ଏଠାରେ ସେଇ ଆଦିମ ସମାଜ ଭଳି ସମସ୍ତ ପ୍ରକାର ଦୃଶ୍ୟମାନ ଉପଭୋଗ, ସଂପଦର ନଗ୍ନ ପ୍ରଦର୍ଶନ ସଂପୂର୍ଣ୍ଣ ସାମାଜିକ ସ୍ବୀକୃତି ଲାଭ କରିଥାଏ, ଯାହାର ବଳିଷ୍ଠତମ ପ୍ରମାଣ ସ୍ବରୂପ ଦେଶର ସର୍ବୋଚ୍ଚ ଶାସକ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି, ବିରୋଧୀ ଦଳମାନଙ୍କର ଅଧିକାଂଶ ତୁଙ୍ଗ ନେତା ଓ ଏପରିକି ସର୍ବୋଚ୍ଚ ଧର୍ମଗୁରୁ ଶଙ୍କରାଚାର୍ଯ୍ୟ ପର୍ଯ୍ୟନ୍ତଙ୍କୁ ଉପରୋକ୍ତ ବିବାହ ଉତ୍ସବରେ ଯୋଗ ଦେବା ଦେଖିବାକୁ ମିଳିଛି। ଭେବ୍ଲେନ୍ଙ୍କ ଏହି ଦୁନିଆରେ ତେଣୁ ଦୃଶ୍ୟମାନ ଉପଭୋଗରୁ ବିରତ ରହିବା ପାଇଁ ଆହ୍ବାନ ଦେବା ହେଉଛି କାଲ ଆଗରେ ମୂଳା ଚୋବାଇବା ଭଳି।
ପ୍ରକାଶିତ ସମ୍ବାଦ ଅନୁସାରେ ‘ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ’ (‘ଆର୍ଏସ୍ଏସ୍’)ର ରାଞ୍ଚି ଠାରେ ସଦ୍ୟ ସମାପ୍ତ ପ୍ରାନ୍ତ ପ୍ରଚାରକ ସମ୍ମିଳନୀରେ ଭାରତକୁ ଏକ ଆଦର୍ଶ ବିକଶିତ ଦେଶରେ ପରିଣତ କରିବା ନିମିତ୍ତ ଏହାର ନାଗରିକମାନଙ୍କ ଠାରେ ଯେଉଁ ସମସ୍ତ ଆଚରଣର ଉପସ୍ଥିତି ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା, ସେଥିରେ ଅନ୍ତର୍ଭୁକ୍ତ ଅଛି ଅନାବଶ୍ୟକ ପ୍ରଦର୍ଶନୀମୂଳକ ବ୍ୟୟ ଅଭ୍ୟାସ ପରିତ୍ୟାଗ ଓ ମିତବ୍ୟୟିତା ପାଳନ। ଭାରତ ସମ୍ବନ୍ଧରେ ସାଧାରଣତଃ ଏକ ଧାରଣା ସର୍ବଦା ପ୍ରସାରିତ ହୋଇଆସିଛି ଯେ ଏହାର ଆତ୍ମା ହେଉଛି ଆଧ୍ୟାତ୍ମିକ, ଯେଉଁଠି ‘ଆର୍ଏସ୍ଏସ୍’ ଆଶଙ୍କା କରୁଥିବା ଉପରୋକ୍ତ ମନ୍ଦ ଅଭ୍ୟାସର ସ୍ଥାନ ନାହିଁ, ଯେଉଁଠି ଲୋକମାନେ ବସ୍ତୁବାଦୀ ପ୍ରଦର୍ଶନ ପଛରେ ଧାଅଁାନ୍ତି ନାହିଁ। ଯଦି ଭାରତ ସମ୍ବନ୍ଧରେ ଏହି ଧାରଣା ସତ ହୋଇଥାନ୍ତା, ତେବେ ଭାରତୀୟମାନଙ୍କୁ କେହି ଏଭଳି ଉପଦେଶ ଦେବାର ଆବଶ୍ୟକତା ନଥାନ୍ତା। କିନ୍ତୁ ସତ କଥା ହେଲା ଭାରତ ବର୍ତ୍ତମାନ ଯେଉଁ ପ୍ରଗତି ହାସଲ ପାଇଁ ଲାଗିପଡ଼ିଛି ଓ ସେଥିରେ ସଫଳତା ପାଇଁ ଆନ୍ତର୍ଜାତିକ ଖ୍ୟାତି ଲାଭ କରିଚାଲିଛି, ତାହା ହେଉଛି ସଂପୂର୍ଣ୍ଣ ରୂପେ ବସ୍ତୁଭିତ୍ତିକ ଓ ଯାହାର ମାପକାଠି େହଉଛି ‘ଜିଡିପି’ରେ ବୃଦ୍ଧି ହାର।
ଏଭଳି ଏକ ସମାଜ, ଯେଉଁଠି ବସ୍ତୁର ମାଲିକାନା ସଫଳତାର ପରିଚାୟକ ହୋଇଥାଏ, ସେଠାରେ ଏହି ସମ୍ପଦର ପ୍ରଦର୍ଶନ ଅନିବାର୍ଯ୍ୟ ଭାବରେ ଏକ ସର୍ବଗ୍ରାସୀ ମାନବୀୟ ପ୍ରବୃତ୍ତିରେ ପରିଣତ ହୋଇଥାଏ, ଯାହାର ଏକ ଚରମ ପ୍ରଦର୍ଶନ ଏବେ ଦେଶର ଜଣେ ଅଗ୍ରଣୀ ଶିଳ୍ପପତିଙ୍କ ପରିବାରରେ ଏକ ବିବାହ ଉତ୍ସବ ରୂପରେ ସମଗ୍ର ବିଶ୍ବବାସୀଙ୍କୁ ଚମତ୍କୃତ କରିଦେଇଛି। ଯେଉଁ ପାରମ୍ପରିକ ଅର୍ଥଶାସ୍ତ୍ରୀମାନେ ‘ଅର୍ଥନୈତିକ ମନୁଷ୍ୟ’ ବା ‘ହୋମୋ ଇକୋନୋମିକସ୍’ର ଆଚରଣକୁ ଯୁକ୍ତିସଂଗତ ଲାଭକ୍ଷତିର ହିସାବ ଉପରେ ଆଧାରିତ ବୋଲି ବିଶ୍ବାସ କରିଥାନ୍ତି, ସେମାନଙ୍କୁ ଏପରି ଲଗାମହୀନ ନଗ୍ନ ପ୍ରଦର୍ଶନ ସଂପୂର୍ଣ୍ଣ ରୂପେ ଉଦ୍ଭଟ ମନେ ହୋଇପାେର। କିନ୍ତୁ ମନୁଷ୍ୟର ଏଭଳି ପ୍ରଦର୍ଶନପ୍ରବଣ ପ୍ରବୃତ୍ତି ପଛରେ ନିହିତ ଥିବା ଶକ୍ତିଶାଳୀ ସମାଜତାତ୍ତ୍ବିକ କାରଣ ଅନୁସନ୍ଧାନ କରି ଆବିଷ୍କାର କରିଥିଲେ ଊନବିଂଶ-ବିଂଶ ଶତାବ୍ଦୀର ପ୍ରସିଦ୍ଧ ଅଣପାରମ୍ପରିକ ଆମେରିକୀୟ ଅର୍ଥନୀତିଜ୍ଞ ଥର୍ଷ୍ଟାଇନ୍ ଭେବ୍ଲେନ୍। ‘ଆର୍ଏସ୍ଏସ୍’ ବର୍ତ୍ତମାନ ଯେଉଁଭଳି ପ୍ରଦର୍ଶନୀମୂଳକ ଅନାବଶ୍ୟକ ଖର୍ଚ୍ଚକୁ ନିରୁତ୍ସାହିତ କରିବାକୁ ସାଧୁ ଆହ୍ବାନ ଦେଇଛି, ୧୮୯୯ରେ ପ୍ରକାଶିତ ତାଙ୍କର ସର୍ବପ୍ରଥମ ତଥା ସର୍ବାଧିକ ଆଦୃତ ପୁସ୍ତକ ‘ଦି ଥିଓରି ଅଫ୍ ଦି ଲିଜର୍ କ୍ଲାସ୍’ରେ ଭେବ୍ଲେନ୍ ତାହାର ନାମକରଣ କରିଥିଲେ- ‘କନ୍ସ୍ପିକ୍ୟୁଅସ୍ କନ୍ସମ୍ପସନ୍’ (‘ଦୃଶ୍ୟମାନ ଉପଭୋଗ’)।
