ଯେତେବେଳେ ଏକ ଦେଶର ଅର୍ଥନୀତି ଘୋର ମାନ୍ଦା ଅବସ୍ଥା ଦେଇ ଗତି କରୁଥାଏ, ଯେଉଁ ଏକ ଅନୁଷ୍ଠାନ ଅର୍ଥନୀତିକୁ ଏଥିରୁ ମୁକୁଳାଇବ ବୋଲି ସମସ୍ତେ ଆଶା ବାନ୍ଧି ରହିଥାନ୍ତି, ତାହା ହେଉଛି ସେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍ (ଆମ ଦେଶରେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ତିଆ)। କେନ୍ଦ୍ରୀୟ ବ୍ୟାଙ୍କ୍ ମୁଖ୍ୟତଃ ଦୁଇଟି ଉପାୟରେ ଏହି ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରିଥାଏ। ଗୋଟିଏ ହେଉଛି ସୁଧ ହାରରେ ହ୍ରାସ। କେନ୍ଦ୍ରୀୟ ବ୍ୟାଙ୍କ୍ ସୁଧ ହାରରେ ହ୍ରାସ ଘଟାଇଲେ ଅନ୍ୟ ବ୍ୟାଙ୍କ୍ମାନେ ଦେଉଥିବା ଋଣ ଉପରେ ସୁଧ ହାର ହ୍ରାସ କରିବେ ଏବ˚ ସ˚ଗ୍ରହ କରୁଥିବା ଜମା ଉପରେ ଗ୍ରାହକମାନଙ୍କୁ ଦେଉଥିବା ସୁଧ ହାରରେ ମଧୢ ହ୍ରାସ ଘଟାଇବେ।
ଏହା ଦୁଇଟି ସମ୍ଭାବ୍ୟ ପରିଣତି ସୃଷ୍ଟି କରିପାରେ। ଋଣ ଉପରେ ସୁଧ ହାର କମ୍ ହେଲେ ଉଭୟ ନିବେଶକ ତଥା ସାଧାରଣ ଲୋକମାନେ ଅଧିକ ପରିମାଣର ଋଣ ନେଇ ଖର୍ଚ୍ଚ କରିବେ, ଯାହା ଦ୍ବାରା ବଜାରରେ ଚାହିଦା ବୃଦ୍ଧି ପାଇବ। ଅନ୍ୟଟି ହେଲା, ଜମା ଉପରେ ମିଳୁଥିବା ସୁଧ ହାର ହ୍ରାସ ପାଇଲେ ଲୋକମାନେ ଅଧିକ ସଞ୍ଚୟ କରିବାକୁ ନଚାହିଁ, ଆୟର ଅଧିକ ଅ˚ଶ ଖର୍ଚ୍ଚ କରିବାକୁ ପସନ୍ଦ କରିବେ, ଯାହା ବଜାରରେ ଚାହିଦା ବୃଦ୍ଧି କରିବ। ଅର୍ଥନୀତିରେ ଉତ୍ପାଦନ କ୍ଷମତା ଅବ୍ୟବହୃତ ହୋଇ ପଡ଼ି ରହିଥିଲେ ଅର୍ଥାତ୍ ବେକାରି ହାର ଉଚ୍ଚା ଥିଲେ, ଚାହିଦାରେ ବୃଦ୍ଧି ଉତ୍ପାଦନକୁ ପ୍ରୋତ୍ସାହନ ଦେଇ ସକ୍ରିୟ କରିବ। ଶେଷରେ ଅର୍ଥନୀତିର ମାନ୍ଦା ଅବସ୍ଥା ଦୂର ହେବ। ଏପରି ସମୟରେ ସୁଧ ହାରରେ ହ୍ରାସ ଅନ୍ୟ ସମୟରେ ଆଶଙ୍କା କରାଯାଉଥିବା ଭଳି ମୁଦ୍ରାସ୍ଫୀତିକୁ ଜନ୍ମ ଦେବ ନାହିଁ, କାରଣ ଏହାଦ୍ବାରା ଚାହିଦାରେ ବୃଦ୍ଧି ସହିତ ତାଳ ଦେଇ ଉତ୍ପାଦନରେ ବୃଦ୍ଧି ଘଟିବ। ବଜାରରେ ଜିନିଷପତ୍ର ଯୋଗାଣ ଅଧିକ ହୋଇ ଚାଲିବ। କିନ୍ତୁ ଏପରି ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ ସୁଧ ହାର କେଉଁ ସୀମା