କିଛି ଚାଷୀ ସବୁ ଚାଷୀଙ୍କ ସ୍ବାର୍ଥ ଦେଖୁନାହାନ୍ତି

ମହାମେଘବାହନ ଐର ଖାରବେଳ ସ୍ବାଇଁ

ଗୋଟିଏ ଗଣତାନ୍ତ୍ରିକ ଦେଶରେ ଜଣେ କୃଷକ ତାର ଉତ୍ପାଦିତ ଦ୍ରବ୍ୟକୁ ଯେଉଁଠି ଅଧିକ ମୂଲ୍ୟ ମିଳିଲା, ସେଇଠି ବିକିବାର ବ୍ୟବସ୍ଥା ସ˚ପୂର୍ଣ୍ଣ ଭୁଲ ବୋଲି ଆଦୌ ମନେହୁଏନା। କିନ୍ତୁ ଏହାକୁ ନେଇ ପାଖାପାଖି ଦୁଇ ସପ୍ତାହ ହେଲା ଦିଲ୍ଲୀରେ କୃଷକ ଆନ୍ଦୋଳନ ଚାଲିଛି। ମୁଖ୍ୟତଃ ପଞ୍ଜାବର ଚାଷୀମାନେ ଏହି ଆନ୍ଦୋଳନ ଚଳାଇଛନ୍ତି, ଯାହାଙ୍କ ସହ କିଛି ହରିଆଣାର ଚାଷୀ ଅଛନ୍ତି। ଅନ୍ୟ କିଛି ରାଜ୍ୟରୁ କୃଷକ ନେତା ବୋଲି ନିଜକୁ ଅଭିହିତ କରୁଥିବା ବ୍ୟକ୍ତି ଏହି ଆନ୍ଦୋଳନରେ ଯୋଗ ଦେଇ ସେମାନଙ୍କ ରାଜ୍ୟର କୃଷକମାନେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ବୋଲି ପ୍ରଚାର କରୁଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଲା, କେନ୍ଦ୍ର ସରକାର ଯେଉଁ ବିଲ୍‌ଗୁଡ଼ିକ ସ˚ସଦରେ ଗୃହୀତ କରିଛନ୍ତି ତାହା କୃଷକର ଲାଭ ପାଇଁ ଓ କୃଷକର ରୋଜଗାରକୁ ଦୁଇ ଗୁଣ କରିବା ସକାଶେ ଉଦ୍ଦିଷ୍ଟ ବୋଲି କହୁଥିଲା ବେଳେ ବିଦ୍ରୋହୀ କୃଷକ ଓ ତାଙ୍କ ସମର୍ଥକ ବିରୋଧୀ ରାଜନୈତିକ ଦଳମାନେ ଏହା ଚାଷୀ ବିରୋଧୀ ବୋଲି ବର୍ଣ୍ଣନା କରୁଛନ୍ତି। କେନ୍ଦ୍ର ସରକାରଙ୍କର ଯୁକ୍ତି ହେଲା, ଏହି ଆଇନମାନଙ୍କ ସ˚ସ୍କାର ଯୋଗୁଁ କୃଷକଙ୍କର ବେଶ ଲାଭ ହେବ। କୃଷକ କେବଳ ସରକାର ନିର୍ଦ୍ଧାରିତ ଏପିଏମ୍‌ସି ବଜାର (ମଣ୍ତି) ମାନଙ୍କ ଛଡ଼ା ଯେଉଁଠି ତାକୁ ଅଧିକ ମୂଲ୍ୟ ମିଳିବ ସେଇଠି ବିକ୍ରି କରିପାରିବ। ଚାଷୀ ଚାହିଁଲେ କୌଣସି ଶିଳ୍ପ ଉଦ୍ୟୋଗ ସହ ଚୁକ୍ତି କରି ଚାଷ କରିପାରିବ। ଯାହା ସା˚ଗରେ ଜଣେ ବା ଅଧିକ ଚାଷୀ ଚୁକ୍ତିବଦ୍ଧ ଚାଷ କରିବେ ସେମାନଙ୍କୁ ଚୁକ୍ତିକାରୀ ଉଦ୍ୟୋଗ ବିନା ମୂଲ୍ୟରେ ବିହନ, ସାର, ନାନା ପ୍ରକାର ଯନ୍ତ୍ରପାତି ଓ ନୂଆ ଟେକ୍ନୋଲୋଜି ପ୍ରଦାନ କରିବ। ଚାଷ ନଷ୍ଟ ହେଲେ କ୍ଷତି ଚାଷୀର ହେବ ନାହିଁ। ସବୁ କ୍ଷତି କମ୍ପାନିର ହେବ। କେବଳ ଚାଷୀ ତାର ଜମିରେ ଏକ ଚୁକ୍ତିବଦ୍ଧ ଚାଷ କରିବ ଓ ଯାହା ଉତ୍ପାଦିତ ହେଲା, ତାହାକୁ ଏକ ପୂର୍ବ ନିର୍ଦ୍ଧାରିତ ଦରରେ କମ୍ପାନିକୁ ବିକ୍ରି କରିବ।

ପଞ୍ଜାବ ଚାଷୀ ଓ ବିରୋଧୀ ଦଳମାନେ କହୁଛନ୍ତି ଯେ ଏହାଦ୍ବାରା ଚାଷୀର ଜମିକୁ କମ୍ପାନିମାନେ ନେଇଯିବେ। କିନ୍ତୁ ଚାଷୀ ତାର ଜମିକୁ କମ୍ପାନିକୁ ଦେବାକୁ ବାଧୢ ନୁହେଁ। ଚୁକ୍ତିରେ ମଧୢ କମ୍ପାନିକୁ ଜମି ଦିଆଯିବାର କୌଣସି ବ୍ୟବସ୍ଥା ନାହିଁ। ଅତୀତରେ ଭାରତରେ ଆଇଟିସି ଓ ପେପ୍‌ସି କୋଲା ପରି କମ୍ପାନିମାନେ ଏହି ଧରଣର କଣ୍ଟ୍ରାକ୍ଟ ଫାର୍ମିଂ ଚୁକ୍ତି ଚାଷୀମାନଙ୍କ ସହ କରିଛନ୍ତି। ସେଠାରେ ଚାଷୀମାନଙ୍କ ଜମି, କମ୍ପାନିମାନଙ୍କ ପାଖକୁ ଚାଲିଯାଇନାହିଁ। ବର˚ କ୍ଷୁଦ୍ର ଚାଷୀମାନେ ପୁଞ୍ଜିଲଗାଣ କରି ପାରୁ ନ ଥିବାରୁ ତଥା ନୂଆ ଟେକ୍ନୋଲୋଜି ପ୍ରୟୋଗ କରି ପାରୁ ନ ଥିବାରୁ ଅଧିକ ଫସଲ ଉତ୍ପାଦନ କରିବାକୁ ସକ୍ଷମ ନୁହନ୍ତି। ଚୁକ୍ତିବଦ୍ଧ ଚାଷ ଦ୍ବାରା ସେମାନଙ୍କ ଉତ୍ପାଦନ ବଢ଼ି ଅଧିକ ଦୁଇ ପଇସା ରୋଜଗାର କରିବା ପାଇଁ ସୁଯୋଗ ମିଳିବ। ଏହା ସତ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏହି ଆଇନ ପ୍ରଣୟନ କରିବା ପୂର୍ବରୁ ଚାଷୀ ବା ବିରୋଧୀ ଦଳମାନଙ୍କ ସହ ଆଲୋଚନା କରିନାହାନ୍ତି। ତେଣୁ ଗୁଜବ ପ୍ରଚାର ହୋଇଛି ଯେ, ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ଉଠିଯିବ। ମଣ୍ତି ବ୍ୟବସ୍ଥା ଉଠିଯିବ। ସରକାର ଆଉ ଚାଷୀଠାରୁ ଶସ୍ୟ କିଣିବେ ନାହିଁ। କେବଳ ବେପାରୀମାନେ ତାହା କିଣିବେ ଓ ସେମାନେ କମ୍‌ ଦରରେ ଏହାକୁ କିଣିବେ। ଚାଷୀ କମ୍‌ ଦରରେ ତାର ଉତ୍ପାଦିତ ଦ୍ରବ୍ୟକୁ ବିକିବାକୁ ବାଧୢ ହେବ। ପଞ୍ଜାବରେ ଗୋଟିଏ ଗୋଷ୍ଠୀ ଅଛନ୍ତି, ଯେଉଁମାନେ ହେଉଛନ୍ତି ଚାଷ ଦ୍ରବ୍ୟର ଦଲାଲ। ଏମାନଙ୍କୁ ସେଠାରେ ଅଢ଼ତିଆ ବୋଲି କୁହାଯାଏ। ଏମାନେ ଚାଷୀମାନଙ୍କ ଠାରୁ ଧାନ, ଗହମ ଆଦି ଟ୍ରାକ୍ଟର, ଟ୍ରକ୍‌ରେ ଲଦି ମଣ୍ତିକୁ ଆଣି ତାହା ବିକ୍ରି କରନ୍ତି। ସେମାନେ ଚାଷୀଠାରୁ କମିସନ ନିଅନ୍ତି। ଏହି କମିସନ ପରିମାଣ ହେଲା, ବର୍ଷକୁ ଟ.୧,୫୦୦ କୋଟି। ଚାଷୀମାନେ ଏବେ ସେମାନଙ୍କ ଧାନ ଓ ଗହମକୁ ମଣ୍ତିରେ ବିକିବାକୁ ବାଧୢ, ଯାହାକୁ ସେମାନେ ବାହାରେ ବିକିପାରିବେ ନାହିଁ। ତେଣୁ ଉତ୍ପାଦିତ ଦ୍ରବ୍ୟ ବାହାରେ ବିକିବାର ଅନୁମତି ପାଇଲେ ଅଢ଼ତିଆମାନଙ୍କର ରୋଜଗାର ବୁଡ଼ିଯିବ। ତେଣୁ ମୁଖ୍ୟତଃ ସେଇମାନେ ହିଁ ଚାଷୀମାନଙ୍କ ମଧୢରେ ବିଭ୍ରାନ୍ତି ସୃଷ୍ଟି କରି ଏହି ଆନ୍ଦୋଳନକୁ ଚଳାଇ ରଖିଛନ୍ତି।

ସରକାର କିନ୍ତୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌.ଏସ୍‌.