ସୁରେନ୍ଦ୍ର ମହାନ୍ତିଙ୍କ ‘ପଥ’ ଓ ‘ପୃଥିବୀ’

ଅସିତ ମହାନ୍ତି

୨୦୨୨ ଜୁନ୍ ୨୧ରେ ଶେଷ ହୋଇଛି ସୁରେନ୍ଦ୍ର ମହାନ୍ତିଙ୍କର ଜନ୍ମଶତବାର୍ଷିକୀ ବର୍ଷ। କିନ୍ତୁ ମନେହେଉଛି, ଏବେବି ଯେମିତି ତାଙ୍କର ଶତବାର୍ଷିକୀ ବର୍ଷ ଚାଲିଛି। ଏହା ବୋଧହୁଏ ଏହି ‘ଶତାବ୍ଦୀ-ପୁରୁଷ’ଙ୍କର ଏକ ବିଶେଷତ୍ୱ।
‘ପଥ ଓ ପୃଥିବୀ’ ସୁରେନ୍ଦ୍ର ମହାନ୍ତିଙ୍କର ‘ଜୀବନସ୍ମୃତି’। ଏହାକୁ ସେ ‘ଆତ୍ମଜୀବନୀ’ କହି ନାହାନ୍ତି; କହିଛନ୍ତି ‘ଜୀବନସ୍ମୃତି’। ‘ପଥ ଓ ପୃଥିବୀ’ର ‘ଉପୋଦ୍‌ଘାତ’ରେ ଏ ସଂପର୍କରେ ସେ କହିଛନ୍ତି, “ଜୀବନସ୍ମୃତି ଓ ଆତ୍ମଜୀବନୀ ମଧ୍ୟରେ ଏକ ସ୍ପଷ୍ଟ ପାର୍ଥକ୍ୟ ରହିଛି। ଆତ୍ମଜୀବନୀ ହେଉଛି ଘଟଣା ପ୍ରବାହର ସ୍ଥୂଳ, ପ୍ରାମାଣିକ ବିବରଣୀ। କିନ୍ତୁ ଜୀବନସ୍ମୃତି ହେଉଛି, ମନରେ ଛାପ ରଖିଯାଇଥିବା କେତେକ ଘଟଣା ଓ ଚରିତ୍ରର ‘ଇମ୍ପ୍ରେସନିଷ୍ଟିକ୍‌’ ଆଲେଖ୍ୟ। ମୋର ସ୍ମୃତି, କିତାବୀ ବିଷୟବସ୍ତୁକୁ ଛାଡ଼ିଦେଲେ, ଅନ୍ୟ ସବୁଥିରେ ବଡ଼ ପ୍ରଖର। ମୁଁ ଆଖି ବୁଝିଦେଲେ, ମୋର ଶୈଶବ ଦିନର ଚରିତ୍ରସବୁ ଆଖି ଆଗରେ ଭାସି ଉଠନ୍ତି। ଘଟଣା ସବୁ ଶରତ୍ ସକାଳର ଆଞ୍ଜୁଳାଏ ଖରା ପରି ଆଙ୍ଗୁଳି ଫାଙ୍କରେ ଝରିପଡ଼ନ୍ତି। ଏଇ ଜୀବନସ୍ମୃତିରେ ମୁଁ ସେସବୁକୁ ସମ୍ପୂଟିତ କରିଅଛି ମାତ୍ର। ଇଏ ମୋର ସ୍ଥୂଳ ଜୀବନ ବୃତ୍ତାନ୍ତ ନୁହେଁ। ଏହା ମୋର ଆତ୍ମିକ ବିକାଶର ଅନ୍ତରଙ୍ଗ କାହାଣୀ।”
କିନ୍ତୁ ‘ପଥ ଓ ପୃଥିବୀ’ ଶୀର୍ଷକ ଏଇ ଜୀବନସ୍ମୃତି ଲେଖିବା କେବେବି ତାଙ୍କର ସୁଦୂର କଳ୍ପନାରେ ନଥିଲା। ଏ ସଂପର୍କରେ ସ୍ୱୀକାରୋକ୍ତି ଦେଇ ସେ ସେଇ ‘ଉପୋଦ୍‌ଘାତ’ରେ ଲେଖିଛନ୍ତି- “ବିଭିନ୍ନ କ୍ଷେତ୍ରରେ ସଫଳତାର ସହିତ କାର୍ଯ୍ୟ କରି ଆସିଥିଲେ ହେଁ, ମୌଳିକତଃ ମୁଁ ଜଣେ ଗ୍ରନ୍ଥକୀଟ ଓ ସାହିତ୍ୟିକ। ଏପରି ଲୋକମାନଙ୍କର ଜୀବନ ପ୍ରାୟ ଘଟଣାବିହୀନ। ଏଭଳି ଜୀବନକୁ ନେଇ ଜୀବନସ୍ମୃତି ଲେଖିବା ଚଳେ ନାହିଁ।”
କିନ୍ତୁ ଏହା ସତ୍ତ୍ୱେ, ସେ ନିଜର ଜୀବନସ୍ମୃତି ଲେଖିଲେ କିପରି? ତାହାର ଉତ୍ତର ମଧ୍ୟ ସେଇ ‘ଉପୋଦ୍‌ଘାତ’ରେ ଅଛି। ସେ କହିଛନ୍ତି, “ଭଗବାନଙ୍କ ଦୟାରୁ ମୋର ଜୀବନ ଏକ ଘଟଣାବହୁଳ ଜୀବନ ହୋଇ ରହିଆସିଛି। ମୋ ସଂପର୍କରେ ମୋର ସମସାମୟିକ ବ୍ୟକ୍ତିମାନଙ୍କର ନାନା କୌତୂହଳ, ନାନା ଜିଜ୍ଞାସା! ମୁଁ ପ୍ରାୟ ସାରା ଜୀବନ ଜଣେ ରହସ୍ୟାବୃତ ବ୍ୟକ୍ତି ରୂପେ ରହିଆସିଲି। କିନ୍ତୁ ପ୍ରକୃତରେ ମୋର ଜୀବନ ଆକାଶ ପରି ସ୍ପଷ୍ଟ ଓ ପାଣି ପରି ସ୍ୱଚ୍ଛ।”
ଏଣୁ, କୁହାଯାଇପାରେ, ନିଜର ଆକାଶ ପରି ସ୍ପଷ୍ଟ ଓ ପାଣି ପରି ସ୍ୱଚ୍ଛ ଜୀବନର ରହସ୍ୟକୁ ଆମ ପାଇଁ ଉନ୍ମୋଚନ କରିବା ନିମନ୍ତେ, ସୁରେନ୍ଦ୍ର ମହାନ୍ତି ଲେଖିଛନ୍ତି ଏହି ଜୀବନସ୍ମୃତି- ‘ପଥ ଓ ପୃଥିବୀ’।
‘ପଥ ଓ ପୃଥିବୀ’ର ପ୍ରକାଶକାଳ ୧୯୮୬ ମସିହା, ନୀଳାଦ୍ରିବିଜୟ ଦ୍ୱାଦଶୀ। ଏହାର ପ୍ରଥମ ପ୍ରକାଶକ- ଇଷ୍ଟର୍ଣ୍ଣ ମିଡିଆ, ଭୁବନେଶ୍ୱର। ସେତେବେଳକୁ ସୁରେନ୍ଦ୍ର ମହାନ୍ତି ଇଷ୍ଟର୍ଣ୍ଣ ମିଡିଆର ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ସଂପାଦକ ଥିଲେ। ‘ସମ୍ବାଦ’ ପ୍ରକାଶ ପାଇଥିଲା ୧୯୮୪, ବିଜୟା ଦଶମୀରେ। ତାହା ପରେ ପରେ ହିଁ ‘ପଥ ପୃଥିବୀ’ର ଲେଖା ଆରମ୍ଭ ହୋଇଥିଲା। ତେଣୁ ସେ ସମୟକୁ ‘ପଥ’ କହିଲେ ସୁରେନ୍ଦ୍ର ମହାନ୍ତି କ’ଣ ବୁଝୁଥିଲେ- ତାହା ଏ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ। ତାହାର ଗୋଟିଏ ନିଦର୍ଶନ ଆମକୁ ମିଳେ ସେହି ସମୟରେ ପ୍ରଫେସର ଗଗନେନ୍ଦ୍ର ନାଥ ଦାଶଙ୍କୁ ସେ ଲେଖିଥିବା ଗୋଟିଏ ଚିଠିରୁ। ଚିଠିର ତାରିଖ, ୨୪ ଅକ୍ଟୋବର ୧୯୮୪ ଏବଂ ତାହା ସୁରେନ୍ଦ୍ର ଶତବାର୍ଷିକୀ ଅବସରରେ, ଜୁନ୍ ୨୦୨୨ରେ ପ୍ରକାଶ ପାଇଥିବା ‘ସୁରେନ୍ଦ୍ର ମହାନ୍ତି ସମାଲୋଚନାର ଅର୍ଘ୍ୟ ନିବେଦନ’ର ‘ପରିଶିଷ୍ଟ’ରେ ସଂକଳିତ ହୋଇଛି।
