ସମାଜ ପାରମ୍ପରିକ ଭାବରେ ପୁରୁଷମାନଙ୍କଠାରେ କ୍ଷମତା ଓ କର୍ତ୍ତୃତ୍ବ ନ୍ୟସ୍ତ କରିଥିବାବେଳେ ନାରୀମାନଙ୍କୁ ପୁରୁଷର ଅଧୀନସ୍ଥ କରିଥାଏ। ଏହି ଅଧୀନା ନାରୀ ଯଦି କେବେ ଶିର ଓ ସ୍ବର ଉତ୍ତୋଳନ କରି ପୁରୁଷର ପ୍ରଭୁତ୍ବକୁ ଅସ୍ବୀକାର କରିବାକୁ ଚେଷ୍ଟା କରେ ତେବେ ବଳବାନ୍ ପୁରୁଷ ହିଂସାତ୍ମକ ଉପାୟରେ ଏହି ବିଦ୍ରୋହିଣୀକୁ ଦମନ କରିବା ଆଶା କରାଯାଏ। ନାରୀ ପ୍ରତି ଆଚରିତ ହିଂସା ‌େହଉଛି ଏହି ଦମନ ସଂସ୍କୃତିର ସ୍ବାଭାବିକ ପରିଣାମ।

Advertisment

‘ଆମ୍ ଆଦ୍‌ମୀ ପାର୍ଟି’ (‘ଆପ୍’)ର ରାଜ୍ୟସଭା ସଦସ୍ୟ ସ୍ବାତୀ ମାଲିୱାଲ୍ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ‘ଆପ୍’ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବ୍ୟକ୍ତିଗତ ସହାୟକ ବିଭବ କୁମାରଙ୍କ ବିରୁଦ୍ଧରେ ପୁଲିସ ନିକଟରେ ଦାଖଲ କରିଥିବା ବିଧିବଦ୍ଧ ଅଭିଯୋଗ ଏବଂ ପରବର୍ତ୍ତୀ ସମୟରେ ସେଇ ରାଜନୈତିକ ଦଳ ଓ ତା’ର ନେତୃବୃନ୍ଦ ଏଥିପ୍ରତି ପ୍ରଦର୍ଶନ କରିଥିବା ପ୍ରତିକ୍ରିୟା ଅଗଣିତ ସମ୍ବେଦନଶୀଳ ଦେଶବାସୀଙ୍କର ଅନ୍ତରାତ୍ମାକୁ ଦୋହଲାଇ ଦେବା ସହିତ ‘ଆମ୍ ଆଦ୍‌ମୀ ପାର୍ଟି’ର ଭାବମୂର୍ତ୍ତିରେ ଏକ ଗଭୀର କ୍ଷତ ସୃଷ୍ଟି କରିଛି। ସ୍ବାତୀ କରିଥିବା ଅଭିଯୋଗ ଅନୁସାରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍‌ଙ୍କର ସରକାରୀ ବାସଭବନରେ ଅଭିଯୁକ୍ତ ବିଭବ କୁମାର ସ୍ବାତୀଙ୍କ ଉପରେ ଯେଉଁଭଳି ଦୈହିକ ଆକ୍ରମଣ କରିଥିଲେ, ତାହା ଲୋମହର୍ଷଣକାରୀ। ସ୍ବାତୀ ନିଜେ ପ୍ରକାଶ କରିଥିବା ସୂଚନା ଅନୁସାରେ ସେ ରଜସ୍ବଳା ବୋଲି ନିବେଦନ କରିବା ସତ୍ତ୍ବେ କୁମାର ତାଙ୍କ ଉପରେ ଚାପୁଡ଼ା, ଗୋଇଠା, ବିଧା ବର୍ଷଣ କରିଚାଲିଥିଲେ। ଏଥିସହିତ ବିଭବ କୁମାର ମଧ୍ୟ ଅତ୍ୟନ୍ତ ଅଶାଳୀନ ଭାଷା ବ୍ୟବହାର କରି ତାଙ୍କୁ ଗାଳି ଦେବାରେ ଲାଗିଥିଲେ ବୋଲି ସ୍ବାତୀ ଅଭିଯୋଗ କରିଛନ୍ତି।
ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିବା ପରେ ପରେ ଆମ୍ ଆଦ୍‌ମୀ ପାର୍ଟି ଓ ତା’ର ମୁଖ୍ୟ କେଜ୍ରିୱାଲ୍ ପ୍ରଦର୍ଶନ କରିଥିବା ପ୍ରତିକ୍ରିୟାର ଦୁଇଟି ଦିଗ ସାଧାରଣ ପର୍ଯ୍ୟବେକ୍ଷକମାନଙ୍କ ମନରେ ସେମାନଙ୍କ ପ୍ରତି ଗଭୀର ସନ୍ଦେହ ସୃଷ୍ଟି କରିଥାଏ। ଘଟଣା ପରେ ପ୍ରଥମ ପ୍ରତିକ୍ରିୟା ସ୍ବରୂପ ଜାମିନ୍‌ରେ ମୁକୁଳିଥିବା ‘ଆପ୍’ର ଜଣେ ଛାମୁଆ ନେତା ସଞ୍ଜୟ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ଯେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତା କରୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ପରବର୍ତ୍ତୀ ସମୟରେ ସଞ୍ଜୟ ସିଂହଙ୍କର ଏହି ଘୋଷଣାର ସଂପୂର୍ଣ୍ଣ ବିପରୀତ ଆଚରଣ ପ୍ରଦର୍ଶନ କରି ଖୋଦ୍ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ (ସେ ମଧ୍ୟ ସୁପ୍ରିମ୍ କୋର୍ଟଙ୍କର ଏକ ବିବଦମାନ ନିର୍ଦ୍ଦେଶ ବଳରେ ଅନ୍ତରୀଣ ଜାମିନ୍ ପାଇ ନିର୍ବାଚନ ପ୍ରଚାର କରିବା ପାଇଁ ଜେଲ୍‌ରୁ ବାହାରିଛନ୍ତି) ଅଭିଯୁକ୍ତ ବିଭବ କୁମାରଙ୍କର ଗିରଫଦାରୀ ବିରୁଦ୍ଧରେ ସଦଳବଳେ ପ୍ରତିବାଦ ଶୋଭାଯାତ୍ରା ବାହାର କରିଛନ୍ତି।
ଦ୍ବିତୀୟ କଥାଟି ହେଲା ସ୍ବାତୀ ମାଲିୱାଲ୍‌ଙ୍କର ଅଭିଯୋଗ ସମ୍ବନ୍ଧରେ କେଜ୍ରିୱାଲ୍ ଏ ପର୍ଯ୍ୟନ୍ତ ପ୍ରଦର୍ଶନ କରିଥିବା ସଂପୂର୍ଣ୍ଣ ନିରବତା। ଏହା ବିଭିନ୍ନ କାରଣରୁ ବିସ୍ମୟଜନକ। ଆମ୍‌ ଆଦ୍‌ମୀ ପାର୍ଟି ସର୍ବଦା ନିଜକୁ ଯେଉଁସବୁ ଉଚ୍ଚ ଆଦର୍ଶର ଅନୁସରଣକାରୀ ରୂପେ ପ୍ରଦର୍ଶିତ କରିଆସିଛି, ସେଥିମଧ୍ୟରୁ ଅନ୍ୟତମ ମୁଖ୍ୟ ଆଦର୍ଶ ହେଉଛି ନାରୀ ସୁରକ୍ଷା ଓ ସଶକ୍ତୀକରଣ। ସ୍ବାତୀ ମାଲିୱାଲ୍ ପୁଣି ଜଣେ ‌େଯ କୌଣସି ନାରୀ ନୁ‌ହନ୍ତି। ସେ ହେଉଛନ୍ତି