ସେ ଦିନ ପ୍ରାତଃ କାଳରେ ଭାବନାର ସାଗରରେ ବୁଡ଼ି ଯାଇଥିଲେ ମହାରାଣୀ କୁନ୍ତୀ। ସମସ୍ତ ଶୌର୍ଯ୍ୟର ଅଧିକାରୀ ହୋଇଥିବା ସତ୍ତ୍ବେ କି ଦାରୁଣ ଭାଗ୍ୟ ଭୋଗ ବିହି ଲେଖିଥିଲା କର୍ଣ୍ଣର କପାଳରେ! ମନେ ପଡ଼ି ଯାଉଥିଲା ସେହି ଭୋର ବେଳାର ବିଡ଼ମ୍ବନାର କଥା। ଦିଗ୍ବଳୟରେ ଲୋହିତ ସୂର୍ଯ୍ୟ ଉଦୟ ହେଉଥିବା ବେଳେ କୁନ୍ତୀଭୋଜ ନନ୍ଦିନୀ କୁନ୍ତୀ କେଉଁ ଏକ ଚଞ୍ଚଳ କ୍ଷଣରେ ଚାହିଥିଲେ ଋଷି ଦୁର୍ବାସା ପ୍ରଦାନ କରିଥିବା ସେହି ମହାର୍ଘ ବରଟିର କ୍ଷମତା ପରଖିବାକୁ। ବରଟି ଥିଲା: ‘ଇଚ୍ଛା କଲା ମାତ୍ରକେ ଦେବଲୋକରୁ ଦେବତା ତୁମ ସେବାରେ ଉପସ୍ଥିତ ହେବେ!’
ଭାବନାର ଚେର ଲମ୍ବି ଗଲା ଆହୁରି ଅତୀତକୁ। ରାଜା କୁନ୍ତୀଭୋଜଙ୍କ ଅସାମାନ୍ୟା ସୁନ୍ଦରୀ ଓ ଗୁଣବତୀ କନ୍ୟା କୁନ୍ତୀଙ୍କ ପ୍ରଶସ୍ତି ଶୁଣି ସତ୍ୟତା ପରୀକ୍ଷା କରିବା ଲାଗି କ୍ଷଣକୋପୀ ଦୁର୍ବାସା ରାଜାଙ୍କ ଅତିଥି ହେବାର ଇଚ୍ଛା ପ୍ରକଟ କରନ୍ତି। ଆତିଥେୟତାର ଦାୟିତ୍ବ ପଡ଼େ କୁନ୍ତୀଙ୍କ ଉପରେ। ଆତିଥ୍ୟ ପ୍ରଦାନରେ ତଲ୍ଲୀନ ରାଜନନ୍ଦିନୀ ସଦା ଅତୃପ୍ତ ଦୁର୍ବାସାଙ୍କୁ ମଧ୍ୟ ତୁଷ୍ଟ କରି ପକାନ୍ତି, ଯାହାର ପ୍ରତିବଦଳରେ ଋଷିଙ୍କ ଠାରୁ ମିଳେ ଏଭଳି ଏକ ବିରଳ ବର!
ଆଖି ବନ୍ଦ କଲେ କୁନ୍ତୀ, ଚକ୍ଷୁର ଗୋଟିଏ କୋଣରୁ ଲୋତକ ବିନ୍ଦୁଟିଏ ଗଡ଼ି ଆସିଲା। ମନେ ପଡ଼ିଗଲା ସେହି ଭୋର ବେଳର କଥା। ଦୁର୍ବାସାଙ୍କ ବରର କ୍ଷମତାକୁ କୌତୁକରେ ପରୀକ୍ଷା କରିବାର ଇଚ୍ଛା ସୂର୍ଯ୍ୟଙ୍କ ସହିତ ଏମିତି ଏକ ଅଭିସାର କ୍ଷଣ ସୃଷ୍ଟି କରିବ, ତାହା ଥିଲା କୁନ୍ତୀଙ୍କ ଧାରଣା ବାହାରେ। କୁନ୍ତୀ ତାଙ୍କୁ ଫେରିଯିବା ପାଇଁ ବାରମ୍ବାର ଅନୁନୟ ହେଲେ। ମାତ୍ର ମନ୍ତ୍ରାହୂତ ସୂର୍ଯ୍ୟ ଦେବତାଙ୍କ ଲାଗି ଇଚ୍ଛା ପୂରଣ ବିନା ଫେରିବା ଅସମ୍ଭବ ଥିଲା। ଅବଲୀଳା କ୍ରମେ କୁମାରୀ କୁନ୍ତୀଙ୍କ ଗର୍ଭରେ ବଢ଼ି ଚାଲିଲେ ସୂର୍ଯ୍ୟ ପୁତ୍ର। ଅପବାଦରୁ ବର୍ତ୍ତିବା ଲାଗି ଓ ଗର୍ଭସ୍ଥ ଶିଶୁକୁ ବଞ୍ଚାଇ ରଖିବା ପାଇଁ କି ପ୍ରଚେଷ୍ଟ ସେ କରି ନାହାନ୍ତି ସତେ! ଏକ ଗଭୀର ଦୀର୍ଘଶ୍ବାସରେ କୁନ୍ତୀଙ୍କ ସମଗ୍ର ଅସ୍ଥି ପଞ୍ଜର ଥରି ଉଠିଲା। କେତେ ଯତ୍ନରେ ତିଆରି କରାଯାଇ ନ ଥିଲା ବେତର ମଂଜୁଷାଟିଏ! ପୁଣି ତହିଁରେ ପାଣି ନ ପଶିବା ଲାଗି ବହଳ ମହମର ଲେପ! ଏକ ମହୁ ବୋଳା ସଳିତା ଝୁଲି ରହିବ ଶିଶୁର ପାଟି ଉପରେ ବୁନ୍ଦା ବୁନ୍ଦା ଜୀବନାମୃତ ପ୍ରଦାନ କରି! ଶେଷରେ ମଂଜୁଷାରେ ନବଜାତ ସନ୍ତାନକୁ ରଖି ତାହାର ଘୋଡ଼ଣି ବନ୍ଦ କରି ଭସାଇ ଦିଆଯିବ ନଦୀରେ! ପୁତ୍ର ଜନ୍ମ ହେବା ପୂର୍ବରୁ ତାକୁ ନିଜ ଠାରୁ ଅନ୍ତର କରିବାର କି ଦାରୁଣ ଅଭିଶାପ! ଦୁର୍ବାସାଙ୍କ ବରର ୟେ କି କରୁଣ ପରିଣାମ!
ସମୟାନ୍ତରେ ତାହା ହିଁ ହେଲା। ବିଦାୟର ବେଳା ଯେମିତି ଅତି ଶୀଘ୍ର ପହଞ୍ଚି ଯାଇଥିଲା। ନିଜ ଜନ୍ମିତ ସନ୍ତାନର ମୁହଁକୁ ଶେଷ ଥର ଲାଗି ଚିବୁକରେ ଲଗାଇବାକୁ ଉଦ୍ୟତ କୁନ୍ତୀ ହଠାତ୍ କାହାର ଚାପା ଚିତ୍କାରରେ ବେତ୍ରାହତ ପରି ଚମକି ପଡ଼ିଲେ; ତାଙ୍କୁ ଧରିଥିବା ଦାସୀର ଚାପା ବିସ୍ଫୋରଣ ଭଳି ସ୍ବର କହୁଥିଲା, ‘ସାବଧାନ, ରାଜନନ୍ଦିନୀ, ନିଜର ସ୍ତନର ବୁନ୍ଦାଏ କ୍ଷୀର ଯେପରି ଶିଶୁଟିର ଅଧର ସ୍ପର୍ଶ ନ କରେ! କାରଣ ସେହି ବୁନ୍ଦାଟି ଭବିଷ୍ୟତ୍ର ତା’ ଭିତରେ ରାଜ୍ୟାଧିକାର ସ୍ବପ୍ନ ଜାଗ୍ରତ କରିବ!’ ଓଃ, କି ଦାରୁଣ ଭାଗ୍ୟ! ଇଏ ତାଙ୍କ ଜ୍ୟେଷ୍ଠ ପୁତ୍ର, ଯିଏ ମଂଜୁଷାରେ ଭାସିଯିବ ଏକ ଅନିର୍ଦ୍ଦିଷ୍ଟ ଭବିଷ୍ୟତ୍ ଆଡ଼କୁ! ତା’ର ଶାସ୍ତ୍ରୀୟ ଜ୍ୟେଷ୍ଠତ୍ବ ଓ ରାଜ୍ୟ ଅଧିକାରର ଦାବି ଅନ୍ଧକାରରେ ରହିଯିବ ଚିର କାଳ ଲାଗି!
