ଅନେକ କହିଥାଆନ୍ତି ଯେ ସଂପ୍ରତି ପୃଥିବୀରେ ଶରଣାର୍ଥୀମାନଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ଘଟୁଥିବା ହେତୁ ଆଗାମୀ ଅଲିଂପିକ୍ସଗୁଡ଼ିକରେ ଖେଳାଳିଙ୍କ ସଂଖ୍ୟା ସ୍ବାଭାବିକ ଭାବେ ବୃଦ୍ଧି ପାଇବ। ହୁଏ’ତ ତା’ ସହିତ ଦଳର ପଦକ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିପାରେ। ଏଥିରେ ଖେଳାଳିମାନେ ଉଲ୍ଲସିତ ହେବା ସୁନିଶ୍ଚିତ, ଯେମିତି ସିଣ୍ଡିଙ୍କ କ୍ଷେତ୍ରରେ ଘଟିଛି। କିନ୍ତୁ, ସେମାନେ ଏକ ଦ୍ବନ୍ଦ୍ବର ସମ୍ମୁଖୀନ ମଧ୍ୟ ହୋଇପାରନ୍ତି, ଯେମିତି ସିଣ୍ଡି ହୋଇଛନ୍ତି। ପଦକ ଜିଣିବା ପରେ ଆନନ୍ଦର ଲୋତକ ଭରା ଚକ୍ଷୁରେ ସେ ଯାହା କହିଛନ୍ତି ତାହା ହେଲା ସେହି ଦିନ ସେ ଅଧିକ ପୁଲକିତ ହେବେ, ଯେଉଁ ଦିନ ଅଲିଂପିକ୍ସରେ ଶରଣାର୍ଥୀ ଦଳ ଆଉ ଦୃଶ୍ୟମାନ ହେବ ନାହିଁ
ଗଲା କାଲି ଏହି ସ୍ତମ୍ଭରେ ଭିନେଶ ଫୋଗଟଙ୍କ ଦୁର୍ଭାଗ୍ୟଜନକ ଅଲିଂପିକ୍ ଅଭିଜ୍ଞତା ସଂପର୍କରେ ଲେଖା ଯାଇଥିଲା, ଯେଉଁ ଘଟଣା ସମଗ୍ର ଭାରତକୁ ଏ ପର୍ଯ୍ୟନ୍ତ ମ୍ରିୟମାଣ କରି ରଖିଛି। ଭିନେଶଙ୍କ ଚମକପ୍ରଦ ପ୍ରଦର୍ଶନ କାରଣରୁ ଅନ୍ତତଃ ତାଙ୍କୁ ରୌପ୍ୟ ପଦକଟିଏ ମିଳିବାର ଔଚିତ୍ୟ ସଂଦର୍ଭରେ ଯଦିଓ ବିଚାର ଚାଲିଛି, ଏ ସ୍ତମ୍ଭ ଲେଖା ହେଲା ବେଳକୁ ନିଷ୍ପତ୍ତିଟିଏ ଆସି ପାରିନାହିଁ। ତେଣୁ ଏଭଳି ସ୍ଥିତିରେ ପ୍ୟାରିସ୍ ଅଲିଂପିକ୍ସରେ ଘଟିଥିବା ଏକ ଅନାଲୋଚିତ ଘଟଣା ହୁଏତ ସଂତପ୍ତ ପ୍ରାଣକୁ ସାମାନ୍ୟ ଶୀତଳତା ପ୍ରଦାନ କରିବ; ଏବଂ ତାହା ହେଲା ପ୍ୟାରିସ୍ ଅଲିଂପିକ୍ସରେ ‘ରିଫ୍ୟୁଜି ଟିମ୍’ ବା ଶରଣାର୍ଥୀ ଦଳ ଦ୍ବାରା ପଦକ ଲାଭ। ପ୍ରକାଶ ଥାଉ କି ଏହା ସହିତ ନୂତନ ଇତିହାସଟିଏ ମଧ୍ୟ ରଚିତ ହୋଇଯାଇଛି। ମାତୃଭୂମିରୁ ନିର୍ବାସିତ ବା ବିତାଡ଼ିତ ବା ପଳାତକ ହୋଇ ଅସଂଖ୍ୟ ଅନ୍ୟ ରାଷ୍ଟ୍ର-ଆଶ୍ରିତମାନଙ୍କ ଠାରେ ଚମକପ୍ରଦ କ୍ରୀଡ଼ା ପ୍ରତିଭାର ସମ୍ଭାବନା ଦେଖି ତାହାର ପ୍ରଦର୍ଶନ ସକାଶେ ପ୍ରଥମ ସୁଯୋଗର ସୂତ୍ରପାତ ଘଟିଥିଲା ୨୦୧୬ ମସିହା ରିଓ (ବ୍ରାଜିଲ) ଅଲିଂପିକ୍ସରେ, ଯେଉଁ ଉଦ୍ୟମ ଚଳିତ ପ୍ୟାରିସ୍ ଅଲିଂପିକ୍ସ ସହିତ ତୃତୀୟ ସୋପାନ ଚଢ଼ିଛି। ଏବଂ ଏଥିରେ ୭୨ କିଲୋଗ୍ରାମ ଓଜନ ବର୍ଗରେ ମହିଳା ମୁଷ୍ଟିଯୋଦ୍ଧା ସିଣ୍ଡି ନିଗାମ୍ବା ସର୍ବପ୍ରଥମ ଶରଣାର୍ଥୀ ଭାବେ ଅଲିଂପିକ୍ କାଂସ୍ୟ ପଦକର ଅଧିକାରିଣୀ ହୋଇଛନ୍ତି। କିନ୍ତୁ, ପ୍ରଶ୍ନ ଉଠିଥାଏ ଯେ ଅଲିଂପିକ୍ ଭଳି ସର୍ବଶ୍ରେଷ୍ଠ କ୍ରୀଡ଼ା ଶୃଙ୍ଖଳାରେ ପଦକଟିଏ ଜିଣି ଆପଣା ରାଷ୍ଟ୍ରର ଜୈତ୍ର ତଳେ ଛିଡ଼ା ହେବାର ସୌଭାଗ୍ୟ ଲାଭ ଯେ କୌଣସି ଖେଳାଳି ସକାଶେ ଅନ୍ତିମ ଲକ୍ଷ୍ୟ ହୋଇଥିବା ବେଳେ ରାଷ୍ଟ୍ର ବିବର୍ଜିତ ସିଣ୍ଡି ନିଗାମ୍ବାଙ୍କ ଭଳି ଖେଳାଳିମାନେ ଅଲିଂପିକ ‘ଚିହ୍ନ’ ବହନକାରୀ ଶୁଭ୍ର ପତାକା ଛାଇରେ ଛିଡ଼ା ହେବା ଏକାଧାରରେ ସୌାଭଗ୍ୟ ଓ ବିଡ଼ମ୍ବନାର ଦୃଶ୍ୟ ଭଳି ଦିଶି ନ ଥାଏ କି? ସୁତରାଂ, ଏହି ସଂଦର୍ଭରେ ଏକ ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଉଲ୍ଲେଖଯୋଗ୍ୟ ଯେ ୨୦୨୧ ମସିହାରେ ଆଫ୍ରିକୀୟ ରାଷ୍ଟ୍ର କାମେରୁନରୁ ପଳାୟନ କରି କୌଣସିମତେ ବ୍ରିଟେନରେ ପହଞ୍ଚି ପାରିଥିବା ସିଣ୍ଡି ଗୋଟିଏ ଉନ୍ନତ ୟୁରୋପୀୟ ରାଷ୍ଟ୍ର (ଇଂଲାଣ୍ଡ)ରେ ଯାହା ଭୋଗିବାକୁ ବାଧ୍ୟ ହୋଇଥିଲେ, ତାହା ଥିଲା ଇଂରେଜୀ ଭାଷା-ଜ୍ଞାନରେ ଅଜ୍ଞତା ହେତୁ ଭାବ ବ୍ୟକ୍ତ କରି ନ ପାରିବାର ଯନ୍ତ୍ରଣା ଏବଂ ଶ୍ବେତାଙ୍ଗମାନଙ୍କ ଦାଦାଗିରି। ଏଭଳି ସ୍ଥିତିରେ ଏକ ସ୍ଥାନୀୟ ବକ୍ସିଂ କ୍ଲବ୍ରେ ଯୋଗଦାନ ଓ ତାଲିମ ଗ୍ରହଣ ତାଙ୍କ ସକାଶେ ଯେ ଏକ କଷ୍ଟକର ବ୍ୟାପାର ହୋଇଥିବ, ତାହା ହୃଦ୍ବୋଧ କରିହୁଏ। କିନ୍ତୁ ତାଙ୍କ ପ୍ରତିଭାର ଚମକ ‘ଅାନ୍ତର୍ଜାତିକ ଅଲିଂପିକ୍ସ କମିଟି’ର ଦୃଷ୍ଟିଗୋଚର ହୋଇ ତାଙ୍କ ସକାଶେ ‘ରିଫ୍ୟୁଜି ଫାଉଣ୍ଡେସନ୍’ର ପୃଷ୍ଠପୋଷକତା