ପ୍ରକାଶ ପାଉଥିବା ସମ୍ବାଦ ଅନୁସାରେ ସଂପୃକ୍ତ କଲେଜ-ହସ୍ପିଟାଲ୍ର ସ୍ଥାନାନ୍ତରିତ ଅଧ୍ୟକ୍ଷ ମଧ୍ୟ ହେଉଛନ୍ତି ଶାସକ ଦଳର ଗେହ୍ଲା ପୁଅ, ଯିଏ ବିଭିନ୍ନ ଅନୈତିକ କାର୍ଯ୍ୟରେ ଜଡ଼ିତ ଥିଲେ ଓ ଯାହାଙ୍କର ସଞ୍ଜୟ ରାୟ ଥିଲା ପ୍ରିୟ ଲୋକ। ଏଭଳି ଏକ ବିଷଚକ୍ର ଆଗରେ କେଉଁ ଆଇନ ଅବା କାମ କରନ୍ତା? ଏଥିରୁ ଯାହା ଶିକ୍ଷା ମିଳିଥାଏ, ତାହା ହେଲା, ଆମ ରାଜନେତାମାନଙ୍କର ଅନ୍ତଃଶୁଦ୍ଧି ନ ଘଟିବା ପର୍ଯ୍ୟନ୍ତ ଭାରତରେ ନାରୀମାନେ ବାଘ ଭୟରେ କାଳ କାଟି ଚାଲିଥିବେ ଓ ଭାରତ ଏକ ପଛୁଆ ଦେଶ ହୋଇ ରହିଥିବ।
‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ (‘ଆଇଏମ୍ଏଫ୍’)ର ଡେପୁଟି ମ୍ୟାନେଜିଙ୍ଗ୍ ଡାଇରେକ୍ଟର୍ ଗୀତା ଗୋପୀନାଥ ଏବେ ଦିଲ୍ଲୀ ଗସ୍ତରେ ଆସିଥିବା ବେଳେ ଏକ ସମ୍ବାଦପତ୍ରକୁ ସାକ୍ଷାତକାର ଦେବା ଅବସରରେ କଲିକତାର ଆର୍ଜି କର ମେଡିକାଲ୍ କଲେଜ-ହସ୍ପିଟାଲ୍ ଠାରେ ସେଠାକାର ଜଣେ ଡାକ୍ତରୀ ଛାତ୍ରୀଙ୍କ ଉପରେ ହୋଇଥିବା ବର୍ବର ମରଣାନ୍ତକ ଯୌନ ଆକ୍ରମଣର ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ନିରାପତ୍ତା ହେଉଛି ଯେ କୌଣସି ଦେଶର ମହିଳାମାନଙ୍କ ଭଳି ଭାରତୀୟ ମହିଳାମାନଙ୍କର ମଧ୍ୟ ମୌଳିକ ଅଧିକାର, ଯାହାର ଯଥାର୍ଥତା ପ୍ରତିପାଦନ କରିବା ପାଇଁ କୌଣସି କାରଣ ଖୋଜିବା ଲୋଡ଼ା ହୋଇ ନ ଥାଏ। କିନ୍ତୁ ଯେହେତୁ ଗୀତା ଗୋପୀନାଥ ହେଉଛନ୍ତି ଜଣେ ଅର୍ଥନୀତିଜ୍ଞା, ସେ ଏଥିସହିତ ମଧ୍ୟ ସୂଚାଇବା ଉଚିତ ମନେ କରିଛନ୍ତି ଯେ ଭାରତରେ କର୍ମକ୍ଷେତ୍ରରେ ପରିଲକ୍ଷିତ ହେଉଥିବା ନୀଚା ମହିଳା ଅଂଶଗ୍ରହଣ ଅନୁପାତରେ ବୃଦ୍ଧି ହାସଲ କରିବାକୁ ହେଲେ କର୍ମସ୍ଥଳୀମାନଙ୍କରେ ମହିଳାମାନଙ୍କର ନିରାପତ୍ତା ନିଶ୍ଚିତ କରାଯିବା ଜରୁରି। କଲିକତାରେ ନିଜର କର୍ମସ୍ଥଳୀରେ ହିଁ ସେଇ ହତଭାଗିନୀ ଛାତ୍ରୀ-ଡାକ୍ତରଙ୍କର ଲୋମହର୍ଷଣକାରୀ ଧର୍ଷଣ ଓ ହତ୍ୟା ସଂଘଟିତ ହୋଇଛି।
୨୦୨୨-୨୩ରେ ଦେଶରେ ନିଯୁକ୍ତି କ୍ଷେତ୍ରରେ ପୁରୁଷ-ଅଂଶଗ୍ରହଣ ଅନୁପାତ ୭୮.୫ ଶତାଂଶ ହୋଇଥିବା ବେଳେ ମହିଳା-ଅଂଶଗ୍ରହଣ ଅନୁପାତ ଥିଲା ଏକ ଅତ୍ୟନ୍ତ ନୀଚା ୩୭ ଶତାଂଶ ମାତ୍ର। ନୀତି ନିର୍ଦ୍ଧାରକମାନେ ପାରମ୍ପରିକ ଭାବରେ ବିଶ୍ବାସ କରିଥାନ୍ତି ଯେ ପରିବାର ପରିଚାଳନା ଦାୟିତ୍ବ ଓ ସନ୍ତାନସନ୍ତତିଙ୍କ ପାଳନ ଦାୟିତ୍ବ ବହନ ନିଯୁକ୍ତି କ୍ଷେତ୍ରରେ ଅଂଶଗ୍ରହଣ କରିବା ପଥରେ ମହିଳାମାନଙ୍କ ପାଇଁ ପ୍ରଧାନ ପ୍ରତିବନ୍ଧକ ରୂପେ କାର୍ଯ୍ୟ କରିଥାଏ। ସେମାନେ କିନ୍ତୁ ଭୁଲିଯାଆନ୍ତି ଯେ ଜଣେ କର୍ମଜୀବୀ ନାରୀଟିଏ ଯେତେବେଳେ ରାସ୍ତାରେ ଚାଲୁଥାଏ, ବସ୍ ଧରିବାକୁ ଅପେକ୍ଷା କରିଥାଏ, ବଜାରରେ ସଉଦା କିଣୁଥାଏ... ତାକୁ ପ୍ରତି ମୁହୂର୍ତ୍ତରେ ନିଜର ନିରାପତ୍ତା ପ୍ରତି ସଚେତନ ହେବାକୁ ପଡ଼ିଥାଏ। ନିଜର କର୍ମସ୍ଥଳୀ ମଧ୍ୟ ଯେ ତା’ ପାଇଁ ଏକ ନିରାପଦ ଆଶ୍ରୟସ୍ଥଳୀ ନୁହେଁ, ତାହାର ଚରମ ପ୍ରମାଣ ଦେଖିବାକୁ ମିଳିଛି କଲିକତାର ଉପରୋକ୍ତ ହସ୍ପିଟାଲ୍ରେ। ପ୍ରକୃତରେ ଅପରାଧ ଘଟିବା ଅପେକ୍ଷା, ଅପରାଧ ଘଟିବାର ସମ୍ଭାବନା ଅନେକ ମହିଳାଙ୍କୁ ଘରୁ ପଦାକୁ ଗୋଡ଼ କାଢ଼ିବାରୁ ନିରୁତ୍ସାହିତ କରିଥାଏ।
