ଆନ୍ତର୍ଜାତିକ ବଜାରରେ ଇନ୍ଧନ ଦର ନୀଚା ଥିବାବେଳେ ଭାରତରେ ‘ଜିଏସ୍ଟି’ରେ ଥିବା ଏହି ବିକୃତି ଉଭୟ ଭାରତୀୟ ଖାଉଟି ଓ ଶିଳ୍ପବାଣିଜ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହେଉଛି। ରାଜ୍ୟ ସରକାରମାନଙ୍କର କ୍ଷତି ଭରଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସଂଗୃହୀତ ରାଜସ୍ବର ଅଧିକ ସୁଷମ ବଣ୍ଟନ ନିମିତ୍ତ ବ୍ୟବସ୍ଥା କରାଯାଇପାରିବ। ଆଶା କରାଯାଏ ଶନିବାର ଦିନ ବସିବାକୁ ଯାଉଥିବା ବୈଠକରେ ଏଇ ସମସ୍ତ ଅତ୍ୟାବଶ୍ୟକ ପଦେକ୍ଷପ ନେବା ପାଇଁ ‘ଜିଏସ୍ଟି କାଉନ୍ସିଲ୍’ ପଛଘୁଞ୍ଚା ଦେବନାହିଁ- ନୂତନ ସରକାରଙ୍କ ପାଇଁ ଏହା ଏକ ଗୌରବମୟ ପ୍ରାରମ୍ଭିକ ଉପଲବ୍ଧି ହେବ।
ଆସନ୍ତା ୨୨ ତାରିଖରେ ‘ଜିଏସ୍ଟି କାଉନ୍ସିଲ୍’ର ୫୩ତମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହା ନିର୍ବିବାଦରେ କୁହାଯାଇପାରେ ଯେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ‘ଏନ୍ଡିଏ’ ସରକାରର ବିଗତ ଦୁଇ ପାଳି ଶାସନ ସମୟରେ ଦେଶରେ ଯେଉଁ ସମସ୍ତ ଅର୍ଥନୈତିକ ସଂସ୍କାରମାନ କାର୍ଯ୍ୟକାରୀ ହୋଇଛି, ସେଥିମଧ୍ୟରେ ନିଶ୍ଚିତ ରୂପେ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ହେଉଛି ‘ଜିଏସ୍ଟି’ ପ୍ରବର୍ତ୍ତନ, ଯାହା ୨୦୧୭ ଜୁଲାଇ ପହିଲା ଠାରୁ ବଳବତ୍ତର ହୋଇଛି। ଏହା ଅବଶ୍ୟ ଉଲ୍ଲେଖଯୋଗ୍ୟ େଯ ଦେଶରେ ଏହି ପରୋକ୍ଷ କର ସଂସ୍କାର ଭାରତୀୟ ଜନତା ପାର୍ଟି କିମ୍ବା ନରେନ୍ଦ୍ର ମୋଦୀଙ୍କର ଏକ ମୌଳିକ ଚିନ୍ତାଧାରା ନ ଥିଲା କାରଣ, ଅନ୍ତତଃ ୨୦୦୭ ଠାରୁ ଏହି ସଂସ୍କାର କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ହୋଇଆସୁଥିଲା ଏବଂ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟି ୨୦୦୯ରେ ତା’ର ନିର୍ବାଚନ ଇସ୍ତାହାରରେ ମଧ୍ୟ ଏହାକୁ ଅନ୍ତର୍ଭୁକ୍ତ କରିଥିଲା। କିନ୍ତୁ ଭାରତୀୟ ରାଜନୀତିର ଜଟିଳ ବାସ୍ତବତା ଯୋଗୁଁ ସେତେବେଳେ କଂଗ୍ରେସର ସେଇ ସାଧୁ ଉଦ୍ୟମ ଫଳବତୀ ହୋଇପାରି ନ ଥିଲା। ୨୦୧୪ରେ ଭାରତୀୟ ଜନତା ପାର୍ଟି ସଂସଦରେ ହାସଲ କରିଥିବା ବିପୁଳ ସଂଖ୍ୟାଗରିଷ୍ଠତା ମୋଦୀଙ୍କୁ ଏହି ସାହସିକ ଅର୍ଥନୈତିକ ସଂସ୍କାର କାର୍ଯ୍ୟକାରୀ କରାଇବାରେ ସହାୟକ ହୋଇଥିଲା।
‘ଜିଏସ୍ଟି’ର ପ୍ରବର୍ତ୍ତନ ପ୍ରଥମ ଥର ପାଇଁ ଭାରତ ଭଳି ଏକ ବିଶାଳ ଦେଶକୁ ଏକ ଏକକ ଅର୍ଥନୈତିକ କ୍ଷେତ୍ରରେ ପରିଣତ କଲା, ଯାହା ପୂର୍ବରୁ ୨୮ଟି ଅଞ୍ଚଳରେ ବିଭକ୍ତ ଥିଲା। ଏହି ୨୮ଟି ରାଜ୍ୟମାନଙ୍କରେ ଅନୁସୃତ ଭିନ୍ନ ଭିନ୍ନ ପରୋକ୍ଷ କର ହାର ଓ ନୀତି ଦେଶରେ ଅବାଧ ବାଣିଜ୍ୟ ପଥରେ ଅଲଂଘ୍ୟ ପ୍ରତିବନ୍ଧକମାନ ଛିଡ଼ା କରାଇଥିଲେ। ଏହାର ବିଭିନ୍ନ ଉଦାହରଣମାନଙ୍କ ମଧ୍ୟରୁ ଗୋଟିଏ ହେଲା ଦେଶ ଭିତରେ ଯାତାୟାତ କରୁଥିବା ବାଣିଜ୍ୟିକ ପରିବହନରେ ନିୟୋଜିତ ଟ୍ରକ୍ମାନଙ୍କର ୬୦ ଶତାଂଶ ସମୟ ନଷ୍ଟ ହେଉଥିଲା ରାଜ୍ୟମାନଙ୍କର ସୀମାରେ ଥିବା ଚେକ୍ଗେଟ୍ମାନଙ୍କରେ ଅଟକି ରହିବାରେ। ଏଥିରେ ସୃଷ୍ଟ ବ୍ୟାପକ ଦୁର୍ନୀତି କିଂବଦନ୍ତିରେ ପରିଣତ ହୋଇଥିଲା।
ଏହି ସମସ୍ତ ପ୍ରତିବନ୍ଧକମାନଙ୍କୁ ଦୂର କରି ‘ଜିଏସ୍ଟି’ ଦେଶକୁ ସମସ୍ତ ବାଣିଜ୍ୟ-କରଦାତାମାନଙ୍କ ପାଇଁ ଗୋଟିଏ ସାଧାରଣ ବଜାର ବା ‘କମନ୍ ମାର୍କେଟ୍’ରେ ପରିଣତ କରିଦେଲା, ଯାହାଦ୍ବାରା ‘ୱାନ୍ ନେସନ୍, ୱାନ୍ ଟ୍ୟାକ୍ସ’ (‘ଗୋଟିଏ ରାଷ୍ଟ୍ର, ଗୋଟିଏ ଟିକସ’) ରୂପକ ଆଦର୍ଶ ଲକ୍ଷ୍ୟ ପୂରଣ ହେଲା ବୋଲି ବିଶ୍ବାସ କରାଯାଏ। ସାଧାରଣତଃ ଏଭଳି ଏକ ଅର୍ଥନୀତି ନିବେଶ-ଅନୁକୂଳ ହୋଇଥାଏ। ତେବେ ଏହି ସଂସ୍କାରର ସମ୍ଭାବ୍ୟ ସୁଫଳ କେବଳ ଏତିକିରେ ସୀମିତ ନୁହେଁ। ସଂକ୍ଷେପରେ କହିଲେ ଆଶାକରାଯାଏ ଯେ ଏହାର ପ୍ରବର୍ତ୍ତନ ଦ୍ବାରା ଦେଶରେ ବଳବତ୍ତର ଥିବା ଜଟିଳ ପରୋକ୍ଷ କର ବ୍ୟବସ୍ଥାର ସରଳୀକରଣ ଘଟିବ, ଟିକସ ମାଧ୍ୟମରେ ପାତରଅନ୍ତର ନୀତି ଅବଲମ୍ବନ ସମ୍ଭାବନା ଦୂରୀଭୂତ ହେବ, ଇନ୍ପୁଟ୍ ଟ୍ୟାକ୍ସ କ୍ରେଡିଟ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବାଦ୍ବାରା ଆଉ ଟିକସ ଉପରେ ପୁଣି ଟିକସ ଆଦାୟ କରାଯାଇ ପାରିବ ନାହିଁ ଏବଂ ଏହି ସୁବିଧା ଉପଭୋଗ କରିବାର ସୁଯୋଗ ଦ୍ବାରା ଆକର୍ଷିତ ହୋଇ ଅଧିକରୁ ଅଧିକ ବ୍ୟବସାୟମାନ ଅସଂଗଠିତ କ୍ଷେତ୍ର ପରିତ୍ୟାଗ କରି ସଂଗଠିତ ଅର୍ଥନୈତିକ କ୍ଷେତ୍ରରେ ପ୍ରବେଶ କରିବେ, ଯାହାଦ୍ବାରା ଦେଶରେ କରଦାତାମାନଙ୍କର ସଂଖ୍ୟାରେ ସଂପ୍ରସାରଣ ଘଟିବ। ଏହାଦ୍ବାରା ଅର୍ଥନୀତିର ସାମଗ୍ରିକ ଦକ୍ଷତାରେ ଉନ୍ନତି ଘଟିବା ସହିତ ଉତ୍ପାଦନ ବ୍ୟୟରେ ହ୍ରାସ ଘଟିବ ବୋଲି ବିଶ୍ବାସ କରାଯାଇଥାଏ।
‘ଜିଏସ୍ଟି’ର ଏହି ସମସ୍ତ ବୃହତ୍ତର ଅର୍ଥନୈତିକ ସୁଫଳମାନଙ୍କୁ ଦୃଷ୍ଟିରେ ରଖି ଆରମ୍ଭ ସମୟରେ ଏଥିରେ ପରିଲକ୍ଷିତ ହୋଇଥିବା ବିଭିନ୍ନ ଦୋଷତ୍ରୁଟି ସତ୍ତ୍ବେ ଏହାକୁ ସବୁ ମହଲରେ ସ୍ବାଗତ କରା ହୋଇ ଆସିଛି। କିନ୍ତୁ ଏଥି ସେତ୍ତ୍ବ ଏହା ସ୍ବୀକାର କରିବାକୁ ହେବ ଯେ ବିଭିନ୍ନ ସ୍ଥାନୀୟ କରମାନଙ୍କୁ ‘ଜିଏସ୍ଟି’ରେ ଲୀନ କରି ଦିଆଯାଇଥିଲେ ହେଁ, ଭାରତୀୟ ‘ଜିଏସ୍ଟି’ ଅନୁସରଣ କରୁଥିବା ଏକାଧିକ କରହାର ବଳୟ ବା ‘ରେଟ୍ ବ୍ରାକେଟ୍’ମାନ ଏହାକୁ ଏକ ବହୁପ୍ରତୀକ୍ଷିତ ସରଳ ଟିକସ ବ୍ୟବସ୍ଥା ପରିବେର୍ତ୍ତ ଏକ ଜଟିକ ଟିକସ ବ୍ୟବସ୍ଥାରେ ପରିଣତ କରିଥାଏ। ତେବେ ଏହା ମଧ୍ୟ ସ୍ବୀକାର କରିବାକୁ ହେବ ଯେ ଯଦିବା ତାତ୍ତ୍ବିକ ଦୃଷ୍ଟିକୋଣରୁ ଏକ ଆଦର୍ଶ ପରୋକ୍ଷ କର ବ୍ୟବସ୍ଥାରେ ମାତ୍ର