ପରୀକ୍ଷା ମାଧ୍ୟମରେ ଜଣାପଡ଼ିଥାଏ କେଉଁମାନେ ଏଥିରେ ସଫଳତା ହାସଲ କରିପାରନ୍ତି ଓ କେଉଁମାନେ ସେଥିରେ ବିଫଳ ହୁଅନ୍ତି। ଏହି ସଫଳ-ବିଫଳ ଚିହ୍ନଟ ପ୍ରକ୍ରିୟା ସମସ୍ତ ଶିକ୍ଷାର୍ଥୀମାନଙ୍କୁ ଅଧ୍ୟୟନରେ ଅଧିକ ମନୋନିବେଶ କରିବାକୁ ପ୍ରବୃତ୍ତ କରିଥାଏ, ଯାହା ସଂପୃକ୍ତ ସମାଜର ମାନବ ସମ୍ବଳର ଗୁଣାତ୍ମକ ମାନରେ ଉନ୍ନତି ଘଟିବା ନିଶ୍ଚିତ କରିଥାଏ। ସଂପୃକ୍ତ ସମାଜର ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷାଦାନ ମଧ୍ୟ ସେଇ ଅନୁଯାୟୀ ରୂପ ଗ୍ରହଣ କରିଥାଏ। ରାହୁଳ ଗାନ୍ଧୀଙ୍କର ଉପରୋକ୍ତ ପ୍ରସ୍ତାବ ସ୍ପଷ୍ଟ ଭାବରେ ପ୍ରଶ୍ନପତ୍ରର ମାନ ପରିବର୍ତ୍ତନ ଓ ତେଣୁ ଶିକ୍ଷାଦାନର ମାନ ପରିବର୍ତ୍ତନ ପ୍ରତି ଇଙ୍ଗିତ କରୁଛି, ଯାହାର ଅନ୍ତିମ ପରିଣାମ ହେବ ଏକ ସାମଗ୍ରିକ ଅବକ୍ଷୟ। ସେ ଏଭଳି ଉଦ୍ୟମରୁ ନିବୃତ୍ତ ହେବା ଉଚିତ।

Advertisment

ବର୍ତ୍ତମାନ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କର ବିଚକ୍ଷଣ ମସ୍ତିଷ୍କରୁ ନିର୍ଗତ ହୋଇଥିବା ଯେଉଁ ଏକ ସଦ୍ୟତମ ବୈପ୍ଳବିକ ଚିନ୍ତାଧାରା ପ୍ରଥମେ ସାମାଜିକ ଗଣମାଧ୍ୟମ ଓ ପରେ ମୁଖ୍ୟ‌େସ୍ରାତ ଗଣମାଧ୍ୟମରେ ପ୍ରସାରିତ ହୋଇ ବୁଦ୍ଧିଜୀବୀ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି, ତାହା ବିଶ୍ବବିଖ୍ୟାତ ନାଇଜେରୀୟ ଔପନ୍ୟାସିକ ସ୍ବର୍ଗୀୟ ଚିନୁଆ ଆଚେବେଙ୍କର ଅନୁରାଗୀମାନଙ୍କୁ ତତ୍‌କ୍ଷଣାତ୍‌ ତାଙ୍କର ଏକ ପ୍ରସିଦ୍ଧ ତଥା ସୁପରିଚିତ ଉକ୍ତି ମନେ ପକାଇ ଦେଇଥାଏ। ସେଇ ଉକ୍ତିଟି ହେଲା: ‘‘ସିଂହମାନଙ୍କୁ ଯେ ପର୍ଯ୍ୟନ୍ତ ନିଜର ଜଣେ ଐତିହାସିକ ମିଳି ନାହାନ୍ତି, ସେ ପର୍ଯ୍ୟନ୍ତ ଶିକାରର ଇତିହାସ ସର୍ବଦା ଶିକାରୀର ଗୌରବ ଗାନ କରି ଚାଲିଥିବ।’’
ଏହା ଲେଖା‌ ହେବା ପର୍ଯ୍ୟନ୍ତ ରାହୁଳ ଗାନ୍ଧୀ କିମ୍ବା କଂଗ୍ରେସ, କେହି ହେଲେ ଖଣ୍ଡନ କରି ନ ଥିବା ସୋସିଆଲ୍ ମିଡିଆରେ ପ୍ରସାରିତ ହେଉଥିବା ଏକ ଭିଡିଓରେ ରାହୁଳ ଗାନ୍ଧୀ କେତେକ ଲୋକଙ୍କୁ କହିବା ଦେଖାଯାଇଛି: ‘‘କୃଷ୍ଣକାୟ ଓ ସ୍ପେନୀୟ ମୂଳର ଲୋକମାନେ ଏହି ପରୀକ୍ଷାରେ ଭଲ କରନ୍ତି ନାହିଁ ବୋଲି ବିଚାର କରାଯାଇଥାଏ। ଶ୍ବେତକାୟମାନେ ଏଥିରେ ଚମତ୍କାର ସଫଳତା ହାସଲ କରିବା ଦେଖାଯାଇଥାଏ। ଦିନେ ଜଣେ ପ୍ରଫେସର୍ ଏକ ପ୍ରସ୍ତାବ ଦେଲେ ଯେ କୃଷ୍ଣକାୟମାନେ ପ୍ରଶ୍ନପତ୍ର ପ୍ରସ୍ତୁତ କରନ୍ତୁ ଏବଂ ଶ୍ବେତକାୟମାନେ ପରୀକ୍ଷାରେ ବସି ଉତ୍ତର ଲେଖନ୍ତୁ। ‌ତୁମେ ଜାଣିଛ ଏହା ପରେ କ’ଣ ଘଟିଲା? ସମସ୍ତେ ଶ୍ବେତକାୟମାନେ ପରୀକ୍ଷାରେ ଫେଲ୍ ହେଲେ।’’ ଅର୍ଥାତ୍ ଚିନୁଆ ଆଚେବେ କହିଥିବା ଭଳି ଶିକାରର ଇତିହାସ ଯେତେବେଳେ ଶିକାରୀମାନଙ୍କର ଐତିହାସିକଙ୍କ ଦ୍ବାରା ରଚିତ ହୋଇଥାଏ, ସେଥିରେ ଦର୍ଶାଯାଇଥାଏ- ଶିକାରୀମାନେ ବିଜୟ ଲାଭ କଲେ; ଯେତେବେଳେ ସିଂହମାନଙ୍କର ନିଜର ଐତିହାସିକ ସେଇ ଇତିହାସ ରଚନା କରନ୍ତି, କାହାଣୀ ପୂରା ଓଲଟିଯାଇ ସିଂହମାନେ ବୀରତ୍ବର ସହ ବିଜୟୀ ହୋଇଥିବା ଜଣାପଡ଼େ।
ରାହୁଳ ଗାନ୍ଧୀ ଏଥିରେ ଯେଉଁ ପରୀକ୍ଷା ସମ୍ବନ୍ଧରେ କହିଛନ୍ତି, ତାହା ହେଉଛି ଆମେରିକାରେ ପ୍ରଚଳିତ ‘ସ୍କଲାଷ୍ଟିକ୍ ଆସେସ୍‌ମେଣ୍ଟ୍ ଟେଷ୍ଟ୍’ ବା ସଂକ୍ଷେପରେ ‘ସ୍ୟାଟ୍’। ଉଚ୍ଚଶିକ୍ଷା ଲାଭ କରିବା ପାଇଁ କଲେଜରେ ପ୍ରବେଶ କରିବା ପାଇଁ ସେଠାରେ ଛାତ୍ରଛାତ୍ରୀମାନଙ୍କୁ ଏହି ଯୋଗ୍ୟତା ବା ମେଧା ନିରୂପଣକାରୀ ପରୀକ୍ଷା ଦେବାକୁ ହୋଇଥାଏ, ଯାହାକୁ ରାହୁଳ ଗାନ୍ଧୀ ଭାରତରେ ପ୍ରଚଳିତ ‘ଆଇଆଇଟି-ଜେଇଇ’ ସହିତ ତୁଳନା କରିଛନ୍ତି। ସେଇ ପ୍ରସଙ୍ଗରେ ରାହୁଳ ମେଧା ସଂପର୍କରେ ଏକ ସଂପୂର୍ଣ୍ଣ ମୌଳିକ ବିଚାର ପ୍ରକଟ କରି କହିଛନ୍ତି: ‘‘କିଏ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛି, ତା’ ଉପରେ ମେଧା ନିର୍ଭର କରିଥାଏ।’’ ଏହା ପରେ ସେ ନିଜର ଏହି ଚିନ୍ତାଧାରାକୁ ଭାରତ ପରିପ୍ରେକ୍ଷୀରେ ପ୍ରୟୋଗ କରି ଆମର ‘ଆଇଆଇଟି-ଜେଇଇ’ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଘଟାଇବା ପାଇଁ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି: ‘‘ତୁମେ ଯଦି କହୁଛ ସବର୍ଣ୍ଣମାନେ ପ୍ରଶ୍ନପତ୍ର ପ୍ରସ୍ତୁତ କରୁଥିବା ପରୀକ୍ଷାରେ ଦଳିତମାନେ ଫେଲ୍ ହେଉଛନ୍ତି, ତା’ ହେଲେ ଆମେ ଏକ କାମ କରିବା, ଆମେ ଦଳିତମାନଙ୍କ ଦ୍ବାରା ପ୍ରଶ୍ନପତ୍ର ପ୍ରସ୍ତୁତ କରାଇବା ଏବଂ ସବର୍ଣ୍ଣମାନଙ୍କୁ ସେ ପରୀକ୍ଷା ଦେବାକୁ କହିବା।’’ ରାହୁଳ ପ୍ରଦାନ କରିଥିବା ଉପରୋକ୍ତ ଉଦାହରଣକୁ ଅନୁସରଣ କରି କୁହାଯାଇପାରେ ‌େଯ ଦଳିତମାନେ ପ୍ରଶ୍ନପତ୍ର ପ୍ରସ୍ତୁତ କଲେ ସମସ୍ତ ସବର୍ଣ୍ଣ ପରୀକ୍ଷାର୍ଥୀମାନେ ପରୀକ୍ଷାରେ ଫେଲ୍ ହେବ ଓ ଦଳିତ ପରୀକ୍ଷାର୍ଥୀମାନେ ଚମତ୍କାର ସଫଳତା ହାସଲ କରିବେ।
ଚଳିତ ନିର୍ବାଚନରେ ରାହୁଳ ଗାନ୍ଧୀ ଆଶ୍ରୟ ନେଇଥିବା ଜାତିଆଣ ରାଜନୀତି ସହିତ ତାଙ୍କର ଏହି ଚିନ୍ତାଧାରା ବେଶ୍ ଖାପ୍‌ ଖାଇଯାଉଥିଲେ ହେଁ, ଏଥିରେ ଥିବା କେତେକ ଦୁର୍ବଳତାକୁ ଆଡ଼େଇ ଦେବା ସହଜ ନୁହେଁ। ପ୍ରଥମ କଥା ହେଲା ଆମେରିକାରେ କୃଷ୍ଣକାୟମାନେ ପ୍ରଶ୍ନପତ୍ର ପ୍ରସ୍ତୁତ କରିବା ପରେ ସମସ୍ତ ଶ୍ବେତକାୟମାନେ ପରୀକ୍ଷାରେ ଫେଲ୍ ହୋଇଯିବା କାହାଣୀଟିରେ କୌଣସି ସତ୍ୟତା ନାହିଁ, ଏହା ସଂପୂର୍ଣ୍ଣ କପୋଳକଳ୍ପିତ। ଦ୍ବିତୀୟରେ, ‘ସ୍ୟାଟ୍’ ପରୀକ୍ଷାରେ ପାସ୍-ଫେଲ୍ ନ ଥାଏ। ତୃତୀୟରେ, ଭାରତରେ ଦଳିତମାନଙ୍କ ମଧ୍ୟରେ ମେଧାର ଅଭାବ ନାହିଁ। ଚତୁର୍ଥରେ, ଏଠାରେ ଦଳିତମାନେ ସମ୍ମୁଖୀନ ହୋଇଆସିଥିବା ଦୀର୍ଘକାଳୀନ ସାମାଜିକ ବାଛବିଚାର ଓ ପ୍ରତିକୂଳ ପରିସ୍ଥିତିର ଭରଣା କରିବା ନିମିତ୍ତ ଆଇଆଇଟି ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନମାନଙ୍କରେ ସେମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯାଇଥାଏ। ପଞ୍ଚମରେ, ଗଣିତ, ବିଜ୍ଞାନ ଆଦି ଭଳି ‘ଆଇଆଇଟି-ଜେଇଇ’ ପରୀକ୍ଷାରେ ଅନ୍ତର୍ଭୁକ୍ତ ବିଷୟମାନ ହେଉଛନ୍ତି ସଂପୂର୍ଣ୍ଣ ରୂ‌େପ ଜାତି-ନିରପେକ୍ଷ; କୌଣସି ଜାତି ପାଇଁ ତାହା ସହଜ ଓ କୌଣସି ଜାତି ପାଇଁ ତାହା କଷ୍ଟ ବୋଲି ଏକ ଧାରଣା ପ୍ରସାର କରିବା ହେଉଛି ସଂପୂର୍ଣ୍ଣ ଉଦ୍ଭଟ ଓ ନିଃସଂଶୟରେ ଉଦ୍ଦେଶ୍ୟ-ପ୍ରଣୋଦିତ।
ଶିକାରୀମାନଙ୍କ ଉଦ୍ଦେଶ୍ୟରେ ସିଂହମାନଙ୍କର ଗର୍ଜନ ଭଳି ଚିନୁଆ ଆଚେବେଙ୍କ ଉପରୋକ୍ତ ଉକ୍ତିଟି ଥିଲା ନାଇଜେରିଆ ତଥା ଆଫ୍ରିକାର ଶ୍ବେତକାୟ ଔପନିବେଶକ ଶାସକମାନଙ୍କ ପ୍ରତି ଉଦ୍ଦିଷ୍ଟ ସମସ୍ତ କୃଷ୍ଣକାୟ ଆଫ୍ରିକୀୟମାନଙ୍କ ତରଫରୁ ଚିନୁଆ ଆଚେବେଙ୍କର ସିଂହ ରଡ଼ି। ନିର୍ଦ୍ଦିଷ୍ଟ ଭାବରେ କହିଲେ, ଶ୍ବେତାଙ୍ଗ ଇଉରୋପୀୟ ଦଖଲକାରୀମାନେ ସର୍ବଦା ଆଫ୍ରିକାର ମୂଳ ଅଧିବାସୀ ନିଗ୍ରୋମାନଙ୍କର ସଂସ୍କୃତି ଓ ଇତିହାସକୁ ଯେଉଁଭଳି ନିକୃଷ୍ଟ କରି ପ୍ରଦର୍ଶିତ କରି ଆସିଛନ୍ତି, ଚିନୁଆ ଆଚେବେଙ୍କର କେବଳ ସେଇ ଉକ୍ତି ନୁହେଁ, ତାଙ୍କର ସମସ୍ତ ଅନବଦ୍ୟ ସାହିତ୍ୟ କୃତି ଥିଲା ସେଥିରେ ପରିବର୍ତ୍ତନ ଘଟାଇ ପ୍ରକୃତ ଚିତ୍ର ପ୍ରଦାନ କରି ଆଫ୍ରିକୀୟମାନଙ୍କର ଆତ୍ମସମ୍ମାନ ପୁନରୁଦ୍ଧାର କରିବା ପାଇଁ ଶକ୍ତିଶାଳୀ ଉଦ୍ୟମ। ପରୀକ୍ଷାର ପ୍ରଶ୍ନପତ୍ରରେ ପରିବର୍ତ୍ତନ ଘଟାଇବା ଏଭଳି ଉଦ୍ୟମର ଅଂଶ ରୂପେ କଳ୍ପନା କରାଯାଇପାରିବ ନାହିଁ।
ରାହୁଳ ଗାନ୍ଧୀଙ୍କ ଆହ୍ବାନର ମର୍ମ ବୁଝିବାକୁ ହେଲେ ଆମ ପାଇଁ ଯାହାଙ୍କର ସାହାଯ୍ୟ ଅଧିକ ଫଳପ୍ରଦ ହେବ ବୋଲି ମନେ ହୁଏ, ସେ ହେଉଛନ୍ତି ବିଂଶ ଶତାବ୍ଦୀର ଅନ୍ୟତମ ପ୍ରସିଦ୍ଧ ଫରାସୀ ଦାର୍ଶନିକ ମିଚେଲ୍ ଫୁକୋ। ଫୁକୋ ତାଙ୍କର ବହୁଚର୍ଚ୍ଚିତ ରଚନା, ‘ଦି ମିନ୍‌ସ ଅଫ୍ କରେକ୍ଟ ଟ୍ରେନିଙ୍ଗ୍’ (‘ସଠିକ୍ ତାଲିମର ଉପାୟ’)ରେ ସମାଜ ପାଇଁ ଶିକ୍ଷା, ଶୃଙ୍ଖଳା ଓ ପରୀକ୍ଷାର ମହତ୍ତ୍ବ ସମ୍ବନ୍ଧରେ ପ୍ରଦାନ କରିଥିବା ତାଙ୍କର ସୁଚିନ୍ତିତ ମତାମତ ହେଉଛି ଅତି ସଂକ୍ଷେପରେ ନିମ୍ନରେ ବର୍ଣ୍ଣନା କରାଯାଇଥିବା ଭଳି।