ଉପଲବ୍ଧ ପରିସଂଖ୍ୟାନ ଏଭଳି ଭୟକୁ ଯଥାର୍ଥ ପ୍ରତିପାଦନ କରିଥାଏ ମଧ୍ୟ। ‘ନେସ୍ନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ’ ଦ୍ବାରା ପ୍ରଦତ୍ତ ପରିସଂଖ୍ୟାନ ଅନୁସାରେ ଦେଶରେ ମହିଳାମାନଙ୍କ ବିରୋଧରେ ଘଟୁଥିବା ଅପରାଧ ସଂଖ୍ୟାରେ ନିୟମିତ ବୃଦ୍ଧି ଘଟିଚାଲିଛି। ଉଦାହରଣ ସ୍ବରୂପ ୨୦୨୦ରୁ ୨୦୨୨ ମଧ୍ୟରେ ନାରୀମାନଙ୍କ ବିରୋଧରେ ଅପରାଧ ଘଟଣାରେ ୨୦ ଶତାଂଶ ହାରରେ ବୃଦ୍ଧି ଘଟିଥିଲା। ‘ନେସ୍ନାଲ୍ ଫାମିଲି ହେଲ୍ଥ ସର୍ଭେ-୫’ ରିପୋର୍ଟ (୨୦୧୯-୨୧) ଅନୁସାରେ ଭାରତରେ ୧୫-୪୯ ବୟସ ସୀମା ମଧ୍ୟରେ ଥିବା ମହିଳାମାନଙ୍କ ମଧ୍ୟରୁ ପ୍ରାୟ ଏକ-ତୃତୀୟାଂଶ ମହିଳା କୌଣସି ନା କୌଣସି ଶାରୀରିକ, ପାରିବାରିକ କିମ୍ବା ଯୌନ ହିଂସାଚରଣର ସମ୍ମୁଖୀନ ହୋଇଥାନ୍ତି। ଗଁାର ଜଣେ ଲୋକ ବାଘ ହାବୁଡ଼ରେ ପଡ଼ିଲେ, ସାରା ଗଁାର ଲୋକ ଯେମିତି ତାଟିକବାଟ କିଳି ଘରୁ ବାହାରନ୍ତି ନାହିଁ, ଏହି ଉଚ୍ଚ ଅପରାଧ ଅନୁପାତ ସେହିପରି ନାରୀମାନଙ୍କୁ ଭୟଭୀତ କରି ନିଯୁକ୍ତି କ୍ଷେତ୍ରରୁ ଦୂରେଇ ରଖିଥାଏ।
ଗବେଷଣା ଦ୍ବାରା ମଧ୍ୟ ଏହାର ସତ୍ୟତା ସବ୍ୟସ୍ତ ହୋଇଛି। ଉଦାହରଣ ସ୍ବରୂପ ତାନିକା ଚକ୍ରବର୍ତ୍ତୀ ଓ ନଫିସା ଲୋହାୱାଲା ନାମକ ଦୁଇ ଜଣ ଗବେଷିକା ୨୦୨୧ରେ ପ୍ରକାଶିତ ‘‘ୱିମେନ୍, ଭାଓଲେନ୍ସ ଆଣ୍ଡ୍ ୱର୍କ: ଥ୍ରେଟ୍ ଅଫ୍ ସେକ୍ସୁଆଲ୍ ଭାଓଲେନ୍ସ ଆଣ୍ଡ୍ ୱିମେନ୍’ସ ଡିସିସନ୍ ଟୁ ୱର୍କ’’ ଶୀର୍ଷକ ସେମାନଙ୍କର ଗବେଷଣାପତ୍ରରେ ସାବ୍ୟସ୍ତ କରିଥିଲେ ଯେ ହିଂସାଚରଣ ସମ୍ମୁଖୀନ ହେବାର ଭୟ ହେଉଛି ଶ୍ରମ ଶକ୍ତିରେ ମହିଳାମାନଙ୍କର ନୀଚା ଅଂଶଗ୍ରହଣ ଅନୁପାତର ଅନ୍ୟତମ କାରଣ। ସେମାନେ ଉଭୟ ମଧ୍ୟରେ ଯେଉଁ ପରିସଂଖ୍ୟାନଗତ ସଂପର୍କ ଆବିଷ୍କାର କରିଥିଲେ, ତାହା ହେଲା: ଏକ ଜିଲ୍ଲାରେ ପ୍ରତି ଏକ ହଜାର ମହିଳା ସମ୍ମୁଖୀନ ହେଉଥିବା ଅପରାଧ ସଂଖ୍ୟାରେ ଆଉ ଗୋଟିଏ ଅପରାଧ ଯୋଡ଼ିହେଲେ, ତାହାର