ଆମ୍ ଆଦ୍‌ମୀ ପାର୍ଟିର ପ୍ରତିଷ୍ଠା ସମୟରୁ ସେଥିସହିତ ସଂପୃକ୍ତ, କେଜ୍ରିୱାଲ୍‌ଙ୍କର ଅତୀବ ଘନିଷ୍ଠ ସହଯୋଗୀ ରୂପେ ସୁପରିଚିତ ଜଣେ ଅତି ଉଚ୍ଚଶିକ୍ଷିତା, ସୁଦକ୍ଷା ନାରୀନେତ୍ରୀ। ଏକ ନିଷ୍ଠୁର ବିଡ଼ମ୍ବନା ସଦୃଶ ଆଜି ନିଜର ରାଜନୈତିକ ପରିବାରର ଜଣେ ପ୍ରମୁଖ ପୁରୁଷ ସଦସ୍ୟଙ୍କ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ କରିଥିବା ସ୍ବାତୀ ମାଲିୱାଲ୍ ଅତୀତରେ ମହିଳାମାନଙ୍କୁ ଏଇଭଳି ଲିଙ୍ଗଗତ ଅତ୍ୟାଚାରରୁ ସୁରକ୍ଷା ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ଦିଲ୍ଲୀ ରାଜ୍ୟ ମହିଳା କମିସନ୍‌ର ମୁଖ୍ୟ ରୂପେ ଦାୟିତ୍ବ ନିର୍ବାହ କରିଛନ୍ତି।
କହିବାକୁ ଗଲେ ସ୍ବାତୀ ମାଲିୱାଲ୍‌ଙ୍କ ପରି ମହିଳାମାନେ ହେଉଛନ୍ତି ସମାଜରେ ସର୍ବାଧିକ ସଶକ୍ତ ରୂ‌େପ ବିବେଚିତ କତିପୟ ମହିଳାମାନଙ୍କ ମଧ୍ୟରୁ ଅନ୍ୟତମା, ଯାହାଙ୍କୁ ଅନ୍ୟ ମହିଳାମାନେ ଆଦର୍ଶ ରୂ‌ପେ ଗ୍ରହଣ କରିଥାନ୍ତି। ତେଣୁ ଏହା କହିଲେ ଭୁଲ୍ ହେବନାହିଁ ଯେ ବୃହତ୍ତର ସମାଜ ଦୃଷ୍ଟିରେ ସ୍ବାତୀ ମାଲିୱାଲ୍‌ଙ୍କ ପରି ଜଣେ ମହିଳା କେବଳ ଜଣେ ବ୍ୟକ୍ତି ନୁହନ୍ତି, ସେ ହେଉଛନ୍ତି ନାରୀଶକ୍ତିର ଏକ ପ୍ରତୀକ। ଏହି ପ୍ରତୀକର ଆଜି ଏଭଳି ଅସହାୟ ଭାବରେ ଭୂଲୁଣ୍ଠିତ ହେବା ଦୃଶ୍ୟ ସମଗ୍ର ନାରୀ ଜାତିର ଆତ୍ମବିଶ୍ବାସ ପ୍ରତି ଏକ କୁଠାରାଘାତ ସଦୃଶ ହୋଇଥାଏ। ମାଲିୱାଲ୍‌ଙ୍କ ଅଭିଯୋଗ ଓ କେଜ୍ରିୱାଲ୍‌ଙ୍କର କାପୁରୁଷସୁଲଭ ନିରବତା ସେମାନଙ୍କ ମନରେ ଏକ ଧାରଣାକୁ ଦୃଢ଼ୀଭୂତ କରିପାରେ ଯେ ନାରୀ ଅଧିକାରକୁ ନେଇ ରାଜନୀତି କରୁଥିବା ସମସ୍ତ ରାଜନେତାମାନେ (ଆମ୍ ଆଦ୍‌ମୀ ପାର୍ଟିର ଅନ୍ୟ କେତେକ ନାରୀନେତ୍ରୀମାନଙ୍କର ମାଲିୱାଲ୍-ବିରୋଧୀ ପ୍ରତିକ୍ରିୟା ଦେଖିଲେ କୌଣସି ସନ୍ଦେହ ରହେ ନାହିଁ ଯେ ମହିଳା ରାଜନେତାମାନେ ମଧ୍ୟ ଏଥିରେ ସାମିଲ) ନିଜର ଅନ୍ତସ୍କରଣରେ ମହିଳା ସଶକ୍ତୀକରଣ ବା ପୁରୁଷମାନଙ୍କ ସହିତ ସମାନ ନାରୀ ଅଧିକାରରେ ବିଶ୍ବାସ କରନ୍ତି ନାହିଁ। ସେଇଥିପାଇଁ ସ୍ବାତୀ ମାଲିୱାଲ୍ ତାଙ୍କର ନିଜ ଦଳ ଆମ୍‌ ଆଦ୍‌ମୀ ପାର୍ଟିକୁ ଲକ୍ଷ୍ୟକରି ଦାରୁଣ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ ବାର ବର୍ଷ ତଳେ ଯେଉଁମାନେ ଦିଲ୍ଲୀରେ ଘଟିଥିବା ଜଘନ୍ୟ ନିର୍ଭୟା ଧର୍ଷଣ ଓ ହତ୍ୟାକାଣ୍ଡ ବିରୁଦ୍ଧରେ ପ୍ରତିବାଦରେ ବ୍ୟାପୃତ ଥିଲେ ସେଇମାନେ ଆଜି ତାଙ୍କ ଉପରେ ଅତ୍ୟାଚାର କରିଥିବା ଜଣେ ପୁରୁଷ ଅତ୍ୟାଚାରୀ ସପକ୍ଷରେ ବାହାରି ପଡ଼ିଛନ୍ତି।
ଲକ୍ଷ୍ୟ କରିବା କଥା ନିର୍ଭୟା କାଣ୍ଡରେ ‌େଯୗନ ଉତ୍ପୀଡ଼ନ ସହିତ ଶାରୀରିକ ହିଂସା ମିଶିଥିବା ବେଳେ ସ୍ବାତୀଙ୍କ ଅଭିଯୋଗ ଅନୁସାରେ ତାଙ୍କ ଉପରେ ‌େଯଉଁ ଆକ୍ରମଣ ହୋଇଥିବା ଜଣାପଡୁଛି, ତାହା ହେଉଛି ଏକ ବିଶୁଦ୍ଧ ଶାରୀରିକ ହିଂସାଚରଣ, ଯେଉଁଭଳି ଦୁର୍ବଳ ଉପରେ ସବଳ କରିବା ଦେଖାଯାଇଥାଏ। ସ୍ବାତୀଙ୍କ ବର୍ଣ୍ଣନା ଦେଖି ମନରେ ସ୍ବତଃ ଏକ ପ୍ରଶ୍ନ ଉଙ୍କି ମାରିଥାଏ, ସ୍ବାତୀଙ୍କ ସ୍ଥାନରେ ଯଦି ବିଭବ କୁମାରଙ୍କ ଭଳି ଜଣେ ସମାନ ବଳଶାଳୀ ପୁରୁଷ ଥାନ୍ତେ, ତେବେ ସ୍ବାତୀ ଅଭିଯୋଗ କରିଥିବା ଭଳି ବିଭବ କ’ଣ ତାଙ୍କ ଉପରେ ସେଇଭଳି ଆକ୍ରମଣ କରିବାକୁ ସାହସ କରିପାରନ୍ତେ? ଏଭଳି ଆକ୍ରମଣ ତେଣୁ ହେଉଛି ଶାରୀରିକ ଭାବରେ ଦୁର୍ବଳ ଜଣେ ନାରୀ ଉପରେ ପ୍ରକୃତିଦତ୍ତ ଶାରୀରିକ ବଳର ଅଧିକାରୀ ହୋଇଥିବା ଜଣେ ପୁରୁଷ କରିଥିବା ଆକ୍ରମଣ। ଏକ ପ୍ରାଗୈତିହାସିକ ବର୍ବର ସମାଜରେ ଦୁର୍ବଳା ନାରୀ ପ୍ରତି ବଳବାନ୍ ପୁରୁଷର ଏଭଳି ହିଂସାଚରଣ ସ୍ବାଭାବିକ ଥିଲା ବୋଲି କଳ୍ପନା କରାଯାଇପାରେ; କିନ୍ତୁ ଏକ ଆଧୁନିକ ସମାଜରେ ଜଣେ ଶିକ୍ଷିତ ସଚେତନ ବ୍ୟକ୍ତି କାହିଁକି ଏଭଳି ଆଚରଣ ପ୍ରଦର୍ଶନ କରିବାକୁ ପ୍ରବୃତ୍ତ ହୋଇଥାଏ?
