ହାତ ସଫେଇ

କେତେ ଦିନ ତଳେ ଏକ ଖବର ପ୍ରକାଶ ପାଇଥିଲା ଯେ କେନ୍ଦ୍ର ସରକାର କରୋନାଗ୍ରସ୍ତ ଅର୍ଥନୀତିକୁ ଉଦ୍ଧାର କରିବା ନିମନ୍ତେ ଯେଉଁ ଦ୍ବିତୀୟ କିସ୍ତି ବିତ୍ତୀୟ ପ୍ରୋତ୍ସାହନ ପ୍ରଦାନର ପରିକଳ୍ପନା କରୁଛନ୍ତି, ତାହା ବିଶେଷ ଭାବରେ ନିମ୍ନମଧୢବିତ୍ତ/ମଧୢବିତ୍ତ ଶ୍ରେଣୀ ପ୍ରତି ଉଦ୍ଦିଷ୍ଟ ହେବାକୁ ଯାଉଛି। ସୋମବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେଉଁ ଏକ ସ୍କିମ୍‌ ଘୋଷଣା କରିଛନ୍ତି, ତାହା ଯଦି ଏହି ପ୍ରୋତ୍ସାହନର ସ୍ବରୂପ ହୋଇଥାଏ, ତେବେ ଏହା ଯେ ଏକ ବିଶୁଦ୍ଧ ହାତ ସଫେଇ ମାତ୍ର, ଏହା ଅନ୍ୟମାନଙ୍କ କଥା ଛାଡ଼, ଯେଉଁମାନଙ୍କ ପ୍ରତି ସ୍କିମ୍‌ଟି ଉଦ୍ଦିଷ୍ଟ, ସେମାନଙ୍କୁ ମଧୢ ଅଛପା ନଥିବ। ପ୍ରଥମ ଦଫାରେ ଯେମିତି ପ୍ରୋତ୍ସାହନ ପ୍ରଦାନ ନାମରେ କେବଳ କେତେଗୁଡ଼ିଏ ଋଣ ପ୍ରଦାନ ପ୍ରସ୍ତାବ ଘୋଷଣା କରାଯାଇଥିଲା, ଏଥର ତା’ଠାରୁ ଆଉ ପାଦେ ଆଗକୁ ଯାଇ ସରକାର ମାଛ ତେଲରେ ମାଛ ଭାଜିବାକୁ ଚେଷ୍ଟା କରିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।

ଏହା ସ୍ପଷ୍ଟ କରିବା ପୂର୍ବରୁ, ବର୍ତ୍ତମାନର ପ୍ରସ୍ତାବର ଯେଉଁ ଏକ ମୌଳିକ ଅନ୍ୟାୟ ପ୍ରତି ଦୃଷ୍ଟି ଆକର୍ଷଣ କରିବା ଉଚିତ ହେବ, ତାହା ହେଲା- ସରକାର ଏହା ମାଧୢମରେ ତେଲିଆ ମୁଣ୍ତରେ ତେଲ ଢାଳିବାକୁ ଲକ୍ଷ୍ୟ ରଖିଛନ୍ତି। ଚୀନା କରୋନା ଦ୍ବାରା ଦେଶର ଅର୍ଥନୀତି କ୍ଷତ ବିକ୍ଷତ ହୋଇ ପଡ଼ିଥିବା ବେଳେ ଯେଉଁ ଏକମାତ୍ର ଗୋଷ୍ଠୀ ଏଥିରୁ ପ୍ରାୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛନ୍ତି, ସେମାନେ ହେଉଛନ୍ତି ସରକାରୀ କର୍ମଚାରୀ ମାନେ। ଉଭୟ ଘରୋଇ ସ˚ଗଠିତ ଓ ଅସ˚ଗଠିତ କ୍ଷେତ୍ରରେ ଲୋକମାନେ ନିଯୁକ୍ତି ଓ ଆୟ ହରାଇବାରେ ଲାଗିଥିବା ବେଳେ ସରକାରୀ କର୍ମଚାରୀମାନେ ଏ ପର୍ଯ୍ୟନ୍ତ ଏ ଦୁଇଟି ବିପର୍ଯ୍ୟୟରୁ କରଦାତାମାନଙ୍କର ସଦିଚ୍ଛା ବଳରେ ପ୍ରାୟ ସମ୍ପୂର୍ଣ୍ଣ ରୂପେ ରକ୍ଷା ପାଇଛନ୍ତି। ବର୍ତ୍ତମାନ ସୀତାରମଣ ଯେଉଁ ସ୍କିମ୍‌ ଘୋଷଣା କରିଛନ୍ତି ତାହା କେବଳ ଏହି ସୁରକ୍ଷିତ ଗୋଷ୍ଠୀ ପାଇଁ ଉଦ୍ଦିଷ୍ଟ। ଏଥର ସ୍କିମ୍‌ଟି ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କରାଯାଉ। ସରକାରୀ କର୍ମଚାରୀମାନେ ଉପଭୋଗ କରୁଥିବା ବିଭିନ୍ନ ସୁବିଧା ସୁଯୋଗମାନଙ୍କ ମଧୢରେ ଅନ୍ତର୍ଭୁକ୍ତ ଥିବା ଗୋଟିଏ ହେଉଛି ସେମାନେ ଛୁଟି ନେଇ ଭ୍ରମଣ କରିବା ଖର୍ଚ୍ଚ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ସରକାର ଅର୍ଥାତ୍‌ କରଦାତାମାନେ ବହନ କରିଥାନ୍ତି। ବର୍ତ୍ତମାନର ପାଣ୍ତେମିକ୍‌ ସମୟରେ ଭ୍ରମଣରେ ବାହାରିବା ସମ୍ଭବ ନୁହେଁ, ଏଣୁ ସେ ବାବଦରେ ମିଳୁଥିବା ସରକାରୀ ସହାୟତା ବା ‘ଏଲ୍‌ଟିସି’ ସେମାନଙ୍କୁ ହରାଇବାକୁ ପଡ଼ନ୍ତା। ସରକାର ଘୋଷଣା କରିଥିବା ସ୍କିମ୍‌ ଅନୁସାରେ ଯେଉଁ ସରକାରୀ କର୍ମଚାରୀମାନେ ସେମାନେ ପାଇବାକୁ ଥିବା ‘ଏଲ୍‌ଟିସି’ର ତିନିଗୁଣ ପରିମାଣର ଅର୍ଥ ବଜାରରେ ଜିନିଷପତ୍ର କ୍ରୟରେ ଖର୍ଚ୍ଚ କରିବେ ସେମାନଙ୍କୁ ସେମାନଙ୍କର ‘ଏଲ୍‌ଟିସି’ ଅର୍ଥ ସରକାର ବିନା ଭ୍ରମଣରେ ମଧୢ ପ୍ରଦାନ କରି ଦେବେ। ଏଥିରେ ଆଉ ଏକ ସର୍ତ୍ତ ମଧୢ ରହିଛି। ସମ୍ପୃକ୍ତ ସରକାରୀ କର୍ମଚାରୀ ଯେଉଁ ଜିନିଷପତ୍ର କ୍ରୟ କରିବେ, ସେ ସମସ୍ତ ଉପରେ ଅନ୍ତତଃ ୧୨% ହାରରେ ଜିଏସ୍‌ଟି ଲାଗୁ ହୋଇଥିବା ଆବଶ୍ୟକ।

ଅନ୍ୟ ଭାଷାରେ କହିଲେ, ସମ୍ପୃକ୍ତ ହିତାଧିକାରୀ ସରକାରୀ କର୍ମଚାରୀମାନେ ସେମାନଙ୍କର ଏହି କ୍ରୟ ରାଶି ଉପରେ ଏକ ତୃତୀୟା˚ଶ ବା ୩୩.୩% ରିହାତି ପାଇବେ, ଯାହାକୁ ଭରଣା କରିବେ ସରକାର। ତେବେ ସରକାର ରଖିଥିବା ‘ଜିଏସ୍‌ଟି’ ସର୍ତ୍ତ ଯୋଗୁଁ ଏଥିରୁ ୧୨% ଅର୍ଥ ପୁଣି ସରକାରଙ୍କ ତହବିଲକୁ ମଧୢ ଫେରିଯିବ। ଅନ୍ୟ ସମସ୍ତଙ୍କ ଭଳି ସରକାରଙ୍କର ମଧୢ ହୃଦ୍‌ବୋଧ ହେଲାଣି ଯେ ଅର୍ଥନୀତିର ଚାହିଦା ପାର୍ଶ୍ବ ବର୍ତ୍ତମାନ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଅଛି, ଯଦିବା ଯୋଗାଣ ପାର୍ଶ୍ବରେ ଥିବା ବିଭିନ୍ନ କରୋନା ଜନିତ ପ୍ରତିବନ୍ଧମାନ କ୍ରମେ ହଟିବାକୁ ଆରମ୍ଭ କଲାଣି। ସୀତାରମଣ ତାଙ୍କର ସାମ୍ବାଦିକ ସମ୍ମିଳନୀରେ ମଧୢ ଏହାର ଉଲ୍ଲେଖ କରିବା ଦେଖା ଯାଇଥିଲା। ବଜାରରେ ଚାହିଦାକୁ ଉପରକୁ ଉଠାଇବା ପାଇଁ ଏହି ‘ଏଲ୍‌ଟିସି’ ପ୍ରଦାନ କୌଶଳ ବ୍ୟତୀତ ସୀତାରମଣ ଆଉ ଏକ ପଦକ୍ଷେପ ଘୋଷଣା କରିଛନ୍ତି- ଏକ ବିଶେଷ ଉତ୍ସବ ଋଣ ବା ‘ସ୍ପେସାଲ୍‌ ଫେଷ୍ଟିଭାଲ୍‌ ଆଡ୍‌ଭାନ୍‌ସ’। ଏହା ମଧୢ ହେଉଛି ଆଉ ଏକ ଋଣ ଯୋଜନା ଭଳି, ଯାହା ଅନୁସାରେ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀମାନେ ପୂଜା ଉତ୍ସବ ସମୟରେ ମନଖୁସିରେ ଖର୍ଚ୍ଚ କରିବା ପାଇଁ ୧୦,୦୦୦ ଟଙ୍କାର ସୁଧହୀନ ଋଣ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ଏହା ଅବଶ୍ୟ ଆଉ ଏକ କଥା ଯେ ସେଇ ସରକାର କୋଭିଡ୍‌ ଯୋଗୁଁ ଉତ୍ସବ ପାଳନ ଠାରୁ ଦୂରେଇ ରହିବା ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେଇ ଚାଲିଛନ୍ତି। ତେବେ ହାତକୁ ଟଙ୍କା ଆସିଲେ ଏହି ବେତନଭୋଗୀ ସରକାରୀ କର୍ମଚାରୀମାନେ ତୁରନ୍ତ ବଜାରମୁହାଁ ହୋଇ ତାହା ଖର୍ଚ୍ଚ କରି ଦେବେ, ଯାହା ଅର୍ଥନୀତିରେ ସାମଗ୍ରିକ ଚାହିବାରେ ସ୍ଫୀତି ଘଟାଇବ ବୋଲି ସରକାର ବିଶ୍ବାସ କରୁଛନ୍ତି।

ଅର୍ଥଶାସ୍ତ୍ରର ଭାଷାରେ କହିଲେ, ସମାଜର ଏହି ବର୍ଗର ସଦସ୍ୟମାନଙ୍କର ଖର୍ଚ୍ଚ କରିବାର ସୀମାନ୍ତ ପ୍ରବୃତ୍ତି ବେଶ୍‌ ଉଚ୍ଚା ବୋଲି ଧରି ନେଇ ସରକାର ସେଇମାନଙ୍କ ପକେଟ୍‌ରେ ଅତିରିକ୍ତ ପଇସା ଭର୍ତ୍ତି କରିବା ପାଇଁ ଏଭଳି ଯୋଜନା କରିଛନ୍ତି। ଏହା କିନ୍ତୁ ସାମଗ୍ରିକ ଦୃଷ୍ଟିରୁ ଦେଖିଲେ ନୂତନ ପଇସା ନୁହେଁ; ସେଇମାନଙ୍କର ପ୍ରାପ୍ୟକୁ ହିଁ ବୁଲାଇ ବଙ୍କାଇ ସେଇମାନଙ୍କ ପକେଟ୍‌ରେ ଭର୍ତ୍ତି କରାଯାଉଛି; ସରକାର ନୂତନ ଖର୍ଚ୍ଚ କରୁନାହାନ୍ତି। ଯଦି ଖର୍ଚ୍ଚ କରିବାର ପ୍ରବୃତ୍ତି ଆକଳନ କରାଯାଏ, ତା’ହେଲେ ସମାଜର ଯେଉଁ ସଦସ୍ୟମାନେ ନିଯୁକ୍ତି ହରାଇଛନ୍ତି କିମ୍ବା ଆୟ ହରାଇଛନ୍ତି, ସେମାନଙ୍କର ଖର୍ଚ୍ଚ କରିବାର ପ୍ରବୃତ୍ତି ହେବ ସର୍ବୋଚ୍ଚ। ସରକାର ଯଦି ଏଭଳି ହାତ ସଫେଇ ଦେଖାଇବାକୁ ଚେଷ୍ଟା ନ କରି ପ୍ରକୃତରେ ଖର୍ଚ୍ଚ କରି ସେମାନଙ୍କ ପକେଟ୍‌ରେ କ୍ରୟଶକ୍ତି ପୂରାନ୍ତେ ତେବେ, ସେମାନେ ତାହାର ଶତକଡ଼ା ଶହେ ଅ˚ଶ ବଜାରରେ ଖର୍ଚ୍ଚ କରିବାକୁ ଆଗେଇ ଆସନ୍ତେ।

ସରକାର ଏଥିପାଇଁ ରାଜକୋଷୀୟ ନିଅଣ୍ଟକୁ ଭୟ କରିବା ଉଚିତ ନୁହେଁ। ପ୍ରତିଷ୍ଠିତ ଅର୍ଥଶାସ୍ତ୍ରୀୟ ନିୟମ ଅନୁସାରେ ସରକାରଙ୍କର ଭୟର କାରଣ ଦୁଇଟି ହୋଇପାରେ। ଗୋଟିଏ, ସରକାର ଋଣ ବଜାରରେ ପ୍ରବେଶ କଲେ, ଘରୋଇ ନିବେଶକମାନେ ସେଠାରୁ ନିର୍ବାସିତ ହେବେ- ଯେଉଁ ପାଣ୍ଠି ସରକାର ନେଇଯିବେ, ତାହା ଘରୋଇ ନିବେଶକମାନଙ୍କ ପାଇଁ ଆଉ ଉପଲବ୍‌ଧ ହେବ ନାହିଁ। କିନ୍ତୁ ବର୍ତ୍ତମାନ ମାନ୍ଦା ଅବସ୍ଥା ବଳବତ୍ତର ଥିବାରୁ ଘରୋଇ ନିବେଶକମାନେ ଋଣ କରିବା ପାଇଁ ସାହସ କରୁନାହାନ୍ତି ଏବ˚ ଚାହିଦାର ଅଭାବ ସେମାନଙ୍କୁ ନିରୁତ୍ସାହିତ କରୁଛି ମଧୢ। ସରକାର ମଧୢ ନିଅଣ୍ଟ ମୁଦ୍ରୀକରଣ ମାଧୢମରେ ସମ୍ପୂର୍ଣ୍ଣ ନୂତନ ମୁଦ୍ରା ଅର୍ଥନୀତିରେ ପ୍ରବେଶ କରାଇ ପାରନ୍ତେ। ଦ୍ବିତୀୟ ଭୟଟି ହେଉଛି, ମୁଦ୍ରାସ୍ଫୀତିର ଭୟ। ବର୍ତ୍ତମାନ ଯେଉଁ ପ୍ରାୟ ୭% ଖାଉଟି ମୁଦ୍ରାସ୍ଫୀତି ପରିଦୃଷ୍ଟ ହେଉଛି, ତାହା ମୁଖ୍ୟତଃ ଯୋଗାଣ ପ୍ରତିବନ୍ଧମାନ ଯୋଗୁଁ ଖାଦ୍ୟଦ୍ରବ୍ୟ ଏବ˚ ଚାହିଦା ପ୍ରଭାବମୁକ୍ତ ଶକ୍ତି ଆଦିର ଦରବୃଦ୍ଧିରେ ସୀମିତ। ଥରେ ଯୋଗାଣ ଶୃଙ୍ଖଳମାନ ପୁନରାୟ ସାବଲୀଳ ଭାବରେ କାର୍ଯ୍ୟ କରିବାକୁ ଆରମ୍ଭ କଲେ ଏବ˚ ସରକାରୀ ହସ୍ତକ୍ଷେପ ଦ୍ବାରା ଅର୍ଥନୀତିରେ ଚାହିଦାରେ ବୃଦ୍ଧି ଦେଖା ଦେବାକୁ ଆରମ୍ଭ କଲେ ଦରଦାମରେ ସନ୍ତୁଳିତ ଅବସ୍ଥା ଫେରି ଆସିବାକୁ ଆରମ୍ଭ କରିବ। ବର˚ ସାମୟିକ ଭାବରେ ବର୍ତ୍ତମାନ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ସୀମାକୁ ହୁଗୁଳା କରିଦେବା ଉଚିତ ହେବ। ଉପରୋକ୍ତ ‘ଏଲ୍‌ଟିସି’ ପଦକ୍ଷେପ ବାଦ୍‌ ସରକାର ରାଜ୍ୟମାନଙ୍କୁ ଯେଉଁ ୫୦ ବର୍ଷିଆ ସୁଧମୁକ୍ତ ଋଣ ଦେଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବାକୁ ଯାଉଛନ୍ତି ତାହା ଦୀର୍ଘକାଳୀନ ଦୃଷ୍ଟିରୁ ଅତ୍ୟନ୍ତ ଉପାଦେୟ- କିନ୍ତୁ ମହାନ୍‌ ଅର୍ଥଶାସ୍ତ୍ରୀ କିନ୍‌ସ କହିଥିବା ଭଳି: ‘‘ଦୀର୍ଘ କାଳରେ ଆମେ ସମସ୍ତେ ମରି ସାରିଥିବା।’’

ସମ୍ବନ୍ଧିତ ଖବର