ନିର୍ବାଚନ ଫଳାଫଳ ପରେ କିଛି ଆଶା ଓ ଆକାଂକ୍ଷା

ଯୋଗେନ୍ଦ୍ର ଯାଦବ

‘ଶେଷରେ ଗଣତନ୍ତ୍ରର ଏହି ବ୍ୟବସ୍ଥା ଉପରେ ଜନସାଧାରଣଙ୍କର ବିଜୟ ହେଲା।’
ଟେଲିଭିଜନ୍‌ ପରଦାରେ ନିର୍ବାଚନ ଧାରା ସ୍ପଷ୍ଟ ହେବା ମାତ୍ରେ ହଠାତ୍ ଏହି ବାକ୍ୟ ମୋ’ ପାଟିରୁ ବାହାରି ପଡ଼ିଲା। ଗତ ଏକ ସପ୍ତାହ ଧରି ମୁଁ ମୋର ନିଜ ଶବ୍ଦର ଅର୍ଥ ଖୋଜିବାକୁ ଚେଷ୍ଟା କରୁଛି।
ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ଦିନର ସକାଳେ ମୁଁ କହିଥିଲି ଯେ ଯଦି ବିଜେପି ତା’ର ପୂର୍ବ ଆସନ ସଂଖ୍ୟା ଅର୍ଥାତ୍ ୩୦୩ ଠାରୁ ଗୋଟିଏ ଆସନ କମ୍ ପାଇବ, ତେବେ ସରକାର ପରାଜିତ ବୋଲି ଧରାଯିବ। ଯଦି ଶାସକ ଦଳ ବହୁମତ ସଂଖ୍ୟା ଅର୍ଥାତ୍ ୨୭୨ ଠାରୁ କମ୍‌ରେ ଅଟକିଯାଏ, ତେବେ ତାହାକୁ ବିଜେପିର ରାଜନୈତିକ ପରାଜୟ ବୋଲି ବୁଝିବାକୁ ହେବ। ଯଦି ମୋ’ ଆକଳନ ଅନୁସାରେ ବିଜେପିର ସଂଖ୍ୟା ୨୫୦ରୁ ତଳକୁ ଖସିଯାଏ, ତେବେ ତାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ପରାଜୟ ବୋଲି ମାନିବାକୁ ହେବ। ଶେଷରେ ବିଜେପି ୨୪୦ରେ ସୀମିତ ରହିଲା। ଏଥିରେ କୌଣସି ସନ୍ଦେହ ନାହିଁ ଯେ, ନିର୍ବାଚନ ଫଳାଫଳ ହେଉଛି ପୂର୍ବ ସରକାରଙ୍କ ବିରୋଧରେ ଏକ ଅବିଶ୍ବାସ ପ୍ରସ୍ତାବ, ଏହା ବିଜେପି ପାଇଁ ରାଜନୈତିକ ପରାଜୟ ଏବଂ ନରେନ୍ଦ୍ର ମୋଦୀଙ୍କ ପାଇଁ ବ୍ୟକ୍ତିଗତ ପରାଜୟ।
ପ୍ରକୃତରେ ବିଜେପିକୁ ମିଳିଥିବା ଭୋଟ ପରିମାଣରେ ମାତ୍ର ଏକ ପ୍ରତିଶତ ହ୍ରାସ ଘଟିଛି ଏବଂ ଦଳ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କେରଳ ଆଦି ଭଳି ଉପକୂଳବର୍ତ୍ତୀ ରାଜ୍ୟରେ ଉଲ୍ଲେଖନୀୟ ଲାଭ କରିଛି। ତେବେ ଏହି ନିର୍ବାଚନ ଫଳାଫଳକୁ କେବଳ ପରିସଂଖ୍ୟାନ ଦୃଷ୍ଟିରୁ ବୁଝିବାକୁ ଚେଷ୍ଟା କଲେ ହେବ ନାହିଁ। ଏହା କୌଣସି ସମତଳ ପଡ଼ିଆରେ ଦୁଇ ଦଳ ମଧ୍ୟରେ ନିର୍ବାଚନୀ ଦୌଡ଼ ନ ଥିଲା। ଯଦି ଶାସକ ଦଳ କ୍ରୀଡ଼ାବିତ୍‌ ଜୋତା ପିନ୍ଧି ଷ୍ଟାଡିଅମ୍‌ରେ ଦୌଡୁଥିଲେ, ବିରୋଧୀ ଦଳ କଣ୍ଟାବୁଦା ଓ ପଥର ଡେଇଁ ପାହାଡ଼ ଉପରକୁ ଚଢ଼ିବାକୁ ବାଧ୍ୟ ହୋଇଥିଲେ। ଯଦି ଏପରି ବୈଷମ୍ୟପୂର୍ଣ୍ଣ ସ୍ଥିତିରେ ଶାସକ ଦଳ ଠାରୁ ବିପକ୍ଷ ଦଳ ୬୩ଟି ଆସନ ଛଡ଼ାଇ ନେଇ ସେମାନଙ୍କୁ ବହୁମତ ସଂଖ୍ୟା ଠାରୁ ତଳକୁ ଖସାଇ ଦେଲେ, ତାହାକୁ ଲୋକତନ୍ତ୍ରର ଚମତ୍କାରିତା ବୋଲି ହିଁ କହିବାକୁ ହେବ। ଏହାର ଶ୍ରେୟ ଦଳମାନଙ୍କ ଅପେକ୍ଷା ଜନସାଧାରଣଙ୍କୁ ଅଧିକ ମିଳିବ।
ଏହା ନିଃସନ୍ଦେହ ଯେ, ଭାରତର ଜନତା ପୁଣି ଥରେ କ୍ଷମତାର ଅହଂକାରକୁ ଚୂର୍ଣ୍ଣ କରିଦେଲେ, ଏବଂ ଏକଛତ୍ରବାଦ ଆଡ଼କୁ ମାଡ଼ି ଚାଲିଥିବା ପାଦ ପୁଣି ଥରେ ଅଟକି ଯାଇଛି। ଏଇଠି ପ୍ରଶ୍ନ ହେଉଛି, ଏହି ଜନାଦେଶରୁ କ’ଣ, କେମିତି ଓ କେତେ ଆଶା କରାଯାଏ? ଆମେ ଅତିଶୟ ଉତ୍ସାହରୁ ଦୂରେଇ ରହିଲେ ଭଲ ହେବ। ଏହା ନିଶ୍ଚିତ ଯେ ଏହି ନିର୍ବାଚନ ଫଳାଫଳ ଗଣତାନ୍ତ୍ରିକ ସମ୍ଭାବନାର ଦ୍ବାର ଖୋଲି ଦେଇଛି। ଦ୍ବାର ଡେଇଁ ଭିତରକୁ ପ୍ରବେଶ କଲା ପରେ ଲୋକେ ଏହି ବ୍ୟବସ୍ଥାର ଚାରିଟି ବଡ଼ ଶିଡ଼ିରେ କେତେ ବାଟ ଉଠି ପାରିବେ, ତାହା ଏବେ ଠାରୁ କହିବା କଷ୍ଟକର।
ଚତୁର୍ଥ ତଥା ସର୍ବୋଚ୍ଚ ଶିଡ଼ିଟି ହେଉଛି ସରକାରୀ ନୀତି, ଯାହା ପାଖରେ ପହଞ୍ଚିବାର ଆଶା ସବୁଠୁ କମ୍, ମାତ୍ର ତାହା ବାବଦରେ ସବୁଠୁ ଅଧିକ ଚର୍ଚ୍ଚା। ସମସ୍ତେ ଅନୁମାନ କରୁଛନ୍ତି ଯେ ସହଯୋଗୀମାନଙ୍କ ଉପରେ ନିର୍ଭରଶୀଳ ହୋଇଥିବା ହେତୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ କିଛି ପରିବର୍ତ୍ତନ ଆସିବ। ପ୍ରଧାନମନ୍ତ୍ରୀଙ୍କ ପ୍ରାରମ୍ଭିକ ଅଭିଭାଷଣରେ ମଧ୍ୟ ସହମତି, ସର୍ବଧର୍ମ ସମଭାବ ଓ ସଂବିଧାନ ପ୍ରତି ଆସ୍ଥା ପରି ଶବ୍ଦର ବ୍ୟବହାର ହୋଇଛି। ଏଥିରୁ ଏପରି କଳ୍ପନାଜଳ୍ପନା ଆହୁରି ତୀବ୍ର ହୋଇଛି। ମୋର କିନ୍ତୁ ଏଥିରେ ଭରସା ନାହିଁ। ପଛେଇ ଖେଳିବାର ଅଭ୍ୟାସ ନରେନ୍ଦ୍ର ମୋଦୀଙ୍କର ନାହିଁ। ବରଂ ଏପରି ବି ହୋଇପାରେ, ଦୁର୍ବଳ ସରକାରର ଭାବମୂର୍ତ୍ତିକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ କିଛି ଆକ୍ରମଣାତ୍ମକ ପଦକ୍ଷେପ ନେଇପାରନ୍ତି। ଏମିତି ତ ଚନ୍ଦ୍ରବାବୁ ନାଇଡୁ ଓ ନୀତୀଶ କୁମାରଙ୍କ ଠାରୁ ଆଦର୍ଶଗତ ପ୍ରତିବଦ୍ଧତା କିମ୍ବା ରାଜନୈତିକ ସାହସ ଆଶା କରିବା ମାତ୍ରାଧିକ ହୋଇଯିବ। କିନ୍ତୁ, ଏହା ନିଶ୍ଚିତ ଭାବରେ ଆଶା କରାଯାଏ ଯେ ସଂଘୀୟ ବ୍ୟବସ୍ଥା ପ୍ରତି କ୍ଷତି ପହଞ୍ଚାଇବା କିମ୍ବା ସଂଖ୍ୟାଲଘୁଙ୍କ ଅଧିକାରକୁ ସିଧାସଳଖ ଛଡ଼ାଇନେବା ଭଳି ଯେ କୌଣସି ନିଷ୍ପତ୍ତି ଉପରେ ବିଜେପିର ସହଯୋଗୀ ଦଳମାନେ ପ୍ରତିବନ୍ଧକ ଲଗାଇପାରିବେ।
ତୃତୀୟ ସୋପାନଟି ହେଉଛି ବିଭିନ୍ନ ସଂସ୍ଥାଗୁଡ଼ିକର ମର୍ଯ୍ୟାଦା, ଯାହା ନେଇ ଟିକେ ଅଧିକ ଆଶା କରାଯାଇପାରିବ। ପ୍ରଶାସନ ଓ ‘ସିବିଆଇ’ କି ‘ଇଡି’ ପରି ସଂସ୍ଥାଠାରୁ ଅଧିକ ଆଶା କରିବା ବ୍ୟର୍ଥ ହେବ, କାରଣ ସେ ସବୁ ସିଧାସଳଖ ସରକାରଙ୍କ ଅଙ୍ଗୁଳି ନିର୍ଦ୍ଦେଶରେ ନାଚିଥା’ନ୍ତି। ଅପରପକ୍ଷେ, କେନ୍ଦ୍ରୀୟ ଭିଜିଲାନ୍‌ସ ଆୟୋଗ, ସୂଚନା ଆୟୋଗ ଓ ନିର୍ବାଚନ ଆୟୋଗ ଭଳି ସ୍ବାଧୀନ ସଂସ୍ଥାଗୁଡ଼ିକ ସରକାରଙ୍କ ପକ୍ଷ ଗ୍ରହଣ କଲେ ବି କିଛି ମାତ୍ରାରେ ଜନ ବିବେକକୁ ମଧ୍ୟ ଧ୍ୟାନ ଦେବେ ବୋଲି ଆଶା କରାଯାଇପାରେ। ନ୍ୟାୟପାଳିକାରୁ ମଧ୍ୟ ଏହା ଆଶା କରାଯାଇପାରିବ କି, ଅନ୍ତତଃ ପକ୍ଷେ କିଛି ବିଚାରପତି ଅସ୍ପଷ୍ଟ ହୋଇପଡ଼ିଥିବା ସଂବିଧାନ ଓ ଆଇନର ପାଠକୁ ଦେଖିବା ଆରମ୍ଭ କରିବେ। ଏହି ଆଶା ଫଳବତୀ ହେବ କି ନାହିଁ ତାହା ଆଗାମୀ ଦିନମାନଙ୍କରେ ଜଣାପଡ଼ିବ। ନାଗରିକତା ଆଇନ ସଂଶୋଧନ, ନିର୍ବାଚନ ଆୟୋଗଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ ଓ ନିର୍ବାଚନୀ ବଣ୍ଡ୍‌ ଦୁର୍ନୀତିର ନ୍ୟାୟିକ ତଦନ୍ତ ଭଳି ବିଷୟରେ ଅଗ୍ରଗତିର ଦିଗ ଓ ବେଗରୁ ଏହା ସ୍ପଷ୍ଟ ହେବ। ଏଥି ସହିତ ଏହା ମଧ୍ୟ ଆଶା କରାଯାଇପାରିବ କି, ଏହି ନିର୍ବାଚନ ପରେ ଅତି ଲଜ୍ଜାଜନକ ଭାବେ ବିଜେପିର ମୁଖପାତ୍ର ଭୂମିକାରେ ଛିଡ଼ା ହୋଇଥିବା ମୁଖ୍ୟସ୍ରୋତ ଗଣମାଧ୍ୟମକୁ କିଛି ଶିକ୍ଷା ମିଳିଥିବ। ଟିଭି ଆଙ୍କର୍‌ ଓ ଖବରକାଗଜ ଆଦି ସରକାରଙ୍କ ଚାଟୁକାର ସାଜିବା ବନ୍ଦ କରିଦେବେ ବୋଲି ଆଶା କରାଯାଇପାରିବ ନାହିଁ, ତେବେ ଅନ୍ତତଃ ପକ୍ଷେ ଏହା ସମ୍ଭବ ଯେ ବିରୋଧୀ ଦଳ, ବିପକ୍ଷ ନେତା ଓ ଆନ୍ଦୋଳନକାରୀଙ୍କୁ ଗଧିଆ ପରି ଆକ୍ରମଣ କରିବାରୁ ଗଣମାଧ୍ୟମ ନିବୃତ୍ତ ରହିବ।
ଦ୍ବିତୀୟ ଶିଡ଼ିଟି ହେଉଛି ସଂସଦ, ଯେଉଁଥିରେ ଆଉ କିଛି ପରିବର୍ତ୍ତନ ହେବାର ଆଶା ଦେଖାଯାଉଛି। ଲୋକସଭାରେ ସଂଖ୍ୟାର ଅସନ୍ତୁଳନ ବହୁତ କମ୍ ହେଲା ପରେ ଏହା ଆଶା କରାଯାଉଛି ଯେ ସଂସଦରେ ବିତର୍କ ହେବ, ଆଲୋଚନା ବିନା କୌଣସି ଆଇନକୁ ତରବର ହୋଇ ଗୃହୀତ କରାଇ ନେବାର ପରମ୍ପରା ବନ୍ଦ ହୋଇଯିବ ଏବଂ ଯଦି ସଂସଦରେ କହିବାର ସୁଯୋଗ ଦିଆନଯାଏ, ତେବେ ସେମାନେ ବାହାରେ ସେମାନଙ୍କ ସ୍ବର ଉତ୍ତୋଳନ କରିବେ। ଏହା ମଧ୍ୟ ଆଶା କରାଯାଇପାରିବ କି ଗତ ଦଶ ବର୍ଷ ତୁଳନାରେ ସଂସଦରେ ବିରୋଧୀ ଦଳ ଅଧିକ ପ୍ରଭାବୀ ଢଙ୍ଗରେ ବିଭିନ୍ନ ପ୍ରସଙ୍ଗ ଉଠାଇବେ, ବିକଳ୍ପ ପ୍ରସ୍ତାବ ଉପସ୍ଥାପନ କରିବେ ଏବଂ ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିକୁ କଚଡ଼ା ଖୁଆଇବାର ବ୍ୟବସ୍ଥା ବି କରିବେ।
ପ୍ରଥମ ତଥା ଶକ୍ତିଶାଳୀ ସୋପାନଟି ହେଉଛି ଜନ ଆନ୍ଦୋଳନ ଓ ପ୍ରତିବାଦ। ଗତ ଦଶ ବର୍ଷ ଭିତରେ ମୋଦୀ ସରକାରଙ୍କ ବିରୋଧରେ ପ୍ରତିବାଦୀଙ୍କ ଭୂମିକା ସଂସଦ ଭିତର ଅପେକ୍ଷା ବାହାରେ ବେଶୀ ଦେଖାଯାଇଥିଲା। ଅନ୍ୟ କିଛି ଘଟୁ ବା ନ ଘଟୁ, ଗୋଟିଏ କଥା ନିଶ୍ଚିତ ଯେ, ଏହି ନିର୍ବାଚନ ଫଳାଫଳରୁ ମୋଦୀ ସରକାରଙ୍କ ଗ୍ରହଣୀୟତା ହ୍ରାସ ପାଇଛି, ସରକାରଙ୍କ ଭୟ ଦେଖାଇବାର ପ୍ରଭାବ ମଧ୍ୟ କମିଛି। ତେଣୁ ଏହା ନିଶ୍ଚିତ ଯେ ଚାଷୀମାନଙ୍କ କଥା ହେଉ କି ବେକାର ଯୁବକଙ୍କ କଥା ହେଉ କି ଦଳିତ ସମାଜ କି ମହିଳାଙ୍କ କଥା ହେଉ, ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ପ୍ରସଙ୍ଗକୁ ରାଜରାସ୍ତାରେ ଉଠାଇବା ଘଟଣା ପୂର୍ବାପେକ୍ଷା ଅଧିକ ଶାଣିତ ହେବ। ଯଦି ସଂସଦ ଭିତରେ ବିରୋଧ ଓ ରାସ୍ତାରେ ଚାଲିଥିବା ପ୍ରତିବାଦ ମଧ୍ୟରେ ଯୁଗଳବନ୍ଦୀ ହୋଇଯିବ, ତେବେ ସରକାରଙ୍କୁ ଲୋକଙ୍କ ଆଗରେ ନତ ମସ୍ତକ କରିଦେବା ସମ୍ଭବ ହେବ। ତାହା ନ ହେଲେ ପାଞ୍ଚ ବର୍ଷର ପୂର୍ଣ୍ଣ ଶାସନ କାଳ ଆଗରୁ ହୁଏତ ପୁଣି ଥରେ ରାଜନେତାମାନଙ୍କୁ ଲୋକଙ୍କ ଦରବାରରେ ହାଜର ହେବାକୁ ପଡ଼ିବ।
ରାଷ୍ଟ୍ରୀୟ ସଂଯୋଜକ, ଭାରତ ଯୋଡ଼ୋ ଅଭିଯାନ

ସମ୍ବନ୍ଧିତ ଖବର