‘ବୈବାହିକ ବଳାତ୍କାର’ ବା ଇ˚ରେଜୀରେ ‘ମାରିଟାଲ୍ ରେପ୍’ ଭଳି ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗଟି କିଭଳି ଏକ ‘ଧୂମାଭ’ ଇଲାକା, ତାହା ସ୍ପଷ୍ଟ ହୋଇଥାଏ ସ˚ପ୍ରତି ଦିଲ୍ଲୀ ଉଚ୍ଚ ଅଦାଲତ ଦ୍ବାରା ପ୍ରଦତ୍ତ ରାୟରୁ, ଯେଉଁଠି ଦୁଇ ବିଚାରପତି ଏହି ସ˚ଦର୍ଭରେ ପରସ୍ପରର ସ˚ପୂର୍ଣ୍ଣ ବିପରୀତ ମତ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ଭାରତୀୟ ପିଙ୍ଗଳ କୋଡ୍ର ଦଫା ୩୭୫ ଅନୁସାରେ ଧର୍ଷଣ ବା ବଳାତ୍କାର ଲାଗି ଦୁଷ୍କର୍ମକାରୀ ପ୍ରତି ଦଣ୍ତର ପ୍ରାବଧାନ ଥିବା ବେଳେ ବିବାହଜନିତ ଦୈହିକ ସ˚ପର୍କ କ୍ଷେତ୍ରରେ ‘ବଳାତ୍କାରୀ’ ପତିକୁ ତହିଁରୁ ‘ଛାଡ଼’ କରି ଦିଆଯାଇଥାଏ। ଉଲ୍ଲେଖଯୋଗ୍ୟ ଯେ ଏହି ଦଫାରେ ଥିବା ଏଭଳି ପାତରଅନ୍ତରମୂଳକ ବ୍ୟବସ୍ଥା ବିରୋଧରେ ମତ ସୃଷ୍ଟି ହୋଇ ବିଭିନ୍ନ ଅଦାଲତରେ ମାମଲାମାନ ଦାୟର କରାଯାଉଛି, ଯହିଁରୁ ଗୋଟିକରେ ଦିଲ୍ଲୀ ହାଇକୋର୍ଟ୍ ଏଭଳି ଏକ ଦ୍ବିଧା ବିଭାଜିତ ରାୟ ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏହି ଜଟିଳ ସ˚ଦର୍ଭ ଏକ କ୍ଷୁଦ୍ର ଆଲୋଚନା ଆବଶ୍ୟକ କରିଥାଏ।
ଗଲା ବୁଧବାର ଦିନ ପ୍ରଦତ୍ତ ଏହି ରାୟରେ ମାନ୍ୟବର ବିଚାରପତି ରାଜୀବ ସଖଧର ଦଫା ୩୭୫ରେ ରହିଥିବା ଏହି ‘ଛାଡ଼’ର ତୀବ୍ର ବିରୋଧ କରିଥିବା ବେଳେ ଅନ୍ୟ ବିଚାରପତି ସି. ହରିଶଙ୍କର ବିବାହୋତ୍ତର ଶାରୀରିକ ସ˚ପର୍କ ପ୍ରଶ୍ନାତୀତ ଭାବେ ‘ପବିତ୍ର’ ବୋଲି ଆଖ୍ୟା ପ୍ରଦାନ କରି ଏଥିରେ ‘ବଳାତ୍କାର’ ଭଳି ଶବ୍ଦର କୌଣସି ସ୍ଥାନ ନ ଥାଏ ବୋଲି କହିଛନ୍ତି। କହିବା ବାହୁଲ୍ୟ ଯେ ଉଭୟ ବିଚାରପତି ପ୍ରତ୍ୟେକ ପ୍ରାୟ ଦୁଇ ଶହ ପୃଷ୍ଠା ସମ୍ବଳିତ ନିଜ ନିଜ ରାୟରେ ସମାଜ, ସ˚ସ୍କୃତି, ବିବାହ-ଅନୁଷ୍ଠାନ, ବୈବାହିକ ସ˚ପର୍କ, ଅପରାଧ, ଆଇନ, ସାମ୍ବିଧାନିକ ବ୍ୟବସ୍ଥା, ବ୍ୟକ୍ତି ସ୍ବାଧୀନତା, ବଞ୍ଚିବାର ଅଧିକାର ଇତ୍ୟାଦି ଭଳି ବିଷୟରେ ବିସ୍ତୃତ ଏବ˚ ଗଭୀର ଆଲୋଚନା କରିଛନ୍ତି; ଯଦିଓ ତାହା ପରସ୍ପରକୁ ଭ୍ରମାତ୍ମକ ବୋଲି ସାବ୍ୟସ୍ତ କରିବାରେ ଉଦ୍ଗ୍ରୀବ। ତେବେ ପାଠକପାଠିକାଙ୍କ ସକାଶେ ଉଭୟଙ୍କ ତର୍କର ସାରା˚ଶ ଅତି ସ˚କ୍ଷେପରେ ଉପସ୍ଥାପନ କରାଯିବା ଜରୁରୀ। ଜଷ୍ଟିସ୍ ରାଜୀବ ସଖଧରଙ୍କ ମତ ଦଫା ୩୭୫ରେ ଥିବା ‘ଛାଡ଼’ରେ ନିହିତ ବିଡ଼ମ୍ବନାକୁ ଉଜାଗର କରି କହିଥାଏ ଯେ ଜଣେ ଭାରତୀୟ ପତ୍ନୀ ତୁଳନାରେ ଜଣେ ଦେହଜୀବୀ ଅଧିକ ସଶକ୍ତ, କାରଣ ସେ ସମ୍ଭୋଗ ପାଇଁ ନିଜ ଅନିଚ୍ଛାକୁ ଜାହିର କରି ଏହାର ଉଲ୍ଲ˚ଘନକାରୀକୁ ଦଣ୍ତ ପରିସରଭୁକ୍ତ କରି ଦେଇପାରେ, ଯାହା ଜଣେ ଭାରତୀୟ ପତ୍ନୀ ପକ୍ଷରେ ସମ୍ଭବ ହୋଇ ନ ଥାଏ। ତାଙ୍କ ମତରେ ବଳାତ୍କାରୀ ପତିମାନଙ୍କ ଲାଗି ରହିଥିବା ଏଭଳି ‘ଛାଡ଼’ର ପ୍ରାବଧାନ ଦ୍ବାରା ଜଣେ ମହିଳା ସମ୍ବିଧାନ ପ୍ରଦତ୍ତ ସମାନତାର ଅଧିକାର (ଧାରା ୧୪), ଲିଙ୍ଗଗତ ସାମ୍ୟ (ଧାରା-୧୫), ମୁକ୍ତ ଅଭିବ୍ୟକ୍ତିର ଅଧିକାର (ଧାରା ୧୯- ୧-କ), ଜୀବନ ଓ ବ୍ୟକ୍ତିଗତ ସ୍ବାଧୀନତାର ଅଧିକାର (ଧାରା ୨୧) ଭଳି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବ˚ ମୌଳିକ ନାଗରିକ ଅଧିକାରରୁ ବ˚ଚିତ ହୋଇଥାଏ। ଏହାର ବିପରୀତରେ ଜଷ୍ଟିସ୍ ସି. ହରିଶଙ୍କରଙ୍କ ମତ କହିଥାଏ ଯେ ବିବାହ ଭଳି ଏକ ପବିତ୍ର ଏବ˚ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ସାମାଜିକ ଅନୁଷ୍ଠାନରେ ଶାରୀରିକ ସ˚ପର୍କର ଅନିବାର୍ଯ୍ୟତାକୁ ଉଭୟ ପତି ଓ ପତ୍ନୀ ସ୍ବୀକୃତି ପ୍ରଦାନ କରିଥିବାରୁ ଏଥିରେ ‘ବଳାତ୍କାର’ ଭଳି ଶବ୍ଦ ନିରର୍ଥକ ହୋଇଥାଏ। ଏକ ତୁଳନାତ୍ମକ ଚିତ୍ର ତୋଳି ଧରି ସେ ପ୍ରଶ୍ନ କରନ୍ତି ଯେ ଜଣେ ନାରୀ ନିଜ ପତି ବ୍ୟତିରେକ କୌଣସି ପୁରୁଷ ଦ୍ବାରା ବଳାତ୍କାରର ଶିକାର ହେବା ଏବ˚ ନିଜ ଅନିଚ୍ଛା ସତ୍ତ୍ବେ ପତିଙ୍କ ଯୌନ ବାସନା ଚରିତାର୍ଥ କରିବାକୁ ବାଧୢ ହେବା କ’ଣ ସମାନ କଥା? ସେ ଏକ ସମ୍ଭାବ୍ୟ ଭୟ ପ୍ରତି ମଧୢ ଇଙ୍ଗିତ କରିଥାଆନ୍ତି ଯେ ଏହି ‘ଛାଡ଼’ର ବିଲୋପ ସାଧନ ଘଟିଲେ ଶୟନ କକ୍ଷର ଅଭ୍ୟନ୍ତରରେ ସହମତିରେ ଘଟିଥିବା ସମ୍ଭୋଗ ଅଗତ୍ୟା ଦୁରଭିସନ୍ଧିର ଶିକାର ହୋଇ ‘ବଳପୂର୍ବକ ସ˚ପାଦିତ’ ହୋଇଥିବାର ରୂପ ପାଇ ପୁରୁଷକୁ ଦଣ୍ତିତ ଏବ˚ ଲା˚ଛିତ କରାଇ ପାରେ। ତେବେ, ଉଭୟ ବିଚାରପତି ଏହି ପ୍ରସଙ୍ଗଟିର ଜଟିଳତା ଦୃଷ୍ଟିରୁ ଏକ ସ୍ପଷ୍ଟ ଉତ୍ତର ସକାଶେ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ସାହାଯ୍ୟ ନେବାକୁ ପିଟିସନର୍ମାନଙ୍କୁ ପରାମର୍ଶ ଦେଇଛନ୍ତି; ଯାହା ଏହି ପ୍ରସଙ୍ଗ ସ˚ଦର୍ଭରେ ଆଲୋଚନାକୁ ଆହୁରି ବ୍ୟାପକ କରିପାରେ।
ତେବେ, ଇତିମଧୢରେ ‘ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ’ର ସଦ୍ୟତମ ରିପୋର୍ଟ ବା ‘ଏନ୍.ଏଫ୍.ଏଚ୍.ଏସ୍.-୫’ ପ୍ରକାଶିତ ହୋଇ ଏ ସ˚ଦର୍ଭରେ ସମସ୍ତଙ୍କୁ ଚମକାଇ ଦେଲା ଭଳି ତଥ୍ୟ ପ୍ରଦାନ କରିଛି। ଏହି ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୧୫ରୁ ୪୯ ବର୍ଷ ବୟସ୍କ (ଯୌବନ କାଳ) ମହିଳାମାନଙ୍କ ମଧୢରୁ ୮୨ ପ୍ରତିଶତ ସମ୍ଭୋଗ ଲାଗି ବିମୁଖତା ପ୍ରକଟ କଲେ, ସେମାନଙ୍କ ପତିମାନେ ତାହାକୁ ସମ୍ମାନ ଦେଇ ତହିଁରୁ ବିରତ ରହନ୍ତି। ଏହାକୁ ସତ ପ୍ରମାଣିତ କଲା ଭଳି ପୁରୁଷମାନେ (୧୫ରୁ ୪୯ ବର୍ଷ ବୟସ୍କ) ମଧୢ ସେମାନଙ୍କୁ ପଚରାଯାଇଥିବା ପ୍ରଶ୍ନରେ ସମତୁଲ ମନୋଭାବ ପ୍ରକଟ କରିଥିବା ଦେଖିବାକୁ ମିଳିଛି। ଏହି ପୁରୁଷମାନଙ୍କୁ ସମ୍ଭୋଗ-ଅରାଜି ପତ୍ନୀମାନଙ୍କ ଲାଗି କ’ଣ କରାଯିବା ଦରକାର ବୋଲି ପ୍ରଶ୍ନ କରି ଚାରିଟି ପସନ୍ଦ ପ୍ରଦାନ କରାଯାଇଥିଲା। ସେଗୁଡ଼ିକ ଥିଲେ ଏହି ଭଳି: ଗାଳିମନ୍ଦ କରିବା, ଟଙ୍କା ଦେବାକୁ ମନା କରିବା, କୌଣସି ସହଯୋଗ ଲାଗି ପ୍ରତ୍ୟାଖ୍ୟାନ କରିବା ଅଥବା ବଳପୂର୍ବକ ଯୌନ ସ˚ପର୍କ ସ୍ଥାପନ କରିବା। ଏହାର ଉତ୍ତରରେ ୭୨ ପ୍ରତିଶତ ପୁରୁଷ କୌଣସି ଗୋଟିଏ ବି ଆବଶ୍ୟକ ନୁହେଁ ବୋଲି ମତ ଦେଇଥିଲେ। ତେବେ, ଅନ୍ୟାନ୍ୟ ଅନେକ ପ୍ରସଙ୍ଗରେ ବିବାହିତା ଭାରତୀୟ ମହିଳାଙ୍କ ପଛୁଆ ଦଶା ବିଷୟ ‘ଏନ୍.