ଶୁଖିଲା ହାଡ଼ର ସ୍ବାଦ

ଏଥିରେ ଦ୍ବିରୁକ୍ତି ନାହିଁ ଯେ ଜାମ୍ମୁକାଶ୍ମୀରକୁ ଭାରତଠାରୁ ଛଡ଼ାଇ ନେବାର ଅପ୍ରତିହତ ଆଗ୍ରହାତିଶଯ୍ୟ ହିଁ ପାକିସ୍ତାନକୁ ଆଜି ସାମାଜିକ-ରାଜନୈତିକ-ଆର୍ଥିକ ଦୁଃସ୍ଥିତିର ଘୂର୍ଣ୍ଣିଝଡ଼ ମଧ୍ୟକୁ ନିକ୍ଷେପ କରିଛି। କାଶ୍ମୀର କାରଣରୁ ହିଁ ପାକିସ୍ତାନ ପକ୍ଷରୁ ଭାରତ ପ୍ରତି ତିକ୍ତତା ଓ ଶତ୍ରୁତା ଏ ଯାବତ୍‌ ବଳବତ୍ତର ରହିଛି ଏବଂ ପାକିସ୍ତାନ ତା’ର ଆର୍ଥିକ ସମ୍ବଳର ଅଧିକାଂଶ ଭାଗ ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ କରିବା ପରିବର୍ତ୍ତେ ଏକ ଅହେତୁକ ଭାବେ ବିଶାଳ ସାମରିକ ବାହିନୀ ଓ ଆତଙ୍କବାଦୀ ସଂଗଠନକୁ ପରିପୁଷ୍ଟ କରିବାରେ ବିନିଯୋଗ କରିଛି।

ପାକିସ୍ତାନ ଅଧିକୃତ କାଶ୍ମୀର ବା ‘ପି.ଓ.କେ.’ରେ ଦେଖା ଦେଇଥିବା ପ୍ରବଳ ଜନ ଅସନ୍ତୋଷ ଓ ସେହି କ୍ରମରେ ଗଲା ୧୪ ତାରିଖ ଦିନ ବିକ୍ଷୋଭକାରୀଙ୍କ ଉପରେ ପାକିସ୍ତାନୀ ରେଂଜରମାନଙ୍କ ଗୁଳି ଚାଳନାରେ ତିନି ଜଣଙ୍କ ପ୍ରାଣହାନି ଘଟିବା ଭଳି ଘଟଣା କେବଳ ଯେ ପାକିସ୍ତାନ ସକାଶେ ନୂଆ ମୁଣ୍ଡବ୍ୟଥାର ଲକ୍ଷଣ ରୂପେ ଉଭା ହୋଇଛି ତାହା ନୁହେଁ, ଏକ ଈର୍ଷାତୁର, ଅସହିଷ୍ଣୁ ଓ ନିଷ୍ଫଳା ଜିଦିରେ ଅନ୍ଧ ରାଷ୍ଟ୍ର କିଭଳି ଆତ୍ମଘାତରେ ମଗ୍ନ ରହିପାରେ ତାହାର ଦୃଷ୍ଟାନ୍ତ ମଧ୍ୟ ଏହା ଦ୍ବାରା ସ୍ଥାପିତ ହୋଇଛି। ଅବଶ୍ୟ, ଇତିମଧ୍ୟରେ ପାକିସ୍ତାନ ସରକାର ବିକ୍ଷୋଭକାରୀମାନଙ୍କ ଦାବିକୁ ମାନ ନେଇ ‘ପି.ଓ.କେ.’ ଅଞ୍ଚଳ ସକାଶେ ୨୩ ବିଲିଅନ୍‌ ପାକିସ୍ତାନୀ ଟଙ୍କାର ଅନୁଦାନ ରାଶି ସଂପର୍କରେ ଘୋଷଣା କରିଛନ୍ତି, ତଥାପି ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି ଯେ ଏହି ସମସ୍ୟା ପାଉଁଶ ତଳର ନିଆଁ ଭଳି ରହିବ, ଯାହା ସମୟ କ୍ରମେ ବାଡ଼ବାଗ୍ନିର ରୂପ ନେଇପାରେ। ଏଭଳି ଏକ ସ୍ଥିତିରେ ଆତ୍ମଘାତ ପ୍ରବୃତ୍ତ ପାକିସ୍ତାନ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଏହା ସୁବିଦିତ ଯେ ପରାଧୀନତାର ଗର୍ଭରୁ ଏକା ଦିନେ ଜନ୍ମ ଲାଭ କରିଥିବା ଦୁଇ ସହୋଦର ରାଷ୍ଟ୍ର ଚରମ ଭଗାରିରେ ପରିଣତ ହେବା ପରେ ଅହେତୁକ ଶତ୍ରୁତା ଓ ପ୍ରତିଶୋଧରେ ଦଗ୍‌ଧୀଭୂତ ପାକିସ୍ତାନର ଆଜି ଏଭଳି ସ୍ଥିତିରେ ଯେ ଏହାର ଅଭିବୃଦ୍ଧି ହାର ହେଉଛି ମାତ୍ର ୦.୧୭%, ଯେଉଁଠି ଭାରତରେ ତାହା ୭% ପ୍ରତିଶତ ଏବଂ ଯାହାକୁ ପୃଥିବୀର ଦ୍ରୁତତମ ବୋଲି ମଧ୍ୟ ଅଭିହିତ କରାଯାଉଛି। ସଂପ୍ରତି ପାକିସ୍ତାନ ନିକଟରେ ଉପଲବ୍‌ଧ ବୈଦେଶିକ ମୁଦ୍ରା କେବଳ ଗୋଟିଏ ମାସ ସକାଶେ ତା’ର ଆମଦାନି ଆବଶ୍ୟକତା ପୂରଣ କରିବାକୁ ସମର୍ଥ, ଅଥଚ ଭାରତରେ ମହଜୁଦ ବୈଦେଶିକ ମୁଦ୍ରାର ପରିମାଣ ହେଉଛି ୬୪୦ ବିଲିଅନ୍‌ ଆମେରିକୀୟ ଡଲାର। ନିକଟରେ ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ ବା ‘ଆଇ.ଏମ୍‌.ଏଫ୍‌’ ନିକଟରୁ ଲାଭ କରିଥିବା ୩ ବିଲିଅନ୍‌ ଡଲାରର ଋଣ ପରେ ବର୍ତ୍ତମାନ ପାକିସ୍ତାନ ପୁନର୍ବାର ୬ ବିଲିଅନ୍‌ ଡଲାର ସାହାଯ୍ୟ ଲାଗି ଅନୁରୋଧ କରିଥିବା ପରିପ୍ରେକ୍ଷୀରେ ‘ଆଇ.ଏମ୍‌.ଏଫ୍’ର ଆକଳନ କହିଥାଏ ଯେ ପାକିସ୍ତାନର ଆର୍ଥିକ ଦୁରବସ୍ଥା ସୁଧାରିବା ଲାଗି ଅନ୍ତତଃ ପକ୍ଷେ ୧୨୩ ବିଲିଅନ୍‌ ଡଲାରର ଆବଶ୍ୟକତା ରହିଛି, ଯାହା ହୁଏତ ପାକିସ୍ତାନ ଲାଗି ଅତ୍ୟନ୍ତ କଷ୍ଟଲବ୍‌ଧ, ଏପରିକି ଦୁଷ୍ପ୍ରାପ୍ୟ ମଧ୍ୟ ହୋଇପାରେ। ପାକିସ୍ତାନୀ ଟଙ୍କାର ସ୍ବାସ୍ଥ୍ୟ ମଧ୍ୟ ବର୍ତ୍ତମାନ ଅତ୍ୟନ୍ତ ଦୁର୍ବଳ (ଏକ ଡଲାର ବଦଳରେ ୨୨୦ ପାକିସ୍ତାନୀ ଟଙ୍କା) ଏବଂ ସେଠା‌ରେ ଖାଉଟି ମୁଦ୍ରାସ୍ଫୀତି ଅତ୍ୟନ୍ତ ଉଚ୍ଚା ଅର୍ଥାତ୍‌ ୩୨ ପ୍ରତିଶତ (ଭାରତରେ ୫ ପ୍ରତିଶତ)। ଏଭଳି ସ୍ଥଳେ ଅତ୍ୟନ୍ତ ଅସନ୍ତୁଷ୍ଟ ପାକିସ୍ତାନୀମାନେ ସେମାନଙ୍କ ଦେଶର ସ୍ଥିତିକୁ ଭାରତ ସହିତ ତୁଳନା କରି ନିଜ ସରକାରଙ୍କ ବିରୋଧରେ ବିଷୋଦ୍‌ଗାର କରିବାରେ ବିସ୍ମିତ ହେବାର କୌଣସି କାରଣ ନ ଥାଏ। ପ୍ରକାଶ ଥାଉ କି ‘ପି.ଓ.କେ.’ରେ ପ୍ରାୟ କିଛି ମାସ ହେଲାଣି ବେଳେବେଳେ ଏଭଳି ଜନ ଅସନ୍ତୋଷ ପ୍ରତିବାଦ ଶୋଭାଯାତ୍ରା ରୂପେ ପ୍ରକଟିତ ହେଉଛି, ଯହିଁରେ ସେମାନେ ଭାରତ ସହିତ ମିଳିତ ହେବାର ଅଭିପ୍ରାୟ ମଧ୍ୟ ପ୍ରକାଶ କରୁଛନ୍ତି। କହିବା ବାହୁଲ୍ୟ, ପାକିସ୍ତାନ ସରକାରଙ୍କ ଲାଗି ଏହା ତୀବ୍ର ଅସ୍ବସ୍ତିର କାରଣ ହେଉଥିବ। ଏହି ପୃଷ୍ଠଭୂମିରେ ଅନେକ ପର୍ଯ୍ୟବେକ୍ଷକ କହିଥାଆନ୍ତି ଯେ ଅଟା ଓ ବିଜୁଳି ଦରରେ ମାତ୍ରାଧିକ ବୃଦ୍ଧି ବିରୋଧରେ ସ୍ଥାନୀୟ ବ୍ୟବସାୟୀମାନଙ୍କ ଦ୍ବାରା ଆୟୋଜିତ ଏକ ଶାନ୍ତିପୂର୍ଣ୍ଣ ଓ ଅଣରାଜନୈତିକ ଶୋଭାଯାତ୍ରା ଉପରେ ସଶସ୍ତ୍ର ପାରା-ମିଲିଟାରି (ରେଂଜର) ବାହିନୀର ଗୁଳି ଚାଳନା ହେଉଛି ‘ପି.ଓ.କେ.’ ବାସିନ୍ଦାଙ୍କ ପ୍ରତି ସରକାରୀ ବିରକ୍ତିର ଏକ ପରିପ୍ରକାଶ ମାତ୍ର। ସୁତରାଂ, ଏହା ପରେ ସେହି ପ୍ରଶ୍ନଟି ଅଧିକ ଶାଣିତ ସ୍ବରେ ପଚରାଯାଉଛି ଯେ ‘ଆଜାଦ୍‌ କାଶ୍ମୀର’ ସତରେ କେତେ ଆଜାଦ୍‌?