ପ୍ରଭାବରେ ଆଉ ୩୨ ଜଣ ମହିଳା ଶ୍ରମ ଶକ୍ତିରେ ଯୋଗଦେବାରୁ ନିବୃତ୍ତ ରହନ୍ତି। ଏହା ଅନୁସାରେ କୁହାଯାଇପାରେ, ଜଣେ ନାରୀ ବାଘ ହାବୁଡ଼ରେ ପଡ଼ିଲେ, ସେଥିଯୋଗୁଁ ୩୨ ଜଣ ନାରୀ ଭୟରେ ଘରୁ ବାହାରନ୍ତି ନାହିଁ।
ଗୀତା ଗୋପୀନାଥ କହିଥିବା ଭଳି ପ୍ରାକୃତିକ ମୌଳିକ ନ୍ୟାୟ ଦୃଷ୍ଟିରୁ ଏହା ଅାଦୌ ଗ୍ରହଣୀୟ ନୁହେଁ। ଏକ ଜନସଂଖ୍ୟାର ଅର୍ଦ୍ଧେକ ସଦସ୍ୟ - ନାରୀମାନେ ବାକି ଅର୍ଦ୍ଧେକ ସଦସ୍ୟ - ପୁରୁଷମାନଙ୍କୁ ବାଘ ଭଳି ଭୟ କରିବା ପ୍ରାକୃତିକ ନ୍ୟାୟର ମାପକାଠି ଅନୁସାରେ ଆଦୌ ଗ୍ରହଣୀୟ ନୁହେଁ। ଏହା ବାଦ୍ ଗବେଷିକାମାନେ ଆବିଷ୍କାର କରିଥିବା ଏହି ଆନୁପାତିକ ସଂପର୍କ ଆମ ପାଇଁ ଯେଉଁ ଅଶୁଭ ସୂଚନା ବହନ କରିଥାଏ, ତାହା ହେଲା, ଯଦି ଦେଶରେ ପୂର୍ବରୁ ଦର୍ଶାଯାଇଥିବା ଭଳି ମହିଳାମାନଙ୍କ ବିରୋଧରେ ଅପରାଧରେ ନିରନ୍ତର ବୃଦ୍ଧି ଘଟିଚାଲେ, ତେବେ ଭାରତ ଦୂର ଭବିଷ୍ୟତ୍ରେ ମଧ୍ୟ ଏକ ବିକଶିତ ଦେଶରେ ପରିଣତ ହେବାର ସ୍ବପ୍ନ ପରିତ୍ୟାଗ କରିବା ଉଚିତ ହେବ। କାରଣ, ଏକ ବିକଶିତ ଦେଶରେ ପରିଣତ ହେବା ପାଇଁ ସଂପୃକ୍ତ ଦେଶର ଶ୍ରମ ଶକ୍ତିର ପୂର୍ଣ୍ଣ ବିନିଯୋଗ ହେବା ଆବଶ୍ୟକ, ଯାହା ଶ୍ରମ ଶକ୍ତିରେ ମହିଳାମାନଙ୍କର ପୂର୍ଣ୍ଣ ଅଂଶଗ୍ରହଣ ବିନା ସମ୍ଭବ ହେବନାହିଁ।
ଏହି ସମସ୍ୟାର ସମାଧାନ ପାଇଁ କେତେକ ରାଜ୍ୟରେ ମହିଳାମାନଙ୍କର ନିରାପଦ ଯାତାୟାତ ପାଇଁ ବିଶେଷ ବା ମାଗଣା ପରିବହନ ବ୍ୟବସ୍ଥା କରାଯାଇଛି। ମହିଳାମାନଙ୍କ ପ୍ରତି ଅପରାଧ ବିରୋଧରେ ଆଇନକୁ ମଧ୍ୟ କଡ଼ାକଡ଼ି କରାଯାଇଛି। କିନ୍ତୁ ଆର୍ଜି କର ହସ୍ପିଟାଲ୍ରେ ଘଟିଥିବା ଘଟଣା ଏଭଳି ପଦକ୍ଷେପମାନଙ୍କୁ ସଂପୂର୍ଣ୍ଣ ବିଫଳ ସାବ୍ୟସ୍ତ କରିଥାଏ, କାରଣ ଏହି ଜଘନ୍ୟ ଅପରାଧ ସଂଘଟିତ ହୋଇଥିଲା ମୃତକଙ୍କ ନିରାପଦ ମନେ ହେଉଥିବା କର୍ମସ୍ଥଳୀ ଭିତରେ- ରାସ୍ତାଘାଟରେ ନୁହେଁ, ଏବଂ କୌଣସି ଆଇନ ସେ ଅପରାଧ ଘଟାଇଥିବା ଦାନବମାନଙ୍କୁ ସେଥିରୁ ନିବୃତ୍ତ କରିପାରି ନ ଥିଲା। ଏହା ଲେଖା ହେବା ପର୍ଯ୍ୟନ୍ତ ଯେଉଁ ଜଣେ ସନ୍ଦିଗ୍ଧ ଅପରାଧୀକୁ ଗିରଫ କରାଯାଇଛି, ସେ ଯେ ହେଉଛି କଲିକତା ପୁଲିସ ଠାରୁ ଦରମା ପାଉଥିବା ଏକ କର୍ମଚାରୀ, ତାହା ଏ ସଂପର୍କିତ ସମସ୍ତ ଆଇନକୁ ପରିହାସ କଲାଭଳି ହୋଇଥାଏ।
୨୦୧୨ରେ ଶାସକ ତୃଣମୂଳ କଂଗ୍ରେସ ସରକାର ପ୍ରବର୍ତ୍ତନ କରିଥିବା ବ୍ୟବସ୍ଥା ଅନୁସାରେ ସେ ରାଜ୍ୟର ‘ସିଭିକ୍ ପୁଲିସ ଭଲୁଣ୍ଟିଅର୍ ଫୋର୍ସ’ରେ ଏହି ଅଭିଯୁକ୍ତ ସଞ୍ଜୟ ରାୟ ଭଳି ୧,୧୯,୯୧୬ ତଥାକଥିତ ସ୍ବେଚ୍ଛାସେବୀ କର୍ମଚାରୀ ରହିଛନ୍ତି। କହିବା ବାହୁଲ୍ୟ, ଏମାନେ ସମସ୍ତେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଦଳର ସକ୍ରିୟ କର୍ମୀ, ଯେଉଁମାନଙ୍କୁ ପୁଲିସ ବାହିନୀରେ ଏହି ପରୋକ୍ଷ ଉପାୟରେ ଅବସ୍ଥାପିତ କରାଯାଇଛି। ପ୍ରକାଶ ପାଉଥିବା ସମ୍ବାଦ ଅନୁସାରେ ସଂପୃକ୍ତ କଲେଜ-ହସ୍ପିଟାଲ୍ର ସ୍ଥାନାନ୍ତରିତ ଅଧ୍ୟକ୍ଷ ମଧ୍ୟ ହେଉଛନ୍ତି ଶାସକ ଦଳର ଗେହ୍ଲା ପୁଅ, ଯିଏ ବିଭିନ୍ନ ଅନୈତିକ କାର୍ଯ୍ୟରେ ଜଡ଼ିତ ଥିଲେ ଓ ଯାହାଙ୍କର ସଞ୍ଜୟ ରାୟ ଥିଲା ପ୍ରିୟ ଲୋକ। ଏଭଳି ଏକ ବିଷଚକ୍ର ଆଗରେ କେଉଁ ଆଇନ ଅବା କାମ କରନ୍ତା? ଏଥିରୁ ଯାହା ଶିକ୍ଷା ମିଳିଥାଏ, ତାହା ହେଲା, ଆମ ରାଜନେତାମାନଙ୍କର ଅନ୍ତଃଶୁଦ୍ଧି ନ ଘଟିବା ପର୍ଯ୍ୟନ୍ତ ଭାରତରେ ନାରୀମାନେ ବାଘ ଭୟରେ କାଳ କାଟି ଚାଲିଥିବେ ଓ ଭାରତ ଏକ ପଛୁଆ ଦେଶ ହୋଇ ରହିଥିବ।