ଫୁକୋଙ୍କ କହିବା ଅନୁସାରେ ଶିକ୍ଷାରେ ଏକ ଉଚ୍ଚ ମାନ ହାସଲ କରିବାକୁ ହେଲେ ଓ ରକ୍ଷା କରିବାକୁ ହେଲେ କଠୋର ଶୃଙ୍ଖଳା ଆବଶ୍ୟକ ହୋଇଥାଏ। ଫୁକୋ ଏହି ଶୃଙ୍ଖଳାର ଧାରଣା ଆଣିଛନ୍ତି ସାମରିକ ବାହିନୀର ସଂସ୍କୃତିରୁ। ସେନାବାହିନୀରେ ଅନ୍ତର୍ଭୁକ୍ତ ସୈନ୍ୟମାନଙ୍କୁ ଏକ ପୂର୍ବ ନିର୍ଦ୍ଧାରିତ ମାନ ରକ୍ଷା କରି କାର୍ଯ୍ୟ କରିବାକୁ ହୋଇଥାଏ ଏବଂ ଯେଉଁ ସୈନ୍ୟ ଜଣେ ଏଥିରେ ବିଚ୍ୟୁତି ପ୍ରଦର୍ଶନ କରନ୍ତି, ସେଥିପାଇଁ ସେ ଦଣ୍ଡିତ ହୋଇଥାନ୍ତି। ଏହି କଠୋର ଶୃଙ୍ଖଳା ମାଧ୍ୟମରେ ହିଁ ସେନାବାହିନୀର ଦକ୍ଷତା ରକ୍ଷା ସମ୍ଭବ ହୋଇଥାଏ।
ଶିକ୍ଷା କ୍ଷେତ୍ରରେ ସେଇଭଳି ଏକ ନିର୍ଦ୍ଦିଷ୍ଟ ସ୍ତରର ମେଧାକୁ ମାନକ ରୂପେ ଗ୍ରହଣ କରାଯାଇଥାଏ। ସମସ୍ତ ଶିକ୍ଷାର୍ଥୀମାନେ ଜାଣିଥାନ୍ତି ଯେ ସେମାନେ ସେଇ ମାନ ହାସଲ କରିବେ ବୋଲି ସମଗ୍ର ସମାଜ ଆଶା କରିଥାଏ। ପରୀକ୍ଷା ମାଧ୍ୟମରେ ଜଣାପଡ଼ିଥାଏ କେଉଁମାନେ ଏଥିରେ ସଫଳତା ହାସଲ କରିପାରନ୍ତି ଓ କେଉଁମାନେ ସେଥିରେ ବିଫଳ ହୁଅନ୍ତି। ଏହି ସଫଳ-ବିଫଳ ଚିହ୍ନଟ ପ୍ରକ୍ରିୟା ସମସ୍ତ ଶିକ୍ଷାର୍ଥୀମାନଙ୍କୁ ଅଧ୍ୟୟନରେ ଅଧିକ ମନୋନିବେଶ କରିବାକୁ ପ୍ରବୃତ୍ତ କରିଥାଏ, ଯାହା ସଂପୃକ୍ତ ସମାଜର ମାନବ ସମ୍ବଳର ଗୁଣାତ୍ମକ ମାନରେ ଉନ୍ନତି ଘଟିବା ନିଶ୍ଚିତ କରିଥାଏ। ସଂପୃକ୍ତ ସମାଜର ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷାଦାନ ମଧ୍ୟ ସେଇ ଅନୁଯାୟୀ ରୂପ ଗ୍ରହଣ କରିଥାଏ। ରାହୁଳ ଗାନ୍ଧୀଙ୍କର ଉପରୋକ୍ତ ପ୍ରସ୍ତାବ ସ୍ପଷ୍ଟ ଭାବରେ ପ୍ରଶ୍ନପତ୍ରର ମାନ ପରିବର୍ତ୍ତନ ଓ ତେଣୁ ଶିକ୍ଷାଦାନର ମାନ ପରିବର୍ତ୍ତନ ପ୍ରତି ଇଙ୍ଗିତ କରୁଛି, ଯାହାର ଅନ୍ତିମ ପରିଣାମ ହେବ ଏକ ସାମଗ୍ରିକ ଅବକ୍ଷୟ। ସେ ଏଭଳି ଉଦ୍ୟମରୁ ନିବୃତ୍ତ ହେବା ଉଚିତ।