ଭାରତୀୟ ଅର୍ଥନୀତିର ଏହି ଚମକପ୍ରଦ ଉପଲବ୍ଧିକୁ ୱାର୍ଲ୍ଡ ବ୍ୟାଙ୍କ୍, ‘ଆଇଏମ୍ଏଫ୍’ରୁ ଆରମ୍ଭ କରି ମୋର୍ଗାନ୍ ଷ୍ଟାନ୍ଲି, ଗୋଲ୍ଡମ୍ୟାନ୍ ସାକ୍ସ ଓ ଅନ୍ୟାନ୍ୟ ସମସ୍ତ ଛାମୁଆ ନିବେଶ ବ୍ୟାଙ୍କ୍ ଓ ଥିଙ୍କ୍ଟ୍ୟାଙ୍କ୍ମାନଙ୍କ ପର୍ଯ୍ୟନ୍ତ ଅକୁଣ୍ଠ ସ୍ବୀକୃତି ପ୍ରଦାନ କରି ସମଗ୍ର ଚଳିତ ଦଶନ୍ଧିରେ ଭାରତୀୟ ଅର୍ଥନୀତି ତା’ର ଏହି ନେତୃସ୍ଥାନ ବଜାୟ ରଖିବ ବୋଲି ଭବିଷ୍ୟବାଣୀ କରିଛନ୍ତି। ସେମାନଙ୍କ ଦୃଷ୍ଟିରେ ରବୀନ୍ଦ୍ରନାଥଙ୍କର ‘ଭାରତ ତୀର୍ଥ’ ବର୍ତ୍ତମାନ ଏକ ଅଭିବୃଦ୍ଧି ତୀର୍ଥରେ ପରିଣତ ହୋଇଛି।
‘‘ହେ ମୋର ଚିତ୍ତ, ପୁଣ୍ୟ ତୀର୍ଥେ ଜାଗୋରେ ଧୀରେ/ ଏଇ ଭାରତେର ମହାମାନବେର ସାଗରତୀରେ।... କେଉ ନାହି ଜାନେ କାର ଆହ୍ବାନେ କତ ମାନୁଷେର ଧାରା/ ଦୁର୍ବାର ସ୍ରୋେତ ଏଲ କୋଥା ହତେ, ସମୁଦ୍ରେ ହଲ ହାରା।/ ହେଥାୟ ଆର୍ଯ୍ୟ, ହେଥା ଅନାର୍ଯ୍ୟ, ହେଥାୟ ଦ୍ରାବିଡ଼ ଚୀନ-/ ଶକ-ହୁନ-ଦଲ ପାଠାନ୍-ମୋଗଲ ଏକ ଦେହେ ହଲ ଲୀନ।/ ପଶ୍ଚିମେ ଆଜି ଖୁଲିଆଛେ ଦ୍ବାର, ସେଥା ହତେ ସବେ ଆନେ ଉପହାର,/ ଦିବେ ଅାର ନିବେ, ମିଲାବେ ମିଲିବେ, ଯାବେ ନା ଫିରେ-/ ଏଇ ଭାରତେର ମହାମାନବେର ସାଗରତୀରେ।।’’
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଭାରତର ପ୍ରଶସ୍ତ ଆତ୍ମାର ଅସଲ ପରିଚୟ ବହନ କରୁଥିବା ବିଶ୍ବକବି ରବୀନ୍ଦ୍ରନାଥଙ୍କର ବିଶ୍ବବିଶ୍ରୁତ ‘ଗୀତାଞ୍ଜଳି’ର ପ୍ରସିଦ୍ଧ କବିତା ‘ଭାରତ ତୀର୍ଥ’ରୁ ଉଦ୍ଧାର କରାଯାଇଥିବା ଏଇ କେତୋଟି ଧାଡ଼ି ସହିତ ପରିଚିତ ଥିବା ଆଶା କରାଯାଏନା। କେବଳ ରବୀନ୍ଦ୍ରନାଥଙ୍କର କବିତା ନୁହେଁ, ମନେ ହୁଏ ଅଧିକାଂଶ ଆତ୍ମବିଭୋର ଆମେରିକୀୟମାନଙ୍କ ପରି ଆମେରିକା ବାହାରେ ଥିବା ଦୁନିଆ ସମ୍ବନ୍ଧରେ ବାଇଡେନ୍ଙ୍କ ଜ୍ଞାନ ମଧ୍ୟ ହେଉଛି ଅତ୍ୟନ୍ତ ସୀମିତ, ଯେଉଁ କାରଣରୁ ଭାରତର ଇତିହାସ ସମ୍ବନ୍ଧରେ ସେ ବୋଧହୁଏ ହେଉଛନ୍ତି ସଂପୂର୍ଣ୍ଣ ଅଜ୍ଞ। ନଚେତ ହଜାର ହଜାର ବର୍ଷ ଧରି ଉଦ୍ଧୃତ କବିତାରେ ଦର୍ଶାଯାଇଥିବା ଭଳି ବିଭିନ୍ନ କିସମର ବହିରାଗତମାନଙ୍କୁ କୋଳେଇ ନେଇଥିବା ଭାରତକୁ ସେ ଏକ ବହିର୍ଭୟଗ୍ରସ୍ତ ରାଷ୍ଟ୍ର ବା ‘ଜେନୋଫୋବିକ୍’ ରାଷ୍ଟ୍ର ରୂପେ ବର୍ଣ୍ଣନା କରିବାର ଧ୍ରୁଷ୍ଟତା ପ୍ରଦର୍ଶନ କରି ନଥାନ୍ତେ। ସେ ମଧ୍ୟ ତାଙ୍କର ଏହି ମୂଢ଼ତାକୁ ଏତିକିରେ ସୀମିତ ନ ରଖି ଏ ବାବଦରେ ଭାରତକୁ ଚୀନ୍, ଜାପାନ୍ ଓ ରୁଷିଆ ସହିତ ଏକତ୍ରିତ କରିଛନ୍ତି। ୨୦୨୪ର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ପୁଣି ପ୍ରାର୍ଥୀ ହେବାକୁ ଯାଉଥିବା ବାଇଡେନ୍ ସେଥିରେ ପ୍ରଚାର ନିମିତ୍ତ ପାଣ୍ଠି ସଂଗ୍ରହ ପାଇଁ ଉଦ୍ଦିଷ୍ଟ ଏକ ଜନସଭାରେ ଉଦ୍ବୋଧନ ଦେବା ଅବସରରେ ଭାରତ ସମ୍ବନ୍ଧରେ ଏଭଳି ଏକ ଉଦ୍ଭଟ ମନ୍ତବ୍ୟ ପ୍ରଦାନ କରିଥିଲେ।
ଭାରତ ସମ୍ବନ୍ଧରେ ତାଙ୍କର ଏହି ଅଜ୍ଞତା ବାଦ୍ ବାଇଡେନ୍ଙ୍କ ମନ୍ତବ୍ୟରେ ଥିବା ଏକ ଅନ୍ତର୍ନିହିତ ଅସଂଗତି ପ୍ରତି ଦୃଷ୍ଟି ଆକର୍ଷଣ କରିବା ପୂର୍ବରୁ ସେଇ ‘ଜେନୋଫୋବିଆ’ ବାବଦରେ ଆମେରିକାର ନିଜର ରେକର୍ଡ ଉପରେ ସାମାନ୍ୟ ଆଲୋକପାତ କରିବା ଉଚିତ ହେବ। ଏଥିପାଇଁ ଦୁଇ ତିନିଟି ଉଦାହରଣ ଯଥେଷ୍ଟ ହେବ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ୧୯୪୧ରେ ଜାପାନ୍ ପାର୍ଲ ହାର୍ବର ଉପରେ ଆକ୍ରମଣ କରିବା ପରେ ରାଷ୍ଟ୍ରପତି ଫ୍ରାଙ୍କଲିନ୍ ରୁଜଭେଲ୍ଟଙ୍କର ଏକ ନିର୍ଦ୍ଦେଶନାମାକୁ ଅନୁସରଣ କରି ଆମେରିକାରେ ବାସ କରୁଥିବା ଲକ୍ଷାଧିକ ଜାପାନୀ ମୂଳର ଅଧିବାସୀମାନଙ୍କୁ ସେ ଦେଶର ପଶ୍ଚିମ ଉପକୂଳରେ ସ୍ଥାପିତ ବନ୍ଦୀ ଶିବିରମାନଙ୍କରେ ଦୀର୍ଘ କାଳ ଧରି ଅଟକ ରଖାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଏମାନଙ୍କ ମଧ୍ୟରୁ ୬୦ ଶତାଂଶରୁ ଅଧିକ ଥିଲେ ଆମେରିକାର ନାଗରିକତ୍ବ ଗ୍ରହଣ କରିସାରିଥିବା ଜାପାନୀ ମୂଳର ଅଧିବାସୀମାନେ। ଏହା ଥିଲା ଜାପାନୀମାନଙ୍କ ପ୍ରତି ଆମେରିକୀୟମାନଙ୍କ ମଧ୍ୟରେ ବସା ବାନ୍ଧିଥିବା ଗଭୀର ଘୃଣା, ଅବିଶ୍ବାସ ଓ ଭୟର ଏକ ବର୍ବର ପରିପ୍ରକାଶ।
ସେଇଭଳି ଆମେରିକାରେ ‘ଜେନୋଫୋବିଆ’ର ପୁନରାବୃତ୍ତି ଦେଖିବାକୁ ମିଳିଥିଲା ପୁଣି ୨୦୦୧ରେ ଆଲ୍କାଏଦା ଇସଲାମୀୟ ଜିହାଦୀମାନଙ୍କର ୱାର୍ଲଡ୍ ଟ୍ରେଡ୍ ସେଣ୍ଟର୍ ଉପରେ ଆକ୍ରମଣ ପରେ ପରେ। ଏହି ୯/୧୧ ଆକ୍ରମଣର ପ୍ରାୟ ମାସକ ପରେ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍ ‘ପ୍ୟାଟ୍ରିଅଟ୍ ଆକ୍ଟ’ ନାମକ ଏକ ଆଇନରେ ସ୍ବାକ୍ଷର କଲେ, ଯାହା ସନ୍ଦିଗ୍ଧ ବହିରାଗତ ଆତଙ୍କବାଦୀଙ୍କୁ ପ୍ରତିହତ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ଏହି ଆଇନ ବଳବତ୍ତର ହେବା ପରେ ଆମେରିକାରେ ସମସ୍ତ ମଧ୍ୟପ୍ରାଚ୍ୟ ବା ଦକ୍ଷିଣ ଏସିଆରୁ ଆସିଥିବା ବାଦାମୀ ଚର୍ମବିଶିଷ୍ଟ ବହିରାଗତମାନେ ତୀବ୍ର ସନ୍ଦେହର ଶିକାର ହୋଇ ବିଭିନ୍ନ ପ୍ରକାର ହଇରାଣ ହରକତର ସମ୍ମୁଖୀନ ହେଲେ। ଆମେରିକାର ‘ଡିପାର୍ଟମେଣ୍ଟ୍ ଅଫ୍ ହୋମ୍ଲ୍ୟାଣ୍ଡ୍ ସିକ୍ୟୁରିଟି’ ଯେଉଁ ସନ୍ଦିଗ୍ଧ ଦେଶମାନଙ୍କର ତାଲିକା ବନାଇଥିଲା, ସେଇ ସମସ୍ତ ମୁଖ୍ୟତଃ ମୁସଲମାନ ଦେଶମାନଙ୍କରୁ ଆସିଥିବା ଲୋକମାନେ ଆମେରିକାରେ ବିଶେଷ ଭାବରେ ତୀବ୍ର ବିଦ୍ବେଷର ସମ୍ମୁଖୀନ ହୋଇଥିଲେ।
