ଗଲା ୧୮ ତାରିଖରେ ଯେତେବେଳେ କାନାଡୀୟ ସଂସଦରେ ନିଜ୍ଜର ଉଦ୍ଦେଶ୍ୟରେ ସମବେତ ସଂସଦମାନେ ନିରବ ପ୍ରାର୍ଥନା କରୁଥିଲେ, ସେତିକି ବେଳେ କାନାଡାରେ ଅବସ୍ଥାପିତ ଭାରତୀୟ କନ୍‌ସଲ୍‌ ଜେନେରାଲ୍‌ଙ୍କ ଉଦ୍ୟମରେ କନିଷ୍କ ଦୁର୍ଘଟଣାରେ ପରଲୋକଗତ ଯାତ୍ରୀମାନଙ୍କ ସକାଶେ ଭାଙ୍କୋଭର୍‌ ଠାରେ ଏକ ଭାବପୂର୍ଣ୍ଣ ଶୋକସଭାର ଆୟୋଜନ ମଧ୍ୟ କରାଯାଇଥିଲା। ସେ ଦିନ କାନାଡୀୟ ସଂସଦରେ ନିଜ୍ଜର ଲାଗି ମାତ୍ର ଗୋଟିଏ ମିନିଟ୍‌ର ନିରବତା ଏହି ପରଲୋକଗତ ବିମାନଯାତ୍ରୀଙ୍କ ହତଭାଗ୍ୟ ସଂପର୍କୀୟମାନଙ୍କ ସକାଶେ ଯେ ନିସ୍ତବ୍‌ଧତାର ଏକ ଯୁଗ ଭଳି ଲାଗିଥିବ, ଏହା ଅନୁମାନସାପେକ୍ଷ!

Advertisment

ରାଜନୈତିକ ସୁବିଧାବାଦ କାରଣରୁ ଗୋଟିଏ ଉଦାରବାଦୀ ଗଣତନ୍ତ୍ର କିଭଳି ଅବଲୀଳା କ୍ରମେ ଏକ ବିକୃତ ମସ୍ତିଷ୍କ ଆତଙ୍କବାଦ ପ୍ରୋତ୍ସାହନକାରୀ ରାଷ୍ଟ୍ରରେ ପରିଣତ ହୋଇଥାଏ, ତାହାର ବିଡ଼ମ୍ବିତ ଦୃଷ୍ଟାନ୍ତ ସଂପ୍ରତି କାନାଡା ଠାରେ ପରିଦୃଷ୍ଟ ହୋଇଛି। ଏହି କାରଣରୁ କାନାଡା ଓ ଭାରତ ମଧ୍ୟରେ ସଂପର୍କର କ୍ରମ ଅବନତିର ଧାରା ସର୍ବନିମ୍ନ ସ୍ତର ସ୍ପର୍ଶ କରିଛି, ଯେତେବେଳେ ଦେଖିବାକୁ ମିଳିଲା ଯେ ଯୌକ୍ତିକତା ଓ ଔଚିତ୍ୟବୋଧର ସମସ୍ତ ସୀମା ଲଂଘନ କରି ଗଲା ୧୮ ତାରିଖରେ କାନାଡାର ସଂସଦ ଗୃହରେ ଭାରତ ଦ୍ବାରା ଘୋଷିତ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରର ନିଧନର ବର୍ଷ ପୂର୍ତ୍ତି ଅବସରରେ ଏକ ମିନିଟ୍‌ର ନିରବ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲା। କହିବା ବାହୁଲ୍ୟ ଯେ ଏଭଳି ରାଜନୈତିକ ସମୀପ ଦୃଷ୍ଟି ଯେ ଅଚିରେ କାନାଡା ସକାଶେ ଆତ୍ମଘାତୀ ହେବ, ସେ ନେଇ ବିଜ୍ଞ ସତର୍କବାଣୀମାନ ମଧ୍ୟ ଶୁଭିବାରେ ଲାଗିଲାଣି। ଏଭଳି ସ୍ଥଳେ ଏହି ସ୍ପର୍ଶକାତର ପ୍ରସଙ୍ଗ ନେଇ ଏକ କ୍ଷୁଦ୍ର ଆଲୋଚନା ଏଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି କାନାଡାରେ ‘ଲିବରାଲ୍‌ ପାର୍ଟି ଅଫ୍‌ କାନାଡା’ ବା ‘ଏଲ୍‌ପିସି’ କ୍ଷମତାରୂଢ଼ ହୋଇ ରହିବାକୁ ହେଲେ ‘ନିଉ ଡୋମୋକ୍ରାଟିକ୍‌ ପାର୍ଟି’ ବା ‘ଏନ୍‌ଡିପି’ର ସମର୍ଥନ ଲୋଡ଼ା, ଯେଉଁ ଦଳ (‘ଏନ୍‌ଡିପି’) କାନାଡାରେ ବସବାସ କରୁଥିବା ଶିଖ ସଂପ୍ରଦାୟର ନେତୃତ୍ବ ଦ୍ବାରା ଗଭୀର ଭାବେ ପ୍ରଭାବିତ, ଏବଂ ସେହି ନେତୃତ୍ବ ପ୍ରକାଶ୍ୟରେ ଭାରତ ବିରୋଧୀ ବିଚ୍ଛିନ୍ନତାବାଦୀ ଖଲିସ୍ତାନ ଆନ୍ଦୋଳନର ଦୃଢ଼ ସମର୍ଥନ କରିଥାଏ। ତେଣୁ କାନାଡା ଭୂମିରେ ଭାରତ ବିରୋଧୀ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ଓ ଆନ୍ଦୋଳନ ସତ୍ତ୍ବେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ସେ ସବୁକୁ ଅକୁଣ୍ଠ ସମର୍ଥନ ଜ୍ଞାପନ କରିଥାଆନ୍ତି। ସାମାନ୍ୟ ସୁଯୋଗ ଲାଭ କରିବା ମାତ୍ରକେ ଜଣେ ବେତାଳିଆ ‘ଭାଙ୍ଗଡା’ ନର୍ତ୍ତକରେ ପରିଣତ ହୋଇଯାଉଥିବା ଟ୍ରୁଡୋ ଶିଖ ‘ଭୋଟ ବ୍ୟାଙ୍କ’କୁ ତୁଷ୍ଟ କରି ରଖିବା ସକାଶେ କିଭଳି ଉଦ୍ଭଟ ଅପରିପକ୍ବତା ପ୍ରଦର୍ଶନ କରିପାରନ୍ତି, ତାହାର ପ୍ରମାଣ ମିଳିଥିଲା, ଯେତେବେଳେ ସେଠାକାର ସଂସଦ ଗୃହରେ ତଥ୍ୟ-ପ୍ରମାଣ ବିବର୍ଜିତ ତାଙ୍କ ମୁଖ ନିସୃତ ଅଭିଯୋଗ କହିଥିଲା ଯେ ହରଦୀପ ସିଂହ ନିଜ୍ଜର ହତ୍ୟାକାଣ୍ଡରେ ଭାରତ ସରକାରଙ୍କ ପ୍ରଚ୍ଛନ୍ନ ଭୂମିକା ରହିଛି। କହିବା ବାହୁଲ୍ୟ, ଏହା ଭାରତ ସରକାରଙ୍କୁ ଗଭୀର ଭାବେ ବ୍ୟଥିତ କରିଥିଲା ଏବଂ ତା’ ସହିତ ଏହି ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ସଂପର୍କ ତୀବ୍ର ବେଗରେ ନିମ୍ନମୁଖୀ ହୋଇଥିଲା। ସେହି ଦୃଷ୍ଟିରୁ ‘ଖଲିସ୍ତାନ ଟାଇଗର୍‌ ଫୋର୍ସ’ ଭଳି ଏକ ହିଂସାପ୍ରବଣ ଉଗ୍ରବାଦୀ ସଂଗଠନର ନେତା ତଥା ଭାରତରେ ବିଚ୍ଛିନ୍ନତାବାଦ ଓ ଆତଙ୍କବାଦର ପ୍ରସାରର ଦୃଢ଼ ସମର୍ଥକ ନିଜ୍ଜର ଉଦ୍ଦେଶ୍ୟରେ କାନାଡାର ସଂସଦରେ ପ୍ରଦତ୍ତ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ସ୍ବାଭାବିକ ଭାବେ ଭାରତ ସକାଶେ ଅସହନୀୟ ହୋଇଥାଏ। ଏହି ସଂଦର୍ଭରେ ଅନେକ ଅଭିଜ୍ଞ ରାଜନୈତିକ ସମୀକ୍ଷକ କାନାଡା ସରକାରଙ୍କ ଏକ ବିଚାରଗତ ବିକୃତିକୁ ମଧ୍ୟ ଲକ୍ଷ୍ୟ କରିଥାଆନ୍ତି; ‌େଯମିତି କି ‘ଆଇସିସ୍’ ଭଳି ଅକଳ୍ପନୀୟ ଭାବେ ନିର୍ମମ ଓ ଅନମନୀୟ ଆତଙ୍କବାଦୀ ଦଳର ଉଗ୍ରବାଦ ପରିହାର କରିବାକୁ ରାଜି ସଦସ୍ୟଙ୍କ ପାଇଁ କ୍ଷମାର ବ୍ୟବସ୍ଥା କରିବା ଲାଗି ଟ୍ରୁଡୋଙ୍କ ଯୁକ୍ତି ଅଥବା କାନାଡା ଉପପ୍ରଧାନମନ୍ତ୍ରୀ ଖ୍ରୀଷ୍ଟିଆନା ଫ୍ରିଲାଣ୍ଡ୍‌ଙ୍କ ଏକଦା ‘ନାଜି’ ସଦସ୍ୟ ଥିବା ଜେଜେବାପାଙ୍କ ଉଦ୍ଦେଶ୍ୟ‌େର ସାଂସଦମାନଙ୍କ ଦ୍ବାରା ଦଣ୍ଡାୟମାନ ପୂର୍ବକ ସମ୍ମାନ ଜ୍ଞାପନ ବା ଇସଲାମ ଆତଙ୍କବାଦୀ ସଂଗଠନ ହମାସ୍‌ ସପକ୍ଷରେ ତାଙ୍କ ତର୍କ ପ୍ରମାଣ କରିଥାଏ ଯେ ତାଙ୍କ ଅମଳରେ ଆତଙ୍କବାଦ ଅଗତ୍ୟା ମୁଖ୍ୟସ୍ରୋତୀୟ ହେବାକୁ ଯାଉଛି; ଯାହା ପଛରେ ନିହିତ ଅଛି ଭୋଟ ବ୍ୟାଙ୍କ ରାଜନୀତି, କିନ୍ତୁ ଉପରେ ରହିଛି ଅତିଶୟ ଔଦାର୍ଯ୍ୟର ଛଳ ଆବରଣ! ସମୀକ୍ଷକମାନେ କହନ୍ତି ଏଭଳି ରାଜନୀତି କାନାଡା ସକାଶେ ବିପଜ୍ଜନକ ହେବାର ସମ୍ଭାବନା ଖୁବ୍‌ ଅଧିକ।