ଯେଉଁ ଘଟଣାର ପୃଷ୍ଠଭୂମିରେ ସେହି ପତ୍ରଟି ଲେଖା- ତାହା ଥିଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମନୋନୟନ କ୍ଷେତ୍ରରେ ଏକ ଅନ୍ୟାୟ ଓ ଅବିଚାର। ସେହି ଅନ୍ୟାୟ ଓ ଅବିଚାରର ଶିକାର ହୋଇଥିଲା ଗଗନେନ୍ଦ୍ରନାଥ ଦାଶଙ୍କ ‘ଜନଶ୍ରୁତି କାଞ୍ଚିକାବେରୀ’ ପୁସ୍ତକ। ସେତେବେଳେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ ସୁରେନ୍ଦ୍ର ମହାନ୍ତି। ତେଣୁ ତାଙ୍କୁ ଏକ ପତ୍ର ଲେଖିଥିଲେ ଶ୍ରୀ ଦାଶ ଏବଂ “ଏଣିକି ସାହିତ୍ୟ ଚର୍ଚ୍ଚା କରିବାର ଇଚ୍ଛାକୁ ଦମନ କରି ସମାଲୋଚନା ଓ ଗବେଷଣା ପୋଥିରେ ଡୋର ବାନ୍ଧିଦେବି” ବୋଲି ମଧ୍ୟ ସେଥିରେ କହିଥିଲେ। ଏ ପ୍ରସଙ୍ଗରେ ଉଲ୍ଲେଖନୀୟ, ଯେ ପୂର୍ବରୁ ଥରେ ‘ଅନ୍ଧଦିଗନ୍ତ’ କ୍ଷେତ୍ରରେ ମଧ୍ୟ ସ୍ୱୟଂ ସୁରେନ୍ଦ୍ର ମହାନ୍ତି ସେପରି ଅନ୍ୟାୟ ଓ ଅବିଚାରର ଶିକାର ହୋଇଥିଲେ। ‘ପଥ ଓ ପୃଥିବୀ’ର ଗୋଟିଏ ଅଧ୍ୟାୟରେ ସେ ଘଟଣା ବର୍ଣ୍ଣିତ ହୋଇଛି। ତେଣୁ ଗଗନେନ୍ଦ୍ରନାଥ ଦାଶଙ୍କୁ ସେ ଲେଖିଥିବା ଚିଠିଟି ଥିଲା ଅତ୍ୟନ୍ତ ସମ୍ବେଦନଶୀଳ।
ସେହି ଚିଠିର କିୟଦଂଶ ଏହିପରି-
“ଆୟୁଷ୍ମାନ୍ ଗଗନେନ୍ଦ୍ର,
ଆଜି ଦୀପାବଳିର ଏଇ ଶୁଭ ପ୍ରଭାତରେ ତୁମ ପାଖକୁ ଯଦି ଏ ଚିଠି ଡାକୁଛି, ତା’ହେଲେ କେବଳ ମୋ ମନର ବିକ୍ଷୋଭକୁ ଶାନ୍ତ କରିବାପାଇଁ। … ତମେ କୁଆଡ଼େ କେତେକ ବ୍ୟକ୍ତିଗତ ପରିସ୍ଥିତିରେ ଲେଖାଲେଖି ଛାଡ଼ିଦେବା ପାଇଁ ମନସ୍ଥ କରିଛ। ଜଣେ ସଚ୍ଚା ଲେଖକର ଜୀବନରେ ଏପରି ବିତୃଷ୍ଣା ବେଳେବେଳେ ଆସେ। ନ ଆସିଲେ, ତା’ର ପ୍ରାଣ ନାହିଁ, ଆବେଗ ନାହିଁ, ଉତ୍ତାପ ନାହିଁ ବୋଲି ବୁଝିବାକୁ ପଡ଼ିବ। ମୋର ମଧ୍ୟ ଅନେକବାର ଆସିଛି। ମୁଁ ମଧ୍ୟ ତାକୁ ଅତିକ୍ରମ କରିଛି। ତୁମେ ତେଣୁ ନିଜ ମନ ଓ ପ୍ରବୃତ୍ତିର ଦାସ ହୁଅନାହିଁ। ମନ ଓ ପ୍ରବୃତ୍ତିକୁ ନିଜର କ୍ରୀତଦାସ କର। ତୁମେ ଲେଖ।”
ଏହି ପରିପ୍ରେକ୍ଷୀରେ, ସେହି ଚିଠିରେ ସୁରେନ୍ଦ୍ର ମହାନ୍ତି କହିଛନ୍ତି, ‘ପଥ’ ର କଥା; ‘ପଥିକ’ର କଥା। ତାଙ୍କ ଚିଠିର ଭାଷାରେ, “ଗଗନେନ୍ଦ୍ର, ଆତ୍ମହତ୍ୟା କର ନାହିଁ। … ତୁମକୁ ବହୁ ବାଟ ଯିବାପାଇଁ ଅଛି। ତୁମେ ମଧ୍ୟ ବହୁ ବାଟ ଯିବ। କିନ୍ତୁ ଏ ରୌଦ୍ରଦଗ୍‌ଧ ପଥରେ ଛାଇ ଟିକିଏ ପାଇଲ ନାହିଁ ବୋଲି ଯଦି ପଥକୁ ତୁମେ ଅସ୍ୱୀକାର କର, ତା’ ହେଲେ ବୁଝିବି, ତୁମେ ପଥିକ ନଥିଲ। ତୁମେ କେବଳ ଥିଲ ଜଣେ କ୍ଳାନ୍ତ ପଦାତିକ। ତୁମେ ଛାୟା ଖୋଜି ପଥକୁ ଅସ୍ୱୀକାର କର ନାହିଁ। ପଥ ହିଁ ସତ୍ୟ। ଚାଲିବା ହିଁ ଧର୍ମ।”
କହିବା ଅନାବଶ୍ୟକ, ସୁରେନ୍ଦ୍ର ମହାନ୍ତିଙ୍କର ସେଦିନର ସେହି ଚିଠି, ଗଗନେନ୍ଦ୍ରନାଥ ଦାଶଙ୍କୁ ଜଣେ ପଥିକ ଭାବରେ ପୁଣି ପଥ ଚାଲିବାର ପ୍ରେରଣା ଦେଇଥିଲା। ଅଶୀତିପର ବୟସ ପର୍ଯ୍ୟନ୍ତ ଯେ ତାଙ୍କର ପଥଚାରଣ ଚାଲିଥିଲା, ତାହାର ପ୍ରମାଣ ‘ସୁରେନ୍ଦ୍ର ମହାନ୍ତି ସମାଲୋଚନାର ଅର୍ଘ୍ୟ ନିବେଦନ’। ତାଙ୍କର ବିୟୋଗ ଘଟିଲା ତାହା ପ୍ରକାଶ ପାଇବାର ଅଳ୍ପ କେତୋଟି ମାସ ପରେ, ୧୯ ନଭେମ୍ବର ୨୦୨୨ରେ।
ସୁରେନ୍ଦ୍ର ମହାନ୍ତି ମଧ୍ୟ ବ୍ୟତିକ୍ରମ ନୁହନ୍ତି। ତାଙ୍କର ପଥଚାରଣ ମଧ୍ୟ ଚାଲିଥିଲା ଶେଷଯାଏ। ୨୧ ଡିସେମ୍ବର ୧୯୯୦ରେ ତାଙ୍କର ବିୟୋଗ ଘଟିଲା। କିନ୍ତୁ ତାଙ୍କର ‘ଶେଷସ୍ତମ୍ଭ’ର ଶେଷ ଲେଖା ପ୍ରକାଶ ପାଇଥିଲା ତାହାର ମାତ୍ର ଛଅଦିନ ପୂର୍ବରୁ, ୧୫ ଡିସେମ୍ବର, ୧୯୯୦ରେ।