ସେ ସମୟରେ ଯଦି ଏହା ଥିଲା ଆମେରିକାରେ ‘ଜେନୋଫୋବିଆ’ର ଚେହେରା, ଡୋନାଲ୍ଡ ଟ୍ରମ୍ପ୍ଙ୍କ ରାଷ୍ଟ୍ରପତିତ୍ବ ସମୟରେ ତାହା ଆବିର୍ଭୂତ ହୋଇଥିଲା ସେ ଦେଶର ଦକ୍ଷିଣ ସୀମାନ୍ତରେ ଏକ ପ୍ରସ୍ତାବିତ ପ୍ରାଚୀର ରୂପରେ (ଟ୍ରମ୍ପ୍ ଯଦି ଏଥର ପୁଣି ନିର୍ବାଚିତ ହୁଅନ୍ତି, ସେଠାରେ ଏହି ପ୍ରାଚୀର ମୁଣ୍ଡ ଟେକିବାର ଦୃଢ଼ ସମ୍ଭାବନା ରହିଛି)। ନିଶ୍ଚିତ ରୂପେ ମେକ୍ସିକୋ ଓ କେନ୍ଦ୍ର ଆମେରିକା ଅଞ୍ଚଳରୁ ଆମେରିକାରେ ପ୍ରବେଶ କରିବାକୁ ଆସୁଥିବା ବିଦେଶୀମାନଙ୍କୁ ଆଲିଙ୍ଗନ କରି ସଙ୍ଖୋଳିବା ପାଇଁ ଟ୍ରମ୍ପ୍ ସୀମାନ୍ତରେ ଏହି ପ୍ରାଚୀର ଛିଡ଼ା କରାଇବାକୁ ଚାହୁଁ ନ ଥିଲେ। ଯଦି ନିଜର ନିରାପତ୍ତା ସୁନିଶ୍ଚିତ କରିବା ପାଇଁ କିମ୍ବା ଅର୍ଥନୈତିକ ସ୍ବାର୍ଥରକ୍ଷା ପାଇଁ ଆମେରିକା ଏଭଳି ବହିର୍ଭୟ ପୋଷଣ କରିପାରେ, ସେ ଦେଶର ରାଷ୍ଟ୍ରପତି ଅନ୍ୟ ଦେଶମାନଙ୍କ ବିରୁଦ୍ଧରେ ସେଭଳି ଅଭିଯୋଗ ଆଣିବା ଏକ ବିଶୁଦ୍ଧ ଶଠତାର ପରିଚୟ ବହନ କରିନଥାଏ କି?
ଏଥର ଉପରେ ସୂଚନା ଦିଆଯାଇଥିବା ଅସଙ୍ଗତି ଉପରେ ଦୃଷ୍ଟି ନିକ୍ଷେପ କରାଯାଉ। ଭାରତ ତା’ର ପାରମ୍ପରିକ ‘ବସୁଧୈବ କୁଟୁମ୍ବକମ୍’ ଆଭିମୁଖ୍ୟ ପାଇଁ ସର୍ବଦା ଗର୍ବ କରିଆସିଛି, ଯାହା ହେଉଛି ବାଇଡେନ୍ ଅକ୍ଷେପ କରିଥିବା ‘ଜେନୋଫୋବିଆ’ର ସଂପୂର୍ଣ୍ଣ ବିପରୀତ, କାରଣ ଏହା ଅନୁସାରେ ସମସ୍ତ ବିବିଧତା ସତ୍ତ୍ବେ ସମଗ୍ର ପୃଥିବୀର ସମସ୍ତ ଅଧିବାସୀମାନଙ୍କୁ ଗୋଟିଏ କୁଟୁମ୍ବ ବୋଲି ବିଚାର କରାଯାଇଥାଏ। ବାସ୍ତବରେ ଭାରତ ଗତବର୍ଷ ପୃଥିବୀର ଅଗ୍ରଣୀ ଦେଶମାନଙ୍କର ସଂଗଠନ ଜି-୨୦ର ସଭାପତି ରୂପେ ଏଠାରେ ତାହାର ଶୀର୍ଷ ସମ୍ମିଳନୀ ଆୟୋଜନ କରିଥିବା ବେଳେ ଏହି ‘ବସୁଧୈବ କୁଟୁମ୍ବକମ୍’କୁ ନେତୃବୃନ୍ଦଙ୍କର ଘୋଷଣାପତ୍ର (‘ଲିଡର୍ସ ଡିକ୍ଲାରେସନ୍’)ରେ ଏକ ପ୍ରମୁଖ ବିଷୟ ବା ‘ଥିମ୍’ ରୂପେ ସ୍ଥାନୀତ କରିବାକୁ ଚାହିଁବାରୁ ଚୀନ୍ ତାହାର ଘୋର ବିରୋଧ କରିଥିଲା। କିନ୍ତୁ ଶେଷରେ ଭାରତର ନବଆବିଷ୍କୃତ କୂଟନୈତିକ ପ୍ରଭାବ ଯୋଗୁଁ ତାହା ସେଇ ଘୋଷଣାପତ୍ରରେ ଅନ୍ତର୍ଭୁକ୍ତ ହୋଇଥିଲା। ତାତ୍ପର୍ଯ୍ୟପୂର୍ଣ୍ଣ କଥା ହେଲା, ଯେଉଁ ଜୋ ବାଇଡେନ୍ ବର୍ତ୍ତମାନ ଭାରତକୁ ଏକ ବହିର୍ଭୟଗ୍ରସ୍ତ ରାଷ୍ଟ୍ର ରୂପେ ପ୍ରଦର୍ଶିତ କରିବାକୁ ଚେଷ୍ଟା କରୁଛନ୍ତି, ସେଇ ଜୋ ବାଇଡେନ୍ ହେଉଛନ୍ତି ଉପରୋକ୍ତ ଘୋଷଣାପତ୍ରର ଜଣେ ଅନ୍ୟତମ ସ୍ବାକ୍ଷରକାରୀ। ଏହାହିଁ ହେଉଛି ବାଇଡେନ୍ଙ୍କର ମନ୍ତବ୍ୟର ଅନ୍ତର୍ନିହିତ ଅସଂଗତି: ଯେଉଁ ଦେଶର ନେତୃତ୍ବରେ ମାତ୍ର ପ୍ରାୟ ଛ’ ମାସ ତଳେ ସେ ସାରାପୃଥିବୀର ଅଧିବାସୀମାନଙ୍କୁ ଗୋଟିଏ କୁଟୁମ୍ବର ସଦସ୍ୟମାନଙ୍କ ରୂପେ ବିଚାର କରିବାକୁ ଆହ୍ବାନ ଦେଇଥିଲେ, ସେଇ ବାଇଡେନ୍ ଆଜି ସେଇ ଦେଶକୁ ‘ଜେନୋଫୋବିକ୍’ ରୂପେ ଚିତ୍ରିତ କରିଛନ୍ତି।
କେବଳ ତାଙ୍କର ଏହି ‘ଜେନୋଫୋବିକ୍’ ମନ୍ତବ୍ୟ ନୁହେଁ, ସେ ଦିନ ଭାରତ ସଂପର୍କରେ ଏଥିସହିତ ସେ ଯୋଡ଼ି ଦେଇଥିବା ଆଉ ଏକ ମନ୍ତବ୍ୟ ମଧ୍ୟ ବାଇେଡନ୍ଙ୍କର ବାସ୍ତବତା ସହିତ ପରିଚୟର ଅଭାବକୁ ପଦାର ପକାଇଥାଏ। ବାଇଡେନ୍ କହିଥିଲେ ଯେ ଭାରତ ପ୍ରଦର୍ଶନ କରୁଥିବା ଏହି ‘ଜେନୋଫୋବିଆ’ ଯୋଗୁଁ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ଅଟକି ଯାଇଛି। ତାଙ୍କ ପାଇଁ ଅସୁବିଧାଜନକ ସତ୍ୟ ହେଲା ଏହା ଯେ ଯେଉଁ ଭାରତୀୟ ଅର୍ଥନୀତିକୁ ସେ ସ୍ଥାଣୁ ବୋଲି ଉପହାସ କରିଛନ୍ତି, ସେଇ ଭାରତୀୟ ଅର୍ଥନୀତି ହାସଲ କରିଚାଲିଥିବା ଅଭିବୃଦ୍ଧି ହାର ବର୍ତ୍ତମାନ ପୃଥିବୀର ସମସ୍ତ ବୃହତ୍ ଅର୍ଥନୀତିମାନଙ୍କ ମଧ୍ୟରେ ଦ୍ରୁତତମ ହୋଇ ସାରା ପୃଥିବୀର ପର୍ଯ୍ୟବେକ୍ଷକମାନଙ୍କୁ ଚମତ୍କୃତ କରିଚାଲିଛି। ଭାରତୀୟ ଅର୍ଥନୀତିର ଏହି ଚମକପ୍ରଦ ଉପଲବ୍ଧିକୁ ୱାର୍ଲ୍ଡ ବ୍ୟାଙ୍କ୍, ‘ଆଇଏମ୍ଏଫ୍’ରୁ ଆରମ୍ଭ କରି ମୋର୍ଗାନ୍ ଷ୍ଟାନ୍ଲି, ଗୋଲ୍ଡମ୍ୟାନ୍ ସାକ୍ସ ଓ ଅନ୍ୟାନ୍ୟ ସମସ୍ତ ଛାମୁଆ ନିବେଶ ବ୍ୟାଙ୍କ୍ ଓ ଥିଙ୍କ୍ଟ୍ୟାଙ୍କ୍ମାନଙ୍କ ପର୍ଯ୍ୟନ୍ତ ଅକୁଣ୍ଠ ସ୍ବୀକୃତି ପ୍ରଦାନ କରି ସମଗ୍ର ଚଳିତ ଦଶନ୍ଧିରେ ଭାରତୀୟ ଅର୍ଥନୀତି ତା’ର ଏହି ନେତୃସ୍ଥାନ ବଜାୟ ରଖିବ ବୋଲି ଭବିଷ୍ୟବାଣୀ କରିଛନ୍ତି। ସେମାନଙ୍କ ଦୃଷ୍ଟିରେ ରବୀନ୍ଦ୍ରନାଥଙ୍କର ‘ଭାରତ ତୀର୍ଥ’ ବର୍ତ୍ତମାନ ଏକ ଅଭିବୃଦ୍ଧି ତୀର୍ଥରେ ପରିଣତ ହୋଇଛି।
ଅବଶ୍ୟ ଏହି ଅଭିବୃଦ୍ଧିକୁ ଆହୁରି ତ୍ବରାନ୍ବିତ କରିବା ପାଇଁ େଯଉଁସବୁ କ୍ଷେତ୍ରରେ ଆହୁରି ସଂସ୍କାର ଲୋଡ଼ା ବୋଲି ସେମାନେ ଚିହ୍ନଟ କରିଛନ୍ତି ତା’ ମଧ୍ୟରୁ କେତେକ ହେଲା- ଭୂମି, ଶ୍ରମ, ବିଦ୍ୟୁତ୍ ଶକ୍ତି, ଟିକସ ଆଦି। କିନ୍ତୁ କୌଣସି ବିଶେଷଜ୍ଞ ‘ଜେନୋଫୋବିଆ’କୁ ଭାରତୀୟ ଅଭିବୃଦ୍ଧିର ଏକ ଗତିରୋଧକ ରୂପେ ଚିହ୍ନଟ କରି ନାହାନ୍ତି କିମ୍ବା ଏହି କାଳ୍ପନିକ ସମସ୍ୟାର ଦୂରୀକରଣ ନିମିତ୍ତ କୌଣସି ସଂସ୍କାର ସୁପାରିସ କରି ନାହାନ୍ତି। ଭାରତ ବିରୋଧରେ ଏଭଳି ନିରାଧାର ମନ୍ତବ୍ୟ ପ୍ରଦାନ କରି ବାଇଡେନ୍ କେବଳ ଯାହା ପ୍ରଘଟ କରି ଦେଇଛନ୍ତି, ତାହା ହେଲା ତାଙ୍କର ନିଜର ଲୁକ୍କାୟିତ ‘ଜେନୋଫୋବିଆ’।