ଇତିମଧ୍ୟରେ କାନାଡାରେ ସଂପନ୍ନ ହୋଇଥିବା ବିଭିନ୍ନ ଜନମତ ସର୍ବେକ୍ଷଣ ପ୍ରମାଣ କରିବାରେ ଲାଗିଛନ୍ତି ଯେ ଟ୍ରୁଡୋଙ୍କ ‘ଏଲ୍‌.ପି.ସି.’ ପ୍ରତି ସମର୍ଥନରେ ତୀବ୍ର ସ୍ଖଳନ ଘଟୁଛି। ଆସନ୍ତା ବର୍ଷ ଅକ୍‌ଟୋବରରେ କାନାଡାରେ ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏହା ଟ୍ରୁଡୋଙ୍କ ସକାଶେ ବିଶେଷ ଉଦ୍‌ବେଗର କାରଣ ହୋଇଥିବ! ପୁଣି, ସଦ୍ୟ ଅନୁଷ୍ଠିତ ଟରୋଣ୍ଟୋର ସେଣ୍ଟ ପଲ୍‌ ଉପନିର୍ବାଚନରେ ‘ଏଲ୍‌.ପି.ସି.’ର ପରାଜୟ ଘଟି ସମସ୍ତଙ୍କୁ ତଟସ୍ଥ କରି ଦେଇଛି, କାରଣ ସେହି ନିର୍ବାଚନ ମଣ୍ଡଳୀ ପାରଂପରିକ ଭାବେ ‘ଏଲ୍‌.ପି.ସି.’ର ଏଭଳି ଦୃଢ଼ ସମର୍ଥକ ଯେ ୨୦୦୮ ମସିହାରେ ରକ୍ଷଣଶୀଳ ‘କନ୍‌ଜର୍‌ଭେଟିଭ୍‌ ପାର୍ଟି ଅଫ୍‌ କାନାଡା’ ବା ‘ସି.ପି.ସି.’ ଦ୍ବାରା ସୃଷ୍ଟ ବିଜୟର ବନ୍ୟାରେ ମଧ୍ୟ ତାହା ଏକ ‘ଏଲ୍‌.ପି.ସି.’ ଟାପୁ ରୂପେ ମୁଣ୍ଡ ଟେକି ରହି ପାରିଥିଲା। ତେଣୁ କେତେକ ବିଶେଷଜ୍ଞଙ୍କ ମତରେ ବୁଡ଼ି ଯାଉଥିବା ବେଳେ କୁଟା ଖିଅକୁ ଆଶ୍ରା କଲା ଭଳି ସ୍ଥିତିରେ ଟ୍ରୁଡୋ ଏଭଳି ବିକୃତ ମସ୍ତିଷ୍କ ସୁଲଭ ଆଚରଣ ପ୍ରଦର୍ଶନ କରୁଛନ୍ତି। କିନ୍ତୁ ତାହା ସହିତ ଏକମତ ହେଉ ନ ଥିବା ଆଉ ଏକ ପକ୍ଷ କହିଥାଆନ୍ତି ଯେ ସଂସଦରେ ନିଜ୍ଜର ପ୍ରତି ପ୍ରଦର୍ଶିତ ସମ୍ମାନରେ ‘ସି.ପି.ସି.’ର ସଦସ୍ୟମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ, ଅର୍ଥାତ୍‌ ଏହା ପୂର୍ବରୁ ‘ସି.ପି.ସି.’ର ସମ୍ମତି ମଧ୍ୟ ସୁନିଶ୍ଚିତ କରାଯାଇଥିବ, ଯାହାର ଅର୍ଥ ହେଲା ‘ଏଲ୍‌.ପି.ସି.’ ଭଳି ‘ସି.ପି.ସି.’ ମଧ୍ୟ ଶିଖ ଭୋଟ ବ୍ୟାଙ୍କ ଲାଗି ଲାଳାୟିତ। ସୁତରାଂ, ଏକ ଆଶଙ୍କା ଉପୁଜିଥାଏ ଯେ ଦଳ ନିର୍ବିଶେଷରେ ଯେ କୌଣସି ସରକାର କ୍ଷମତାସୀନ ହେଉ ନା କାହିଁକି ସେଠାରେ ଶିଖ ଉଗ୍ରବାଦୀମାନଙ୍କ ଭାରତ ବିରୋଧୀ ଉତ୍ପାତ ଅବ୍ୟାହତ ରହିପାରେ!