ଗୋଟିଏ ମାତ୍ର ଟିକସ ହାର ବ୍ୟବହୃତ ହେବା ଆଶା କରାଯାଏ, ଭାରତ ଭଳି ଦେଶରେ ଏପରି ଏକକ ହାର ବ୍ୟବହାର ଏକ ପଶ୍ଚାତ୍ମୁୁଖୀ କର ବା ‘ରିଗ୍ରେସିଭ୍ ଟ୍ୟାକ୍ସ’ ରୂପେ ବିବେଚିତ ହେବ। କାରଣ, ସେପରି ହେଲେ ନିମ୍ନ ଆୟକାରୀ କରଦାତା ଓ ଉଚ୍ଚ ଅାୟକାରୀ କରଦାତାମାନଙ୍କୁ େସଇ ଗୋଟିଏ ହାରରେ ଟିକସ ପଇଠ କରିବାକୁ ହେବ। ଏକ ପ୍ରଗତିଶୀଳ ବା ‘ପ୍ରୋଗ୍ରେସିଭ୍’ କର ବ୍ୟବସ୍ଥାରେ ଉଚ୍ଚ ଆୟବର୍ଗ ଦ୍ବାରା ବ୍ୟବହୃତ ଦ୍ରବ୍ୟ ଓ ସେବା ଆଦି ଉପରେ ଉଚ୍ଚ ହାର ଯୁକ୍ତ ଟିକସ ଲାଗୁ ହେବା ବେଳେ ନିମ୍ନ ଆୟବର୍ଗ ଦ୍ବାରା ବ୍ୟବହୃତ ଦ୍ରବ୍ୟ ଓ ସେବାମାନଙ୍କ ଉପରେ ଅପେକ୍ଷାକୃତ ନୀଚା ହାର ଯୁକ୍ତ ଟିକସ ଲାଗୁ ହୋଇଥାଏ।
ଆମର ମନେ ହୁଏ ସରଳତା ଓ ପ୍ରଗତିଶୀଳତା ମଧ୍ୟରେ ସନ୍ତୁଳନ ରକ୍ଷା କରି ଆମ ଦେଶରେ ପ୍ରଚଳିତ ‘ଜିଏସ୍ଟି’ରେ ବର୍ତ୍ତମାନ ଥିବା ପାଞ୍ଚଟି ‘ରେଟ୍ ସ୍ଲାବ୍’ ସ୍ଥାନରେ ସର୍ବାଧିକ ତିନିଗୋଟି ‘ରେଟ୍ ସ୍ଲାବ୍’ ବ୍ୟବହାର କରାଯିବା ଉଚିତ ହୁଅନ୍ତା। ବିଭିନ୍ନ ଦ୍ରବ୍ୟମାନଙ୍କୁ ଯୁକ୍ତିସଂଗତ ଭାବରେ ଏହି ତିନିଗୋଟି ‘ସ୍ଲାବ୍’ ଅନ୍ତର୍ଗତ ଭିନ୍ନ ଭିନ୍ନ ‘ସ୍ଲାବ୍’ରେ ଅନ୍ତର୍ଭୁକ୍ତ କରାଯିବା ସଙ୍ଗେ ସଙ୍ଗେ ସର୍ବାଧିକ ସମ୍ଭବ ଦ୍ରବ୍ୟମାନଙ୍କୁ ଏଥିମଧ୍ୟରୁ ଗୋଟିଏ ମଧ୍ୟମ ଧରଣର ‘ସ୍ଲାବ୍’ରେ ଅନ୍ତର୍ଭୁକ୍ତ କରାଯାଆନ୍ତା, ଯାହା ସରକାରଙ୍କର ରାଜସ୍ବ ସଂଗ୍ରହ ଲକ୍ଷ୍ୟ ପୂରଣ ନିମିତ୍ତ ଯଥେଷ୍ଟ ବିବେଚିତ ହୁଅନ୍ତା। ଯେତେବେଳେ ସରକାରଙ୍କର ଆଶାକୁ ଅତିକ୍ରମ କରି ମାସିକ ‘ଜିଏସ୍ଟି’ ସଂଗ୍ରହ ବର୍ତ୍ତମାନ ୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବାକୁ ଉଦ୍ୟତ ହେବା ଦେଖାଗଲାଣି, ଏହାର ସୁଯୋଗ ନେଇ ‘ଜିଏସ୍ଟି କାଉନ୍ସିଲ୍’ ଏଥର ‘ରେଟ୍ ସ୍ଲାବ୍’ ସଂଖ୍ୟାକୁ ଏଇଭଳି ତିନିଟିରେ ସୀମିତ କରିବାକୁ ଆଗେଇ ଆସିବା ଆଶା କରାଯାଏ।