ପି.) ବ୍ୟବସ୍ଥାକୁ ହଟାଇ ପାରିବେ ନାହିଁ। (ସରକାର ଗତ କାଲି ଏ ନେଇ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି)। କାରଣ ସରକାରଙ୍କୁ ସାଧାରଣ ଯୋଗାଣ ବ୍ୟବସ୍ଥା (ପିଡିଏସ୍‌), କ‌େଣ୍ଟ୍ରାଲ ଦୋକାନ ମାଧୢମରେ ଲୋକଙ୍କୁ ଟଙ୍କାକିଆ ଚାଉଳ, ଖାଦ୍ୟ ସୁରକ୍ଷା ଆଇନର ଚାଉଳ, ଗହମ ଆଦି ଯୋଗାଇ ଦେବାକୁ ହେବ। ଏହି କରୋନା ମହାମାରୀ ବେଳେ ସରକାର ସେହି କ‌େଣ୍ଟ୍ରାଲ ଦୋକାନୀମାନଙ୍କ ମାଧୢମରେ ୮ ମାସରୁ ଅଧିକ କାଳ ହେବ ଭାରତର ଅଧିକା˚ଶ ଲୋକଙ୍କୁ ମାଗଣାରେ ଚାଉଳ, ଗହମ, ଡାଲି ଆଦି ବଣ୍ଟନ କରୁଛନ୍ତି। ଭାରତର ଖାଦ୍ୟ ନିଗମ (ଏଫ୍‌ସିଆଇ) ମାଧୢମରେ ସରକାର ଏହି ଖାଦ୍ୟାନ୍ନ ସ˚ଗ୍ରହ କରନ୍ତି। ସରକାର ଧାନ, ଗହମ ଆଦି ସ˚ଗ୍ରହ କଲେ ତାହାକୁ ଏପିଏମ୍‌ସି ବଜାର ବା ମଣ୍ତି ମାଧୢମରେ କରିବାକୁ ହେବ। ମଣ୍ତିରୁ ଏହି ଧାନ, ଗହମକୁ ଭାରତର ଖାଦ୍ୟ ନିଗମ ସ˚ଗ୍ରହ କରି ତାଙ୍କ ଗୋଦାମକୁ ଆଣିବ। ଏଣୁ ମଣ୍ତି ଉଠିଯିବା ଅବା ସର୍ବନିମ୍ନ ସହାୟକ ମୂଲ୍ୟ ଉଠିଯିବା ଆଦୌ ସମ୍ଭବ ନୁହେଁ। ଭାରତ ସ୍ବାଧୀନତା ପାଇବା ପରେ ଏହା ଏକ ଅତି ଗରିବ ଦେଶ ଥିଲା। ସେଥିପାଇଁ ଆମେରିକା ସହ ଭାରତ ଏକ ପିଏଲ୍‌-୪୮୦ ଚୁକ୍ତି କରିଥିଲା, ଯାହା ଫଳରେ ଆମେରିକାରୁ ଗହମ, ମକା ଗୁଣ୍ତ ଓ ପାଉଡର ମିଲ୍‌କ (ବିଲାତି ଦୁଧ) ଭାରତକୁ ଆସୁଥିଲା। ଲୋକମାନଙ୍କୁ ସିଧାସଳଖ ସେହି ଖାଦ୍ୟାନ୍ନ ଦିଆଯାଉଥିଲା। ଷାଠିଏ ଦଶକର ଶେଷ ବେଳକୁ ତଦାନୀନ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ପଞ୍ଜାବର ତଦାନୀନ୍ତନ ମୁଖ୍ୟମନ୍ତ୍ରୀଙ୍କୁ ପରିଶ୍ରମୀ ପଞ୍ଜାବୀ କୃଷକମାନଙ୍କ ଦ୍ବାରା ଧାନ ଉତ୍ପାଦନ କରିବାକୁ କହିଲେ। ସେଠାରେ ଧାନ ପାଇଁ ଆବଶ୍ୟକ ଯଥେଷ୍ଟ ବର୍ଷା ହେଉନଥିବାରୁ ମାଟି ତଳୁ ପାଣି ଉଠାଇ ଧାନ ଚାଷ କରିବାକୁ ପରାମର୍ଶ ଦେଲେ। କିନ୍ତୁ ସେଠାକାର ଲୋକମାନଙ୍କର ଚାଉଳ ବଦଳରେ ଗହମ ଖାଇବାର ଅଭ୍ୟାସ ଥିବାରୁ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ ଧାନ କିଣି ନେବାର ପ୍ରତିଶ୍ରୁତି ଦେଲେ। ସେହି ଦିନଠାରୁ ସରକାର ପଞ୍ଜାବରୁ ଏକ ନିର୍ଦ୍ଧାରିତ ମୂଲ୍ୟ ଦେଇ ସବୁ ଧାନ ସ˚ଗ୍ରହ କରୁଛନ୍ତି। ଏବେ କିନ୍ତୁ ପଞ୍ଜାବରେ ଭୂତଳ ଜଳ ବହୁତ ତଳକୁ ଖସିଗଲାଣି। ପାଣିରୁ ଆର୍ସେନିକ ବାହାରୁଛି। ସେଥିପାଇଁ ପରିବେଶ ପ୍ରଦୂଷିତ ହେଉଛି ଓ କ୍ୟାନ୍‌ସର ରୋଗୀଙ୍କ ସ˚ଖ୍ୟା ବହୁତ ବଢ଼ିବାରେ ଲାଗିଛି। କିନ୍ତୁ ସରକାର ସେଠାରେ ଉତ୍ପାଦିତ ଧାନକୁ କିଣି ନେଉଥିବାରୁ ଓ ତଦ୍ଦ୍ବାରା ସେଠାକାର ଚାଷୀର ପ୍ରଚୁର ଲାଭ ହେଉଥିବାରୁ ସେମାନେ ଅନ୍ୟ ଫସଲ କରିବାକୁ ରାଜି ନୁହନ୍ତି। କିନ୍ତୁ ଓଡ଼ିଶା, ଛତିଶଗଡ଼, ପଶ୍ଚିମବଙ୍ଗ, ବିହାର, ଦାକ୍ଷିଣାତ୍ୟ ଆଦି ରାଜ୍ୟମାନଙ୍କରେ ଏବେ ପ୍ରଚୁର ଧାନ ଉତ୍ପାଦନ ହେଉଥିବାରୁ ସେଠାରେ ତାହା ବିକିବା ସମ୍ଭବ ହେଉନାହିଁ। ପଞ୍ଜାବ, ହରିଆଣା ଆଦି ରାଜ୍ୟମାନେ ଧାନ ଉତ୍ପାଦନକାରୀ ରାଜ୍ୟ ହୋଇନଥିବା ବେଳେ ସେମାନେ ଗହମ ଉତ୍ପାଦନ ନ କରି ଧାନ ଉତ୍ପାଦନ କରୁଛନ୍ତି କାହିଁକି? ପୂର୍ବ ଭାରତ ଓ ଦକ୍ଷିଣ ଭାରତରେ କେତେ ଜଣ କୃଷକ ଗହମ ଫସଲ କରୁଛନ୍ତି। ପଞ୍ଜାବରେ ଜବରଦସ୍ତ ଧାନ ଉତ୍ପାଦନ କରିବା ଓ ତାକୁ ସରକାରଙ୍କୁ ଜବରଦସ୍ତ ବିକିବା ପାଇଁ ଆନ୍ଦୋଳନ କରିବା ଏକ ଏକାନ୍ତ ସୁବିଧାବାଦୀ ମନୋବୃତ୍ତି ନୁହେଁ କି?

ଭାରତରେ ହେକ୍ଟର ପିଛା ଉତ୍ପାଦନ ଚୀନ ଓ ୟୁରୋପୀୟ ଦେଶମାନଙ୍କ ଅପେକ୍ଷା ଅନେକ କମ୍‌। କୃଷି ଉତ୍ପାଦନ ନ ବଢ଼ିଲେ କୃଷକର ଆୟ ବଢ଼ିବ ନାହିଁ। ଭାରତରେ ୮୦%ରୁ ଅଧିକ ଚାଷୀଙ୍କର ଜମିର ପରିମାଣ ୨ ଏକରରୁ କମ୍‌। ସେମାନେ ଚୁକ୍ତିବଦ୍ଧ ଚାଷ ନ କଲେ ସେମାନଙ୍କ ଉତ୍ପାଦନ ଓ ରୋଜଗାର ବଢ଼ିବ ନାହିଁ। ସବୁ ଖାଦ୍ୟାନ୍ନ ସରକାର କିଣି ପାରିବେ ନାହିଁ। ପୃଥିବୀର କୌଣସି ଦେଶରେ କିଣିବାର ଦାୟିତ୍ବ ସରକାରଙ୍କର ନୁହେଁ। ତେଣୁ ଭାରତରେ ଆଉ ଏକ ସବୁଜ ବିପ୍ଳବ ଆଣିବା, ଉତ୍ପାଦନ ବଢ଼ାଇବା ଓ ତାର ଉପଯୁକ୍ତ ମୂଲ୍ୟ ଦେଶର ବିଭିନ୍ନ ସ୍ଥାନରୁ ଓ ଏପରିକି ବିଦେଶରୁ ପାଇବାର ଅଧିକାର ଚାଷୀର ଅଛି। ଏକ ନିୟନ୍ତ୍ରିତ ବ୍ୟବସ୍ଥା ମଧୢରେ ଚାଷୀମାନେ ରହିବେ କାହିଁକି? ଯେଉଁଠି ଅଧିକ ମୂଲ୍ୟ ମିଳୁଛି ସେଠାରେ ବିକିବାକୁ ସେମାନଙ୍କୁ ସ୍ବାଧୀନତା ମିଳିବା ଉଚିତ। କେନ୍ଦ୍ର ସରକାର ୨୩ଟି କୃଷିଜାତ ଦ୍ରବ୍ୟ ପାଇଁ କୃଷିଜାତ ଦ୍ରବ୍ୟ ମୂଲ୍ୟ ନିର୍ଦ୍ଧାରଣ କମିଟି (ସିଏନ୍‌ସିପି) ଜରିଆରେ ମୂଲ୍ୟ ନିର୍ଦ୍ଧାରଣ କରନ୍ତି। ସାତଟି ମାପଦଣ୍ତ ଉପରେ ଏହି ସହାୟତା ମୂଲ୍ୟର ନିର୍ଦ୍ଧାରଣ ନିର୍ଭର କରିଥାଏ। କିନ୍ତୁ ବାସ୍ତବରେ ଦେଖାଯାଇଛି ଯେ, ଭାରତରେ ମାତ୍ର ୧୨% ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟର ଲାଭ ନେଉଛନ୍ତି। ପଞ୍ଜାବର ୯୫% ଚାଷୀ ଏହି ମୂଲ୍ୟରୁ ଲାଭବାନ ହେଉଛନ୍ତି। କେବଳ କେନ୍ଦ୍ର ସରକାର ଭାରତର ଖାଦ୍ୟ ନିଗମ (ଏଫ୍‌ସିଆଇ) ଦ୍ବାରା ଏହି ଖାଦ୍ୟାନ୍ନ ପଇସା ଦେଇ କିଣନ୍ତି ତାହା ନୁହେଁ, କେତେକ ରାଜ୍ୟ ସରକାର ମଧୢ ଏହି ଧାନ, ଗହମ କିଣନ୍ତି। କିନ୍ତୁ ରାଜ୍ୟ ସରକାରମାନେ ଧାନ, ଗହମ ସ˚ଗ୍ରହ କଲେ ମଧୢ ତାର ପଇସା କେନ୍ଦ୍ର ସରକାର ଦେଇଥାନ୍ତି। କିନ୍ତୁ ଅପରପକ୍ଷରେ ଉତ୍ତର ପ୍ରଦେଶର ମାତ୍ର ୩.