(ଅ)ଶୁଭ ଲାଭ

ଲାଭ ହେଉଛି ଶୁଭ ନା ଅଶୁଭ? ଗତ ଶନିବାର ଦିନ ଭାରତ ସରକାରଙ୍କର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍‌ ‘କନ୍‌ଫେଡେରେସନ୍‌ ଅଫ୍‌ ଇଣ୍ତିଆନ୍‌ ଇଣ୍ତଷ୍ଟ୍ରି’ (‘ସିଆଇଆଇ’)ର ପୂର୍ବାଞ୍ଚଳ ବାର୍ଷିକ ସମ୍ମିଳନୀକୁ ଭର୍ଚୁଆଲ୍‌ ଉଦ୍‌ବୋଧନ ଦେବା ଅବସରରେ ଦେଶର ଘରୋଇ କ୍ଷେତ୍ରକୁ ‘ଶୁଭ ଲାଭ’କୁ ସେମାନଙ୍କର ଲକ୍ଷ୍ୟ ରୂପେ ଗ୍ରହଣ କରିବାକୁ ଦେଇଥିବା ଆହ୍ବାନ ପରିପ୍ରେକ୍ଷୀରେ ଏଭଳି ପ୍ରଶ୍ନ ସ୍ବାଭାବିକ ଭାବରେ ମନରେ ଉଙ୍କି ମାରିଥାଏ। ଅବଶ୍ୟ ସହଜରେ ଏହାର ଉତ୍ତର ଖୋଜି ପାଇବା ପାଇଁ ସୁବ୍ରମଣ୍ୟନ୍‌ ଶିଳ୍ପବାଣିଜ୍ୟ ନାୟକମାନଙ୍କୁ ପ୍ରଦାନ କରିଥିବା ଉପଦେଶର ଅନ୍ୟ ଅ˚ଶଟି ପ୍ରଣିଧାନଯୋଗ୍ୟ: ‘ଲାଭଖୋରି’କୁ ନିଜର ଆଦର୍ଶ ରୂପେ ଗ୍ରହଣ ନ କରନ୍ତୁ। ଅର୍ଥାତ୍‌ ‘ଲାଭ’ ଶୁଭ ବା ସ୍ବାଗତଯୋଗ୍ୟ ହୋଇଥିବା ବେଳେ ‘ଲାଭଖୋରି’ ହେଉଛି ଅଶୁଭ ବା ବର୍ଜନୀୟ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଦ୍ରୁତ ଅଭିବୃଦ୍ଧି ଓ ଆତ୍ମନିର୍ଭରତା ହାସଲରେ ଶୁଭଲାଭ ଅର୍ଜନ ନୀତି ସହାୟକ ହେବ ବୋଲି ସୁବ୍ରମଣ୍ୟନ୍‌ ଆଶା ପୋଷଣ କରିଛନ୍ତି, ଯାହା ଅତୀତରେ ଜବାହରଲାଲ୍‌ ନେହରୁ ଏ ସମ୍ପର୍କରେ ପ୍ରଦାନ କରିଥିବା ଏହି ପ୍ରସିଦ୍ଧ ମନ୍ତବ୍ୟର ସମ୍ପୂର୍ଣ୍ଣ ବିରୋଧାଚରଣ କରିଥାଏ: ‘‘ଲାଭ ହେଉଛି ଏକ ମଇଳା ଶବ୍ଦ’’।

ଲାଭ ହେଉଛି ଏପରି ଏକ ଧାରଣା ଯାହାର ଉତ୍ପତ୍ତିର ରହସ୍ୟ ଓ ଆବଶ୍ୟକତା ଅର୍ଥଶାସ୍ତ୍ରର ଜନକ ଆଡାମ୍‌ ସ୍ମିଥ୍‌ଙ୍କ ଠାରୁ ଆରମ୍ଭ କରି ସାମ୍ୟବାଦର ଜନକ କାର୍ଲ ମାର୍କ‌୍‌ସଙ୍କ ପର୍ଯ୍ୟନ୍ତ; ପୁଞ୍ଜିବାଦର ସମାଲୋଚକ ଥର‌୍‌ଷ୍ଟାଇନ୍‌ ଭେବ୍‌ଲେନ୍‌ଙ୍କ ଠାରୁ ତାହାର ଶୁଭଚିନ୍ତକ ଜୋସେଫ୍‌ ସୁମ୍ପିଟର‌୍‌ଙ୍କ ପର୍ଯ୍ୟନ୍ତ ତାହାର ପୁଙ୍ଖାନୁପୁଙ୍ଖ ଅନୁଶୀଳନ କରିବାକୁ ଓ ତାହା ସମ୍ବନ୍ଧରେ ଭିନ୍ନ ଭିନ୍ନ ମୌଳିକ ଆଭିମୁଖ୍ୟ ଗ୍ରହଣ କରିବାକୁ ପ୍ରବୃତ୍ତ କରିବା ଏହି ଶାସ୍ତ୍ରର ଇତିହାସ ସାରା ଦେଖାଯାଇଛି। କିନ୍ତୁ କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍‌ଙ୍କ ଉପରୋକ୍ତ ନିର୍ଦ୍ଦିଷ୍ଟ ମନ୍ତବ୍ୟ ପରିପ୍ରେକ୍ଷୀରେ ଯେଉଁ ଦୁଇଜଣ ଅର୍ଥଶାସ୍ତ୍ରୀଙ୍କ ଆଭିମୁଖ୍ୟ ସର୍ବାଧିକ ପ୍ରାସଙ୍ଗିକତା ବହନ କରିଥାଏ, ସେମାନେ ହେଉଛନ୍ତି ଭେବ୍‌ଲେନ୍‌ ଓ ସୁମ୍ପିଟର‌୍‌।