ଏ ପ୍ରଶ୍ନର ଏକ ଯୁକ୍ତିଯୁକ୍ତ ଉତ୍ତର ଦେଇଛନ୍ତି ବିଂଶ ଶତାବ୍ଦୀ‌ର ନାରୀ ଅଧିକାର ଆନ୍ଦୋଳନର ଅନ୍ୟତମ ଭିତ୍ତିସ୍ଥାପନକାରିଣୀ ତଥା ପ୍ରସିଦ୍ଧ ଫରାସୀ ଦାର୍ଶନିକା ସିମୋନ୍ ଡି ବିଭ୍ବା ତାଙ୍କର ୧୯୪୯ରେ ପ୍ରକାଶିତ ସର୍ବପ୍ରସିଦ୍ଧ ଯୁଗାନ୍ତକାରୀ ପୁସ୍ତକ, ‘ଦି ସେକେଣ୍ଡ ସେକ୍ସ’ରେ। ସେଥିରେ ଡି ବିଭ୍ବା କହିଛନ୍ତି ଯେ ଏଭଳି ଲିଙ୍ଗଭିତ୍ତିକ ହିଂସାଚରଣର ଅନ୍ୟତମ କାରଣ ହେଉଛି ସମାଜ ଯେଉଁଭଳି ତା’ର ସଦସ୍ୟମାନଙ୍କୁ ଅର୍ଥାତ୍ ନାରୀ ଓ ପୁରୁଷମାନଙ୍କୁ ଲିଙ୍ଗଗତ ଭୂମିକା ପ୍ରଦାନ କରିଥାଏ ଓ ସେମାନଙ୍କ ଠାରୁ ସେଇ ଅନୁଯାୟୀ ଆଚରଣ ପ୍ରତ୍ୟାଶା କରିଥାଏ। ସମାଜ ପାରମ୍ପରିକ ଭାବରେ ପୁରୁଷମାନଙ୍କଠାରେ କ୍ଷମତା ଓ କର୍ତ୍ତୃତ୍ବ ନ୍ୟସ୍ତ କରିଥିବାବେଳେ ନାରୀମାନଙ୍କୁ ପୁରୁଷର ଅଧୀନସ୍ଥ କରିଥାଏ। ଏହି ଅଧୀନା ନାରୀ ଯଦି କେବେ ଶିର ଓ ସ୍ବର ଉତ୍ତୋଳନ କରି ପୁରୁଷର ପ୍ରଭୁତ୍ବକୁ ଅସ୍ବୀକାର କରିବାକୁ ଚେଷ୍ଟା କରେ ତେବେ ବଳବାନ୍ ପୁରୁଷ ହିଂସାତ୍ମକ ଉପାୟରେ ଏହି ବିଦ୍ରୋହିଣୀକୁ ଦମନ କରିବା ଆଶା କରାଯାଏ। ନାରୀ ପ୍ରତି ଆଚରିତ ହିଂସା ‌େହଉଛି ଏହି ଦମନ ସଂସ୍କୃତିର ସ୍ବାଭାବିକ ପରିଣାମ।
ଯଦି ଏକ ସଭ୍ୟ ସମାଜ ଏହି ଦମନ ସଂସ୍କୃତିରେ ଅନ୍ତ ଘଟାଇବାକୁ ଚାହେଁ, ଅର୍ଥାତ୍ ଦମନ ସଂସ୍କୃତିକୁ ଦମନ କରିବାକୁ ଚାହେଁ, ତେବେ ଏଭଳି ନାରୀ ଦମନକାରୀମାନଙ୍କୁ କଠୋରରୁ କଠୋରତମ ଦଣ୍ଡ ଦେବା ଆବଶ୍ୟକ। ଆଶା କରାଯାଏ ସ୍ବାତୀ ମାଲିୱାଲ୍‌ଙ୍କ ଦମନକାରୀମାନଙ୍କୁ ବିଧିବଦ୍ଧ ଅନୁସନ୍ଧାନ ଓ ନ୍ୟାୟିକ ପ୍ରକ୍ରିୟା ମାଧ୍ୟମରେ ଉପଯୁକ୍ତ ଭାବରେ ଦଣ୍ଡିତ କରାଯାଇ ଭାରତକୁ ଏକ ସଭ୍ୟ ସମାଜ ରୂପେ ସାବ୍ୟସ୍ତ କରାଯିବ।