ଅବଗୁଣ୍ଠନ ତଳେ

ପ୍ରୀତୀଶ ଆଚାର୍ଯ୍ୟ

୧୯୯୩ରେ ମୁଁ ପ୍ରଥମ କରି ରାଜସ୍ଥାନ ଦେଖିଥିଲି। ସାମୟିକ ପ୍ରବାସ ଥିଲା ଉତ୍ତର ପ୍ରଦେଶର ଆଲିଗଡ଼ ସହରରେ। ସେଠୁ ରାଜସ୍ଥାନର ଭରତପୁରସ୍ଥିତ କେଉଲାଦେଓ ଜାତୀୟ ପକ୍ଷୀ ଉଦ୍ୟାନ ବୁଲିବାକୁ ଦୁଇ ଜଣ ବନ୍ଧୁଙ୍କ ସାଙ୍ଗରେ ଯାଇଥିଲି। ରାସ୍ତା କଡ଼ର ଏକ ହୋଟେଲରେ ମଧ୍ୟାହ୍ନ ଭୋଜନ କଲା ବେଳେ ଦେଖିଲି ଜଣେ ରାଜସ୍ଥାନୀ ଗ୍ରାମୀଣ ବ୍ୟକ୍ତି ଓ ତାଙ୍କ ପତ୍ନୀ ଅାସିଲେ। ପୁରୁଷ ଜଣକ ବସିଲେ ହୋଟେଲର ଉଦ୍ଦିଷ୍ଟ ଚଉକିରେ ଏବଂ ମହିଳା ବସିଲେ ତାଙ୍କ ପାଖରେ, ମାତ୍ର ତଳେ ଚଟାଣରେ। ଦଂପତିଙ୍କର ଏଭଳି ଅପୂର୍ବ ଆଚରଣ ଭଳି ସେମାନଙ୍କ ବେଶଭୂଷା ବି ଥିଲା ଆମ ପାଇଁ ବିଚିତ୍ର। ଲୋକଟିର ମୁଣ୍ଡରେ ରଙ୍ଗୀନ ଘନ ପଗଡ଼ି ଏବଂ ମୁହଁରେ ଧନୁ ଆକୃତିର ଦୀର୍ଘ ନିଶ। ମହିଳାଙ୍କର ସୁଦୀର୍ଘ ଓଢ଼ଣା ମୁଣ୍ଡ ଓ ଆଖି ସମେତ ମୁହଁକୁ ପୂରାପୂରି ଆଚ୍ଛାଦିତ କରି ରଖିଥାଏ। ଚଉକି-ଟେବୁଲ ଆଖିକୁ ଦେଖା ନ ଯିବାରୁ ସେ ତଳେ ବସିଗଲେ କି ଆଉ? ଏଭଳି ସ୍ବାଭାବିକ ସଂଶୟଟିଏ ଆମ ମନର ବି ଉଠିଲା, ଯାହା ବେଶୀ ବେଳ ରହିଲା ନାହିଁ। କାରଣ, ଜଣେ ବ୍ୟକ୍ତି ସାମାନ୍ୟ ଚଢ଼ା ଗଳାରେ ନିଶଧାରୀଙ୍କୁ କହିଲେ, ‘ଚଉକି ତ ଖାଲି, ତୁମ ସ୍ତ୍ରୀଙ୍କୁ ସିଟରେ ବସିବାକୁ କହୁନ କାହିଁକି?’
ପ୍ରତ୍ୟୁତ୍ତରରେ ନିଶଧାରୀ କିନ୍ତୁ କହିଲେ, ‘ଆମ ସମାଜରେ କେବେ ବି ସ୍ତ୍ରୀ ପୁରୁଷର ସମ ସ୍ତରରେ ବସିବା କଥା ଚିନ୍ତା କରିପାରେନା। ମୁଁ ଚଉକିରେ ବସିଛି ମାନେ ସେ ତଳେ ବସିବ।’ ତା’ ପରେ ସାମାନ୍ୟ ଚଟୁଳତା କରି ସେ ପୁଣି କହିଲେ, ‘ତୁମେ ଯଦି ଚାହଁ ମୋ ସ୍ତ୍ରୀ ନିହାତି ଚଉକିରେ ବସୁ, ତେବେ, ମତେ ଚଉକି ଉପରେ ଚଉକି ପକାଇ ବସିବାକୁ ହେବ।’