ଏ ତ ଗଲା ‘ପଥ’ର କଥା। କିନ୍ତୁ ତାଙ୍କ ‘ପୃଥିବୀ’ଟି ଥିଲା କିପରି? ଆମ ସମସ୍ତଙ୍କୁ ଜଣା- ଯେ ସେ ପୃଥିବୀ ତ୍ରିପୁର ପରି ତିନିଟି- ସାହିତ୍ୟ, ସାମ୍ବାଦିକତା ଓ ରାଜନୀତି।
‘ପଥ ଓ ପୃଥିବୀ’ର ‘ଉପୋଦ୍‌ଘାତ’ରେ ସୁରେନ୍ଦ୍ର ମହାନ୍ତି କହିଛନ୍ତି- “ସାହିତ୍ୟ ଓ ରାଜନୀତି, ମୋ ପକ୍ଷରେ ଉଭୟେ ଉଭୟର ପରିପୂରକ ହୋଇ ରହିଥିଲେ ହେଁ, ମୁଁ କିନ୍ତୁ ମୋର ଯୌବନର ଆରମ୍ଭରୁ ଏ ପର୍ଯ୍ୟନ୍ତ ବୃତ୍ତିଗତ ଭାବରେ ରହିଆସିଛି ଜଣେ ସାମ୍ବାଦିକ। ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ, ସାହିତ୍ୟ, ରାଜନୀତି ଓ ସାମ୍ବାଦିକତାକୁ ଏକତ୍ର ସମନ୍ୱିତ କରିବାପାଇଁ ମୁଁ ସେହି ଆରମ୍ଭ ଦିନରୁ ଚେଷ୍ଟା କରି ଆସିଛି।”
ଏହାର ଗୋଟିଏ ଉଦାହରଣ ମଧ୍ୟ ସେ ‘ପଥ ଓ ପୃଥିବୀ’ରେ ଦେଇଛନ୍ତି। ଉଦାହରଣଟି ହେଉଛି, ‘କୃଷ୍ଣଚୂଡ଼ା’। ସେ ଲେଖିଛନ୍ତି, “ଆଜିକୁ ପ୍ରାୟ ଚାଳିଶ ବର୍ଷ ତଳେ (ଏବକୁ ୭୭ ବର୍ଷ) ‘କୃଷ୍ଣଚୂଡ଼ା’ ଗଳ୍ପରେ, ସାମ୍ବାଦିକ ସଦାନନ୍ଦ କଳାଘୁମର ମେଘଢ଼ଙ୍କା ଆକାଶ ତଳେ ପୁଷ୍ପିତ କୃଷ୍ଣଚୂଡ଼ାର ଶୋଭା ଆଡ଼େ ଚାହିଁ ନିଜକୁ ନିଜେ ପଚାରିଥିଲା: ଏଇ ପୁଷ୍ପିତ କୃଷ୍ଣଚୂଡ଼ା ଆଜି ଦିନର ଶ୍ରେଷ୍ଠ ସମ୍ବାଦ ନହେବ କାହିଁକି?” ଏହା ଥିଲା ତାଙ୍କ ସୃଜନ-ଦୃଷ୍ଟିରେ ସାହିତ୍ୟ ଓ ସାମ୍ବାଦିକତାର ସମନ୍ୱୟ।
ସେହିପରି ରାଜନୀତି ବାବଦରେ ସେ ଲେଖିଛନ୍ତି, “ମୁଁ କାହିଁକି ଏକାଧିକ ବାର ଦଳ ପରିବର୍ତ୍ତନ କଲି, ସେ ସଂପର୍କରେ ମଧ୍ୟ ବହୁ ଟୀକା ଟିପ୍‌ପଣୀ ସଭାସମିତିଠାରୁ ଆରମ୍ଭ କରି ଖବରକାଗଜ ସ୍ତମ୍ଭକୁ ସୁଦ୍ଧା ଛିଟିକି ଆସିଛି। ଏଠାରେ କହି ରଖିବା ଉଚିତ, ମୁଁ ଥରେ ୧୯୬୦ ମସିହାରେ ଗଣତନ୍ତ୍ର ପରିଷଦରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଥିଲି। ପୁଣି ପରେ କଂଗ୍ରେସ ଛାଡ଼ି ଜନତା ଦଳରେ ଯୋଗ ଦେଇଥିଲି। ତା’ପରେ ୧୯୮୦ ମସିହାରେ ଜନତା ଦଳରେ କୁର୍ସୀ ପାଇଁ ସ୍ଥବିରମାନଙ୍କର ବିବାଦରେ କ୍ଷୁବ୍‌ଧ ଓ ହତାଶ ହୋଇ ମୁଁ ଜନତାଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲି। ଏସବୁ ଥିଲା ନୀତିଗତ ବିଚାର। ଏଥିରେ ମୋର କୌଣସି ଲାଭ ହୋଇନାହିଁ।”
ଏସବୁର କାରଣ ଓ ପୃଷ୍ଠଭୂମି ବିଶଦ ଭାବରେ ତାଙ୍କର ଜୀବନସ୍ମୃତି ‘ପଥ ଓ ପୃଥିବୀ’ରେ ଲିପିବଦ୍ଧ ହୋଇଛି। ତାହାର ଆଲୋଚନା ଏ ସଂକ୍ଷିପ୍ତ ପରିସରରେ ସମ୍ଭବ ନୁହେଁ। ତେବେ ସେ ନିଜେ ଏ ସଂପର୍କରେ କହିଛନ୍ତି, “ପାଠକମାନେ ଲକ୍ଷ୍ୟ କରିବେ, ଦଳ ମୁଁ ଛାଡ଼ିନାହିଁ; ଦଳସବୁ ମୋତେ ଛାଡ଼ିଛନ୍ତି- ମୋର ବେସାଲିସୀ, ଅନମନୀୟ ମନୋଭାବ ଯୋଗୁଁ। ପ୍ରତ୍ୟକ୍ଷ ଭାବରେ ରାଜନୀତିରେ ଜଡ଼ିତ ଥିବା ବେଳେ ମୁଁ ଅବଶ୍ୟ ବୁଝିପାରିନଥିଲି; କିନ୍ତୁ ଏବେ ପ୍ରତ୍ୟକ୍ଷ ରାଜନୀତିରୁ ବିଦାୟ ନେବା ପରେ ବୁଝୁଛି- ସାଂପ୍ରତିକ ରାଜନୀତିର ଅର୍ଥ ହେଉଛି ‘କମ୍ପ୍ରମାଇଜ୍‌’ ବା ସାଲିସ୍। ନିଜ ବିବେକ ଓ ବିଚାର ସହିତ ଯିଏ ଯେତେ ବେଶୀ ସାଲିସ୍ କରିପାରିଛି, ରାଜନୀତି କ୍ଷେତ୍ରରେ ସିଏ ସେତେ ବେଶୀ ସଫଳ ହୋଇପାରିଛି। ମାତ୍ର ମୁଁ ଲେଖକ ହୋଇଥିବାରୁ ଏପରି ସାଲିସ୍‌ର ଚିନ୍ତା ସୁଦ୍ଧା ମୋ ପକ୍ଷରେ ଦୁର୍ବିଷହ ହୋଇଉଠେ। ସେହି ଅଭିଜ୍ଞତାରୁ ମୁଁ ବୁଝିଛି- କୌଣସି ସଚ୍ଚୋଟ ସୃଷ୍ଟିଧର୍ମୀ ସାହିତ୍ୟିକ ସାଂପ୍ରତିକ ଭାରତୀୟ ରାଜନୈତିକ ପରିସ୍ଥିତିରେ ତିଷ୍ଠି ପାରିବା ସମ୍ଭବ ନୁହେଁ। ସ୍ୱାଧୀନତା ଆନ୍ଦୋଳନର କଥା ଥିଲା ଅବଶ୍ୟ ନିଆରା।”
ଏଇଥିପାଇଁ ତ ସୁରେନ୍ଦ୍ର ମହାନ୍ତି, ସେଦିନ ‘ନୀଳଶୈଳ’ରେ କହିଥିଲେ, “ଜହ୍ନର ଛାଇରେ ବା ବେଶ୍ୟାର ପ୍ରଣୟରେ ହୁଏତ ସ୍ଥିରତା ଥାଇପାରେ; ମାତ୍ର ରାଜନୀତିରେ ନାହିଁ।”