ପର୍ଯ୍ୟନ୍ତ ହ୍ରାସ କରି ଚାଲି ପାରିବ? ଅବିଶ୍ବାସ୍ୟ ଭାବରେ ଦେଖାଗଲାଣି ଜାପାନ ଓ କେତେକ ଇଉରୋପୀୟ ଦେଶ ମାନଙ୍କରେ କେନ୍ଦ୍ରୀୟ ବ୍ୟାଙ୍କ୍ମାନେ ସେମାନଙ୍କର ସୁଧ ହାରକୁ ହ୍ରାସ କରି କରି କେବଳ ଶୂନ୍ୟରେ ପହଞ୍ଚାଇ ଦେଇ ନାହାନ୍ତି, ଶୂନ୍ୟ ତଳକୁ ଖସାଇ ଋଣାତ୍ମକ ମଧୢ କରି ଦେଲେଣି। ତଥାପି ଚାହିଦାରେ ବୃଦ୍ଧି ଘଟୁନାହିଁ, କି ଦରଦାମ୍ ବୃଦ୍ଧି ପାଉନାହିଁ। ଜମା ଉପରେ ସୁଧ ହାର ଶୂନ୍ୟ ହେଲେ ସମ୍ଭାବ୍ୟ ଜମାକାରୀମାନେ ବ୍ୟାଙ୍କ୍ରେ ସଞ୍ଚୟ ଜମା ନକରି ନିଜ ଘରେ ନଗଦ ପଇସା ଠୁଳ କରି ଆଲମାରି ଭିତରେ, ବିଛଣା ତଳେ କି ତକିଆ ଭିତରେ ଲୁଚାଇ ସାଇତି ରଖିବାକୁ ପସନ୍ଦ କରନ୍ତି।
କେନ୍ଦ୍ରୀୟ ବ୍ୟାଙ୍କ୍ ପାଖରେ ଉପଲବ୍ଧ ଅନ୍ୟ ଉପାୟଟି ହେଉଛି ଖୋଲା ବଜାରରେ ଋଣପତ୍ର କ୍ରୟ କରି ଅର୍ଥନୀତିରେ ନୂତନ ମୁଦ୍ରା ପ୍ରବେଶ କରାଇବା। କିନ୍ତୁ ଏ ନୂତନ ରାଶି ଯଦି ଖର୍ଚ୍ଚ ନହୋଇ ନିଷ୍କ୍ରିୟ ହୋଇ ପଡ଼ି ରହେ, ତେବେ ବଜାରରେ ଚାହିଦା ଅବସ୍ଥାରେ କୌଣସି ଆଶାଜନକ ଉନ୍ନତି ଘଟିବ ନାହିଁ। ଯେମିତି କୁହାଯାଇଥାଏ, ଘୋଡ଼ାକୁ ସିନା ଟାଣି ଟାଣି ପାଣି ପାଖକୁ ଭିଡ଼ି ନିଆଯାଇପାରେ, କିନ୍ତୁ ଘୋଡ଼ାର ଯଦି ଶୋଷ ନଥାଏ, ତାକୁ ଜୋରଜବରଦସ୍ତ ପାଣି ପିଆଇ ହେବ ନାହିଁ। ରହସ୍ୟରେ କୁହାଯାଇଥାଏ, କେନ୍ଦ୍ରୀୟ ବ୍ୟାଙ୍କ କେବଳ ଋଣପତ୍ର କ୍ରୟ ନ କରି ଯଦି ବଜାରରୁ ସବୁ ପ୍ରକାର ଜିନିଷପତ୍ର ମଧୢ କ୍ରୟ କରନ୍ତା, ତା’ହେଲେ ଏ ଟଙ୍କା ବଙ୍କା ବାଟରେ ଯିବା ପରିବର୍ତ୍ତେ ସିଧାସଳଖ ବଜାରରେ ଚାହିଦାରେ ବୃଦ୍ଧି ଘଟାଇ ପାରନ୍ତା। ଅବଶ୍ୟ ପୃଥିବୀରେ କୌଣସି କେନ୍ଦ୍ରୀୟ ବ୍ୟାଙ୍କ୍ ବର୍ତ୍ତମାନ ପର୍ଯ୍ୟନ୍ତ ଏ ପରି ପ୍ରତ୍ୟକ୍ଷ କ୍ରୟ କୌଶଳ ଅବଲମ୍ବନ କରିବା ଦେଖାଯାଇନାହିଁ। କିନ୍ତୁ ଭବିଷ୍ୟତରେ ଏଭଳି ଘଟିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ, କାରଣ କେତେ ବର୍ଷ ତଳେ କିଏ କଳ୍ପନା ମଧୢ କରିଥିଲା ଯେ ଏପରି ଏକ ଦିନ ଆସିବ ଯେତେବେଳେ ଏକ କେନ୍ଦ୍ରୀୟ ବ୍ୟାଙ୍କ୍ ସୁଧ ହାରକୁ ଶୂନ୍ୟ ଓ ଏପରିକି ଶୂନ୍ୟ ତଳକୁ ମଧୢ ଖସାଇ ଦେବ?
ଭାରତୀୟ ଅର୍ଥନୀତି ଯେ ବର୍ତ୍ତମାନ ଏକ ଭୀଷଣ ମାନ୍ଦା ଅବସ୍ଥା ଦେଇ ଗତି କରୁଛି, ଏହା ସୂଚାଇବା ଅନାବଶ୍ୟକ। ତେଣୁ ସ୍ବାଭାବିକ ଭାବରେ ଏହାର ମୁକାବିଲା କରିବାରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଭୂମିକା ଉପରେ ସମସ୍ତଙ୍କର ନଜର କେନ୍ଦ୍ରୀଭୂତ। ଚୀନା କରୋନା ଜନିତ ମାନ୍ଦାବସ୍ଥା ଅର୍ଥନୀତିକୁ ଆକ୍ରାନ୍ତ କରିବା ବହୁ ପୂର୍ବରୁ ରିଜର୍ଭ ବ୍ୟାଙ୍କ୍ କିନ୍ତୁ ନିଜ ସମ୍ମୁଖରେ ଯେଉଁ ଲକ୍ଷ୍ୟ ସ୍ଥାପନ କରିଥିଲା, ତାହା ବର୍ତ୍ତମାନ ପରିସ୍ଥିତିର ମୁକାବିଲା କରିବା ପାଇଁ କେତେଦୂର ଉପଯୋଗୀ, ତାହା ଏବେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଲକ୍ଷ୍ୟ ସ୍ଥାପିତ ହୋଇଥିଲା ୨୦୧୫ ଫେବ୍ରୁଆରିରେ ଯେତେବେଳେ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ୍ ମଧୢରେ ଏକ ବୁଝାମଣା ପ୍ରସ୍ତୁତ ହୋଇଥିଲା। ଏଥିରୁ ଯେଉଁ ନୂତନ ଆର୍ଥିକ ଢାଞ୍ଚା ଜନ୍ମ ନେଇଥିଲା, ତାର କେନ୍ଦ୍ରରେ ଥିଲା ଯେଉଁ ନିଶାଣ, ତାହା ହେଲା ମୁଦ୍ରାସ୍ଫୀତି ନିୟନ୍ତ୍ରଣ। ଏହି ନୀତିର ବିଧିବଦ୍ଧ ନାମକରଣ ତେଣୁ ହେଉଛି ‘ମୁଦ୍ରାସ୍ଫୀତି ନିଶାଣ’ (‘ଇନ୍ଫ୍ଲେସନ୍ ଟାର୍ଗେଟିଙ୍ଗ୍’)।
ଏହି ନିଶାଣ ଭେଦ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ ପାଖରେ ଥିବା ପାଶୁପତ ତୀର ହେଉଛି- ‘ରେପୋରେଟ୍’ ବା ରିଜର୍ଭ ବ୍ୟାଙ୍କ୍ ଦେଉଥିବା ଋଣ ଉପରେ ବ୍ୟାଙ୍କ୍ ମାନଙ୍କଠାରୁ ଆଦାୟ କରୁଥିବା ସୁଧର ହାର (ବ୍ୟାଙ୍କ୍ମାନେ ରିଜର୍ଭ ବ୍ୟାଙ୍କ୍ରେ ରଖୁଥିବା ଜମା ଉପରେ ରିଜର୍ଭ ବ୍ୟାଙ୍କ୍ ସେମାନଙ୍କୁ ଏହାଠାରୁ କିଛି କମ୍ ହାରରେ ଦେଉଥିବା ସୁଧ ହେଉଛି ‘ରିଭର୍ସ ରେପୋରେଟ୍’ ବା ଓଲଟ ରେପୋରେଟ୍)। ରିଜର୍ଭ ବ୍ୟାଙ୍କ୍ର ମୁଦ୍ରାନୀତି ନିର୍ଦ୍ଧାରଣକାରୀ କମିଟି (‘ମନିଟାରି ପଲିସି କମିଟି’- ‘ଏମ୍ପିସି’) ସମ୍ମୁଖରେ ଯେଉଁ ନିଶାଣ ସ୍ଥାପନ କରାଯାଇଥିଲା, ତାହା ହେଲା- ବାର୍ଷିକ ମୁଦ୍ରାସ୍ଫୀତି ହାରକୁ ୪%ରେ ରଖିବା। ‘ଏମ୍ପିସି’କୁ ଅବଶ୍ୟ ଏଥିପାଇଁ ୨% କୋହଳ ସହନ ସୀମା ମଧୢରେ କାର୍ଯ୍ୟ କରିବାର ସ୍ବାଧୀନତା ପ୍ରଦାନ କରାଯାଇଥିଲା। ଅର୍ଥାତ୍ ‘ଏମ୍ପିସି’ ମୁଦ୍ରାସ୍ଫୀତି ହାରକୁ ୨% ରୁ ୬% ମଧୢରେ ରଖିପାରିଲେ, ତାହା ଗ୍ରହଣୀୟ ହେବ। ଏଥିରୁ ସ୍ପଷ୍ଟ ଯେ ଦେଶରେ ଦରଦାମ୍କୁ ସ୍ଥିର ରଖିବା ‘ଏମ୍ପିସି’ର ଏକମାତ୍ର ଦାୟିତ୍ବରେ ପରିଣତ ହେଲା। ସୂଚନାଯୋଗ୍ୟ ଏଥି ପୂର୍ବରୁ ଦରଦାମ ସ୍ଥିର ରଖିବା ସହିତ ଅର୍ଥନୈତିକ ଅଭିବୃଦ୍ଧିକୁ ସହାୟତା ପ୍ରଦାନ କରିବା ଥିଲା ରିଜର୍ଭ ବ୍ୟାଙ୍କ୍ର ଯୁଗ୍ମ ଦାୟିତ୍ବ।
ଏହା ଅନୁଯାୟୀ ପ୍ରତି ଦୁଇ ମାସରେ ଥରେ ସ୍ଥିତିର ସମୀକ୍ଷା କରିବା ପାଇଁ ‘ଏମ୍ପିସି’ର ବୈଠକ ବସିଥାଏ। ଯଦି ଧାର୍ଯ୍ୟ ଲକ୍ଷ୍ୟ ଠାରୁ ମୁଦ୍ରାସ୍ଫୀତି ହାର ଅଧିକ ଥାଏ, ତେବେ ତାହାକୁ ଲଗାମ ଦେବା ପାଇଁ ‘ଏମ୍ପିସି’ ରେପୋ ରେଟ୍ରେ ବୃଦ୍ଧି ଘଟାଏ। ଅପରପକ୍ଷେ ମୁଦ୍ରାସ୍ଫୀତି ହାର ଯଦି ଧାର୍ଯ୍ୟ ଲକ୍ଷ୍ୟ ଠାରୁ ତଳେ ଥାଏ, ତେବେ ତାହାକୁ ଉପରକୁ ଉଠାଇବା ପାଇଁ ‘ଏମ୍ପିସି’ ‘ରେପୋ ରେଟ୍’ରେ ହ୍ରାସ ଘଟାଏ। ଯେଉଁ ମୁଦ୍ରାସ୍ଫୀତି ହାରକୁ ଏଥିପାଇଁ ବିଚାରକୁ ନିଆଯାଏ, ତାହା ହେଉଛି ଖାଉଟି ମୁଦ୍ରାସ୍ଫୀତି ହାର। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ମାସରେ ପ୍ରକାଶିତ ମୁଦ୍ରାସ୍ଫୀତି ହାର ଥିଲା ସର୍ବୋଚ୍ଚ ସୀମା ୬% ଉପରେ- ୬.୯୩%। ରିଜର୍ଭ ବ୍ୟାଙ୍କ୍ ନିର୍ଦ୍ଧାରଣ କରିଥିବା ‘ରେପୋ ରେଟ୍’ ବର୍ତ୍ତମାନ ହେଉଛି ୪%। ତେଣୁ ଅନୁସୃତ ନୀତି ଅନୁସାରେ ରିଜର୍ଭ ବ୍ୟାଙ୍କ୍ ବର୍ତ୍ତମାନ ମୁଦ୍ରାସ୍ଫୀତି ହାରକୁ ତଳକୁ ଖସାଇବା ପାଇଁ ରେପୋ ରେଟ୍ରେ ବୃଦ୍ଧି ଘଟାଇବା ଆବଶ୍ୟକ। କିନ୍ତୁ ସୁଧ ହାରରେ ବୃଦ୍ଧି କରିବାର ପରିଣାମ ହେବ ବଜାରରେ ଚାହିଦାର ସ˚କୋଚନ ଘଟାଇବା। ଅସ୍ବାଭାବିକ ସମୟରେ ସମସ୍ୟାର ସମାଧାନ ପାଇଁ ଅସ୍ବାଭାବିକ ଉପାୟ ଅବଲମ୍ବନ କରାଯାଇଥାଏ। ବର୍ତ୍ତମାନ ତେଣୁ ମୁଦ୍ରାସ୍ଫୀତିକୁ ଗୁରୁତ୍ବ ପ୍ରଦାନ ନକରି ଅର୍ଥନୀତିର ଉଦ୍ଧାରକୁ ପ୍ରାଥମିକତା ପ୍ରଦାନ କରି ସୁଧ ହାରରେ ହ୍ରାସ ଘଟାଇବା ଏବ˚ ମୁଦ୍ରା ଯୋଗାଣରେ ବୃଦ୍ଧି ଘଟାଇବା ଏକ ପ୍ରକାର ଅପରିହାର୍ଯ୍ୟ ହୋଇ ପଡ଼ିଲାଣି। ପୁଣି ଉପରେ ଉଦ୍ଧୃତ ମୁଦ୍ରାସ୍ଫୀତି ହାର ମଧୢ ସାମାନ୍ୟ ଭ୍ରମାତ୍ମକ, କାରଣ ଏଥିରେ ଖାଦ୍ୟ ଓ ଇନ୍ଧନ ଦର ଅନ୍ତର୍ଭୁକ୍ତ ଯାହା କେବଳ ମୁଦ୍ରାନୀତି ଦ୍ବାରା ପ୍ରଭାବିତ ହୋଇ ନଥାନ୍ତି। ଭାରତରେ ସୁଧ ହାର ଏ ପର୍ଯ୍ୟନ୍ତ ଶୂନ୍ୟ ଛୁଇଁ ନାହିଁ। ଏଣୁ ବର୍ତ୍ତମାନ ସମୟରେ ୨୦୧୫ର ରାଜିନାମାକୁ ସାମୟିକ ଭାବରେ ସ୍ଥଗିତ କରି ମୁଦ୍ରାସ୍ଫୀତିକୁ ଗୁରୁତ୍ବ ପ୍ରଦାନ ନକରି ରିଜର୍ଭ ବ୍ୟାଙ୍କ୍ ସୁଧ ହାରରେ ହ୍ରାସ ଘଟାଇବା ସହିତ ସରକାରଙ୍କ ହାତରେ ଅଧିକ ଅର୍ଥ ଉପଲବ୍ଧ କରାଇବା ଉଚିତ। ଅର୍ଥନୀତିର ଉଦ୍ଧାର ତା’ର ନୂତନ ଲକ୍ଷ୍ୟ ହେବା ଦରକାର।