ସୁବ୍ରମଣ୍ୟନ୍‌ ନାପସନ୍ଦ କରିଥିବା ଲାଭଖୋର‌୍‌ କିଏ? ସିଏ ହେଉଛି ଏପରି ଏକ ବ୍ୟକ୍ତି ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସର୍ବଦା ସର୍ବାଧିକ ସମ୍ଭବ ଲାଭ ଅର୍ଜନ କରିବା। ଉତ୍ପାଦନର ଦକ୍ଷତା ବୃଦ୍ଧି କରି କିମ୍ବା କୌଣସି ନୂତନ ବସ୍ତୁ ବା ସେବାର ଉତ୍ପାଦନ ଆରମ୍ଭ କରି କିମ୍ବା କୌଣସି ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ସାଧାରଣ ସ୍ତରର ଲାଭ ଅର୍ଜନ କରିବାକୁ ଚାହିଁବା ପରିବର୍ତ୍ତେ ଏପରି ବ୍ୟକ୍ତି ବିଭିନ୍ନ କୌଶଳ ଅବଲମ୍ବନ କରି (ଯେମିତି ଉତ୍ପାଦନ ସ˚କୋଚନ, ଦର ବୃଦ୍ଧି ଇତ୍ୟାଦି) ଅପ୍ରାକୃତିକ ଭାବେ ଉଚ୍ଚ ଲାଭ ଅର୍ଜନ କରିବାକୁ ଉଦ୍ୟମ କରିବା ଦେଖାଯାଇଥାଏ। ଏଇ ଭଳି ବ୍ୟକ୍ତି ବା ବ୍ୟବସାୟୀ ହିଁ ହେଉଛନ୍ତି ଭେବ୍‌ଲେନ୍‌ଙ୍କ ନିଶାଣ।

ଏକ ଅର୍ଥନୀତିର କାର୍ଯ୍ୟକଳାପକୁ ଭେବ୍‌ଲେନ୍‌ ଏକ ମେସିନ୍‌ ସହିତ ତୁଳନା କରିଥିଲେ। ତାଙ୍କ ଚିନ୍ତାଧାରା ଅନୁଯାୟୀ ଅର୍ଥନୀତି ହେଉଛି ଉତ୍ପାଦନ, ଏବ˚ ଉତ୍ପାଦନ ସମ୍ଭବ ହେବା ପାଇଁ ସମାଜକୁ ଏକ ମେସିନ୍‌ ଭଳି ସୁସ˚ହତ ଭାବରେ କାର୍ଯ୍ୟ କରିବାକୁ ପଡ଼ିଥାଏ। ଏଭଳି ଏକ ସାମାଜିକ ମେସିନ୍‌କୁ ଚଳାଇବା ପାଇଁ ଚାଳକମାନେ ଦରକାର ହୋଇଥାନ୍ତି। ବିଭିନ୍ନ ଭୂମିକାରେ ଥାଇ ଏହି ଚାଳକମାନେ ଅନବରତ ମେସିନ୍‌ର ବିଭିନ୍ନ ଅ˚ଶମାନଙ୍କ ମଧୢରେ ଆବଶ୍ୟକ ତାଳମେଳ ରକ୍ଷା କରିବା ପାଇଁ ଚେଷ୍ଟା କରି ଚାଲିଥାନ୍ତି, ଯେପରି ଉତ୍ପାଦନ ସାବଲୀଳ ହେବ, ସୁଦକ୍ଷ ହେବ, ପ୍ରଚୁର ହେବ। ସମାଜର ପ୍ରତ୍ୟେକ ସଦସ୍ୟର ଲକ୍ଷ୍ୟ ହୋଇଥାଏ ଏଇଭଳି ଉତ୍ପାଦନ ଅଭିବୃଦ୍ଧିରେ ଅ˚ଶ ଗ୍ରହଣ କରିବା। ଭେବ୍‌ଲେନ୍‌ ତାଙ୍କ ୧୯୦୪ରେ ପ୍ରକାଶିତ ପୁସ୍ତକ ‘ଦି ଥିଓରି ଅଫ୍‌ ବିଜିନେସ୍‌ ଏଣ୍ଟର‌୍‌ପ୍ରାଇଜ୍‌’ରେ ପ୍ରଶ୍ନ କରିଥିଲେ, ଯଦି ଏଭଳି ଏକ ସାମାଜିକ ମେସିନ୍‌ର ବିଭିନ୍ନ ଅ˚ଶ ନିଖୁଣ ଭାବରେ ଖଞ୍ଜି ହୋଇ ସମାଜର ଆବଶ୍ୟକତା ପୂରଣ କରିବା ନିମିତ୍ତ ସାବଲୀଳ ଭାବରେ କାର୍ଯ୍ୟ କରୁଥାନ୍ତି, ତେବେ ଏଭଳି ଏକ ଯନ୍ତ୍ରରେ ଖଞ୍ଜି ହେବା ପାଇଁ ଏମିତି ଏକ ବ୍ୟକ୍ତିର ସ୍ଥାନ କାହିଁ, ଯାହାର ଏକମାତ୍ର ଲକ୍ଷ୍ୟ ହେଉଛି ଲାଭ ଅର୍ଜନ।