‘କନସ୍ପିକ୍ୟୁଅସ୍ କନ୍ସମ୍ପସନ୍’ର କାରଣ ଆବିଷ୍କାର ପାଇଁ ଗବେଷଣା କରିବା ଅବସରରେ ଭେବ୍ଲେନ୍ କେତେକ ପ୍ରାଚୀନ ଆଦିମ ସମାଜମାନଙ୍କ ସମ୍ବନ୍ଧରେ ଜାଣିବାକୁ ପାଇଲେ, ଯେଉଁଠି ବଳ ପ୍ରୟୋଗ ଦ୍ବାରା କିମ୍ବା କୌଶଳ ପ୍ରୟୋଗ ଦ୍ବାରା ଅନ୍ୟମାନଙ୍କୁ ଶୋଷଣ କରି ସଂପଦ ଠୁଳ କରିପାରୁଥିବା ସଦସ୍ୟମାନଙ୍କୁ ସମାଜର ସର୍ବାଧିକ ମର୍ଯ୍ୟାଦାଜନକ ଆସନ ପ୍ରଦାନ କରାଯାଇଥାଏ। ଏହି ଶୋଷଣକାରୀମାନଙ୍କୁ ସମାଜର ଅନ୍ୟ ସଦସ୍ୟମାନେ ସେ ସମାଜର ସଫଳତମ ସଦସ୍ୟ ରୂେପ ବିଚାର କରି ସେମାନଙ୍କୁ ଅନୁକରଣ କରିବାକୁ ଚେଷ୍ଟା ଚଳାଇଥାନ୍ତି। ଆଉ ଏହି ତଥାକଥିତ ସଫଳ ସଦସ୍ୟମାନେ ସେମାନେ ଶୋଷଣ କରି ଠୁଳ କରିଥିବା ସଂପଦକୁ ନିଜର ସଫଳତା ଓ କ୍ଷମତାର ଚିହ୍ନ ସ୍ବରୂପ ସର୍ବସାଧାରଣଙ୍କ ସମ୍ମୁଖରେ ପ୍ରଦର୍ଶନ କରିବାର କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ।
ତେବେ ପ୍ରାଚୀନ ସମାଜର ଏଭଳି ବର୍ବର ପରମ୍ପରା ସହିତ ଆଧୁନିକ ମାନବ ସମାଜର ସଂପର୍କ କ’ଣ? ଭେବ୍ଲେନ୍ଙ୍କ ମତରେ- ସଂପର୍କ ହେଉଛି ଗଭୀର। ପ୍ରାଚୀନ ସମାଜ ଭଳି ଆଧୁନିକ ସମାଜ ମଧ୍ୟ ଶୋଷକ ଓ ଶୋଷିତମାନଙ୍କ ମଧ୍ୟରେ ବିଭକ୍ତ; ଆଧୁନିକ ସମାଜର ଶୋଷକମାନେ କିନ୍ତୁ ପ୍ରାଚୀନ ଆଦିମ ସମାଜର ଶୋଷକମାନଙ୍କ ଭଳି ସିଧାସଳଖ ଶୋଷିତଙ୍କର ସଂପତ୍ତି କିମ୍ବା ନାରୀମାନଙ୍କୁ ଛଡ଼ାଇ ନିଅନ୍ତି ନାହିଁ। ଏହା ବଦଳରେ ସେଇ ସମାନ ପ୍ରଭାବ ସୃଷ୍ଟି କରିବା ପାଇଁ ଆଧୁନିକ ଶୋଷକମାନେ ଯାହା ଠୁଳ କରି ବିଭିନ୍ନ ଉପାୟରେ ପ୍ରଦର୍ଶନ କରିଥାନ୍ତି, ତାହା ହେଉଛି- ଅର୍ଥ। ପ୍ରାଚୀନ ସମାଜରେ ସଫଳ ଶୋଷକମାନେ ଯେଉଁଭଳି ଅନ୍ୟ ସମସ୍ତଙ୍କ ପାଇଁ ଈର୍ଷଣୀୟ ଓ ଅନୁକରଣୀୟ ଥିଲେ, ଆଧୁନିକ ସମାଜର ଏହି ସଫଳ ଧନିକ ଶ୍ରେଣୀ ସେହିପରି ଅନ୍ୟ ସମସ୍ତଙ୍କର ଆଦର୍ଶ ରୂପେ ବିବେଚିତ ହୋଇଥାନ୍ତି।
