରୁ ଉଲ୍ଲେଖ କରାଯାଇଥିବା ଦୈବୀଶକ୍ତି ସମ୍ପନ୍ନ ଯାତ୍ରୀ ଜଣକ ସୂର୍ଯ୍ୟଙ୍କ ଅଭ୍ୟନ୍ତରରେ ସମ୍ମୁଖୀନ ହୋଇଥିବା ତାପମାତ୍ରାର ପ୍ରାୟ ଦଶଗୁଣ।
ଯଦି ଚୀନ୍ର ଦାବି ସତ ହୋଇଥାଏ, ତେବେ କେବଳ ଚୀନ୍ର ନୁହେଁ, ସାରା ମାନବ ସମାଜର ଶକ୍ତି ଆବଶ୍ୟକତା ମେଣ୍ଟାଇବା ଦିଗରେ ଏବ˚ ପରିବେଶ ସୁରକ୍ଷା ଦିଗରେ ତାହା ଏକ ବିଶାଳ ପଦକ୍ଷେପ ହେବ। ଆଉ ପ୍ରାୟ ୫୦୦ କୋଟି ବର୍ଷ ପରେ ଆଣବିକ ଫିଉଜନ ଶକ୍ତିର ମୂଳ ଉତ୍ସ ସୂର୍ଯ୍ୟଙ୍କର ବିଲୟ ଓ ତା’ର ବହୁ ପୂର୍ବରୁ ଆମର ବିଲୟ ଘଟିବା ପୂର୍ବରୁ ଅନ୍ତତଃ ତାଙ୍କର କୌଶଳକୁ କାର୍ଯ୍ୟରେ ଲଗାଇ ଆମେ ତାଙ୍କର ସୃଷ୍ଟି ପୃଥିବୀକୁ ଆଉ ଟିକେ ଅଧିକ ବାସଯୋଗ୍ୟ କରିବାର ସନ୍ତୋଷ ଲାଭ କରିବା।