ଉପଲବ୍ଧ କରାଇଥିଲା। ଏଥିରେ ଦ୍ବିରୁକ୍ତି ନାହିଁ ଯେ ଦେଶାନ୍ତର ହୋଇ ପ୍ୟାରିସରେ ଅବସ୍ଥାନ କରୁଥିବା ସିଣ୍ଡିଙ୍କ ମା’ ତଥା ପରିବାରର ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ଏ ଦୁର୍ଲଭ ସଫଳତା ତାଙ୍କୁ ଅଧିକ ଉଲ୍ଲସିତ କରିଥିବ। ପ୍ରକାଶ ଥାଉ କି କାମେରୁନ ପ୍ରତ୍ୟାବର୍ତ୍ତନ ଲାଗି ସିଣ୍ଡି ବ୍ୟାକୁଳ ହେଉଥିଲେ ହେଁ ତାଙ୍କ ‘ସମଲିଙ୍ଗୀ ପସନ୍ଦ’ ତାଙ୍କୁ ସେଠାରେ କାରାରୁଦ୍ଧ କରିବାର ଆଶଙ୍କା ଥିବାରୁ ସେ ତହିଁରୁ ବିରତ ରହିଛନ୍ତି। ଏଣେ, ଇଂଲାଣ୍ଡରେ ତାଙ୍କ ରହଣିକୁ ଦୀର୍ଘ କରିବା ଲାଗି ସେ ପ୍ରତି ସପ୍ତାହ ଆବଶ୍ୟକ ଦସ୍ତାବେଜରେ ସ୍ବାକ୍ଷର କରି ଚାଲିଛନ୍ତି, ବିଭିନ୍ନ ସ୍ତରରେ ଆବେଦନ କରି ଚାଲିଛନ୍ତି, ଅନେକ ସମୟରେ ତାଙ୍କୁ ଅଟକ ରଖାଯାଇଛି, ଏପରି କି କିଛି କାଳ ଲାଗି ଜେଲ୍ ମଧ୍ୟ ପଠାଇ ଦିଆଯାଇଛି। ଏଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ତାଙ୍କର ଏହି ସଫଳତା ତାଙ୍କୁ ସାମ୍ରାଜ୍ୟବିହୀନ ସମ୍ରାଜ୍ଞୀରେ ମଧ୍ୟ ପରିଣତ କରିଛି!
୨୦୨୩ ମସିହାରେ ପ୍ରକାଶିତ ‘ୟୁ.ଏନ୍.ଏଚ୍.ସି.ଆର.’(ୟୁନାଇଟେଡ୍ େନସନ୍ସ ହାଇକମିସନର୍ ଫର୍ ରିଫ୍ୟୁଜିସ୍’)ର ରିପୋର୍ଟ ଅନୁସାରେ ପୃଥିବୀରେ ପ୍ରତି ୬୯ ଜଣଙ୍କ ମଧ୍ୟରୁ ଜଣେ ଶରଣାର୍ଥୀ; ଏବଂ ୨୦୨୩ ମସିହା ସୁଦ୍ଧା ସେମାନଙ୍କ ମୋଟ ସଂଖ୍ୟା ଥିଲା ୧୧୭.୩ ନିୟୁତ। ତେବେ, ବିଡ଼ମ୍ବନା ହେଲା ଏହି ରିପୋର୍ଟ ପ୍ରକାଶ ପାଇବାର ବର୍ଷଟିଏ ନ ପୂରୁଣୁ ଶରଣାର୍ଥୀଙ୍କ ସଂଖ୍ୟାରେ (ଗାଜା ଉପରେ ଇସ୍ରାଏଲର ଆକ୍ରମଣ ହେତୁ) ପ୍ରାୟ ୧ ନିୟୁତରୁ ଅଧିକ ବୃଦ୍ଧି ପାଇଛି। କହିବା ବାହୁଲ୍ୟ ଯେ ଏହି ପୀଡ଼ିତମାନେ ଅବିମୋଚନୀୟ ଟ୍ରାଜେଡିର ବୋଝକୁ ବହନ କରି ଅନିର୍ଦ୍ଦିଷ୍ଟ ଭାବେ ଅବଶିଷ୍ଟ ଜୀବନ ଅତିବାହିତ କରିବାରେ ଲାଗିଛନ୍ତି। ସେହି ଦୃଷ୍ଟିରୁ ପ୍ୟାରିସ୍ ଅଲିଂପିକ୍ସରେ ଭାଗ ନେଇଥିବା ୩୭ ଜଣ ଶରଣାର୍ଥୀ ଖେଳାଳିଙ୍କ ସକାଶେ ନିଜ ବିବର୍ଣ୍ଣ ଅତୀତକୁ ଅତିକ୍ରମ କରି ଅଲିଂପିକ୍ସରେ ଅଂଶ ଗ୍ରହଣ କରିବାକୁ ଯୋଗ୍ୟ ହେବା କୌଣସି ବିଜୟ ଠାରୁ ମଧ୍ୟ କମ୍ ନୁହେଁ। ଏହି ପ୍ୟାରିସ୍ ଅଲିଂପିକ୍ସ ଦେଖିଛି ମହିଳା ସନ୍ତରଣକାରୀ ୟୁଶ୍ରା ମାର୍ଦିନୀଙ୍କୁ, ଯିଏ ସିରିଆର ଭୟାବହ ଗୃହଯୁଦ୍ଧରୁ ପଳାୟନ କରିବା ଲାଗି ବିପଜ୍ଜନକ ନୌକା ଯାତ୍ରାରେ ସାଗର ଅତିକ୍ରମ କରି ୟୁରୋପ ଭୂଖଣ୍ଡ ଛୁଇଁଥିଲେ; ଯେଉଁ ଯାତ୍ରା କାଳରେ ନୌକାର ଇଂଜିନ ବିଗିଡ଼ି ଯିବାରୁ ମାର୍ଦିନୀ ସମୁଦ୍ରରେ ସନ୍ତରଣ କରି ନିଜ ସହିତ ନୌକାକୁ ଭିଡ଼ି କୂଳରେ ଲଗାଇବାରେ ବଡ଼ ଭୂମିକା ନିର୍ବାହ କରିଥିଲେ। ଘଟଣା କ୍ରମେ ଜର୍ମାନିରେ ସନ୍ତରଣରେ ପ୍ରଶିକ୍ଷଣ ଲାଭ କରିବା ପରେ ସେ ‘ରିଫ୍ୟୁଜି ଟିମ୍’ରେ ଅନ୍ତର୍ଭୁକ୍ତ ହେବାକୁ ଯୋଗ୍ୟ ହୋଇପାରିଥିଲେ। ସେହି ଭଳି ସୁଦାନ ଗୃହଯୁଦ୍ଧରୁ ପ୍ରାଣମୂର୍ଚ୍ଛା ଦୌଡ଼ି ପଳାୟନ କରିବାକୁ ସକ୍ଷମ ହୋଇଥିବା ଇଏକ୍ ପର ବିଏଲ୍ ସଂପ୍ରତି ଜଣେ ସୁପ୍ରସିଦ୍ଧ ଲମ୍ବା ଦୂରତାର ଧାବକ। କେନିଆର କାକୁମା ଶରଣାର୍ଥୀ ଶିବିରର ଜୀବନର ଅଧିକାଂଶ କାଳ ଅତିବାହିତ କରିଥିବା ପର ବିଏଲ୍ କେବଳ ଜଣେ ଖେଳାଳି ନୁହନ୍ତି, ‘ରିଫ୍ୟୁଜି ଅଲିଂପିକ୍ କମିଟି’ ସହିତ ମଧ୍ୟ ସେ ସଂଶ୍ଳଷ୍ଟ। ତାଲିବାନ ପ୍ରକୋପରୁ ରକ୍ଷା ପାଇବା ଲାଗି ଆଫଗାନିସ୍ତାନ ପରିତ୍ୟାଗ କରିଥିବା ମାନିଜା ତାଲାସ ପ୍ରଥମ ଥର ଲାଗି ଅଲିଂପିକ୍ସର ପ୍ରତିଦ୍ବନ୍ଦ୍ବିତା ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ ହୋଇଥିବା ‘ବ୍ରେକ୍ ଡ୍ୟାନ୍ସ’ ଶୃଙ୍ଖଳାରେ ଅଂଶଗ୍ରହଣ କରିବା ଲାଗି ଦଳରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏଗାରଟି ଦେଶର ଏହି ଖେଳାଳିମାନେ ନିଜ ହୃଦୟରେ ଆପଣା ରିକ୍ତ ରାଷ୍ଟ୍ରମାନଙ୍କୁ ଧରି ପ୍ରତିଯୋଗିତାକୁ ଓହ୍ଲାଇଛନ୍ତି ସିନା, ନିଜ ମାତୃଭୂମିକୁ ସମ୍ମାନ ବା କୃତଜ୍ଞତା ବା ଶ୍ରଦ୍ଧା ପ୍ରଦର୍ଶନ କରିବା ଲାଗି ସେମାନଙ୍କ ଠାରେ କୌଣସି ଉପାୟ ହିଁ ନ ଥାଏ। ଏହା ଯେ ସେମାନଙ୍କ ମଧ୍ୟରେ ଗଭୀର ଅନ୍ତର୍ବେଦନା ମଧ୍ୟ ସୃଷ୍ଟି କରୁଥିବ, ତାହା କହିବା ବାହୁଲ୍ୟ ମାତ୍ର।