ଯଦିଓ ପାକ୍‌-ଅଧିକୃତ କାଶ୍ମୀରକୁ ପାକିସ୍ତାନ ପକ୍ଷରୁ ‘ଆଜାଦ୍‌ କାଶ୍ମୀର’ ରୂପେ ଅଭିହିତ କରାଯାଏ, ତାହା କୌଣସି ଦୃଷ୍ଟିକୋଣରୁ ଆଜାଦ୍‌ ବା ସ୍ବାଧୀନ ନୁହେଁ; ଏବଂ ପାକିସ୍ତାନ ଦ୍ବାରା ଲିଖିତ ଏକ ଅସ୍ଥାୟୀ (କାମଚଳା) ସଂବିଧାନ, ପାକିସ୍ତାନ ସରକାରଙ୍କ ତତ୍ତ୍ବାବଧାନ ଓ ନିର୍ଦ୍ଦେଶରେ ପରିଚାଳିତ ଏକ କାଉନସିଲରୁ ପ୍ରବାହିତ କ୍ଷମତାର ସ୍ରୋତ ଏବଂ ପାକିସ୍ତାନ ସରକାରଙ୍କ ଠାରୁ ପ୍ରାପ୍ତ ଆର୍ଥିକ ଅନୁଦାନ କାରଣରୁ ଏହା ନିଜକୁ ‘ଆଜାଦ୍‌’ ବୋଲି ବିଚାର କରିବା ବା ସେଭଳି ଆଚରଣ ପ୍ରଦର୍ଶନ କରିବାର କୌଣସି ସମ୍ଭାବନା ମଧ୍ୟ ନ ଥାଏ। ପ୍ରକାଶ ଥାଉ କି ୧୯୪୫ ମସିହା ବେଳକୁ ସ୍ବାଧୀନତାର ସମ୍ଭାବନା ଓ ଦେଶ ବିଭାଜନର ଉଦ୍‌ବେଗର ଘନଘଟା ମଧ୍ୟରେ ଭାରତ ସପକ୍ଷବାଦୀ ଶେଖ ଅବଦୁଲ୍ଲାଙ୍କ ‘ନେସ୍‌ନାଲ୍‌ କନ୍‌ଫରେନ୍‌ସ’ ବିରୋଧରେ ପୁଞ୍ଚରେ ଆତ୍ମପ୍ରକାଶ ଲାଭ କରିଥିଲା ପାକିସ୍ତାନ ସପକ୍ଷବାଦୀ ମୁସଲିମ କନ୍‌ଫରେନ୍‌ସ, ଯାହାର ନେତୃତ୍ବ ନେଇଥିଲେ ସର୍ଦାର ଇବ୍ରାହିମ। ସେ ହିଁ ‘ଆଜା‌ଦ୍‌ କାଶ୍ମୀର’ ଭଳି ଅଭିବ୍ୟକ୍ତିର ସୂତ୍ରଧର, ଅର୍ଥାତ୍‌ ଉଭୟ ଭାରତ ଓ ପାକିସ୍ତାନର ପ୍ରଭାବରୁ ମୁକ୍ତ କାଶ୍ମୀର ଏକ ‘ଆଜାଦ୍‌’ ଅଞ୍ଚଳ ହୋଇ ରହିବ ଏବଂ ତାହାକୁ ସାବ୍ୟସ୍ତ କରିବା ଲାଗି ଧର୍ମକୁ ଆଖି ଠାର ମାରିଲା ଭଳି ‘ପାକ୍‌-ଅଧିକୃତ କାଶ୍ମୀର’କୁ ଏବେ ବି ପାକିସ୍ତାନ ପକ୍ଷରୁ ‘ଆଜାଦ୍‌ କାଶ୍ମୀର’ ରୂପେ ଅଭିହିତ କରାଯାଉଛି। କିନ୍ତୁ ବିଡ଼ମ୍ବନା ହେଲା, ଆଜାଦ୍‌ କାଶ୍ମୀରର ସ୍ଥିତି ସର୍ବତ୍ର ପ୍ରଘଟ ହୋଇ ପାକିସ୍ତାନର କପଟାଚାରକୁ ପ୍ରାଂଜଳ କରୁଥିବା ବେଳେ ସେହି ଦେଶ କିନ୍ତୁ ଏଭଳି ଆତ୍ମ-ପ୍ରବଞ୍ଚନାରୁ ମୁକ୍ତ ହୋଇପାରୁନାହିଁ।