ଏକ ମୁକ୍ତ ବଜାର, ପୁଞ୍ଜିବାଦୀ ଅର୍ଥନୈତିକ ବ୍ୟବସ୍ଥାରେ ଜଣେ ଶିଳ୍ପ-ବ୍ୟବସାୟ ଉଦ୍ୟୋଗୀଙ୍କୁ ଏହାର କେନ୍ଦ୍ରୀୟ ଚରିତ୍ର ରୂପେ ବିଚାର କରାଯାଇଥାଏ, ଯାହାର ଅବଦାନ ଯୋଗୁଁ ହିଁ ଏ ସମଗ୍ର ବ୍ୟବସ୍ଥା ସନ୍ତୋଷଜନକ ଭାବରେ କାର୍ଯ୍ୟ କରିଥାଏ। ଭେବ୍‌ଲେନ୍‌ ତାଙ୍କ ପୁସ୍ତକରେ କିନ୍ତୁ ଏହି ଲାଭଖୋର‌୍‌ ଉଦ୍ୟୋଗପତିମାନଙ୍କୁ ପୁଞ୍ଜିବାଦୀ ବ୍ୟବସ୍ଥାର ଅନ୍ତର୍ଘାତୀ ଶତ୍ରୁ ରୂପେ ପ୍ରଦର୍ଶିତ କରିଛନ୍ତି। ସେମାନେ ନିଜର ଅତିରିକ୍ତ ଲାଭ ଅର୍ଜନ ନିଶା ମେଣ୍ଟାଇବା ପାଇଁ ସାମାଜିକ ମେସିନ୍‌କୁ ସୁରୁଖୁରୁରେ କାର୍ଯ୍ୟ କରିବାକୁ ନଦେଇ ବିଭିନ୍ନ କୃତ୍ରିମ ପ୍ରତିବନ୍ଧମାନ ଛିଡ଼ା କରାଇଥାନ୍ତି। ଏହା ଦ୍ବାରା ସେମାନଙ୍କ ପାଇଁ ତାତ୍‌କାଳିକ ଲାଭ ସୃଷ୍ଟି ହୋଇପାରେ, କିନ୍ତୁ ସାରା ସମାଜର ସାମଗ୍ରିକ କ୍ଷତି ସାଧନ ହେବ। କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍‌ ଏଇ ଭଳି ଭେବ୍‌ଲେନୀୟ ଲାଭଖୋରି ପରିହାର କରିବାକୁ ଆହ୍ବାନ ଦେଇଛନ୍ତି।