୬% ଚାଷୀ ଏହି ନିୟମ ଯୋଗୁଁ ଲାଭବାନ ହେଉଛନ୍ତି। ସାରା ଭାରତରେ ଏବେ ମୋଟ ୬୬୩୦ଟି ଏପିଏମ୍‌ସି ମଣ୍ତି ରହିଛି। ଗୋଟିଏ ଗୋଟିଏ ମଣ୍ତିର ଧାନ, ଗହମ କିଣିବାର ଆୟତନ ୪୯୬ ବର୍ଗ କିଲୋମିଟର ଅଞ୍ଚଳ ଏବ˚ ଏ କଥା ମଧୢ ସତ୍ୟ ଯେ, ଧାନର ବଜାର ଦର ଅନେକ ସମୟରେ ସରକାରଙ୍କର ସର୍ବନିମ୍ନ ସହାୟକ ମୂଲ୍ୟ ଅପେକ୍ଷା କମ୍‌।

କେନ୍ଦ୍ର ସରକାରଙ୍କର ନୂଆ ଆଇନ ଅନୁସାରେ ନୂଆ ନୂଆ ମଣ୍ତିମାନ ଖୋଲିବ, ଯେଉଁଠି ଘରୋଇ ବେପାରୀମାନେ ଧାନ, ଗହମ ଅବା ଅନ୍ୟ ଦ୍ରବ୍ୟ ବିକିବେ। ପଞ୍ଜାବ, ହରିଆଣା ପରି ରାଜ୍ୟମାନଙ୍କରେ ସରକାରୀ ମଣ୍ତିମାନଙ୍କରେ ୬% ଟିକସ ଲାଗୁ ହୋଇଥାଏ। କିନ୍ତୁ ନୂଆ ଘରୋଇ ମଣ୍ତିରେ ଟିକସ ଲାଗୁ ହେବନାହିଁ। ଏହି ନୂଆ କୃଷି ବଜାରରେ ଯେ କେହି ପଶିପାରିବ। ସେଠାରେ କୌଣସି ପ୍ରତିବନ୍ଧ ରହିବ ନାହିଁ। ପଞ୍ଜାବ ଓ ହରିଆଣା ସରକାରମାନେ ଯଥାକ୍ରମେ ୩% ଓ ୨% ଗ୍ରାମୀଣ ବିକାଶ ଟିକସ ମଧୢ ଲଗାଉଛନ୍ତି। ପଞ୍ଜାବର ଚାଷୀମାନଙ୍କର ଭୟ ହେଲା, ଯଦି ଦୁଇଟି ମଣ୍ତି ରହେ ଓ ତନ୍ମଧୢରୁ ଗୋଟିଏରେ ଟିକସ ଲାଗୁ ହୁଏ ଓ ଅନ୍ୟଟିରେ ଟିକସ ଲାଗୁ ନ ହୁଏ, ତେବେ ସ୍ବାଭାବିକ ଭାବରେ ଧୀରେ ଧୀରେ ଟିକସ ଲାଗୁଥିବା ମଣ୍ତି ଅଚଳ ହୋଇଯିବ। ଆହୁରି ମଧୢ ଯେଉଁ ରାଜ୍ୟମାନଙ୍କରେ ଆର୍ଥିକ ଅବସ୍ଥା ସେତେ ଭଲ ନୁହେଁ, ସେମାନେ ଆଉ ସର୍ବନିମ୍ନ ସହାୟକ ମୂଲ୍ୟ ଦେବାକୁ ରାଜି ହେବେ ନାହିଁ। ଇତି ମଧୢରେ ୧୭ଟି ରାଜ୍ୟ, ସେମାନଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ତାଲିକାରୁ ତୈଳବୀଜ, ପରିବା ଓ ଫଳ ଇତ୍ୟାଦିକୁ ହଟାଇ ଦେଲେଣି। ଅଠରଟି ରାଜ୍ୟ ସେମାନଙ୍କ ଆଇନରେ କଣ୍ଟ୍ରାକ୍ଟ ଫାର୍ମି˚ ବା ଚୁକ୍ତିବଦ୍ଧ ଚାଷ ବ୍ୟବସ୍ଥା ରଖିଛନ୍ତି। ମଧୢପ୍ରଦେଶ ଏଥର ତାର ଉତ୍ପାଦିତ ୭୦% ଗହମ ଚାଷୀଙ୍କଠାରୁ କିଣି ନେଇଛି। ପୂର୍ବରୁ ସେଠାକାର ସରକାର ଚାଷୀଙ୍କ ଠାରୁ ୪୮% ଦ୍ରବ୍ୟ କିଣୁଥିଲା ବେଳେ ଏବେ ୭୦% ଖାଦ୍ୟାନ୍ନ କିଣି ନେଉଛନ୍ତି। ହାରାହାରି ଭାବରେ ୩୪.