ଏଥିରେ ଦ୍ବିରୁକ୍ତି ନାହିଁ ଯେ ଜାମ୍ମୁକାଶ୍ମୀରକୁ ଭାରତଠାରୁ ଛଡ଼ାଇ ନେବାର ଅପ୍ରତିହତ ଆଗ୍ରହାତିଶଯ୍ୟ ହିଁ ପାକିସ୍ତାନକୁ ଆଜି ସାମାଜିକ-ରାଜନୈତିକ-ଆର୍ଥିକ ଦୁଃସ୍ଥିତିର ଘୂର୍ଣ୍ଣିଝଡ଼ ମଧ୍ୟକୁ ନିକ୍ଷେପ କରିଛି। କାଶ୍ମୀର କାରଣରୁ ହିଁ ପାକିସ୍ତାନ ପକ୍ଷରୁ ଭାରତ ପ୍ରତି ତିକ୍ତତା ଓ ଶତ୍ରୁତା ଏ ଯାବତ୍‌ ବଳବତ୍ତର ରହିଛି ଏବଂ ପାକିସ୍ତାନ ତା’ର ଆର୍ଥିକ ସମ୍ବଳର ଅଧିକାଂଶ ଭାଗ ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ କରିବା ପରିବର୍ତ୍ତେ ଏକ ଅହେତୁକ ଭାବେ ବିଶାଳ ସାମରିକ ବାହିନୀ ଓ ଆତଙ୍କବାଦୀ ସଂଗଠନକୁ ପରିପୁଷ୍ଟ କରିବାରେ ବିନିଯୋଗ କରିଛି। ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି ଯେ ତାଲିବାନ ଆତଙ୍କବାଦୀ ସଂଗଠନକୁ ଜନ୍ମ ଦେଇ ଓ ବ୍ୟବହାର କରି ୧୯୮୪ ମସିହାରେ ଆଫଗାନିସ୍ତାନରୁ ସୋଭିଏତ୍‌ ଶାସନର ବିଲୟ ଘଟାଇବା ପରେ ପାକିସ୍ତାନର ମନୋବଳ ଏଭଳି ବୃଦ୍ଧି ପାଇଥିଲା ଯେ ଜାମ୍ମୁକାଶ୍ମୀରରେ ସେହି ସଫଳତାର ପୁନରାବୃତ୍ତି ଘଟାଇବା ଉଦ୍ୟମରେ ମଜ୍ଜି ରହିଥିଲା। କହିବା ଅନାବଶ୍ୟକ ଯେ ଏହି କ୍ରମରେ ପାକିସ୍ତାନ ପ୍ରାୟୋଜିତ ଅାତଙ୍କବାଦ ଦ୍ବାରା ଭାରତ ଗଭୀର ଭାବେ କ୍ଷତବିକ୍ଷତ ହୋଇଛି; କିନ୍ତୁ, ଏହା ମଧ୍ୟ ସତ ଯେ ଏଥିରେ ମଜ୍ଜି ରହିବାର ଉପହାର ସ୍ବରୂପ ପାକିସ୍ତାନକୁ ମିଳିଛି ଏକ ଦୁର୍ନୀତିଗ୍ରସ୍ତ କ୍ଷମତାଲୋଭୀ ସାମରିକ ବାହିନୀ, ‌େସହି ସାମରିକ ବାହିନୀର ଆଜ୍ଞାବହ ଏକ ଅତ୍ୟନ୍ତ ଅସ୍ଥିର ଓ ଦୁର୍ବଳ ଗଣତନ୍ତ୍ର, ଚରମ ମୌଳବାଦର ରାଜୁତି ଓ ସର୍ବୋପରି ଆତଙ୍କବାଦୀ ଗୋଷ୍ଠୀଙ୍କ ଉପଦ୍ରବ, ଯାହା ସେଠାକାର ସାଧାରଣ ଜୀବନକୁ ଦୁର୍ବିଷହ କରି ଦେଇଛି। ତଥାପି କାଶ୍ମୀରର ଦୁର୍ବାର ଲାଳସା ପ୍ରଶମିତ ହେଉନାହିଁ, ଠିକ୍‌ ସେହି ନିର୍ବୋଧ ଶ୍ବାନ ଭଳି ଯିଏ ଶୁଖିଲା ହାଡ଼ରୁ ରସ ଆସ୍ବାଦନ କରିବା ଲାଗି ତାକୁ ଚୋବାଇ ଚାଲିବା କ୍ରମରେ ନିଜ କ୍ଷତବିକ୍ଷତ ପାଟିରୁ ଝରୁଥିବା ଆପଣା ଶୋଣିତର ସ୍ବାଦ‌େର ତଲ୍ଲୀନ ରହି ସବୁ କିଛି ଭୁଲିଯାଏ। କାଶ୍ମୀର ଲାଭ କରିବାର ନିଷ୍ଫଳା ଉଦ୍ୟମରେ ମଗ୍ନ ରହି ଆତ୍ମଘାତ କରି ଚାଲିଥିବା ପାକିସ୍ତାନ ସେହି ଶ୍ବାନତୁଲ୍ୟ ଦିଶି ନ ଥାଏ କି?

ସମ୍ବନ୍ଧିତ ଖବର