ଆଦିମ ସମାଜରେ ସାଧାରଣତଃ ଅଧିକ ବଳବାନ, ଅଧିକ ଲଢୁଆ ଓ ଭୟ ଉଦ୍ରେକକାରୀ ସଦସ୍ୟମାନେ ଏଭଳି ମର୍ଯ୍ୟାଦାର ଅଧିକାରୀ ହୋଇଥାନ୍ତି। ଭେବ୍ଲେନ୍ଙ୍କ ଅନୁସାରେ ଆଧୁନିକ ସମାଜରେ ଅର୍ଥ ବଳରେ ବଳୀୟାନ୍ ସଦସ୍ୟମାନେ ସେଇ ସ୍ଥାନ ଦଖଲ କରିଥାନ୍ତି ଓ ସେଇ ଅର୍ଥ ବ୍ୟବହାର କରି ଦୃଶ୍ୟମାନ ଖର୍ଚ୍ଚ ମାଧ୍ୟମରେ ନିଜର ଶକ୍ତି ପ୍ରଦର୍ଶନ କରିଥାନ୍ତି (ଯେମିତି ପ୍ରସାରିତ ସୂଚନା ଅନୁସାରେ ଉପରୋକ୍ତ ବିବାହରେ ପ୍ରତ୍ୟେକ ବରଯାତ୍ରୀଙ୍କୁ ଗୋଟିଏ ଲେଖାଏଁ ଦୁଇ କୋଟି ଟଙ୍କା ମୂଲ୍ୟର ହାତ ଘଡ଼ି ଉପହାର ପ୍ରଦାନ)। ଯେହେତୁ ସମାଜ ଦୃଷ୍ଟିରେ ଏହା ଆଦର୍ଶ ରୂପେ ବିବେଚିତ ହୋଇଥାଏ, ସମାଜର ପ୍ରତ୍ୟେକ ସଦସ୍ୟ ମଧ୍ୟ ନିଜ ନିଜର ଶକ୍ତି ଅନୁସାରେ ଏହାର ଅନୁକରଣ କରି ଦୃଶ୍ୟମାନ ଖର୍ଚ୍ଚ (ଉପଭୋଗ) ମାଧ୍ୟମରେ ସମାଜରେ ନିଜର ପତିଆରା ରକ୍ଷା କରିବାକୁ ଚେଷ୍ଟା କରିଥାଏ। ଭେବ୍ଲେନ୍ଙ୍କ ଭାଷାରେ ‘‘ବର୍ବର ମନୁଷ୍ୟଟିଏକୁ ଯେମିତି ତା’ ଗୋଷ୍ଠୀର ଶାରୀରିକ ଶକ୍ତି, ଚାଲାକି ଓ ଅସ୍ତ୍ରଚାଳନା କୌଶଳ ପାଇଁ ସ୍ଥାପିତ ମାନ ହାସଲ କରିବାକୁ ଚେଷ୍ଟା କରିବାକୁ ପଡୁଥିଲା’’, ଆଧୁନିକ ମନୁଷ୍ୟକୁ ମଧ୍ୟ ସେହିପରି ସଂପଦ ଠୁଳ କରିବାକୁ ଚେଷ୍ଟା କରିବାକୁ ପଡ଼ିଥାଏ ଓ ତାହାର ପ୍ରଦର୍ଶନ କରିବାକୁ ପଡ଼ିଥାଏ। ‘‘ପ୍ରତ୍ୟେକ ବ୍ୟକ୍ତି, ଶ୍ରମଜୀବୀ, ମଧ୍ୟବିତ୍ତ ନାଗରିକ ତଥା ପୁଞ୍ଜିପତି ଦୃଶ୍ୟମାନ ଅର୍ଥ ବ୍ୟୟ - ବାସ୍ତବରେ ଦୃଶ୍ୟମାନ ଅର୍ଥ ଅପଚୟ - ମାଧ୍ୟମରେ ନିଜର ଶୋଷଣକାରୀ ଶକ୍ତି ପ୍ରଦର୍ଶିତ କରିବାକୁ ଚେଷ୍ଟା କରିଥାନ୍ତି।’’