ଏଫ୍.ଏଚ୍.ଏସ୍.’ ରିପୋର୍ଟରେ ପ୍ରା˚ଜଳ ଭାବେ ପରିଦୃଷ୍ଟ; ଉଦାହରଣ ସ୍ବରୂପ ୪୪ ପ୍ରତିଶତ ବିବାହିତା ମହିଳାଙ୍କୁ ପ୍ରାୟତଃ ବାହାରକୁ ଛଡ଼ା ଯାଇ ନ ଥାଏ ବା ମାତ୍ର ୩୨ ପ୍ରତିଶତ ବିବାହିତା ମହିଳା ବାହାରକୁ କାମ ଲାଗି ଯାଇଥାଆନ୍ତି ଇତ୍ୟାଦି। ସୁତରାଂ, ବୈବାହିକ ସ˚ପର୍କ ସ˚ଦର୍ଭରେ ଭାରତୀୟ ମହିଳାମାନେ ଯେ କଳ୍ପନାତୀତ ଭାବେ ଅଧିକ ସଶକ୍ତ ତହିଁରେ ସନ୍ଦେହ ନାହିଁ।
ବ˚ଶ ରକ୍ଷା ଓ ବୃଦ୍ଧି ଲାଗି ସୃଷ୍ଟ ବିବାହ ଭଳି ଏକ ସାମାଜିକ-ସା˚ସ୍କୃତିକ ଅନୁଷ୍ଠାନରେ ଦ˚ପତିଙ୍କ ମଧୢରେ ଶାରୀରିକ ସ˚ପର୍କ ସ୍ବାଭାବିକ ଭାବେ କେନ୍ଦ୍ର ବିନ୍ଦୁ ହୋଇଥାଏ। ତେଣୁ ଏଭଳି ସ୍ଥଳେ ଜଷ୍ଟିସ୍ ହରିଶଙ୍କରଙ୍କ ପକ୍ଷଭୁକ୍ତମାନେ ପତ୍ନୀ ଦ୍ବାରା ଯୌନ ସ˚ପର୍କ ଲାଗି ଅସ୍ବୀକୃତିକୁ ଗୁରୁତ୍ବ ପ୍ରଦାନ ନ କରିବା ସ୍ବାଭାବିକ। ଏହା ମଧୢ ସତ ଯେ ଏଭଳି କୌଣସି ବିବାହ ଥିବା ଅସମ୍ଭବ, ଯହିଁରେ ପତ୍ନୀଙ୍କ ଇଚ୍ଛା ବିିରୋଧରେ ସମ୍ଭୋଗ ସ˚ପାଦିତ ହୋଇ ନ ଥିବ (ଯଦିଓ ଉଭୟ ପତି ଓ ପତ୍ନୀଙ୍କ ଲାଗି ଏହା ପ୍ରଯୁଜ୍ୟ)! କେବଳ ସେତିକି ନୁହେଁ, ଯୌନ ସ˚ପର୍କରେ ଅନିଚ୍ଛା ଓ ଅସହମତି ମଧୢରେ ଯେଉଁ ପ୍ରଭେଦଟି ରହିଛି, ତାହା ମଧୢ ସ୍ପଷ୍ଟତା ଲାଭ କରିବା ଜରୁରୀ। ଏହା ମଧୢ ସତ ଯେ ସ˚ବିଧାନର ବ୍ୟବସ୍ଥା ଅନୁସାରେ ଯଦିଓ ଉଭୟ ପୁରୁଷ ଓ ମହିଳା ସମାନ ଅଧିକାରର ହକ୍ଦାର, ବାସ୍ତବରେ ଭାରତୀୟ ମହିଳାମାନେ ‘ଦ୍ବିତୀୟ ଶ୍ରେଣୀୟ’ ହୋଇ ସର୍ବଦା ପଶ୍ଚାତ୍ ଭାଗରେ ଦୃଶ୍ୟମାନ ହୋଇଥାଆନ୍ତି। ଏଭଳି ସ୍ଥଳେ ଅନେକ ମହିଳାଙ୍କ ମନରେ ଗଢ଼ି ଉଠିଥିବା ଏକ ଧାରଣା ଯେ ପତିମାନଙ୍କ ଯୌନ କ୍ଷୁଧାକୁ ପରିତୁଷ୍ଟ କରିବା ସେମାନଙ୍କ କର୍ତ୍ତବ୍ୟ, ଦା˚ପତ୍ୟ ସମ୍ଭୋଗକୁ ଏକ ନିରୁତ୍ତପ୍ତ ଓ ନିରୁଦ୍ବିଗ୍ନ ଯାନ୍ତ୍ରିକତା ପ୍ରଦାନ କରିଥାଏ। ଏଭଳି ସ୍ଥଳେ ହୁଏ’ତ ‘ବୈବାହିକ ବଳାତ୍କାର’ ଭଳି ପ୍ରସଙ୍ଗ ନିରର୍ଥକ ହୋଇଯାଏ। ସୁତରା˚, ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ସମକ୍ଷକୁ ଏହି ମାମଲା ଗଲେ ଏଭଳି ଅନେକ ବିଷୟର ସୂକ୍ଷ୍ମ ଅନୁଶୀଳନ କରାଯିବ। କେବଳ ସେତିକି ନୁହେଁ, ଏ ସ˚ଦର୍ଭକୁ ନେଇ ସାଧାରଣ ଲୋକେ ମଧ୍ୟ(ଦିଲ୍ଲୀ ହାଇକୋର୍ଟର ଦୁଇ ବିଚାରପତିଙ୍କ ଭଳି) ଅତ୍ୟନ୍ତ ବିଭାଜିତ। ଏହି ପରିପ୍ରେକ୍ଷୀରେ ଏକ ସ୍ପଷ୍ଟ ନିର୍ଣ୍ଣୟରେ ପହଞ୍ଚିବା ହୁଏ’ତ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଲାଗି ମଧୢ ଆୟସସାଧୢ ହୋଇପାରେ।
ଏହି ପ୍ରସଙ୍ଗରେ ଆଲୋଚନା ହେଉଥିବା ବେଳେ ୨୦୧୭ ମସିହାରେ କର୍ଣ୍ଣାଟକ ଉଚ୍ଚ ଅଦାଲତରେ ଆଗତ ଏକ ଅତ୍ୟନ୍ତ ସ୍ପର୍ଶକାତର ମାମଲାକୁ ଏଡ଼ାଇ ଦିଆଯାଇ ନ ପାରେ, ଯହିଁରେ ଜଣେ ପୀଡ଼ିତା ପତ୍ନୀ ଅଭିଯୋଗ କରିଥିଲେ କିଭଳି ବିବାହ ପର ଠାରୁ ତାଙ୍କ ପତି ତାଙ୍କୁ ଏକ ‘ଯୌନ-ଦାସୀ’ରେ ପରିଣତ କରି ରଖିଛନ୍ତି। ପ୍ରକାଶ ଥାଉ କି ସେହି ମହିଳାଙ୍କ ଯୌନ-ପିଶାଚ ପତି ତାଙ୍କୁ ଦେଉଥିବା ଅସହନୀୟ ଯନ୍ତ୍ରଣାର ବିବରଣୀ ବିଚାରପତି ଜଷ୍ଟିସ ନାଗପ୍ରସନ୍ନଙ୍କୁ ଏଭଳି ଦୋହଲାଇ ଦେଇଥିଲା ଯେ ଗଲା ବୁଧବାର ଦିନ ସେ ଏହାର ଶୁଣାଣି କରି କହିଛନ୍ତି ଯେ କୌଣସି ଆଇନ ଦ୍ବାରା ପ୍ରାପ୍ତ କ୍ଷମତା ସର୍ବୋପରି ହୋଇ ନ ପାରେ; ଏହା ଦୋଷୀକୁ ସର୍ବଦା ସୁରକ୍ଷା ପ୍ରଦାନ କରି ପାରିବ ନାହିଁ। କହିବା ଅନାବଶ୍ୟକ ଯେ ଏହି ଶୁଣାଣି ବେଳେ ସ˚ପୃକ୍ତ ପୀଡ଼ିତା ମହିଳାଙ୍କ ସ୍ବାମୀ ଦଫା ୩୭୫-୨ରେ ଥିବା ‘ଛାଡ଼’ର ପ୍ରାବଧାନକୁ ଦର୍ଶାଇ ମୁକ୍ତି ଦାବି କରିଥିଲେ! କହିବା ବାହୁଲ୍ୟ ଏଭଳି ସ୍ଥିତିରେ ସୁପ୍ରିମ୍ କୋର୍ଟଙ୍କ ଦ୍ବାରା ‘ଛାଡ଼’ର ପ୍ରକୃତ ମାପଚୁପ କରାଯାଇ ପାରିବ।