ରାଜସ୍ଥାନ ସହ ସେହି ସ୍ବଳ୍ପ ପରିଚୟ ପରେ ମନରେ ଧାରଣା ହେଲା ଯେ ସହରୀ ରାଜସ୍ଥାନ ନ ହେଲେ ବି ଗ୍ରାମୀଣ ରାଜସ୍ଥାନର ମହିଳା ସମାଜ ଦୀର୍ଘ ଅବଗୁଣ୍ଠନର ଆବରଣ ତଳେ! ପୁରୁଷର ସମକକ୍ଷ ହେବା ମହିଳାର ସାଧ୍ୟାତୀତ! ଆମର ଧାରଣା ଯେ କେବଳ ରାଜସ୍ଥାନ ନୁହେଁ, ଭାରତୀୟ ଗ୍ରାମୀଣ ସମାଜରେ ଊଣାଅଧିକେ ଏଭଳି ଅସମାନତା ରହିଛି!

ଏହି ଘଟଣାର ଅନେକ ବର୍ଷ ପରେ ଏବେ ପୁଣି ମତେ ରାଜସ୍ଥାନ ଆସିବାକୁ ପଡ଼ିଲା। ଏବେ ରହିବା ସ୍ଥାନ ପ୍ରସିଦ୍ଧ ଆଜମୀର ସହର। ଏବଂ ଏବେ ମଧ୍ୟ ସହରରେ ଅନେକ ମହିଳା ମୁଣ୍ଡ ଓ ମୁହଁକୁ ଓଢ଼ଣା ଦ୍ବାରା ଆଚ୍ଛାଦିତ କରି ରଖନ୍ତି; ଯଦିଓ ଓଢ଼ଣାର ଦୈର୍ଘ୍ୟ ପୂର୍ବୋକ୍ତ ମହିଳାଙ୍କ ତୁଳନାରେ ହ୍ରାସ ପାଇଛି। ହୋଟେଲ ଚଟାଣରେ ମହିଳା ବସିବାର ଦୃଶ୍ୟ ବି ଆଖିରେ ପଡ଼ିନାହିଁ। କିନ୍ତୁ, ବିସ୍ମୟକର ଭାବେ ଅନେକ ଶିକ୍ଷିତ ଯୁବତୀ ଆଧୁନିକ ପରିଧାନରେ ଥାଇ ସୁଦ୍ଧା ମୁଣ୍ଡ ଓ ମୁହଁକୁ ଏକ ଦୀର୍ଘ ‘ଦୁପଟ୍ଟା’ ସାହାଯ୍ୟରେ ଆବୃତ କରିଛନ୍ତି।‌ କେବଳ ଆଖି‌ ଅଂଶଟି ଅନାବୃତ। ମୋ ମନରେ ଏକ ଧାରଣା ଜନ୍ମିଲା ଯେ ଏହାର କାରଣ ବୋଧହୁଏ ଟାଣ ଖରା ଓ ଶୀତ ଦିନେ ଘେ‌ାର ଥଣ୍ଡାରୁ ସୁରକ୍ଷା। କିନ୍ତୁ ସେଦିନ ତୃତୀୟ କାରଣଟି ବି ଆବିଷ୍କାର କଲି। ବଜାରରେ ହଠାତ୍‌ ଜଣେ ୧୭-୧୮ ବର୍ଷର ଝିଅ ଖୁବ୍‌ ଆତ୍ମବିଶ୍ବାସର ସହିତ ନମସ୍କାର ହେଲା। ମୋ ଦୋ-ଦୋ ଚିହ୍ନା ହେବା ଦେଖି ଝିଅଟି ହସି ହସି ମୋ କାନ ପାଖରେ କହିଲା, ‘ଆପଣଙ୍କ ଘରେ ମୁଁ ଝାଡୁ ପୋଛା କରେଁଁ।’ ପଚାରି ଜାଣିଲି ଯେ ସେ ଦ୍ବାଦଶ ଶ୍ରେଣୀରେ ପଢ଼େ। ଚାରି ଜଣ ଯାକ ଭାଇ-ଭଉଣୀ ଗାଁରୁ ଆସି ଆଜମୀର ସହରରେ ଭଡ଼ା ଘରେ ରହନ୍ତି। ସଭିଏଁ ବିଭିନ୍ନ ସ୍କୁଲ-କଲେଜର ବିଦ୍ୟାର୍ଥୀ। ଚଳିବା ପାଇଁ କିଏ ଅନ୍ୟ ଘରେ ଝାଡୁପୋଛା କରେ ତ ଆଉ କିଏ ସାମୟିକ ମଜୁରି କାମ। ଏବେ ଜାଣିଲି ଯେ ମୁଣ୍ଡ ଓ ମୁହଁକୁ ଆବରଣ ତଳେ ରଖି ପ୍ରତିଦିନ ଘର ‌ଓଳାଉଥିବା‌ ଝିଅଟି ଇଏ। କହିବା ଅନାବଶ୍ୟକ ଝାଡୁ ପୋଛା ଭଳି ‘ତଳ’ ସ୍ତରର କାମ ଏବଂ ‘ପାଠପଢ଼ା’ ଭଳି ସୁସଭ୍ୟ କାର୍ଯ୍ୟ ମଧ୍ୟରେ ଏକ ପ୍ରାଚୀର ରହିଛି, ଯାହାକୁ ଦୂର କରିଛି ଝିଅଟିର ‘ଦୁପଟ୍ଟା’। ଝିଅଟିର ଆତ୍ମ-ନିର୍ଭର ହେବାର ଏବଂ କାହାକୁ ହାତ ନ ପତାଇବାର ଅକୁଣ୍ଠ ଇଚ୍ଛାଶକ୍ତି ତାକୁ ତା’ର ଓଢ଼ଣାର ଆଶ୍ରୟ ନେବାକୁ ବାଧ୍ୟ କରିଛି! ତାହା ନ ହେଲେ ସେ ସମ୍ଭବତଃ ଶାନ୍ତିରେ ପାଠ ପଢ଼ି ପାରନ୍ତା ନାହିଁ! ଏହା ସହିତ ସ୍ପଷ୍ଟ ହେଲା ଯେ ଓଢ଼ଣାର କାରଣ ହୁଏ’ତ ସ୍ଥଳ ବିଶେଷରେ ଭିନ୍ନ ଭିନ୍ନ ହୋଇପାରେ! ଏବଂ ଓଢ଼ଣା ସବୁ ବେଳେ ଦୁର୍ବଳତାର ଚିହ୍ନ ମଧ୍ୟ ହୋଇ ନ ପାରେ!