ତଥାପି, ‘ପଥ ଓ ପୃଥିବୀ’ରେ ସେ କହିଛନ୍ତି, “ରାଜନୀତି କହିଲେ ମୁଁ ବୁଝିଥିଲି ଗୋଟାଏ ସ୍ୱପ୍ନ, ଗୋଟାଏ ଆଦର୍ଶ ପ୍ରତିଷ୍ଠା କରିବାପାଇଁ ନିରବଚ୍ଛିନ୍ନ, ବେସାଲିସୀ ସଂଗ୍ରାମ। ରାଜନୀତିରେ ସେହି ସଂଜ୍ଞା ଦୃଷ୍ଟିରୁ ମୋର ରାଜନୈତିକ ଜୀବନର ସଫଳତା ସଂପର୍କରେ ମୁଁ ବେଶ୍ ଆସ୍ଥାବାନ୍।”
ଏ ପ୍ରସଙ୍ଗରେ, ‘ପଥ ଓ ପୃଥିବୀ’ର ୩୯ତମ ଅଧ୍ୟାୟ, ‘ରାଜନୀତିର ଭସ୍ମତଳୁ ପୁଣି…’ର ସ୍ମରଣ ଆମେ କରିପାରିବା। ତାହା ଥିଲା ସେହି ସମୟ, ଯେତେବେଳେ ୧୯୬୭ ନିର୍ବାଚନରେ ପରାସ୍ତ ହେବା ପରେ, ସେ ଆରମ୍ଭ କରିଥିଲେ ‘ଶତାବ୍ଦୀର ସୂର୍ଯ୍ୟ’ର ରଚନା। ସେଥିପାଇଁ ସେହି ଅଧ୍ୟାୟର ଆରମ୍ଭରେ ସେ ଲେଖିଛନ୍ତି, “ମୋ ଜୀବନରେ ପ୍ରଥମେ ମୁଁ ଦୁଇଟା ଇଞ୍ଜିନ୍ ଧରି ଉଡ଼ିବା ଆରମ୍ଭ କରିଥିଲି- ଗୋଟିଏ ଇଞ୍ଜିନ ସାହିତ୍ୟ, ଅନ୍ୟଟି ସାମ୍ବାଦିକତା। ତା’ପରେ ଆଉ ଗୋଟିଏ ଇଞ୍ଜିନ୍ ଧରିଲି- ପାର୍ଲାମେଣ୍ଟାରୀ ରାଜନୀତି। ତେଣୁ ମଝି ଆକାଶରେ ଉଡ଼ୁ ଉଡ଼ୁ ଦୁଇଟା ଇଞ୍ଜିନ୍ ଅଚଳ ହୋଇଗଲେ ବି ମୋର ତଳେ ପଡ଼ିବାର ଭୟ ନଥିଲା। ସେଥିପାଇଁ ମୁଁ ଅନ୍ୟମାନଙ୍କୁ ବରାବର କହି ଆସିଛି- ତୁମେ ସବୁ ଯଦି ପଞ୍ଜୁରିରେ ବରଫଳ ଖିଆ ଛାଡ଼ି, ଦୂର ଆକାଶରେ ଉଡ଼ିବାକୁ କେବେ ଚେଷ୍ଟାକର, ତେବେ ଗୋଟାଏ ଇଞ୍ଜିନ୍ ଉପରେ ଆଶା କରନାହିଁ। ଥରେ କ୍ରାସ୍ କଲେ ସେଇଠି ଖତମ୍। ମୋ ଜୀବନରେ କିନ୍ତୁ ତିନି-ଇଞ୍ଜିନ୍‌-ଫର୍ମୁଲା ମୋତେ କେବେ କ୍ରାସ୍ କରିବାକୁ ଦେଇନାହିଁ। ଗ୍ରୀକ୍ ଉପକଥାର ଫେନିକସ୍ ପରି ମୁଁ ସବୁବେଳେ ପାଉଁଶ ଗଦା ଭିତରୁ ପୁଣି ନୂଆ ଡେଣା ମେଲି ଆକାଶକୁ ଉଠିଛି।”
ଏଣୁ ୧୯୬୭ ନିର୍ବାଚନରେ ପରାସ୍ତ ହେବାପରେ, ଆମେ ସୁରେନ୍ଦ୍ର ମହାନ୍ତିଙ୍କୁ ଦେଖିଛୁ ନୂଆ ‘ପଥ’ ଓ ନୂଆ ‘ପୃଥିବୀ’ରେ।
ମୋ: ୯୪୩୭୦ ୩୪୮୦୪

ସମ୍ବନ୍ଧିତ ଖବର