ଆଉ ଏହା ବଦଳରେ ସେ ଯେଉଁ ‘ଶୁଭଲାଭ’କୁ ଲକ୍ଷ୍ୟ ରୂପେ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଛନ୍ତି, ତାହା ଯେଉଁଭଳି ଔଦ୍ୟୋଗିକ ବ୍ୟବସ୍ଥାରେ ଦେଖାଯାଇଥାଏ, ତାହା ଯେ ନିଶ୍ଚିତ ରୂପେ ସୁମ୍ପିଟରୀୟ, ଏହା ତାଙ୍କ ତତ୍ତ୍ବ ସହିତ ପରିଚିତ ପ୍ରତ୍ୟେକଙ୍କୁ ଜଣା। ସୁମ୍ପିଟର‌୍‌ଙ୍କ ତତ୍ତ୍ବ ଅନୁସାରେ ଶ୍ରମିକର ଶୋଷଣ ଲାଭର ଉତ୍ସ ନୁହେଁ କିମ୍ବା ଲାଭ ମଧୢ ପୁଞ୍ଜିପତିର ନ୍ୟାଯ୍ୟ ପ୍ରାପ୍ୟ ନୁହେଁ। ଏକ ସ୍ଥିର, ବୃତ୍ତାକାର ଅର୍ଥନୀତିରେ ଲାଭର ଆବିର୍ଭାବ ଘଟି ନଥାଏ। ଲାଭର ଆବିର୍ଭାବ ଘଟିଥାଏ ଯେତେବେଳେ ଏହି ବୃତ୍ତାକାର ଅର୍ଥନୀତିର ସ୍ଥିତାବସ୍ଥାରେ ବିଘ୍ନ ଘଟି ତାହା ଚଳଚଞ୍ଚଳ ହେବାକୁ ଆରମ୍ଭ କରେ, ଏକ ନିସ୍ତରଙ୍ଗ ପୋଖରୀରେ ଟେକାଟିଏ ପଡ଼ିବା ପରେ ସେଥିରେ ତରଙ୍ଗ ସୃଷ୍ଟି ହେବା ପରି। ଏଇ ଟେକାଟିଏ ଯିଏ ଫିଙ୍ଗିଥାଏ ସେ ହେଉଛି ସୁମ୍ପିଟର‌୍‌ଙ୍କ ଭାଷାରେ ‘ଇନୋଭେଟର‌୍‌’ (ଏହାର କୌଣସି ସନ୍ତୋଷଜନକ ଓଡ଼ିଆ ପ୍ରତିଶଦ୍ଦ ଖୋଜିବା ଦାୟିତ୍ବ ବିଜ୍ଞ ପାଠକ ପାଠିକାମାନଙ୍କ ଉପରେ ଛାଡ଼ି ଦିଆଯାଉଛି)।

ଏହି ବିଶେଷ କିସମର ଉଦ୍ୟୋଗୀ ଯେଉଁ ଟେକା ଫିଙ୍ଗି ଅର୍ଥନୀତି ପୋଖରୀରେ ତରଙ୍ଗ ସୃଷ୍ଟି କରିଥାନ୍ତି, ତାହା ହେଉଛି ହୁଏତ କୌଣସି ନୂତନ ଜ୍ଞାନକୌଶଳର ପ୍ରୟୋଗ; କୌଣସି ନୂତନ ଦକ୍ଷ ଉତ୍ପାଦନ କୌଶଳର ବ୍ୟବହାର; କୌଣସି ନୂତନ ପଦାର୍ଥର ଉତ୍ପାଦନ; କୌଣସି ନୂତନ ବଜାରରେ ପ୍ରବେଶ ଇତ୍ୟାଦି। ଏ ସମସ୍ତ ପରୀକ୍ଷା ନିରୀକ୍ଷାରେ କ୍ଷତିର ସମ୍ଭାବ୍ୟ ବିପଦ ଥାଏ, କିନ୍ତୁ ଅସଲି ଉଦ୍ୟୋଗୀମାନେ ତା’ର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ଥା’ନ୍ତି। ସେମାନେ ଏଥିରେ ସଫଳ ହେଲେ ନିଜର ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ଯେଉଁ ଲାଭ ଅର୍ଜନ କରନ୍ତି, ତାହା ହେଉଛି କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍‌ ଚାହୁଁଥିବା ଭଳି ‘ଶୁଭ ଲାଭ’। ଏହି ଲାଭ ପୁଞ୍ଜିର ମାଲିକାନା ଯୋଗୁଁ ଉଦ୍ଭବ ହୋଇ ନଥାଏ, ଔଦ୍ୟୋଗିକ ଦକ୍ଷତା ହେଉଛି ଏହାର ଉତ୍ସ। ଏଥି ଯୋଗୁଁ ସମଗ୍ର ସମାଜ ପାଇଁ ଯେଉଁ ନୂତନ, ସହଜଲବ୍‌ଧ ଉତ୍ପାଦନ ଓ ଉପଭୋଗର ସମ୍ଭାବନା ସୃଷ୍ଟି ହୁଏ, ତାହା ସମ୍ପୃକ୍ତ ଉଦ୍ୟୋଗୀଙ୍କୁ ମିଳୁଥିବା ଲାଭର ଯେ କେତେଗୁଣ ତାହା ଅକଳନୀୟ।

ସମ୍ବନ୍ଧିତ ଖବର