ପ୍ରକାଶ ଥାଉ କି ବିଭିନ୍ନ ଆପରାଧିକ କାର୍ଯ୍ୟକଳାପ ସହିତ ସଂପୃକ୍ତି କାରଣରୁ ହରଦୀପ ସିଂହ ନିଜ୍ଜରର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରି ଦିଆଯାଇଥିଲା ଏବଂ ତା’ ଉପରେ ସତର୍କ ଗୁଇନ୍ଦା ଦୃଷ୍ଟି ମଧ୍ୟ ଥିଲା। ଅଥଚ, ସେଠାକାର ସଂସଦରେ ତା’ ସକାଶେ ଜଣେ ସହିଦ ସୁଲଭ ବିରଳ ସମ୍ମାନ ଅର୍ପଣର କାରଣ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତରରେ ସରକାରଙ୍କ ପକ୍ଷରୁ ଯାହା ଉପରେ ଜୋର ଦିଆଯାଇଥିଲା, ତାହା ହେଲା ସେ ଥିଲା ଜଣେ ‘କାନାଡୀୟ’ ନାଗରିକ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଜିକୁ ୩୯ ବର୍ଷ ତଳେ ଅର୍ଥାତ୍‌ ୧୯୮୫ ମସିହା ଜୁନ୍‌ ୨୩ ତାରିଖରେ ମଣ୍ଟ୍ରିଲ୍‌ରୁ ମୁମ୍ବାଇ ଅଭିମୁଖେ ଯାଉଥିବା କନିଷ୍କ ନାମ ବହନକାରୀ ଏୟାର ଇଣ୍ଡିଆ ଜୁମ୍ବୋ ବିମାନ ‘ଏ.ଆଇ. ୧୮୨’ ଖଲିସ୍ତାନୀ ଆତଙ୍କବାଦୀଙ୍କ ଚକ୍ରାନ୍ତର ଶିକାର ହୋଇ ଆୟର୍ଲାଣ୍ଡ ନିକଟରେ ବୋମା ବିସ୍ଫୋରଣ ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯହିଁରେ ସମସ୍ତ ୩୨୯ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ହରଦୀପ ସିଂହ ନିଜ୍ଜର ଥିଲା ସେହି ଆତଙ୍କବାଦୀ କାର୍ଯ୍ୟର ଜଣେ ଦୃଢ଼ ସମର୍ଥକ। ଏ ସମସ୍ତ ଘଟଣାରେ ନିହିତ ନିଷ୍ଠୁର ବାସ୍ତବତାଟି ଥିଲା ଏୟା ଯେ ପ୍ରବାସୀ ଭାରତୀୟମାନଙ୍କୁ ନେଇ ଭାରତ ଅଭିମୁଖେ ଯାଉଥିବା ଏକ ଭାରତୀୟ ବିମାନର ଧ୍ବଂସ ସାଧନ କରିବା ଖଲିସ୍ତାନୀ ଆତଙ୍କବାଦୀଙ୍କ ଲକ୍ଷ୍ୟ ଥିଲେ ହେଁ ଏଥିରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମଧ୍ୟରୁ ୨୬୮ ଜଣ ଥିଲେ ଭାରତୀୟ ବଂଶୋଦ୍ଭବ କାନାଡୀୟ ନାଗରିକ, ଠିକ୍‌ ନିଜ୍ଜର ଭଳି। ଏହା ମଧ୍ୟ ହେଉଛି ସର୍ବାଧିକ ସଂଖ୍ୟକ କାନାଡୀୟ ନାଗରିକଙ୍କ ନିଧନର କାରଣ ହୋଇଥିବା ଜଘନ୍ୟତମ ଆତଙ୍କବାଦୀ କାଣ୍ଡ। ତେଣୁ, ଗଲା ୧୮ ତାରିଖରେ ଯେତେବେଳେ କାନାଡୀୟ ସଂସଦରେ ନିଜ୍ଜର ଉଦ୍ଦେଶ୍ୟରେ ସମବେତ ସଂସଦମାନେ ନିରବ ପ୍ରାର୍ଥନା କରୁଥିଲେ, ସେତିକି ବେଳେ କାନାଡାରେ ଅବସ୍ଥାପିତ ଭାରତୀୟ କନ୍‌ସଲ୍‌ ଜେନେରାଲ୍‌ଙ୍କ ଉଦ୍ୟମରେ କନିଷ୍କ ଦୁର୍ଘଟଣାରେ ପରଲୋକଗତ ଯାତ୍ରୀମାନଙ୍କ ସକାଶେ ଭାଙ୍କୋଭର୍‌ ଠାରେ ଏକ ଭାବପୂର୍ଣ୍ଣ ଶୋକସଭାର ଆୟୋଜନ ମଧ୍ୟ କରାଯାଇଥିଲା। ସେ ଦିନ କାନାଡୀୟ ସଂସଦରେ ନିଜ୍ଜର ଲାଗି ମାତ୍ର ଗୋଟିଏ ମିନିଟ୍‌ର ନିରବତା ଏହି ପରଲୋକଗତ ବିମାନଯାତ୍ରୀଙ୍କ ହତଭାଗ୍ୟ ସଂପର୍କୀୟମାନଙ୍କ ସକାଶେ ଯେ ନିସ୍ତବ୍‌ଧତାର ଏକ ଯୁଗ ଭଳି ଲାଗିଥିବ, ଏହା ଅନୁମାନସାପେକ୍ଷ!