ପେଟିକାଟି ଭାସିଗଲା ଅଶ୍ବ ନଦୀରେ। ତା’ ପରେ ଚର୍ମଶ୍ବତୀ ନଦୀ, ତା’ ପରେ ଚମ୍ବଇର ଶିଳା ଭୂମି ଅତିକ୍ରମ କରି ଯମୁନା, ଆଉ ପରିଶେଷରେ ଗଙ୍ଗା। ଗଙ୍ଗା ତୀରସ୍ଥ ଚମ୍ପା ନଗରୀ ତଟରେ ଲାଗିଲା ସେହୀ ମଂଜୁଷା। ତା’ ପର ଘଟଣା ପ୍ରବାହରେ ହସ୍ତିନାରାଜ ଧ୍ରୁତରାଷ୍ଟ୍ରଙ୍କ ସାରଥି ନିଃସନ୍ତାନ ଅଧିରାଜଙ୍କ ପରିବାରରେ ଜ୍ୟେଷ୍ଠ କୌନ୍ତେୟଙ୍କ ପ୍ରବେଶ ଏବଂ ସେଠାରେ ସମସ୍ତ ରାଜଲକ୍ଷଣ ସହିତ ଯୌବନ ପ୍ରାପ୍ତି।
ଦୂରରୁ କାହାର ପାଦ ଶବ୍ଦ ଶୁଭୁଥିଲା। ପ୍ରକୃତିସ୍ଥ ହେଲେ କୁନ୍ତୀ। କର୍ଣ୍ଣଙ୍କ ମଙ୍ଗଳ ମନାସି ସୂର୍ଯ୍ୟଙ୍କୁ ପ୍ରଣାମ କଲେ ସେ। ଭାଗ୍ୟର ପ୍ରତିକୂଳରେ ଯାଇ କେବଳ ନିଜ ପୁରୁଷାର୍ଥ ବଳରେ ଅଦ୍ବିତୀୟ ହୋଇ ଉଠିବ ତାଙ୍କ ଜ୍ୟେଷ୍ଠ ପୁତ୍ର! ଭାଗ୍ୟର ଅଭିଶାପ ସତ୍ତ୍ବେ ସ୍ବହସ୍ତରେ ନିଜକୁ ଗଢ଼ି ପାରିଥିବା ଦିବ୍ୟ ପୁରୁଷର ସେ ହେବ ଅସାମାନ୍ୟ ଦୃଷ୍ଟାନ୍ତ। କୁନ୍ତୀଙ୍କ ମୁହଁରେ ତାଙ୍କ ଅଗୋଚରରେ ଖେଳିଗଲା ସ୍ମିତ ହସ।
ପ୍ରକୋଷ୍ଠକୁ ପ୍ରବେଶ କଲେ ପୁତ୍ର ଅର୍ଜୁନ। ମା’ଙ୍କ ମୁହଁରେ ହସ ଦେଖି ପଚାରିଦେଲେ- କାହିଁକି ହସୁଛ ମା’?
କିନ୍ତୁ, କିଛି ନ କହି ନିରବରେ ସେଠାରୁ ଅପସରି ଗଲେ କୁନ୍ତୀ। ଭାରି ରହସ୍ୟମୟ ଥିଲା ସେ ହସ। ଆଉ ସେ ରହସ୍ୟ ଭେଦ କରିବା ଅର୍ଜୁନଙ୍କ ପକ୍ଷରେ ସମ୍ଭବ ନ ଥିଲା!
ମୋ: ୯୭୭୭୨୦୫୬୮୪
କୁନ୍ତୀଙ୍କ ହସ
ହିରଣ୍ୟ ମହାନ୍ତି