ମୋର ଜଣେ ପୁରୁଣା ବନ୍ଧୁଙ୍କ ଗାଁ- ତୋଗଡ଼ାକଲାଁ। ଚାକିରିରୁ କେତେ ବର୍ଷ ତଳେ ଅବ୍ୟାହତି ନେଇ ବନ୍ଧୁ ଏବେ ଗାଁରେ ରହନ୍ତି। ଜାଠ ଚାଷୀ ସେମାନେ। ବନ୍ଧୁ ସିନା ବାହାରେ ଚାକିରି କରୁଥିଲେ, ବନ୍ଧୁ-ପତ୍ନୀ କିନ୍ତୁ ଆରମ୍ଭରୁ ବିଲବାଡ଼ି କଥା ବୁଝନ୍ତି। ପତିଙ୍କ ପାଠ-ଶାଠର ସେ ଧାର ଧାରନ୍ତି ନାହିଁ। ଏବେ ନିଜର ବିସ୍ତୀର୍ଣ୍ଣ କ୍ଷେତ ମଝିରେ ସେମାନେ ଘର ତିଆରି କରିଛନ୍ତି। କ୍ଷେତରେ ଯେତେବେବେ ଚାଷ-ବାସ, ଗାଈ, ମଇଁଷି, ଗାଁ ଘରେ ବା ନ ରହିବେ କାହିଁକି? ବନ୍ଧୁଙ୍କ ଆମନ୍ତ୍ରଣରେ ନିକଟରେ ତୋଗଡ଼ାକଲାଁରେ ରହି ଆସିଲି। ତାଙ୍କ ଅଞ୍ଚଳରେ ଜମି ଥିବା ଲୋକ ଆଜିକାଲି କୁଆଡ଼େ ବିଲରେ ଘର କରିବାକୁ ପସନ୍ଦ କରୁଛନ୍ତି। ବାରମ୍ବାର ବିଭିନ୍ନ କାମରେ ବିଲକୁ ଯିବା ଆସିବା ଠାରୁ ଭଲ ବିଲରେ ଘର କରି ରହିଯାଅ! ଅବଶ୍ୟ ସେସବୁ ଆଉ ଏକ କାହାଣୀ। ଏଠାରେ ଯାହା ମହତ୍ତ୍ବପୂର୍ଣ୍ଣ, ତାହା ହେଲା ଷାଠିଏ ପାର କରି ସାରିଥିବା ବନ୍ଧୁ ପତ୍ନୀ ମଧ୍ୟ ପୂର୍ଣ୍ଣ ଅବଗୁଣ୍ଠନବତୀ। ଅନ୍ୟ ପକ୍ଷରେ ରାତି ଅଧରେ ବି ବିଲରେ ବୁଲନ୍ତି; ଜମିରେ ପାଣି ମଡ଼ାଇବା, ଜମି ହଳ କରିବା, ଗୋବର ପକାଇବା, କ୍ଷୀର ଦୁହିଁବା, ରୋ‌େଷଇ ବାସ- ସବୁ ତାଙ୍କରି ଜିମାରେ, ଅର୍ଥାତ୍‌ ଏକକ ପଦାତିକର ବାହିନୀ। ଅନୁଭବ କଲି ଯେ ସେ ହିଁ କର୍ତ୍ତ୍ରୀ ଏବଂ ମୋ ବନ୍ଧୁ ତାଙ୍କ ପତ୍ନୀଙ୍କ ଆଦେଶ ପାଳନକାରୀ। ଚଟୁଳତା କରି ବନ୍ଧୁ-ପତ୍ନୀ ନିଜ ପତିଙ୍କ ଆଡ଼କୁ ଅଙ୍ଗୁଳି ନି‌ର୍ଦ୍ଦେଶ କରି କହିଲେ, ‘ନିଠଲ୍ଲେ ହେଁ।’ ବା ‘ବେକାର ଅଟନ୍ତି।’ ମୁଁ ପଚାରିଲି, ‘ଏଠି ଚୋରି-ହାରିର ଡର ନାହିଁ?’ ଏଥର ବନ୍ଧୁ ନିଜ ପତ୍ନୀଙ୍କ ଆଡ଼କୁ ରଙ୍ଗିତ କରି କହିଲେ, ‘ମେଡେମଙ୍କ ହାତରେ ମୋବାଇଲ ଆଉ ଲମ୍ବା ଟର୍ଚ୍ଚ ଥିବା ଯାକେ ଚୋର କ’ଣ ଆସିବାକୁ ସାହସ କରିବ?’ ମନେ ହେଲା, ପାରଂପରିକ ଦୀର୍ଘ ଅବଗୁଣ୍ଠନ ଏବଂ ଆଧୁନିକ ଟର୍ଚ୍ଚ ‌ଓ ‌େମାବାଇଲ ହେଉଛି ବନ୍ଧୁ-ପତ୍ନୀଙ୍କ ହାତର ଦିବ୍ୟ ଅସ୍ତ୍ର; ତାଙ୍କ ପରିବାରରେ ସେ ହିଁ ସର୍ବଶକ୍ତିମୟୀ!

ଅନୁଭବ ମୋର ଖୁବ୍‌ ଅଧିକ ନୁହେଁ। ସେହି ଆଧାରରେ କୌଣସି ସାଧାରଣୀକରଣ କରିବା ବି ଯଥୋଚିତ ହେବ ନାହିଁ। ତା’ସତ୍ତ୍ବେ ଏଭଳି ଲାଗୁଛି କେବଳ ବାହ୍ୟ ଆବରଣକୁ ଦେଖି କାହାକୁ ବନ୍ଧନ ଆବଦ୍ଧ ବା କାହାକୁ ମୁକ୍ତ ବୋଲି କହି କହିହେବ ନାହିଁ। ଆମ ସମସ୍ତଙ୍କ ପରିଧାନ ବି ଏକ କ୍ରମ ବିବର୍ତ୍ତନର ପରିଣାମ। ତାହା ପରିବେଶ ଏବଂ ଆବଶ୍ୟକତାରୁ ରୂପ ପାଏ। ପଗଡ଼ି ହେଉ ବା ଓଢ଼ଣା ବା କୋଟ-ଟାଇ! ସେହି ସ୍ଥିତିରେ କେଉଁ ପରିଧାନକୁ ପଛୁଆ ପଣର ପ୍ରତୀକ ବୋଲି କହିହେବ ନାହିଁ କି ଆଧୁନିକତାର ଦ୍ୟୋତକ ବୋଲି କୁହାଯାଇ ପାରିବ ନାହିଁ!
[email protected]

ସମ୍ବନ୍ଧିତ ଖବର