ଭେବ୍ଲେନ୍ଙ୍କ ମତରେ ଏହା ହିଁ ହେଉଛି ଏକ ଆଧୁନିକ ପୁଞ୍ଜିବାଦୀ ସମାଜରେ ଶୋଷକ ଓ ଶୋଷିତମାନଙ୍କର ସଂଘାତହୀନ ସହାବସ୍ଥାନର ଅସଲ କାରଣ। ଯଦି କାର୍ଲ ମାର୍କସ୍ଙ୍କ ତତ୍ତ୍ବ ଅନୁସାରେ ଶୋଷିତମାନେ ସର୍ବଦା ଶୋଷକମାନଙ୍କ ବିରୁଦ୍ଧରେ ବିପ୍ଳବ ରଚନା କରିବା ହେଉଛି ଅବଧାରିତ, ତେବେ ପୁଞ୍ଜିବାଦୀ ସମାଜମାନଙ୍କରେ ସେପରି ଘଟୁନାହିଁ କାହିଁକି? ଏହାର ଉତ୍ତର ଦେଇ ଭେବ୍ଲେନ୍ କହିଛନ୍ତି, ଏ ଉଭୟ ଶ୍ରେଣୀ ପରସ୍ପରର ବିରୋଧୀ ନୁହନ୍ତି, ସେମାନଙ୍କ ଆଭିମୁଖ୍ୟ ହେଉଛି ଏକ ଓ ଅଭିନ୍ନ। ଶ୍ରମିକ ତା’ର ମ୍ୟାନେଜରକୁ ବିତାଡ଼ିତ କରିବାକୁ ଚାହେଁ ନାହିଁ, ସେ ତାକୁ ଅନୁକରଣ କରିବାକୁ ଚାହିଁଥାଏ; ସେମାନେ ପୁଣି ମିଳିତ ଭାବରେ ସେମାନଙ୍କ ଉପରିସ୍ଥ ମାଲିକକୁ ଅନୁକରଣ କରିବାକୁ ଲାଗିପଡ଼ିଥାନ୍ତି ଓ ସେଇ ଅନୁସାରେ ସାଧ୍ୟମତେ ଦୃଶ୍ୟମାନ ଉପଭୋଗକୁ ଜୀବନର ବ୍ରତ ରୂେପ ଗ୍ରହଣ କରିଥାନ୍ତି। ସମଗ୍ର ସମାଜ ଏଇ ଏକମାତ୍ର ଲକ୍ଷ୍ୟ ରୂପକ ରଜ୍ଜୁରେ ବାନ୍ଧିହୋଇ ଏକାଠି ହୋଇ ରହିଥାଏ।
ଏଣୁ, ଭେବ୍ଲେନ୍ଙ୍କ ବିଚାରରେ ଏକ ଆଧୁନିକ ପୁଞ୍ଜିବାଦୀ ସମାଜ ହେଉଛି ବାସ୍ତବରେ ଛଦ୍ମବେଶ ପରିଧାନ କରିଥିବା ସେଇ ପ୍ରାଚୀନ ଆଦିମ ବର୍ବର ସମାଜ ମାତ୍ର। ଏଠାରେ ସେଇ ଆଦିମ ସମାଜ ଭଳି ସମସ୍ତ ପ୍ରକାର ଦୃଶ୍ୟମାନ ଉପଭୋଗ, ସଂପଦର ନଗ୍ନ ପ୍ରଦର୍ଶନ ସଂପୂର୍ଣ୍ଣ ସାମାଜିକ ସ୍ବୀକୃତି ଲାଭ କରିଥାଏ, ଯାହାର ବଳିଷ୍ଠତମ ପ୍ରମାଣ ସ୍ବରୂପ ଦେଶର ସର୍ବୋଚ୍ଚ ଶାସକ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି, ବିରୋଧୀ ଦଳମାନଙ୍କର ଅଧିକାଂଶ ତୁଙ୍ଗ ନେତା ଓ ଏପରିକି ସର୍ବୋଚ୍ଚ ଧର୍ମଗୁରୁ ଶଙ୍କରାଚାର୍ଯ୍ୟ ପର୍ଯ୍ୟନ୍ତଙ୍କୁ ଉପରୋକ୍ତ ବିବାହ ଉତ୍ସବରେ ଯୋଗ ଦେବା ଦେଖିବାକୁ ମିଳିଛି। ଭେବ୍ଲେନ୍ଙ୍କ ଏହି ଦୁନିଆରେ ତେଣୁ ଦୃଶ୍ୟମାନ ଉପଭୋଗରୁ ବିରତ ରହିବା ପାଇଁ ଆହ୍ବାନ ଦେବା ହେଉଛି କାଲ ଆଗରେ ମୂଳା ଚୋବାଇବା ଭଳି।