ପ୍ରକାଶ ଥାଉ କି ରିଓ ଅଲିଂପିକ୍ସରେ ଯୋଗ ଦେଇଥିବା ରିଫ୍ୟୁଜି ଦଳର ସଦସ୍ୟଙ୍କ ସଂଖ୍ୟା (୧୦) ପରବତ୍ତୀ ଟୋକିଓ ଅଲିଂପିକ୍ସରେ ପ୍ରାୟ ତିନି ଗୁଣ ବୃଦ୍ଧି ପାଇ ହୋଇଥିଲା ୨୯ ଏବଂ ଚଳିତ ବର୍ଷ ତାହା ପ୍ରାୟ ଚାରି ଗୁଣ ବୃଦ୍ଧି ପାଇ ପହଞ୍ଚିଛି ୩୭ରେ, ଯେଉଁମାନେ ୧୨ଟି କ୍ରୀଡ଼ା ଶୃଙ୍ଖଳାରେ ଅଂଶ ଗ୍ରହଣ କରିବେ। ଅନେକ କହିଥାଆନ୍ତି ଯେ ସଂପ୍ରତି ପୃଥିବୀରେ ଶରଣାର୍ଥୀମାନଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ଘଟୁଥିବା ହେତୁ ଆଗାମୀ ଅଲିଂପିକ୍ସଗୁଡ଼ିକରେ ଖେଳାଳିଙ୍କ ସଂଖ୍ୟା ସ୍ବାଭାବିକ ଭାବେ ବୃଦ୍ଧି ପାଇବ। ହୁଏ’ତ ତା’ ସହିତ ଦଳର ପଦକ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିପାରେ। ଏଥିରେ ଖେଳାଳିମାନେ ଉଲ୍ଲସିତ ହେବା ସୁନିଶ୍ଚିତ, ଯେମିତି ସିଣ୍ଡିଙ୍କ କ୍ଷେତ୍ରରେ ଘଟିଛି। କିନ୍ତୁ, ସେମାନେ ଏକ ଦ୍ବନ୍ଦ୍ବର ସମ୍ମୁଖୀନ ମଧ୍ୟ ହୋଇପାରନ୍ତି, ଯେମିତି ସିଣ୍ଡି ହୋଇଛନ୍ତି। ପଦକ ଜିଣିବା ପରେ ଆନନ୍ଦର ଲୋତକ ଭରା ଚକ୍ଷୁରେ ସେ ଯାହା କହିଛନ୍ତି ତାହା ହେଲା ସେହି ଦିନ ସେ ଅଧିକ ପୁଲକିତ ହେବେ, ଯେଉଁ ଦିନ ଅଲିଂପିକ୍ସରେ ଶରଣାର୍ଥୀ ଦଳ ଆଉ ଦୃଶ୍ୟମାନ ହେବ ନାହିଁ; ଅର୍ଥାତ୍ ସବୁ ପ୍ରତିଯୋଗୀ ନିଜ ଭିଟାମାଟିରେ ରହି ନିଜ ମାତୃଭୂମିର ପ୍ରତିନିଧିତ୍ବ କରି କ୍ରୀଡ଼ାଙ୍ଗନକୁ ଓହ୍ଲାଇବେ ଏବଂ ପଦକ ଜିଣିଲେ ନିଜ ରାଷ୍ଟ୍ରର ଜାତୀୟ ପତାକାକୁ ଉଚ୍ଚାକାଶରେ ଉଡ଼ାଇବେ। ସୌଭାଗ୍ୟ ଓ ବିଡ଼ମ୍ବନାର ମିଶ୍ର ଭାବାବେଗରୁ ସେହି ଦିନ ସିଣ୍ଡିଙ୍କ ଭଳି ଖେଳାଳି ମୁକ୍ତ ହେବେ।