୨% ହାରରେ ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ୁଛି। ତେଣୁ ଅଧିକରୁ ଅଧିକ ରାଜ୍ୟ ଏବେ ସରକାରଙ୍କୁ କେବଳ ବିକିବା ଆରମ୍ଭ କଲେଣି। ଏଥିରେ ଛତିଶଗଡ଼, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ କୃଷକଙ୍କର ଲାଭ ହେଉଛି। କିନ୍ତୁ ମଣ୍ତିରେ ବିକ୍ରିର ଦର ଅଧିକ ହେଉଥିବାରୁ, ବିଶ୍ବ ବଜାରରେ ଭାରତୀୟ ଧାନ, ଗହମର ମୂଲ୍ୟ ଅଧିକ ରହୁଛି ଓ ତେଣୁ ବିକ୍ରି ମଧୢ ହେଉନାହିଁ। ଅନେକ କ୍ଷେତ୍ରରେ ଭାରତର ଖାଦ୍ୟାନ୍ନର ମାନ ନିମ୍ନ ଥିବାରୁ ବିଦେଶରେ ଏହାର ବିକ୍ରି ସହଜ ହେଉନାହିଁ।

ଯଦି କୃଷି କ୍ଷେତ୍ରରେ ସ˚ସ୍କାର ଆସେ ତେବେ ଉତ୍ପାଦନ ବଢ଼ିବ ଓ କୃଷିଜାତ ଦ୍ରବ୍ୟର ମାନ ମଧ୍ୟ ଉନ୍ନତ ହେବ। ଏହା ଫଳରେ ବିଦେଶରେ ଭାରତର ଧାନ, ଗହମ ବିକିବା ସହଜ ହେବ। ଆନ୍ତର୍ଜାତିକ ବଜାରର ଦର ସହ ଭାରତ ଦରରେ ଓ ମାନରେ ପ୍ରତିଦ୍ବନ୍ଦ୍ବିତା କଲେ ଯାଇ ଏହାର କୃଷିଜାତ ଦ୍ରବ୍ୟ ବିକ୍ରି ହୋଇ ପାରିବ। ଏହା ହିଁ କୃଷକର ରୋଜଗାରକୁ ଦ୍ବିଗୁଣିତ କରିପାରିବ। ସରକାରଙ୍କୁ ଅଧିକ ଦରରେ ବିକ୍ରି କରି ଚାଷୀ ଅନେକ ଲାଭବାନ ହେବ ନାହିଁ। କାରଣ ବଜାରର ଗ୍ରାହକମାନେ ଖାଦ୍ୟାନ୍ନ ଦରକୁ ଅଧିକ ବଢ଼ିବାକୁ ଦେବେ ନାହିଁ। କେବଳ ଉତ୍ପାଦନ ଓ ଦ୍ରବ୍ୟର ମାନ ବଢ଼ିଲେ ଯାଇ କୃଷକର ରୋଜଗାର ବଢ଼ିବ। ପୁରୁଣା କୃଷି ଆଇନ ଚାଷୀକୁ ଗରିବ କରି ରଖିଛି ଓ ରଖିବ ମଧ୍ୟ। ପୁରୁଣା ବ୍ୟବସ୍ଥା ଅନୁସାରେ ପଞ୍ଜାବର ଚାଷୀ ଦୁଇ ପଇସା ଅଧିକ ପାଇବେ, କିନ୍ତୁ ସାରା ଦେଶର ଚାଷୀ ଦୁଇ ପଇସା ଅଧିକ ପାଇବେ ନାହିଁ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର