ଅନେକ ପର୍ଯ୍ୟବେକ୍ଷକ ଆଶା କରୁଥିଲେ ଯେ ତୃତୀୟ ପାଳିର ମୋଦୀ ସରକାର ଅମଳର ସର୍ବପ୍ରଥମ ଜିଏସ୍ଟି କାଉନ୍ସିଲ୍ ବୈଠକରେ ଅନ୍ତତଃ ପେଟ୍ରୋଲ୍ ଡିଜେଲ୍ ଆଦି ଦ୍ରବ୍ୟମାନଙ୍କୁ ଜିଏସ୍ଟିର ପରିସରଭୁକ୍ତ କରାଯାଇ ସେଥିରେ ଥିବା ଏହି ବିକୃତିକୁ ଦୂର କରାଯିବ। କିନ୍ତୁ ପଦ୍ମ ଘୁଞ୍ଚିଘୁଞ୍ଚି ଯିବା ଭଳି ପରବର୍ତ୍ତୀ ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ପ୍ରକାଶ ପାଉଛି।
ଅର୍ଥଶାସ୍ତ୍ରର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଜଣା ଯେ ବିକ୍ରୟ କର/ଭ୍ୟାଟ୍/ଏକ୍ସାଇଜ୍ ଡ୍ୟୁଟି ଭଳି ପରୋକ୍ଷ କରମାନ ସୂତ୍ରରୁ ସରକାର ଯେତେବେଳେ ରାଜସ୍ବ ସଂଗ୍ରହ କରନ୍ତି, ତାହା ଦ୍ବାରା ଏକ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରର କାର୍ଯ୍ୟଦକ୍ଷତା ବାଧା ପାଇଥାଏ, ଯାହା ଦେଶର ସାମଗ୍ରିକ ଅର୍ଥନୀତି ପାଇଁ ହାନିକାରକ ହୋଇଥାଏ। ତେବେ ବିଭିନ୍ନ କାରଣରୁ ସରକାର ଯେହେତୁ ପରୋକ୍ଷ କରକୁ ହାତଛଡ଼ା କରିବାକୁ ଚାହାନ୍ତି ନାହିଁ, ଭାରତରେ ଏହି କରର ମନ୍ଦ ପ୍ରଭାବଗୁଡ଼ିିକୁ ଯେତେଦୂର ସମ୍ଭବ ସୀମିତ କରିବା ଉଦ୍ଦେଶ୍ୟରେ ଦୀର୍ଘକାଳର କସରତ ପରେ ଶେଷରେ ୨୦୧୭ ଜୁଲାଇ ପହିଲା ଠାରୁ ଏକାଧିକ କିସମର ପରୋକ୍ଷ କରମାନଙ୍କୁ ହଟାଇ ସେମାନଙ୍କ ସ୍ଥାନରେ ଗୋଟିଏ ‘ଜିଏସ୍ଟି’ ନାମକ ପରୋକ୍ଷ କର ପ୍ରବର୍ତ୍ତନ କରାଯାଇଛି। ଏହି ନୂତନ ଟିକସ ସଂପର୍କିତ ନୀତିନିର୍ଦ୍ଧାରଣ ଦାୟିତ୍ବ ନ୍ୟସ୍ତ କରାଯାଇଛି ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କର ବିତ୍ତ ମନ୍ତ୍ରଣାଳୟମାନଙ୍କର ପ୍ରତିନିଧିତ୍ବ କରୁଥିବା ଏକ ଶୀର୍ଷ ସଂଗଠନ ହାତରେ, ଯାହାର ନାମ ହେଉଛି- ‘ଜିଏସ୍ଟି କାଉନ୍ସିଲ୍’।
ଉଲ୍ଲେଖଯୋଗ୍ୟ େଯ ଦେଶରେ ପରୋକ୍ଷ କର ବ୍ୟବସ୍ଥାର ଦକ୍ଷତା ବୃଦ୍ଧି ପାଇଁ ‘ଜିଏସ୍ଟି’ର ପ୍ରବର୍ତ୍ତନ କରାଯାଉଥିଲେ ହେଁ, ଏଥିପାଇଁ ଯେଉଁସବୁ ସଂସ୍କାର ଲୋଡ଼ା ତାହା ଆରମ୍ଭ ସମୟରୁ ଏକାଥରକେ କାର୍ଯ୍ୟକାରୀ ହୋଇ ପାରି ନ ଥିଲା। ଉଭୟ ପକ୍ଷର ସ୍ବାର୍ଥରକ୍ଷା କରି କ୍ରମଶଃ ଏହି ସଂସ୍କାରମାନ କାର୍ଯ୍ୟକାରୀ କରିବା ଦାୟିତ୍ବ ଏହି ‘ଜିଏସ୍ଟି କାଉନ୍ସିଲ୍’ ଉପରେ ନ୍ୟସ୍ତ କରାଯାଇଛି। ସେଇ ସମୟରୁ ଅାରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ତେଣୁ ପର୍ଯ୍ୟବେକ୍ଷକମାନେ ପ୍ରତିଥର ଜିଏସ୍ଟି କାଉନ୍ସିଲ୍ର ବୈଠକକୁ ଚାତକ ପରି ଚାହିଁ ରହିଥାନ୍ତି, ଏଥର ସେଥିରୁ କି ଫଳାଫଳ ବାହାରିବ ଦେଖିବା ପାଇଁ। ଜୁନ୍ ୨୨ ଶନିବାର ଦିନ ଏହି ଶୀର୍ଷ ନିୟନ୍ତ୍ରକ ସଂସ୍ଥାର ୫୩ତମ ବୈଠକକୁ ସେଇ ଧାରାର ଅଂଶସ୍ବରୂପ ତେଣୁ ସମସ୍ତେ ଅପେକ୍ଷା କରି ରହିଥିଲେ। ଜିଏସ୍ଟି କାଉନ୍ସିଲ୍ର ଏହି ବୈଠକର ଅନ୍ୟ ଯେଉଁ ଏକ ବିଶେଷତ୍ବ ଥିଲା, ତାହା ହେଲା କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳି ସରକାରରେ ଏହା ଥିଲା ସର୍ବପ୍ରଥମ ‘ଜିଏସ୍ଟି କାଉନ୍ସିଲ୍’ ବୈଠକ।
ଏହି ବୈଠକ ପରେ କେନ୍ଦ୍ର ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଦାନ କରିଥିବା ସୂଚନା ଅନୁସାରେ ଜିଏସ୍ଟିକୁ ଏକ କରଦାତା-ଅନୁକୂଳ ଟିକସ ବ୍ୟବସ୍ଥାରେ ପରିଣତ କରିବା ଲକ୍ଷ୍ୟ ନେଇ କରଦାତାମାନଙ୍କ ଉପରେ ଲଦା ଯାଉଥିବା ଅନୁପାଳନ ବୋଝ (କମ୍ପ୍ଲାଏନ୍ସ ବର୍ଡନ୍) ହ୍ରାସ କରିବା ନିମିତ୍ତ ବୈଠକରେ କେତେଗୁଡ଼ିଏ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଉଦାହରଣ ସ୍ବରୂପ ଠକେଇ ସହିତ ସଂପୃକ୍ତ ନ ଥିବା ମାମଲାମାନଙ୍କରେ ଆଉ କରଦାତାଙ୍କ ଦେୟ ଉପରେ ସୁଧ ଲାଗିବ ନାହିଁ କିମ୍ବା ଅର୍ଥଦଣ୍ଡ ଲାଗୁ ହେବନାହିଁ। େଯଉଁ ମାମଲାରେ ରାୟ ସରକାରଙ୍କ ବିରୋଧରେ ପ୍ରଦତ୍ତ ହେବ, ସେପରି ଘଟଣାମାନଙ୍କରେ ଡିପାର୍ଟମେଣ୍ଟ ଆଉ ପୂର୍ବଭଳି ଯନ୍ତ୍ରବତ୍ ଏହା ବିରୋଧରେ ଉପର ଅଦାଲତରେ ଅପିଲ କରିବ ନାହିଁ। ଏବେ ପ୍ରଚଳିତ ଥିବା ଜିଏସ୍ଟିରେ ଅନ୍ତର୍ଭୁକ୍ତ ଲାଭଖୋରି-ବିରୋଧୀ ବ୍ୟବସ୍ଥା (ଆଣ୍ଟି-ପ୍ରଫିଟିଅରିଙ୍ଗ୍ ମେକାନିଜ୍ମ) କରଦାତାମାନଙ୍କୁ ହରକତ କରିବାର ଏକ ମାଧ୍ୟମ ବୋଲି ବହୁତ ସମାଲୋଚିତ ହୋଇଆସିଛି। ୨୦୨୫ ଏପ୍ରିଲ୍ ପହିଲାରେ ଏହା ଉପରେ ଯବନିକା ପତନ ହେବ ବୋଲି ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
କିନ୍ତୁ କର ବ୍ୟବସ୍ଥାରେ ଏକ ବୃହତ୍ ସଂସ୍କାର ସ୍ବରୂପ ଜିଏସ୍ଟି ପ୍ରବର୍ତ୍ତନ ହେବାର ସାତ ବର୍ଷ ବିତିଯାଇଥିଲେ ହେଁ ଏହାର ମୌଳିକ ଗଠନରେ ତଥାପି ରହିଯାଇଥିବା କେତେକ ଦୁର୍ବଳତା ଯେ ଏ ପର୍ଯ୍ୟନ୍ତ ସଂସ୍କାର ଅପେକ୍ଷାରେ ରହିଛି, ତାହା କେହି ହେଲେ ଅସ୍ବୀକାର କରିପାରିବେ ନାହିଁ। ଏକ ଉଦାହରଣ ସ୍ବରୂପ କେନ୍ଦ୍ର ଓ ରାଜ୍ୟ ସ୍ତରରେ ବର୍ତ୍ତମାନ ଯେଉଁଭଳି ଭିନ୍ନ ଭିନ୍ନ ଜିଏସ୍ଟି ବ୍ୟବସ୍ଥା କାର୍ଯ୍ୟ କରୁଛି, ତାହା ନିଶ୍ଚିତ ରୂପେ ଏକ ଆଦର୍ଶ ସରଳ ବ୍ୟବସ୍ଥାର ପରିଚାୟକ ନୁହେଁ। ବିଶେଷ କରି ଜିଏସ୍ଟିକୁ ଯେତେବେଳେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ କର’ (‘ୱାନ୍ ନେସନ୍, ୱାନ୍ ଟ୍ୟାକ୍ସ’) ସ୍ଲୋଗାନ୍ର ବାହକ ରୂପେ ପ୍ରଦର୍ଶିତ କରାଯାଇ ଏହାର ପ୍ରବର୍ତ୍ତନ କରାଯାଇଥିଲା, ଏତେ ବର୍ଷ ପରେ ମଧ୍ୟ ତାହା କାହିଁକି ବାସ୍ତବତାରେ ପରିଣତ ହୋଇ ନ ପାରିବ, ତାହାର କୌଣସି ସନ୍ତୋଷଜନକ କାରଣ ନାହିଁ।
ଜିଏସ୍ଟିର ସମର୍ଥକମାନେ ଆଦରରେ ଏହାର ଅକ୍ଷରଗୁଡ଼ିକର ସଂପ୍ରସାରଣ କରି ଏହାକୁ ‘ଗୁଡ୍ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ’ ବୋଲି ନ କହି ଏହାକୁ ଯେଉଁ ନାମରେ ପ୍ରଦର୍ଶିତ କରିଥାନ୍ତି, ତାହା ହେଲା- ‘ଗୁଡ୍ ଆଣ୍ଡ୍ ସିମ୍ପଲ୍ ଟ୍ୟାକ୍ସ’ (‘ଉତ୍ତମ ଓ ସରଳ କର’)। ଆମ ଦେଶରେ କିନ୍ତୁ ଯେଉଁ ରୂପରେ ଏ ପର୍ଯ୍ୟନ୍ତ ଜିଏସ୍ଟି କାର୍ଯ୍ୟ କରି ଚାଲିଛି, ତାହାକୁ ସରଳ ବୋଲି ପ୍ରମାଣପତ୍ର ପ୍ରଦାନ କରାଯାଇପାରିବ ନାହିଁ। ଏଭଳି ଏକ ଆଦର୍ଶ ସରଳ ପରୋକ୍ଷ କର ବ୍ୟବସ୍ଥାରେ କେବଳ ଗୋଟିଏ ମାତ୍ର କର ହାର ଲାଗୁ କରାଯାଉଥିବା ଆଶା କରାଯାଏ; ଏଠାରେ ବଳବତ୍ତର ଥିବା ଜିଏସ୍ଟିରେ କିନ୍ତୁ ଏ ପର୍ଯ୍ୟନ୍ତ ପାଞ୍ଚଟି ଭିନ୍ନ ଭିନ୍ନ ହାର ବିଭିନ୍ନ ଦ୍ରବ୍ୟ ଓ ସେବାମାନଙ୍କ ପ୍ରତି ଲାଗୁ ହେଉଛି। ପୁଣି ନିର୍ଦ୍ଦିଷ୍ଟ ଦ୍ରବ୍ୟ ଓ ସେବାମାନଙ୍କ ପ୍ରତି ଲାଗୁ ହେଉଥିବା କର ହାର ଅନେକ କ୍ଷେତ୍ରରେ ଯଥାର୍ଥ ମନେ ହୋଇ ନ ଥାଏ। ଜିଏସ୍ଟି କର ହାର ଓ ସ୍ଲାବ୍ମାନଙ୍କୁ ଯେ ଅଧିକ ଯୁକ୍ତିସଂଗତ କରିବା (ରେସନାଲାଇଜେସନ୍)ର ଆବଶ୍ୟକତା ରହିଛି, ତାହା ଅର୍ଥନୀତିଜ୍ଞମାନଙ୍କ ଠାରୁ ଆରମ୍ଭ କରି ଟିକସ-କର୍ତ୍ତୃପକ୍ଷମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଅନୁଭବ କରୁଛନ୍ତି। ଏକାଧିକ ଟିକସ ହାର କାର୍ଯ୍ୟ କରିବା ଦ୍ବାରା ନିର୍ଦ୍ଦିଷ୍ଟ ଗୋଷ୍ଠୀର କରଦାତାମାନଙ୍କର ତୁଷ୍ଟୀକରଣ ନିମିତ୍ତ ସଂପୃକ୍ତ ହାରରେ ପରିବର୍ତ୍ତନ ଘଟାଇବାର ସୁଯୋଗ ସୃଷ୍ଟି ହୋଇଥାଏ, ଯାହା ଦୁର୍ନୀତିର ସମ୍ଭାବନାକୁ ଜନ୍ମ ଦେଇଥାଏ।
ଏଠାରେ ପ୍ରବର୍ତ୍ତିତ ଜିଏସ୍ଟିର ପରିସରରୁ ମଦ, ପେଟ୍ରୋଲ୍, ଡିଜେଲ୍ ଆଦି ବହିର୍ଭୂତ ହେବା ଏହି ବ୍ୟବସ୍ଥାର ଏକ ବିଶେଷ ଦୁର୍ବଳତା ରୂପେ ବିବେଚିତ ହୋଇଥାଏ। ରାଜ୍ୟମାନଙ୍କର ଚାପ ଯୋଗୁଁ ଏହି ପଦାର୍ଥମାନଙ୍କୁ ଏ ପର୍ଯ୍ୟନ୍ତ ଜିଏସ୍ଟି ଅଧୀନକୁ ଅଣାଯାଇ ପାରିନାହିଁ। ଜିଏସ୍ଟି ବ୍ୟବସ୍ଥାରେ ଥିବା ଏହି ବିକୃତି ଭାରତୀୟ ଅର୍ଥନୀତିର ଦକ୍ଷତାକୁ ବ୍ୟାହତ କରିବା ସଙ୍ଗେ ସଙ୍ଗେ, ଏଠାରେ ଉତ୍ପାଦନ ବ୍ୟୟକୁ କୃତ୍ରିମ ଭାବରେ ଉଚ୍ଚା ରଖି ଅର୍ଥନୀତିର ପ୍ରତିଯୋଗିତା କ୍ଷମତାରେ ହ୍ରାସ ଘଟାଇଥାଏ। ଅନେକ ପର୍ଯ୍ୟବେକ୍ଷକ ଆଶା କରୁଥିଲେ ଯେ ତୃତୀୟ ପାଳିର ମୋଦୀ ସରକାର ଅମଳର ସର୍ବପ୍ରଥମ ଜିଏସ୍ଟି କାଉନ୍ସିଲ୍ ବୈଠକରେ ଅନ୍ତତଃ ପେଟ୍ରୋଲ୍ ଡିଜେଲ୍ ଆଦି ଦ୍ରବ୍ୟମାନଙ୍କୁ ଜିଏସ୍ଟିର ପରିସରଭୁକ୍ତ କରାଯାଇ ସେଥିରେ ଥିବା ଏହି ବିକୃତିକୁ ଦୂର କରାଯିବ। କିନ୍ତୁ ପଦ୍ମ ଘୁଞ୍ଚିଘୁଞ୍ଚି ଯିବା ଭଳି ପରବର୍ତ୍ତୀ ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ପ୍ରକାଶ ପାଉଛି।
ସମ୍ଭବତଃ ଆସନ୍ତା ଅଗଷ୍ଟରେ ‘ଜିଏସ୍ଟି କାଉନ୍ସିଲ୍’ର ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ୍ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ପୁନର୍ଗଠିତ ‘ଗ୍ରୁପ୍ ଅଫ୍ ମିନିଷ୍ଟର୍ସ’ ଜିଏସ୍ଟିରେ ଆବଶ୍ୟକ ବିଭିନ୍ନ ସଂସ୍କାର ସମ୍ବନ୍ଧରେ ଏଥିରେ ଯେଉଁ ଉପସ୍ଥାପନ କରିବେ, ଆଶା କରାଯାଏ ସେଥିରୁ କିଛି ସୁଫଳ ମିଳିବ- ପଦ୍ମ ଆଉ ଦୂରକୁ ନ ଘୁଞ୍ଚି ଏଥର ହାତରେ ଧରା ଦେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/sampadakiya.jpg)