ଏଥିସହିତ ‘ଜିଏସ୍ଟି କାଉନ୍ସିଲ୍’ ମଧ୍ୟ ଏଥର ମଦ, ପେଟ୍ରୋଲ୍, ଡିଜେଲ୍ ଆଦି ଇନ୍ଧନ ଓ ଅନ୍ୟାନ୍ୟ ସେଇ ସବୁ ପଦାର୍ଥମାନଙ୍କୁ ‘ଜିଏସ୍ଟି’ ପରିସରରେ ଅନ୍ତର୍ଭୁକ୍ତ କରିବାକୁ ଆଗେଇ ଆସିବା ଉଚିତ ହେବ ଯେଉଁ ସବୁକୁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ଗ୍ରହଣ ନିମିତ୍ତ ଅଟକାଇ ରଖାଯାଇଥିଲା। ଅବଶ୍ୟ ରାଜ୍ୟମାନେ ଏଭଳି ପଦକ୍ଷେପକୁ ବିରୋଧ କରିବେ, କିନ୍ତୁ ଏହି ପଦକ୍ଷେପକୁ ଆଉ ଅଧିକ ବିଳମ୍ବିତ କରିବା ଉଚିତ ନୁହେଁ ଏବଂ ଦେଶର ଅର୍ଥନୀତି ପାଇଁ କ୍ଷତିକାରକ। ପେଟ୍ରୋଲ୍ ଡିଜେଲ୍ ଉପରେ ରାଜ୍ୟ ସରକାରମାନେ ଉଚ୍ଚ ହାରରେ ଟିକସ ଲାଗୁ କରୁଥିବା ଯୋଗୁଁ ଦେଶରେ ପରିବହନ ଖର୍ଚ୍ଚ କୃତ୍ରିମ ଭାବରେ ଉଚ୍ଚା ହୋଇ ଭାରତୀୟ ଅର୍ଥନୀତିର ପ୍ରତିଯୋଗିତା କ୍ଷମତାରେ ହ୍ରାସ ଘଟାଉଛି। ଆନ୍ତର୍ଜାତିକ ବଜାରରେ ଇନ୍ଧନ ଦର ନୀଚା ଥିବାବେଳେ ଭାରତରେ ‘ଜିଏସ୍ଟି’ରେ ଥିବା ଏହି ବିକୃତି ଉଭୟ ଭାରତୀୟ ଖାଉଟି ଓ ଶିଳ୍ପବାଣିଜ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହେଉଛି। ରାଜ୍ୟ ସରକାରମାନଙ୍କର କ୍ଷତି ଭରଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସଂଗୃହୀତ ରାଜସ୍ବର ଅଧିକ ସୁଷମ ବଣ୍ଟନ ନିମିତ୍ତ ବ୍ୟବସ୍ଥା କରାଯାଇପାରିବ। ଆଶା କରାଯାଏ ଶନିବାର ଦିନ ବସିବାକୁ ଯାଉଥିବା ବୈଠକରେ ଏଇ ସମସ୍ତ ଅତ୍ୟାବଶ୍ୟକ ପଦେକ୍ଷପ ନେବା ପାଇଁ ‘ଜିଏସ୍ଟି କାଉନ୍ସିଲ୍’ ପଛଘୁଞ୍ଚା ଦେବନାହିଁ- ନୂତନ ସରକାରଙ୍କ ପାଇଁ ଏହା ଏକ ଗୌରବମୟ ପ୍ରାରମ୍ଭିକ ଉପଲବ୍ଧି ହୁଅନ୍ତା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/sampadakiya.jpg)